spot_img
Home Blog Page 4368

ଇସ୍ରାଏଲ ଓ ସୁଇଜରଲ୍ୟାଣ୍ଡକୁ ଡେଇଁଲା ମଙ୍କିପକ୍ସ ଭାଇରସ, ୧୪ରେ ପହଞ୍ଚିଲା ସଂକ୍ରମିତ ଦେଶ ସଂଖ୍ୟା

ନୂଆଦିଲ୍ଲୀ: ଆଉ ୨ ଦେଶକୁ ଡେଇଁଲା ମଙ୍କିପକ୍ସ ଭାଇରସ । ଇସ୍ରାଏଲ ତେଲ୍ ଆଭିବ୍ ଅନ୍ତର୍ଗତ ଇଚିଲୋଭରେ ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ସେଠାରେ ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେ କିଛି ଦିନ ତଳେ ପଶ୍ଚିମ ୟୁରୋପରୁ ଫେରିଥିଲେ । ସେହିପରି ସୁଇଜରଲ୍ୟାଣ୍ଡ ବର୍ନରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଦେଶକୁ ମିଶାଇ ମଙ୍କିପକ୍ସ କାୟା ୧୪ଟି ରାଷ୍ଟ୍ରକୁ ବ୍ୟାପିଥିବା ସୂଚନା ମିଳିଛି । ପୂର୍ବରୁ ବେଲଜିୟମ, ଫ୍ରାନ୍ସ, ଜର୍ମାନୀ, ଇଟାଲି, ନେଦରଲ୍ୟାଣ୍ଡସ, ପର୍ତ୍ତୃଗାଲ, ସ୍ପେନ, ସ୍ୱିଡେନ, ବ୍ରିଟେନ, ଆମେରିକା, କାନାଡା, ଅଷ୍ଟ୍ରେଲିଆରେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ସେପଟେ ମଙ୍କିପକ୍ସର ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱତନ୍ତ୍ର କମିଟିର ଅନୁସନ୍ଧାନ ଜାରି ରହିଛି । ଗତକାଲି ଅନୁଷ୍ଠିତ ବୈଠକରେ ଏହି ସଂକ୍ରମଣର ତରିକା, ନିରାକରଣ ଆଦି ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଛି । ସଂକ୍ରମିତ ଚିହ୍ନଟ ହୋଇଥିବା ଦେଶର ପ୍ରଶାସନ ସହ ସଂଗଠନର ବିଶେଷଜ୍ଞମାନେ ଯୋଗସୂତ୍ରରେ ରହିଛନ୍ତି ଏବଂ ବିଭିନ୍ନ ପରାମର୍ଶ ଦିଆଯାଉଥିବା କୁହାଯାଇଛି । ରୋଗ ସମ୍ପର୍କରେ ଅଧିକ ଗବେଷଣା ଓ ନିରାକରଣ ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସଂଗଠନ ।

 

 

ବ୍ରଜରାଜନଗରରେ ଜମୁଛି ନେତାଙ୍କ ଗହଳି, ଘରକୁ ଘର ବୁଲି ସମର୍ଥନ ସାଉଁଟୁଛନ୍ତି ୩ ଦଳର ପ୍ରାର୍ଥୀ

ବ୍ରଜରାଜନଗର: ତାରିଖ ଯେତେ ପାଖେଇ ଆସୁଛି, ସେତେ ଉଠୁଛି ପଡ଼ୁଛି ବ୍ରଜରାଜନଗର । ନେତାଙ୍କ ଗହଳି ସାଙ୍ଗକୁ ମାଳ ମାଳ ପ୍ରତିଶ୍ରୁତିରେ କମ୍ପୁଛି ମଇଦାନ । ଘରକୁ ଘର ଯାଇ ପ୍ରମୁଖ ୩ ଦଳର ପ୍ରାର୍ଥୀମାନେ ଭୋଟ ଭିକ୍ଷା କରୁଛନ୍ତି । ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ସବୁ ଦଳର ହେଭିଓ୍ବେଟ । ବିଜୟ ପାଇଁ ଚାଲିଛି ଜୋରଦାର କସରତ । ଗାଁ ଗାଁରେ କର୍ମୀଙ୍କ ସହିତ ହେଉଛି ଘନଘନ ବୈଠକ । ଉପନିର୍ବାଚନରେ ରେକର୍ଡ ଭୋଟରେ ଜିତିବାକୁ ମାନସମନ୍ଥନ ଚାଲିଛି ।

ରାଜ୍ୟ ସରକାରଙ୍କ ବିକାଶ ଯୋଜନା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଯୋଗୁ ଦଳ ବିପୁଳ ଭୋଟରେ ଜିତିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି ବିଜେଡି । ଶାସକ ଦଳକୁ ଟକ୍କର ଦେବାକୁ ପ୍ରଚାରକୁ ଜୋରଦାର କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ପ୍ରଚାରରେ ବିଜେଡି ଆଗରେ ରହିଥିବା ବେଳେ କଂଗ୍ରେସ ଓ ବିଜେପି ମଧ୍ୟ ଜୋରାଦାର ପ୍ରଚାର କରୁଛି ।

