spot_img
Home Blog Page 4338

Covid 4th Wave:  ଭାରତରେ ତିନି ମାସରେ ପ୍ରଥମ ଥର ୧ ପାର୍‌ କଲା ଆର୍‌ ଭାଲ୍ୟୁ, ଦ୍ରୁତ ଗତିରେ ବଢ଼ୁଛି ସଂକ୍ରମଣ

ନୂଆଦିଲ୍ଲୀ: ଭାରତର ପ୍ରଭାବିତ Reproduction Number(R) ଗତ ତିନି ମାସରେ ୧ ପାର୍‌ କରିଛି ।  ତେବେ କୋଭିଡ ସଂକ୍ରମଣ ଭାରତରେ କେତେ ଦ୍ରୁତ ଗତିରେ ବଢ଼ୁଛି ଏହା ତାହାର ସଙ୍କେତ । ଚେନ୍ନାଇର Institute Of Mathemetical Sciencesର ଗବେଷକ ଏହି ରିପୋର୍ଟ ପ୍ରଦାନ କରିଛନ୍ତି ।

ଗତ କିଛି ସପ୍ତାହ ହେବ ଦ୍ରୁତ ଗତିରେ ବଢ଼ୁଛି ଆାର ଭାଲ୍ୟୁ । ଗବେଷକ ସୀତାଭ୍ର ସିହ୍ନାଙ୍କ ଅନୁସାରେ ଏହା ଏପ୍ରିଲ ୧୨ରୁ ଏପ୍ରିଲ ୧୮ ମଧ୍ୟରେ  ୧.୦୭ରେ ପହଞ୍ଚିଛି । ଏପ୍ରିଲ ୫ରୁ ଏପ୍ରିଲ ୧୧ ମଧ୍ୟରେ ଆର ଭାଲ୍ୟୁ ଥିଲା ୦.୯୩ ।

ଆର ଭାଲ୍ୟୁ ବଢ଼ିବା ପଛର କାରଣ କେବଳ ଦିଲ୍ଲୀ ନୁହେଁ ବରଂ ହରିୟାଣା ଏବଂ ଉତ୍ତରପ୍ରଦେଶ ମଧ୍ୟ ଏଥିପାଇଁ ଦାୟୀ । ତେବେ ମହାମାରୀ ଆରମ୍ଭ ହେବା ଦିନରୁ ଏହାକୁ ନେଇ ଆକଳନ କରି ଆସୁଥିବା ଗଣିତଜ୍ଞ ନିକଟରେ ଏକ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି ।

ଆର ଭାଲ୍ୟୁ ୧ ପାର୍‌ କରିବାର ଅର୍ଥ ହେଉଛି ସଂକ୍ରମଣ ଦ୍ରୁତ ବେଗରେ ବଢ଼ୁଛି । ଯାହା ୧ ମଧ୍ୟରେ ରହିବା ଉଚିତ୍‌ । ୧ ତଳକୁ ଆର ଭାଲ୍ୟୁ ରହିଲେ ବୁଝିନେବାକୁ ପଡ଼ିବଯେ, ସଂକ୍ରମଣ ତଳମୁହାଁ ରହିଛି । ତେବେ ଏହାକୁ କମ୍‌ କରିବାକୁ ହେଲେ ଲୋକଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ । ଏହା ସହିତ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ସିହ୍ନା କହିଛନ୍ତି ।

IPL: ମ୍ୟାଚ୍ ପୂର୍ବରୁ ପୁଣି ଜଣେ ଖେଳାଳି ପଜିଟିଭ୍ ଚିହ୍ନଟ, କେଉଁଠି ହେବ ମ୍ୟାଚ୍ ଜାଣନ୍ତୁ

0

ମୁମ୍ବାଇ: ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ମ୍ୟାଚର ସାଢ଼େ ୩ ଘଣ୍ଟା ପୂର୍ବରୁ ଦିଲ୍ଲୀ ଟିମର ଜଣେ ଖେଳାଳି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ସକାଳେ ସବୁ ଖେଳାଳିଙ୍କ କରୋନା ଟେଷ୍ଟ ହୋଇଥିଲା । ଏଥିରେ ଜଣେ ଖେଳାଳି ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ମ୍ୟାଚର ସମୟ କିନ୍ତୁ ବଦଳିବ ନାହିଁ  ।ହେବାକୁ ଥିବା ସମୟରେ ହିଁ ମ୍ୟାଚ୍ ଆରମ୍ଭ ହେବ । ଏହି ମ୍ୟାଚ ପୁଣେରେ ଖେଳାଯିବାର ଥିଲା କିନ୍ତୁ ଏବେ ଏହା ମୁମ୍ବାଇରେ ଖେଳାଯିବ ।

