spot_img
Home Blog Page 4316

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ; ପଦଯାତ୍ରାକୁ ବିରୋଧ କରୁଛନ୍ତି ବିଭିନ୍ନ ସଙ୍ଗଠନ

ପୁରୀ: ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ‘ଶ୍ରୀମନ୍ଦିର ବଞ୍ଚାଓ ଆନ୍ଦୋଳନ’ ପକ୍ଷରୁ ୨୭ ତାରିଖରେ ହେବାକୁ ଥିବା ପଦଯାତ୍ରାକୁ ବିରୋଧ କରାଯାଉଛି। ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ପଦଯାତ୍ରା କରାଯାଉଥିବା ଦର୍ଶାଇ ଆଜି ଅନେକ ସଙ୍ଗଠନ, ବୁଦ୍ଧିଜୀବୀ ଓ ଜଗନ୍ନାଥ ପ୍ରେମୀ ବିରୋଧ କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରି ଅନେକ ବୁଦ୍ଧିଜୀବୀ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ବିଶେଷକରି ଭଏସ ଅଫ କମନମ୍ୟାନ, ଭୂସମ୍ପତ୍ତି ସୁରକ୍ଷା ପରିଷଦ, ଶ୍ରୀକ୍ଷେତ୍ର ଆଠସାହି ଆଖଡା, ପୂଜ୍ୟପୂଜା ସଂସଦ, ଆଖଣ୍ଡଳମଣି ପରିଚାଳନା କମିଟି, ପୁରୀ ରୋଗୀ ସୁରକ୍ଷା ମଞ୍ଚ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏପରିକି ପୂଜ୍ୟପୂଜା ସଂସଦର ରାଜ୍ୟ ସଭାପତି ତଥା ବିଜେପିର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ଜଗଦେବ ମଧ୍ୟ ସ୍ମାରକ ପତ୍ର ପ୍ରଦାନ କରି ପ୍ରକଳ୍ପ ସାକାର ହେଉ ବୋଲି ଦର୍ଶାଇଛନ୍ତି।

ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସୁରକ୍ଷା ମଞ୍ଚ ପକ୍ଷରୁ ମଧ୍ୟ ୨୭ ତାରିଖରେ ହେବାକୁ ଥିବା ପଦଯାତ୍ରାକୁ ବିରୋଧ କରାଯିବା ସହ ସପକ୍ଷବାଦୀଙ୍କୁ ଏପରି ହୀନ କାର୍ଯ୍ୟରୁ ବିରତ ରହିବାକୁ ନିବେଦନ କରିଥିଲେ। ଗଜପତି ମହାରାଜାଙ୍କୁ ମଧ୍ୟ ଶ୍ରୀମନ୍ଦିର ସେବାୟତ ମାନଙ୍କ ପକ୍ଷରୁ ପ୍ରକଳ୍ପ ଶୀଘ୍ର ଶେଷ କରିବା ନେଇ ଦାବିପତ୍ର ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଓ ବିଧାନସଭାରେ ପ୍ରକଳ୍ପ ପାରିତ ହୋଇଥିବା ବେଳେ ଅଯଥା ବିରୋଧ ଭିତ୍ତିହୀନ ଓ ରାଜନୀତିକରଣ କରାଯାଉଥିବା ସନ୍ଦେହ କରାଯାଉଛି।

୨୮୦ କୋଟି ଟଙ୍କାର ହେରୋଇନ୍ ବୋଝେଇ ପାକିସ୍ତାନୀ ବୋଟ୍ ଜବତ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀଙ୍କୁ ବଡ଼ ସଫଳତା । ଆଣ୍ଟି ଟେରରିଜମ୍ ସ୍କୱଡ୍ ସହ ହୋଇଥିବା ମିଳିତ ଅଭିଯାନରେ ୨୮୦ କୋଟି ଟଙ୍କାର ହେରାେଇନ୍ ବୋଝେଇ ବୋଟ୍ ସିଜ୍ ହୋଇଛି । ଗୁଜୁରାଟ୍ ଉପକୂଳ ଅନ୍ତର୍ଗତ ଆରବ ସାଗରରୁ ଏହି ବୋଟ୍ ଜବତ ହୋଇଥିବା ବେଳେ ୯ଜଣ କ୍ର୍ୟୁ ମେମ୍ୱର ଥିଲେ ।

ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି, ଭରତୀୟ ଜଳରାଶିକୁ ପ୍ରବେଶ କରୁଥିବା ପାକିସ୍ତାନୀ ବୋଟ୍‌ ‘ଅଲ୍‌ ହଜ୍‌’କୁ ଭାରତୀୟ ତଟରକ୍ଷୀ ପୋତଗୁଡ଼ିକ ବାଧା ଦେବା ସହ ଅଟକ ରଖିଛନ୍ତି। ଉକ୍ତ ବୋଟ୍‌ରୁ ନୌସେନା ତଟରକ୍ଷୀ କର୍ମଚାରୀମାନେ ୨୮୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ ପାଇଥିଲେ। ଅଧିକ ତଦନ୍ତ ନିମନ୍ତେ ଉକ୍ତ ବୋଟ୍‌ ଏବଂ ସେଥିରେ ଥିବା ପରିଚାରକମାନଙ୍କୁ ଗୁଜରାଟର କଚ୍ଛ ଜିଲ୍ଲାରେ ଥିବା ଜଖାଉ ବନ୍ଦରକୁ ଅଣାଯାଇଛି ।

ତେବେ ଧରାପଡ଼ିଥିବା ୯ଜଣ କ୍ର୍ୟୁ ମେମ୍ୱର ପାକିସ୍ତାନୀ ନାଗରିକ । ଗୁଜରାଟ ଉପକୂଳରେ ଥିବା ମାଛଧରା ବନ୍ଦର ଜାଖାଓ ନିକଟରେ ସେମାନେ ୫୫ କିଲୋ ହେରୋଇନ୍‌ ଚୋରା ଚାଲାଣ କରିବା ନିମନ୍ତେ ଚାହିଁଥିଲେ। ପାକିସ୍ତାନରୁ ‘ଡ୍ରଗ୍’ ଆସୁଛି ବୋଲି ‘ଏଟିଏସ୍‌’ ପୂର୍ବରୁ ସୂଚନା ପାଇବା ପରେ ଭାରତୀୟ ତଟରକ୍ଷୀ ସହଯୋଗରେ ସୀମାପାରିରୁ ଆସୁଥିବା ଉକ୍ତ ବ‌ୋଟ୍‌ ଦେଖିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ତେବେ ଜବତ ହୋଇଥିବା ଏହି ବୋଟ୍ ମାଛଧରା ବୋଟ୍ ହୋଇଥିବା ବେଳେ ଏହା ଦ୍ରୁତଗତିରେ ଯିବା ପାଇଁ ସକ୍ଷମ ଅଟେ ।

ଏଥିସହିତ ପଢ଼ନ୍ତୁ: ଆମେରିକୀୟ କମ୍ପାନୀ ଟେସଲା ମାଲିକଙ୍କୁ ଭାରତର ଟେସଲା ଦେଖାଇଲେ ଆନନ୍ଦ ମହିନ୍ଦ୍ରା

ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ୨ ଭାରତୀୟ !

ନୂଆଦିଲ୍ଲୀ: ଆଦାନି ଗ୍ରୁପ୍‌ର ଚେୟାରମ୍ୟାନ୍ ଗୌତମ ଆଦାନୀ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଫୋର୍ବସ୍ ତାଲିକାରେ ପଞ୍ଚମ ସ୍ଥାନରେ ରହିଛନ୍ତି । ଆଦାନୀର ସମୁଦାୟ ସମ୍ପତ୍ତି ୧୨୩.୧ ବିଲିୟନ ଡ଼ଲାର୍ ରହିଛି । ବରେକଶେର୍ ହାଥୱେର ୱାରେନ୍ ବଫେଟଙ୍କୁ ପଠରେ ପକାଇ ଧନୀ ତାଲିକାର ପଞ୍ଚମରେ ପହଞ୍ଚିଛନ୍ତି । ବର୍ତ୍ତମାନ ବଫେଟଙ୍କ ସମୁଦାୟ ସମ୍ପତ୍ତି ୧୨୧.୭ ବିଲିୟନ ସହିତ ଷଷ୍ଠ ସ୍ଥାନକୁ ଖସି ଆସିଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଫୋର୍ବସ୍ ତାଲିକାରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି । ଏହିପରି, ଦୁନିଆର ୧୦ ଜଣ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇଜଣ ହେଉଛନ୍ତି ଭାରତୀୟ । ଅମ୍ବାନୀଙ୍କ ସମୁଦାୟ ସମ୍ପତ୍ତି ୧୦୩.୭୦ ବିଲିୟନ ଡ଼ଲାର୍ ରହିଛି ।

ଏଲୋନ୍ ମସ୍କ ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି  । ତାଙ୍କର ସମୁଦାୟ ସମ୍ପତ୍ତି ୨୬୯.୭୦ ବିଲିୟନ ଡ଼ଲାର୍ ରହିଛି । ଜେଫ୍ ବେଜୋସ୍ ୧୭୦.୨ ବିଲିୟନ ଡ଼ଲାର୍ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଫ୍ରାନ୍ସର ବର୍ନାର୍ଡ ଆର୍ନାଲ୍ଟ ଏବଂ ତାଙ୍କ ପରିବାରର ମୋଟ ସମ୍ପତ୍ତି ୧୬୬.୮ ବିଲିୟନ ଡ଼ଲାର ଥିବା ବେଳେ ଧନୀ ତାଲିକାରେ ସେ ତୃତୀୟ ସ୍ଥାନ ରହିଛନ୍ତି ।