ଆଜି ପବିତ୍ର ଭଉଁରୀ ଯାତ୍ରା, ରଥ ଖଳାରେ ତିନି ରଥର ଚକ ଅଖ ଡେରା ନୀତି ହେବ ଅନୁଷ୍ଠିତ

ପୁରୀ: ଆଜି ପବିତ୍ର ଭଉଁରୀ ଯାତ୍ରା । ରଥ ଖଳାରେ ତିନି ରଥର ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ । ପବିତ୍ର ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଆରମ୍ଭ ହୋଇଛି । ପରମ୍ପରା ଅନୁଯାୟୀ ତିନୋଟି ରଥର ଦୁଇଟି ଚକରେ ଗୋଟିଏ ଲେଖାଏଁ ଅଖ ସଂଯୋଗ ହୋଇ ଚକ ଅଖ ଡେରା ନୀତି ସମ୍ପାଦନ କରାଯିବ । ଏନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ନୀତି ବଢିବା ପରେ ତିନି ବାଡ଼ରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ରଥ ଖଳାରେ ବିଜେ କରିବେ । ଆଜ୍ଞା ମାଳ ବିଜେ ପରେ ବିଜେ କାହାଳି ବାଜି ଚକ ଅଖ ଡେରା ନୀତି ସମ୍ପର୍ଣ କରାଯିବ । ମହାରଣା ସେବକଙ୍କ ଉପସ୍ଥିତିରେ ଭୋଇ ସେବକମାନେ ଏହି ନୀତି ସମ୍ପାଦନ କରିବେ । ରଥ ଖଳାକୁ ସ୍ୱତନ୍ତ୍ର ପଟୁଆରାରେ ଆଜ୍ଞା ମାଳ ବିଜେ କରାଯିବ ।

ରାଜ୍ୟର ୭ ଜିଲ୍ଲାରେ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ଆଜି ସକାଳୁ ବିଭିନ୍ନ ସ୍ଥାନରେ କୋହଲା ପାଗ ରହିବା ସହ ରାଜ୍ୟର କିଛି କିଛି ସ୍ଥାନରେ ସାମାନ୍ୟ ବର୍ଷା ଦେଖାଦେଇଛି । ଏହାସହ ରାଜ୍ୟରେ ପ୍ରବଳ ଖରା ସାଙ୍ଗକୁ ସକ୍ରିୟ ରହିଛି କାଳବୈଶାଖୀ । ଦିନରେ ପ୍ରବଳ ଖରା ପରେ ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନାରେ କାଳବୈଶାଖୀ ତାଣ୍ଡବ ରଚୁଛି । ଆଜି କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, କୋରାପୁଟ, ରାୟଗଡ଼ା, ଗଜପତିରେ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପର ଆସନ୍ତାକାଲି କାଳବୈଶାଖୀ ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି । ଅନ୍ୟପଟେ ୨୪ ଓ ୨୫ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଧିରେ ଧିରେ ବଢିବାରେ ଲାଗିଛି । ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବାର ସମ୍ଭାବନା ରହିଛି । ବଲାଙ୍ଗୀର, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜରେ ଗ୍ରୀଷ୍ଣ ପ୍ରବାହ ପାଇଁ ସତର୍କତା ଜାରି ହୋଇଛି ।

ଏହି ତିନୋଟି ରାଶିର ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା

ଜ୍ୟୋତିଷଙ୍କ ଗଣନା ଅନୁସାରେ ୨୦୨୨ ମେ ୨୨ ତାରିଖ ଅନେକ ରାଶିଙ୍କ ପାଇଁ ଅତ୍ୟନ୍ତ ଖରାପ ସମୟ ଥିବାବେଳେ ଅନେକଙ୍କ ପାଇଁ ଖୁବ୍ ଶୁଭଦାୟକ । ଜାଣନ୍ତୁ କାହାର ବଦଳିବ ଭାଗ୍ୟ…

ବୃଷ ରାଶି : ଆତ୍ମବିଶ୍ୱାସ ବୃଦ୍ଧି ହେବ । ମା’ଙ୍କଠାରୁ ଧନପ୍ରାପ୍ତି ହୋଇପାରେ । ଦାମ୍ପତ୍ୟ ସୁଖରେ ବୃଦ୍ଧି ହେବ । କୌଣସି ବନ୍ଧୁଙ୍କ ସହଯୋଗରେ ରୋଜଗାରର ସୁଯୋଗ ମିଳିପାରେ । ଆୟ ବୃଦ୍ଧି ହେବ । ପରିବାରରେ ମାନ-ସମ୍ମାନ ବଢ଼ିବ । ଚାକିରିରେ ପଦୋନ୍ନତିର ସୁଯୋଗ ରହିଛି ।

