ଟାଙ୍ଗୀ: ପୁଣି ପାଣି ପାଇପ୍ ଡକାୟତଙ୍କୁ ଧରି ପୋଲିସ ଜିମ୍ମା ଦେଲେ ଗାଁ ଲୋକ । ଖୋର୍ଦ୍ଧା ଜିଲା ଟାଙ୍ଗୀ ଦୀକ୍ଷିତପଡ଼ା ଗାଁରେ ଗତକାଲି ବିଳମ୍ବିତ ରାତିରେ ପାଣି ସଂଯୋଗ ପାଇଁ ପାଇପ୍ ବିଛା ଯାଇଥିଲା । ହେଲେ ପାଇପ୍ ଲୁଟ୍ ପାଇଁ ୨୦ରୁ ଅଧିକ ସଶସ୍ତ୍ର ଡକାୟତ ଟ୍ରକ୍ ନେଇ ପହଞ୍ଚିଥିଲେ ଟାଙ୍ଗୀ ଦୀକ୍ଷିତପଡ଼ା ଗ୍ରାମରେ । ପାଣି ପାଇପକୁ ଲୋଡ୍ କରୁଥିବା ବେଳେ ଗାଁ ଲୋକ ଏକାଠି ହୋଇ ଡକାୟତଙ୍କୁ ଘେରି ନେଇଥିଲେ । ପୋଲିସ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଡକାୟତଙ୍କୁ କବଜାକୁ ନେଇଥିଲା । ଏହା ସହ ଗୋଟିଏ ଆଇଚର ଟ୍ରକ୍, ଗୋଟିଏ ଦାମୀ ବାଇକ୍ ଜବତ କରିଛି ପୋଲିସ । ଗତକାଲି ମଧ୍ୟ ଟାଙ୍ଗୀ କଲେଜ ପଡ଼ିଆରୁ ପାଣି ପାଇପ୍ ଲୁଟ୍ କରୁଥିବା ବେଳେ ଗାଁର ଯୁବକ ୮ ଜଣ ଡକାୟତଙ୍କ ସହ ୩ଟି ଆଇଚର ଟ୍ରକ୍ ଓ ଗୋଟିଏ ହାଇଡ୍ରାକୁ କାବୁ କରିଥିଲେ ।
ଏହି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଘୋର ବିପଦ
ମେଷ ରାଶି : ଧୈର୍ଯ୍ୟ ଓ ସଂଯମ ରକ୍ଷା କରନ୍ତୁ । ଚାକିରିରେ ପରିବର୍ତ୍ତନ ଦେଖାଦେଇପାରେ । ପରିବାରଠୁ ଦୂରରେ ରହିବାକୁ ପଡ଼ିପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କ୍ରୋଧ ବଢ଼ିପାରେ । କଳା ଏବଂ ସଙ୍ଗୀତ କ୍ଷେତ୍ରରେ ରୁଚି ରହିବ । ପରିବାର କିମ୍ୱା କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ ।
ବୃଷ ରାଶି : ମନରେ ଥିବା ଆଶା ପୂରଣ ହୋଇପାରେ । ଚାକିରିରେ ସ୍ଥାନ ପରିବର୍ତ୍ତନ ଯୋଗ ରହିଛି । ଆୟ ବୃଦ୍ଧି ହେବା ସହ ଖର୍ଚ୍ଚ ବଢ଼ିପାରେ । ବନ୍ଧୁଙ୍କ ସାହାଯ୍ୟରେ ଆୟ ବଢ଼ିବ । ଚାକିରି କିମ୍ୱା କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ଦେଖାଦେଇପାରେ ।
ମିଥୁନ ରାଶି : ଆତ୍ମବିଶ୍ୱାସ କମିପାରେ । ମାନସିକ ଶାନ୍ତି ପାଇଁ ଚେଷ୍ଟା କରନ୍ତୁ । ବ୍ୟବସାୟିକ କାର୍ଯ୍ୟରେ ବ୍ୟବଧାନ ଆସିପାରେ । କୌଣସି ବନ୍ଧୁଙ୍କ ସାହାଯ୍ୟ ମିଳିପାରେ । ଅଯଥା କାର୍ଯ୍ୟ ହେତୁ ବ୍ୟସ୍ତତା ବଢ଼ିପାରେ । ପିତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିପାରେ । ଧର୍ମ ପ୍ରତି ଶ୍ରଦ୍ଧାଭାବ ବଢ଼ିବ । ଆୟ ବୃଦ୍ଧିର ସମ୍ଭାବନା ରହିଛି ।