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଫୋର୍ବସ୍ ତାଲିକାରେ ବିଲ୍ ଗେଟ୍ସ ଚତୁର୍ଥ ସ୍ଥାନରେ ଅଛନ୍ତି ଅଛନ୍ତି। ତାଙ୍କର ସମୁଦାୟ ସମ୍ପତ୍ତି ୧୩୦.୨ ବିଲିୟନ ଡ଼ଲାର ରହିଛି । ଏହି ତାଲିକାରେ ଲ୍ୟାରି ଏଲିସନ ସପ୍ତମ ସ୍ଥାନରେ ଅଛନ୍ତି । ତାଙ୍କର ସମୁଦାୟ ସମ୍ପତ୍ତି ହେଉଛି ୧୦୭.୪  ବିଲିୟନ ଡଲାର । ଲ୍ୟାରି ପେଜର ସମୁଦାୟ ସମ୍ପତ୍ତି ୧୦୨.୪ ବିଲିୟନ ଡ଼ଲାର୍ ରହିଛି ଏବଂ ସେ ଏହି ତାଲିକାରେ ନବମ ସ୍ଥାନରେ ଅଛନ୍ତି । ଏଥି ସହିତ, ସର୍ଗେଇ ବ୍ରିନ ମୋଟ ସମୁଦାୟ ସମ୍ପତ୍ତି ୯୮.୫ ବିଲିୟନ ଡଲାର ସହିତ ଦଶମ ସ୍ଥାନରେ ଅଛନ୍ତି ।

ନବନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନରେ ନବନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷ ମାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କ ସାଥିରେ ରୁହ ଓ ଲୋକଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନିଜ ନିଜ ସହରକୁ ଶ୍ରେଷ୍ଠ କରିବା କ୍ଷେତ୍ରରେ ନେତୃତ୍ୱ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜି ଲୋକସେବା ଭବନରେ ନବନିର୍ବାଚିତ ମେୟର ଓ ପୌରାଧକ୍ଷ ମାନଙ୍କ ପାଇଁ ଆୟୋଜିତ ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ପଦ୍ଧତି ଶୀର୍ଷକ କର୍ମଶାଳାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପରାମର୍ଶ ଦେଇଛନ୍ତି। ସହରାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱୀକୃତି ହାସଲ କରିଥିବା ବେଳେ ଜାଗା ମିଶନ ବିକାଶମୁଖୀ ଦେଶ ମାନଙ୍କ ପାଇଁ ଏକ ମଡେଲ ହୋଇଛି। ଟ୍ୟାପରୁ ବିଶୁଦ୍ଧ ପିଇବା, ପାଣି ଯୋଗାଣ ସୁଜଳ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଓଡିଶା ସାରା ଦେଶରେ ଏକ ମାତ୍ର ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସହରାଞ୍ଚଳ ବିକାଶରେ ଆସିଥିବା ରୂପାନ୍ତରରେ 5T principleର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଥିବାରୁ ପ୍ରତ୍ୟେକ ସ୍ତରରେ 5T principleକୁ ନିଷ୍ଠାର ସହ କାର୍ଯ୍ୟକାରୀ କରି ଲୋକଙ୍କୁ ଉତ୍ତମ ସେବା ଯୋଗାଇ  ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ  ଦେଇଥିଲେ । ଏହାବ୍ୟତୀତ ନୂଆ ନେତୃତ୍ୱ ଓ ନୂଆ ପରିଚାଳନା କୌଶଳ ପୌର ସେବାକୁ ନୂତନ  ଶିଖରରେ ପହଞ୍ଚାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ସେହିପରି ଜାଗା ମିଶନ, ସୁଜଳ, ପରିମଳ ଓ ବର୍ଜ୍ୟ ବସ୍ତୁ ପରିଚାଳନା ମୁକ୍ତା ଯୋଜନା, ଆହାର ଏବଂ ସ୍ମାର୍ଟ LED ଲାଇଟ ଆଦି ସରକାରଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଫୋକସ କରିଥିଲେ। ବସ୍ତି ବିକାଶ ସମୟରେ ରାଜ୍ୟ ସରକାର ଜମି ଅପେକ୍ଷା ଲୋକଙ୍କୁ ଅଧିକ ଗୁରୁତ୍ୱ ଦେଇ ଜାଗା ମିଶନ ଆରମ୍ଭ କରିଥିଲେ ।ଏ ପର୍ଯ୍ୟନ୍ତ ୧ ଲକ୍ଷ ୭୫ହଜ଼ାର ପରିବାରକୁ ଭୂମି ଅଧିକାର ଦିଆଯାଇଥିବାବେଳ ୫୮୫ ବସ୍ତିକୁ ଆଦର୍ଶ ବସ୍ତିରେ ପରିଣତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଅପରପକ୍ଷରେ ସୁଜଳ କାର୍ଯ୍ୟକ୍ରମରେ ପୁରୀରେ ଟ୍ୟାପରୁ ବିଶୁଦ୍ଧ ପିଇବା ପାଣି ମିଳୁଥିବା ବେଳେ ରାଜ୍ୟର ୨୦ଟି ସହରରେ ଏଥିପାଇଁ କାମ ଚାଲିଛି । ସେହିପରି କୋଭିଡ ସମୟରେ ସହରର ଗରିବ ଲୋକଙ୍କ ପାଇଁ ଆରମ୍ଭ ହୋଇଥିବା ମୁକ୍ତା ଯୋଜନା ଜାରି ରହିବ ଓ ଏଥିପାଇଁ ବଜେଟରେ ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପରିମଳ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ବୋଲି ମତ ଦେଇ ସ୍ୱଚ୍ଛତା ଓ ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦେଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

