spot_img
Home Blog Page 4333

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସୁପ୍ରିମକୋର୍ଟରେ ଶେଷ ହେଲା ଶୁଣାଣି

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶେଷ ହୋଇଛି ଶୁଣାଣି । ଆସନ୍ତାକାଲି ପ୍ରକାଶ ପାଇବ ରାୟ । ଐତିହ୍ୟ କରିଡରକୁ ନେଇ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଖବରକୁ ଅତିରଞ୍ଜିତ କରୁଛନ୍ତି । ବିରୋଧୀଙ୍କ ଅନୁସାରେ ଆଇନ ପରିବର୍ତ୍ତନ ହୁଏନି ।

ତେବେ ରାୟ ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ଏହି ମାମଲା କିଏ କରୁଛନ୍ତି ଏବଂ ତାଙ୍କୁ କିଏ ଫଣ୍ଡିଂ କରୁଛି, ତାର ମଧ୍ୟ ଗଣମାଧ୍ୟମ ଯାଞ୍ଚ କରିବାର ଆବଶ୍ୟକତା ରହିଛି। କେବଳ ଗଣମାଧ୍ୟମରେ ଚର୍ଚ୍ଚା କରିଦେଲେ ଆଇନ ବଦଳି ଯାଏନି ବୋଲି କହିଛନ୍ତି ପିନାକୀ ମିଶ୍ର ।

ମନ୍ତ୍ର ଦେଲେ ମିଶନ ଶକ୍ତି ସଚିବ, କହିଲେ ମହିଳାଙ୍କ ପାଇଁ ଗଠନ ହେବ ରାଜ୍ୟସ୍ତରୀୟ ଫେଡରେସନ

ଭୁବନେଶ୍ବର: ପଞ୍ଚାୟତିରାଜ ଜନପ୍ରତିନିଧିଙ୍କୁ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ମନ୍ତ୍ର । ମହିଳାଙ୍କ ଲାଗି ଗଠନ ହେବ ରାଜ୍ୟସ୍ତରୀୟ ଫେଡରେସନ। ଆସନ୍ତା ୧୨ ମାସ ମଧ୍ୟରେ ଏହି ଫେଡରେସନ ଗଠନ ହେବ। ଏହା ଜରିଆରେ ଡିସିସନ ମେକିଙ୍ଗରେ ମହିଳାଙ୍କ ଭାଗିଦାରୀ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହି ବର୍ଷ ହଜାର ହଜାର ଏସଏମ୍ଇ ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି ।

୬୮୦୦ କୋଟି ଋଣ ମହିଳାଙ୍କ ପାଖକୁ ଯାଇଛି । ଏବର୍ଷ ୯ ହଜାର କୋଟି ପାଇଁ ଯୋଜନା କରାଯାଇଛି । ୫ ବର୍ଷରେ ମହିଳାଙ୍କୁ ୫୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ ଲାଗି ଲକ୍ଷ୍ୟ ରଖାଯାଇଛି ।

୩ ବର୍ଷରେ ତିଆରି ହେବ ୫୦୦ ମିଶନ ଶକ୍ତି ବଜାର। ବିଦେଶରେ ବି ବିକ୍ରି ହେବ ଓଡ଼ିଶା ମହିଳାଙ୍କ ଦ୍ୱାରା ତିଆରି ଉତ୍ପାଦ। ସୁସ୍ୱାଦୁ ଖାଦ୍ୟପେୟ ଲାଗି ବ୍ଲକରେ ତିଆରି ହେବ ୫ଶହ ମିଶନ ଶକ୍ତି କାଫେ। ଲାଇନ୍ ମ୍ୟାନ ହେବେ ମିଶନ ଶକ୍ତି ମହିଳା । ଆସନ୍ତା ବର୍ଷ ଏସଏଚଜି ମହିଳାଙ୍କୁ ଲାଇନ ମ୍ୟାନ ଟ୍ରେନିଂ ଦିଆଯିବ ବୋଲି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି ।

କିଏ ଜିତିବ ବ୍ରଜରାଜନଗର? କାଉଣ୍ଟିଂ ପାଇଁ କାଉଣ୍ଟଡାଉନ୍ ଆରମ୍ଭ

ବ୍ରଜରାଜନଗର : କିଏ ଜିତିବ ବ୍ରଜରାଜନଗର? କାଉଣ୍ଟିଂ ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ହେବ। ଝାରସୁଗୁଡା ଇଂଜିନିୟରିଂ କଲେଜରେ ଭୋଟ ଗଣତି କରାଯିବ। ପ୍ରଥମେ ୩୦ମିନିଟ୍ ପୋଷ୍ଟାଲ ବାଲଟ୍ ପେପର ଗଣତି ହେବ। ପରେ ଇଭିଏମ କାଉଣ୍ଟ କରାଯିବ।

୧୪ଟି ଟେବୁଲରେ ଗଣତି କରାଯିବ । ୨୭୯ବୁଥର ଭୋଟ୍ ୨୦ରାଉଣ୍ଡରେ କାଉଣ୍ଟ ହେବ। ପ୍ରତି ଟେବୁଲରେ ୪ଜଣ କାଉଣ୍ଟିଂ ଅଫିସର ରହିବେ। ପ୍ରତି ରାଉଣ୍ଡ ପରେ ଫଳାଫଳ ମାଇକ ଯୋଗେ ଜଣାଯିବ। ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଭୋଟ ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ଅର୍ଦ୍ଧ ସୁରକ୍ଷା ବଳ, ସଶସ୍ତ୍ର ପୋଲିସ ବାହିନୀ ସହ ଓଡ଼ିଶା ପୋଲିସର ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି ବ୍ୟବସ୍ଥା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି ।

‘ଲୋକଙ୍କ ଆସ୍ଥା ଭରସା ଆମ ଦାୟିତ୍ବ,, ନିରାଶ କରନି’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଦିଗ୍‌ବିନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଁର ସମସ୍ୟାକୁ ନିଜ ସମସ୍ୟା ଭାବେ ଗ୍ରହଣ କରି ଏହାର ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏଥର ମହିଳାମାନେ ବହୁ ସଂଖ୍ୟାରେ ଜିତି ପଞ୍ଚାୟତର ମଙ୍ଗ ଧରିଛନ୍ତି। ଏହାଦ୍ବାରା ବିଜୁ ବାବୁଙ୍କ ମହିଳା ସଶକ୍ତିକରଣର ସ୍ବପ୍ନ ସାକାର ହୋଇଛି ବୋଲି ସେ ମତ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ଶାସନ ବ୍ୟବସ୍ଥା ଓ ବିକାଶ ଯୋଜନାରେ ପଞ୍ଚାୟତର ଗୁରୁତ୍ବ ବିଷୟରେ ଆପଣମାନେ ଭଲ ଭାବରେ ଜାଣନ୍ତି। ପଞ୍ଚାୟତ ହେଉଛି ସେବାର କେନ୍ଦ୍ର। ସାଧାରଣ ଲୋକ ଯେପରି ସରକାରୀ ସେବାରୁ ବଞ୍ଚିତ ନ ହୁଏ, ସରକାରୀ ସେବା ପାଇବାରେ ହଇରାଣ ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ ।

ଗରିବ ଲୋକ, ମହିଳା ତଥା ଦୁର୍ବଳ ଶ୍ରେଣୀର ଲୋକ ଓ  ସେମାନଙ୍କ ଅଧିକାରକୁ ସୁରକ୍ଷା ଦିଅନ୍ତୁ ବୋଲି କହି ଲୋକଙ୍କ ସୁଖଦୁଃଖରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।

୫-ଟି ବିଷୟରେ ଆଲୋକପାତ କରି ସେ କହିଲେ ଯେ, ୫-ଟି ହେଉଛି ଟେକ୍‌ନୋଲୋଜି, ଟିମ୍‌ୱାର୍କ, ଟାଇମ, ଟ୍ରାନ୍ସପ୍ୟାରେନ୍‌ସି ବା ସ୍ବଚ୍ଛତା ଓ ରୂପାନ୍ତର। ୫-ଟି ମନ୍ତ୍ରକୁ ଗାଁର ବିକାଶରେ ଉପଯୋଗ କରନ୍ତୁ ବୋଲି ପରାମର୍ଶ ଦେଇ ସେ କହିଥିଲେ, ଏହାଦ୍ବାରା ଆପଣଙ୍କ ଗାଁ, ଆପଣଙ୍କ ପଞ୍ଚାୟତର ପରିବର୍ତ୍ତନ, ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇପାରିବ ।

ଜନସାଧାରଣ ଆମ ଉପରେ ଆସ୍ଥା ରଖିଛନ୍ତି, ଭରସା ରଖିଛନ୍ତି ବୋଲି ମତବ୍ୟକ୍ତ କରି ଲୋକଙ୍କୁ କେବେ ନିରାଶ ହେବାକୁ ଦେବା ନାହିଁ । ସେମାନଙ୍କ ଆସ୍ଥା ଓ ଭରସାକୁ ପବିତ୍ର ଦାୟିତ୍ବ ଭାବି ସେବା କଲେ ଲୋକଙ୍କ ହୃଦୟରେ ସବୁ ଦିନ ପାଇଁ ରହିଯିବେ ବୋଲି ସେ କହିଥିଲେ। ନିଜ କାମ ଦ୍ବାରା ନିଜ ନିଜ ଅଞ୍ଚଳରେ ବିକାଶର ଦୂତ ଭାବରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଯୋଗ ଦେଇ ରାଜ୍ୟର ବିକାଶରେ ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକର ଭୂମିକା ସଂପର୍କରେ ଆଲୋକପାତ କରି ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ।

ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ, ବର୍ତ୍ତମାନ ଜିପିଏସ୍ ଟେକ୍ନୋଲୋଜି ଜରିଆରେ ପଞ୍ଚାୟତର ସବୁ ଭିତ୍ତିଭୂମିକୁ ମ୍ୟାପିଂ କରାଯାଇଛି । ଏହାଦ୍ବାରା ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ସମାଧାନ ତୁରନ୍ତ ହୋଇପାରିବ। ପଞ୍ଚାୟତଗୁଡିକ ସରକାରଙ୍କ ଅଭିଯୋଗ ଶୁଣାଣୀ ବ୍ୟବସ୍ଥାର ପ୍ରଥମ ସୋପାନ ବୋଲି ମତବ୍ୟକ୍ତ କରି ଲୋକଙ୍କ ଅଭିଯୋଗ ଗୁଡିକୁ ପଞ୍ଚାୟତ ସ୍ତରରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ।

କୃଷି ଓ କୃଷକ ସଶକ୍ତକରଣ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ କହିଲେ ଯେ, ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳା ଓ ଯୁବଶକ୍ତିକୁ ଆଗକୁ ଆଣି ପଞ୍ଚାୟତଗୁଡିକୁ ସଶକ୍ତ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ସମସ୍ତେ ୫-ଟି ମନ୍ତ୍ରକୁ ଉପଯୋଗ କରି କାମ କଲେ, ରାଜ୍ୟରେ ରୂପାନ୍ତର ଆସିପାରିବ ବୋଲି ସେ କହିଥିଲେ ।

ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଲେ ଯେ, ମୁଖ୍ୟମନ୍ତ୍ରୀ ସମାଜସେବା କରିବା ପାଇଁ ମହିଳା ମାନଙ୍କୁ ସୁଯୋଗ ଦେଇଛନ୍ତି। ଓଡ଼ିଶାରେ ମହିଳାମାନେ ସଶକ୍ତ ହୋଇପାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ନେଇ କାମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସ୍ବାଗତ ଭାଷଣ ଦେଇ କହିଲେ ଯେ ପଞ୍ଚାୟତ ଅନୁଷ୍ଠାନ ଗୁଡ଼ିକୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଯାଇଛି। ବିକାଶ ପାଇଁ ଅନେକ ଅର୍ଥ ଦିଆଯାଉଛି। ଏହାର ସୁବିନିଯୋଗରେ ପ୍ରତିନିଧି ମାନଙ୍କ ପ୍ରଶିକ୍ଷଣ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଶ୍ରୀ ଅଶୋକ କୁମାର ମୀନା ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ୧ ଲକ୍ଷ ୬ ହଜାର ୩୫୨ ଜଣ ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଛନ୍ତି।

ଗିରଫ ହେଲେ ଏସଡିପିଓ, ଗୁଗଲ ପେ’ ଓ ଫୋନ୍ ପେ’ ରେ କରୁଥିଲେ ଟଙ୍କା ଆଦାୟ

ଢେଙ୍କାନାଳ: ହିନ୍ଦୋଳ ଏସଡିପିଓ ମଳୟ ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ। ଆଉ କିଛି ସମୟ ପରେ ତାଙ୍କୁ ଢେଙ୍କାନାଳ କୋର୍ଟରେ ହାଜର କରାଯିବ। ଗୁଗଲ ପେ’ ଓ ଫୋନ୍ ପେ’ ରେ କରୁଥିଲେ ଟଙ୍କା ଆଦାୟ। ନିଜ ସ୍ତ୍ରୀ ଓ ଝିଅଙ୍କ ଆକାଉଣ୍ଟକୁ ଯାଉଥିଲା ଟଙ୍କା।

ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଝିଅ ଓ ସ୍ତ୍ରୀ ଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି। ପ୍ରଥମ ଥର ପାଇଁ ଅନଲାଇନରେ କରିଥିଲେ ବେନାମୀ କାରବାର ।

ଗତକାଲି ଭିଜିଲାନ୍ସ ଚଢ଼ାଉ ବେଳେ ଏସଡିପିଓଙ୍କ ଘରୁ ପୁଳା ପୁଳା ସମ୍ପତ୍ତି ଠାବ ହୋଇଛି । ଏସଡିପିଓଙ୍କ ନାମରେ ଅଧା ଓଡ଼ିଶାରେ ଫ୍ଲାଟ, ପ୍ଲଟ ରହିଛି । ଅନୁଗୁଳ, ସମ୍ବଲପୁର, ଭୁବନେଶ୍ବର, ପୁରୀରେ ଘର ଥିବା ବେଳେ ସମ୍ବଲପୁର ସରଳକଣାରେ ମଳୟଙ୍କର ପ୍ଲଟ ରହିଛି । ଆୟ ବହିର୍ଭୁତ ସମ୍ପତ୍ତିରେ ଅୟସ କରୁଥିଲେ ହିନ୍ଦୋଳ ଏସଡିପିଓ ମଳୟ କିଶୋର ନାୟକ । ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିବା ପରେ ଏସଡିପିଓଙ୍କ କଳା ସାମ୍ରାଜ୍ୟର ପର୍ଦ୍ଦାଫାସ କରିଛି ଭିଜିଲାନ୍ସ ।

ଢେଙ୍କାନାଳ ସରକାରୀ କ୍ୱାର୍ଟର, ହିନ୍ଦୋଳ ସରକାରୀ କ୍ୱାର୍ଟର ସହ ଅନୁଗୁଳର ନିଜ ଘର, ଭୁବନେଶ୍ୱରରେ ଥିବା ଫ୍ଲାଟ, ପୁରୀରେ ଥିବା ଆପାର୍ଟମେଣ୍ଟ ଓ ସମ୍ବଲପୁରର ଏକ ଫ୍ଲାଟରେ ଏକକାଳୀନ ଚଢ଼ାଉ କରିଥିଲା ଟିମ୍ । ଚଢ଼ାଉ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଟିମ୍ ହାତରେ ଲାଗିଥିବା ବେଳେ ବ୍ୟାଙ୍କ ଜମାଖାତା, ଇନସ୍ୟୁରାନ୍ସ ପେପର ଆଦିର ଯାଞ୍ଚ କରାଯାଇଛି ।

