spot_img
Home Blog Page 4335

ଜନସେବାରେ ୨୫ ବର୍ଷ, ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ଖଚାଖଚ ଭିଡ଼

ଭୁବନେଶ୍ୱର: କି ନେତା କି ଜନତା, ନବୀନ ନିବାସରେ ଖଚାଖଚ ଭିଡ଼ । ୨୫ ବର୍ଷ ଧରି ଅନବରତ ଜନସେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ଦଳର ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ସାଧାରଣ ଲୋକଙ୍କ ଭିଡ଼ ଲାଗିଥିଲା । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ବିଧାୟକମାନେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ପହଞ୍ଚିଥିଲେ ।

ଭୁବନେଶ୍ବର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ଜେନା ମଧ୍ୟ ନବୀନ ନିବାସରେ ପହଞ୍ଚି ଶୁଭେଚ୍ଛା ଜଣାଇଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ଲୋକେ ଆସି ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ବିହାରରେ ହେବ ଜାତିଭିତ୍ତିକ ଜନଗଣନା, ସର୍ବଦଳୀୟ ବୈଠକରେ ସହମତି

ପାଟଣା: ବିହାରରେ ଜାତିଭିତ୍ତିକ ଜନଗଣନା ପାଇଁ ପଥ ପରିଷ୍କାର ହୋଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ସର୍ବଦଳୀୟ ବୈଠକରେ ଜାତିଭିତ୍ତିକ ଜନଗଣନା ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଜାତିଭିତ୍ତିକ ଜନଗଣନା ପ୍ରସ୍ତାବକୁ ପ୍ରଥମେ ବିରୋଧ କରିଆସିଥିବା ବିଜେପି ମଧ୍ୟ ଏହାକୁ ସମର୍ଥନ କରିଛି । ନୀତୀଶ ସରକାରରେ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଥିବା ବରିଷ୍ଠ ବିଜେପି ନେତା ସୁଶୀଲ ମୋଦି କହିଛନ୍ତି ଯେ, ତାଙ୍କ ଦଳ କେବେ ବି ଜାତିଭିତ୍ତିକ ଜନଗଣନାକୁ ବିରୋଧ କରିନାହିଁ । ବିହାର ବିଧାନସଭାରେ ଏ ସଂପର୍କିତ ପ୍ରସ୍ତାବକୁ ମଧ୍ୟ ଦଳ ସମର୍ଥନ କରିଥିଲା ବୋଲି ସୁଶୀଲ ମୋଦି କହିଛନ୍ତି । ପ୍ରସ୍ତାବକୁ ସବୁ ଦଳ ସମର୍ଥନ କରିଛନ୍ତି ।

ଖୁବ ଶୀଘ୍ର ରାଜ୍ୟ କ୍ୟାବିନେଟରେ ଏ ସଂପର୍କିତ ପ୍ରସ୍ତାବ ଗୃହୀତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି । ସାଧାରଣ ଜନଗଣନା ଭଳି ଜାତିଭିତ୍ତିକ ଜନଗଣନା ହେବ । ଜାତିଭିତ୍ତିକ ଜନଗଣନା ପାଇଁ ଆରଜେଡି ପ୍ରଥମେ ପ୍ରସ୍ତାବ ଦେଇଥିଲା । ଏହାକୁ ଜେଡିୟୁ ସମର୍ଥନ କରିଥିଲା ।

