spot_img
Home Blog Page 4336

ଫେରିଲା ନ୍ୟାସନାଲ ହେରାଲ୍ଡ ମାମଲା, ରାହୁଲ ଓ ସୋନିଆ ଗାନ୍ଧିଙ୍କୁ ଇଡିର ସମନ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଇଡିର ସମନ । ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲଙ୍କ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜୁନ ୨ରେ ଇଡିରେ ହାଜର ହେବାକୁ ରାହୁଲଙ୍କୁ ସମନ ପଠାଯାଇଥିବା ବେଳେ ସୋନିଆଙ୍କୁ ୮ ଜୁନରେ ହାଜର ହେବାକୁ ନୋଟିସ କରାଯାଇଛି । ତେବେ ED, ସିବିଆଇ ଆଦି ଜାତୀୟ ସଂସ୍ଥାକୁ କେନ୍ଦ୍ର ସରକାର ଅପବ୍ୟବହାର କରୁଛି ବୋଲି କହିଛି କଂଗ୍ରେସ ।

କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଓ ରଣଦୀପ ସୂର୍ଯ୍ୟୋଓ୍ୱାଲା ସାମ୍ବାଦିକ ସମ୍ମିଳନୀ କରି ଏହି ଦାବି କରିଛନ୍ତି । ଅଭିଷେକ ମନୁ ସଂଘଭୀ କହିଛନ୍ତି ଯେ ଇଡିଙ୍କ ପଚରାଉଚରା ପାଇଁ ସୋନିଆ ଗାନ୍ଧି ନିଶ୍ଚିତ ଯିବେ । କିନ୍ତୁ ରାହୁଲ ଏବେ ବିଦେଶ ଗସ୍ତରେ ଥିବାରୁ ତାଙ୍କର ଇଡିର ହାଜିରା ନେଇ କଂଗ୍ରେସ ନେତା କିଛି ସ୍ପଷ୍ଟ ଭାବରେ କହିନାହାନ୍ତି । ଯଦି ରାହୁଲ ଜୁନ୍ ୮ ପୂର୍ବରୁ ବିଦେଶ ଗସ୍ତରୁ ଫେରି ଆସିଥିବେ ତେବେ ସେ ନିଶ୍ଚିତ ଭାବରେ ଇଡିରେ ହାଜର ହେବେ ବୋଲି ସିଂଘଭୀ କହିଛନ୍ତି । ନଚେତ ଏଥିଲାଗି ଅଧିକ ସମୟ ମଗାଯିବ ବୋଲି ସେ କହିଛନ୍ତି ।

କୋଲକାତାରେ କେକେଙ୍କୁ ଦିଆଗଲେ ରାଷ୍ଟ୍ରୀୟ ମର୍ଯ୍ୟାଦା

କୋଲକାତା: ବଲିଉଡର ଲୋକପ୍ରିୟ ଗାୟକ କ୍ରିଷ୍ଣାକୁମାର କୁନ୍ନାଥ ବା କେକେଙ୍କ ବିୟୋଗରେ ସଂଗୀତ ଜଗତ ସ୍ବବ୍ଧ ହୋଇଯାଇଛି। ମାତ୍ର ୫୩ ବର୍ଷ ବୟସରେ ଏହି ଲୋକପ୍ରିୟ ଗାୟକଙ୍କ ଅକାଳ ମୃତ୍ୟୁ ହୋଇଛି। କୋଲକାତାରେ ସଂଗୀତ ପରିବେଷଣ କରୁଥିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ। ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଆଜି କୋଲକାତାର ରବିନ୍ଦ୍ର ସଦନରେ ତାଙ୍କୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଥିସହ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ମଧ୍ଯ ଦିଆଯାଇଛି।

