spot_img
Home Blog Page 4337

କେନ୍ଦ୍ରକୁ ଜବାବ: ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶରେ କୌଣସି ତ୍ରୁଟି ନାହିଁ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶରେ କୌଣସି ତ୍ରୁଟି କି ଭୁଲ ନାହିଁ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ କେନ୍ଦ୍ରକୁ ସ୍ପଷ୍ଟୀକରଣ ଦେଇଛନ୍ତି । ଅଧ୍ୟାଦେଶକୁ ନେଇ ଯେଉଁ ଆପତ୍ତି ଉଠାଇଥିଲା କେନ୍ଦ୍ର, ସେସବୁର ବିସ୍ତୃତ ଭାବେ ଉତ୍ତର ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ୨୦୨୦କୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟପାଳଙ୍କୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ଲିଙ୍ଗରାଜ ମନ୍ଦିରର ପୂଜା ଓ ସେବାକୁ ସୁବ୍ୟବସ୍ଥିତ କରିବା ପାଇଁ ଅଧ୍ୟାଦେଶରେ ଅନେକ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଏହାକୁ ନେଇ ବିବାଦ ସୃଷ୍ଟି ହେବା ସହ ଆମସାର ଆଇନର ଉଲ୍ଲଂଘନ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

ଏକାମ୍ର କ୍ଷେତ୍ର ପ୍ରକଳ୍ପରେ ଆମସାର ଆଇନର ଉଲ୍ଲଂଘନ ହୋଇନଥିବା ନେଇ ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି । ଅଧ୍ୟାଦେଶର ଯେଉଁ ଯେଉଁ ପ୍ରସ୍ତାବ ଉପରେ କେନ୍ଦ୍ର ଆପତ୍ତି ଉଠାଇଥିଲା, ସେସବୁର ଉତ୍ତର ରଖିଛନ୍ତି ମୁଖ୍ୟ ଶାସନ ସଚିବ । କେନ୍ଦ୍ର ସରକାର ମାଗିଥିବା ସ୍ପଷ୍ଟୀକରଣରେ ଆମସାର ଆଇନର ପ୍ରତ୍ୟେକ ଧାରାକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟ ଶାସନ ସଚିବ । ବିଧାନସଭା ଦ୍ବାରା ଅଧ୍ୟାଦେଶ ପାରିତ ହୋଇଥିବା ବେଳେ, ଏଥିରେ ପ୍ରତ୍ୟେକ ଦିଗକୁ ଗୁରୁତ୍ବ ଦିଆଯାଇଥିବାରୁ ଆମସାର ଆଇନର ଉଲ୍ଲଂଘନ ହୋଇନଥିବା ଚିଠିରେ ସ୍ପଷ୍ଟ ହୋଇଛି । ଉଠା ଦୋକାନୀଙ୍କ ଥଇଥାନ ପାଇଁ ଜଗନ୍ନାଥ ମନ୍ଦିର ପରିସର ଭଳି ଯାଞ୍ଚ କରାଯାଇ ନିର୍ଦ୍ଦିଷ୍ଟ ପୂଜା ସାମଗ୍ରୀ ଦୋକାନୀଙ୍କ ଏକାମ୍ର କ୍ଷେତ୍ର ପ୍ରକଳ୍ପ ଯୋଜନାରେ ସାମିଲ କରାଯାଇଛି । ଏଥିରେ ମଧ୍ୟ କୌଣସି ଆଇନର ଉଲ୍ଲଂଘନ ହୋଇନାହିଁ । ସେହିପରି ପୁରାତନ କୀର୍ତ୍ତିରାଜି ସଂରକ୍ଷଣ ପାଇଁ ଥିବା ଜାତୀୟ ନୀତି ଅନୁସାରେ ହିଁ ପ୍ରକଳ୍ପର ଡିଜାଇନ୍ କରାଯାଇଛି ।

ମନ୍ଦିରର ପରିଚାଳନା ଓ ଦେଖାରଖାକୁ ସୁବ୍ୟବସ୍ଥିତ କରିବା ଅଧ୍ୟାଦେଶର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏହି ଅଧ୍ୟାଦେଶ କାର୍ଯ୍ୟକାରୀ ହେଲେ ରାଜ୍ୟର ସମସ୍ତ ମନ୍ଦିର ଦାୟିତ୍ବ କଥା ବୁଝୁଥିବା ଦେବୋତ୍ତର କମିଶନଙ୍କ ବୋଝ କମିବ । ତେଣ ଏହି ଅଧ୍ୟାଦେଶକୁ ଶୀଘ୍ର ପାରିତ କରିବାକୁ ଚିଠିରେ ଉଲ୍ଲେଖ ରହିଛି ।