କର୍କଟ ରାଶି : ଅଧିକ ପରିଶ୍ରମ ହେତୁ ଚିନ୍ତାରେ ରହିପାରନ୍ତି । ପିତାମାତାଙ୍କ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ । ଜୀବନସାଥୀଙ୍କ ସହଯୋଗ ମିଳିବ । କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମର ସଠିକ୍ ଫଳ ମିଳିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆତ୍ମବିଶ୍ୱାସ ହାନି ହେବା ସହ ଆୟ କମ୍ ରହିବ ଏହି କାରଣରୁ ଚିନ୍ତିତ ହେବେ । ସ୍ୱଭାବରେ ବିରକ୍ତିଭାବ ପ୍ରକାଶ କରିପାରନ୍ତି ।
ସିଂହ ରାଶି : ମାନସିକ ଶାନ୍ତି ମିଳିବ । ପୂର୍ଣ୍ଣ ଆତ୍ମବିଶ୍ୱାସ ରହିବ । ପୋଷାକ ପ୍ରତି ରୁଚି ବଢ଼ିପାରେ । ଚାକିରିରେ ଅଧିକାରୀମାନଙ୍କ ସହ ସଦଭାବ ବଜାୟ ରଖନ୍ତୁ । କୌଣସି ବଡ଼ ଦାୟିତ୍ୱ ନେଇପାରନ୍ତି । ସନ୍ତାନ ତରଫରୁ ଖୁସି ଖବର ମିଳିପାରେ । ସଂଚିତ ଧନ କ୍ଷୟ ହେବ । କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିପାରନ୍ତି । ଅତିରିକ୍ତ କ୍ରୋଧରୁ ନିଜକୁ ଦୂରେଇ ରଖନ୍ତୁ ।
କନ୍ୟା ରାଶି : ଆତ୍ମବିଶ୍ୱାସରେ ବୃଦ୍ଧି ହେବ । ସଂଯତ ରକ୍ଷା କରନ୍ତୁ । ପାରିବାରିକ ଜୀବନ ଭଲ ରହିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ମାନସିକ ଚିନ୍ତାରେ ରହିବେ । ସ୍ୱଭାବରେ ବିରକ୍ତିଭାବ ପ୍ରକାଶ ପାଇବ । ଜୀବନସାଥୀଙ୍କ ସହ କଳହ ଦେଖାଦେଇପାରେ । ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ । ପୈତୃକ ସମ୍ପତ୍ତିରେ ଭାଗ ମିଳିପାରେ ।
ତୁଳା ରାଶି : ମନରେ ନିରାଶଭାବ ରହିପାରେ । ପରିବାରର ସହଯୋଗ ମିଳିବ । କୌଣସି ବନ୍ଧୁଙ୍କ ସହାୟରେ ଚାକିରି ମିଳିପାରେ । ଆୟ ବୃଦ୍ଧି ହେବ । ଭାଇଭଉଣୀଙ୍କ ସହ ବିଦେଶଗସ୍ତ କରିପାରନ୍ତି । ପିତାମାତାଙ୍କ ସହଯୋଗ ମିଳିବ । ପୋଷାକ କ୍ରୟରେ ଧନ ବିନିଯୋଗ ହୋଇପାରେ ।
ବିଛା ରାଶି : ଭରପୁର ଆତ୍ମବିଶ୍ୱାସ ରହିବ । ପିତାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ । କାର୍ଯ୍ୟକ୍ଷେତ୍ରରେ କର୍ମଚାରୀଙ୍କ ସହ ଭଲ ସମ୍ପର୍କ ରହିବ । ଉନ୍ନତି କରିବେ । ଅଧିକ ଖର୍ଚ୍ଚ ହେବାରୁ ଚିନ୍ତାରେ ପଡ଼ିବେ । ମାନସିକ ଶାନ୍ତି ବଜାୟ ରହିବ । ଅଧିକାରୀଙ୍କ ସହଯୋଗ ମିଳିବ ।
