spot_img
Home Blog Page 4293

ଗ୍ୟାସ୍ କଟରରେ ଲକର କାଟି ଲୁଟି ନେଲେ ୨୦ ଲକ୍ଷର ଅଳଙ୍କାର

କୋଣାର୍କ: ସୁନା ଦୋକାନରେ କଳାକନା ବୁଲାଇଲେ ଲୁଟେରା । ଜୁଏଲାରୀ ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ । ପୁରୀ ଜିଲ୍ଲା କୋଣାର୍କ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଅଳଙ୍କାର ଦୋକାନରେ ଗତକାଲି ବିଳମ୍ବିତ ରାତିରେ ଗ୍ୟାସ କଟରରେ ଲକର କାଟି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସିସିଟିଭି ଫୁଟେଜ ଅନୁସାରେ ୪ ଜଣ ଡକାୟତ ଗ୍ୟାସ୍ କଟର ସାହାଯ୍ୟରେ ଛାତ ଉପରୁ ସିଡ଼ି ଘର ଗେଟ କାଟି ସୋରୁମ ଭିତରେ ଥିବା ଷ୍ଟ୍ରଙ୍ଗ ରୁମ ଓ ଲକର କାଟି ଲୁଟ୍ କରିଥିଲେ । ଲୁଟ୍‌ ହୋଇଥିବା ଅଳଙ୍କାରର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜୁଏଲରୀ ମାଲିକ କହିଛନ୍ତି । ତେବେ ଲୁଟ୍ ସମୟର ଲାଇଭ୍ ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି ।

ଗଞ୍ଜାମ ହଂସପୁର ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ହତ୍ୟା ମାମଲା, ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ: ଗଞ୍ଜାମ ହଂସପୁର ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ା ହତ୍ୟା ଘଟଣା । ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଛତ୍ରପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ହଂସପୁର ଗାଁର ପଙ୍କଜ ବିଶ୍ୱାଳ ଓ ସୀମାଞ୍ଚଳ ବିଶ୍ୱାଳ । ବ୍ୟାବସାୟିକ ଶତୃତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ନେଇ ଅଭିଯୁକ୍ତମାନେ ପୋଲିସକୁ କହିଛନ୍ତି । ପୂର୍ବରୁ ଦୁଇ ଥର ହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲେ ଅଭିଯୁକ୍ତ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର । ଗତ ୨୨ ତାରିଖରେ କୃଷ୍ଣଚନ୍ଦ୍ର ପରିଡ଼ାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ନ୍ୟାୟ ପ୍ରଦାନରେ ବିଳମ୍ବକୁ ନେଇ ଗତ ୨୫ ତାରିଖରେ କୃଷ୍ଣଚନ୍ଦ୍ରଙ୍କ ଭାବିପତ୍ନୀ ଆତ୍ମହତ୍ୟା କରିଥିଲେ । ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୋଲିସକୁ ମାଡ଼ ମାରିବା ସହ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ ହଂସପୁର ଗ୍ରାମବାସୀ ।

ଆମେରିକାରେ ମଣିଷକୁ ବ୍ୟାପିଲା ଏଚ୍‌୫ ବାର୍ଡ ଫ୍ଲୁ

ୱାଶିଂଟନ: ଆମେରିକା କୋଲୋରାଡର ଜଣେ ବ୍ୟକ୍ତି ଏଚ୍‌୫ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଛନ୍ତି । ଆମେରିକା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ (ୟୁଏସସିଡିସି) ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ସଂକ୍ରମିତ ବ୍ୟକ୍ତି ସିଧାସଳଖ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ଏଚ୍‌୫ଏନ୍‌୧ ସଂକ୍ରମିତ ପକ୍ଷୀଙ୍କୁ ମାରୁଥିଲେ । ଏଚ୍‌ ୫ ବାର୍ଡ ଫ୍ଳୁ ଭୂତାଣୁ ମନୁଷ୍ୟକୁ ସଂକ୍ରମିତ କରିବାର ଏହା ଦ୍ୱିତୀୟ ଏବଂ ଆମେରିକାର ପ୍ରଥମ ମାମଲା ।

କୋଲୋରାଡୋ ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ ପକ୍ଷୀଙ୍କ ସଂସ୍ପର୍ଶରେ କିମ୍ବା ଆଭିଏନ ଫ୍ଲୁ ତଥା ଏଚ୍‌୫ଏନ୍‌୧ ଫ୍ଲୁରେ ସଂକ୍ରମିତ ଜଙ୍ଗଲୀ ପକ୍ଷୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ନମୁନା ପରୀକ୍ଷା କରାଯାଉଛି । ଏଚ୍‌ ୫ ସଂକ୍ରମଣର ଶିକାର ହୋଇଥିବା ୪୦ ବର୍ଷୀୟ ବ୍ୟକ୍ତିଙ୍କଠାରେ କୌଣସି ଲକ୍ଷଣ ନାହିଁ । ଏବେ ତାଙ୍କୁ ସଙ୍ଗରୋଧରେ ରଖାଯାଇଛି।

ଏହାପୂର୍ବରୁ ଚାଇନାରେ ମଣିଷ ଦେହରେ ବାର୍ଡ ଫ୍ଲୁ ଦେଖା ଦେଇଥିଲା । ପ୍ରଥମେ ଜଣେ ବାଳକଙ୍କ ଦେହରେ H3N8 ଭୂତାଣୁ ଦେଖା ଦେଇଥିଲା । ଚାଇନାର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗଙ୍କ ଦ୍ବାରା ଜାରି ହୋଇଥିବା ଏକ ବୟାନରେ ଏହା କୁହାଯାଇଛି । କରୋନା ଭଳି ଏହା କିନ୍ତୁ ଏତେ ଭୟଙ୍କର ନୁହେଁ । ଏହା ମଣିଷ ଠାରୁ ମଣିଷକୁ ବ୍ୟାପିବା ନେଇ ଏତେ ସଂକ୍ରାମକ ନୁହେଁ ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ଏହି ଭୁତାଣୁକୁ ନେଇ ଡରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲେ ସ୍ବାସ୍ଥ୍ୟ ଅଧିକାରୀ ।

ନମାଜ ପଢ଼ିବା ବେଳେ ମସଜିଦରେ ବିସ୍ଫୋରଣ; ୫୦ ମୃତ

କାବୁଲ: ଆଫଗାନିସ୍ତାନରେ ମସଜିଦରେ ପୁଣି ଆତଙ୍କବାଦୀ ଆକ୍ରମଣ । ଶୁକ୍ରବାର ଆଫଗାନିସ୍ତାନର ସୁନ୍ନି ମସଜିଦରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ଫଳରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ପାଇଁ ଏ ପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ତାଲିବାନ୍ ମୁଖପାତ୍ର ମହମ୍ମଦ ନଫି ଟାକୋରଙ୍କ ଅନୁଯାୟୀ ରମଜାନ ଚାଲିଥିବାରୁ ନମାଜ ପଢ଼ିବା ପାଇଁ ଅନେକ ଲୋକ ମସଜିଦକୁ ଯାଇଥିଲେ ।

ଏହି ସମୟରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ପରେ ସୁରକ୍ଷାବାହିନୀ ଉକ୍ତ ଅଞ୍ଚଳକୁ ଘେରାଉ କରି ତଦନ୍ତ ଆରମ୍ଭ କରିଛି । ଗତ କିଛି ଦିନ ହେଲା ଆଫଗାନିସ୍ତାନରେ କ୍ରମାଗତ ଭାବେ ବିସ୍ଫୋରଣ ହେଉଛି । ଏହା ପୂର୍ବରୁ ଗୁରୁବାର ମଜାର-ଇ-ସରିଫ ଅଞ୍ଚଳରେ ୨ଟି ବିସ୍ଫୋରଣ ହୋଇଥିଲା । ଏଥିରେ ୯ ଜଣ ପ୍ରାଣ ହରାଇଥିବାବେଳେ ୧୩ ଜଣ ଆହତ ହୋଇଥିଲେ । ଇସଲାମିକ ଷ୍ଟେସ ଖୁରାସାନ ଆତଙ୍କବାଦୀ ମିନି ବସକୁ ଟାର୍ଗେଟ କରି ଏହି ଆକ୍ରମଣ କରିଥିଲେ ।

ବିଦ୍ୟୁତ ସଙ୍କଟ: ସର୍ବକାଳୀନ ସ୍ତରରେ ଦେଶରେ ବିଜୁଳି ଚାହିଦା

ନୂଆଦିଲ୍ଲୀ : ଅସହ୍ୟ ଗୁଳୁଗୁଳି ଯୋଗୁଁ ଦେଶରେ ବିଜୁଳି ଚାହିଦା ବଢିବାରେ ଲାଗିଛି। ତେବେ ବିଜୁଳି ଉତ୍ପାଦନ ବଢୁନାହିଁ । ଏପରି ସମୟରେ ଦେଶ ଏକ ଚତୁର୍ଥାଶଂ ପାୱାର ପ୍ଲାଣ୍ଟ ମଧ୍ୟ ବନ୍ଦ ହୋଇଯାଇଛି । ଏଥିଯୋଗୁଁ ଗୁରୁତର ବିଦ୍ୟୁତ ସଙ୍କଟ ଦେଖାଯାଇଛି । ୧୬ ରାଜ୍ୟରେ ୧୦ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍ କରାଯାଉଛି । ସରକାରୀ ରେକର୍ଡ ଅନୁଯାୟୀ ଦେଶରେ ୧୦ ହଜାର ମେଗାୱାଟ ଅର୍ଥାତ୍ ୧୫ କୋଟି ୟୁନିଟ ଅଭାବ ଦେଖାଦେଉଛି । ମାତ୍ର ବାସ୍ତବରେ ଏହାଠାରୁ ଅଧିକ ବିଦ୍ୟୁତ ଅଭାବ ରହିଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦେଶରେ ବିଜୁଳି ଚାହିଦା ସର୍ବକାଳୀନ ସ୍ତରରେ ପହଞ୍ଚିଛି । ଶୁକ୍ରବାର ଦ୍ବିପହର ୨ଟା୫୦ରେ ବିଜୁଳି ଚାହିଦା ୨ ଲକ୍ଷ ୭ ହଜାର ୧୧୧ ମେଗାୱାଟକୁ ଛୁଇଁଥିଲା । ଏହା ମଧ୍ୟରେ ରେଳ ମନ୍ତ୍ରାଳୟ ବଡ଼ ପଦକ୍ଷେପ ନେଇଛି । ପାୱାର ପ୍ଲାଣ୍ଟକୁ କୋଇଲା ଯୋଗାଣ ବୃଦ୍ଧି କରିବା ପାଇଁ ୬୫୭ ଟ୍ରେନକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ବାତିଲ କରିଦିଆଯାଇଛି।

କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ତାପଜ ବିଦ୍ୟୁତ କେନ୍ଦ୍ର ନିକଟରେ ୨୧.୫ ମିଲିୟନ ଟନ କୋଇଲା ଗଚ୍ଛିତ ରହିଛି । ଲୋକେ ଭୟ କରିବାର ଆବଶ୍ୟକତା ନାହିଁ । ସ୍ଥିତି ଉପରେ ନଜର ରଖାଯାଇଛି । ପ୍ରତିଦିନ ଗଚ୍ଛିତ କୋଇଲା ଭରଣା କରାଯିବ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବିଜୁଳି ସଙ୍କଟ ଗୁରୁତର ହେବାରେ ଲାଗିଛି । କୋଇଲା ଅଭାବ ଯୋଗୁଁ ମେଟ୍ରୋ ଷ୍ଟେସନ ଏବଂ ହସ୍ପିଟାଲ ସମେତ ଅନେକ ଆବଶ୍ୟକୀୟ ପ୍ରତିଷ୍ଠାନକୁ ୨୪ ଘଣ୍ଟା ବିଜୁଳି ଦେବାରେ ଅକ୍ଷମତା ପ୍ରକାଶ କରିଛନ୍ତି । ସ୍ଥିତି ସମୀକ୍ଷା ପାଇଁ ଦିଲ୍ଲୀ ଶକ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗୁରୁବାର ଜରୁରୀକାଳୀନ ବୈଠକ କରିଥିଲେ । ଦିଲ୍ଲୀର ବିଦ୍ୟୁତ କେନ୍ଦ୍ରଗୁଡିକୁ ପର୍ଯ୍ୟାପ୍ତ ପରିମାଣର କୋଇଲା ଦେବା ପାଇଁ ସେ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ପ୍ଲାଣ୍ଟଗୁଡିକରେ ଆଉ ଗୋଟିଏ ଦିନ ପାଇଁ କୋଇଲା ଗଚ୍ଛିତ ଥିବା ସେ କହିଛନ୍ତି ।

ସେହିପରି ପଞ୍ଜାବରେ ବିଜୁଳି ଚାହିଦା ୮ ହଜାର ମେଗାୱାଟରେ ପହଞ୍ଚି ଯାଇଛି । ଏଠାରେ ସହରରେ ୪ରୁ ୫ ଘଣ୍ଟା ଏବଂ ଗ୍ରାମାଞ୍ଚଳରେ ୧୦ରୁ ୧୨ ଘଣ୍ଟା ବିଦ୍ୟୁତ କାଟ କରାଯାଉଛି । ଉତ୍ତରପ୍ରଦେଶରେ ଗ୍ରାମାଞ୍ଚଳକୁ ମାତ୍ର ୪-୬ ଘଣ୍ଟା ବିଦ୍ୟୁତ ମିଳୁଥିବାବେଳେ ସହରରେ ୪ ଘଣ୍ଟା ପାଇଁ ବିଜୁଳି କାଟ କରାଯାଉଛି । ବିହାରର ସହରାଞ୍ଚଳରେ ୨ ଘଣ୍ଟା ଏବଂ ଗାଁରେ ୧୦ ଘଣ୍ଟା ବିଦ୍ୟୁତ କାଟ୍ ହେଉଛି।

ସାଉଦି ଆରବରେ ପାକ୍ ପ୍ରଧାନମନ୍ତ୍ରୀ ହଟହଟା, ମଦିନା ମସଜିଦରେ ଲାଗିଲା ଚୋର ଚୋର ସ୍ଲୋଗାନ

ଦୁବାଇ: ଆନ୍ତର୍ଜାତିକ ମହଲରେ ପାକିସ୍ତାନର ଛବି ବଦଳିବାର ନାଁ ଧରୁ ନାହିଁ । ବରଂ ବେଳକୁ ବେଳ ଏହା ଆହୁରି ମଳିନ ହେବାରେ ଲାଗିଛି । ଯାହାର ପ୍ରତିଫଳନ ଏବେ ସାଉଦି ଆରବରେ ଦେଖିବାକୁ ମିଳିଛି । ଆତଙ୍କବାଦ, ଆର୍ଥିକ ଅନଟନ ଏବଂ ମାନବାଧିକାର ଉଲ୍ଳଘଂନକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ର ସମେତ ଖୋଦ୍ କେତେକ ଇସଲାମିକ ରାଷ୍ଟ୍ରରେ ପାକିସ୍ତାନ ପୂର୍ବରୁ ବଦନାମ ହୋଇସାରିଛି । ତେବେ ସାଉଦି ଆରବ ଭଳି ପ୍ରମୁଖ ମୁସଲମାନ ରାଷ୍ଟ୍ରରେ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ୍ ନୱାଜଙ୍କୁ ପୁଣି ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି ।

ପ୍ରଧାନମନ୍ତ୍ରୀ ଭାବେ ଶାହାବାଜ୍ ନିଯୁକ୍ତ ହେବା ପରେ ପ୍ରଥମ ବିଦେଶ ଗସ୍ତ ଭାବେ ସେ ତାଙ୍କ ମନ୍ତ୍ରିମଣ୍ଡଳ ସହ ଏବେ ତିନି ଦିନିଆ ଗସ୍ତରେ ସାଉଦି ଆରବ ଯାଇଛନ୍ତି । କିନ୍ତୁ ଶୁକ୍ରବାର ଶାହବାଜ୍ ତାଙ୍କ ମନ୍ତ୍ରୀମାନଙ୍କ ସହ ମଦିନା ମସଜିଦ୍ ପରିଦର୍ଶନରେ ଯାଉଥିବା ବେଳେ ତାଙ୍କୁ ଘୋର ଅପମାନର ସମ୍ମୁଖୀନ ହେବାକୁ ପଡ଼ିଛି । ସେ ଏହି ମସଜିଦରେ ପହଞ୍ଚିବା ମାତ୍ରେ ସେଠାରେ ଉପସ୍ଥିତି ଥିବା ଶହ ଶହ ଲୋକ ତାଙ୍କ ଉଦ୍ଦେଶ୍ୟରେ ଚୋର, ଚୋର ବୋଲି ନାରା ଦେଇଥିଲେ। ଏହାକୁ ଦେଖି ଶାହବାଜ୍ ଏକପ୍ରକାର ଅପଦସ୍ଥ ହୋଇପଡ଼ିଥିଲେ । ଏଭଳି ନାରା ଦେଇଥିବା ଲୋକମାନଙ୍କୁ ପୋଲିସ ପରବର୍ତ୍ତୀ ସମୟରେ ଗିରଫ କରିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକମାନେ ଏଭଳି କାଣ୍ଡ ଭିଆଇଥିବା ନୱାଜଙ୍କ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।

ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ଜାରି, ପ୍ରଧାନମନ୍ତ୍ରୀଙ୍କୁ ବଦଳାଇବାକୁ ରାଜି ହେଲେ ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କାର ଅର୍ଥନୀତି ବ୍ୟବସ୍ଥା ଦିନକୁ ଦିନ ଗମ୍ଭୀର ହୋଇ ଚାଲିଥିବା ବେଳେ ରାଜନୈତିକ ସଙ୍କଟ ଏହି ସ୍ଥିତିକୁ ଆହୁରି ବେହାଲ କରିବାରେ ଲାଗିଛି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ସରକାରକୁ ବରଖାସ୍ତ କରିବାକୁ ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇ ଆସୁଛି । କିନ୍ତୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ କୌଣସି ସ୍ଥିତିରେ ଗାଦି ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି । ପୂର୍ବରୁ ତାଙ୍କ ମନ୍ତ୍ରିମଣ୍ଡଳର ବହୁ ବରିଷ୍ଠ ସଦସ୍ୟ ଇସ୍ତଫା ଦେଇସାରିଛନ୍ତି । ତେବେ ସବୁ ମହଲର ଦାବିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଗୋଟାବୟା ତାଙ୍କ ଭାଇ ତଥା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କୁ ବିଦା କରିବାକୁ ଶୁକ୍ରବାର ସହମତ ହୋଇଛନ୍ତି ।

ଦେଶର ସାଂପ୍ରତିକ ସ୍ଥିତିକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ଏକ ମିଳିତ ସରକାର ପ୍ରତିଷ୍ଠା କରିବାକୁ ଗୋଟାବାୟା ପୂର୍ବରୁ ବିରୋଧୀଙ୍କୁ ପ୍ରସ୍ତାବ ଦେଇଥିଲେ । ହେଲେ ସବୁ ବିରୋଧୀ ଦଳ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ତେବେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କୁ ବିଦା କରି ଜଣେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରିବାକୁ ସେ ଏବେ ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ ସବୁ ଦଳକୁ ନେଇ ଏକ ଜାତୀୟ ପରିଷଦ ଗଠନ କରିବା ସହିତ ଏହି ପରିଷଦ ନୂଆ ପ୍ରଧାନମନ୍ତ୍ରୀଙ୍କୁ ଚୟନ କରିବ ବୋଲି ଗୋଟାବାୟା କହିଛନ୍ତି । ଯଦି ମହିନ୍ଦା ରାଜପକ୍ଷେ ବିଦା ହୁଅନ୍ତି ତେବେ ଶ୍ରୀଲଙ୍କା ରାଜନୀତିରେ ରାଜପକ୍ଷେ ପରିବାରର କ୍ଷମତା ଏକ ପ୍ରକାର କ୍ଷୁର୍ଣ୍ଣ ହେବ । ରାଷ୍ଟ୍ରପତି ଗୋଟାବାୟାଙ୍କ ସମେତ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ, ଅର୍ଥମନ୍ତ୍ରୀ ଏବଂ ଅନ୍ୟ ବହୁ ବିଭାଗର ବରିଷ୍ଠ ମନ୍ତ୍ରୀ ଏହି ପରିବାରର ରହିଥିଲେ।  କିନ୍ତୁ ଶ୍ରୀଲଙ୍କାରେ ଆର୍ଥିକ ଅନଟନ ଆରମ୍ଭ ହେବା ପରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇବା ସହିତ ରାଜପକ୍ଷେ ପରିବାରକୁ ବିରୋଧ କରିଥିଲେ। ଶ୍ରୀଲଙ୍କାର ଏହି ସ୍ଥିତି ପାଇଁ ରାଜପକ୍ଷେ ପରିବାର ହିଁ ଦାୟୀ ବୋଲି କୁହାଯିବା ପରେ ଏହି ପରିବାରର ବହୁ ମନ୍ତ୍ରୀ ଇସ୍ତଫା ଦେଇଥିଲେ।

 ୫୦ ବିଶ୍ୱବିଦ୍ୟାଳୟ ପ୍ରଧ୍ୟାପକଙ୍କୁ ବିଦାକଲା ତାଲିବାନ

କାବୁଲ: ପାଠ ପଢାଇବେ ମୌଲନା ମୌଲବୀ । ମାଙ୍କଡ଼ ହାତକୁ ଶାଳଗ୍ରାମ ଗଲାଭଳି ତାଲିବାନ ହାତକୁ ଯାଇଛି ଆଫଗାନିସ୍ତାନ । ଆଉ ସେଠାରେ କେଉଁଭଳି ଭାବେ ବ୍ୟବସ୍ଥା କରାଯିବ ତାହା ସମ୍ପୂର୍ଣ୍ଣ ନିର୍ଭର କରେ ତାଲିବାନ ଉପରେ । ଏବେ ତାଲିବାନ ନଜର ଆଫଗାନିସ୍ତାନର ଶିକ୍ଷା ବ୍ୟବସ୍ଥା ଉପରେ । ଆଉ ଏଭଳି ପରିସ୍ଥିତିରେ ଆଫଗାନିସ୍ତାନରେ ଶିକ୍ଷା ବ୍ୟବସ୍ଥା ଯେ ବଦଳିବ, ସେଭଳି ଆଶା ନକରିବା ଭଲ । କାରଣ ଶିକ୍ଷା ବ୍ୟବସ୍ଥାକୁ ନେଇ ତାଲିବାନ ସରକାର ଯେଭଳି ଆଭିମୁଖ୍ୟ ଗ୍ରହଣ କରିବାରେ ଲାଗିଛି ତାହା ଏଭଳି ଆଶାକୁ ମଉଳାଇ ଦେବ ।

ଶିକ୍ଷା ବ୍ୟବସ୍ଥାକୁ ନେଇ ତାଲିବାନ ସରକାର ନିକଟରେ ଯେଉଁ ପଦକ୍ଷେପ ନେଇଛି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେବ । ସୂଚନା ଅନୁସାରେ ଆଫଗାନିସ୍ତାନର ମଜାର-ଇ-ସରିଫସ୍ଥତ ବଲ୍ଖ ବିଶ୍ବବିଦ୍ୟାଳୟର ୫୦ ଉଚ୍ଚ ଶିକ୍ଷିତ ପ୍ରଧ୍ୟାପକଙ୍କୁ ବିଦାକରି ସେମାନଙ୍କ ସ୍ଥାନରେ ମୌଲାନା କିମ୍ବା ନିଜ ସଂଗଠନର ସଦସ୍ୟଙ୍କୁ ନିଯୁକ୍ତ କରିଛି । ଆଫଗାନିସ୍ତାନ ଖବରକାଗଜ ‘ଆଫଗାନିସ୍ତାନ ଡେଲି’ରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି ।

ଏହି ସଂଖ୍ୟକ ପ୍ରଧ୍ୟାପକମାନଙ୍କୁ ହଟାଯିବା ପଛର ମୁଖ୍ୟକାରଣ ସେମାନଙ୍କ ସଂପ୍ରଦାୟ ଏବଂ ଜାତି ବୋଲି କୁହାଯାଉଛି । ଏହି ପ୍ରଧ୍ୟାପକମାନଙ୍କ ମଧ୍ୟରୁ  ୨୭ ଜଣ ତାଜିକ୍, ୧୨ ହାଜାରାସ , ୫ ପସ୍ତୁନ, ଦୁଇ ଆରବୀୟ ଏବଂ କିଛି ଉଜବେକିସ୍ତାନ ପ୍ରଧ୍ୟାପକ ରହିଥିଲେ। ସେମାନଙ୍କ ମଧ୍ୟରେ ୩ ଜଣ ଡକ୍ଟରେଟ୍ ଡିଗ୍ରୀ ପାଇଥିବା ବେଳେ  ୩୬ ଜଣ ମାଷ୍ଟର ଡିଗ୍ରୀ ଏବଂ ୧୦ ଜଣ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।

ଏସସବିରେ ଆଉ ଲମ୍ବା ଧାଡ଼ିରେ ଛିଡ଼ା ହେବେନି ରୋଗୀ, ଖୁବଶୀଘ୍ର ଓପିଡିରେ ଆରମ୍ଭ ହେବ ଅନଲାଇନ୍ ସ୍ଲଟ ବୁକିଂ

କଟକ: କଟକ SCB ମେଡିକାଲ ବର୍ହି ବିଭାଗ ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଅନଲାଇନ୍ ସ୍ଲଟ ବୁକିଂ ବ୍ୟବସ୍ଥା । ମେ’ ୯ ତାରିଖରୁ ଏହି ବ୍ୟବସ୍ଥାର ଶୁଭାରମ୍ଭ ହେବ । ଇ-ସ୍ୱାସ୍ଥ୍ୟ.ଓଡ଼ିଶା.ଗଭ୍‌.ଇନ୍ ପୋର୍ଟାଲରେ ଅନଲାଇନ୍ ସ୍ଲଟ ବୁକିଂର ସୁବିଧା ପାଇବେ ରୋଗୀ ଓ ତାଙ୍କ ସମ୍ପର୍କୀୟ । ଏହାଦ୍ବାର ଓପିଡି ଟିକେଟ୍ ରେଜିଷ୍ଟ୍ରେସନ ପାଇଁ ଆଉ ଲମ୍ବା ଧାଡ଼ିରେ ଲୋକଙ୍କୁ ଠିଆ ହେବାକୁ ପଡ଼ିବନି । ଅନଲାଇନ୍ ମାଧ୍ୟମରେ ଘରେ ବସି ଯେକୌଣସି ବିଭାଗ ଡାକ୍ତରଙ୍କ ନିକଟରେ ଚିକିତ୍ସା ପାଇଁ ବୁକିଂ କରିହେବ । ଏନେଇ ସୂଚନା ଦେଇଛନ୍ତି ମେଡିକାଲ କଲେଜ ଓ ହସ୍ପିଟାଲରେ ରେଜିଷ୍ଟାର ଡକ୍ଟର ଅବିନାଶ ରାଉତ ।

ଭାରତର କଡ଼ା ଜବାବ ପରେ ଚେତିଲା ଚୀନ, ଭାରତୀୟ ଛାତ୍ରଛାତ୍ରୀଙ୍କୁ ଚୀନ ଫେରିବାକୁ ଦେଲା ଅନୁମତି

ନୂଆଦିଲ୍ଲୀ : ଏଥର ଚୀନ ଯାଇପାରିବେ ଭାରତୀୟ ଛାତ୍ରଛାତ୍ରୀ । ଦୀର୍ଘ ଦିନର ବ୍ୟବଧାନ ପରେ ଚୀନ ସରକାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଚୀନ ଫେରିବାକୁ ଅନୁମତି ଦେଇଛନ୍ତି । ଚୀନକୁ ଭାରତର କଡ଼ା ଜବାବ ପରେ ଚୀନ ସରକାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଫେରିବାକୁ ଅନୁମତି ଦେଇଥିବା ଜଣାପଡ଼ିଛି । କରୋନା ମହାମାରୀକୁ ନେଇ ଚୀନରେ ବିଭିନ୍ନ ବିଷୟରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀମାନେ ସ୍ବଦେଶ ଫେରି ଆସିଥିଲେ ।

କିନ୍ତୁ କରୋନା ସ୍ଥିତ ବଦଳିବାପରେ ଅନ୍ୟ ରାଷ୍ଟ୍ରର ଛାତ୍ରଛାତ୍ରୀଙ୍କୁ ଚୀନ ଫେରିବା ଲାଗି ସେଠାକାର ସରକାର ଅନୁମତି ଦେଇଥିଲେ ହେଁ ଭାରତୀୟଙ୍କ ପାଇଁ ପ୍ରତିବନ୍ଧକ ଲଗାଇଥିଲେ । ଏହାକୁ ନେଇ କିଛି ଦିନ ତଳେ ଭାରତ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯିବା ସହିତ ଚୀନ ନାଗରିକଙ୍କ ପାଇଁ ପର୍ଯ୍ୟଟନ ଭିସା ବନ୍ଦ କରିବାକୁ ଘୋଷଣା କରାଯାଇଥିଲା। ଏହାପରେ ଏବେ ଚୀନ ସରକାର ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଚୀନ ଫେରିବା ଲାଗି ଅନୁମତି ଦେଇଥିବା ଜଣାପଡ଼ିଛି।

ତେବେ ଯେଉଁ ଛାତ୍ରଛାତ୍ରୀମାନଙ୍କ ପାଇଁ ଏବେ ଚୀନ ଯିବା ନିତାନ୍ତ ଜରୁରୀ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଏବେ ଭିସା ପ୍ରଦାନ କରାଯିବ ବୋଲି ଚୀନ କହିଛି । ଏହିକ୍ରମରେ ଆସନ୍ତା ମେ ’ ମାସ ୮ ତାରିଖ ସୁଦ୍ଧା ଭାରତୀୟ ଛାତ୍ରଛାତ୍ରୀମାନେ ପଞ୍ଜିକରଣ କରିବେ। ଏହାପରେ ସେମାନଙ୍କ ପାଠ୍ୟକ୍ରମ ସମ୍ପର୍କରେ ତର୍ଜମା କରି ଚୀନ ସରକାରଙ୍କ ପକ୍ଷରୁ ଆବଶ୍ୟକ ସ୍ଥଳେ ଭିସା ପ୍ରଦାନ କରାଯିବ ବୋଲି କୁହାଯାଇଛି।