ସ୍କୁଲ ପ୍ରେମିକାକୁ କରିଥିଲେ ଜୀବନ ସାଥୀ, ଜାଣନ୍ତୁ କେମିତି ଆରମ୍ଭ ହୋଇଥିଲା ‘କେକେ’ଙ୍କ ଲଭଷ୍ଟୋରୀ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ କ୍ରୀଷ୍ଣକୁମାର କୁନ୍ନାଥ ତଥା କେକେଙ୍କ ଦେହାନ୍ତରେ ସାରା ବଲିଉଡ ସ୍ତବ୍ଧ ହୋଇଯାଇଛି । ୫୩ ବର୍ଷୀୟ କେକେଙ୍କର ଏମିତି ହଠାତ୍ ଦେହାନ୍ତ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳାଇ ଦେଇଛି । ନିଜ ସୁରିଲା କଣ୍ଠର ଯାଦୁରେ କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିବା କେକେ ଯେ ଆଉ ନାହାଁନ୍ତି, ତାହା ବିଶ୍ୱାସ କରିହେଉନି।

ପିଏମ ମୋଦୀ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ନବୀନ ପଟ୍ଟନାୟକ, ଅକ୍ଷୟ କୁମାର, ଶ୍ରେୟା ଘୋଷାଲ, କୁମାର ସାନୁଙ୍କ ପରି ଅନେକ ବଡ ବ୍ୟକ୍ତିତ୍ୱ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ୟାଦ୍ ଆୟେଙ୍ଗେ ୟେ ପଲ୍…, ୟାରୋଁ ଦୋସ୍ତି ବଡ଼ି ହସିନ୍ ହେ… ଭଳି ଏଭରଗ୍ରିନ୍ ହିଟ୍ ଗୀତ ଗାଇଥିବା ‘କେକେ’ କେବେ କୌଣସି ଟ୍ରେନିଂ ନେଇନାହାଁନ୍ତି। କେକେଙ୍କ ପିଲା ବେଳର ପ୍ରେମ ଓ କିଛି ଜଣାଅଜଣା ବିଷୟକୁ ନେଇ ବିଶେଷ ଉପସ୍ଥାପନା ।

କେବେ ନେଇ ନାହାଁନ୍ତି ଟ୍ରେନିଂ

କେକେ ୨୩ ଅଗଷ୍ଟ ୧୯୬୮ରେ ଦିଲ୍ଲୀରେ ଏକ ହିନ୍ଦୁ ମାଲାୟାଲୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଦିଲ୍ଲୀର ମାଉଣ୍ଟ ସେଣ୍ଟ ମେରି ସ୍କୁଲରୁ ପାଠପଢ଼ା ଆରମ୍ଭ କରିଥିଲେ । ଏହା ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋଡ଼ି ମଲ କଲେଜରୁ ସ୍ନାତକ ହାସଲ କରିଥିଲେ । ୧୯୯୯ ମସିହାରେ ସେ କ୍ରିକେଟ୍ ବିଶ୍ୱକପରେ ଭାରତୀୟ ଦଳକୁ ସମର୍ଥନ କରି ଜୋସ୍ ଅଫ୍ ଇଣ୍ଡିଆ ଗୀତ ଗାଇଥିଲେ । ଏଥି ସହିତ, ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ସେ ପ୍ରାୟ ୩୫୦୦ ଜିଙ୍ଗଲ୍ ଗାଇଥିଲେ । କେକ ଆରଡି ବର୍ମନ ଓ କିଶୋର କୁମାରଙ୍କର ବହୁତ ବଡ଼ ଫ୍ୟାନ ଥିଲେ ।

‘ପଲ୍’ରୁ ମିଳିଲା ପରିଚୟ

୧୯୯୯ ମସିହାରେ ମ୍ୟୁଜିକ୍ ଆଲବମ୍ ‘ପଲ୍’ରୁ କେକେଙ୍କୁ ମିଳିଥିଲା ପରିଚୟ । ଏହି ଆଲବମର ‘ୟାଦ୍ ଆୟେଙ୍ଗେ ୟେ ପାଲ୍…’ ଗୀତଟି ବହୁତ ଲୋକପ୍ରିୟ ହୋଇଥିଲା । ଏହା ବ୍ୟତୀତ ‘ୟାରୋଁ ଦୋସ୍ତି ବାଡି ହାଏ ହସିନ୍…’ ଭଳି ଗୀତଗୁଡିକ ବହୁତ ପସନ୍ଦ ଆସିଥିଲା । ଏହି ଦୁଇଟି ଗୀତ ୯୦ ଦଶକରୁ ଆଜି ଯାଏଁ ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ହୋଇ ରହିଆସିଛି । କେକେ ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ, ମରାଠୀ, ବଙ୍ଗାଳୀ ଏବଂ ଗୁଜରାଟୀ ଭାଷାରେ ଗୀତ ଗାଇଛନ୍ତି ।