କର୍ମଶାଳାରେ ଉଦବୋଧନ ଦେଇ ନଗର ଉନ୍ନୟନ ପଞ୍ଚାୟତି ରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟ ସରକାରଙ୍କ ବିଭିନ୍ନ ସହରାଞ୍ଚଳ  ବିକାଶ କାର୍ଯ୍ୟକ୍ରମକୁ ସଫଳ  ଭାବରେ କାର୍ଯ୍ୟକାରି କରିବା ଦିଗରେ  ନିଷ୍ଠାପର  ଉଦ୍ୟମ ଜାରି ରଖିବା  ପାଇଁ ପରାମର୍ଶ  ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର  ମହାପାତ୍ର, ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥି ଭାତ ନାନ ଓ ପୌର ନିର୍ଦ୍ଦେଶକ ସଂଗ୍ରାମଜୀତ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ମହାଭାରତକୁ କାହିଁକି ଘରେ ପାଠ କରାଯାଏ ନାହିଁ ? ଏହା ପଛରେ କଣ ରହିଛି କାରଣ, ଜାଣନ୍ତୁ

ମହାଭାରତକୁ ଏକ ପବିତ୍ର ଗ୍ରନ୍ଥ ଭାବେ ବିବେଚନା କରାଯାଏ । ହିନ୍ଦୁ ଶାସ୍ତ୍ରରେ ମହାଭାରତର ମହତ୍ୱ ଅତ୍ୟନ୍ତ ପବିତ୍ର । ବିଶ୍ୱାସ ରହିଛି ଯେ ଏହି ଗ୍ରନ୍ଥରେ ଥିବା ଶିକ୍ଷା ଅନ୍ୟ କୌଣସି ସ୍ଥାନରେ ବି ମିଳିବା କଷ୍ଟକର ।  ଧର୍ମ, ନୀତି, ସମ୍ମାନ, ବିବେକ ଏବଂ ଗୁଣର ଶିକ୍ଷା ଦେଉଥିବା ଏହି ଗ୍ରନ୍ଥର ମାନ୍ୟତା ରହିଛି ଯେ, ଏହାକୁ ଘରେ ରଖାଯିବା ଉଚିତ୍ ନୁହେଁ । ମହାଭାରତକୁ ପଞ୍ଚମ ବେଦ ଭାବରେ ମଧ୍ୟ ବିବେଚନା କରାଯାଏ । କୁହାଯାଏ ଯେ ମହାଭାରତ ସହିତ ଜଡିତ କୌଣସି ଜିନିଷକୁ ଘରେ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ହିନ୍ଦୁ ଧର୍ମର ଲୋକମାନେ ରାମାୟଣ, ଗୀତା ଇତ୍ୟାଦି ଗ୍ରନ୍ଥଗୁଡ଼ିକୁ ଘରେ ରଖନ୍ତି ଏବଂ ଏହାକୁ ପଢିବା ଶୁଭ ବୋଲି ମଧ୍ୟ ବିବେଚନା କରାଯାଏ । ଅନ୍ୟପକ୍ଷରେ, ମହାଭାରତର ପାଠ ବିଷୟରେ ଏକ ବିଶ୍ୱାସ ଅଛି ଯେ, ଘରେ ମହାଭାରତ ପାଠ କରିବା ଦ୍ୱାରା ଘରେ ଝଗଡା ହୁଏ ଏବଂ ପାରିବାରିକ ଅସନ୍ତୋଷ ଦେଖା ଦିଏ ।

ମହାଭାରତର ପାଠ ଘରେ ନୁହେଁ ବରଂ କୌଣସି ମନ୍ଦିରରେ କିମ୍ବା ଖାଲି ସ୍ଥାନରେ କରାଯାଏ । କେବଳ ସେତିକି ନୁହେଁ ବିଶ୍ୱାସ କରାଯାଏ ଯେ ଆପଣ ଯେଉଁଠାରେ ବି ମହାଭାରତ ପାଠ କରିବେ, ଏହାକୁ ସମ୍ପୂର୍ଣ୍ଣ ପାଠ କରିବେ ନାହିଁ, ଗୋଟିଏ ପୃଷ୍ଠାକୁ ଛାଡି ଦେବେ । ଏମିତି କରିବାର କାରଣ ହେଉଛି କିଛି ପ୍ରସଙ୍ଗ ଯେପରିକି ରାମାୟଣରେ ଜଣେ ଭାଇ ଅନ୍ୟ ଭାଇ ପାଇଁ ସିଂହାସନ ଛାଡିଛନ୍ତି । ମହାଭାରତରେ, ସିଂହାସନ ପାଇଁ ଜଣେ ଭାଇ ଅନ୍ୟ ଭାଇର ଶତ୍ରୁ ହୋଇ ଭାଇ ଭାଇର ଜୀବନ ନେବାକୁ ଚେଷ୍ଟା କରିଛି । ବିଶ୍ୱାସ କରାଯାଏ ଯେ ରାମାୟଣ ଜୀବନରେ କ’ଣ ଶୁଭ ଅଟେ ତାହା ଦର୍ଶାଇ ଥିବା ବେଳେ ମହାଭାରତରେ କ’ଣ କରିବା ଉଚିତ୍ ନୁହେଁ ତାହା ବ୍ୟାଖ୍ୟା ହୋଇଛି । ତେଣୁ ମହାଭାରତକୁ ସମ୍ପୂର୍ଣ୍ଣ ପାଠ କରିବା ପରିବର୍ତ୍ତେ ଗୋଟିଏ ପୃଷ୍ଠା ଛାଡ଼ି ଦେବା ଉଚିତ୍ ।

ପୌରାଣିକ ମାନ୍ୟତାର ପ୍ରତିବାଦରେ, ସମାଲୋଚନା କରାଯାଏ ଦୁଇଟି ଯାକ ଗ୍ରନ୍ଥରେ ତ ଯୁଦ୍ଧ ରହିଛି ତେବେ ଏହା କିଭଳି ଶୁଭ ଓ ଅଶୁଭ ଭାବେ ବିବେଚନା କରାଯାଇଛି । ତେଣୁ ଉଭୟ ରାମାୟଣ ଏବଂ ମହାଭାରତରେ ଯୁଦ୍ଧକୁ ବ୍ୟାଖ୍ୟା କରାଯାଇଛି କିନ୍ତୁ ରାମାୟଣ ଏବଂ ମହାଭାରତ ଯୁଦ୍ଧ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି । ରାମାୟଣରେ ସତ୍ୟର ସହିତ ଯୁଦ୍ଧ ହୋଇଥିଲା ଏବଂ ମହାଭାରତରେ ଛଳର ସହ ଯୁଦ୍ଧ ହୋଇଥିଲା । ରାମାୟଣ ଯୁଦ୍ଧରେ ପ୍ରଭୁ ଶ୍ରୀରାମ ଅସୁର ବିରୁଦ୍ଧରେ ମଇଦାନକୁ ଓହ୍ଲାଇ ଥିଲେ ଏବଂ ମହାଭାରତ ଯୁଦ୍ଧରେ ଜଣେ ଭାଇ ସିଂହାସନର ଲୋଭ ପାଇଁ ଅନ୍ୟ ଭାଇ ବିରୁଦ୍ଧରେ ଲଢିଥିଲା । ଏହି ବିଶ୍ୱାସକୁ ଆଧାର କରି ମହାଭାରତ ସହିତ ଜଡିତ କୌଣସି ବି ବସ୍ତୁକୁ ଘରେ ରଖାଯାଏ ନାହିଁ କି ମହାଭାରତ ଘରେ ପାଠ କରାଯାଏ ନାହିଁ ।

ଆମେରିକୀୟ କମ୍ପାନୀ ଟେସଲା ମାଲିକଙ୍କୁ ଭାରତର ଟେସଲା ଦେଖାଇଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଅଧିକ ଚର୍ଚ୍ଚିତ କାର୍ ଟେସଲା କମ୍ପାନୀ ମାଲିକ ଏଲନ୍ ମସ୍କଙ୍କୁ ଭାରତୀୟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ଟ୍ୱିଟ୍ । ଆମେରିକୀୟ କମ୍ପାନୀ ଟେସଲା ମାଲିକଙ୍କୁ ଆନନ୍ଦ ଦେଖାଇଲେ ଭାରତର ଟେସଲା । ତେବେ ସେ ଯାହା ଦେଖାଇଛନ୍ତି ତାହା କୌଣସି କାର୍ ନୁହେଁ, ତାହା ହେଉଛି ଶଗଡ଼ ଗାଡ଼ି । ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରି ଏକ ଶଗଡ଼କୁ ଫଟୋକୁ ଟ୍ୱିଟ୍ କରିବା ସହ ଏହା ଅସଲି ଟେସଲା ବୋଲି କହିଛନ୍ତି । ଆଉ ଏହା ପରେ ଆନନ୍ଦଙ୍କ ଟ୍ୱିଟ୍ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏବଂ ଏହା ନେଟିଜନ୍ସଙ୍କ ମନ ମଧ୍ୟ ଜିଣିଛି ।

Image

ସୋସିଆଲ ମିଡ଼ିଆରେ ସବୁ ବେଳେ ଆକ୍ଟିଭ ରହିଆସୁଥିବା ଆନନ୍ଦ ମହିନ୍ଦ୍ରା ଅନେକ ସମୟର ପ୍ରେରଣାଦାୟୀ ଓ ମଜାଳିଆ ପୋଷ୍ଟ ସବୁ କରିଥାନ୍ତି। ଏବେ ସେ ଟେସଲାର ସିଇଓ ଏଲନ ମସ୍କଙ୍କୁ ଏହି ଟ୍ୱିଟ୍‌ କରିଛନ୍ତି। ସେ ନିଜର ଟ୍ୱିଟ୍‌ରେ ଏଲନ ମସ୍କଙ୍କୁ ଟ୍ୟାଗ୍‌ କରି କ୍ୟାପସନ ଦେଇଛନ୍ତି ବ୍ୟାକ୍‌ ଟୁ ଦ ଫ୍ୟୁଚର ବୋଲି ଉଲ୍ଲେଖ କରିଛନ୍ତି ।

ତେବେ ସେ ଟ୍ୟାଗ୍ କରିଥିବା ଫଟୋଟିରେ ଶଗଡ଼ ଗାଡ଼ିର ଫଟୋ ଥିବା ସହ ଏହା ଅସଲି ଟେସଲା ବୋଲି ଲେଖାଯାଇଛି । ଏହା ଚଳାଇବାକୁ କୌଣସି ଇନ୍ଦନର ଆବଶ୍ୟକତା ପଡ଼ୁନଥିବା ବେଳେ ପ୍ରଦୂଷଣ ମଧ୍ୟ ସୃଷ୍ଟି ହୁଏ ନାହିଁ  । ଏବଂ ଏଫ୍‌ଏସ୍‌ଡି ମୋଡରେ ଶଗଡ଼ ଚାଲିଥାଏ ଏଥିଲାଗି କୌଣସି ଗୁଗୁଲ ମ୍ୟାପ୍‌ର ମଧ୍ୟ ଆବଶ୍ୟକତା ନଥାଏ ଏବଂ ଯାତ୍ରା ସଫଳ ହୁଏ ବୋଲି ଲେଖାଯାଇଛି ।

ଦୂର ହେବ ବିଦ୍ୟୁତ ସଙ୍କଟ, ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମିଳିବ ଅନବରତ ବିଜୁଳି

ଭୁବନେଶ୍ୱର: ବିଦ୍ୟୁତ ସଙ୍କଟକୁ ନେଇ ଶକ୍ତି ବିଭାଗ ପକ୍ଷରୁ ହୋଇଛି ସମୀକ୍ଷା ବୈଠକ। ଏହି ବୈଠକରେ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅନବରତ ବିଜୁଳି ଯୋଗାଣକୁ ସୁନିଶ୍ଚିତ କରିବାକୁ ସମସ୍ତ ଡିସକମ ମାନଙ୍କୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶ। ଖରା ତାତି ବଢୁଥିବାରୁ ଓ ପିଲାଙ୍କ ପରୀକ୍ଷା ଥିବାରୁ ବିଜୁଳି ଯୋଗାଣକୁ ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Electricity

ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ଭିସିରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରୁଥିବା ବେଳେ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ। ଗ୍ରୀଡକୋ, ଓପିଟିସିଏଲ୍, ଓଏଚପିସି, ଓପିଜିସି, ବିଦ୍ୟୁତ ଉତ୍ପାଦନ କମ୍ପାନୀ ସମେତ ଡିସକମ ମାନେ ସାମିଲ ହୋଇଥିଲେ ।

ସୂଚନା ଅନୁସାରେ, ଆଜି ବସିଥିବା ଏହି ବୈଠକରେ ବିଦ୍ୟୁତ ବିଭାଗର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଦ୍ୟୁତ ଚାହିଦା ବଢ଼ୁଛି । ପିକ୍‌ ସମୟରେ ୧୦ ପ୍ରତିଶତ ଅଧିକ ଚାହିଦା ରହୁଛି । ରାଜ୍ୟରେ ବର୍ତ୍ତମାନ ବିଜୁଳି ଯୋଗାଣରେ ଯେଉଁ ସମସ୍ୟା ରହିଛି ତାହା ସାମୁହିକ ସମସ୍ୟା । ଦିନ ସମୟରେ ବିଜୁଳି ଯୋଗାଣରେ ଯେପରି କୌଣସି ଅସୁବିଧା ନ ହେବ ସେ ନେଇ ଡ଼ିସକମ ମାନଙ୍କୁ ନିର୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ସମସ୍ତ ଆଇଆଇପି ବା ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାଙ୍କୁ କୋଇଲା ଯୋଗାଇ ଦେବା ପାଇଁ ନିର୍ଦେଶ ଦିଆଯାଇଛି।

 

ଦେଶରେ ବଢୁଛି କରୋନା ସଂକ୍ରମଣ; ଦିନକରେ ୨୫୪୧ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୪୧ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସମୟରେ ସଂକ୍ରମଣ ୦.୮୪ ପ୍ରତିଶତ ରହିଥିବା ବେଳେ ଆକ୍ଟିଭ କେସ୍ ୧୬ ହଜାର ୫୨୨ ରହିଛି । ଦିନକରେ ସୁସ୍ଥ ହୋଇଛନ୍ତି ୧,୮୬୨ ଲୋକ।

ସେହିପରି ଦିଲ୍ଲୀରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧ ହଜାର ୦୮୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ବର୍ତ୍ତମାନ ସକ୍ରିୟ ପଜିଟିଭଙ୍କ ସଂଖ୍ୟା ରହିଛି ୩ ହଜାର ୯୭୫ । ପ୍ରତିଦିନ ସଂକ୍ରମଣ ୧ ହଜାର ଉପରେ ରହୁଥିବାରୁ ଏଥିରେ ରୋକ ଲଗାଇବା ଲାଗି ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସରକାର ।

Mumbai Reports Second Case Of XE Variant Corona

ତେବେ କୋଭିଡ ସ୍ଥିତିର ମୁକାବିଲା ଲାଗି ଆସନ୍ତା ବୁଧବାର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଦେଶରେ କୋଭିଡ ମୁକାବିଲା ଓ ପଦକ୍ଷେପ ସମ୍ପର୍କରେ ଏହି ସମ୍ମିଳନୀରେ ରିପୋର୍ଟ ଉପସ୍ଥାପନ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଗତ ଜାନୁଆରୀ ୧୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଏକ ସମ୍ମିଳନୀରେ କୋଭିଡ ସମ୍ପର୍କରେ ଆଲୋଚନା କରିଥିଲେ ।

ସ୍କୁଲର ରୋଷେଇ ଘରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ବଲାଙ୍ଗୀର: ସ୍କୁଲ ରୋଷେଇ ଘରେ ଲାଗିଲା ନିଆଁ। ବଲାଙ୍ଗୀର ପୁଇଁତଳା ଶଙ୍କରଭୋଜି ପ୍ରାଥମିକ ସ୍କୁଲର ରୋଷେଇ ଘରେ ହଠାତ୍ ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗିଥିଲା। ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ।

ସୂଚନା ଅନୁସାରେ, ରୋଷେଇ କରୁଥିବା ମହିଳାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି ସ୍କୁଲ ପିଲା I ନିଆଁ ଲାଗିବା ପରେ ରୋଷେୟା ପାଟି କରିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ସଙ୍ଗେସଙ୍ଗେ ବାହାରକୁ ବାହାର କରି ଦେଇଥିଲେ । ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ରାଜଧାନୀରେ ଡବଲ ମର୍ଡର, ଜବତ ହେଲା ରକ୍ତଭିଜା ଟାଙ୍ଗିଆ