ଜଣାଇଦେବାକୁ ଚାହୁଁ ଯେ କେକଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଥିଲା। କିନ୍ତୁ ତାଙ୍କ ଓଠ ଓ ମୁଣ୍ଡରେ କ୍ଷତ ଚିହ୍ନ ଥିବା ଅଭିଯୋଗ ହୋଇଛି। ଅପମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ। କେକେଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି।

କେକେ ସାରା ଭାରତରେ ଜଣେ ଲୋକପ୍ରିୟ ଗାୟକ ଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ସେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଓ ବଙ୍ଗଳା ଆଦି ଭାଷାରେ ଅନେକ ଗୀତ ଗାଇଛନ୍ତି। କେକଙ୍କ  ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏହାସହ ବହୁ ସିନେ କଳାକାର ମଧ୍ଯ କେକେଙ୍କ ବିୟୋଗରେ ମର୍ମାହତ। ଅକ୍ଷୟ କୁମାର, ଶ୍ରେୟା ଘୋଷାଲ, ପ୍ରିତମଙ୍କ ପରି ଅନେକ ବଡ଼ ବଡ଼ ସେଲେବ୍ରିଟି ଟ୍ୱିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି।

କାହିଁକି ବାହାଘର କାର୍ଯ୍ୟକ୍ରମରେ ଗାଉ ନଥିଲେ କେକେ ? ଫିଲ୍ମ ଅଫରକୁ ବି କରିଛନ୍ତି ପ୍ରତ୍ୟାଖାନ

ନୂଆଦିଲ୍ଲୀ: ସମସ୍ତଙ୍କ ଆଖିରେ ଲୁହ ଦେଇ ଅଫେରା ବାଟରେ ଚାଲି ଯାଇଛନ୍ତି ବଲିଉଡର ସୁପ୍ରସିଦ୍ଧ ସୀଙ୍ଗର କୃଷ୍ଣକୁମାର କୁନ୍ନାଥ ଓରଫ କେକେ । କେକେଙ୍କ ପରଲୋକ ସଙ୍ଗୀତ ଜଗତକୁ ସ୍ତବ୍ଧ କରି ଦେଇଛି । କେବଳ ସଙ୍ଗୀତ କି ସିନେମା ଜଗତ ନୁହେଁ ପୂରା ଦେଶରେ ଖେଳି ଯାଇଛି ଶୋକର ଛାୟା । କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଅସୁସ୍ଥ ହୋଇ ପଡିଯିବା ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । କେକେଙ୍କ ନିଧନ ପରେ ତାଙ୍କୁ ନେଇ ବହୁତ କଥା ଶୁଣିବାକୁ ମିଳୁଛି । ଏହାରି ଭିତରେ ବିବାହ କାର୍ଯ୍ୟକ୍ରମରେ ଗାଇବାକୁ କେକେ ମନା କରିବା, ଫିଲ୍ମରେ ହିରୋ ହେବାର ଅଫରକୁ ହସି ହସି ପ୍ରତ୍ୟାଖାନ କରିଦେବା ସଙ୍ଗୀତ ପ୍ରତି ତାଙ୍କ ଭଲ ପାଇବାକୁ ପ୍ରତିବାଦିତ କରୁଛି । ଆସନ୍ତୁ ଜାଣିବା କେକେ କାହିଁକି ଫିଲ୍ମ ଓ ବାହାଘରରେ ଗାଇବାକୁ ମନା କରିଥିଲେ ।

