spot_img
Home Blog Page 4433

ରାଜ୍ୟସଭାର ୭୨ ଜଣ ସଦସ୍ୟଙ୍କୁ ବିଦାୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ୭୨ ଜଣ ସଦସ୍ୟ ଅବସର ନେଇଛନ୍ତି  । ପି.ଚିଦାମ୍ବରମ, କପିଲ ସିବଲ, ଜୟରାମ ରମେଶ ଓ ଏ.କେ ଆଣ୍ଟୋନୀଙ୍କ ପରି ବରିଷ୍ଠ କଂଗ୍ରେସ ନେତା ଅବସର ନେଇଛନ୍ତି  । ବିଜେପିର ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ଅବସର ନେଇଥିବା ସଦସ୍ୟଙ୍କ ମଧ୍ୟରେ ଅଛନ୍ତି  । ଆଜି ସଦସ୍ୟଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା  । ସେଥିପାଇଁ ରାଜ୍ୟସଭାରେ ପ୍ରଶ୍ନକାଳ ବାତିଲ କରାଯାଇ ଅବସର ନେଉଥିବା ସଦସ୍ୟଙ୍କୁ ବିଦାୟ ସମ୍ବର୍ଦ୍ଧନା ଆୟୋଜିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହର ନେତା ପୀୟୂଷ ଗୋୟଲ ଓ ଲୋକସଭା ସଦସ୍ୟ ମଲ୍ଲିକାର୍ଜ୍ଜୁନ ଖର୍ଗେ ବିଦାୟ ନେଉଥିବା ସଦସ୍ୟଙ୍କ ଅବଦାନ ସଂପର୍କରେ କହିଥିଲେ  ।

ମଲ୍ଲିକାର୍ଜ୍ଜୁନ ଖର୍ଗେ କହିଥିଲେ ଯେ, ‘ରାଜ୍ୟସଭା ଏକ ସ୍ଥାୟୀ ଗୃହ, କିଛି ସଦସ୍ୟ ଅବସର ନେବେ ଏବଂ ଆଉ କିଛି ସଦସ୍ୟ ଆସିବେ । ଏହା ନିରନ୍ତର ଚାଲିବ । ଆମମାନଙ୍କ ମଧ୍ୟରେ ମତଭେଦ ହୋଇପାରେ କିନ୍ତୁ ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ଆମେ ଭଲ କାମ କରୁ । ନେହେରୁ ରାଜ୍ୟସଭାକୁ ଶକ୍ତି ଏବଂ ଅନ୍ତରଙ୍ଗତା ଦେଇଥିଲେ । ସେ ରାଜ୍ୟସଭା ସାଂସଦମାନଙ୍କୁ ବିଭିନ୍ନ କମିଟିର ସଦସ୍ୟ କରିଥିଲେ ।

ଅନ୍ୟପଟେ,  ରାଜ୍ୟସଭା ସାଂସଦଙ୍କ ବିଦାୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘ଏହା ହେଉଛି ସ୍ୱାଧୀନତାର ଅମୃତ ମହୋତ୍ସବ । ଆମର ମହାପୁରୁଷମାନେ ଦେଶ ପାଇଁ ବହୁତ କିଛି ଦେଇଛନ୍ତି, ବର୍ତ୍ତମାନ ଦେବା ଦାୟିତ୍ୱ ଆମର । ଏ ସଂସଦରେ ଆମେ ଦୀର୍ଘ ସମୟ ଅତିବାହିତ କରିଛନ୍ତି। ଆମେ ଯେତିକି ଅବଦାନ ଦେଇ ନାହାନ୍ତି, ଆମ ଜୀବନ ପ୍ରତି ଏ ଗୃହର ଅବଦନା ତା’ଠାରୁ ଅଧିକ। ଏ ଗୃହର ସଦସ୍ୟ ଭାବେ ଆପଣମାନେ ହାସଲ କରିଥିବା ଅଭିଜ୍ଞତା ସବୁକୁ ଦେଶର ସବୁ ପ୍ରାନ୍ତରରେ ପ୍ରସାର କରିବା ଆବଶ୍ୟକ।