କେକେ ନିଜ ପ୍ରାୟ ୩ ଦଶନ୍ଧିର କ୍ୟାରିୟର୍ ମଧ୍ୟରେ ହିନ୍ଦୀରେ ୫୦୦ରୁ ଅଧିକ ଗୀତ ଏବଂ ତେଲୁଗୁ, ବଙ୍ଗାଳୀ, କନ୍ନଡ ଓ ମାଲାୟାଲମ୍ ଭାଷାରେ ୨୦୦ରୁ ଅଧିକ ଗୀତ ଗାଇଛନ୍ତି । ଏଥି ସହିତ, ସେ ୨୦୦୦ ମସିହାରେ ସଲମାନ ଖାନ ଐଶ୍ୱର୍ଯ୍ୟା ରାଇଙ୍କ ଫିଲ୍ମ ‘ହମ୍ ଦିଲ ଦେ ଚୁକେ ସାନମ’ ‘ତଡ଼ପ-ତଡ଼ପ କେ…’ ଗୀତ ପାଇଁ ତାଙ୍କୁ ପ୍ରଥମ ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା ।

ପିଲାବେଳର ପ୍ରେମିକାଙ୍କୁ କରିଥିଲେ ବିବାହ

କେକେ ନିଜର ବ୍ୟକ୍ତିଗତ ଜୀବନକୁ ସବୁବେଳେ ଗଣମାଧ୍ୟମରୁ ଦୂରେଇ ରଖିଥିଲେ । ଅନେକ ଲୋକ ଜାଣନ୍ତି ନାହିଁ ଯେ କେକେ ତାଙ୍କ ପିଲାଦିନର ପ୍ରେମିକାଙ୍କୁ ବିବାହ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ହେଉଛି ଜ୍ୟୋତି । ଜ୍ୟୋତିଙ୍କ ସହିତ ତାଙ୍କର ଦୁଇଟି ସନ୍ତାନ, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ସ୍କୁଲରୁ ହିଁ ଆରମ୍ଭ ହୋଇଥିଲା କେକେଙ୍କ ପ୍ରେମ କାହାଣୀ । ଜ୍ୟୋତିଙ୍କୁ ଷଷ୍ଠରେ ପଢିବା ବେଳେ ସେ ହୃଦୟ ଦେଇ ବସିଥିଲେ । ସାରା ଜୀବନ ତାଙ୍କ ସହ ଡେଟ୍ କରିଥିଲେ ଓ ତାଙ୍କୁ ହିଁ ଜୀବନ ସାଥୀ ଭାବେ ଗ୍ରହଣ କରିଥିଲେ । ଲାଜକୁଳା ସ୍ବଭାବର କେକେ କେବଳ ଜ୍ୟୋତିଙ୍କ ସହ ହିଁ ଭଲ ଭାବେ ମିଶି ପାରୁଥିଲେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ସଙ୍ଗୀତରେ ରେମାଣ୍ଟି କିଙ୍ଗ କୁହାଯାଉଥିବା କେକେ ଜ୍ୟୋତିଙ୍କ ବ୍ୟତୀତ ଅନ୍ୟ କୌଣସି ଝିଅ ସହ କଥା ହେବାକୁ ମଧ୍ୟ ସାହସ କରିପାରୁ ନଥିଲେ । ତାଙ୍କୁ ନେଇ ଜ୍ୟୋତି ଏକ ବଡ ଖୁଲାସା କରିଥିଲେ । ଏଥିରେ ସେ କେକେଙ୍କ ଓ୍ବାନ ଓ୍ବାଇଫ୍ ମ୍ୟାନ୍ ବୋଲି କହିଥିଲେ ।  ଦି କପିଲ ଶର୍ମା ସୋ’ରେ ଥରେ କେକେ କହିଥିଲେ, ‘ମୁଁ ମୋ ଜୀବନରେ କେବଳ ଗୋଟିଏ ଝିଅକୁ ଡେଟ୍ କରିଥିଲି ଏବଂ ସେ ମୋର ପତ୍ନୀ ଜ୍ୟୋତି । ମୁଁ ଜଣେ ବହୁତ ଲାଜୁଆ ଲୋକ ଥିଲି ଏବଂ ତାଙ୍କୁ ସଠିକ୍ ଭାବରେ ଡେଟ ମଧ୍ୟ କରି ପାରୁନଥିଲି । ଏହାକୁ ନେଇ ବେଳେ ବେଳେ ମୋ ପିଲାମାନେ ମୋତେ ଥଟ୍ଟା କରନ୍ତି ।

ବିବାହ ପାଇଁ କରିଥିଲେ ସେଲସ୍ ମ୍ୟାନ ଚାକିରି

କେକେ ଏବଂ ଜ୍ୟୋତି ପିଲାଦିନରୁ ଏକାଠି ଥିଲେ । 1991ରେ ଉଭୟ ବିବାହ କରିଥିଲେ । କିନ୍ତୁ ବିବାହ କରିବା ପାଇଁ କେକଙ୍କୁ ନିଜ ପାଇଁ ଚାକିରି ଖୋଜିବାକୁ ପଡ଼ିଲା । ବହୁତ ଖୋଜାଖୋଜି ପରେ ଯେତେବେଳେ ସେ କିଛି ପାଇଲେ ନାହିଁ, ସେତେବେଳେ ସେ ଜଣେ ସେଲ୍ସ ମ୍ୟାନ ଚାକିରି କରିଥିଲେ । ଏହାପରେ ସେମାନେ ବିବାହ କଲେ । ମାତ୍ର ୬ ମାସ ମଧ୍ୟରେ ସେ ତାଙ୍କ ଚାକିରିରେ ବହୁତ ଅସୁବିଧାର ସମ୍ମୁଖୀନ ହେଲେ । ଏହାପରେ ସେ ତାଙ୍କ ପତ୍ନୀ ଏବଂ ପିତାଙ୍କ ସମର୍ଥନରେ ସଂଗୀତ ଦୁନିଆରେ ପାଦ ଦେଲେ । ଆଉ ଧୀରେ ଧୀରେ ମ୍ୟୁଜିକ ଓ ଫିଲ୍ମ ଇଣ୍ଡଷ୍ଟ୍ରୀରେ କ୍ରୀଷ୍ଣକୁମାରରୁ କେକେ ବ୍ରାଣ୍ଡ ବନି ଯାଇଥିଲେ ।

 

ପିସିସି ସଭାପତି ଦାୟିତ୍ବ ନେବେ ଶରତ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ରାଜ୍ୟ କଂଗ୍ରେସର ଦୁଇ ଦିନିଆ ଚିନ୍ତନ ଶିବିର । ରାଜସ୍ଥାନର ଉଦୟପୁରରେ ହୋଇଥିବା ଚିନ୍ତନ ଶିବିର ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ତ୍ରୁଣମୂଳ ସ୍ତରରୁ ପିସିସି ପର୍ଯ୍ୟନ୍ତ ମତାମତ ଲୋଡିବ ଦଳ । ଏହାସହ ସେହିପରି ଆଜିଠୁ ପିସିସି ସଭାପତି ଭାବେ ଦାୟିତ୍ବ ନେବେ ଶରତ ପଟ୍ଟନାୟକ ।

ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଚିନ୍ତନ ଶିବିରରେ ପିସିସି ସଭାପତି, ପୂର୍ବତନ ପିସିସି ସଭାପତି, ସାଂସଦ, ବିଧାୟକ, ଜିଲ୍ଲା ଓ ବ୍ଲକ ସଭାପତି ଓ ଛାମୁଆ ସଙ୍ଗଠନର କର୍ମକର୍ତ୍ତମାନେ ସାମିଲ ହେବେ । ଆଗାମୀ ଦିନରେ କଂଗ୍ରେସ କିପରି କ୍ଷମତାକୁ ଫେରିବ, ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଏହାସହ ପରିବାରରୁ ଜଣଙ୍କୁ ଟିକେଟ, ୫୦ ପ୍ରତିଶତ ଯୁବକଙ୍କୁ ଟିକେଟ ଓ ଦଳରେ ଶୃଙ୍ଖଳା କିପରି ରହିବ, ତାହା ଚିନ୍ତନ ବୈଠକରେ ଫୋକସ କରାଯିବ ।

ନନ୍ଦନକାନନରେ ଭାଲୁ ମୃତ

ଭୁବନେଶ୍ବର: ନନ୍ଦନକାନନରୁ ପୁଣି ଏକ ଦୁଃଖଦ ଖବର । ଜୀବନ ହାରିଲା ଭାଲୁ । ଗତ ୪ ତାରିଖରେ କୋରାପୁଟ ରେଞ୍ଜରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ନନ୍ଦନକାନନ ଅଣା ଯାଇଥିଲା । ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଭାଲୁର ମୃତ୍ୟୁ ପରେ ନନ୍ଦନକାନନରେ ଦେଶୀ ଭାଲୁଙ୍କ ସଂଖ୍ୟା ୧୪କୁ ହ୍ରାସ ପାଇଛି ।

ସୂଚନାଯୋଗ୍ୟ, ଗତ ୨୮ ତାରିଖରେ ସାପ କାମୁଡାରେ ନ୍ଦନକାନନରେ ଆଫ୍ରିକୀୟ ସିଂହୀ ଗଙ୍ଗାର ମୃତ୍ୟୁ ଘଟିଥିଲା । ୨୦୧୫ରେ ସିଂହୀକୁ ଇସ୍ରାଏଲରୁ ଅଣଶଯାଇଥିଲା ।

ଦେଶୀ ବନ୍ଧୁକରେ ଗୁଳି କରି ସ୍ତ୍ରୀକୁ ହତ୍ୟା

ବୌଦ୍ଧ: ପାରିବାରିକ କଳହରୁ ହତ୍ୟା । ଦେଶୀ ବନ୍ଧୁକରେ ପତ୍ନୀଙ୍କୁ ଗୁଳି କରି ହତ୍ୟା କଲା ମଦ୍ୟପ ସ୍ବାମୀ । ହତ୍ୟା ପରେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଗାଁ ଲୋକେ ଧରି ଦେଲେ ପୋଲିସ ଜିମା । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଗେରେଡିସାହିରେ ଘଟିଛି ଏହି ଘଟଣା ।

ଅଭିଯୋଗ ଅନୁସାରେ, ଗେରେଡିସାହିର ରୋହିତ ମଲ୍ଲିକ ଏବଂ ତାଙ୍କ ପତ୍ନୀ ଗୀତାଞ୍ଜଳି ମଲ୍ଲିକଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଦେଖା ଦେଇଥିଲା । ବହୁ ସମୟ ଧରି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରୋହିତ ପାଖରେ ରଖିଥିବା ଦେଶୀ ବନ୍ଧୁକରେ ଗରତାଞ୍ଜଳିଙ୍କୁ ଗୁଳି ମାରିଥିଲେ । ଘଟଣା ସ୍ଥଳରେ ହିଁ ଗୀତାଞ୍ଜଳିଙ୍କ ମୃତ୍ୟୁ ହୋଇଯାଇଥିଲା ।

ସ୍ତ୍ରୀକୁ ହତ୍ୟା କରିବାକୁ ରୋହିତ ଖସି ଯିବାକୁ ଚେଷ୍ଟା କରିଥିଲା । ହେଲେ ଗ୍ରାମବାସୀ ଏକାଠି ହୋଇ ତାଙ୍କୁ ମାଡି ବସିଥିଲେ । ଏହାପରେ ଗ୍ରାମବାସୀଙ୍କଠାରୁ ଖବର ପାଇ ହରଭଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ବନ୍ଧୁକ ଜବତ କରିଛି । ଏହାସହ ଗୀତାଞ୍ଜଳିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତେବେ ରୋହିତ ପାଖକୁ ଦେଶୀ ବନ୍ଧୁକ କେଉଁଠୁ ଆସିଲା ତାହା ଏବେ ପ୍ରଶ୍ନ ଛିଡା କରିଛି ।

ପଞ୍ଜାବରେ ଗ୍ୟାଙ୍ଗଓ୍ବାର୍ ଆଶଙ୍କା: ୨ ଦିନରେ ସିଦ୍ଧୁ ମୋସେଓ୍ବାଲଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଚେତାବନୀ

ନୂଆଦିଲ୍ଲୀ: ପଞ୍ଜାବୀ ରାପର ତଥା କଂଗ୍ରେସ ନେତା ସିଦ୍ଧୁ ମୋସେଓ୍ବାଲାଙ୍କ ହତ୍ୟା ପରେ ବଢିବାରେ ଲାଗିଛି ଗ୍ୟାଙ୍ଗଓ୍ବାର୍ ଆଶଙ୍କା । ଯେକୌଣସି ସମୟରେ ରାଜ୍ୟରେ ଆରମ୍ଭ ହୋଇପାରେ ଗ୍ୟାଙ୍ଗଓ୍ବାର । ଆଉ ଏହି ଆଶଙ୍କାକୁ ଅଧିକ ଦୃଢିଭୂତ କରିଛି, ନିରଜ ବଓ୍ବାନା ଗ୍ୟାଙ୍କର ଖୁଲମଖୁଲା ଧମକ । ୨ ଦିନ ମଧ୍ୟରେ ସିଦ୍ଧୁଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି ଏହି ଗ୍ୟାଙ୍ଗ ଚେତାବନୀ ଦେଇଛି । ଗ୍ୟାଙ୍ଗ ପକ୍ଷରୁ ଏକ ଫେସବୁକ୍ ପୋଷ୍ଟ କରାଯାଇ ସିଦ୍ଧୁଙ୍କ ହତ୍ୟାକୁ ନିନ୍ଦା କରାଯିବା ସହ ୨ ଦିନ ମଧ୍ୟରେ ପ୍ରତିଶୋଧ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ସିଦ୍ଧୁ ମୋସେଓ୍ବାଲାଙ୍କୁ ଭାଇ ବୋଲି କହୁଥିବା ନିରଜ ବଓ୍ବାନଙ୍କ ଗ୍ୟାଙ୍ଗ ସମ୍ପର୍କରେ ।

ଗ୍ୟାଙ୍ଗଷ୍ଟର୍ ନୀରଜ ବଓ୍ବାନା କିଏ ?

ଦିଲ୍ଲୀ ବଓ୍ବାନା ଗ୍ୟାଙ୍ଗର ଲିଡର ହେଉଛି ନୀରଜ ବଓ୍ବାନା । ଗ୍ୟାଙ୍ଗ ନାଁରୁ ନୀରଜ ନଁରେ ବଓ୍ବାନା ଲାଗିଛି । ନୀରଜ ଉପରେ ହତ୍ୟା, ଡକାୟତି, ବଟି ଆଦାୟ, ହତ୍ୟା ଧମକ ପରି ଏକାଧିକ ମାମଲା ରହିଛି । କେବଳ ଦିଲ୍ଲୀ ନୁହେଁ, ଦିଲ୍ଲୀ ବାହାରେ ମଧ୍ୟ ନୀରଜ ନାଁରେ ମାମଲା ରହିଛି । ଏବେ ତିହାର ଜେଲରେ ରହି ଗ୍ୟାଙ୍ଗ ଚଲାଉଛି ନୀରଜ । ଗ୍ୟାଙ୍ଗ ସଦସ୍ୟ ତା’ ସୋସିଆଲ ମିଡିଆ ଆକାଉଣ୍ଟ ଚଲାଉଛନ୍ତି ।

ଲୋକାଲ ବଦମାସଙ୍କ ବ୍ୟତୀତ ନୀରଜ ଗ୍ୟାଙ୍ଗରେ ଉତ୍ତର ପ୍ରଦେଶ, ହରିୟାଣା ଓ ପଞ୍ଜାବର ବହୁ କୁଖ୍ୟାତ ଅପରାଧୀ ଅଛନ୍ତି । ଲୁଟ୍, ଡକାୟତି, ବଟି ଆଦାୟ ଓ ହତ୍ୟା ସହ ଏମାନେ ବିବାଦୀୟ ଜମି ବିବାଦରେ ପଶିଥାନ୍ତି । ଏକଦା ଦିଲ୍ଲୀରେ କୋକୁଆ ଭୟ ସୃଷ୍ଟି କରିଥିବା ନୀତୁ ଦାବୋଦାଙ୍କ ମୃତ୍ୟୁ ପରେ ଏହି ଗ୍ୟାଙ୍ଗର ବହୁ ଅପରାଧୀ ନୀରଜ ଗ୍ୟାଙ୍ଗରେ ସାମିଲ ହୋଇଯାଇଥିଲେ । ଯାହା ନୀରଜ ଗ୍ୟାଙ୍ଗର ନା କେବଳ ବଡ଼ କରିଥିଲା, ଏହାକୁ ଆହୁରି ଅଧିକ ହିଂସ୍ର କରିଦେଇଛି ।