ପ୍ରାୟ ସବୁ ସୀଙ୍ଗର ବିଭିନ୍ନ ବିବାହ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଶଣ କରିବା ଦେଖିଥିବେ । ହେଲେ ଏମାନଙ୍କ ମଧ୍ୟରୁ ବ୍ୟତିକ୍ରମ ଥିଲେ କେକେ । ଏକ ସାକ୍ଷାତକାରରେ ତାଙ୍କୁ ପଚରାଯାଇଥିଲା କଣ୍ଠଶିଳ୍ପୀ ଭାବେ ଆପଣ କୌଣସି ଅଫରକୁ ଗ୍ରହଣ କରିବାକୁ ମନା କରିଛନ୍ତି କି ? ଉତ୍ତରରେ କେକେ କହିଥିଲେ, ‘ମୁଁ ବିବାହ ଉତ୍ସବରେ ଗାଇବାକୁ ଆସୁଥିବା ଅଫରକୁ ଗ୍ରହଣ କରିନଥାଏ । ମୋତେ କୋଟିଏ ଟଙ୍କାର ଅଫର ଦେଲେ ବି ମୁଁ ବିବାହ ଉତ୍ସବରେ ଗାଇବି ନାହିଁ ।’

କିଛି କଣ୍ଠଶିଳ୍ପୀ ଆକ୍ଟିଂରେ ବି ନିଜ ଭାଗ୍ୟ ପରୀକ୍ଷା କରିଥିବା ଦେଖିଛନ୍ତି । ଏନେଇ କେକେଙ୍କୁ ପ୍ରଶ୍ନ ପଚରାଯିବାରେ ସେ କହିଥିଲେ, ‘ପ୍ଲିଜ… ଏହାକୁ ଛାଡ । ମୁଁ ପି-ନେଟ ପାଇଁ ଅଭିନୟ କରିପାରିବିନି । କିଛି ବର୍ଷ ପୂର୍ବେ ମୋତେ ଫିଲ୍ମ ଅଫର ଆସିଥିଲା, ଯାହାକୁ ମୁଁ ପ୍ରତ୍ୟାଖାନ କରିଦେଇଥିଲି ।

ଏଥିରୁ ସ୍ପଷ୍ଟ ଜଣାପଡୁଛି କେକେଙ୍କ ପ୍ରଥମ ଓ ଶେଷ ସମ୍ପର୍କ କେବଳ ସଙ୍ଗୀତ ସହ । ସଙ୍ଗୀତ ପ୍ରତି ପ୍ରେମ ତାଙ୍କ ଗୀତ ଓ ସ୍ବରରେ ପ୍ରତିଫଳିତ ହୋଇଥାଏ । କେକେ ତାଙ୍କର ପ୍ରଥମ ଗୀତ ଫିଲ୍ମ ‘ମାଚିସ’ର ଗୀତ ‘ଛୋଡ ଆଏ ହାମ…’ରୁ ଆରମ୍ଭ ହୋଇଥିଲା । ହେଲେ ଫିଲ୍ମ ‘ହମ୍ ଦିଲ୍ଲ ଦେ ଚୁକେ ସନମ’ର ଗୀତ ‘ତଡପ ତଡପ କେ ଇସ୍ ଦିଲ୍ଲ ସେ…’ ତାଙ୍କୁ ଦେଇଥିଲା ପରିଚୟ । ଏହାପରେ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାନ୍ତି । ତାଙ୍କର ଏହି ଗୀତ ଆଜି ବି ଲୋକଙ୍କ କନ୍ଦାଇବାକୁ ଶକ୍ତି ରଖିଛି । ହେଲେ କେକେଙ୍କ ଏମିତି ଅକାଳ ବିୟୋଗରେ ତାଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି ।

ମେଡିକାଲରେ ମାଡିଗଲା ଗାଡି, ଜଣେ ମୃତ

ଭଦ୍ରକ: ଭଦ୍ରକ ଆଗରପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଗାଡି ମାଡି ଯାଇ ଜଣେ ମୃତ, ୪ ଜଣ ଆହତ । ମେଡିକାଲ କାର୍ଯ୍ୟରେ ନିୟୋଜିତ ବୋଲେରୋ ରୋଗୀ ଓ ସମ୍ପର୍କୀୟଙ୍କୁ ଧକ୍କା ଦେଇଥିଲା । ମୃତକ ହେଉଛନ୍ତି ଆଗରପଡ଼ା ବର୍ଚ୍ଚିକୟାଁର ଶ୍ରୀଧର ଲେଙ୍କା ।