ସମସ୍ତ କରୋନା ଆକ୍ରାନ୍ତ ଏବେ ଆଇସୋଲେସନରେ ଅଛନ୍ତି । ଦିଲ୍ଲୀର ଅନ୍ୟ ସଦସ୍ୟମାନଙ୍କ କରୋନା ଟେଷ୍ଟ ପୁଣି ବୁଧବାର ସକାଳେ ହେବ। ଯଦି ରିପୋର୍ଟ କ୍ରମାଗତ ଭାବେ ନେଗେଟିଭ ଆସିବ, ତା’ହେଲେ ସେମାନଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ବାୟୋ ବବଲ୍ସ ଭିତରେ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ବିସିସିଆଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ବିଶିଷ୍ଟ କଥାକାର ରବୀନ୍ଦ୍ରନାଥ ଦାସଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ବିଶିଷ୍ଟ ନାଟ୍ୟକାର ତଥା କଥାକାର ରବୀନ୍ଦ୍ରନାଥ ଦାସଙ୍କ ପରଲୋକ । ରାଜଧାନୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ରବୀନ୍ଦ୍ରନାଥ ଦାସଙ୍କ ଦେହାନ୍ତ ହୋଇଥିବା ଜଣା ପଡ଼ିଛି  ।  ରବିନ୍ଦ୍ରନାଥଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ଅବିସ୍ମରଣୀୟ ଅବଦାନକୁ ମନେ ପକାଇଛନ୍ତି  ।

ମୁଖ୍ୟମନ୍ତ୍ରୀ ଶୋକପ୍ରକାଶ କରି ଲେଖିଛନ୍ତି ‘ବିଶିଷ୍ଟ ନାଟ୍ୟକାର ତଥା କଥାକାର ରବୀନ୍ଦ୍ରନାଥ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ ସାହିତ୍ୟ ତଥା କଳା ଜଗତ ପ୍ରତି ତାଙ୍କର ବହୁମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।’

ସ୍ୱର୍ଗତ ଦାସ ଜଣେ ଉଚ୍ଚକୋଟୀର ଗାଳ୍ପିକ ଭାବେ ବେଶ୍‌ ଜଣାଶୁଣା ଥିଲେ । ତାଙ୍କ ଲିଖିତ ବିଷର୍ଣ୍ଣ ପୃଥିବା ପାଇଁ ରବିନ୍ଦ୍ରନାଥଙ୍କ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ପୁରସ୍କୃତ କରାଯାଇଛି । ଏହାସହିତ ସେ ତାଙ୍କ ଲମ୍ବା ଜୀବନରେ ଅନେକ ସମ୍ମାନର ହକ୍‌ଦାର ମଧ୍ୟ ହୋଇଛନ୍ତି । ଏପିରିକି ଓଡିଶା ସାହିତ୍ୟ ଏକାଡେମୀର ସେ ସଂପାଦକ ଭାବେ ଦାୟିତ୍ୱ ବହନ କରିଥିଲେ । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଓ ଓଡ଼ିଆ ଭାଷାରେ ଉନ୍ନତି ଦିଗରେ ସର୍ବଦା କାର୍ଯ୍ୟ କରିଆସିଛନ୍ତି ରବୀନ୍ଦ୍ର ନାଥ ଦାସ  ।

 

ଗିନିଜ୍‌ ଓ୍ୱାର୍ଲଡ ରେକର୍ଡ଼୍ସରେ ବିଶ୍ୱର ଡେଙ୍ଗା ପରିବାର, ହିଲ୍‌ ପିନ୍ଧିପାରୁନାହାଁନ୍ତି ବୋଲି…

ଓ୍ୱାଶିଂଟନ୍‌:  ଆମ ମଧ୍ୟରେ ଅନେକ ଲୋକ ଥାଆନ୍ତି, ଯେଉଁମାନେ ଡେଙ୍ଗା ହେବାକୁ ପସନ୍ଦ କରନ୍ତି । କୁହାଯାଏ ଡେଙ୍ଗା ବ୍ୟକ୍ତି ଖୁବ୍‌ ଆକର୍ଷଣୀୟ ହୋଇଥାନ୍ତି ।  କିନ୍ତୁ କ’ଣ ଆପଣ ବିଶ୍ୱର ସବୁଠାରୁ ଡେଙ୍ଗା ପରିବାରରେ ସାମିଲ ହେବାକୁ ଚାହିଁବେ ? ଆମେରିକାର ଏସ୍କୋର ଟ୍ରାପ୍‌ ପରିବାର ଏହି ସମସ୍ତ ରେକର୍ଡ ଭାଙ୍ଗିଛନ୍ତି । ଏହା ସହିତ ଗିନିଜ୍‌ ଓ୍ୱାର୍ଲଡ ଅଫ୍‌ ରେକର୍ଡ଼୍ସରେ ନିଜ ନାଁ ସାମିଲ କରିଛନ୍ତି । ୫ ଜଣ ସଦସ୍ୟ ବିଶିଷ୍ଟ ଏହି ପରିବାରର ସମସ୍ତଙ୍କ ଉଚ୍ଚତା ୨୦୩.୨୯ ସେଣ୍ଟିମିଟର ବା ୬ ଫୁଟ ୮.୦୩ ଇଞ୍ଚ ।ଯଦି ଆପଣ ପୂରା ପରିବାରର ଉଚ୍ଚତାକୁ ମିଶାଇବେ ତେବେ ତାହା ଟେନିସ୍‌ କୋର୍ଟର ଅଧା ହେବ । ଏହି ସମସ୍ତ ସଦସ୍ୟଙ୍କ ନାଁ ଯଥାକ୍ରମେ ସ୍କଟ୍‌,କ୍ରିସି, ସବାନ୍ନା, ମୋଲି ଏବଂ ଆଦାମ୍‌ । ଏମାନେ ଏକାଧିକ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ ମଧ୍ୟ କରିଥାନ୍ତି ।

ନିକଟରେ ଉକ୍ତ ପରିବାରର ଏକ ଭିଡ଼ିଓକୁ ଗିନିଜ୍‌ ଓ୍ୱାର୍ଲଡ ରେକର୍ଡ଼୍ସ ତା ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛି । ଯାହାକୁ ଲୋକ ବାରମ୍ବାର ଦେଖୁଛନ୍ତି । ବିଶେଷକରି ଏହାକୁ ଏପର୍ଯ୍ୟନ୍ତ ୫ ଲକ୍ଷ ୧୦ ହଜାରରୁ ଅଧିକ ଥର ଦେଖା ସରିଲାଣି । ଖାଲି ସେତିକି ନୁହେଁ ୪ ଲକ୍ଷ ୮୬ ହଜାରରୁ ଅଧିକ ଲାଇକ୍ସ ମଧ୍ୟ ମିଳିଛି ।

ଡେଙ୍ଗାହୋଇଥିବାରୁ କେତେକ ସମସ୍ୟା ସୃଷ୍ଟି ହେଉଥିବା ମଧ୍ୟ କୁହନ୍ତି ଏହି ପରିବାର । ଏହି ପରିବାରର ଜଣେ ସଦସ୍ୟଙ୍କ କହିବା ହେଉଛି ଇଛା ଥିଲେ ମଧ୍ୟ ହିଲ୍‌ ପିନ୍ଧିବା ଅସମ୍ଭବ । ସମସ୍ତଙ୍କର ଭିନ୍ନ ଭିନ୍ନ ସମସ୍ୟା । କିନ୍ତୁ ପିଲାମାନଙ୍କୁ ଏତେ ଡେଙ୍ଗା ହେବାର ଦେଖି ସେମାନଙ୍କ ବାପା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତେବେ ଏହି ଭିଡ଼ିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ଭୟଙ୍କର କମେଣ୍ଟସ ସବୁ ଦେଉଛନ୍ତି ।

ତେବେ ଏହି ପରିବାରକୁ ନେଇ ଆପଣଙ୍କ ମତ କ’ଣ ? କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ ।

ମାଟି ତଳେ ବିଡ଼ା ବିଡ଼ା ଟଙ୍କା, ପୋଲିସ ଚକିତ

ସମ୍ବଲପୁର: ମାଟି ତଳୁ ବାହାରୁଛି  ପୁଳା ପୁଳା ଟଙ୍କା  । ପୋଲିସ ଆଗରେ ବାହାରୁଛି ଏହି ଟଙ୍କା  । ଏତେ ଟଙ୍କା ଦେଖି ଲୋକେ ଆଶ୍ଚମ୍ବିତ  । ମିଳିଥିବା ସୂଚନା ମୁତାବକ ଏକ ପ୍ଲାଷ୍ଟିକ ବସ୍ତାରେ ପଇସାକୁ ଭର୍ତ୍ତି କରି ମାଟି ତଳେ ରଖିଥିଲା ଚୋର । ସମ୍ବଲପୁରର ଶୀଲା ଟାଓ୍ୱାର ହୋଟେଲରୁ ଚୋରି ହୋଇଥବା ଟଙ୍କାକୁ ଦେବଗଡରୁ ଉଦ୍ଧାର କରିଛି ପୋଲିସ । ଶୀଲା ଟାଓ୍ୱାରର ଜଣେ କର୍ମଚାରୀ ୩୯ ଲକ୍ଷ ଟଙ୍କା ଚୋରି କରି ଦେବଗଡ ଜିଲ୍ଲାକୁ ନେଇ ପଳାଇଥିବା ସୂଚନା ମିଳିଛି ।

ସେପଟେ ଘଟଣା ସ୍ଥଳରେ ପୋଲିସ ପହଁଚି  ତଦନ୍ତ ଆରମ୍ଭ କରିଛି  । ପୋଲିସ ତଦନ୍ତ କରି ୩୨ ଲକ୍ଷ ୧୦ ହଜାର ଟଙ୍କା ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସିସିଟିଭି ଫୁଟେଜ୍ ଆଧାରରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସମ୍ୱଲପୁର ପୋଲିସ ଏହି ଘଟଣାରେ ସଫଳ ହୋଇଛି  । ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଧରିବାରେ ସଫଳ ହେବା ସହ ଚୋରି ଟଙ୍କାକୁ ଜବତ କରିବାରେ ମଧ୍ୟ ସଫଳ ହୋଇଛି ।

ୟୁଟ୍ୟୁବରୁ ମାଗଣାରେ ହଟିବ ବିଜ୍ଞାପନ, କରନ୍ତୁ ଏହି ସରଳ ଉପାୟ

ନୂଆଦିଲ୍ଲୀ: କୌଣସି ଜିନିଷ ମାଗଣାରେ ମିଳେ ନାହିଁ । ପ୍ରତ୍ୟେକଟି ଜିନିଷ ପାଇଁ ମୂଲ୍ୟ ଦେବାକୁ ପଡ଼ିଥାଏ । ଏହାର ଏକ ଉଦାହରଣ ହେଉଛି ୟୁଟ୍ୟୁବ୍‌ । ଯେଉଁଥିରେ ୟୁଜର୍ସ ମାଗଣାରେ ଭିଡ଼ିଓ ଦେଖନ୍ତି । ହୋଇପାରେ ଆପଣ ଭାବୁଥାଇ ପାରନ୍ତିଯେ, ଆପଣ ମାଗଣାରେ ଭିଡ଼ିଓ ଦେଖୁଛନ୍ତି, କିନ୍ତୁ ଏଥିପାଇଁ ମଧ୍ୟ ଆପଣଙ୍କୁ ମୂଲ୍ୟ ଦେବାକୁ ପଡ଼ିଥାଏ । ଅର୍ଥାତ୍‌ ଆପଣ ଡାଟା ବ୍ୟବହାର କଲେ ଏବଂ ସମୟ ମଧ୍ୟ ।

ଯଦି ଆପଣଙ୍କର ମନେ ଥିବ, ତେବେ କିଛି ବର୍ଷ ପୂର୍ବରୁ ୟୁଟ୍ୟୁବରେ କେବଳ ଗୋଟିଏ ବିଜ୍ଞାପନ ଆସୁଥିଲା । ଯାହା କୌଣସି ଭିଡ଼ିଓ ଆରମ୍ଭରେ ପ୍ଲେ ହେଉଥିଲା । ଧୀରେଧୀରେ ବିଜ୍ଞାପନ ସଂଖ୍ୟା ୨କୁ ବଢ଼ିଲା ଏବଂ ବର୍ତ୍ତମାନର ସ୍ଥିତି ବିଷୟରେ ସମସ୍ତେ ଜାଣନ୍ତି ।

ପୂର୍ବରୁ ଆପଣଙ୍କୁ ସ୍କିପ୍‌ ଆଡ୍‌ ପାଇଁ ଅପ୍ସନ୍‌ ଆସୁଥିଲା ଏବଂ ଏବେ ମଧ୍ୟ ଆସୁଛି । କିନ୍ତୁ ତାହାକୁ ସ୍କିପ୍‌ କରିବାକୁ ମଧ୍ୟ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି । ୟୁଟ୍ୟୁବରେ ଆଡ୍‌ ଫ୍ରି ଏକ୍ସପିରିୟନ୍ସ ପାଇଁ ଆପଣଙ୍କୁ ଏହାର ପ୍ରିମିୟର ଆକ୍ସେସ୍‌ ନେବାକୁ ପଡ଼ିବ । ଯାହାର ମାସିକ ପ୍ଲାନ୍‌ ୧୨୯ ଟଙ୍କାରୁ ଆରମ୍ଭ ହେଉଛି । ଏଥିପାଇଁ ଆପଣଙ୍କୁ ଆଡ୍ସ ବ୍ଲକରର ଆବଶ୍ୟକତା ପଡ଼ିବ । ମୋବାଇଲ କିମ୍ବା ବ୍ୟକ୍ତିଗତ କମ୍ପ୍ୟୁଟରରେ ଯଦି ଆପଣ କ୍ରୋମ୍‌ କିମ୍ବା Edge ବ୍ରାଉଜର ବ୍ୟବହାର କରୁଛନ୍ତି ତେବେ ସହଜରେ ଆହ୍ସ ବ୍ଲକର ବ୍ୟବହାର କରିପାରିବେ ।

ଏଥିପାଇଁ ଆପଣଙ୍କୁ Adblock For youtube ଏକ୍ସଟେନ୍ସନ ବ୍ୟବହାର କରିବାକୁ ପଡ଼ିବ । ଏହାକୁ ଇନଷ୍ଟଲ କରିବା ପରେ ଆପଣ ବିନା ବିଜ୍ଞାପନରେ youtube ଦେଖିପାରିବେ ।

 

ଗୁଟଖା ବିଜ୍ଞାପନ ଅଫରକୁ ‘ପୁଷ୍ପରାଜ’ଙ୍କ ନା‘

ମୁମ୍ବାଇ: ଫିଲ୍ମ ‘ପୁଷ୍ପା ଦ ରାଇଜ୍’ କୁ ନେଇ ଚର୍ଚ୍ଚାରେ ଥିବା ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଆଉ ଏଥର ତମାଖୁର ଏକ ବିଜ୍ଞାପନକୁ ମନା କରି ଚର୍ଚ୍ଚାକୁ ଆସିଛନ୍ତି ପୁଷ୍ପରାଜ । ଏହି ବିଜ୍ଞାପନ କରିବାକୁ ଉକ୍ତ ତମାଖୁ କମ୍ପାନୀ ଅଲ୍ଲୁଙ୍କୁ ମୋଟା ଅଙ୍କର ପାରିଶ୍ରମିକ ଦେବାପାଇଁ ଅଫର କରିଥିଲେ । ଏହାଦ୍ବାରା ଲୋକଙ୍କ ଉପରେ ଖରାପ ପଡ଼ିବ କହି ଅଲ୍ଲୁ ଏହାକୁ ମନା କରିଦେଇଛନ୍ତି ।

ନିକଟରେ ଅଲ୍ଲୁ ସର୍ବିଆରୁ ୪୦ତମ ଜନ୍ମଦିନ ପାଳନ କରି ଫେରିଛନ୍ତି । ତାଙ୍କ ସମ୍ପର୍କିୟଙ୍କ କହିବା ଅନୁସାରେ ଅଲ୍ଲୁ ଫିଟନେସକୁ ନେଇ ବହୁ ସଚେତନ ଅଛନ୍ତି । ଯେତେବେଳେ ତମାଖୁ କମ୍ପାନୀ ତାଙ୍କୁ ବିଜ୍ଞାପନ କରିବାକୁ ଅଫର କରିଥିଲା ସେତେବେଳେ ସେ ବିନା କିଛି ଭାବି ତାଙ୍କୁ ମନା କରିଦେଇଥିଲେ । କାରଣ ସେ ବି ତମାଖୁ ସେବନ କରନ୍ତି ନାହିଁ । ଆଉ ଚାହାଁନ୍ତିନି ତାଙ୍କର ଅସଂଖ୍ୟ ଫ୍ୟାନ୍ ତାଙ୍କଠୁ କିଛି ଖରାପ କାମ ଶିଖନ୍ତୁ ବୋଲି ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ପୁଷ୍ପା ଦ ରାଇଜ’ ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗି ସୁପର ହିଟ୍ ହୋଇଥିଲା । ଏହା ଦଶର୍କଙ୍କ ମନକୁ ଛୁଇଁବା ସହ ଅନେକ ପୁଷ୍ପାଙ୍କ ଷ୍ଟାଇଲକୁ ଆପଣାଇଥିଲେ । ଏବେ ଏହାର ଦ୍ବିତୀୟ ଭାଗ ସୁଟିଂ ଆରମ୍ଭ ହେବାକୁ ଯାଉଛି ।

 

କିମ୍ବଦନ୍ତୀ ଭାଷା ବିଷାରଦ ‘ଅମୃତର ସନ୍ତାନ’ଙ୍କୁ ଶତ ଶ୍ରଦ୍ଧାଞ୍ଜଳି

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଆ ଭାଷାର ଜୀବନ୍ତ ଲେଖକ  । କିମ୍ବଦନ୍ତୀ ପୁରୁଷ ଔପନାସିକ, ଗାଳ୍ପିକ, ନାଟ୍ୟକାର, ନୃତତ୍ତ୍ୱବିତ୍, ଆଦିବାସୀ ଭାଷା ବିଷାରଦ, ସାରଳା ମହାଭାରତର ମୌଳିକ ଗବେଷକ, ସର୍ବୋପରି ମାନବଧର୍ମୀ ଲେଖକ ଗୋପୀନାଥ ମହାନ୍ତି ତାଙ୍କର ଲେଖନୀ ଜରିଆରେ ଓଡ଼ିଆ ସାହିତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇ ପାରିଥିଲେ। ଓଡ଼ିଶାରୁ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (‘ଅମୃତର ସନ୍ତାନ’ ପାଇଁ, ୧୯୫୫), ପ୍ରଥମ ଜ୍ଞାନପୀଠ ପୁରସ୍କାର (‘ମାଟିମଟାଳ’ ପାଇଁ, ୧୯୭୪), ତଥା ‘ସୋଭଏତ୍ ଦେଶ ନେହରୁ’ ପୁରସ୍କାର (ମାକ୍ସିମ୍ ଗର୍କୀଙ୍କର My Universityର ଓଡ଼ିଆ ଅନୁବାଦ ପାଇଁ, ୧୯୭୦) ଆଦି ସେ ଅର୍ଜନ କରି ଓଡ଼ିଆ ଭାଷାକୁ ଗୌରାନ୍ୱିତ କରିଥିଲେ।
ଗୋପୀନାଥ ମହାନ୍ତି ୧୯୧୪ ମସିହା ଏପ୍ରିଲ ମାସ ୨୦ ତାରିଖରେ କଟକ ସହର ଉପକଣ୍ଠରେ ଥିବା ନାଗବାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ଥିଲା ସୂର୍ଯ୍ୟମଣି ମହାନ୍ତି ଏବଂ ମା ଥିଲେ ଦୁର୍ଗାଦେବୀ। ଓଡ଼ିଆ ସାହିତ୍ୟର ଅନ୍ୟତମ କୃତି ସନ୍ତାନ ଔପନ୍ୟସିକ କାହ୍ନୁଚରଣ ମହାନ୍ତି ତାଙ୍କର ବଡ଼ ଭାଇ ଥିଲେ। ପାଟନା ବିଶ୍ୱବିଦ୍ୟାଳୟରୁ ଇଂରେଜୀ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ ୧୯୩୮ ମସିହାରେ ସେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ଚାକିରୀ କାଳରେ ସେ ଯାଜପୁର, କୋରାପୁଟ, ଜୟପୁର, ବରଗଡ଼, ଛତ୍ରପୁର, ଆସ୍କା, କଟକ, ରାୟଗଡ଼ା, ପୁରୀ ଓ ସର୍ବଶେଷରେ ଭୁବନେଶ୍ୱରରେ ଅବସ୍ଥାପିତ ହୋଇଥିଲେ।
 ପ୍ରତ୍ୟେକ ସ୍ଥାନରେ ଅବସ୍ଥାନ ସମୟରେ ସେ ତାଙ୍କର ଲେଖା ମାଧ୍ୟମରେ ସେହି ସ୍ଥାନ ଏବଂ ସେଠାକାର ମଣିଷଙ୍କୁ ଅବିକଳ ଭାବରେ ଆଙ୍କି ପାରିଥିଲେ। ପଞ୍ଚାବନ ବର୍ଷ ବୟସରେ, ୧୯୬୯ ମସିହାରେ, ସେ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିଲେ। ଆମେରିକାର କାଲିଫର୍ଣ୍ଣିଆର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଆମନ୍ତ୍ରିତ ହୋଇ ୧୯୮୬-୮୭ ମସିହାରେ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ସେଠାରେ ସେ ବିତାଇ ବକ୍ତୃତାମାନ ପ୍ରଦାନ କରିଥିଲେ ଏବଂ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଭ୍ରମଣ କାହାଣୀ ରେକର୍ଡ କରିଥିଲେ।
ଗୋପୀନାଥ ମହାନ୍ତିଙ୍କର ରଚନା ମଧ୍ୟରୁ ପ୍ରାୟ ୨୫ ଖଣ୍ଡ ଉପନ୍ୟାସ, ୨୦୦ରୁ ଅଧିକ କ୍ଷୁଦ୍ରଗଳ୍ପ, ଏକ ଅନବଦ୍ୟ ଆତ୍ମଜୀବନୀ, ତିନୋଟି ଜୀବନୀ, ୩ଟି ନାଟକ, ଏକ ଅନନ୍ୟ ସାହିତ୍ୟ ସମାଲୋଚନା ପୁସ୍ତକ, ୨ଟି କାବ୍ୟ, ୫ଟି ଅନୁବାଦ ପୁସ୍ତକ, ଆଦିବାସୀ ଭାଷା ସମ୍ପର୍କିତ ୫ଟି ପୁସ୍ତକ, ସାରଳା ମହାଭାରତ ବିଷୟରେ ନ’ଟି ଗବେଷଣା ପ୍ରବନ୍ଧ ସମ୍ବଳିତ ଖଣ୍ଡିଏ ପୁସ୍ତକ ଓ ପ୍ରାୟ ୩୦ଟି ଚିଠିକୁ ନେଇ ଖଣ୍ଡିଏ ପୁସ୍ତକ ଏ ପର୍ଯ୍ୟନ୍ତ ପ୍ରକାଶ ପାଇଛି।  କାଲିଫର୍ଣ୍ଣିଆର ସାନ୍‌ହୋଜେ ସହରରେ ୧୯୯୧ ମସିହା ଅଗଷ୍ଟ ୨୦ ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଏହି ମହାନ ମଣିଷ  ।

ଲକଡାଉନ୍ ଯୋଗୁ ସମୁଦ୍ରରେ ଟ୍ରାଫିକ୍ ଜାମ୍: ଫସିଲେ ଅନେକ ଜାହାଜ

ବେଜିଂ: ଚୀନରେ କାୟା ବିସ୍ତାର କରିଚାଲିଛି କରୋନା । ଏହି ଭାଇରସର ସବୁଠୁ ଅଧିକା ପ୍ରଭାବ ପଡ଼ିଛି ଚୀନର ଆର୍ଥିକ ରାଜଧାନୀ ସଂଘାଇରେ । କରୋନା ଯୋଗୁ ସଂଘାଇ ଦୀର୍ଘ ଏକ ମାସ ଧରି ଲକଡାଉନରେ ଅଛି । କେବଳ ଜରୁରୀ ସେବାକୁ ଛାଡ଼ିଦେଲ ଅନ୍ୟ ସବୁ ବନ୍ଦ ରହିଛି । ଏହା ଯୋଗୁ ସଂଘାଇର ଆର୍ଥିକ କାରବାର ବି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

https://twitter.com/ScottGottliebMD/status/1516161345661591558?s=20&t=8BevvteWvQs-8oyFvRkdkw

ଏହାର ସବୁଠୁ ଖରାପ ପ୍ରଭାବ ପଡ଼ିଛି ସଂଘାଇ ପୋର୍ଟରେ । ସେଠାରେ ଅନେଇ ଜାହାଜ ଠିଆ ହୋଇ ରହିଛି ।  ଏହାର କାରଣ ହେଉଛି  ପୂର୍ବ ଚୀନର ସାଗରରେ ଟ୍ରାଫିକ୍ ଜାମ୍ ହୋଇ ରହିଛି ।

ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏହି ଫଟୋରେ ଅନେକ ଜାହାଜ ରହିଥିବା ଦେଖାଯାଉଛି । ଅନେକ କିଲୋମିଟର ପଯ୍ୟନ୍ତ ଏହି ଜାହାଜ ଠିଆ ହୋଇ ରହିଥିବା ଫଟୋରେ ସ୍ପଷ୍ଟ ଦେଖାଯାଉଛି । ଜାହାଜ ଗୁଡ଼ିକୁ ଆଗକୁ ବଢ଼ିବାକୁ ଅନୁମତି ନଥିବାରୁ ଏହି ଅସୁବିଧା ହୋଇଥିବା ଜଣାପଡ଼ିଛି ।

ଅନେକ ଜାହାଜରେ ଖାଇବା ପିଇବା ଏବଂ ଆବଶ୍ୟକୀୟ ସାମଗ୍ରୀ ସରିବାକୁ ବସିଲାଣି । ଏବେ ଏହି ଜାହାଜ ଗୁଡ଼ିକୁ କେତେ ଦିନ ଯାଏ ସମୁଦ୍ରରେ ରଖାଯିବା ନା ତାଙ୍କୁ ବନ୍ଦରକୁ ଆସିବାକୁ ଅନୁମତି ଦିଆଯିବ ତାହା ଏକ ପ୍ରକାର ଅନିଶ୍ଚିତତା ଘେରକୁ ଚାଲିଯାଇଛି ।

ସ୍ୱାମୀଙ୍କ ନିର୍ଯାତନା ଓ ଦ୍ୱିତୀୟ ବିବାହ ପାଇଁ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କଲେ କନେଷ୍ଟବଳଙ୍କ ସ୍ତ୍ରୀ

ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ଏସପି କାର୍ଯ୍ୟାଳୟରେ ଅଭାବନୀୟ ଘଟଣା । କନେଷ୍ଟବଳ ସ୍ତ୍ରୀଙ୍କ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ। ସ୍ବାମୀ ନିର୍ଯାତନା ଓ ଦ୍ୱିତୀୟ ବିବାହ କରିଥିବାରୁ ବାରମ୍ବାର ପୋଲିସ ଆଗରେ ଗୁହାରୀ କରି ନ୍ୟାୟ ନମିଳିବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମହିଳା ଜଣଙ୍କ । ମହିଳାଙ୍କ ସ୍ବାମୀ ଏସପି ଅଫିସରେ କନେଷ୍ଟବଳଭାବେ କାର୍ଯ୍ୟରତ । ପୂର୍ବରୁ କନେଷ୍ଟବଳ ଜଣଙ୍କ ଏପରି ଏକାଧିକ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ କରିଛନ୍ତି କନେଷ୍ଟବଳଙ୍କ ସ୍ତ୍ରୀ ।

ତେବେ ୬ ବର୍ଷ ହେବ ସ୍ବାମୀ ତାଙ୍କୁ ନିର୍ଯାତନା ଦେଇ ଆସୁଥିବା କହିଛନ୍ତି ମହିଳା । ଏହା ପୂର୍ବରୁ ମହିଳା ଜଣଙ୍କ ପୋଲିସ, ଏସପିଙ୍କୁ ଭେଟି ବାରମ୍ବାର ଗୁହାରୀ କରିଛନ୍ତି । କିନ୍ତୁ କୌଣସି ସୁଫଳ ମିଳିନଥିଲା। କିଛିଦିନ ପୂର୍ବରୁ କନେଷ୍ଟବଳ ସ୍ବାମୀ ଜଣେ ଯୁବତୀଙ୍କୁ ବିବାହ ମଧ୍ୟ କରିଥିବା ଅଭିଯୋଗ କରିଛନ୍ତି ସ୍ତ୍ରୀ । ତେବେ ଆଗକୁ ନ୍ୟାୟ ନମିଳିଲେ ସେ ଜୀବନ ହାରିବେ ବୋଲି ମହିଳା ଜଣଙ୍କ କହିଛନ୍ତି । ସେପଟେ ଏହି ଘଟଣାରେ ଅତିରିକ୍ତ ଏସପି ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ।