spot_img
Home Blog Page 4317

ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ରାପିଡ ଆକ୍ସନ ଫୋର୍ସର ମକଡ୍ରିଲ୍

ପୁରୀ: ପାଖେଇ ଆସିଲାଣି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥରେ ଚଢ଼ି ପତିତ ଉଦ୍ଧାର ପାଇଁ ଯାତ୍ରା କରିବେ ପତିତପାବନ । ପୁରୀ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ୩ ରଥର କାମ । ୧୪ରେ ଭକ୍ତଙ୍କ ଗହଣରେ ହେବ ସ୍ନାନ ପୂର୍ଣ୍ଣିମା । ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ଯାତ୍ରାରେ ସାମିଲ ହେବେ ଶ୍ରଦ୍ଧାଳୁ । ଏଥିପାଇଁ ପୁରୀରେ ଅଧିକ ଭିଡ଼ ଜମିବା ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିର ସମ୍ମୁଖ ଓ ଚତୁଃପାର୍ଶ୍ୱରେ ରାପିଡ ଆକ୍ସନ ଫୋର୍ସ ମକଡ୍ରିଲ କରିଛି । ରଥଯାତ୍ରାରେ ଦୁଇ କମ୍ପାନୀ, ୨୪୦ ଯବାନ RAF ନିୟୋଜିତ ହେବେ । ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ସମ୍ପର୍କରେ ପୁରୀ ପୋଲିସ ମିଳିତ ଭାବରେ ଏହି ମକଡ୍ରିଲରେ ସାମିଲ ହୋଇଥିଲେ ।

ତେବେ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖ ରଥ ଖଳାରେ ବିଶ୍ବକର୍ମା, ଭୋଇ, ରୂପକାରଙ୍କ ସହ ଦୋଳବେଦୀ, ଅସ୍ଥାୟୀ କମାର ଶାଳରେ ନିର୍ମାଣ କାର୍ଯ୍ୟକୁ ଜୋରଦାର କରିଛନ୍ତି । ରଥର ମୂଳଦୁଆ ଅର୍ଥାତ୍ ଦଣ୍ଡା ସ୍ଥାପନ ହୋଇ ତିନି ରଥର ଚକ ଓ ଅଖ ଉପରେ ଦଣ୍ଡାକୁ ସମତୁଲ କରାଯିବା ପରେ ଅଖର ଗୋଲେଇ ଅନୁସାରେ ଦଣ୍ଡାକୁ କାଟି ଖାପ ଦିଆଯାଇଛି । ସ୍ନାନଯାତ୍ରା ପୂର୍ବରୁ ୪ ନାହାକା ଉଠାଇବାକୁ ପ୍ରସ୍ତୁତି ଚାଲିଛି । ସେପଟେ ସ୍ନାନନୀତିଠାରୁ ଆରମ୍ଭକରି ପ୍ରଶାସନିକ ବ୍ୟବସ୍ଥା ଶୃଙ୍ଖଳିତ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ସାଂସଦ ମାନସ ମଙ୍ଗରାଜଙ୍କୁ ସମ୍ବର୍ଦ୍ଧିତ କଲେ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଓ ହକର ସଂଘ