ଧନୁ ରାଶି : କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ଦେଖାଦେଇପାରେ । କୌଣସି ବନ୍ଧୁଙ୍କ ସହାୟତା ମିଳିପାରେ । ଆୟ ବୃଦ୍ଧି ହେବ । ଜୀବନସାଥୀଙ୍କ ସହ ମତଭେଦ ଦେଖାଦେବ । ଖର୍ଚ୍ଚ ବଢ଼ିପାରେ । ଆୟରେ ବ୍ୟବଧାନ ଦେଖାଦେଇପାରେ । ବନ୍ଧୁଙ୍କ ସାହାଯ୍ୟ ମିଳିବ । ଆତ୍ମବିଶ୍ୱାସ ବଳରେ ସଫଳତା ହାସଲ କରିବେ ।
ମକର ରାଶି : ଧୈର୍ଯ୍ୟ ଓ ସହନଶୀଳତା ରକ୍ଷା କରନ୍ତୁ । ବ୍ୟବସାୟରେ ସୁଧାର ଆସିପାରେ । ଲାଭ ମିଳିବାର ସମ୍ଭାବନା ରହିଛି । ପରିବାରର ସହଯୋଗ ମିଳିବ । ଦୈନିକ ଜୀବନରେ ବାଧା ଆସିପାରେ । କାର୍ଯ୍ୟକ୍ଷେତ୍ରରେ ସମସ୍ୟା ଦେଖାଦେବ । ମାନସିକ ଶାନ୍ତି ମିଳିପାରେ ।
କୁମ୍ଭ ରାଶି : ମାନସିକ ଶାନ୍ତି ମିଳିବ । ଚାକିରିରେ ଉନ୍ନତି କରିପାରନ୍ତି । ଆୟ ବୃଦ୍ଧି ହେବ । କାର୍ଯ୍ୟକ୍ଷେତ୍ରରେ ବଡ଼ ଦାୟିତ୍ୱ ମିଳିପାରେ । ଖର୍ଚ୍ଚ ବଢ଼ିବ । ଯାନବାହନରେ ଅର୍ଥ ବିନିଯୋଗ କରିପାରନ୍ତି । କାର୍ଯ୍ୟକ୍ଷେତ୍ରରେ କଠିନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ମାତ୍ର, ଶେଷରେ ସଫଳତା ପ୍ରାପ୍ତି ହେବ ।
ମୀନ ରାଶି : ମନ ପ୍ରସନ୍ନ ରହିବ । ବ୍ୟବସାୟରେ ବୃଦ୍ଧି ସହ ସମ୍ପତ୍ତିରେ ବୃଦ୍ଧି ହେବ । ଶରୀରର ଯତ୍ନ ନିଅନ୍ତୁ । ବନ୍ଧୁଙ୍କ ସହ ଭଲ ସମ୍ପର୍କ ରକ୍ଷା କରନ୍ତୁ । ପୋଷାକପତ୍ରରେ ଖର୍ଚ୍ଚ ହୋଇପାରେ । ଏଥିସହ ବନ୍ଧୁଙ୍କ ସହାୟତାରେ ଚାକିରି ମିଳିବାର ସୁଯୋଗ ରହିଛି ।
ସୁର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା କଂଗ୍ରେସ
ଭୁବନେଶ୍ୱର: ଦଳ ବିରୋଧୀ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ସୁର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ସୁରଙ୍କ ମନ୍ତବ୍ୟ ପାଇଁ ଦଳର ଭାବମୂର୍ତ୍ତି ନଷ୍ଟ ହେଉଛି ଓ ଦଳ ସମାଲୋଚିତ ହେଉଛି । ବରିଷ୍ଠ ନେତା ହୋଇ କେଉଁ ପରିସ୍ଥିତିରେ ଏଭଳି ବୟାନ ଦେଲେ, ସେନେଇ ସ୍ପଷ୍ଟୀକରଣ ଦେବାକୁ ନିରଞ୍ଜନ ସୁରଙ୍କୁ ନୋଟିସ୍ କରିଛନ୍ତି ।
ସେପଟେ ନୋଟିସ୍ ପାଇବା ପରେ ବିଧାୟକ ସୁରେଶ ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୁଁ କୌଣସି ଦଳ ବିରୋଧୀ ମନ୍ତବ୍ୟ ଦେଇ ନାହିଁ ତେଣୁ ନୋଟିସ୍ ଜବାବ ମଧ୍ୟ ଦେବି ନାହିଁ । କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଏବେ ଓଡ଼ିଶାରେ । ଦଳର ଅନ୍ତକନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଏଭଳି ସ୍ଥିତିରେ ସୁର ଓ ନିରଞ୍ଜନ ଏଭଳି ତୁ ତୁ ମେଁ ମେଁ କଂଗ୍ରେସ ରାଜନୀତିକୁ ରୋଚକ ସ୍ଥିତିରେ ପହଞ୍ଚାଇଛି ।
ସ୍ତ୍ରୀର ଅଭିଯୋଗ ପରେ ବାହା ବେଦୀରୁ ଗିରଫ ହେଲା ସ୍ୱାମୀ
ଭୁବନେଶ୍ୱର: ସ୍ତ୍ରୀ ଥାଉ ଥାଉ ଅନ୍ୟ ମହିଳାଙ୍କୁ ବିବାହ କରିବା ମହଙ୍ଗା ପଡ଼ିଛି । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ବନ୍ଧା ହୋଇଛି ବର । ଗତ ୬ ବର୍ଷ ତଳେ ଯାଜପୁର ଜିଲ୍ଲା ସାଇକ ଗାଁର ଦିଲୀପ କୁମାର ରାଉତ ଜଣେ ମହିଳାଙ୍କୁ ଜଟଣୀ ଠାରେ ବିବାହ କରିଥିଲେ । ବିବାହ ପରେ ସାଲିଆସାହିରେ ଥିବା ଏକାମ୍ରଭିଲ୍ଲାରେ ରହୁଥିଲେ । ଉଭୟଙ୍କ ୫ ବର୍ଷର ଏକ କନ୍ୟା ସନ୍ତାନ ଅଛି । ଗତ କିଛିଦିନଠାରୁ ମହିଳାଙ୍କୁ ଯୌତୁକ ଦାବି କରି ଶାଶୂ ଶ୍ୱଶୁର ଓ ଦିଅରଙ୍କ ସହ ମିଶି ନିର୍ଯାତନା ଦେଇ ଆସୁଥିଲେ ଦିଲୀପ ।

ଏପରିକି ବାପ ଘରୁ ଟଙ୍କା ସୁନା ନଆଣିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏହାକୁ ବିରୋଧ କରି ମହିଳା ଜଣକ ବାପ ଘରକୁ ଚାଲି ଯାଇଥିଲେ । ହେଲେ ଦିଲ୍ଲୀପ ଏପ୍ରିଲ୍ ୨୪ ତାରିଖରେ ଆଉ ଜଣେ ମହିଳାଙ୍କୁ ବିବାହ କରୁଥିବା ଖବର ପାଇଁ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ପ୍ରଥମ ସ୍ତ୍ରୀ । ଏହି ଅଭିଯୋଗ ଆଧାରରେ ଦିଲୀପଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ ।
ସାପ କାମୁଡ଼ା ଓ ସମ୍ପର୍କିତ ଧନ ଜୀବନହାନି ହ୍ରାସ ନିମନ୍ତେ ଗବେଷଣା କରିବ ଏମ୍ସ ଭୁବନେଶ୍ୱର
ଭୁବନେଶ୍ୱର: ବର୍ଷକୁ ବର୍ଷ ରାଜ୍ୟରେ ବୃଦ୍ଧି ପାଉଛି ସାପ କାମୁଡ଼ାଜନିତ ମୃତ୍ୟୁ । ଏହି କାରଣରୁ ଓଡ଼ିଶାରେ ବର୍ଷକୁ ପ୍ରାୟ ୮ ଶହରୁ ଅଧିକ ମୃତ୍ୟୁ ଘଟୁଛି । ଏପରି ସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ ଜନସାଧାରଣଙ୍କ ଯୋଗଦାନ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏଣୁ ରାଜ୍ୟରେ ସର୍ପ ଦଂଶନ ଏବଂ ଏନେଇ ହେଉଥିବା ଧନଜୀବନ ହାନିକୁ ହ୍ରାସ କରିବା ନିମନ୍ତେ ଏମ୍ସ ଭୁବନେଶ୍ୱର ପକ୍ଷରୁ ଏକ ଅନୁଧ୍ୟାନମୂଳକ ଗବେଷଣା ହାତକୁ ନିଆଯାଇଛି । ସାପ-ମଣିଷ ମୁକାବିଲାକୁ ହ୍ରାସ କରିବା ତଥା ଏହି ସମସ୍ୟାର ସମାଧାନ ନିମନ୍ତେ ଏମ୍ସର ଫରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗ ପକ୍ଷରୁ ଏହି ଗବେଷଣା ଖୁବଶୀଘ୍ର ଆରମ୍ଭ ହେବ ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ପାଇଲଟ୍ ପ୍ରକଳ୍ପ ଭାବେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କାର୍ଯ୍ୟକାରୀ ହେବ । ପ୍ରାୟ ୪୦୦ ପରିବାରକୁ ଏହି ଗବେଷଣାମୂଳକ ଅଧ୍ୟୟନରେ ସାମିଲ୍ କରାଯିବ । ପରବର୍ତ୍ତୀ ସମୟରେ ଏହା ସମଗ୍ର ରାଜ୍ୟରେ କରାଯିବାକୁ ଯୋଜନା ରହିଥିବା ଏମ୍ସ ଭୁବନେଶ୍ୱର ଫରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗର ଅତିରିକ୍ତ ପ୍ରଫେସର୍ ତଥା ଏହି ଗବେଷଣାର ମୁଖ୍ୟ ଅନୁସନ୍ଧାନକାରୀ ଡ. ସୁଦୀପ୍ତ ରଞ୍ଜନ ସିଂ ପ୍ରକାଶ କରିଛନ୍ତି ।

ସାପ କାମୁଡ଼ିବାକୁ ରୋକିବା ଉପରେ ଜ୍ଞାନ, ମନୋଭାବ ଏବଂ ଅଭ୍ୟାସ (କେଏପି)କୁ ନେଇ ଏହି ଅଧ୍ୟୟନ ଆଗକୁ ବଢ଼ିବ । ଯେଉଁ ଘରୁ ସାପ ଉଦ୍ଧାର ହୋଇଛି, ଉକ୍ତ ପରିବାରର ସଦସ୍ୟଙ୍କ ମଧ୍ୟରେ ସାପ କାମୁଡ଼ିବା ପରେ ପ୍ରାଥମିକ ଚିକିତ୍ସା, ଏହାକୁ ରୋକିବା ଉପରେ ଜ୍ଞାନ, ମନୋଭାବ ଏବଂ ଏନେଇ ରହିଥିବା ପାରମ୍ପିକ ଅଭ୍ୟାସ ସମ୍ପର୍କରେ ଲୋକମାନଙ୍କ ନିକଟରୁ ତଥ୍ୟ ସଂଗ୍ରହ କରାଯିବ । ସ୍ନେକ୍ ହେଲ୍ପଲାଇନ୍ର ସ୍ୱେଚ୍ଛାସେବୀଙ୍କ ମିଳିତ ସହଯୋଗରେ ଏହି ଗବେଷଣା ହେବ ବୋଲି ଡ. ସିଂ ସୂଚନା ଦେଇଛନ୍ତି । ଏହି ସ୍ୱେଚ୍ଛାସେବୀମାନେ ସାପ ଉଦ୍ଧାର କରୁଥିବା ପରିବାରର ସଦସ୍ୟଙ୍କ ନିକଟରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବେ । କେଉଁ କେଉଁ ପ୍ରତିଷେଧକ ନେଲେ ସାପ ଘରକୁ ପଶିପାରିବ ନାହିଁ, ଉପଯୁକ୍ତ ପ୍ରାଥମିକ ଚିକିତ୍ସା ପଦ୍ଧତି, ପ୍ରଚଳିତ ଗୁଣି ଗାରେଡ଼ି ଭଳି ପୁରାତନ ପରମ୍ପରା, ସାପ କାମୁଡ଼ିବା ପରେ ମାନସିକସ୍ତରରେ ଆଚରଣ ଏବଂ ଘରୋଇ ପରିସରରେ ସାପର ଅନୁପ୍ରବେଶ, ପ୍ରଜନନ ଏବଂ କାମୁଡ଼ିବା ପାଇଁ ପ୍ରତିଷେଧକ ଅଭ୍ୟାସ ବିଷୟରେ ଅଧ୍ୟୟନ ଗୋଷ୍ଠୀ ମଧ୍ୟରେ ସଚେତନତା ସୃଷ୍ଟିରେ ମଧ୍ୟ ଏହି ଗବେଷଣା କାର୍ଯ୍ୟ କରିବ । ପ୍ରଶ୍ନ ଗୁଡ଼ିକ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ହେବ ।
ଏହି ଅଧ୍ୟୟନ ପାଇଁ ସ୍ନେକ୍ ହେଲ୍ପ ଲାଇନର ୧୦ ଜଣ ସ୍ୱେଚ୍ଛାସେବୀଙ୍କୁ ଗତକାଲି ନମୁନା ସଂଗ୍ରହର ପଦ୍ଧତି ବିଷୟରେ ଫୋରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗର ବିଶେଷଜ୍ଞମାନେ ତାଲିମ୍ ଦେଇଥିଲେ । ବିଭାଗ ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ପ୍ରଶ୍ନର ତତ୍ୟ ସଂଗ୍ରହ ପରେ ଅନୁସନ୍ଧାନକାରୀମାନେ ସାପ ଏବଂ ସାପ କାମୁଡ଼ା ବିଷୟରେ ଜନସାଧାରଣଙ୍କ ଜ୍ଞାନର ଉନ୍ନତି ପାଇଁ ସଚେତନତାମୂଳକ ଲିଫଲେଟ୍ ମଧ୍ୟ ବଣ୍ଟାଯିବ। ପୂର୍ବରୁ ଅନୁମୋଦିତ ହୋଇଥିଲେ ମଧ୍ୟ କରୋନା କାରଣରୁ ଏହି ଗବେଷଣା କାର୍ଯ୍ୟ ଆରମ୍ଭ ହୋଇ ପାରିନଥିଲା । ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏହି ଅଧ୍ୟୟନ ପାଇଁ ସଂଯୋଜକ ଭାବେ କାର୍ଯ୍ୟ କରିବେ । ବିଭାଗୀୟ ମୁଖ୍ୟ ଡ. ମନୋଜ କୁମାର ମହାନ୍ତି ଏହି ଗବେଷଣାର ସହ ଅନୁସନ୍ଧାନକାରୀ ଭାବେ ଦାୟିତ୍ୱ ନିର୍ବାହ କରିବେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଅନୁସାରେ ସର୍ପ ଦଂଶନ ଏକ ଅବହେଳିତ ଟ୍ରପିକାଲ୍ ରୋଗ । ଦିନକୁ ଦିନ ଏନେଇ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯଦିଓ ସାପ କାମୁଡ଼ା ପାଇଁ ନିର୍ଦ୍ଦିଷ୍ଟ ଚିକିତ୍ସାର ଉପଲବ୍ଧତା ଅଛି, ତଥାପି ଅଧିକାଂଶ ଲୋକ ପାରମ୍ପରିକ ଚିକିତ୍ସା ପଦ୍ଧତି ଯେପରିକି ଝଡ଼ାଫୁଙ୍କା ଆଦିର ସାହାଯ୍ୟ ନିଅନ୍ତି ଏବଂ ଡାକ୍ତରଖାନାକୁ ବିଳମ୍ବରେ ଆସୁଥିବା ଅଧ୍ୟୟନର ଅନୁସନ୍ଧାନକାରୀ ଡ. ସୁଦୀପ୍ତ ସିଂ ପ୍ରକାଶ କରିଛନ୍ତି । ଯାହା ଫଳରେ ଜୀବନହାନିର ଯଥେଷ୍ଟ ଆଶଙ୍କା ରହିଛି । ଏଣୁ ଏନେଇ ରାଜ୍ୟରେ ଯଥେଷ୍ଟ ସଚେତନତା ସୃଷ୍ଟି ଏବଂ କ୍ଷୟକ୍ଷତିକୁ ହ୍ରାସ କରିବା ନିମନ୍ତେ ଏହି ଅଧ୍ୟୟନର ପରିକଳ୍ପନା କରାଯାଇଛି । ଏନେଇ ଭୁବନେଶ୍ୱରର ନାଗରିକଙ୍କ ସହଯୋଗ ଲୋଡିଛନ୍ତି ଡ. ସିଂ । ଉଲ୍ଲେଖଯୋଗ୍ୟ ଯେ, ସ୍ନେକ୍ ହେଲ୍ପଲାଇନ ସହିତ ମିଳିତ ଭାବରେ ଏମ୍ସ ଭୁବନେଶ୍ୱର ସାପ କାମୁଡ଼ାରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ମୋବାଇଲ୍ ଆପ୍ଲିକେସନ୍ ଏବଂ ୱେବସାଇଟ୍ ବିକଶିତ କରିଛି ।
ସୁନ୍ଦରଗଡ଼ ମେଡିକାଲ୍ କଲେଜରେ ଆରମ୍ଭ ହେବ ନାମଲେଖା, ଭିତ୍ତିଭୂମି ହସ୍ତାନ୍ତର କଲା NTPC
ସୁନ୍ଦରଗଡ଼: ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ଭିତ୍ତିଭୂମି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କଲା ଏନ୍ଟିପିସି । ଏନଟିପିସି ଜେନେରାଲ ମ୍ୟାନେଜର ପରେଶ ଗଜଲେୱାର ବିଧିବଦ୍ଧ ଭାବେ ରାଜ୍ୟ ସରକାରଙ୍କୁ ଭିତ୍ତିଭୂମି ହସ୍ତାନ୍ତର କରିଛନ୍ତି । ସରକାରଙ୍କ ପକ୍ଷରୁ ମେଡିକାଲ କଲେଜ ଡିନ୍ ପ୍ରଫେସର ଡାକ୍ତର ଦୈତାରୀ ରାଉତରାୟ ଏବଂ ପୂର୍ତ୍ତ ଓ ଗୃହ ନିର୍ମାଣ ଅଧୀକ୍ଷଣ ଯନ୍ତ୍ରୀ ନାରାୟଣ ପଟେଲ ଆନୁଷଙ୍ଗିକ କାଗଜପତ୍ର ଓ ମେଡିକାଲ କଲେଜ ହସ୍ପିଟାଲର ଏକ ପ୍ରତିକୃତି ଗ୍ରହଣ କରିଥିଲେ । ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଚଳିତ ଶିକ୍ଷାବର୍ଷରୁ ଡାକ୍ତରୀ ପାଠପଢ଼ା ଆରମ୍ଭ ହେବ ।
ପ୍ରଥମ ବର୍ଷରେ ୧୦୦ ସିଟ୍ ପାଇଁ ଛାତ୍ରଛାତ୍ରୀ ନାମ ଲେଖାଇବେ । ମେଡିକାଲ କଲେଜ ପରିସରରେ ପରୀକ୍ଷା ହଲ୍, ଗବେଷଣାଗାର, ସ୍ମାର୍ଟ କ୍ଲାସ୍ ରୁମ୍, ପାଠାଗାର, ରେଷ୍ଟୁରାଣ୍ଟ ଓ କନଫରେନ୍ସ ହଲର ସୁବିଧା ରହିଛି । ୨୦୧୪ରେ ଏନଟିପିସି ପକ୍ଷରୁ ସୁନ୍ଦରଗଡ଼ଠାରେ ୨୧ ଏକର ଜମିରେ ଏକ ଅତ୍ୟାଧୁନିକ ହସ୍ପିଟାଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୨୦୨୧ ମସିହାରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ରାଜ୍ୟ ସରକାର ଗତବର୍ଷ ଏହାକୁ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଭାବରେ ମଞ୍ଜୁରୀ ଦେଇଥିଲେ । ମେଡିକାଲ କଲେଜ ପାଇଁ ଡିନ୍ ଓ ଆଡିଶନାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ମଧ୍ୟ ନିଯୁକ୍ତି ମିଳି ସାରିଛି ।