ଆଗରପଡା ମେଡିକାଲ କାର୍ଯ୍ୟରେ ନିୟୋଜିତ ଗାଡ଼ି ଭଦ୍ରକରୁ ଔଷଧ ଆଣି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିଲା । ଔଷଧ କାଢିବା ବେଳେ ଗାଡିରେ ଚାବି ଲାଗିଥିଲା । ସେହି ସମୟରେ କେହି ଗାଡିଟିକୁ ଷ୍ଟାର୍ଟ କରିଦେବା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା କୁହାଯାଉଛି । ମେଡିକାଲରେ ଚିକିତ୍ସାଧୀନ କିଛି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଉପରେ ଦ୍ରୁତ ବେଗରେ ଗାଡିଟି ଚଢି ଯାଇଥିଲା । ସେମାନେ ଛିଟିକି ପଡ଼ିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ଆହତଙ୍କ ମଧ୍ୟରୁ ଶ୍ରୀଧର ଲେଙ୍କାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି ।

ମହାନଦୀ ସମସ୍ୟାର ସମାଧାନ ପାଇଁ ଛତିଶଗଡ଼ କୁନ୍ଥକୁନ୍ଥ

ଭୁବନେଶ୍ବର: ମହାନଦୀ ସମସ୍ୟାର ସମାଧାନ ପାଇଁ ଛତିଶଗଡ଼ ସରକାରଙ୍କ ନାହିଁ ଆନ୍ତରିକତା । ମହାନଦୀ ଜଳ ପ୍ରବାହ ନେଇ ଛତିଶଗଡ଼କୁ ଗତ ମେ’ ୧୯ ତାରିଖରେ ଯୁଗ୍ମ ବୈଠକ ପାଇଁ ଚିଠି କରିଛି ରାଜ୍ୟ । ହେଲେ ଛତିଶଗଡ଼ ପକ୍ଷରୁ କିଛି ଜବାବ ଆସିନି । ଆଗାମୀ ବର୍ଷାଋତୁରେ ଓଡ଼ିଶାକୁ ଜଳ ପ୍ରବାହ ନେଇ କିପରି ପରିଚାଳନା କରାଯିବ ସେ ନେଇ ଚିଠିରେ ଉଲ୍ଲେଖ କରାଯାଇଛି । ଏନେଇ ଛତିଶଗଡ଼ର ମହାନଦୀ ମୁଖ୍ୟ ଯନ୍ତ୍ରୀଙ୍କ ସହ ଆଲୋଚନା କରାଯିବ । ହେଲେ ଏବେ ସୁଦ୍ଧା ଚିଠିର ଜବାବ ରଖିନି ଛତିଶଗଡ଼ ।

ଏପଟେ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ଛତିଶଗଡ଼ ପାଣି ଛାଡ଼ିବା ପରେ ହୀରାକୁଦର କ୍ଷମତା ଦେଖି ବନ୍ୟା ପରିସ୍ଥିତି ସଂପର୍କରେ ଜଣାପଡ଼ିବ । କେତେ ମାତ୍ରାରେ ପାଣି ଛାଡ଼ୁଛନ୍ତି, ତାହା ଦେଖିବାକୁ ପଡ଼ିବ । ଜୁନ୍‌ରେ ଭଲ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ପ୍ରଥମ ବର୍ଷାରେ ପ୍ରବାହ ଅଧିକ ରହିବ । ଦ୍ଵିତୀୟ ବର୍ଷାରେ ସମୀକ୍ଷା କରି ବନ୍ୟା କଥା କହି ହେବ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ଆଜିଠାରୁ ଜଳସମ୍ପଦ ହେଡକ୍ବାର୍ଟରରେ ବନ୍ୟା ନିୟନ୍ତ୍ରଣ ସେଲ ଖୋଲାଯାଇଛି । ଏହା ଜୁନ ୧ରୁ ଅକ୍ଟୋବର ୩୧ ଯାଏଁ ଖୋଲା ରହିବ । ଏଥିସହ ସର୍କଲ ଓ ଡିଭିଜନ ଅଫିସରେ ବି ବନ୍ୟା ନିୟନ୍ତ୍ରଣ ସେଲ ଖୋଲାଯାଇଛି ।

କେକେଙ୍କ ମୃତ୍ୟୁରେ ନୂଆ ଖୁଲାସା; ଓଠ ଓ ମୁଣ୍ଡରେ ଅଛି କ୍ଷତ ଚିହ୍ନ

କୋଲକାତା: ଲୋକପ୍ରିୟ ଗାୟକ କ୍ରିଷ୍ଣାକୁମାର କୁନ୍ନାଥ ଓରଫ କେକେଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଆକସ୍ମିକ ବିୟୋଗରେ ସଂଗୀତପ୍ରେମୀ ସ୍ବବ୍ଧ ହୋଇଛନ୍ତି। ସମସ୍ତଙ୍କର ପ୍ରିୟ କେକେ ଯେ, ଏମିତି ଅବେଳରେ ଚାଲିଯିବେ, ତାହା କେହି ସହଜରେ ବିଶ୍ବାସ କରୁନାହାନ୍ତି। କୋଲକାତାରେ ଏକ ଶୋ କରୁଥିବା ବଳେ ହଠାତ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା । ହସପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବରୁ ତାଙ୍କର ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଥିଲା । କିନ୍ତୁ ଏବେ କେକେଙ୍କ ଓଠ ଓ ମୁଣ୍ଡରେ କ୍ଷତ ଚିହ୍ନ ଥିବା ଅଭିଯୋଗ ହୋଇଛି। ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ଅନ୍ୟପଟେ କେକେଙ୍କ ପରିବାର ଆଜି ସକାଳେ କୋଲକାତାରେ ପହଞ୍ଚିଛନ୍ତି । କେକେଙ୍କ ମୃତ୍ୟୁକୁ ନେଇ ନ୍ୟୁ ମାର୍କେଟ ପୋଲିସ ଷ୍ଟେସନରେ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ ହୋଇଛି। କେକେଙ୍କ ମୃତ୍ୟୁର କାରଣ କେବଳ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡ଼ିବ। କେକେ ସାରା ଭାରତରେ ଜଣେ ଲୋକପ୍ରିୟ ଗାୟକ ଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଓ ବଙ୍ଗଳା ଆଦି ଭାଷାରେ ଅନେକ ଗୀତ ଗାଇଛନ୍ତି କେକେ ।

କେକଙ୍କ  ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏହାସହ ବହୁ ସିନେ କଳାକାର ମଧ୍ଯ କେକେଙ୍କ ବିୟୋଗରେ ମର୍ମାହତ। ଅକ୍ଷୟ କୁମାର, ଶ୍ରେୟା ଘୋଷାଲ, ପ୍ରିତମ୍ଙ୍କ ପରି ଅନେକ ବଡ଼ ବଡ଼ ସେଲେବ୍ରିଟି ଟ୍ୱିଟ କରି ଶୋକ ବ୍ୟକ୍ତ କରିଛନ୍ତି।

ଝରକା ତାଡି ୧୦ ଲକ୍ଷ ଟଙ୍କାର ଗହଣା ଲୁଟି ନେଲେ

ଭୁବନେଶ୍ବର: ରାଜଧାନୀରେ ଲୁଟେରା ରାଜ । ପୁଣି ଏକ ଲୁଟ । ଝରକା ତାଡି ଲୁଟି ନେଲେ ୧୦ ଲକ୍ଷ ଟଙ୍କାର ଗହଣା । ଜାଗମରା କ୍ରିଷ୍ଣା ଗାର୍ଡନ ଫେଜ-୧ରୁ ହୋଇଛି ଚୋରି ।

ଅଭିଯୋଗ ଅନୁସାରେ, ଜାଗମରା ଅଞ୍ଚଳର ମାନିନୀ ମିଶ୍ର ଓ ତାଙ୍କ ସ୍ବାମୀ ସୋମବାର ପୁରୀ ଯାଇଥିଲେ । ପୁଅ ତାଲା ପକାଇ ବାହାରକୁ ଖେଳିବାକୁ ଯାଇଥିଲେ । ପୁଅ ଘରକୁ ଫେରିବା ପରେ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଏହାସହ ଆଲମିରା ଲକ୍ ମଧ୍ୟ ଭଙ୍ଗା ହୋଇ ଖୋଲା ପଡ଼ିଥିଲା । ସେଥିରେ ଥିବା ୩ଟି ସୁନା ଚେନ, ୫ ହଳ ସୁନା କାନଫୁଲ, ୩ ହଳ ସୁନା ଶଙ୍ଖା, ୨ ହଳ ଚୁଡି, ୩ ଟା ସୁନା ମୁଦି, ଗୋଟିଏ ସୁନା ଲକେଟ୍, ୪ ହଳ ରୂପା ପାଉଁଜି ଓ ୩ ହଳ ଝୁଣ୍ଟିଆକୁ ଦୁର୍ବୃତ୍ତମାନେ ଚୋରି କରି ନେଇଥିବା ଅଭିଯୋଗ ହୋଇଛି ।

ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି ମାନିନୀ । ଖଣ୍ଡଗିରି ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳର ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜରୁ 3 ଜଣ ଲୁଟେରା ଆସି ଲୁଟ୍ କରି ଥିବା ଜଣାପଡ଼ିଛି ।

ରସିକିଆ ଏଲଆଇସି ଏଜେଣ୍ଟଙ୍କ ୭ ପତ୍ନୀ

ଖୋର୍ଦ୍ଧା: ରସିକିଆ ଏଲଆଇସି ଏଜେଣ୍ଟଙ୍କ ୭ ପତ୍ନୀ । ସାବିତ୍ରୀରେ ଖୋଲିଲା ଏଲଆଇସି ଏଜେଣ୍ଟ ସନ୍ତୋଷ ବେହେରାଙ୍କ ଚୋରା ପିରତି । ଜଣେ ପତ୍ନୀଙ୍କୁ ଭରଣପୋଷଣ ଦେଇ ନପାରିବାରୁ ବାନ୍ଧି ନେଲା ପୋଲିସ୍  । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ରତନପୁର ଗାଁରେ ।

ଜଣେ ସ୍ତ୍ରୀରେ ଭରୁ ନଥିଲା ମନ । ବାରମ୍ବାର ସ୍ତ୍ରୀ ବଦଳାଇବା ସହ ନିଜର ପରିଚୟ ବି ବଦଳାଉଥିଲା ସନ୍ତୋଷ । କେବେ ଏଲଆଇସି ଏଜେଣ୍ଟ, ତ କେବେ ବ୍ୟାଙ୍କ ଅଫିସର । କେବେ ପୁଣି ବ୍ଲକ୍ ଅଫିସରେ କର୍ମଚାରୀ ଥିବା ଦେଉଥିଲା ପରିଚୟ । ବିଶେଷକରି ବିଧବା ଓ ସ୍ବାମୀ ପରିତ୍ୟକ୍ତା ତଥା ଅସହାୟ ମହିଳାଙ୍କୁ କରୁଥିଲା ଟାର୍ଗେଟ୍ । ମହିଳାଙ୍କର ଅଭିଯୋଗ ପରେ ଟାଙ୍ଗୀ ପୋଲିସ୍ ରସିକିଆ ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ତାରିଣୀ ସାହିର ସନ୍ତୋଷ LIC ଏଜେଣ୍ଟ ଭାବେ କରନ୍ତି । ପ୍ରଥମେ ସୋରଣ ଗାଁ ଝିଅକୁ ବିବାହ କରିଥିଲେ । ପରେ ପ୍ରେମ ଫାଶରେ ଫସାଇଥିଲେ ବାଣପୁର ଭୀମପୁର ଗାଁର ଜଣେ ଯୁବତୀଙ୍କୁ । ଉଭୟଙ୍କର ୭ ବର୍ଷର କନ୍ୟା ସନ୍ତାନ ବି ରହିଛି । ଦ୍ବିତୀୟ ପତ୍ନୀଙ୍କୁ ଛାଡ଼ି ରତନପୁର ଗାଁର ଆଉ ଜଣେ ଯୁବତୀଙ୍କୁ କଲେ ପ୍ରେମ ବିବାହ । ତାଙ୍କର ମଧ୍ୟ ଏକ କନ୍ୟା ସନ୍ତାନ ରହିଛି । ତାଙ୍କୁ ଛାଡ଼ି ପୁଣି କୁହୁଡି ପାଟଣା ସାହିର ଜଣଙ୍କୁ ବିବାହ କରିଥିଲେ ଲମ୍ପଟ ସନ୍ତୋଷ । ଏପରି ଭାବେ ୭ ଜଣଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରି ପୁଣି ଛାଡ଼ି ଦେଉଥିଲେ ସନ୍ତୋଷ ।

ଭୁଲ ରକ୍ତ ଯୋଗୁଁ ରୋଗୀ ମୃତ୍ୟୁ ଘଟଣା: ୩ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୁଲ ରକ୍ତ ଯୋଗୁଁ ୨ ରୋଗୀଙ୍କ ମୃତ୍ୟୁ ଘଟଣାରେ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ୨ ଜଣ ଏଲଟି ଓ ଜଣେ ସହାୟକଙ୍କୁ ମିଶାଇ ୩ ଜଣଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି ସିଡିଏମଓ । ଦେଢମାସ ଭିତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା ।

ରାଇସୁଆଁ ପଞ୍ଚାୟତ ସାହୁସାହିର ସୁନି ସାହୁ ଅସୁସ୍ଥତା କାରଣରୁ ୨ ୟୁନିଟ୍ ବି-ପଜିଟିଭ ରକ୍ତ ଦିଆଯାଇଥିଲା । ପରେ ଅଧିକ ଅସୁସ୍ଥ ହୋଇ ପଡ଼ିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ରକ୍ତ ନମୂନା ପରୀକ୍ଷା କରାଯିବାରେ ତାହା AB Positive ଜଣାପଡ଼ିଥିଲା । ସେଠାରେ ତାଙ୍କୁ AB Positive ରକ୍ତ ଦିଆଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ୨୭ ତାରିଖରେ ସେ ପ୍ରାଣ ହରାଇଥିଲେ । ସେହିପରି ସଦର ବ୍ଳକ କଣ୍ଡରାପଶି ଗାଁର ଦାମୁ ମୁଣ୍ଡା ଏପ୍ରିଲ୍ ୧ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭତ୍ତି ହେବା ପରେ ତାଙ୍କୁ A Positive ରକ୍ତ ବଦଳରେ B Positive ରକ୍ତ ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।

ଦିବ୍ୟାଙ୍ଗ ପ୍ରଶଂସକ ଲାବଣ୍ୟାଙ୍କ ପାଖରେ ପହଞ୍ଚିଲେ ଧୋନୀ, ପୋଛି ଦେଲେ ଲୁହ

ନୂଆଦିଲ୍ଲୀ: ଇଣ୍ଟର ନ୍ୟାସନାଲ କ୍ରିକେଟକୁ ଅଲବିଦା କରି ସାରିଥିବା ମିଷ୍ଟର କୁଲ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରେଜ୍ କିନ୍ତୁ କମିନି । ତାଙ୍କର ଗୋଟିଏ ଝଲକ ପାଇବାକୁ ଓ ତାଙ୍କୁ ପାଖରେ ଦେଖିବା ପାଇଁ ପ୍ରଶଂସକ ପାଗଳ । ଯେବେ ଦିବ୍ୟାଙ୍ଗ ଝିଅ ଲାବଣ୍ୟା ପିଲାନିୟାଙ୍କୁ ଭେଟିବାକୁ ଧୋନୀ ତାଙ୍କ ପାଖରେ ପହଞ୍ଚି ଗଲେ, କୋହ ସମ୍ଭାଳି ନପାରି କାନ୍ଦି ପକାଇ ଥିଲେ ଲାବଣ୍ୟା । ଆଉ ମିଷ୍ଟର କୁଲ୍ ତାଙ୍କ ଆଖିରୁ ଲୁହ ପୋଛି ଦେଇ ନକାନ୍ଦିବାକୁ କହିଥିଲେ ।

ଲାବଣ୍ୟା ଧୋନୀଙ୍କ ଜଣେ ବଡ ପ୍ରଶଂସକ । ତାଙ୍କର ଗୋଟିଏ ଇଚ୍ଛା ଥିଲା କେମିତି ଧୋନୀଙ୍କ ସହ ସାକ୍ଷାତ କରିବେ । ଧୋନୀ ଏ ସମ୍ପର୍କରେ ଜାଣିବା ପରେ ଲାବଣ୍ୟାଙ୍କ ପାଖରେ ପହଞ୍ଚି ଯାଇଥିଲେ । ଧୋନୀଙ୍କ ସହ ଭେଟର ଫଟୋ ଲାବଣ୍ୟା ନିଜ ଇଣ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ତାଙ୍କ ସହ ସାକ୍ଷାତର ସେହି ମୁର୍ହୃତ୍ତ ଶବ୍ଦରେ ପରିପ୍ରକାଶ କରି ହେବନି । ସେ ଜଣେ ଦୟାଳୁ, ମୃଦୁଭାଷି ଓ ସ୍ନେହି ମଣିଷ । ସେ ଯେତେବେଳେ ମୋ ନାଁର ସ୍ପେଲିଂ ପଚାରିଲେ ଓ ହାତ ହଲାଇଲେ ମୋ ଆଖିରୁ ଲୁହ ଝରି ଯାଇଥିଲା । ସେ ମୋ ଲୁହ ପୋଛି ଦେବା ସହ ନକାନ୍ଦିବାକୁ କହିଥିଲେ । ଏହା ମୋ ଜୀବନର ସବୁଠାରୁ ଖୁସିର ସମୟ ଥିଲା ।’

ଧୋନୀଙ୍କୁ ଦେଲେ ସ୍ପେଶାଲ ଗିଫ୍ଟ

ନିଜ ପ୍ରିୟ ମଣିଷକୁ ଲାବଣ୍ୟା ଦେଇଥିଲେ ଏକ ସ୍ପେଶାଲ ଗିଫ୍ଟ । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ତାଙ୍କୁ ଗିଫ୍ଟ ଦେବା ପରେ ସେ ମୋତେ ଧନ୍ୟବାଦ ଜଣାଇଥିଲେ । ଏହି ଗିଫ୍ଟକୁ ସେ ନିଜ ପାଖରେ ସବୁଦିନ ରଖିବେ ବୋଲି କହିଥିଲେ । ସେ ମୋତେ ଯାହା କହିଲେ, ସାରା ଜୀବନ ମନେ ରହିବ । ସେ ନିଜର ବହୁମୂଲ୍ୟ ସମୟ ମୋତେ ଦେଇଛନ୍ତି, ଯାହାକୁ ମୁଁ ଶବ୍ଦରେ ପ୍ରକାଶ କରିପାରିବିନ । ୨୦୨୨ ମେ ୩୧ ମୋ ପାଇଁ ସବୁବେଳେ ଖାସ ରହିବ ।’