ଟାଙ୍ଗୀ: ନବ ନିର୍ବାଚିତ ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜଙ୍କୁ ଭବ୍ୟ ସ୍ବାଗତ । ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଓ ହକର ସଂଘ ପକ୍ଷରୁ ସ୍ବାଗତ କରାଯାଇଥିଲା । ସାମ୍ବାଦିକମାନେ ପୁଷ୍ପଗୁଚ୍ଛ ଦେଇ ସାଂସଦଙ୍କୁ ପାଛୋଟି ନେଇଥିଲେ । ଟାଙ୍ଗୀ ବନ ବିଭାଗ ଡାକ ବଙ୍ଗଳା ପରିସରରେ ସାମ୍ବାଦିକ ସଂଘ ପକ୍ଷରୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହା ସହ ଟାଙ୍ଗୀ ସରପଞ୍ଚ କିଶୋର କୁମାର ବେହେରା ପୁଷ୍ପଗୁଚ୍ଛ ଦେଇ ସାଂସଦଙ୍କୁ ସମ୍ବର୍ଦ୍ଧିତ କରିଥିଲ । ଏହି କାର୍ଯ୍ୟକ୍ରମରେ  ସାମ୍ଵାଦିକ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳ, ଉପ ସଭାପତି ମନୋଜ କୁମାର ନାଇଡୁ, ସଂପାଦକ ମନୋଜ କୁମାର ପଟ୍ଟନାୟକ, ଉପଦେଷ୍ଟା ପ୍ରଦୋଷ କୁମାର ଦାସ, ପ୍ରବକ୍ତା ସରୋଜ କୁମାର ପାଇକରାୟ, ପ୍ରମୁଖ ସାମିଲ ହୋଇଥିଲେ  ।

 

ଆଉ ୩ ଦିନ ପରେ ବାରବାଟୀ ବ୍ୟାଟେଲ, ଆସନ୍ତାକାଲିଠୁ ଦର୍ଶକଙ୍କ ପାଇଁ କାଉଣ୍ଟରରେ ମିଳିବ ଟିକେଟ

କଟକ: କଟକରେ ହେବ ଚୌକା ଛକାର ବର୍ଷା । ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି -୨୦ ମ୍ୟାଚ ପାଇଁ ଆଉ ମଝିରେ ରହିଲା ତିନି ଦିନ । ପିଚ୍, ଗ୍ରାଉଣ୍ଡ ଓ ଷ୍ଟାଡିୟମ ପ୍ରସ୍ତୁତି ପ୍ରାୟତଃ ଚୁଡ଼ାନ୍ତ ହୋଇ ସାରିଲାଣି । ଆଜି ଦ୍ବିତୀୟ ଦିନ ପାଇଁ ଓସିଏ ଅନୁବନ୍ଧିତ ସଂଗଠନ ଗୁଡିକ ପାଇଁ ଟିକେଟ ବିକ୍ରି ଜାରି ରହିବ। ସେପଟେ ଆସନ୍ତାକାଲି ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ଆରମ୍ଭ ହେବ ଟିକେଟ ବିକ୍ରି । ଏହା ପୂର୍ବରୁ ଆଜି ଟିକେଟ୍ କାଉଣ୍ଟର ବୁଲି ଦେଖିଛନ୍ତି  କଟକ ଡିସିପି ପିନାକ୍ ମିଶ୍ର । ମୋଟ ୯ଟି କାଉଣ୍ଟରରେ ଟିକେଟ ବିକ୍ରି ହେବାକୁ ଥିବା ବେଳେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । କଳାବଜାରି ଓ ବିଶୃଙ୍ଖଳାକୁ ରୋକିବା ପାଇଁ ପୋଲିସ କଡ଼ା ପଦକ୍ଷେପ ନେବ ।

ସେପଟେ ବାରବାଟୀ ମ୍ୟାଚ ପାଇଁ କମିସନରେଟ ପୋଲିସର ଆଉ ଏକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । OCA, ବିଭିନ୍ନ ହୋଟେଲ କର୍ତ୍ତୃପକ୍ଷ, ବିମାନବନ୍ଦର କର୍ତ୍ତୃପକ୍ଷ, ସିଆଇଏସଏଫ, ଅଗ୍ନିଶମ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଖେଳାଳିଙ୍କ ଆସିବା, ରହିବା ପ୍ରସଙ୍ଗରେ ଆଲୋଚନା କରାଯାଇଛି । ୧୦ ତାରିଖରେ ଉଭୟ ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ । ଖେଳାଳି ବାରବାଟୀ ଷ୍ଟାଡିୟମ ଯିବା ସମୟରେ କିପରି ଟ୍ରାଫିକ ସମସ୍ୟା ନ ଉପୁଜିବ ସେ ନେଇ ବିସ୍ତୃତ ଆଲୋଚନା କରିଛନ୍ତି ଡିସିପି ପ୍ରତୀକ ସିଂହ ।