ବାରବାଟୀ ଟି-୨୦: ଆଜିଠୁ ଟିକେଟ ବିକ୍ରି

କଟକ: ବାରବାଟୀ ମ୍ୟାଚ୍ ପାଇଁ ଆଜିଠୁ ଆରମ୍ଭ ହେଉଛି ଟିକେଟ୍ ବିକ୍ରି । ଉଭୟ ଅଫଲାଇନ ଓ ଅନଲାଇନରେ ଟିକେଟ୍ ବିକ୍ରି ହେବ । ପୂର୍ବାହ୍ନ ୧୧ଟାରୁ ଟିକେଟ ନେଇ ପାରିବେ ଦର୍ଶକ । ଭୁବନେଶ୍ବର ଓ କଟକରେ ଦୁଇଟି ଲେଖାଏଁ କାଉଣ୍ଟର ଖୋଲାଯାଇଛି । ମୋଟ 5 ହଜାର ଟିକେଟ୍ ଅନଲାଇନରେ ମିଳିବାକୁ ଥିବା ବେଳେ ଜଣେ ଲୋକ ଦୁଇଟି ଟିକେଟ କିଣିପାରିବେ । ପେଟିଏମ ଆପ୍ ଜରିଆରେ ଅନଲାଇନ ଟିକେଟ ବୁକ କରିବେ ଦର୍ଶକ । ବୁକିଂ ବେଳେ ଦର୍ଶକଙ୍କୁ ନିଜର ପରିଚୟ ପତ୍ର ଦେବାକୁ ପଡିବ ।

କେଉଁ ଗ୍ୟାଲେରୀରୁ କେତୋଟି ଟିକଟ ଅନଲାଇନରେ ଉପଲବ୍ଧ ହେବ ତାହା ଚୂଡ଼ାନ୍ତ ହୋଇନାହିଁ । ଗ୍ୟାଲେରୀ ନଂ ୨, ୪, ୭, ସ୍ପେସାଲ ଏନ୍‍କ୍ଲୋଜର ବ୍ଲକ ଏ, ନ୍ୟୁ ପ୍ୟାଭିଲିୟନ- ୧ର କିଛି ଟିକଟ କେବଳ ଅନ୍‍ଲାଇନରେ ମିଳିବ । ଗ୍ୟାଲେରୀ ନଂ-୧, ୩, ୫ ଭଳି ଚାହିଦା ଥିବା ସ୍ଥାନର ଟିକଟ ଅନଲାଇନରେ ଉପଲବ୍ଧ ହେବନାହିଁ । ପେଟିଏମ୍‍, ପେଟିଏମ୍‍ ଇନସାଇଡର ମୋବାଇଲ ଆପ୍ଲିକେସନ କିମ୍ବା ଡବ୍ଲୁ ଡବ୍ଲୁ ଇନସାଇଡର ଡଟ୍ ଇନରେ ୱେବସାଇଟରେ ଟିକେଟ କିଣି ପାରିବେ ଦର୍ଶକ । 9 ତାରିଖରୁ 11 ତାରିଖ ମଧ୍ୟରେ ଦିନ 10ଟାରୁ 6 ଟା ମଧ୍ୟରେ ସେମାନଙ୍କ ଟିକେଟର ହାର୍ଡକପି ସଂଗ୍ରହ କରିବେ ।

୪୪ ହଜାର ଲୋକ ଷ୍ଟାଡିୟମରେ ଖେଳ ଦେଖିବାର ବ୍ୟବସ୍ଥା କରାଯାଇଛି । ଜୁନ୍ ୧୨ରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଖେଳାଯିବ । ଜୁନ୍ ୧୦ରେ ଭୁବନେଶ୍ବର ପହଞ୍ଚିବେ ଖେଳାଳି । ସେଠାରୁ କଡା ସୁରକ୍ଷା ମଧ୍ୟରେ ଖେଳାଳିଙ୍କୁ ତାରକା ହୋଟେଲ ନିଆଯିବ ।

ଆଜିଠୁ ବଦଳିବ ପୁରୁଣା ନମ୍ବର ପ୍ଲେଟ

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଲାଗୁ ହେଉଛି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ ନିୟମ । ୨୦୧୯ ଏପ୍ରିଲ ପୂର୍ବର ରାଜ୍ୟରେ ପ୍ରାୟ ୪୫ ଲକ୍ଷ ଗାଡିର ବଦଳିବ ପୁରୁଣା ନମ୍ବର ପ୍ଲେଟ । ଏଥିପାଇଁ ଆଜିଠୁ ଆରମ୍ଭ ହେଉଛି ପ୍ରକ୍ରିୟା । ସେଲେକ୍ସ, ରିଏଲ ମାଜନ୍, ଉତ୍ସବ, ସିମିନ୍ତ ଓ ଏଫ୍ଟିଆଇ ଭଳି ୫ଟି ଭେଣ୍ଡରଙ୍କୁ ଏଥିପାଇଁ ଦାୟିତ୍ବ ଦିଆଯାଇଛି ।

୨୦୧୯ ଏପ୍ରିଲ ପୂର୍ବରୁ ବିକ୍ରି ହୋଇଥିବା ସମସ୍ତ ଗାଡିର ନମ୍ବର ପ୍ଲେଟ୍ ବଦଳି ବାର କୋଡ ଓ ଲେଜର କୋଡ ସମ୍ପନ୍ନ ପ୍ଲେଟ୍ ଲାଗିବ । ଏଥିପାଇଁ SIAM.in ସାଇଟରେ ଆବେଦନ କରିପାରିବେ ଗାଡ଼ି ମାଲିକ । ଆବେଦନ ପରେ ଡିଲର ପଏଣ୍ଟରେ ନମ୍ବର ପ୍ଲେଟ ଫିଟିଂ କରାଯିବ । ଡୋର ଡେଲିଭରୀ ବ୍ୟବସ୍ଥା ମଧ୍ୟ ରହିଛି । ବ୍ୟକ୍ତିଗତ ବ୍ୟବହାର ଓ ବ୍ୟବସାୟୀକ ଗାଡିର ନମ୍ବର ଭିନ୍ନ ଭିନ୍ନ ରଙ୍ଗରେ ଉପଲବ୍ଧ ହେବ । ସେହିପରି ପେଟ୍ରୋଲ, ଡିଜେଲ ଓ ବ୍ୟାଟେରୀ ଚାଳିତ ଯାନବାହାନ ପାଇଁ ମଧ୍ୟ ଭିନ୍ନ ନମ୍ବର ପ୍ଲେଟ୍ ରହିଛି ।

ଶିକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ ଲେଖିବ ଓଡ଼ିଶା

ଭୁବନେଶ୍ବର: ଫାଇଭ-ଟି ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ବଡ଼ ଅଧ୍ୟାୟ । ଆଜି ରାଜ୍ୟର ୫ ଜିଲ୍ଲାରେ ୫୩୨ଟି ସ୍କୁଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ସାଢେ ୫ଟାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହେବ ଉତ୍ସବ ।

ମୟୂରଭଞ୍ଜ ଜିଲ୍ଲାର ୩୩୯ଟି ବିଦ୍ୟାଳୟକୁ ପ୍ରଥମେ ଉତ୍ସର୍ଗ କରିବେ ମୁଖ୍ୟମନ୍ତ୍ରୀ । ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ୪୧ଟି ହାଇସ୍କୁଲ, ବୌଦ୍ଧ ଜିଲ୍ଲାର ୨୪, ମାଲକାନଗିରି ଜିଲ୍ଲାର ୪୭, ଖୋର୍ଦ୍ଧା ଜିଲ୍ଲାର ୮୧ଟି ହାଇସ୍କୁଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିଥିବା ଏହି ଯୋଜନା ମୁଖ୍ୟମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ । କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଫାଇଭ-ଟି ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିବେ ।

ପରଲୋକରେ ବଲିଉଡ ଗାୟକ ‘କେକେ’; ଲାଇଭ କନସର୍ଟବେଳେ ହୋଇଗଲେ ଅସୁସ୍ଥ

କୋଲକାତା: ପରଲୋକରେ ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେ। ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। କୋଲକାତାର ନଜୁରଲ ମଞ୍ଚଠାରେ ଏକ କନସର୍ଟରେ ଗାଇବା ପରେ ହଠାତ୍‌ ଅସୁସ୍ଥ ହୋଇ ତଳେ ପଡିଗଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ସିଏମଆରଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କୁହାଯାଉଛି ଯେ ହୃଦଘାତରେ କେକେଙ୍କର ମୃତ୍ୟୁ ହୋଇଛି, କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ। ଦୁଇ ଦିନିଆ କନ୍ସର୍ଟ ପାଇଁ କେ.କେ କୋଲକାତା ଆସିଥିଲେ। ସୋମବାର ମଧ୍ୟ ତାଙ୍କର କନ୍ସର୍ଟ ହୋଇଥିଲା। ସେ ବିବେକାନନ୍ଦ କଲେଜରେ ସେହି କାର୍ଯ୍ୟକ୍ରମ କରିଥିଲେ। କିନ୍ତୁ ଦ୍ୱିତୀୟ ଦିନ କନସର୍ଟ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା ଆଉ ସବୁଦିନ ପାଇଁ ସେ ସମସ୍ତଙ୍କୁ ଛାଡି ଚାଲିଗଲେ।

କେକେ ସାରା ଭାରତରେ ଜଣେ ଲୋକପ୍ରିୟ ଗାୟକ ଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଓ ବଙ୍ଗଳା ଆଦି ଭାଷାରେ ଅନେକ ଗୀତ ଗାଇଛନ୍ତି  କେକେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ସିନେ କଳାକାର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।