ତେବେ ହିନ୍ଦୋଳ ସରକାରୀ କ୍ବାର୍ଟରରେ ଭିଜିଲାନ୍ସ ଟିମ୍ ପହଞ୍ଚିବା ପୂର୍ବରୁ ଏସଡିପିଓଙ୍କ ସ୍ତ୍ରୀ ବ୍ରିଫ୍‌କେସ ଓ ବ୍ୟାଗ୍‌ ଧରି ସେଠାରୁ ଫେରାର ହୋଇ ଯାଇଥିଲେ। ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କ୍ବାର୍ଟର୍ସରେ ରେଡ୍‌ ଚାଲିଥିବା ବେଳେ ମଳୟଙ୍କ ସ୍ତ୍ରୀ ରୀତା ମହାପାତ୍ରଙ୍କୁ ଧରିବାକୁ ଚେଷ୍ଟା ଚାଲିଛି । ଅନଲାଇନ ଓ UPI ଟ୍ରାନଜାକ୍ସନର ଡିଟେଲ୍ସ ପାଇଁ ଭିଜିଲାନ୍ସ ସାଇବର ସେଲ ଓ ବ୍ୟାଙ୍କିଂ କନସଲଟାଣ୍ଟ କାମ ଆରମ୍ଭ କରିଛି । ପଥର ଖଣି ମାଲିକଙ୍କଠାରୁ ୩୦ ହଜାର ଟଙ୍କା ନେଉଥିବା ବେଳେ ମଳୟ ଧରାପଡ଼ିଥିଲେ । ୪ଟି କ୍ରସରରୁ ୧ ଲକ୍ଷ ୨୦ ହଜାର ଆଦାୟ କରିଥିଲେ ମଳୟ । ଭିଜିଲାନ୍ସ ମଳୟଙ୍କଠାରୁ ସବୁ ଲାଞ୍ଚ ଟଙ୍କା ଜବତ କରିଛି ।

 

ମଙ୍କିପକ୍ସ ନେଇ ସତର୍କ ରାଜ୍ୟ ସରକାର, ଆଜି ସିଡିଏମଓ ଓ ମୁଖ୍ୟ ଡାକ୍ତରଙ୍କୁ ନେଇ ବସିବ ବୈଠକ

ଭୁବନେଶ୍ବର: କିଛି ଦେଶରେ ବ୍ୟାପିଛି, କିଛି ଦେଶରେ ବ୍ୟାପୁଛି ମଙ୍କିପକ୍ସ । ମେ’ ମାସ ସୁଦ୍ଧା ଦେଶରେ ମଙ୍କିପକ୍ସର କୌଣସି ତଥ୍ୟନାହିଁ। l ତେବେ ମଙ୍କିପକ୍ସ ନେଇ ରାଜ୍ୟ ସତର୍କ ରହିଛି । ବର୍ତ୍ତମାନ ରାଜ୍ୟର ଥିବା ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ମଙ୍କିପକ୍ସ ଉପରେ ଅବଗତ କରାଯାଇଛି।

ଏହାକୁ ନେଇ ଆଜି ମଧ୍ୟ ସିଡିଏମଓ ଓ ମୁଖ୍ୟ ଡାକ୍ତରଙ୍କୁ ନେଇ ବସିବ ବୈଠକ। ଯଦି ମଙ୍କିପକ୍ସର ପ୍ରଭାବ ଦେଶରେ ବ୍ୟାପେ ତେବେ ଭାରତ ସରକାରଙ୍କର ୨ ପ୍ରକାରର ସର୍ଭିଲାନ୍ସ କରାଯିବ। ଗୋଟିଏ ହେଲା କମ୍ୟୁନିଟି ସଭିଲାନ୍ସ ଓ ଅନ୍ୟଟି ହେଲା ହସ୍ପିଟାଲ ସର୍ଭିଲାନ୍ସ।

ଯଦି କୌଣସି କମ୍ୟୁନିଟିରେ ଏଭଳି ରୋଗୀ ରହିଛନ୍ତି ତେବେ ସେମାନଙ୍କୁ ଆଇସୋଲେସନରେ ରଖିବା ସହ ସେମାନଙ୍କର ଟେଷ୍ଟ କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଯଦି ହସ୍ପିଟାଲରେ ଏଭଳି ରୋଗୀ ଛୋଟ ଛୁଆ ଆସୁଛନ୍ତି ସେମାନଙ୍କ ଉପରେ କଡ଼ା ନଜର ରହିବ। ବିଶେଷ କରି ଏହି ମଙ୍କିପକ୍ସରେ ଜ୍ୱର ସାଙ୍ଗକୁ ଘା’ ହୋଇଥାଏ।

ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଦାୟିତ୍ବବାନ ହୁଅନ୍ତୁ

ଭୁବନେଶ୍ବର: ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଏଥର ମା’ ମାନେ ବହୁ ସଂଖ୍ୟାରେ ଜିତିଛନ୍ତି । ମା’ ମାନେ ପଞ୍ଚାୟତର ମଙ୍ଗ ଧରୁଛନ୍ତି । ପଞ୍ଚାୟତର ଗୁରୁତ୍ବ ବେଶୀ ରହିଛି ।

ପଞ୍ଚାୟତ ହେଉଛି ସେବାର କେନ୍ଦ୍ର । ସାଧାରଣ ଲୋକ ସରକାରୀ ସେବା ପାଇବାରୁ ବ଼ଞ୍ଚିତ ନହୁଅନ୍ତୁ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ନବୀନ। ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଅଧିକ ଦାୟିତ୍ବବାନ ହୁଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କ ସୁଖଦୁଃଖରେ ସେମାନଙ୍କ ସାଥିରେ ରହିବାକୁ ଦେଇଛନ୍ତି ପରାମର୍ଶ ।

ନିଜ କାମ ଦ୍ବାରା ଗ୍ରାମବାସୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରନ୍ତୁ ଏବଂ ଏପରି କାମ କରନ୍ତୁ ଗାଁ ଓ ପଞ୍ଚାୟତ ଯେପରି ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି । ଗ୍ରାମବାସୀଙ୍କ ଆସ୍ଥା ଓ ଭରସା ରକ୍ଷା କରନ୍ତୁ ବୋଲି ମନ୍ତ୍ର ଦେଇଛନ୍ତି ନବୀନ ।

ଏଥିରେ ସମସ୍ତ ଜିଲ୍ଲା ପରିଷଦ ସଭାପତି, ଉପସଭାପତିଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ପ୍ରତ୍ୟେକ ବ୍ଲକରୁ ଜଣେ ସରପଞ୍ଚଙ୍କୁ ନେଇ ଏହି ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। କର୍ମଶାଳାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମିଶନ ଶକ୍ତି, ଖାଦ୍ୟା ଯୋଗାଇ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଯୋଗଦେଇଥିଲେ ।

ତାରା ମାରିଲେ ତେର୍ଚ୍ଛାବାଣ, କହିଲେ ପିସିସି ସଭାପତିଙ୍କ ଚାରିପାଖେ ବୁଲିଲେ ସଂଗଠନ ମଜବୁତ ହେବନି

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ନବ ସଂକଳ୍ପ ଶିବିରକୁ ନେଇ ତାରା ମାରିଲେ ତେର୍ଚ୍ଛାବାଣ । କହିଲେ ପିସିସି ସଭାପତିଙ୍କ ଚାରିପଟେ ବୁଲିଲେ ସଙ୍ଗଠନ ମଜବୁତ ହେବନି । ସଙ୍ଗଠନକୁ ମଜବୁତ କରିବାକୁ ହେଲେ କାମ କରିବାକୁ ପଡ଼ିବ ।

ସ୍ୱାସ୍ଥ୍ୟ ଗତ କାରଣରୁ ନବ ସଙ୍କଳ୍ପ ବୈଠକରେ ଅନୁପସ୍ଥିତ ଥିଲେ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି । ପ୍ରବଳ ଖରାରେ ବ୍ରଜରାଜନଗରରେ ନିର୍ବାଚନ ପ୍ରଚାର କରିବା ପରେ ମୋ ଦେହ ଅସୁସ୍ଥ ହୋଇଯାଇଥିଲା । ତେଣୁ ମୁଁ ଅନୁପସ୍ଥିତ ଥିଲି । ପିସିସି ସଭାପତି ପଦ ନ ମିଳିବାରୁ ମନ ଦୁଃଖ ଅଛି ବେଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ତାରା । ସେ କହିଥିଲେ, ‘ମୋର ତ ମନ ନାହିଁ ମନ ଦୁଃଖ କେମିତି ହେବ? ଲୋକମାନେ ଚାହିଁଲେ କଂଗ୍ରେସର ସ୍ଥିତି ପରିବର୍ତ୍ତନ ହେବ । ପିସିସି ସଭାପତିଙ୍କ ପଛରେ ବୁଲିଲେ କଂଗ୍ରେସ ଆଗକୁ ବଢ଼ି ପାରିବନି । ପରିଶ୍ରମ କଲେ ହିଁ ବଢ଼ିପାରିବ ବୋଲି କହିଥିଲେ ତାରା ।

ସେହିପରି ଦଳୀୟ ସଙ୍ଗଠନକୁ ନେଇ କୌଣସି ଅସନ୍ତୋଷ ନାହିଁ ବୋଲି ସେ କହିଛନ୍ତି । ସେ ପିସିସି ସଭାପତି ରେସରେ ନଥିଲେ, ଆଉ ଯଦି ମିଳିଥାନ୍ତା ଛାଡ଼ିନଥାନ୍ତେ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି । ଏହାସହ କାନ କଥା ଶୁଣିବେନି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଯେଉଁ କଥା କହିଛନ୍ତି ତାହାକୁ ସ୍ବାଗତ କରିଛନ୍ତି ତାରା ପ୍ରସାଦ ବାହିନୀପତି।

ଶ୍ରୀମନ୍ଦିର ପ୍ରସଙ୍ଗରେ ମଧ୍ୟ ନିଜର ଉକ୍ତି ରଖିଥିଲେ ତାରା । ସେ କହିଛନ୍ତି ଯେ, ପୁରୀରେ ବିକାଶ କାର୍ଯ୍ୟ ହେବା ଦରକାର । ଆଇନ୍ ଅନୁସାରେ କାର୍ଯ୍ୟ ହେଉ । ଜନନ୍ନାଥକୁ ନେଇ ରାଜନୀତି ନ ହେଉ । କଂଗ୍ରେସ କେବେ ଜଗନ୍ନାଥଙ୍କୁ ନେଇ ରାଜନୀତି କରେ ନାହିଁ ।

ବାରବାଟୀ ବ୍ୟାଟେଲ ପାଇଁ ପ୍ରସ୍ତୁତି ଜୋରଦାର, ଷ୍ଟାଡିୟମରେ ମକ୍ ଡ୍ରିଲ୍

କଟକ: ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଓସିଏ ସମେତ ଜିଲ୍ଲା ପ୍ରଶାସନ ଓ କମିଶନରେଟ୍ ପୋଲିସର ଜୋରଦାର ପ୍ରସ୍ତୁତି । ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ଆଜି ଏକ ମକ ଡ୍ରିଲ କରାଯାଇଛି । ମ୍ୟାଚ ସମୟରେ ହେବାକୁ ଥିବା ସମ୍ଭାବ୍ୟ ପ୍ରତିକୂଳ ପରିସ୍ଥିତିର ମୁକାବିଲା କିଭଳି କରାଯିବ, ଏହା ହିଁ ଏହି ମକ ଡ୍ରିଲର ମୁଖ୍ୟ ଉଦେଶ୍ୟ ।

ଏହି ମକ ଡ୍ରିଲରେ ପୋଲିସ,  ଅଗ୍ନିଶମ ବିଭାଗ, ବେସରକାରୀ ସୁରକ୍ଷା କର୍ମୀ, ଓଡ୍ରାଫ, ମେଡ଼ିକାଲ ଟିମ ଏବଂ ଓସିଏ କର୍ମଚାରୀ ମାନେ ଯୋଗ ଦେଇଥିଲେ । ପୋଲିସ କମିଶନର ବାରବାଟୀ ଷ୍ଟାଡିୟମରେ ପହଞ୍ଚି ମକଡ୍ରିଲର ସମୀକ୍ଷା କରିଥିଲେ । ସେହିପରି ଆଜି ଷ୍ଟାଡିୟମ ବୁଲି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ଆରଡିସି, ଜିଲ୍ଲାପାଳ ଓ ଡିସିପି । ଏଥର ଓସିଏର ପ୍ରବେଶପଥ, ପ୍ଲେୟାର ଡେସିଂ ରୁମ ସମେତ କ୍ଳକ ଟାଓ୍ବାରର କିଛି ଅଂଶକୁ ଉଡେନ ଲୁକ ଦିଆଯାଇଛି । ୬, ୭ ନମ୍ବର ଗ୍ୟାଲେରୀ ଦର୍ଶକଙ୍କ ପାଇଁ ଏଥର ଖୋଲା ଯାଉଥିବା ବେଳେ ଆଇଆଇଟି ଖଡଗପୁର ଏକ୍ସପର୍ଟଙ୍କ ଦ୍ବାରା ଏହି କାର୍ଯ୍ୟକୁ ସମ୍ପାଦନ କରାଯାଇଛି ।