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ମିତାଲି ରାଜ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଭାରତୀୟ ମହିଳା ଦଳର ଅଧିନାୟକ ମିତାଲି ରାଜ୍ । ମିତାଲି ଗତ ୨୩ ବର୍ଷ ଧରି ଭାରତ ପାଇଁ କ୍ରିକେଟ ଖେଳୁଥିଲେ । ତେବେ ସେ ବୁଧବାର ୩୯ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଥିବା ମିତାଲିଙ୍କ କ୍ୟାରିୟରରେ ସେ ଅନେକ ସଫଳତା ତାଙ୍କ ନାମରେ କରିଥିଲେ । ମହିଳା ଦିନିକିଆରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ମିତାଲିଙ୍କ ନାଁରେ ରହିଛି । କିନ୍ତୁ ଏତେ ବର୍ଷର କ୍ରିକେଟ କ୍ୟାରିୟର ଭିତରେ ବିଶ୍ୱକପ ଜିତିବାର ସ୍ୱପ୍ନ ପୂରଣ ହୋଇପାରିନାହିଁ ।

ଆଜି ମିତାଲି ଟ୍ୱିଟ କରି ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ଦୀର୍ଘ ବର୍ଷ ହେଲା ଆପଣମାନଙ୍କ ସହଯୋଗ ଓ ସମର୍ଥନ ପାଇଁ ଧନ୍ୟବାଦ । ମୁଁ ଆପଣମାନଙ୍କ ସମର୍ଥନ ଓ ଆର୍ଶୀବାଦ ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି । ସେ ବିଶେଷ ଭାବରେ ବିସିସିଆଇ ଓ ବିସିସିଆଇ ସମ୍ପାଦକ ଜୟ ଶାହଙ୍କୁ ଧନ୍ୟବାଦ ଦେଇଛନ୍ତି । ପ୍ରଥମେ ଖେଳାଳି ଓ ପରେ ଭାରତୀୟ ମହିଳା ଟିମ୍‌ କ୍ୟାପ୍ଟେନ ଭାବେ ମୋତେ ବହୁତ ସମର୍ଥନ ମିଳିଛି। ଭାରତର ନେତୃତ୍ୱ ଦୀର୍ଘ ବର୍ଷ ଧରି ନେବା ଗର୍ବର ବିଷୟ। ମୋ ୨୩ ବର୍ଷର ଯାତ୍ରା ସମ୍ଭବତଃ ଶେଷ ହୋଇ ଯାଇଛି। କିନ୍ତୁ ମୁଁ ଯେଉଁ ଖେଳକୁ ଏତେ ଭଲ ପାଉଛି, ନିଶ୍ଚିତ ତା’ ସହ ଯୋଡ଼ି ହୋଇ ରହିବି। ଭାରତ ତଥା ବିଶ୍ୱରେ ମହିଳା କ୍ରିକେଟର ଉନ୍ନତି ପାଇଁ ମୁଁ ଯଥା ସମ୍ଭବ ଚେଷ୍ଟା କରିବି ବୋଲି ମିତାଲି ରାଜ୍ ଟ୍ୱିଟ କରି କହିଛନ୍ତି ।

୧୯୯୯ ମସିହା ଜୁନ୍ ମାସରେ ମିତାଲି ଆୟର୍ଲ୍ୟାଣ୍ଡ ବିପକ୍ଷରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ତାଙ୍କ ଅଧିନାୟକତ୍ୱରେ ଭାରତୀୟ ମହିଳା ଦଳ ୨୦୧୭ ବିଶ୍ୱକପ ଫାଇନାଲ ଖେଳିଥିଲେ । କିନ୍ତୁ ଫାଇନାଲ ମ୍ୟାଚରେ ଇଂଲଣ୍ଡଠାରୁ ପରାଜିତ ହୋଇଥିଲା । ଯାହା ଫଳରେ ବିଶ୍ୱକପ ବିଜୟ ସ୍ୱପ୍ନ ଭାରତ ପାଇଁ ଅଧୁରା ରହିଯାଇଥିଲା ।

 

ଜାମିଆ ନଗରରେ ଭୟାବହ ଅଗ୍ନିକାଣ୍ଡ; ୭୦ କାର୍ ନଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଜାମିଆ ନଗରସ୍ଥିତ ଇଲେକ୍ଟ୍ରିକ୍‌ ମୋଟର ପାର୍କିଂରେ ଭୟାବହ ଅଗ୍ନିକାଣ୍ଡ । ଶତାଧିକ ଇ-ରିକ୍ସା ଏବଂ ଅନ୍ୟାନ୍ୟ ଗାଡ଼ି ପୋଡ଼ିଯାଇଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା କହିଛି । ଦିଲ୍ଲୀ ଅଗ୍ନିଶମ ବାହିନୀର ସୂଚନା ମୁତାବକ, ଜାମିଆ ନଗର ଅନ୍ତର୍ଗତ ମେନ୍‌ ତିକୋନା ପାର୍କରେ ଥିବା ଗାଡ଼ି ପାର୍କିଂ ସ୍ଥଳରେ ନିଆଁ ଲାଗିଛି ବୋଲି ଭୋର୍‌ ପ୍ରାୟ ୫.୦୨ ସମୟରେ ଫୋନ୍‌ ପାଇଥିଲୁ । ତୁରନ୍ତ ଘଟଣାସ୍ଥଳକୁ ସମୁଦାୟ ୭ଟି ଦମକଳ ପଠାଯାଇଥିଲା। କିଛି, ସମୟ ପରେ ନିଆଁ ଲିଭାଇ ଦିଆଯାଇଥିଲା। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ‌ହୋଇଥିବାର ଖବର ଏପର୍ଯ୍ୟନ୍ତ ମିଳିନାହିଁ।

ସମୁଦାୟ ୧୦ଟି କାର୍‌, ୧ଟି ମଟର୍‌ସାଇକେଲ୍‌, ୨ଟି ସ୍କୁଟି, ୩୦ଟି ନୂଆ ଓ ୫୦ଟି ପୁରୁଣା ଇ-ରିକ୍ସାରେ ନିଆଁ ଲାଗିଥିବା ବେଳେ ସେଗୁଡ଼କ ମଧ୍ୟରୁ ଅନେକ ଭସ୍ମୀଭୂତ ହୋଇଯାଇଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା କହିଛି।

ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ଗତ କେତେ ସପ୍ତାହ ହେବ ଦିଲ୍ଲୀରେ କ୍ରମାଗତ ଅଗ୍ନିକାଣ୍ଡ ଘଟଣା ରିପୋର୍ଟ ଆସିଛି ।

ଏଥିସହିତ ପଢ଼ନ୍ତୁ: ଜୁନ ୧୩ରେ ହେବ ରାଜ୍ୟ ବିଧାନସଭା ନେଇ ବାଚସ୍ପତି ନିର୍ବାଚନ

 

ବାଘ ଗଣନା ପାଇଁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ

କରଞ୍ଜିଆ: ବାଘ ଗଣନା କରିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ ୨ ଟିପିଏପ୍ କର୍ମଚାରୀ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ । ବାଘ ଗଣନା ବେଳେ ଘଟିଛି ଅଘଟଣ । ୨ ଜଣ ଟିପିଏଫ୍ କର୍ମଚାରୀ ଦୁଇଟି ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ଶିମିଳିପାଳ ନଅଣା ବନାଞ୍ଚଳରେ ଘଟିଛି ଏହି ଅଘଟଣ । ଭାଲୁ ଆକ୍ରମଣରେ ଆହତ ୨ କର୍ମଚାରୀଙ୍କ ଚିକିତ୍ସା ଜାରି ରହିଛି । ଚିକିତ୍ସା ପାଇଁ ଉଭୟଙ୍କୁ ୧୦ ହଜାର ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେଇଛି ବିଭାଗ।

 

ଭାବୀ ଅମ୍ବାନୀ ବୋହୂଙ୍କ ଭାରତନାଟ୍ୟମ୍, ଜିଓ ୱାର୍ଲଡ ସେଣ୍ଟରରେ କଲେ ପରିବେଷଣ

ଭୁବନେଶ୍ୱର: ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ଭାବୀ ବୋହୂ ରାଧିକା ମର୍ଚ୍ଚାଣ୍ଟ ନିକଟରେ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରିଛନ୍ତି । ରାଧିକାଙ୍କ ଦ୍ୱାରା ‘ଅରଙ୍ଗେତ୍ରାମ’ ବା ‘ଆସେଣ୍ଟ ଅଫ୍‌ ଷ୍ଟେଜ’ ରବିବାର ବିକେସି ସ୍ଥିତ ଜିଓ ୱାର୍ଲଡ ସେଣ୍ଟରର ଗ୍ରାଣ୍ଟ ଥିଏଟରେ ପରିବେଷଣ ହୋଇଥିଲା । ଏହା ତାଙ୍କର ପ୍ରଥମ ଏକକ ପର୍‌ଫରମାନ୍ସ । ଏହାକୁ ଉପସ୍ଥିତ ଦର୍ଶକ କରତାଳି ଦେଇ ଉତ୍ସାହିତ କରିବା ସହ ବେଶ ପ୍ରଶଂସା କରିଛନ୍ତି ।

ମର୍ଚ୍ଚାଣ୍ଟ ଏବଂ ଅମ୍ବାନୀ ପରିବାର ଉପସ୍ଥିତ ରହି ରାଧିକାଙ୍କୁ ଉତ୍ସାହିତ କରିଥିଲେ । କୋଭିଡ ନିୟମାବଳୀ ପାଳନ ସହ ଅତିଥିମାନଙ୍କୁ ଦୁଇ ପରିବାର ପକ୍ଷରୁ କାର୍ଯ୍ୟକ୍ରମକୁ ସ୍ୱାଗତ କରାଯାଇଥିଲା । ବାଣିଜ୍ୟ, କଳା ଏବଂ ପବ୍ଲିକ ସର୍ଭିସ କ୍ଷେତ୍ରର ଅତିଥିମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଧିକା ତାଙ୍କ ଗୁରୁ ଭାବନା ଠାକୁରଙ୍କଠାରୁ ଭାରତନାଟ୍ୟମରେ ୮ ବର୍ଷ ତାଲିମ ନେଇଛନ୍ତି । ଗୁରୁ ଶିଷ୍ୟ ପରମ୍ପରାରେ ଭାରତର ଏକ ପାରମ୍ପରିକ କଳାର ପ୍ରସାର ଦିଗରେ ସେ ଉଦ୍ୟମ ଜାରି ରଖିଛନ୍ତି ।

ଅମ୍ବାନୀ ପରିବାରରେ ନୀତା ଅମ୍ବାନିଙ୍କ ପରେ ରାଧିକା ମର୍ଚ୍ଚାଣ୍ଟ ଭାରତନାଟ୍ୟମ ସହ ଜଡ଼ିତ ଦ୍ୱିତୀୟ ମହିଳା । ପୁଷ୍ପାଞ୍ଜଳୀ ପରେ ରାଧିକା ଗଣେଷ ବନ୍ଦନା, ପାରମ୍ପରିକ ପ୍ରାର୍ଥନା ସହ ଲୋକପ୍ରିୟ ଭଜନ ଅଚ୍ୟୁତମ କେଶବମ୍‌ ପରିବେଷଣ କରିଥିଲେ । ଏହାପରେ ଶିବ ପଞ୍ଚାକ୍ଷରୀ ଏବଂ ଅଷ୍ଟରସ ମଧ୍ୟ ପରିବେଷଣ କରିଥିଲେ । ଉଲ୍ଲେଖଯୋଗ୍ୟ, ମୁକେଶ ଅମ୍ବାନି ଏବଂ ନୀତା ଅମ୍ବାନିଙ୍କ ସାନପୁଅ ଅନନ୍ତ ଅମ୍ବାନିଙ୍କୁ ରାଧିକା ବିବାହ କରିବେ ।