ମିଥୁନ ରାଶି : ସନ୍ତାନ ପକ୍ଷରୁ ସୁଖ ଖବର ମିଳିପାରେ । ଯଶ-କୀର୍ତ୍ତି ଓ ମାନ-ସମ୍ମାନ ବଢ଼ିପାରେ । ପରିବାରରେ ଶାନ୍ତି ବଜାୟ ରହିବ । ଯାନବାହନର ସୁଖ ପ୍ରାପ୍ତି ହେବ । ପରିବାର ସହ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି । ଆତ୍ମବିଶ୍ୱାସ ବୃଦ୍ଧି ହେବ । ମା’ଙ୍କ ସହଯୋଗ ମିଳିବ । ରାଜନୈତିକ ବ୍ୟକ୍ତିଙ୍କ ଆଶା ଓ ଆକାଂକ୍ଷା ପୂର୍ଣ୍ଣ ହେବ ।

ବିଛା ରାଶି : ସମ୍ପତ୍ତି ପ୍ରାପ୍ତି ହେବାରୁ ଆୟ ବୃଦ୍ଧି ହେବ । ମା’ଙ୍କ ତରଫରୁ ଧନ ପ୍ରାପ୍ତି ହୋଇପାରେ । କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିବ । କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନର ସମ୍ଭାବନା ରହିଛି । ସ୍ଥାନ ମଧ୍ୟ ପରିବର୍ତ୍ତନ କରିପାରନ୍ତି । ଆୟରେ ବୃଦ୍ଧି ହେବ । ପାରିବାରିକ ଜୀବନ ସୁଖମୟ ରହିବ । ସନ୍ତାନ ପକ୍ଷରୁ ସୁଖଦ ସମାଚାର ମିଳିପାରେ । ଚାକିରିରେ ଉନ୍ନତିର ସମ୍ଭାବନା ମଧ୍ୟ ରହିଛି । ଅଧିକାରୀଙ୍କ ସହାୟତା ମିଳିପାରେ । ବାହନ ସୁଖରେ ବିସ୍ତାର ହୋଇପାରେ ।

କୁମ୍ଭ ରାଶି : ଆତ୍ମବିଶ୍ୱାସରେ ବୃଦ୍ଧି ହେବ । ପରିବାରରେ ଧାର୍ମିକ କାର୍ଯ୍ୟକ୍ରମ ହୋଇପାରେ । ସନ୍ତାନ ସୁଖ ମିଳିପାରେ । ଅତିରିକ୍ତ କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ । ମନରେ ଶାନ୍ତି ଓ ପ୍ରସନ୍ନତାଭାବ ରହିବ । ମା’ କିମ୍ୱା କୌଣସି ବୟସ୍କ ମହିଳାଙ୍କଠାରୁ ଧନ ପ୍ରାପ୍ତି ହୋଇପାରେ ।

ବଦଳୁଛି ପାଣିପାଗ, ସନ୍ତୁଳନ ହରାଉଛି ପରିବେଶ

ଭୁବନେଶ୍ବର: ବଦଳୁଛି ପାଣିପାଗର ମିଜାଜ୍ । ଦିନକୁ ଦିନ ବାହାରୁଛି ନୂଆ ନୂଆ ରୋଗ । ରାଜ୍ୟରେ ହିଟ୍ ଷ୍ଟ୍ରୋକ୍ ଓ ହାଇପରଥର୍ମିଆ ନେଇଛି ଦୁଇ ଜୀବନ । ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ଏବଂ ଅସହ୍ୟ ଗୁଳୁଗୁଳି ପାଇଁ ବଢୁଛି ଶରୀରର ତାପମାତ୍ରା । ଶକ୍ତିହୀନ ହେଉଛି ମଣିଷ । ବଢୁଛି ଅଳସୁଆମୀ । ଏହି ରୋଗର ଚିକିତ୍ସା ନୁହେଁ ପ୍ରତିକାର କରିବାକୁ ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ ।

ଏମିତି ସ୍ଥିତିରେ ପାଣିପାଗ କେନ୍ଦ୍ର ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ହାଇପରଥର୍ମିଆ ଏକ ସାଂଘାତିକ ରୋଗ । ଏହା ସିଧା ସଳଖ ମସ୍ତିଷ୍କକୁ ଆକ୍ରାନ୍ତ କରୁଛି । ସ୍ନାୟୁ ମଧ୍ୟ ଦୁର୍ବଳ ହେଉଛି । ଖରା ଯୋଗୁଁ ମଣିଷ ଦେହରୁ ଲବଣ ପଦାର୍ଥ କମିଯାଉଛି । ପ୍ରଭାବରେ ଚର୍ମ ଜନିତ ସମସ୍ୟା ସହ ହିଟ୍‌ ଷ୍ଟ୍ରୋକ ହେଉଛି । ଏହାର ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ବ୍ୟବସ୍ଥା କରିଛି । ହେଲେ ଚିକିତ୍ସା ଅପେକ୍ଷା ଖରାକୁ ନ ଯିବା ଭଲ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ପାଣିପାଗ ବଦଳୁଥିବାରୁ ଚଳିତ ଗ୍ରୀଷ୍ମରେ ଅଧିକ ତାତି ଅନୁଭବ ହେଉଛି । କିଛି ଜିଲ୍ଲାରେ ତାତି ନ ଥିଲେ ବି ଲୋକେ ଅସହ୍ୟ ଅନୁଭବ କରୁଛନ୍ତି । ଶରୀରୁ ପ୍ରବଳ ଝାଳ ବାହାରିବା ସହ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରୁଛି । ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାରେ ହାଇପରଥର୍ମିଆ ରୋଗ ଅଧିକ ପରିମାଣରେ ପରିଲକ୍ଷିତ ହେଉଛି । ବୟସ୍କ ଏବଂ ଯେଉଁମାନେ ଅଧିକ ଔଷଧ ଖାଉଛନ୍ତି ସେମାନଙ୍କୁ ଏହି ରୋଗ ଆକ୍ରାନ୍ତ କରୁଛି । ତେଣୁ ଏହି ବର୍ଗର ଲୋକମାନେ ଖରାରେ ବାହାରକୁ ବାହାରିବା ଅନୁଚିତ ବୋଲି ଡାକ୍ତର କହିଛନ୍ତି । ଏହାସହ ପ୍ରଚୁର ପରିମାଣର ପାଣି ଏବଂ ଓଆରଏସ୍ ପିଇବାକୁ ପରାମର୍ଶ ଦିଆଯାଇଛି ।

ଅସନ୍ତୁଳିତ ପାଣିପାଗ ପାଇଁ ଏବେ ଅନେକ ପ୍ରକାର ରୋଗରେ ପୀଡିତ ହେଉଛନ୍ତି ଲୋକେ । ହେଲେ ହିଟଷ୍ଟ୍ରାକ ଏବଂ ହାଇପରଥର୍ମିଆ ବର୍ତ୍ତମାନ ସମୟର ବଡ଼ ରୋଗ ଭାବେ ଉଭା ହୋଇଛି ।

ଜାରି ରହିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଭୁବନେଶ୍ବର: ପରିକ୍ରମା ପ୍ରକଳ୍ପରେ କୌଣସି ପ୍ରତିବନ୍ଧକ ନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ଏଏସଆଇ ସହଯୋଗରେ କାମ ହେବ ବୋଲି ପରିଚାଳନା ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ । ପୂର୍ବରୁ ଗଜପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ସାଂସ୍କୃତିକ ଉପଦେଷ୍ଟା କମିଟି ନିଷ୍ପତ୍ତିକୁ ମଧ୍ୟ ଅନୁମୋଦନ କରାଯାଇଛି ।

ଏଏସଆଇ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର ଶହେ ମିଟର ପରିଧି ବାହାରେ କରିବା ପାଇଁ ନିଷ୍ପତ୍ତି ହୋଇଛି । ତେବେ ଏହା କେଉଁ ସ୍ଥାନରେ କରାଯିବ ତାହା ସ୍ପଷ୍ଟ ହୋଇନାହିଁ । ସେହିପରି ଆଉଟଡୋର ଆକ୍ସେସ ରୋଡ ପାଇଁ ଆବଶ୍ୟକ ହେଲେ ଅଧିକ ଜମି ଅଧିଗ୍ରହଣ କରାଯିବା ସହ ଯାତ୍ରୀ ପରିକ୍ରମା ମାର୍ଗ ମଧ୍ୟରେ ହୋଇଥିବା ସମସ୍ତ କାର୍ଯ୍ୟ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ କରାଯିବ | ଏହା ମେଘନାଦ ପାଚେରୀଠାରୁ ଅଧିକ ଉଚ୍ଚ ହେବ ନାହିଁ ବୋଲି ପୂର୍ବରୁ ସାଂସ୍କୃତିକ ଉପଦେଷ୍ଟା କମିଟିରେ ନିଷ୍ପତ୍ତି ନିଆଯାଇଥିଲା ।

ଏହି ପ୍ରକଳ୍ପ କାର୍ଯ୍ୟ ଦ୍ବାରା ଶ୍ରୀମନ୍ଦିର ଦୃଶ୍ୟମାନ ହେବାରେ ଯେଭଳି କୌଣସି ପ୍ରତିବନ୍ଧକ ନଉପୁଜିବ ତାହା ଉପରେ ମଧ୍ୟ ସାଂସ୍କୃତିକ ଉପଦେଷ୍ଟା କମିଟି‌ ନେଇଥିବା ନିଷ୍ପତ୍ତିକୁ ପରିଚାଳନା କମିଟିରେ ମୋହର ବାଜିଛି । ସେହିଭଳି ଗୁରୁକୁଳ ପାଇଁ ସୋସାଇଟି ଗଠନକୁ ମଧ୍ୟ ଅନୁମୋଦନ ମିଳିଛି । ଆସନ୍ତା ଦୁଇବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଗରିବ ସେବାୟତଙ୍କ ପାଇଁ ମାଟି ମଣ୍ଡପ ସାହିରେ ୨.୮୧ ଓ ହରଚଣ୍ଡୀ ସାହି ମୈଜାରେ ୩.୧୮ ଏକର ଜମି ଚିହ୍ନଟ ହୋଇଛି। ଏହି ଜମି ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆସିବା ପରେ ଓବିସିସିକୁ ଡିଜାଇନ୍ ପ୍ରସ୍ତୁତ ପାଇଁ କୁହାଯିବ । ଅନ୍ୟପଟେ ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ପରିବର୍ତ୍ତି ପରିଚାଳନା ବୈଠକରେ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଆଜି ଅପରାହ୍ନରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ପରିଚାଳନା କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ପାଇଁ ନଗଦ ପୁରସ୍କାର ରାଶି ବୃଦ୍ଧି

ଭୁବନେଶ୍ୱର: ସଡ଼କ ସୁରକ୍ଷା ବାର୍ତ୍ତା ନେଇ ଆଉ ଦୁଇ ପାଦ ଆଗକୁ ଯାଇଛି ପରିବହନ ବିଭାଗ । ସଡ଼କ ସୁରକ୍ଷା ନେଇ ତିଆରି କରନ୍ତୁ କ୍ଷୁଦ୍ର ଚଳଚ୍ଚିତ୍ର ଆଉ ପାଆନ୍ତୁ ରାଜ୍ୟ ସରକାରଙ୍କ ଠାରୁ ଏକ ଲକ୍ଷ ଟଙ୍କା ର ପୁରସ୍କାର ରାଶି । ଏଥି ସହ ସରକାରଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇ ପାରିବେ ବୋଲି ନ୍ୟାସନାଲ ରୋଡ ସେଫ୍ଟି ସର୍ଟ ଫିଲ୍ମ ଫିଷ୍ଟିବାଲ ପାଇଁ ପରିବହନ ବିଭାଗ ପକ୍ଷରୁ ଭୁବନେଶ୍ୱର ପୋଲିସ ଭବନ ପରିସରରେ ଆୟୋଜିତ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ମାତ୍ର ୨ ମିନିଟ ଅବଧି ଭିତରେ ସଡ଼କ ସୁରକ୍ଷା ବାର୍ତ୍ତା ନେଇ ଫୁଲ ଏଚଡି ଭିଡିଓ କରି ଗୁଗୁଲି ଡ୍ରାଇଭ କିମ୍ବା [email protected] କିମ୍ୱା [email protected] ରେ ଜୁନ ୩ ତାରିଖ ମଧ୍ୟ ରେ ପଠାଇପାରିବେ । ଓଡ଼ିଆ ଓ ଅନ୍ୟ ଯେ କୌଣସି ଗୋଟିଏ ଭାଷା ରେ ସାରା ଭାରତର ଯେ କୌଣସି ବ୍ୟକ୍ତି ଏହି ଭିଡିଓ କରି ଏଥିରେ ଅଂଶଗ୍ରହଣ କରିପାରିବେ ।

ଆସନ୍ତା ଜୁନ ୧୮ ଓ ୧୯ ତାରିଖ ରେ ରାଉରକେଲା ରେ ଏହା କୁ ପ୍ରଦର୍ଶିତ କରାଯାଇ ଯୁରି ମେମ୍ବର ଙ୍କ ଦ୍ଵାରା ସିଲେକ୍ସନ୍ କରାଯିବ । ଏହା ପରେ ପୁରୀ ରେ ଆସନ୍ତା ୨୪ ଓ ୨୫ ରେ ବିଜେତା ମାନଙ୍କ ନାମ ଘୋଷଣା ସହ ପୁରସ୍କୃତ କରାଯିବ । ଓଡ଼ିଆ କାଟା ଗୋରୀ ଓ ନନ୍ ଓଡ଼ିଆ କାଟାଗୋରି ରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଏକ ଲକ୍ଷ ଟଙ୍କା ର ପୁରସ୍କାର ରାଶି ରହିଥିବା ବେଳେ ପ୍ରଥମ ରାନର୍ସ ଅପ୍ ପାଇଁ ୮୦ ହଜାର ଓ ଦ୍ଵିତୀୟ ରାନର୍ସ ଅପ୍ ପାଇଁ ୬୦ ହଜାର ଟଙ୍କା ପୁରସ୍କାର ରାଶି ରଖାଯାଇଛି ।

ସେହିପରି ଶ୍ରେଷ୍ଠ ନିର୍ଦେଶକ,ସଂଳାପ,ସିନେମାଟୋଗ୍ରାଫି ଓ ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ଅଭିନେତ୍ରୀ ଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି ।ଏହି ସାମ୍ବାଦିକ ସମ୍ମିଳନୀ ରେ ଅରୁଣ ବୋଥ୍ରା ଙ୍କ ସମେତ ଜୁରି ମେମ୍ବର କୁନା ତ୍ରିପାଠୀ, ସବ୍ୟସାଚୀ,ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।ତେବେ ସଡ଼କ ସୁରକ୍ଷା ପାଇଁ ସବୁବେଳେ ସଚେତନତା କାର୍ଯକ୍ରମ ଜାରି ରହିଛି । କିନ୍ତୁ ଏବେ ଏହି ସର୍ଟ ଫିଲ୍ମ କରାଇ ଆଉ ପାଦେ ସଡ଼କ ସୁରକ୍ଷା ବାର୍ତା ଆଗକୁ ଯିବ ବୋଲି ମତ ପ୍ରକାଶ ପାଇଛି  ।

ଏଥିସହିତ ପଢ଼ନ୍ତୁ: ୭ଟି ବିଦ୍ୟୁତ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

 

ଯୁଦ୍ଧର ୮୭ ଦିନରେ ୟୁକ୍ରେନ କବଳରୁ ଆଜଭୋସ୍ତଲ ଷ୍ଟିଲଓ୍ୱାକ୍ସକୁ ଛଡ଼ାଇ ଆଣିଲା ଋଷ

ମସ୍କୋ: ଯୁଦ୍ଧର ୮୭ ଦିନରେ ଋଷର ବଡ଼ ବିଜୟ । ୟୁକ୍ରେନ କବଳରୁ ଛଡ଼ାଇ ଆଣିଛି ପୋର୍ଟସିଟି ମାରିୟୁପୋଲ ଅନ୍ତର୍ଗତ ଆଜଭୋସ୍ତଲ ଷ୍ଟିଲଓ୍ୱାକ୍ସ । ୧ ମାସର ସଂଘର୍ଷ ପରେ ଶେଷରେ ୟୁକ୍ରେନୀୟ ସୈନ୍ୟ ଆତ୍ମସମର୍ପଣ କରିଛନ୍ତି ବୋଲି ଦାବି କରିଛି ଋଷ । ତେଣେ ପଶ୍ଚିମ କିବରେ ଏକ ସାମରିକ ଗୋଦାମକୁ ଧ୍ୱଂସ କରିଛି ଋଷ । କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଶୁଭିଛି ଯୁଦ୍ଧ ବିରୋଧୀ ସ୍ୱର । ଅଧିକୃତ ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ନେଇ ଅଭିନବ ପ୍ରତିବାଦ କରିଛନ୍ତି ଜଣେ ମହିଳା । ପାଦେ ପଛକୁ ହଟିଲା ୟୁକ୍ରେନ ।

ହାତରୁ ଖସିଲା ପୋର୍ଟସିଟି ମାରିୟୁପୋଲ ଅନ୍ତର୍ଗତ ଆଜଭୋସ୍ତଲ ଷ୍ଟିଲଓ୍ୱାକ୍ସ । ବିଶାଳ କାରଖାନା ପରିସର ଉପରେ ଆଧିପତ୍ୟ ବିସ୍ତାର କରିଛି ଋଷ । ଏକ ମାସର ସଂଘର୍ଷ ପରେ ଶେଷରେ ୟୁକ୍ରେନୀୟ ସୈନ୍ୟ ଆତ୍ମସମର୍ପଣ କରିଛନ୍ତି ବୋଲି କହିଛି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ । ପ୍ଲାଣ୍ଟ ପରିସରରେ ପ୍ରାୟ ଅଢେଇ ହଜାର ନାଜି ସମର୍ଥକ ଓ ୟୁକ୍ରେନ ସୈନ୍ୟ ରହି ଋଷ ବିରୋଧରେ ଲଢେଇ ଜାରି ରଖିଥିଲେ । ଗତକାଲି ଶେଷ ପର୍ଯ୍ୟାୟରେ ୫୩୧ ଜଣ ସୈନ୍ୟ ଆତ୍ମସମର୍ପଣ କରିବା ପରେ ବିଧିବଦ୍ଧ ଭାବେ ସେଠାରେ ବିଜୟ ପତାକା ଉଡାଇଛି ଋଷ । ଷ୍ଟ୍ରାଟେଜିକ ଗୁରୁତ୍ୱପୂର୍ଣ୍ଣ ଥିବା ଏହି ଷ୍ଟିଲପ୍ଲାଣ୍ଟରେ ଆଜୋଭ ରେଜିମେଣ୍ଟର ସୈନ୍ୟମାନେ ପ୍ରାଣମୂର୍ଚ୍ଛା ଲଢେଇ ଜାରି ରଖିଥିଲେ ।

ଷ୍ଟିଲପ୍ଲାଣ୍ଟକୁ ନେଇ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ଚାଲିଥିଲା ଘମାଘୋଟ ଯୁଦ୍ଧ । କେବଳ ମାରିୟୁପୋଲ ସହରରେ ପ୍ରାଣ ହରାଇଥିଲେ ୨୦ ହଜାରରୁ ଅଧିକ ନାଗରିକ । ଜୀବନ ଭୟରେ ସହର ଛାଡ଼ିଥିଲେ ପ୍ରାୟ ୫ ଲକ୍ଷ ଲୋକ । ଷ୍ଟିଲପ୍ଲାଣ୍ଟ ଭିତରେ ଥିବା ଅଣ୍ଡରଗ୍ରାଉଣ୍ଡ ସେଲଗୁଡିକୁ ସମ୍ପୂର୍ଣ୍ଣ ସୈନ୍ୟମୁକ୍ତ କରାଯାଇଛି ବୋଲି କହିଛି ଋଷ । ସେପଟେ ପୂର୍ବ ୟୁକ୍ରେନର ଏକ କଲଚରାଲ ସେଣ୍ଟରରେ ଋଷର ଏୟାରଷ୍ଟ୍ରାଇକରେ ଆହତ ହୋଇଛନ୍ତି ଜଣେ ଶିଶୁ ସମେତ ୮ଜଣ । ଲୋଜୋଭାସ୍ଥିତ ହାଉସ ଅଫ କଲଚର ଉପରେ ବର୍ବର ଆକ୍ରମଣ ହୋଇଛି ବୋଲି ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ତେଣେ ପଶ୍ଚିମ କିବର ଜିତୋମିରରେ ଏକ ସାମରିକ ଗୋଦାମକୁ କାଲିବର କ୍ରୁଜ ମିସାଇଲ ଜରିଆରେ ଧ୍ବଂସ କରିଛି ଋଷ । ଏହି ଗୋଦାମରେ ଆମେରିକା ଓ ୟୁରୋପ ପକ୍ଷରୁ ଯୋଗାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଧ୍ୱଂସ ହୋଇଛି । ସେହିପରି ଓଡେଶା ଓ କୃଷ୍ଣସାଗର ନିକଟସ୍ଥ ଏକ ଇନ୍ଧନ ଗୋଦାମ ସମେତ ଏକ ଏସୟୁ ୨୫ ବିମାନ ଓ ୨୫ଟି ଡ୍ରୋନକୁ ଧ୍ୱଂସ କରାଯାଇଛି ବୋଲି ଦାବି କରିଛି ଋଷ ।

ସେପଟେ କାନ୍ସ ରେଡ୍ କାର୍ପେଟରେ ଯୁଦ୍ଧ ବିରୋଧୀ ବାର୍ତ୍ତା । ଋଷିଆର ୟୁକ୍ରେନ ଆକ୍ରମଣ ଓ ଅଧିକୃତ ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମର ଅଭିନବ ପ୍ରତିବାଦ କରିବାକୁ ଉଦ୍ୟମ କରିଛନ୍ତି ଜଣେ ମହିଳା । ୟୁକ୍ରେନ ଜାତୀୟ ପତାକା ରଙ୍ଗରେ ନିଜ ଶରୀରକୁ ରଙ୍ଗାଇ ଜଣେ ମହିଳା ରେଡ କାର୍ପେଟରେ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଦୌଡ଼ିବା ପରେ ସେଠାରେ ସୃଷ୍ଟି ହୋଇଥିଲା ହଇଚଇ । ପୂର୍ବରୁ ଋଷ ଅଧିକୃତ ୟୁକ୍ରେନର ଅଞ୍ଚଳରେ ଋଷୀୟ ସୈନ୍ୟମାନେ ଶିଶୁ ଓ ମହିଳାଙ୍କୁ ନିର୍ଯାତନା ଦେଉଥିବା ନେଇ ରାଷ୍ଚ୍ରପତି ଭୋଲୋଦିମିର ଜେଲେନସ୍କି କରିଥିଲେ ଅଭିଯୋଗ ।

ଏଥିସହିତ ପଢ଼ନ୍ତୁ: ୪୦କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ବଙ୍ଗଳା କିଣିଲେ ଗାଙ୍ଗୁଲି

ୟୁରୋପ ଓ ଆମେରିକାରେ ମୁଣ୍ଡ ବ୍ୟାଥ ବଢ଼ାଇଲାଣି ମଙ୍କି ଫକ୍ସ; ୧୯୮୦ ମସିହାରେ ହୋଇଥିଲା ମୂଳପୋଛ

ନୂଆଦିଲ୍ଲୀ: ୟୁରୋପ ଓ ଉତ୍ତର ଆମେରିକା ମହାଦେଶରେ ମଙ୍କିପକ୍ସ ସଂକ୍ରମଣ ମୁଣ୍ଡବିନ୍ଧାର କାରଣ ହୋଇଛି । ବିଭିନ୍ନ ଦେଶରେ ଏଯାଏ ୧୦୦ରୁ ଅଧିକ ଚିହ୍ନଟ ହୋଇଛନ୍ତି । ବଢିଚାଲିଥିବା ସଂକ୍ରମଣ ନେଇ ଉଦବେଗ ପ୍ରକାଶ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଆଜି ସଂଗଠନର ଜରୁରୀ ବୈଠକ ବସି ସ୍ଥିତି ନେଇ ଆଲୋଚନା କରାଯିବ । ଏଣେ ମଙ୍କିପକ୍ବ ପ୍ରଭାବିତ ଦେଶଗୁଡିକରୁ ଆସୁଥିବା ଯାତ୍ରୀଙ୍କ ଉପରେ ସତର୍କ ଦୃଷ୍ଟ ରଖିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି ।

ୟୁରୋପ ଓ ଉତ୍ତର ଆମେରିକାରେ କାୟା ମେଲାଇଛି ମଙ୍କିପକ୍ସ । ବିଭିନ୍ନ ଦେଶରେ ୧୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତା ବଢିଛି । ବଢି ଚାଲିଥିବା ମଙ୍କିପକ୍ସ ମାମଲା ନେଇ ଚିନ୍ତା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଆସନ୍ତା କିଛି ଦିନରେ ମଙ୍କିପକ୍ସ ସଂକ୍ରମଣ ବଢିବ ବୋଲି ଚେତାବନୀ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୟୁରୋପୀୟ ଆଞ୍ଚଳିକ ନିର୍ଦ୍ଦେଶକ ହାନ୍ସ କ୍ଲଜ । ୟୁରୋପରେ ଏହି ସମୟରେ ଅନେକ ଉତ୍ସବ, ପାର୍ଟି, ସମ୍ମେଳନ ଆୟୋଜିତ ହେଉଥିବାରୁ ଏହି ସଂଖ୍ୟା ବଢିବ ବୋଲି ସେ କହିଛନ୍ତି । ବିଶେଷ କରି ସମଲିଙ୍ଗୀଙ୍କୁ ମଙ୍କିପକ୍ସ ସଂକ୍ରମଣ ହେଉଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ବେଲଜିୟମ, ଫ୍ରାନ୍ସ, ଜର୍ମାନୀ, ଇଟାଲି, ନେଦରଲ୍ୟାଣ୍ଡସ, ପର୍ତ୍ତୃଗାଲ, ସ୍ପେନ, ସ୍ୱିଡେନ୍, ବ୍ରିଟେନ, ଆମେରିକା, କାନାଡା, ଅଷ୍ଟ୍ରେଲିଆରେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଆଗକୁ ଏହା ମାରାତ୍ମକ ରୂପ ନେବା ଆଶଙ୍କା କରାଯାଉଛି । ସ୍ପେନରେ ୨୪ଟି ନୂଆ ମାମଲା ପଦାକୁ ଆସିଥିବା ବେଳେ, ଇସ୍ରାଏଲରେ ଜଣେ ସନ୍ଦିଗ୍ଧଙ୍କୁ ଠାବ କରାଯାଇଛି । ୧୯୮୦ ଦଶକରେ ବିଶ୍ବରୁ ଏହି ଭୂତାଣୁ ମୂଳପୋଛ ହୋଇଛି ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ପୁନର୍ବାର ଏହାର ଉତ୍ପତ୍ତି ଚିନ୍ତା ବଢ଼ାଇଛି । ବ୍ରିଟେନରେ ବର୍ତ୍ତମାନ ସୁଦ୍ଧା ୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ପ୍ରତିକାର ସ୍ବରୂପ ମଙ୍କିପକ୍ସ ସଂକ୍ରମିତଙ୍କୁ ସ୍ମଲପକ୍ସ ଟିକା ଦିଆଯାଉଥିବା ସୂଚନା ମିଳିଛି । ଆଫ୍ରିକାରେ ବର୍ତ୍ତମାନ ସୁଦ୍ଧା ୪୬ଟି ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଥିବା ବେଳେ, ୧୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ପର୍ତ୍ତୁଗାଲରେ ମୋଟ ୨୩ ଜଣ ସଂକ୍ରମିତ ଠାବ ହୋଇଛନ୍ତି ।

ବିଶ୍ବର ବିଭିନ୍ନ ଦେଶରୁ ମଙ୍କିପକ୍ସ ମାମଲା ରିପୋର୍ଟ ହୋଇଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ସତର୍କତା ଅବଲମ୍ବନ କରିଛନ୍ତି । ସ୍ଥିତି ଉପରେ କଡା ନଜର ରଖିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଓ ଆଇସିଏମଆରକୁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ବିମାନବନ୍ଦର ଓ ବନ୍ଦରରେ ସତର୍କ ଦୃଷ୍ଟି ରଖିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । ମଙ୍କିପକ୍ସ ପ୍ରଭାବିତ ଦେଶରୁ ଆସିଥିବା କୌଣସି ଯାତ୍ରୀଙ୍କଠାରେ ଲକ୍ଷଣ ଦେଖାଗଲେ ତାଙ୍କୁ ପୃଥକବାସରେ ରଖିବା ସହ ନମୁନା ସଂଗ୍ରହ କରି ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜ-ଏନଆଇଭିକୁ ନିର୍ଦ୍ଦେଶ ଦିଆଯାଇଛି ।