ଭିଜିଲାନ୍ସ ଜାଲରେ ହିନ୍ଦୋଳ ଏସଡିପିଓ, ରେଡ୍ ବେଳେ ଖୋଲୁଛି ଗୁମର

ହିନ୍ଦୋଳ: ଭିଜିଲାନ୍ସ ପଞ୍ଝାରେ ହିନ୍ଦୋଳ ଏସଡିପିଓ । ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏସଡିପିଓ ମଳୟ କିଶୋର ନାୟକ । ଗିରଫ ପରେ ମଳୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚଢ଼ାଉ ବେଳେ ଏସଡିପିଓଙ୍କ ପୁଳା ପୁଳା ସମ୍ପତ୍ତି ଠାବ ହୋଇଛି । ଏସଡିପିଓଙ୍କ ନାମରେ ଅଧା ଓଡ଼ିଶାରେ ଫ୍ଲାଟ, ପ୍ଲଟ ରହିଛି । ଅନୁଗୁଳ, ସମ୍ବଲପୁର, ଭୁବନେଶ୍ବର, ପୁରୀରେ ଘର ଥିବା ବେଳେ ସମ୍ବଲପୁର ସରଳକଣାରେ ମଳୟଙ୍କର ପ୍ଲଟ ରହିଛି । ଆୟ ବହିର୍ଭୁତ ସମ୍ପତ୍ତିରେ ଅୟସ କରୁଥିଲେ ହିନ୍ଦୋଳ ଏସଡିପିଓ ମଳୟ କିଶୋର ନାୟକ । ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିବା ପରେ ଏସଡିପିଓଙ୍କ କଳା ସାମ୍ରାଜ୍ୟର ପର୍ଦ୍ଦାଫାସ କରିଛି ଭିଜିଲାନ୍ସ । ଢେଙ୍କାନାଳ ସରକାରୀ କ୍ୱାର୍ଟର, ହିନ୍ଦୋଳ ସରକାରୀ କ୍ୱାର୍ଟର ସହ ଅନୁଗୁଳର ନିଜ ଘର, ଭୁବନେଶ୍ୱରରେ ଥିବା ଫ୍ଲାଟ, ପୁରୀରେ ଥିବା ଆପାର୍ଟମେଣ୍ଟ ଓ ସମ୍ବଲପୁରର ଏକ ଫ୍ଲାଟରେ ଏକକାଳୀନ ଚଢ଼ାଉ କରିଥିଲା ଟିମ୍ । ଚଢ଼ାଉ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଟିମ୍ ହାତରେ ଲାଗିଥିବା ବେଳେ ବ୍ୟାଙ୍କ ଜମାଖାତା, ଇନସ୍ୟୁରାନ୍ସ ପେପର ଆଦିର ଯାଞ୍ଚ କରାଯାଇଛି ।

ତେବେ ହିନ୍ଦୋଳ ସରକାରୀ କ୍ବାର୍ଟରରେ ଭିଜିଲାନ୍ସ ଟିମ୍ ପହଞ୍ଚିବା ପୂର୍ବରୁ ଏସଡିପିଓଙ୍କ ସ୍ତ୍ରୀ ବ୍ରିଫ୍‌କେସ ଓ ବ୍ୟାଗ୍‌ ଧରି ସେଠାରୁ ଫେରାର ହୋଇ ଯାଇଥିଲେ। ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କ୍ବାର୍ଟର୍ସରେ ରେଡ୍‌ ଚାଲିଥିବା ବେଳେ ମଳୟଙ୍କ ସ୍ତ୍ରୀ ରୀତା ମହାପାତ୍ରଙ୍କୁ ଧରିବାକୁ ଚେଷ୍ଟା ଚାଲିଛି । ଅନଲାଇନ ଓ UPI ଟ୍ରାନଜାକ୍ସନର ଡିଟେଲ୍ସ ପାଇଁ ଭିଜିଲାନ୍ସ ସାଇବର ସେଲ ଓ ବ୍ୟାଙ୍କିଂ କନସଲଟାଣ୍ଟ କାମ ଆରମ୍ଭ କରିଛି । ପଥର ଖଣି ମାଲିକଙ୍କଠାରୁ ୩୦ ହଜାର ଟଙ୍କା ନେଉଥିବା ବେଳେ ମଳୟ ଧରାପଡ଼ିଥିଲେ । ୪ଟି କ୍ରସରରୁ ୧ ଲକ୍ଷ ୨୦ ହଜାର ଆଦାୟ କରିଥିଲେ ମଳୟ । ଭିଜିଲାନ୍ସ ମଳୟଙ୍କଠାରୁ ସବୁ ଲାଞ୍ଚ ଟଙ୍କା ଜବତ କରିଛି ।

ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟ, ୫୩୨ ସ୍କୁଲ ହେଲା ଲୋକାର୍ପିତ

ଭୁବନେଶ୍ୱର: 5-Tରେ ହାଇସ୍କୁଲ ରୂପାନ୍ତରଣ ଶିକ୍ଷାରେ ଯୋଡ଼ିଛି ସ୍ୱର୍ଣ୍ଣିମ ଅଧ୍ୟାୟ । ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଜିଲ୍ଲାରେ ୫୩୨ଟି ସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନର ସମ୍ମିଳନୀ କକ୍ଷରୁ ଭିସିରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲାର ୩୩୯ଟି ବିଦ୍ୟାଳୟକୁ ପ୍ରଥମେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ସୋନପୁର ଜିଲ୍ଲାର ୪୧ଟି ହାଇସ୍କୁଲ, ବୌଦ୍ଧ ଜିଲ୍ଲାର ୨୪ଟି ହାଇସ୍କୁଲ, ମାଲକାନଗିରି ଜିଲ୍ଲାର ୪୭ଟି ହାଇସ୍କୁଲ, ଖୋର୍ଦ୍ଧା ଜିଲ୍ଲାର ୮୧ଟି ହାଇସ୍କୁଲକୁ ଲୋକାର୍ପଣ କରିଥିଲେ ନବୀନ ପଟ୍ଟନାୟକ ।

ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିଥିବା ଏହି ଯୋଜନା ମୁଖ୍ୟମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନାରେ ସ୍କୁଲଗୁଡ଼ିକରେ ଅତ୍ୟାଧୁନିକ ବିଜ୍ଞାନଗାରା, ପାଠଗାରା ସହ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଶିକ୍ଷାଦାନ ପାଇଁ ଆଧୁନିକ ଜ୍ଞାନକୌଶଳର ଭିତ୍ତିଭୂମି ବଢ଼ାଯାଉଛି । ଏହା ଦ୍ୱାରା ସମୟ ସହ ତାଳ ଦେଇ ଆମ ରାଜ୍ୟରେ ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ପିଲାମାନେ ପ୍ରତିଯୋଗିତାମୂଳକ ବ୍ୟବସ୍ଥାରେ ସାମିଲ ହୋଇପାରିବେ । ସ୍କୁଲ ଗୁଡ଼ିକରେ ଭିତ୍ତିଭୂମିର ବିକାଶ ଯୋଗୁ ଶିକ୍ଷାରେ ଆସିବ ଗୁଣାତ୍ମକ ବିକାଶ । 5-Tରେ ସ୍କୁଲ ରୂପାନ୍ତରଣ ସମଗ୍ର ଦେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ବିସିସିଆଇ ସଭାପତି ପଦରୁ ଗାଙ୍ଗୁଲିଙ୍କ ଇସ୍ତଫା ନେଇ ଚର୍ଚ୍ଚା, ଖଣ୍ଡନ କଲେ ଜୟ ଶାହା

କୋଲକାତା: ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ସୌରଭ ଗାଙ୍ଗୁଲି । ଆଜି ଦାଦା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଗାଙ୍ଗୁଲିଙ୍କ ଟ୍ୱିଟ୍‌ ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ଗାଙ୍ଗୁଲି ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇ ନାହାନ୍ତି ବୋଲି କହିଛନ୍ତି ଜୟ ଶାହା ।

ସୌରଭ ଗାଙ୍ଗୁଲି ଆଜି ଟ୍ୱିଟ କରି କହିଛନ୍ତି “୧୯୯୨ରେ ମୁଁ ଆରମ୍ଭ କରିଥିବା କ୍ରିକେଟ କ୍ୟାରିୟରକୁ ୨୦୨୨ରେ ୩୦ ବର୍ଷ ପୂରିଛି । କ୍ରିକେଟ ମୋତେ ବହୁତ କିଛି ଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କ୍ରିକେଟ ଯୋଗୁ ଆପଣମାନଙ୍କ ସମର୍ଥନ ମିଳିଛି । ଏହି ଯାତ୍ରାରେ ସାମିଲ ଥିବା ପ୍ରତିଟି ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଆଜି ମୁଁ ଯେଉଁଠି ବି ପହଞ୍ଚିଛି, ସବୁ କିଛି ଆପଣମାନଙ୍କ ସମର୍ଥନ ଓ ସହଯୋଗ ପାଇଁ ସମ୍ଭବ ହୋଇ ପାରିଛି। ଆଜି ମୁଁ କିଛି ଅଲଗା ଯୋଜନା ଆରମ୍ଭ କରିବାକୁ ଯାଉଛି, ଯେଉଁଠି ବହୁତ ଲୋକଙ୍କ ସମର୍ଥନ ଜରୁରୀ। ମୁଁ ମୋ ଜୀବନର ନୂଆ ଅଧ୍ୟାୟରେ ପ୍ରବେଶ କରିବା ପରେ ଆପଣମାନଙ୍କ ସମର୍ଥନ ଜାରି ରହିବ ବୋଲି ମୋର ଆଶା।”

 