ଜୁନ ୧୩ରେ ହେବ ରାଜ୍ୟ ବିଧାନସଭା ନେଇ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର: ଜୁନ୍ ୧୩ରେ ବାଚସ୍ପତି ନିର୍ବାଚନ ହେବ । ଶୁକ୍ରବାର ହେବ ପ୍ରାର୍ଥିପତ୍ର ଦାଖଲ । ସୂର୍ଯ୍ୟନାରାୟଣ ପାତ୍ର ଇସ୍ତଫା ଦେବା ପରେ ବାଚସ୍ପତି ପଦ ଖାଲି ପଡ଼ିଛି । ଏନେଇ ବିଧାନସଭା ପକ୍ଷରୁ ସୂଚନା ମିଳିଛି । ପରବର୍ତ୍ତୀ ବାଚସ୍ପତି ହୋଇପାରନ୍ତି ବିକ୍ରମ କେଶରୀ ଆରୁଖ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରୁ ଶନିବାର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ଏପରିକି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଇସ୍ତଫା ଦେଇଥିଲେ। ସୂର୍ଯ୍ୟନାରାୟଣଙ୍କ ପରେ ଭଞ୍ଜନଗର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖ ବାଚସ୍ପତି ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି। ପୂର୍ବରୁ ବିକ୍ରମ ଆରୁଖ ସଂସଦୀୟ ବ୍ୟାପର ସହ  ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ଥିଲେ। ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ଏହି ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ସେହିପରି ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ  ସରକାରୀ ମୁଖ୍ୟ ସଚେତକ ଦାୟିତ୍ଵ ଦିଆାଯାଇପାରେ ।

ଏଥିସହିତ ପଢ଼ନ୍ତୁ: ଥୋମାସ କପ୍ ବିଜୟୀଙ୍କୁ ସମ୍ୱର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ପବଜି ଗେମ୍ ଖେଳିବାକୁ ନ ଦେବାରୁ ମାଆକୁ ଗୁଳି କରି ମାରିଲା ପୁଅ

ଲକ୍ଷ୍ଣୌ: ପବଜି ଗେମ୍ ଖେଳିବାକୁ ବାରଣ କରିବାରୁ ମାକୁ ଗୁଳି କଲା ପୁଅ  । ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଛି ଏଭଳି ଘଟଣା । ମା’ର ମୃତ୍ୟୁ ପରେ ଦୁଇ ଦିନ ପର୍ଯ୍ୟନ୍ତ ଶବକୁ ଲୁଚେଇ ରଖିବା ସହ ମୃତ ଦେହରୁ ଆସୁଥିବା ଗନ୍ଧକୁ ଦୁରେଇବା ପାଇଁ ରୁମ୍ ଫ୍ରେସନର ମାରୁଥିବା ପୁଅ । ପୁଅର ବୟସ ୧୬ ବର୍ଷ ହେବ  । ପୋଲିସ ତାକୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

ବାପାଙ୍କର ଲାଇସେନ୍ସ ବନ୍ଧୁକରେ ଗୁଳି କରିଥିବା ଜଣାପଡିଛି  । ଘରେ ନିଜର ୯ ବର୍ଷର ଭଉଣୀ ମଧ୍ୟ ଥିଲା  । କାହାକୁ କିଛି କହିଲେ ହତ୍ୟା କରିଦେବ ବୋଲି ଭଉଣୀକୁ ମଧ୍ୟ ଧମକ ଦେଉଥିଲା  । ତାଙ୍କ ବାପା ସେନାରେ କାର୍ଯ୍ୟରତ ଥିବା ବେଳେ ପଶ୍ଚିମବଙ୍ଗରେ ପୋଷ୍ଟିଂ ଅଛନ୍ତି  । ପୋଲିସ ତଦନ୍ତ ପରେ ମାକୁ ଜଣେ ଇଲେକ୍ଟ୍ରିସିଆନ ହତ୍ୟା କରିଥିବା ପୁଅ କହିଥିଲା  । ପ୍ରାଥମିକ ସ୍ତରରେ ପୁଅକୁ ମାନସିକ ରୋଗୀ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା କରାଯିବାକୁ ସ୍ଥିର କରାଯାଇଛି  ।