ପ୍ରାୟ ୪୪ ହଜାରରୁ ଅଧିକ ଦର୍ଶକ ମ୍ୟାଚ ଦେଖିବେ । ଏହାକୁ ଦୃଷ୍ଟିରେ ରଖି, ପାର୍କିଂ ପାଇଁ ପ୍ରଶାସନ ପକ୍ଷରୁ ତଳ ଓ ଉପର ବାଲିଯାତ୍ରା ପଡିଆକୁ ପ୍ରସ୍ତୁତ କରାଯାଉଛି । ଗତକାଲିଠୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି । ୯ ତାରିଖରୁ ଅଫଲାଇନରେ ଟିକେଟ ବିକ୍ରି ହେବ ।

ଦ୍ରୁତ ଗତିରେ ମାଡ଼ି ଆସୁଥିଲା ଟ୍ରେନ୍, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଖୋର୍ଦ୍ଧା: ଟ୍ରେନ୍ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଲା ଜୀବନ । ଟ୍ରେନ୍ ଆସୁଥିଲା, ହେଲେ ରେଳ ଫାଟକ  ଖୋଲି ଦେଇଥିଲେ ରେଳବାଇର ଗାର୍ଡ । ବହୁ ସମୟ ଧରି ଛିଡ଼ା ହୋଇଥିବା ଲୋକ ବି ଟ୍ରାକ୍ ଅତିକ୍ରମ କରିଚାଲିଲେ । ହେଲେ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଟ୍ରେନ ଦେଖି ଲୋକ ବି ହଠାତ୍ କିଛି କରିପାରୁନଥାନ୍ତି । ଭିଡ଼ ଏତେ ଥିଲା ଯେ, ଟ୍ରେନ୍ ଲୋକଙ୍କ ଉପରେ ମାଡିଯାଇଥାନ୍ତା । ହେଲେ ଟ୍ରେନ୍ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅନେକ ଜୀବନ ବଞ୍ଚିଯାଇଛି ।

ଖୋର୍ଦ୍ଧା ରେଳ ଡିଭିଜନ୍ କାଳୁପଡ଼ା ଘାଟ ଷ୍ଟେସନ  ନିକଟରେ ଗତକାଲି ରାତିରେ ଦେଖିବାକୁ ମିଳିଥିଲା ଏହି ଘଟଣା । ସୂଚନା ଅନୁସାରେ ୨ ଟି ଟ୍ରେନ୍ ଦୁଇ ଦିଗକୁ  ଯିବା ପାଇଁ  ରେଳ ବିଭାଗ ପକ୍ଷରୁ ସିଗନାଲ ଦିଆଯାଇଥିଲା । ଗୋଟିଏ ମାଲ ଗାଡ଼ି କାଳୁପଡା ଘାଟ ଷ୍ଟେସନରେ  ଛିଡ଼ା ହୋଇଥିଲା । ସିଗନାଲ ମିଳିବା ପରେ ସେହି ମାଲ ଗାଡ଼ିଟି ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିଥିଲା । ତେବେ  ଅନ୍ୟପଟ ସିଗନାଲ କ୍ଲିଅର ନ ହେଉଣୁ  ଫାଟକ ଖୋଲିଥିଲା ।

ଲୋକ ରେଳ ଟ୍ରାକ୍ ପାର ହେବା ବେଳେ ସାଲିମାର  ସିକନ୍ଦରାବାଦ ସୁପର ମାଡ଼ି ଆସୁଥିଲା । ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ଯିଏ ଯୁଆଡ଼େ ପାରିଲେ ପଛକୁ ହଟିବାକୁ ଲାଗିଲେ । ସେପଟେ ଦୂରରୁ  ଟ୍ରେନ ଚାଳକ ଗେଟ୍ ଖୋଲା ଥିବା ଜାଣିପାରି ଜରୁରୀ କାଳୀନ ବ୍ରେକ୍ ଲଗାଇଥିଲେ । ଫଳରେ ବଂଚି ଯାଇଥିଲା ଅନେକ ଜୀବନ । ଲୋକେ ରେଳ ବିଭାଗର ଏପରି ଅବହେଳାକୁ ନିନ୍ଦା କରିଛନ୍ତି । ତୁରନ୍ତ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।