ଭୁବନେଶ୍ୱର: ରାଜଧାନୀରେ ଡବଲ ମର୍ଡର ଘଟଣାରେ ଜବତ ହୋଇଛି ରକ୍ତଭିଜା ଟାଙ୍ଗିଆ। ପତ୍ନୀ ଓ ଶାଳୀକୁ ହତ୍ୟା କରିବା ପାଇଁ ଉକ୍ତ ଟାଙ୍ଗିଆକୁ ବ୍ୟବହାର କରିଥିଲା ଅଭିଯୁକ୍ତ ବିଜୟ ସେଠୀ। ହତ୍ୟା ପରେ ଟାଙ୍ଗିଆକୁ ଲୁଚାଇ ଦେଇଥିଲା ବିଜୟ । ତେବେ ଆଜି ଅଭିଯୁକ୍ତ ବିଜୟଙ୍କୁ କୋର୍ଟ ଚାଲାଣ କରିବ ପୋଲିସ।

୪ ଦିନ ପୂର୍ବରୁ ଟାଙ୍ଗିଆରେ ହାଣି ବିଜୟ ଉଭୟଙ୍କୁ ହତ୍ୟା କରିଥିଲେ । ଘରୁ ପଚା ଗନ୍ଧ ବାହାରିବାରୁ ଶବକୁ ଗାଏବ କରିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡି ଯାଇଥିଲେ। ଏହାପରେ ଜଣାପଡିଥିଲା ସଇତାନ ବିଜୟର ହତ୍ୟା କାହାଣୀ । ପାରିବାରିକ କଳହରୁ ବିଜୟ ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି । ବିବାହର ୧୧ ବର୍ଷ ପରେ ବି ବିଜୟ ବାପା ହୋଇ ପାରିନଥିଲେ । ଏହାକୁ ନେଇ ଉଭୟ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସବୁ ସମୟରେ ଝଗଡା ହେଉଥିଲା । ଗୁରୁବାର ଦିନ ଏମିତି କିଛି ହୋଇଥିବା ଓ ରାଗରେ ବିଜୟ ଦୁଇ ଭଉଣୀଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ମୃତ ଶାଳୀ ସରସ୍ବତୀ ସେଠୀ ଦୁଇ ମାସ ତଳେ ବିବାହ କରିଥିଲେ । ଘରୋଇ ହସ୍ପିଟାଲରେ ଚାକିରି କରୁଥିବାରୁ ସେ ଭୁବନେଶ୍ବରରେ ଏକ ହଷ୍ଟେଲରେ ରହୁଥିଲେ । ଗତ ଗୁରୁବାର ଦିନ ବିଜୟ ଯାଇ ତାଙ୍କୁ ଘରକୁ ଆଣିଥିଲେ । ଅପରାହ୍ଣରେ ସରସ୍ବତୀ ଏବଂ ତାଙ୍କ ଭଉଣୀ ଘର ଲୋକଙ୍କ ସହ ଶେଷ କଥା ହୋଇଥିଲେ । ଏହାପରଠାରୁ ଉଭୟଙ୍କ ଫୋନ ଅଫ୍ ଥିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ପତ୍ନୀ ନିଖୋଜ ଥିବା ନେଇ ସରସ୍ବତୀଙ୍କ ସ୍ବାମୀ ଥାନାରେ ନିଖୋଜ ଏତଲା ଦେଇଥିଲେ । ପରିବାର ଲୋକେ ଆସି ବିଜୟଙ୍କ ପଡୋଶୀଙ୍କୁ ପଚରାଉଚରା କରି ନିରାଶ ହୋଇଥିଲେ । ଏହାପରେ ସେମାନେ ବିଜୟଙ୍କ ଘର ଉପରେ ନଜର ରଖିଥିଲେ । ଆଜି ବିଜୟ ଘରକୁ ଆସିଥିବା ବେଳେ ତାଙ୍କ ଶ୍ବଶୁର ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଧରିଥିଲେ । କେବଳ ଏତିକି ନୁହେଁ ହତ୍ୟା ପରେ ଏକ ଚିଠି ମଧ୍ୟ ଲେଖିଥିଲା ଅଭିଯୁକ୍ତ ।

ଯେଉଁଥିରେ ଉଲ୍ଲେଖ ଥିଲା- ‘ମୁଁ ହତ୍ୟା କରିଛି । ହତ୍ୟାକାଣ୍ଡ ପାଇଁ ମୁଁ ଦାୟୀ । ସ୍ତ୍ରୀ ଓ ଶାଳୀ ମାନସିକ ନିର୍ଯାତନା ଦେଉଥିବାରୁ ହତ୍ୟା କରିଛି ।’  ଶାଳୀ ଓ ସ୍ତ୍ରୀକୁ ହତ୍ୟା କରିବା ପରେ ପୋଲିସ ଉଦ୍ଦେଶ୍ୟରେ ଏମିତି ଚିଠି ଲେଖିଥିଲା ଅଭିଯୁକ୍ତ ବିଜୟ ସେଠୀ ।