୫୦ ବେସିସି୍ ପଏଣ୍ଟ ରେପୋ ରେଟ୍ ବୃଦ୍ଧି କଲା ଆରବିଆଇ

ନୂଆଦିଲ୍ଲୀ: ରେପୋ ରେଟ୍ ବଢ଼ାଇଲେ ରିଜର୍ଭ ବ୍ୟାଙ୍କ । ୫୦ ବେସିସ୍ ପଏଣ୍ଟ ରେପୋ ରେଟ୍ ବଢ଼ାଇଲେ । ୪.୪୦ରୁ ବଢି ୪.୯୦ ହେଲା ରେପୋ ରେଟ୍ । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ୧ ମାସ ବ୍ୟବଧାନରେ ରେପୋ ରେଟ୍ ଦ୍ଵିତୀୟ ଥର ପାଇଁ ରେପୋ ରେଟ୍ ବୃଦ୍ଧି କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଏ ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ତେବେ ରେପୋ ରେଟ୍ ବୃଦ୍ଧି ପାଇବା ପରେ ଇଏମଆଇ ମହଙ୍ଗା ହୋଇଯିବ ।

ମୁଦ୍ରା ନୀତି କମିଟିର ବୈଠକ ପରେ ରେପୋ ରେଟ୍‌ ବୃଦ୍ଧି ସମ୍ପର୍କରେ ସୂଚନା ଦେଇଛନ୍ତି ଗଭର୍ଣ୍ଣର ଶ୍ରୀ ଦାସ । ମୁଦ୍ରା ନୀତି କମିଟିର ଏହି ବୈଠକ ସୋମବାର ଠାରୁ ଚାଲିଥିଲା ​​ଏବଂ ଆଜି ଶେଷ ହୋଇଛି । ଚଳିତ ଆର୍ଥିକ ବର୍ଷରେ ଆରବିଆଇ MPCର ଏହା ତୃତୀୟ ବୈଠକ ଥିଲା। ଏହି ବୈଠକରେ ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମୁଦ୍ରାସ୍ଫୀତି ଏବଂ ଅର୍ଥନୈତିକ ଅଭିବୃଦ୍ଧି ବିଷୟରେ ଆଲୋଚନା ହୋଇଛି। ଅନିୟନ୍ତ୍ରିତ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ରେପୋ ରେଟ୍ ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ଗତ ମାସରେ ରେପୋ ରେଟ୍‌ରେ ବୃଦ୍ଧି କରାଯାଇଥିଲା। ରେପୋ ରେଟ୍ ୦.୪୦ ପ୍ରତିଶତ ବୃଦ୍ଧି କରାଯାଇଥିଲା।

ଅନ୍ୟପକ୍ଷରେ ୟୁପିଆଇ ପେମେଣ୍ଟ ସିଷ୍ଟମ ସହ କ୍ରେଡିଟ୍ କାର୍ଡ ସଂଯୋଗକୁ ମଧ୍ୟ ଅନୁମତି ଦିଆଯାଇଛି । ବର୍ତ୍ତମାନ କେବଳ ରୁପେ କ୍ରେଡିଟ କାର୍ଡ ସଂଯୋଗକୁ ଅନୁମତି ମିଳିଥିବା ବେଳେ ଆଗକୁ ଏହାର ପରିସୀମାକୁ ବୃଦ୍ଧି କରାଯିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।

ଏଥିସହିତ ପଢ଼ନ୍ତୁ: ଭାରତରେ ଚିକିତ୍ସା ସେବା ଯୋଗାଇବାକୁ ଯୋଗ୍ୟତା ହାସଲ କରିପାରୁନାହାନ୍ତି