ମାନସ ସ୍ୱାଇଁ ହତ୍ୟା ମାମଲା: ସତ ଉଗାରିଲା ରଞ୍ଜନ, ଶର୍ମିଷ୍ଠା କାରରେ ହୋଇଥିଲା କିଡନାପିଂ

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । କ୍ରାଇମବ୍ରାଞ୍ଚ ଆଗରେ ସତ ଉଗାରିଲା ଅନ୍ୟତମ ଅଭିଯୁକ୍ତ ରଞ୍ଜନ ନାୟକ । ଚାନ୍ଦବାଲି ପଳାସପୁରରୁ ମାନସଙ୍କୁ ଅପହରଣ କରିଥିବା କ୍ରାଇମବ୍ରାଞ୍ଚ ଆଗରେ ମାନିଛି ରଞ୍ଜନ । ଶର୍ମିଷ୍ଠା ରାଉତ କାରରେ କିଡନାପିଂ କରାଯାଇ ଭୁବନେଶ୍ୱର ଦୟାଲ ଆଶ୍ରମକୁ ଆଣାଯାଇଥିଲା । ଏଥିରେ ଶର୍ମିଷ୍ଠା, ରଞ୍ଜନ ସହ ଝୁନା ଭୋଇ, ଭାଗ୍ୟଧର ନାୟକ ଓ ନିଲୁ ସାମିଲ ଥିଲେ । ଦୟାଲ ଆଶ୍ରମରେ ମାନସ ନୃଶଂସ ଭାବେ ଶାରିରୀକ ନିର୍ଯାତନା ଦିଆଯାଇଥିଲା । ଆଶ୍ରମରେ ନିରଂଜନ ସେଠୀ ମଧ୍ୟ ମାନସଙ୍କୁ ମାଡ଼ ମାରିଥିଲେ ।

ମାନସଙ୍କ ମୃତ୍ୟୁ ପରେ ଶର୍ମିଷ୍ଠାର କାରରେ ମୃତଦେହକୁ ଅଣାଯାଇ ରଣପୁରରେ ପୋତାଯାଇଥିଲା । ମୃତଦେହ ପୋତିବା ପରେ ଅଭିଯୁକ୍ତମାନେ ଚଣ୍ଡିଖୋଲଠାରୁ ୨ କିଲୋମିଟର ଦୂର ଦଇତାରୀ-ପାରାଦୀପ ହାଇଓ୍ୱେକୁ ଯାଇଥିଲେ । ସେଠାରେ ମାନସଙ୍କ ମୋବାଇଲ, ଇୟର ଫୋନ୍, ମୃତଦେହ ନିଆଯାଇଥିବା ଅଖା, ଶାଢ଼ୀ ଓ ଚପଲ ପୋଡ଼ି ଦେଇଥିଲେ । ଏଥିସହ ମାଟି ଖୋଳିବାରେ ଲାଗିଥିବା ଗଇଁତି ଓ କୋଦାଳକୁ ନିକଟସ୍ଥ ବୁଦାକୁ ଫୋପାଡି ଦେଇଥିଲେ ।

ରଞ୍ଜନ ନାୟକର ସୂଚନା ଆଧାରରେ ଚଣ୍ଡିଖୋଲର ସେହି ସ୍ଥାନକୁ ଯାଇଥିଲା କ୍ରାଇମବ୍ରାଞ୍ଚ ଟିମ୍ । ସେଠାରୁ ଗୋଟିଏ ଅଧାପୋଡ଼ା ଇୟର ଫୋନ୍, ଚପଲ, ଶାଢ଼ୀ, ଅଖା ବସ୍ତା, ଗଇଁତି ଓ କୋଦାଳକୁ ଜବତ କରାଯାଇଛି । ଜବତ ସମସ୍ତ ସାମଗ୍ରୀ ଚିହ୍ନଟ କରିଛି ଅଭିଯୁକ୍ତ ରଞ୍ଜନ ନାୟକ । ମାନସ ମର୍ଡର ମାମଲାରେ ୫ ଦିନିଆ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଅଛନ୍ତି ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକ । ରିମାଣ୍ଡ ବେଳେ ୪ ଅଭିଯୁକ୍ତଙ୍କୁ ଝାଳବୁହା ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ । ଆସନ୍ତାକାଲି ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମସିନ ରିକ୍ରିଏସନ କରିବ କ୍ରାଇମବ୍ରାଞ୍ଚ ।

ସରକାର ତତ୍ପର, ପାଣ୍ଠି ବରାଦ ହୋଇଛି

ଭୁବନେଶ୍ୱର: ରାଜ୍ୟରେ ନଦୀ ପ୍ରଦୂଷଣ ବଢ଼ି ବଢ଼ି ଚାଲିଛି । ସରକାର କ’ଣ ପଦକ୍ଷେପ ନେଉଛନ୍ତି? ଆଜି ବିଧାନସଭାରେ ଏମିତି ପ୍ରଶ୍ନ କରିଛନ୍ତି ଶାସକ ଦଳ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଗୃହରେ ନଦୀଜଳ ପ୍ରଦୂଷଣ ନେଇ ଉଦବେଗ ପ୍ରକାଶ କରିବା ପରେ ଉତ୍ତର ରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ସେ କହିଲେ, ସରକାର ନଦୀଜଳର ବିଶୁଦ୍ଧତା ପାଇଁ ଦୃଷ୍ଟି ରଖିଛନ୍ତି । ଜନସାଧାରଣଙ୍କୁ ବିଶୁଦ୍ଧ ଜଳ ଯୋଗାଣ ସରକାରଙ୍କ ମୂଳ ଲକ୍ଷ୍ୟ । ସରକାର ଏଥିପାଇଁ ପାଣ୍ଠି ବରାଦ କରିଛନ୍ତି ।

https://www.youtube.com/watch?v=RQpR-KvQGZU

ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ । ବଜେଟ ଅଧିବେଶନର ଶେଷ ଦିନରେ ଆଜି ଗୃହରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବା ପୂର୍ବରୁ ଗୃହରେ ଆଜି ବିଭିନ୍ନ ବିଭାଗରେ ପ୍ରଶ୍ନକାଳ ହୋଇଥିଲା । ଜଳ ସଂପଦ, ଯୋଜନା ଓ ସଂଯୋଜନା, ପର୍ଯ୍ୟଟନ, କ୍ରୀଡ଼ା ଓ ଯୁବ କଲ୍ୟାଣ, ସୂଚନା ଓ ଲୋକସମ୍ପର୍କ, ବାଣିଜ୍ୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଏବଂ ପରିବହନ ବିଭାଗର ପ୍ରଶ୍ନକାଳ ରହିଥିଲା । ଆଜି ପ୍ରଶ୍ନକାଳରେ ନଦୀ ପ୍ରଦୂଷଣକୁ ନେଇ ସରଗରମ ରହିଥିଲା । ଏହାସହ କେନାଲ ପୁନରୁଦ୍ଧାର ଓ ବିଭିନ୍ନ ପ୍ରକଳ୍ପ ବିଳମ୍ବ ନେଇ ବିରୋଧୀ ବିଧାୟକମାନେ ମନ୍ତ୍ରୀଙ୍କ ଉତ୍ତର ଚାହିଁଛନ୍ତି । ନଦୀର ପ୍ରଦୂଷଣ ଏକ ବଡ଼ ସମସ୍ୟା ହୋଇଥିବାରୁ ଅଧିକ ବ୍ୟୟବରାଦ କରିବା ପାଇଁ ଦାବି କରିଛନ୍ତି ବିଧାୟକ ।

ତେବେ ଏହାର ଉତ୍ତରରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ଯେ ଓଡ଼ିଶାରେ ଜଳ ନୀତିରେ ସଂସ୍କାର ଅଣାଯାଉଛି । ଯେଉଁଥିରେ ନଦୀ ପ୍ରଦୂଷଣଠାରୁ ଆରମ୍ଭ କରି ମୋ ନଦୀ ଅଭିଯାନ ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ଲମ୍ବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ବଜେଟରେ ଅର୍ଥ ବ୍ୟୟବରାଦ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ।

 

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଦେଶବ୍ୟାପୀ ହଲ୍ଲାବୋଲ, ସାମିଲ ହେଲେ ଏହି ବଡ଼ ବଡ଼ ନେତା

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଦେଶବ୍ୟାପୀ ହଲ୍ଲାବୋଲ । ବିଭିନ୍ନ ରାଜ୍ୟରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରିଛି କଂଗ୍ରେସ । ୧୦ଦିନରେ ୯ ଥର ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ଲଗାତାର କେନ୍ଦ୍ରକୁ ଟାର୍ଗେଟ କରୁଥିବା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି  ।  ଦିଲ୍ଲୀ ବିଜୟଚୌକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଗତ ୧୦ ଦିନରେ ୯ ଥର ୫ଟଙ୍କା ୬୦ ପଇସା ବଢ଼ିଛି ପେଟ୍ରୋଲ ଦାମ। ଏହାର ପ୍ରଭାବ ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ପଡୁଛି । ତେଣୁ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ୍‌ ଦର କମାଇବାକୁ ଦାବି କରିଛନ୍ତି ରାହୁଲ ଗାନ୍ଧି । ପ୍ରାୟ ସବୁ ରାଜ୍ୟରେ ପେଟ୍ରୋଲ ଡିଜେଲ ଲିଟର ଶହେ ଟଙ୍କା ପାର କରିଛି । ସେପଟେ ଦରଦାମ ବୃଦ୍ଧି ପ୍ରତିବାଦରେ ଲୋକସଭାରେ ବିରୋଧୀ ଦଳ ୱାକ ଆଉଟ୍‌ କରିଛନ୍ତି । କଂଗ୍ରେସ ସହ ଡିଏମ୍‌କେ, ଏନ୍‌ସି, ସିପିଆଇ, ସିପିଏମ୍‌, ଏନ୍‌ସିପି, ଟିଏମ୍‌ସି ୱାକଆଉଟ୍ କରିଥିଲେ  ।

ତେବେ ଆଜି ବି ପୁଣି ବଢିଛି ତେଲ ଦର । ୧୦ ଦିନରେ ଲଗାତର ୯ ଦିନ ଧରି ବଢିଚାଲିଛି ତୈଳ ଦର । ୮୦ ପଇସା ଲେଖାଏଁ ବଢିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୧.୮୧ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ଦର ୯୩.୦୭ ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲର ଦର ୮୪ ପଇସା ଲେଖାଏଁ ବଢିଛି ।

ପୁଣି ଆଉ ଏକ ମାମଲାରେ ଫସି ପାରନ୍ତି ସଲମାନ !

ମୁମ୍ବାଇ: ସଲମାନ ଖାନ ବଲିଉଡର ଏମତି ଜଣେ ଅଭିନେତା ଯାହାଙ୍କ ସମ୍ପର୍କ କୋର୍ଟ ସହ ବହୁତ ପୁରୁଣା । ବର୍ତ୍ତମାନ ସଲମାନ ଖାନ ଜମି ଜବର ଦଖଲ ମାମଲାରେ ଫସିବାକୁ ଯାଉଛନ୍ତି । ବଲିଉଡର ଭାଇଜାନ ସଲମାନ ଖାନଙ୍କ ପଡୋଶୀ କେତନ କକଡ ସୋସିଆଲ ମିଡ଼ିଆରେ ସଲମାନଙ୍କ ବିକ୍ତିତ୍ୱ ଖାରପ କରୁଛନ୍ତି ବୋଲି ତାଙ୍କ ବିରୋଧରେ ମାନହାନୀ ମନହାନି ମକଦମା ରୁଜୁ କରିଥିଲେ । ଯହାକୁ କୋର୍ଟ ଖାରଜ କରିବା ସହ ପଡୋଶୀଙ୍କ ପାଖରେ ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା କୋର୍ଟ କହିଛନ୍ତି ।

ସୂଚନା ଅନୁସାରେ, ସଲମାନଙ୍କ ପଡୋଶୀ କେତନ କାକଡ଼ ଜଣେ ଏନଆରଆଇ ଏବଂ ସେ ସଲମାନଙ୍କ ପନବେଲ ଫାର୍ମହାଉସ ପାଖରେ ହିଁ ରୁହନ୍ତି । ସେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ସଲମାନଙ୍କୁ ଟାର୍ଗେଟ କରିଥିଲେ । ଯାହା ପରେ ସଲମାନ ତାଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ଯଦିଓ ମୁମ୍ବାଇର ଗୋଟିଏ କୋର୍ଟ ସ୍ପଷ୍ଟ କରିଛି ଯେ, କେତନଙ୍କ ପାଖରେ ଯେଉଁ ପ୍ରମାଣ ରହିଛି ତାହା ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଜଥେଷ୍ଟ । କୋର୍ଟର ଏହି ବିବୃତ୍ତି ପରେ ସଲମାନ ପୁଣି ଆଉ ଏକ ମାମଲାରେ ଫସି ପାରନ୍ତି ବୋଲି କୁହାଯାଉଛି ।

ସଲମାନ ଖାନଙ୍କ ଓକିଲ କ’ଣ ଦାବି କରିଥିଲେ?

ଏହି ମାମଲା ଉପରେ ଅଭିନେତାଙ୍କ ଓକିଲ କହିଛନ୍ତି ଯେ, କେତନ କକଡ ସଲମାନଙ୍କ ଫାର୍ମହାଉସ ପାଖରେ ହିଁ ଜାଗା ନେବାକୁ ଚେଷ୍ଟା କରିଥିଲେ । ଜମିର ଦେବା ନେବା ବାରମ୍ବାର ରଦ୍ଦ କରାଯାଉଥିଲା କାହିଁକି ନା ତାହା ବେଆଇନ ଥିଲା । ଏହି ମାମଲା ପରେ ସଲମାନ ଖାନ ଏବଂ ତାଙ୍କ ପରିବାର ବିରୋଧରେ କେତନ ମିଥ୍ୟା ଅଭିଯୋଗ ଆଣିବା ଆରମ୍ଭ କରିଥିଲେ ।

୧୯୯୬ ମସିହାରେ କେତନ କକଡ ଏହି ଜମି କିଣିଥିଲେ

ଅନ୍ୟ ପଟେ, କେତନଙ୍କ ଓକିଲ ଦାବି କରିଛନ୍ତି ଯେ କେତନ ୧୯୯୬ ମସିହାରେ ଏହି ଜମି ନେଇଥିଲେ, କାରଣ ଅବସର ପରେ କେତନ ଏଠାରେ ରହିବାକୁ ଚାହୁଁଥିଲେ, କିନ୍ତୁ ୭-୮ ବର୍ଷ ଧରି ସଲମାନ ଏବଂ ତାଙ୍କ ପରିବାର କେତନଙ୍କ ଜମିକୁ ବେଆଇନ ଭାବେ ଦଖଲ କରିଥିଲେ ।

ପୁରୀରେ ନିଶାଖୋରଙ୍କୁ ଧରିବାକୁ ଆରମ୍ଭ ହେଲା ପୋଲିସର ସ୍ୱତନ୍ତ୍ର ଧରପଗଡ଼ 

ପୁରୀ: ସାରା ରାଜ୍ୟରେ ଦ୍ରୁତି ଗତିରେ ବୃଦ୍ଧି ପାଉଛି ନିଶା କାରବାର । ବାରମ୍ଭାର ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଓ ବ୍ରାଉନସୁଗାର ଜବତ ହେଲେ ମଧ୍ୟ କମୁନି ନିଶା କାରବାର । ନିଶା କାରବାର ରୋକିବାକୁ ପୁରୀ ପୋଲିସ ଆରମ୍ଭ କରିଛି ସ୍ୱତନ୍ତ୍ର ଧରପଗଡ଼ । ପୁରୀ ଜିଲ୍ଲାରେ ନିଶା କାରବାର ରୋକିବାକୁ ଜିଲ୍ଲା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଧରପଗଡ଼ ଆରମ୍ଭ ହୋଇଛି । ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ମାମଲାରେ ପୋଲିସ ୧ କେଜି ୩୯୨ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଏହା ସହ ପୋଲିସ ୨୧ ଜଣ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏପରିକ କୁଖ୍ୟାତ ନିଶା ବେପାରୀ ଅନିରୁଦ୍ଧ ଜୟସିଂ ଓରଫ ଅନୁକୁ ମଧ୍ୟ ପୋଲିସ ଗତ ଜାନୁଆରୀରେ ଗିରଫ କରିଛି । ଅନୁକୁ ଗିରଫ କରିବା ସହ ତା’ ନିକଟରୁ ନିଶା ବେପାର କରି ଅର୍ଜିତ କରିଥିବା ୧ କୋଟିରୁ ଉର୍ଦ୍ଧ୍ଵ ମୂଲ୍ୟର ସମ୍ପତ୍ତି ଜବତ କରିଛି । ଏହା ସହ ଅନୁଠାରୁ ପୋଲିସ ୨ଟି ଜେସିବି, ଗୋଟିଏ କାର, ଗୋଟିଏ ଟ୍ରାକ୍ଟର ସମେତ ବହୁମୂଲ୍ୟର ସୁନା ରୂପା ଅଳଙ୍କାର ଜବତ କରିଛି । ଅନୁ ନାମରେ ପୂର୍ବରୁ ନିଶା କାରବାର ନେଇ ବିଭିନ୍ନ ଥାନାରେ ଅନ୍ୟ ୪ଟି ମାମଲା ରହିଥିବା ଜଣାପଡ଼ିଛି ।

ଯେଉଁମାନେ ମଦ୍ୟପାନ କରନ୍ତି ସେମାନେ ଭାରତୀୟ ନୁହଁନ୍ତି ମହାପାପୀ !

ପାଟନା: ବିହାରରେ ମଦ ନିଷେଧାଦେଶ କିପରି ସଫଳ ହେବ ସେନେଇ କ୍ରମାଗତ ଭାବରେ ନୂଆ ନୂଆ ପ୍ରୟାସ ଜାରି ରହିଛି । ବୁଧବାର ଦିନ ବିହାର ସରକାର ଏହି ନିଷେଧ ଆଇନରେ ସଂଶୋଧନ କରିଛନ୍ତି । ବିହାର ବିଧାନସଭାରେ ଏହି ବିଲ୍ ଉପରେ ଆଲୋଚନା କରାଯାଇଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ବିଷାକ୍ତ ମଦ୍ୟପାନ ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକମାନଙ୍କୁ କୌଣସି ସହାନୁଭୂତି ମିଳିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଜାତିର ପିତା ବାପୁଙ୍କ ଭାବନାକୁ ବିଶ୍ୱାସ କରନ୍ତି ନାହିଁ, ସେମାନେ ଭାରତୀୟ ନୁହଁନ୍ତି । ସେମାନେ ଅଯୋଗ୍ୟ ଆଉ ମହାପାପୀ ।

କଡ଼ା ଆଭିମୁଖ୍ୟ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆହୁରି ମଧ୍ୟ କହିଛନ୍ତି ଯେ, ସମଗ୍ର ବିଶ୍ୱରେ ମଦ୍ୟପାନର ପ୍ରଭାବ ବହୁତ ଖରାପ ରହିଛି । ରାଜ୍ୟରେ ମଦ ନିଷେଧ ହେତୁ ଲୋକମାନେ ବର୍ତ୍ତମାନ ପନିପରିବା କିଣୁଛନ୍ତି । ଏହାପୂର୍ବରୁ ରାଜ୍ୟରେ ପନିପରିବା ଉତ୍ପାଦନ ଅଧିକ ନଥିଲା। ଯିଏ ପୂର୍ବରୁ ମଦ୍ୟପାନ କରିବାରେ ଟଙ୍କା ଖର୍ଚ୍ଚ କରୁଥିଲେ ସେ ଆଉ ଅଯଥାରେ ଟଙ୍କା ଖର୍ଚ୍ଚ କରିବେ ନାହିଁ ଏବଂ ତାହା ହିଁ ଉପଯୋଗୀ ହେବ । ସେତେବେଳେ ଦେଖିବେ ସେମାନଙ୍କ ଘରେ କେତେ ଭଲ ଭଲ ରାନ୍ଧଣା ହେବ । ଆଉ ଏହାର ସତ ଘରର ମହିଳାମାନେ ହିଁ କହିବେ ।

ବୁଧବାର ଦିନ ମଦ ନିଷେଧାଦେଶ ଏବଂ ଉତ୍ପାଦ ଶୁଳ୍କ ସଂଶୋଧନ ବିଲ୍ ୨୦୨୨କୁ ଧ୍ୱନୀ ମତ ଦ୍ୱାରା ପାରିତ କରାଯାଇଛି । ଯାହା ଅଧୀନରେ ରାଜ୍ୟରେ ପ୍ରଥମ ଥର ପାଇଁ ମଦ ନିଷେଧାଦେଶ ଆଇନକୁ କଡାକଡି କରାଯାଇଛି । ସଂଶୋଧିତ ଆଇନ୍ ଅନୁଯାୟୀ, ପ୍ରଥମ ଥରରେ ଅପରାଧୀମାନେ ଜରିମାନା ଜମା କରିବା ପରେ ଡ୍ୟୁଟି ମାଜିଷ୍ଟ୍ରେଟଙ୍କଠାରୁ ଜାମିନ ପାଇବେ ଏବଂ ଯଦି ଅପରାଧୀ ଜରିମାନା ରାଶି ଜମା କରିବାକୁ ସକ୍ଷମ ନୁହଁନ୍ତି ତେବେ ସେମାନେ ମାସେ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବେ । ଏହି ଆଇନ ଅନୁଯାୟୀ, ଯେଉଁମାନେ ମଦ ନିଷେଧାଦେଶ ଆଇନ ଉଲ୍ଲଂଘନ କରି ପୋଲିସ ଦ୍ୱାରା ଧରାପଡ଼ିବେ,ସେହି ଅଭିