spot_img
Home Blog Page 4299

ବିସ୍ଥାପିତଙ୍କ ମୁହଁରେ ଫୁଟିବ ହସ, ସମାଧାନ ହେବ ୭୦ ବର୍ଷର ସମସ୍ୟା

ରାଉରକେଲା: ୭୦ ବର୍ଷ ପୁରୁଣା ସମସ୍ୟାର ଖୁବଶୀଘ୍ର ହେବ ସମାଧାନ । ବିସ୍ଥାପିତଙ୍କୁ ମିଳିବ ହକ୍ । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ । ରାଜସ୍ବ ବିଭାଗ ଯୁଗ୍ମ ସଚିବଙ୍କୁ ଦିଆଯାଇଛି ଦାୟିତ୍ବ । ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠା ସମୟରେ ବିସ୍ଥାପିତ ହୋଇଥିବା ସମସ୍ତ ପରିବାର ସଦସ୍ୟଙ୍କ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଇସ୍ପାତ କାରଖାନା ସବ ଲିଜରେ ଦେଇଥିବା ଜମି ସମସ୍ୟା, ମନ୍ଦିରା ଡ୍ୟାମ ବିସ୍ଥାପିତଙ୍କ ସମସ୍ୟା ସହିତ ରେଲଓ୍ବେ ବିସ୍ଥାପିତଙ୍କ ସମସ୍ୟା ଖୁବଶୀଘ୍ର ସମାଧାନ ହେବ । ଏଥିପାଇଁ ପାଇଁ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ଯୁଗ୍ମ ସଚିବ ଅମୀୟ କୁମାର ସାହୁ ରାଉରକେଲା ଗସ୍ତ କରି ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ।

ରାଉରକେଲା ଇସ୍ପାତ କାରଖାନା ପାଇଁ ଜମି ଦେଇ ବିସ୍ଥାପିତ ହୋଇଥିବା ପରିବାର ସଦସ୍ୟଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ବିସ୍ଥାପିତ ସଂଘ ପକ୍ଷରୁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଥିଲା । ଏବେ ବିସ୍ଥାପିତ ପରିବାର ସଦସ୍ୟଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିବାରୁ ବିସ୍ଥାପିତ ସଂଘ ପକ୍ଷରୁ ଏହାକୁ ସ୍ବାଗତ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯାଇଛି ।

ରାଉରକେଲା ଇସ୍ପାତ କାରଖାନା ପାଇଁ ବିସ୍ଥାପିତ ହୋଇଥିବା ସମସ୍ତ ପରିବାର ସଦସ୍ୟଙ୍କୁ କାରଖାନାରେ ଚାକିରି ପ୍ରଦାନ କରିବା ପାଇଁ ମଧ୍ୟ ବିସ୍ଥାପିତ ସଂଘ ପକ୍ଷରୁ ଦାବି ହୋଇଆସୁଛି ।

ମଧୁବାବୁଙ୍କ ଜୀବନୀ ଓଡ଼ିଆ ସ୍ବାଭିମାନର ଗୌରବମୟ ଗାଥା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରଠାରେ ‘ଉତ୍କଳ ଗୌରବ ମଧୁସୁଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର’ ଲୋକାର୍ପିତ କରିଛନ୍ତି । କେନ୍ଦ୍ର ଲୋକାର୍ପଣ କରିବା ସହ କହିଲେ- ମଧୁ ବାବୁ ଓଡ଼ିଆ ସ୍ବାଭିମାନର ପ୍ରତୀକ, ତାଙ୍କ ଜୀବନୀ ହେଉଛି ଓଡ଼ିଆ ସ୍ବାଭିମାନର ଗୌରବମୟ ଗାଥା ।

ଭିଡିଓ କନଫରେନ୍ସିଂରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉତ୍କଳ ଗୌରବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ sହିଥିଲେ, ‘ସତ୍ୟଭାମାପୁର ସବୁ ଓଡ଼ିଆଙ୍କ ପାଇଁ ଏକ ତୀର୍ଥ କ୍ଷେତ୍ର । ଏହି ସଂଗ୍ରହାଳୟ ସମସ୍ତଙ୍କୁ ବିଶେଷ କରି ଯୁବପିଢିଙ୍କୁ ଓଡିଆ ସ୍ବାଭିମାନର ସୁରକ୍ଷା ପାଇଁ ପ୍ରେରଣା ଦେଇ ଚାଲିବ ।’

ସତ୍ୟଭାମାପୁରକୁ ଏକ ଆଦର୍ଶ ଗ୍ରାମ ରୂପେ ବିକାଶ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଗ୍ରାମକୁ ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନସ୍ଥଳ ଭାବରେ ପରିଣତ କରିବା ପାଇଁ ସରକାରଙ୍କ ପଦକ୍ଷେପ ଜାରି ରହିବ ବୋଲି କହିଛନ୍ତି । ଏହାସହ ମଧୁବାବୁଙ୍କ ଆଦର୍ଶରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ କରିବା ପାଇଁ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇ କହିଥିଲେ, ‘ତାଙ୍କ ଜାତି ପ୍ରୀତି ଓ ତ୍ୟାଗର ତୁଳନା ନାହିଁ । ଓଡ଼ିଆ ଜାତି ପାଇଁ ମଧୁବାବୁ ତାଙ୍କର ସବୁ କିଛି ତ୍ୟାଗ କରିଯାଇଛନ୍ତି । ତାଙ୍କ ପାଇଁ ଓଡ଼ିଆ ସ୍ବାଭିମାନ ଥିଲା ସବୁଠୁ ଉପରେ । ତା’ ସହ ସେ କେବେ ବି ସାଲିସ କରିନାହାନ୍ତି । ଏ ଜାତି ପାଇଁ ତାଙ୍କର ଅବଦାନ ତାଙ୍କୁ ଓଡ଼ିଆଙ୍କ ହୃଦୟରେ ଯୁଗ ଯୁଗ ପାଇଁ ଅମର କରି ରଖିବ ।’

ଓଡିଶାକୁ ମଧୁବାବୁଙ୍କ ଅବଦାନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଭାଷାକୁ ଭିତ୍ତିକରି ରାଜ୍ୟ ଗଠନ ପାଇଁ ମଧୁ ବାବୁଙ୍କ ଉଦ୍ୟମ ତାଙ୍କର ଦୂର ଦୃଷ୍ଟିର ପରିଚୟ । ସ୍ବାଧୀନତା ପରେ ଭାଷା ସୂତ୍ରରେ ହିଁ ଭାରତର ଅନେକ ରାଜ୍ୟ ଗଠିତ ହୋଇଛି । କିନ୍ତୁ ସେତେବେଳେ ଓଡିଶା ଥିଲା ଭାଷା  ଭିତିରେ ଭାରତର ପ୍ରଥମ ରାଜ୍ୟ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଲେ, ‘ମଧୁ ବାବୁ ଥିଲେ ଓଡ଼ିଆ ଜାତିର ମୂଖ୍ୟ ପୁରୋଧା । ତାଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଆଜି ମଧୁ ସଂଗ୍ରହାଳୟ ଲୋକାର୍ପିତ କରିଛନ୍ତି । ଆଜି ସାରା ବିଶ୍ବରେ ଥିବା ଓଡ଼ିଆମାନଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ମୁଖ୍ୟମନ୍ତ୍ରୀ ସତ୍ୟଭାମାପୁର ଗାଁର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ବୋଲି ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କହିବା ସହ ଗାଁର ଉନ୍ନତି ପାଇଁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ ।

ଜିଲ୍ଲାପାଳ ଭବାନୀ ଚରଣ ଚଇନି ସ୍ବାଗତ ଭାଷଣ ଦେଇଥିବା ବେଳେ ସତ୍ୟଭାମାପୁର ମଧୁସୂଦନ ସାଂସ୍କୃତିକ ସଂଘ ସଭାପତି ପ୍ରଶାନ୍ତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଉତ୍କଳ ଗୌରବ ମଧୁସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ସଂପର୍କରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ସଂଗ୍ରହାଳୟରେ ମଧୁବାବୁଙ୍କ ଏନ୍ତୁଡ଼ି ଶାଳ, ପିଲା ଦିନର ବିରଳ ଫଟୋ, ଜନ୍ମ ଜାତକ, ଢିଙ୍କି ଆଦି ବିଭିନ୍ନ ବିରଳ ଜିନିଷ ସ୍ଥାନ ପାଇଛି ।

ଶ୍ରୀମନ୍ଦିର ବିକାଶକୁ ବିରୋଧ କାହିଁକି ?

ପ୍ରଭୁ ଶ୍ରୀଜଗନ୍ନାଥ ଖାଲି ସାଢ଼େ ଚାରି କୋଟି ଓଡ଼ିଆ ନୁହନ୍ତି, ଓଡ଼ିଶା ଓ ଭାରତ ବାହାରେ କୋଟି କୋଟି ଭକ୍ତଙ୍କ ହୃଦୟର ଦେବତା। ଜାତିଧର୍ମ ନିର୍ବିଶେଷରେ ଅଗଣିତ ଶ୍ରଦ୍ଧାଳୁ କାଳିଆଠାରେ ନିଜ ନିଜ ଆରାଧ୍ୟ ଦେବତାଙ୍କୁ ଦେଖି ଭାବ ବିହ୍ବଳିତ ହୁଅନ୍ତି। କିଏ ଭକ୍ତିରେ ବିଲୀନ ଚୈତନ୍ୟଙ୍କୁ ଦେଖେ ତ କିଏ ଧ୍ୟାନମଗ୍ନ ଶିବଙ୍କୁ। କିଏ ଧନୁର୍ଧାରୀ ରାମଙ୍କୁ ତ କିଏ ବଂଶୀଧାରୀ କୃଷ୍ଣଙ୍କୁ। କିଏ ପୁଣି ଏହି ଅଧାଗଢ଼ା ମୂର୍ତ୍ତି ଭିତରେ ନିରାକାର ବ୍ରହ୍ମଙ୍କ ମହାର୍ଘ୍ୟ ଅନୁଭୂତି ସାଉଁଟି ବିସ୍ମୟବିମୂଢ଼ ହୋଇଯାଏ। ଭକ୍ତି ଓ ଭାବର ଠାକୁର ଜଗନ୍ନାଥଙ୍କ ଆଗରେ ସବୁ ଧର୍ମ, ସବୁ ପନ୍ଥ ଏବଂ ସବୁ ବାଦ ଏକାକାର ହୋଇଯାଏ।

କିନ୍ତୁ ବିଡ଼ମ୍ବନା ହେଲା; କୋଟି ଓଡ଼ିଆ ପ୍ରାଣର ସ୍ପନ୍ଦନ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀକ୍ଷେତ୍ରକୁ ନେଇ ସୃଷ୍ଟି କରାଯାଉଛି ବାଦ ବିସମ୍ବାଦ। ଓଡ଼ିଶାର ଧାର୍ମିକ, ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଉତ୍କୃଷ୍ଟ କଳାର ପରିଚୟ ଓ ସ୍ବାକ୍ଷର ବହନ କରୁଥିବା ବିଶ୍ବପ୍ରସିଦ୍ଧ ତୀର୍ଥକ୍ଷେତ୍ର ପୁରୀର ବିକାଶ ଏବଂ ଉତ୍କଳୀୟ ଶୈଳୀରେ ନିର୍ମିତ କାରୁକାର୍ଯ୍ୟଭରା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଯେଉଁ ପ୍ରୟାସ ହେଉଛି, ତାହା ଅଗଣିତ ଭକ୍ତଙ୍କ ମନରେ ଆନନ୍ଦ ସୃଷ୍ଟି କରିଥିବାବେଳେ କତିପୟ ବ୍ୟକ୍ତି ଶ୍ରୀକ୍ଷେତ୍ରର ଆତ୍ମଘୋଷିତ ଅଭିଭାବକ ସାଜି ଏହାକୁ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି। ଏଭଳି ଏକ ମହତ କାର୍ଯ୍ୟରେ ବାଧା ପହଞ୍ଚାଇବା ସହ ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ରଖି ଫାଇଦା ହାସଲ କରିବାକୁ ଉଦ୍ୟମ କରୁଛନ୍ତି।

ଯେତେବେଳେ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଏବଂ ବିକାଶ ଲାଗି ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କଲେ; ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ଶ୍ରୀମନ୍ଦିର ନିକଟରେ ପୁରୁଷ ପୁରୁଷ ଧରି ଘରଦ୍ବାର ଏବଂ ବ୍ୟବସାୟ ପ୍ରତିଷ୍ଠାନ କରି ରହି ଆସୁଥିବା ସେବାୟତମାନେ ସ୍ବତଃପ୍ରବୃତ୍ତ ଭାବେ ନିଜ ଜମି ଓ ଘରଦ୍ବାରକୁ ଏହି ମହତ୍ କାର୍ଯ୍ୟ ଲାଗି ଉତ୍ସର୍ଗ କରିଦେଲେ। ଶ୍ରୀକ୍ଷେତ୍ରକୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ବିକାଶର ନକ୍ସା ପ୍ରସ୍ତୁତ ହେଲା। ଏଥିପାଇଁ ୮୦୦ କୋଟିରୁ ଊର୍ଧ୍ବ ଟଙ୍କାର ବ୍ୟୟବରାଦ କରାଯାଇ ଏହି ମହତ୍ବାକାଂକ୍ଷୀ ପ୍ରକଳ୍ପର ନାଁ ଦିଆଗଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। କେନ୍ଦ୍ର ସରକାରଙ୍କ ଅଧୀନ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଓ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ) ର ମାର୍ଗଦର୍ଶିକାକୁ ଆଧାର କରି ଶ୍ରୀକ୍ଷେତ୍ରର ବିକାଶ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଥିଲା। ଏଏସ୍‌ଆଇର ବରିଷ୍ଠ ଅଧିକାରୀଙ୍କଠୁ ନେଇ ବିଭିନ୍ନ ରାଜ‌େନୖତିକ ଦଳର ନେତୃବୃନ୍ଦ ବିଭିନ୍ନ ସମୟରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବ‌ା ଅବସରରେ ଶ୍ରୀକ୍ଷେତ୍ରର ଏହି ବିକାଶମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ମୁକ୍ତ କଣ୍ଠରେ ଭୁରିଭୁରି ପ୍ରଶଂସା କରିଥିଲେ। ଦେଶର ଅନନ୍ୟ ଧାର୍ମିକ ପୀଠ ଭଳି ପୁରୀକୁ ଆସୁଥିବା ଲକ୍ଷଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ଲାଗି ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ, ସମଗ୍ର ଦେଶରେ ପୁରୀ ଯେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାକୁ ଯାଉଛି ତାହା ସମସ୍ତେ ଅନୁଭବ କରିଥିଲେ ଏବଂ ଦଳମତ ନିର୍ବିଶେଷରେ ଏହାକୁ ସ୍ବାଗତ କରିଥିଲେ।କିନ୍ତୁ ବିକାଶର ଏହି ମହାପର୍ବକୁ ସମ୍ଭବତଃ କିଛି କୁଚକ୍ରୀ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ହଜମ କରିପାରୁନାହାନ୍ତି। ପ୍ରକଳ୍ପ କାର୍ଯ୍ୟ ଏଏସ୍‌ଆଇ ଓ ଏନ୍‌ଏମ୍‌ଏ ମାର୍ଗଦର୍ଶିକା ଅନୁସାରେ ହେଉ ନ ଥିବା ଅଭିଯୋଗ କରୁଛନ୍ତି ଏବଂ ଶ୍ରୀମନ୍ଦିର ପ୍ରତି ବିପଦ ଅଛି ବୋଲି ମିଛ ପ୍ରଚାର କରି ବିକାଶ କାର୍ଯ୍ୟରେ ବାଧା ପହଞ୍ଚାଇବାକୁ ଅପଚେଷ୍ଟା କରୁଛନ୍ତି।

ଶ୍ରୀମନ୍ଦିରର ସେବାୟତଙ୍କଠୁ ନେଇ ସମଗ୍ର ପୁରୀବାସୀ ଏବଂ ଶ୍ରୀକ୍ଷେତ୍ରକୁ ଆସୁଥିବା ଅଗଣିତ ଭକ୍ତ ଏହି ପରିକ୍ରମା ପ୍ରକଳ୍ପର ଚୂଡ଼ାନ୍ତ ରୂପକୁ ଦେଖିବା ଲାଗି ଉତ୍ସୁକତାର ସହ ଅପେକ୍ଷା କରିଥିବାବେଳେ ଅଳ୍ପ କେତେଜଣ ସ୍ବଘୋଷିତ ବୁଦ୍ଧିଜୀବୀ ଏଥିରେ ବାଧକ ସାଜିଛନ୍ତି। ପ୍ରଶ୍ନ ଉଠୁଛି; ବିନା ତଥ୍ୟ ପ୍ରମାଣରେ ମିଥ୍ୟା ଅଭିଯୋଗ ଆଣି ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିକାଶକୁ ବିରୋଧ କରୁଥିବା ଏହି ମୁଷ୍ଟିମେୟ ବ୍ୟକ୍ତିମାନଙ୍କ ପଛରେ କିଏ ଅଛନ୍ତି? ଏହି ପ୍ରକଳ୍ପ ପାଇଁ ନିଜର ଭିଟାମାଟିକୁ ମଧ୍ୟ ଜଗନ୍ନାଥଙ୍କ ପାଇଁ ଉତ୍ସର୍ଗ କରିଥିବା ଶହଶହ ସେବାୟତଙ୍କ ତ୍ୟାଗର ମୂଲ୍ୟ ଏମାନେ ବୁଝନ୍ତି କି? ଏହି ପ୍ରକଳ୍ପର କାର୍ଯ୍ୟକାରିତା ନେଇ ପୁରୀର ମୁରବୀ, ବୁଦ୍ଧିଜୀବୀ ଓ ସାଧାରଣ ଜନତା ଓ ଭକ୍ତ ସମାଜଙ୍କ ମତ କ’ଣ ତାହା ସେମାନେ କେବେ ବୁଝିବାକୁ ଚେଷ୍ଟା କରିଛନ୍ତି କି? କାଶୀ, କେଦାରନାଥ, ବଦ୍ରିନାଥ, ମଥୁରା ଭଳି ଦେଶର ଅନ୍ୟାନ୍ୟ ଭାଗରେ ଥିବା ଧାର୍ମିକ ପୀଠର ବିକାଶ ହୋଇପାରୁଥିବାବେଳେ ଶ୍ରୀକ୍ଷେତ୍ର ବେଳକୁ ବ୍ୟକ୍ତିଗତ ଫାଇଦା ହାସଲର ଉଦ୍ଦେଶ୍ୟ ରଖି ଏମାନେ ଏହି ବିକାଶ କାର୍ଯ୍ୟକୁ ବିରୋଧ କରୁନାହାନ୍ତି ତ?

ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଶାସନ ଓ ପରମ୍ପରା ସଂପର୍କରେ ଗଜପତି ମହରାଜାଙ୍କର ବହୁ ଅଭିଜ୍ଞତା ରହିଛି। ଗଜପତି ମ‌ହାରାଜା କେବଳ ଶ୍ରୀଜଗନ୍ନାଥଙ୍କର ପ୍ରଧାନ ସେବକ ନୁହନ୍ତି, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍‌ଜେଟିଏ)ର ସଭାପତି ମଧ୍ୟ। ମାତ୍ର ଆଶ୍ଚର୍ଯ୍ୟର ବିଷୟ ହେଲା, ମନ୍ଦିରର ସୁରକ୍ଷା ବାବଦରେ ଗଜପତିଙ୍କର ମତ ଦେବାର ଯୋଗ୍ୟତା ଓ ଅଧିକାରକୁ ନେଇ ମଧ୍ୟ କିଛି ଲୋକ ପ୍ରଶ୍ନ ଉଠାଉଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପ୍ରଥମେ ଏସ୍‌ଜେଟିଏ ହିଁ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ)ର ଅନୁମୋଦନ ପାଇଁ ପଠାଇଥିଲା। ଏନ୍‌ଏମ୍‌ଏର ତିନି ଜଣିଆ କମିଟି (‌େଯଉଁ କମିଟିର ଜଣେ ସଦସ୍ୟ ହେଉଛନ୍ତି ଏଏସ୍‌ଆଇର ଡିଜି) ପୁଙ୍ଖାନୁପୁଙ୍ଖ ଭ‌ାବେ ଅନୁଧ୍ୟାନ କଲା ପରେ ଏହି ପ୍ରକଳ୍ପକୁ ଅନୁମୋଦନ ଦେଇଥିଲେ। ପରିକ୍ରମା ପ୍ରକଳ୍ପରେ ଯେଉଁ ସାମାନ୍ୟ ପରିବର୍ତ୍ତନ କରିବା ପାଇଁ ଏନ୍‌ଏମ୍‌ଏ ଓ ଏଏସ୍‌ଆଇ କହିଥିଲେ; ଏହାକୁ ବାଦ୍ ଦେଇ ପ୍ରକଳ୍ପର ଅନ୍ୟ ସମସ୍ତ କାର୍ଯ୍ୟ ଏବେ ଜାରି ରହିଛି। ତେଣୁ କହିବା ବାହୁଲ୍ୟ; ଏସ୍‌ଜେଟିଏର ସଭାପତି ଭାବେ ଗଜପତି ମହାରାଜା ଆରମ୍ଭରୁ ପ୍ରକଳ୍ପର ବୈଷୟିକ ଦିଗ ଓ ତଥ୍ୟ ସଂପର୍କରେ ଅବଗତ ଅଛନ୍ତି ଏବଂ ବର୍ତ୍ତମାନ ଜାରି ରହିଥିବା ଉନ୍ନତିମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଯୋଗୁଁ ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି ଭଲଭାବେ ଜାଣିଛନ୍ତି ଏବଂ ଦାୟିତ୍ବସମ୍ପନ୍ନ ଭାବେ ନିଜ ମତ ଦେଇଛନ୍ତି।

ଅନ୍ୟପକ୍ଷରେ ପୁରୀରେ କତିପୟ ବ୍ୟକ୍ତିବିଶେଷ ପରିକ୍ରମା ପ୍ରକଳ୍ପ ଯୋଗୁଁ ଶ୍ରୀମନ୍ଦିର ପ୍ରତି ବିପଦ ଅଛି ବୋଲି ଅପପ୍ରଚାର କରୁଛନ୍ତି; ନା ସେମାନଙ୍କ ନିକଟରେ ପ୍ରକଳ୍ପ ସଂକ୍ରାନ୍ତରେ ପ୍ରକୃତ ତଥ୍ୟ ରହିଛି, ନା ବୈଷୟିକ ଜ୍ଞାନ। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଯଦି ‌ବେଆଇନ ଭାବେ କିଛି ନିର୍ମାଣ କାର୍ଯ୍ୟ କରାଯାଉ ଥାଆନ୍ତା ଏବଂ ଏହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଥାଆନ୍ତା; ତେବେ ଏଏସ୍‌ଆଇ ଓ ଏନ୍‌ଏମ୍‌ଏ ଏହା ବନ୍ଦ କରନ୍ତେ ନାହିଁ କି? କିନ୍ତୁ ବ୍ୟକ୍ତିଗତ ରାଜନୈତିକ ଉଚ୍ଚାକାଂକ୍ଷା ଏବଂ ଫାଇଦା ହାସଲର ଉଦ୍ଦେଶ୍ୟ ରଖି ସେମାନେ ଏହାର ବିରୋଧ କରୁଛନ୍ତି ବୋଲି ପୁରୀବାସୀ ଓ ସାରା ଓଡ଼ିଶାର ଜଗନ୍ନାଥପ୍ରେମୀ ଜାଣି ସାରିଲେଣି। ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ପାଇଁ ସେମାନଙ୍କର କୌଣସି ଆନ୍ତରିକତା ନାହିଁ। ନିଜ ନିଜର ସଂକୀର୍ଣ୍ଣ ସ୍ବାର୍ଥ ହାସଲ ହୋଇଗ‌ଲେ ସେମାନେ ଚୁପ୍ ହୋଇଯିବେ।

ଯୁଗେ ଯୁଗେ ଭକ୍ତର ଭଗବାନ। ମହାପ୍ରଭୁ ସବୁ ସହିବେ; କିନ୍ତୁ ଭକ୍ତ ଅପମାନିତ ହେଲେ କିମ୍ବା ଭକ୍ତ ଆଖିରୁ ଲୁହ ଗଡ଼ିଲେ ସେ ସହି ପାରନ୍ତି ନାହିଁ। ରତ୍ନ ସିଂହାସନରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସୁଥିବା ମହାପ୍ରଭୁଙ୍କ ରଥ ଭକ୍ତ ସାଲବେଗ ପାଇଁ ଅଧାବାଟରେ ଅଟକି ଯାଇପାରେ। ମହାପ୍ରଭୁ ହାତ ବଢ଼ାଇ ଭକ୍ତ ଦାସିଆ ବାଉରି ହାତରୁ ନଡ଼ିଆ ଗ୍ରହଣ କରିପାରନ୍ତି। ବିପଦରେ ପଡ଼ି ମହାପ୍ରଭୁଙ୍କୁ ଆକୁଳ ପ୍ରାର୍ଥନା କଲେ ମୃଗିଣୀ ହେଉ କି ହସ୍ତିନୀ; ମହାପ୍ରଭୁ ନିଜ ଭକ୍ତକୁ ରକ୍ଷା କରିବାକୁ କିଛି ବି କରିପାରନ୍ତି। ତେଣୁ ଶ୍ରୀମନ୍ଦିର ବିକାଶ ପ୍ରସଙ୍ଗକୁ ବିରୋଧ କରି ମହାପ୍ରଭୁଙ୍କ କୋଟି କୋଟି ଭକ୍ତଙ୍କ ଭାବାବେଗକୁ ଆଘାତ ଦେଲେ, ମହାପ୍ରଭୁଙ୍କ ଧର୍ମଦାଣ୍ଡରେ ଦଣ୍ଡିତ ନ ହୋଇ କେହି ଖସିଯାଇ ପାରିବେ ନାହିଁ। ଶ୍ରୀଜଗନ୍ନାଥ ଓ ଶ୍ରୀକ୍ଷେତ୍ରର ବିକାଶ କାର୍ଯ୍ୟକୁ ରୋକିବା ପାଇଁ ଯେଉଁମାନେ ଏଭଳି ହୀନ ଚକ୍ରାନ୍ତ କରୁଛନ୍ତି ସେମାନଙ୍କୁ ଜଗନ୍ନାଥପ୍ରେମୀ ଓଡ଼ିଆ ଜାତି ଏବଂ ଭବିଷ୍ୟତ ପିଢ଼ି କେବେ କ୍ଷମା ଦେବ ନାହିଁ। ତେଣୁ ସେମାନେ କୋଟି କୋଟି ଜଗନ୍ନାଥପ୍ରେମୀ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦିଅନ୍ତୁ ଏବଂ ନିଜ ଅନ୍ତରାତ୍ମାର ଡାକ ଶୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାର୍ଯ୍ୟରେ ବାଧା ପହଞ୍ଚାଇବାରୁ ନିବୃତ ରହନ୍ତୁ।

ଦିଲ୍ଲୀର ଶାହିନବାଗ ଏବଂ ଜାମିୟାରେ NCB ରେଡ୍‌, ୩୫୦ କୋଟିର ହେରୋଇନ୍‌ ଜବତ

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ମିଳିଛି ଏକ ବଡ଼ ସଫଳତା ।  NCB ଡ୍ରଗ୍ସ ଚୋରା ଚାଲାଣର ଏକ ବଡ଼ ସିଣ୍ଡିକେଟର ପର୍ଦ୍ଦାଫାଶ କରିଛି, ଯେଉଁଥିରେ ଆଫଗାନ, ପାକିସ୍ତାନ୍‌ ଏବଂ ଭାରତର ମାଫିଆ ସାମିଲ ଅଛନ୍ତି ।  ଏହା ହେଉଛି ଏକ ଇଣ୍ଡୋ-ଆଫଗାନ୍‌ ସିଣ୍ଡିକେଟ୍‌ ।  ସୂଚନା ଅନୁସାରେ ଏନସିବି ପ୍ରାୟ ୩୫୦ କୋଟିର ହେରୋଇନ୍‌ ଜବତ କରିଛି ।

ଡିଡିଜି ଜ୍ଞାନେଶ୍ୱର ସିଂ କହିଛନ୍ତିଯେ, ସେମାନେ ଏକ ସିକ୍ରେଟ୍‌ ଅପରେସନ୍‌ ଆରମ୍ଭ କରିଥିଲେ ।  ଯାହାପରେ ଦିଲ୍ଲୀର ଶାହିନବାଗ ଏବଂ ଜାମିୟାରୁ ୫୦ କିଲୋଗ୍ରାମର ହେରୋଇନ୍‌ ଜବତ ହୋଇଛି । କେବଳ ସେତିକି ନୁହେଁ ବରଂ ଏହା ସହିତ ୩୦ ଲକ୍ଷ ନଗଦ କ୍ୟାଶ୍‌ ଏବଂ ଟଙ୍କା ଗଣା ମେସିନ୍‌ ମଧ୍ୟ ଜବତ ହୋଇଛି ।

ତଦନ୍ତ ପରେ ଜଣାପଡ଼ିଲାଯେ, ଏହି ହେରୋଇନ୍‌ ଗଛର ଡାଳରେ କ୍ୟାଭିଟି ଭଳି ଲୁଚାଇ ସମୂଦ୍ର ଏବଂ ପାକ୍‌ ସୀମା ଦେଇ ଭାରତରେ ପହଞ୍ଚିଥାଏ ।  ତେବେ ଭାରତରେ ଏହି ସିଣ୍ଡିକେଟର ଚେର ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା କହିଛନ୍ତି ଡିଡିଜି ।  ଏହା ପୂର୍ବରୁ ମଧ୍ୟ ଏହି ସିଣ୍ଡିକେଟ୍‌ ଭିନ୍ନ ଭିନ୍ନ ଉପାୟରେ ଏସବୁ ଅପରାଧ କରି ଆସୁଛି । ତେବେ ଏହା ସହିତ ଜଡ଼ିତ ଭାରତର ଜଣକୁ ଗିରଫ କରାଯାଇଛି । ଅନ୍ୟ ସହର ଗୁଡ଼ିକରେ ଛାନଭିନ୍‌ ଜାରି ରହିଛି ।  ତେବେ ଖୁବଶୀଘ୍ର ଏହି ସିଣ୍ଡିକେଟ ସହିତ ଜଡ଼ିତ କିଛି ବଡ଼ ଧରଣର ଖୁଲାସା କରିପାରେ ଏନସିବି ।

ଶୀଘ୍ର ଫ୍ରି ଓ୍ବାଇଫାଇ ସହର ହେବ ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ହେବ ଫ୍ରି ଓ୍ବାଇଫାଇ ସହର । ସ୍ମାର୍ଟସିଟିର ଟାର୍ଗେଟରେ ୧୮ ଶହ ପଏଣ୍ଟ । କାର୍ଯ୍ୟକ୍ଷମ ହୋଇ ସାରିଛି ୧ ହଜାର ୩୫୦ ପଏଣ୍ଟ । ଦୈନିକ ହାଇସ୍ପିଡ଼ ନେଟଓ୍ବର୍କ ସହ ଉପଲବ୍ଧ ହେବ ମାଗଣା ୫୦ MB । ସ୍ମାର୍ଟସିଟିକୁ ସ୍ମାର୍ଟ କରିବ ଅତ୍ୟାଧୁନିକ ଯୋଜନା । ସମସ୍ତଙ୍କୁ ମିଳବ ଇଣ୍ଟରନେଟର ସୁବିଧା । ୨୦୧୮ରେ ମାତ୍ର ୨ ଶହ ପଏଣ୍ଟରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଇତିମଧ୍ୟରେ ପାଖାପାଖି ୧୪ ଶହ ପଏଣ୍ଟ ସଂଯୋଗ ହୋଇପାରିଛି । ଲୋକଙ୍କୁ ଉନ୍ନତମାନର ତଥା ନିରାବଚ୍ଛିନ୍ନ ସେବା ଯୋଗାଇବା ପାଇଁ ଭିତ୍ତିଭୂମିର ବିକାଶ ହୋଇଛି । ଦୈନିକ ୫୦ MB ମାଗଣା ନେଓ୍ବର୍କର ସୁବିଧା ମିଳିବ । ପ୍ରାଥମିକ ପର୍ଯ୍ୟାୟରେ କମ ସଂଖ୍ୟକ ଜଂକ୍ସନ ବକ୍ସକୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଏବେ ୧ ହଜାର ଜଂକ୍ସନ ବକ୍ସ ଯୋଡି ହୋଇଛି । ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ୨୪ ଘଣ୍ଟିଆ କର୍ମଚାରୀ ବି ନିୟୋଜିତ ହୋଇଛନ୍ତି । ଖୁବଶୀଘ୍ର ସମସ୍ତ ୧୮ ଶହ ଟାର୍ଗେଟ ପୂରଣ ସହିତ ରାଜଧାନୀରେ ଏହା ଉପଲବ୍ଧ ହେବ । ଏହି ସୁବିଧା ପାଇବାକୁ ହେଲେ ଗ୍ରାହକଙ୍କୁ ଭୁବନେଶ୍ବର ମି ଆପକୁ ଲଗଇନ୍ କରି ନିଜ ମୋବାଇଲ ନମ୍ବର ଦେଲେ ସେଥିରେ ଏକ OTP ନମ୍ବର ଆସିବ । ଏହାକୁ ଦାଖଲ କଲେ ମିଳିବ ଓ୍ବାଇଫାଇ । କିଛି ସମସ୍ୟା ଥିଲେ ୧୯୨୯ ନମ୍ବରରେ ଯୋଗାଯୋଗ କରିପାରିବେ ଲୋକେ ।

ଧନୀ ହେଉ କି ଗରିବ, ସମସ୍ତଙ୍କ ହାତରେ ଏବେ ସ୍ମାର୍ଟଫୋନ । ହାତପାଆନ୍ତରେ ମିଳିପାରୁଛି ସବୁ ଖବର । ଏଭଳି ସ୍ଥିତିରେ ଅନ୍ୟ ମେଟ୍ରୋ ଭଳି ରାଜଧାନୀବାସୀଙ୍କ ପାଇଁ ସ୍ମାର୍ଟସିଟି ଆଣି ଦେଇଛି ଖୁସି ଖବର । ଯାହାର ସୁବିଧା ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଟୋ ଚାଳକ ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ନେଇପାରିବ । ଯାହାକୁ ନେଇ ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି ସମସ୍ତେ ।

କେବଳ ଓ୍ବାଇଫାଇ ନୁହଁ ବରଂ ଉନ୍ନତମାନର ସୁବିଧା ସହ ଜୀବନ ବିତାଇବା ପାଇଁ ବିଏମସି ଓ ସ୍ମାର୍ଟସିଟି ଚେଷ୍ଟା କରୁଛି । ଏଥିପାଇଁ ରାଜଧାନୀବାସୀଙ୍କ ସହଯୋଗ କାମନା କରାଯାଇଛି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ବଦଳାଅ, ନହେଲେ ପଞ୍ଜାବ ଭଳି ସ୍ଥିତି ଉପୁଜିବ

ନୂଆଦିଲ୍ଲୀ: ରାଜସ୍ଥାନର କଂଗ୍ରେସ ନେତା  ସଚିନ୍‌ ପାଇଲଟ୍‌ ପାର୍ଟିକୁ ଦ୍ୱନ୍ଦରେ ପକାଇଛନ୍ତି ।  ପାଇଲଟ୍‌ ପାର୍ଟି ଅଧ୍ୟକ୍ଷ  ସୋନିଆ ଗାନ୍ଧୀ,  ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସହିତ ଗତ କିଛି ସଚିନ୍‌  ସପ୍ତାହରେ ତିନୋଟି ବୈଠକ କରିଛନ୍ତି । ସଚିନ୍‌ ସିଧା ସିଧା କହିଛନ୍ତି ତାଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କରିବାକୁ । ସୂଚନା ଅନୁସାରେ, ସଚିନ୍‌ ଏକ ବର୍ଷ ହେବ  ମୁଖ୍ୟମନ୍ତ୍ରୀ ହେବାକୁ ଚେଷ୍ଟା କରୁଛନ୍ତି । କେବଳ ଗୋଟିଏ ଲକ୍ଷ୍ୟ ପାର୍ଟି ଶାସନକୁ ଫେରୁ ।

ସୂଚନା ଅନୁଯାୟୀ, ସଚିନ୍‌ ସୋନିଆ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ସିଧା ସିଧା କହିଛନ୍ତିଯେ,  ଯଦି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବଦଳା ନଯାଏ ତେବେ ପଞ୍ଜାବ ଭଳି ସ୍ଥିତି ଉତ୍ପନ୍ନ ହେବ । ପଞ୍ଜାବରେ ବିଳମ୍ବରେ  ନିର୍ଣ୍ଣୟ ହୋଇଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା । ରାଜସ୍ଥାନରେ ୨୦୨୩ରେ ନିର୍ବାଚନ ହେବାର ଅଛି । ଏଭଳି ସ୍ଥିତିରେ ସେ ନିଜ କଥା ରଖିଛନ୍ତି ପାର୍ଟିର ମୁଖ୍ୟଙ୍କ ସାମ୍ନାରେ ।

ସୂଚନାଯୋଗ୍ୟ  ୨ ୧ର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ପଦ ପାଇଁ  ନିଜକୁ ଦାବିଦାର କରିଥିବା ସଚିନଙ୍କୁ ୧୮ ଜଣ ବିଧାୟକଙ୍କ ସମର୍ଥନ ମିଳିଥିଲା । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ପ୍ରମାଣିତ କରି ସାରିଛନ୍ତିଯେ, ଶାସନରେ ରହିବା ପାଇଁ ସେ ସବୁକିଛି କରିପାରିବେ ।

ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ରଖିବାକୁ ଉଦ୍ୟମ

ଗଜପତି: ନଡ଼ା ଛପର ଘର ସାଙ୍ଗକୁ ଗୋବର ଲିପା କାନ୍ଥ । ଆଉ ତା’ ଉପରେ ଅଙ୍କା ହୋଇଛି ଅଦିବାସୀଙ୍କ ପାରମ୍ପରିକ ଚିତ୍ରକଳା । ସାଇତି ହୋଇଛି ରହିଛି ପୁରାତନ ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ଜନଜାତିଙ୍କ ବେଶଭୂଷା ସହିତ ଜଡ଼ିତ ସାମଗ୍ରୀ । ଲୋକକଳାରେ ବ୍ୟବହୃତ ବାଦ୍ୟଯନ୍ତ୍ରକୁ ସୁରକ୍ଷିତ ରଖାଯାଉଛି । ଆଧୁନିକତାକୁ ଆଦରି ନେଇ ଲୋପ ପାଇଯାଉଥିବା ଆଦିବାସୀଙ୍କ ପରମ୍ପରାକୁ ସୁରକ୍ଷିତ ରଖିବାକୁ ଉଦ୍ୟମ ହୋଇଛି । ଆଗାମୀ ପୀଢି ପାଇଁ ଏସବୁକୁ ସଂଗ୍ରହାଳୟରେ ସାଇତି ରଖିବାକୁ ପଦକ୍ଷେପ ନେଇଛି ଗଜପତି ଜିଲ୍ଲା ପ୍ରଶାସନ ।

ଗଜପତି ଜିଲ୍ଲାର ସେରଙ୍ଗ ଓ ଚନ୍ଦ୍ରଗିରିରେ ସଂଗ୍ରହାଳୟ ନିର୍ମାଣ କରି ଆଦିବାସୀ ସଂସ୍କୃତି ଓ ପରମ୍ପରା ସହିତ ଜଡ଼ିତ ଅନେକ ସ୍ମୃତିକୁ ପ୍ରଦର୍ଶିତ କରାଯାଉଛି । ସେହିପରି ସେଞ୍ଚୁରିଆନ ବିଶ୍ବ ବିଦ୍ୟାଳୟରେ ଏନେଇ ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରାଯାଇଛି । ଆଗକୁ ଜିଲ୍ଲାରେ ଆହୁରି ୨୫ଟି ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ।

ରାଜ୍ୟ ସରକାରଙ୍କ ଉଦ୍ୟମରେ ବିକାଶ ପଥରେ ଆଗେଇ ଚାଲିଛନ୍ତି ଆଦିବାସୀ ଜନଜାତି । ଏବେ ବି ପରମ୍ପରାକୁ ଉଜ୍ଜିବିତ ରଖିଛନ୍ତି । ଆଉ ଏହାକୁ ସୁରକ୍ଷିତ ରଖିବାକୁ ଶପଥ ନେଇଛି ଜିଲ୍ଲା ପ୍ରଶାସନ ।

ଭୁବନେଶ୍ବରକୁ ଡଷ୍ଟବିନ୍ ଫ୍ରି ସିଟି କରିବାକୁ ମେୟରଙ୍କ ଆହ୍ବାନ

ଭୁନେଶ୍ବର: ନୟାପଲ୍ଲୀ ୩୭ ନମ୍ବର ଓ୍ବାର୍ଡରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ ବିଏମସି ମେୟର ସୁଲୋଚନା ଦାସ । ବେହେରା ସାହି ଗସ୍ତ କରି ସାନିଟେସନ ଓ ବର୍ଷା ଜଳ ନିଷ୍କାସନ ସହ ଓ୍ବାର୍ଡ ଅଫିସ ଉପରେ ଗୁରୁତ୍ବ ଦେଇଛନ୍ତି ସୁଲୋଚନା । ବର୍ଷା ହେଲେ ଓ୍ବାର୍ଡବାସୀ ଜଳବନ୍ଦୀ ସମସ୍ୟାକୁ ସାମ୍ନା କରିଆସୁଛନ୍ତି । ଏହାସହ ଓ୍ବାର୍ଡ ଅଫିସ ନଥିବାରୁ ବିଭବ ଗୁଲମୋହର ପକ୍ଷରୁ ଅକ୍ତିଆର ଥିବା ସରକାରୀ ଜମିକୁ ମୁକ୍ତ କରି ଓ୍ବାର୍ଡ କାର୍ଯ୍ୟାଳୟ କରିବା ନେଇ ସ୍ଥାନୀୟ କର୍ପୋରେଟର ଓ ବରିଷ୍ଠ ନାଗରିକଙ୍କ ସହ ଆଲୋଚନା କରିଛନ୍ତି । ସହରବାସୀ ଅଳିଆ ପୃଥକୀକରଣ ଦିଗରେ ସଚେତନ ହେବା ସହ ଭୁବନେଶ୍ବରକୁ ଡଷ୍ଟବିନ୍ ଫ୍ରି ସିଟି କରିବା ଲକ୍ଷ୍ୟରେ ସହାୟକ ହେବାକୁ ଆହ୍ବାନ କରିଛନ୍ତି ମେୟର

କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଲେ ଅନିଲ କପୂର-ସତୀଶ କୌଶିକ, ପ୍ରୋମୋ ଦେଖିଲେ ହସି ହସି ଗଡ଼ିଯିବେ

ନୂଆଦିଲ୍ଲୀ:  କପିଲ ଶର୍ମା ଶୋ’ କାହାକୁ ବା ପସନ୍ଦ ନୁହେଁ ।  ଶନିବାର-ରବିବାର ଯଦି ଏହି ଶୋ’ ଦେଖୁନାହାଁନ୍ତି ତେବେ ଓ୍ୱିକେଣ୍ଡ ଫିକା ଫିକା ଲାଗେ ।  ଚଳିତ ଥର ଆସିବାକୁ ଥିବା ଅତିଥି ଆପଣଙ୍କୁ ହସାଇ ହସାଇ ବେଦମ୍‌ କରିବାକୁ ପ୍ରସ୍ତୁତ ।

ସୋନି ଟିଭି ତା’ ଅଫିସିଆଲ ପେଜରେ ’ ଦ କପିଲ ଶର୍ମା ଶୋ’ର ଏକ ପ୍ରୋମୋ ଶେୟାର କରିଛନ୍ତି ।  ଯେଉଁଥିରେ ଅନିଲ କପୂର, ମୁକ୍ତି ମୋହନ ଏବଂ ସତୀଶ କୌଶିକ ନଜର ଆସିଛନ୍ତି ।  ଏହି ଷ୍ଟାର କାଷ୍ଟ ଫିଲ୍ମ ‘ଥର’ର ପ୍ରମୋଶନ୍‌ ପାଇଁ ନିକଟରେ କପିଲଙ୍କ ଶୋ’କୁ ଆସିଥିଲେ ।  ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ୍‌ ହେବାକୁ ଯାଉଛି ।  ପ୍ରୋମୋରେ  କପିଲ ପ୍ରଥମେ ସତୀଶଙ୍କୁ ଟାର୍ଗେଟ କରିଥିଲେ । ତାପରେ ଉପସ୍ଥିତ ଥିବା ଲୋକଙ୍କ ସ୍ଥିତି କହିଲେ ନ ସରେ । ହସକୁ କେହି ମଧ୍ୟ ଅଟକାଇ ପାରିଲେନି ।

 

 

ପ୍ରୋମୋରେ ଦେଖିବାକୁ ମିଳିଛିଯେ, କପିଲ ଶର୍ମା ଅନିଲ କପୁରଙ୍କ ଫିଟନେସର ପ୍ରଶଂସା  କରିଛନ୍ତି । ଅନ୍ୟପଟେ ସତୀଶ କୌଶିକଙ୍କ ଫିଜିକକୁ ନେଇ ମଜାକ୍‌ ଉଡ଼ାଇଛନ୍ତି । ଯାହା ଦର୍ଶକଙ୍କ ମନୋରଞ୍ଜନ ପାଇଁ ଯଥେଷ୍ଟ ।  ମଜାଦାର କଥା ହେଉଛି କପିଲ ସତୀଶ କୌଶିକଙ୍କୁ କହୁଛନ୍ତି, ଆପଣ ୩୦ ବର୍ଷ ପୂର୍ବେ ବାପା ଚରିତ୍ରରେ ନଜର ଆସୁଥିଲେ ୩୦ ବର୍ଷ ପରେ ମଧ୍ୟ । ତେବେ ଏଥର କପିଲ ଶର୍ମାଙ୍କ ଶୋ ଖୁବ୍‌ ମଜାଦାର ହେବାକୁ ଯାଉଛି ।

ହିନ୍ଦି ଭାଷାକୁ ନେଇ ସାଉଥ-ବଲିଉଡ ଝଗଡ଼ା ନିଆଁରେ ଘିଅ ଢାଳିଲେ ରାମ ଗୋପାଲ

ନୂଆଦିଲ୍ଲୀ: ମାର୍କେଟରେ ଭଲ ଚାଲିଛି ସାଉଥ ଫିଲ୍ମ । ଜବରଦସ୍ତ ଫିଲ୍ମ ଏବଂ ସାଉଥ ଷ୍ଟାରଙ୍କ ଧମକାଦାର ଆକ୍ସନ ଦର୍ଶକଙ୍କୁ ଆକର୍ଷିତ କରୁଛି । ବଲିଉଡ ସିନେମାଠାରୁ ଭଲ ବ୍ୟବସାୟ ବି କରୁଛି ଦକ୍ଷିଣ ଭାରତୀୟ ସିନେମା । RRR, ପୁଷ୍ପା ଏବଂ KGF-2 ଏହା ପ୍ରମାଣିତ କରିଦେଇଛି । ଯଦିଓ ଆଗରୁ ବାହୁବଳୀ ଏବଂ କେଜିଏଫ -୧ ଭଲ ପ୍ରଦର୍ଶନ କରିଥିଲା, କିନ୍ତୁ ଲଗାତାର ତିନୋଟି ସାଉଥ ଫିଲ୍ମ ସମଗ୍ର ଭାରତରେ ସୁପରହିଟ ହୋଇଛି । ଯାହାକୁ ପ୍ଲାନ ଇଣ୍ଡିଆ ବୋଲି କୁହାଯାଉଛି । ଏହାରି ଭିତରେ ବଲିଉଡ ଏବଂ ଟଲିଉଡ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ସାଉଥ ଷ୍ଟାର କିଚା ସୁଦୀପ ଓ ଅଜୟ ଦେବଗନଙ୍କ ଝଗଡ଼ା ଏବେ ଭାଇରାଲ ହୋଇଛି । ଏହି ଝଗଡ଼ା ଭିତରେ ଏଣ୍ଟ୍ରି ମାରିଛନ୍ତି ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ।

କିଚ୍ଚା ସୁଦୀପ ନିଜ ଟ୍ବିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ । ଏଥିରେ ସେ ଲେଖାଥିଲା ଯେ, ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ନୁହେଁ । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଅଜୟ ଦେବଗନ ଏବଂ କିଚା ସୁଦୀପ । ବଲିଉଡ଼ ସୁପରଷ୍ଟାର ଅଜୟ ଦେବଗନ କିଚାଙ୍କ ଏହି ପୋଷ୍ଟକୁ ଟ୍ୟାଗ କରି ଲେଖିଛନ୍ତି- କିଚା ସୁଦୀପ ମୋ ଭାଇ, ଆପଣଙ୍କ ଭାଷାରେ ହିନ୍ଦୀ ଯଦି ରାଷ୍ଟ୍ରୀୟ ଭାଷା ନୁହେଁ, ତେବେ ତୁମେ ନିଜ ଭାଷାରେ ଫିଲ୍ମ ସୁଟିଂ କରି ସାରିବା ପରେ ପୁନର୍ବାର କାହିଁକି ହିନ୍ଦୀରେ ଡବିଂ କରୁଛ ? ହିନ୍ଦୀ ଭାରତର ରାଷ୍ଟ୍ରୀୟ ଭାଷା ଥିଲା, ଅଛି ଏବଂ ଆଗକୁ ମଧ୍ୟ ହିନ୍ଦୀ ରାଷ୍ଟ୍ରଭାଷା ହୋଇ ରହିବ । ଏହାସହ ‘ଜନ ଗଣ ମନ…’ ବୋଲି ଲେଖିଛନ୍ତି ଅଜୟ ଦେବଗନ ।

ସେପଟେ ଅଜୟ ଦେବଗନଙ୍କ ପ୍ରତିକ୍ରିୟା ପରେ ସୁଦୀପଙ୍କ ଟିମ୍ ଏହାର ସ୍ପଷ୍ଟୀକରଣ ରଖିଛି । ଅଜୟ ଦେବଗନକୁ ଅଭିନେତା କିଚା ସୁଦୀପ କେଉଁ ବିଷୟରେ କମେଣ୍ଟ କରିଥିଲେ, ତାହା ତାଙ୍କୁ ଜଣାନଥିଲା । ଏହି ମାମଲାକୁ ଏହିଠାରେ ସମାପ୍ତ କରିଦିଆଯାଉ ବୋଲି କହିଛନ୍ତି ସୁଦୀପଙ୍କ ଟିମ୍ । ସେପଟେ କିନ୍ତୁ ମାମଲା ଶାନ୍ତ ପଡି଼ଲା ବେଳକୁ ଘିଅ ଢାଳିଛନ୍ତି ରାମ ଗୋପାଳ ବର୍ମା । ରାମ ଗୋପାଳ ବର୍ମା ଅଜୟ ଗଦେବଗନଙ୍କୁ ଟାର୍ଗେଟ କରି ଲେଖିଛନ୍ତି- ସାଉଥ ଅଭିନେତାଙ୍କୁ ଇର୍ଷା କରେ ବଲିଉଡ । ବର୍ତ୍ତମାନ KGF-2ର ଓପନିଙ୍ଗ ୫୦ କୋଟିରୁ ଆରମ୍ଭ ହୋଇଥିବାରୁ ଅଧିକ ଇର୍ଷିତ ହୋଇପଡିଛନ୍ତି ଉତ୍ତର ଭାରତୀୟ ଅଭିନେତା । ଠିକ ଅଛି ଆମେ ମଧ୍ୟ ସମସ୍ତେ ଚାହିଁ ରହିଛି ଅଜୟଙ୍କ ଆଗାମୀ ପିଂଲ୍ମ ରନୱେ-୩୦ କେତେ କୋଟିରୁ ଓପନିଂ କରୁଛି । ଏହି ଫିଲ୍ମର ଲୋକପ୍ରିୟତା ହିଁ  ହିନ୍ଦୀ ବନାମ କନ୍ନଡ ଭାଷାର ଲୋକପ୍ରିୟତା ବିଷୟରେ ପ୍ରମାଣିତ କରିବ ବୋଲି କହିଛନ୍ତି ରାମ ଗୋପାଳ  ।