ରାଜଧାନୀରେ ମୁଣ୍ଡ ଟେକୁଛି ଆଉ ଏକ ଗ୍ୟାଙ୍ଗ, ଦବଦବା ପାଇଁ କେଜିଏଫ ଷ୍ଟାଇଲରେ

ଭୁବନେଶ୍ୱର: ରାଜଧାନୀରେ ମୁଣ୍ଡ ଟେକୁଛି ଆଉ ଏକ ଗ୍ୟାଙ୍ଗ। ଭାଇଗିରି ନାଁରେ ଚଳାଇଥିଲେ ଆତଙ୍କ । ମରଣାସ୍ତ୍ର ଧରି ଭିଡ଼ିଓ କରି ସୋସିଆଲ ମିଡିଆରେ ଛାଡୁଥିଲେ । ଦବଦବା ଜାହିର କରିବାକୁ କେଜିଏଫ୍ ଷ୍ଟାଇଲରେ ରିଲ୍ସ । ଯାହାର ଭିଡ଼ିଓ ଏବେ ଭାଇରାଲ ହୋଇଛି। ଏୟାରଫିଲଡ଼ ଥାନା ଅଞ୍ଚଳରେ ଚଳାଇଥିଲେ ଆତଙ୍କ। ଗତ କିଛି ଦିନ ତଳେ ଏୟାର ଫିଲଡ଼ ଥାନା ଅଂଚଳରେ ଥିବା ଚା ଦୋକାନୀ ସିପୁ ବେହେରାକୁ ଖଣ୍ଡାରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ଘଟଣାରେ ୬ ଜଣଙ୍କୁ ଅଟକ ରଖିଛି ପୋଲିସ । ସେମାନଙ୍କ ଠାରୁ ଏକାଧିକ ମରଣାସ୍ତ୍ର ଜବତ କରାଯାଇଛି ।

ପ୍ରକାଶ ପାଇଲା OJEE ପରୀକ୍ଷା ସୂଚୀ, ଜୁନ୍ ୨୭ରୁ ଉପଲବ୍ଧ ହେବ ଆଡମିଟ କାର୍ଡ

ଭୁବନେଶ୍ୱର: OJEE-୨୦୨୨ ପାଇଁ ପ୍ରକାଶ ପାଇଲା ସୂଚୀ । ଜୁଲାଇ ୪ରୁ ଆରମ୍ଭ ହେବ OJEE ପରୀକ୍ଷା । ୪ରୁ ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ହେବ ପରୀକ୍ଷା । ପ୍ରତିଦିନ ୩ଟି ସିପ୍ଟରେ ପରୀକ୍ଷା ହେବ । ଜୁଲାଇ ୪ରେ ଲାଟେରାଲ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ । ଜୁଲାଇ ୫ରେ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ MCA/M.Sc ପରୀକ୍ଷା ହେବ । ସେହିପରି ଜୁଲାଇ ୫ରେ ତୃତୀୟ ସିଫ୍ଟରେ M.Tech, M.Arch, M.Pharm, B.CAT ପରୀକ୍ଷା ହେବ । ଜୁଲାଇ ୬ରେ MBA ଓ ଇଣ୍ଟିଗ୍ରେଟେଡ MBA ପରୀକ୍ଷା । ଜୁଲାଇ ୮ରେ B Pharm ପରୀକ୍ଷା । ଜୁନ ୨୭ରୁ OJEE ଓ୍ୱେବସାଇଟରେ ଆଡମିଟ କାର୍ଡ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।

ପୂର୍ବ ୟୁକ୍ରେନରେ ଜୋରଦାର ଯୁଦ୍ଧ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରୟୋଗରେ ଆଗକୁ ବଢୁଛି ଋଷ

କିଭ୍: ପୂର୍ବ ୟୁକ୍ରେନରେ ଜୋରଦାର ଯୁଦ୍ଧ । ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପ୍ରୟୋଗରେ ଆଗକୁ ବଢ଼ୁଛି ଋଷ । ଦୁଇ ଦିନ ପରେ ଶହେ ଦିନରେ ପହଞ୍ଚିବ ଯୁଦ୍ଧ । ତମାମ ପ୍ରଚେଷ୍ଟା ସତ୍ତ୍ବେ ଏହି ବିଧ୍ବଂସକାରୀ ଯୁଦ୍ଧ ଥମିବାର ରାସ୍ତା ବାହାରିପାରିନି । ୟୁରୋପୀୟ ୟୁନିଅନର ପ୍ରତିବନ୍ଧକ, ଜାତିସଂଘ ମୁଖ୍ୟଙ୍କ ଆଲୋଚନା ପରେ ବି ବାହାରିପାରିନି ଯୁଦ୍ଧ ସମାପ୍ତିର ବାଟ । ଯୁଦ୍ଧକୁ ନେଇ ପଶ୍ଚିମୀ ଦେଶ ଋଷ ଉପରେ ଆରୋପ ଲଗାଉଥିବା ବେଳେ ଆମେରିକା ଉପରେ ଦୋଷ ଲଦିଛି ମସ୍କୋ ।

ସେପଟେ ଯୁଦ୍ଧରେ ଋଷ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ବେଳେ ୟୁକ୍ରେନକୁ ହାଇଟେକ ମିଡିୟମ ରେଞ୍ଜ ରକେଟ ସିଷ୍ଟମ ପଠାଇବାକୁ ଘୋଷଣା କରିଛି ଆମେରିକା । ଏହି ସିଷ୍ଟମ ଯୋଗେ ୟୁକ୍ରେନ ସେନା ଡୋନବାସ ରିଜିଅନରେ ଋଷ ସେନାକୁ ସାମ୍ନା କରିପାରିବ । ସେପଟେ ପୂର୍ବ ୟୁକ୍ରେନରେ ସ୍ଥିତି ବିଗୁଡ଼ୁଛି ବୋଲି କହିଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଋଷ ଯୁଦ୍ଧକୁ ଜୋରଦାର କରିଥିବା ବେଳେ ପଶ୍ଚିମୀ ଦେଶର ସହଯୋଗ ଲୋଡିଛନ୍ତି ଜେଲେନସ୍କି ।

ଘୋଷଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି, ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ ରଥ ସମନ୍ବୟ କମିଟି ବୈଠକ

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଦ୍ବିତୀୟ ରଥ ସମନ୍ୱୟ କମିଟି ବୈଠକ । ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ଯୋଗ ଦେଇଥିଲେ । ବୈଠକରେ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରାଇବା ନେଇ ଆଲୋଚନା ହୋଇଥିବା ବେଳେ, ବିଭାଗୀୟ ଅଧିକାରୀଙ୍କୁ ବାକି ଥିବା କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ରଥଯାତ୍ରା କରାଇବା ନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିବେ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି । ବୈଠକରେ ଆଇନ ଶୃଙ୍ଖଳା, ସୁରକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ବ୍ୟବସ୍ଥା, ଆଲୋକୀକରଣ, ରାସ୍ତାଘାଟ ମରାମତି ସମ୍ପର୍କରେ ଆଲୋଚନା ହୋଇଥିଲା ।

୧୯୯୭ରୁ ୨୦୨୨, ଜନସେବାରେ ୨୫ ବର୍ଷ ପୂରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ୧୯୯୭ରୁ ୨୦୨୨, ଜନ ସେବାରେ ୨୫ବର୍ଷ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୫ ବର୍ଷ ତଳେ ଆଜିର ଦିନରେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ନବୀନ । ୧୯୯୭ ଜୁନ ୧ରେ ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ଆସିକାରୁ ଉପନିର୍ବାଚନରେ ଜିତିଥିଲେ । ଗତ ୨୫ ବର୍ଷ ଧରି ନବୀନ ଓଡ଼ିଶାରେ ଅପ୍ରତିଦ୍ୱନ୍ଦ୍ୱୀ ନେତା ରହିଛନ୍ତି । ୨ ଥର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହେବା ପରେ ଓଡ଼ିଶା ଶାସନ ଭାର ସମ୍ଭାଳିଥିଲେ। କ୍ରମାଗତ ଭାବେ ୫ଥର ରାଜ୍ୟବାସୀ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ବାଛିଛନ୍ତି ।

ସାଢ଼େ ୪ କୋଟି ଓଡ଼ିଶାବାସୀ ନବୀନଙ୍କ ପରିବାର । ରାଜ୍ୟବାସୀଙ୍କ ସ୍ୱାର୍ଥ ଓ ସମୃଦ୍ଧି ପାଇଁ କାମ କରିଚାଲିଛନ୍ତି ନବୀନ । ବିକାଶର ନୂଆ ନକ୍ସା ଓ ପ୍ରଗତି ଧାରାକୁ ସାଥୀରେ ନେଇ ଉଇଁଥିଲା ସୁଶାସନର ନୂତନ ସୂର୍ଯ୍ୟ । ମୋ ସରକାରର ସଫଳତା, ବିଏସକେଓ୍ବାଇର ବରଦାନ, ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତାଠାରୁ ଶିକ୍ଷା, ସ୍ବାସ୍ଥ୍ୟ ଓ ଆଧ୍ୟାତ୍ମିକ କ୍ଷେତ୍ରର ନବକଳେବର । ତା’ ସହିତ କ୍ରୀଡ଼ା ଜଗତର ଗୌରବର ଗାଥା ଏବଂ ମିଶନ ଶକ୍ତିର ସଫଳତା। ନବୀନଙ୍କ ଲୋକପ୍ରିୟତା ଆଗରେ ଫେଲ ମାରୁଛନ୍ତି ବିରୋଧୀ ।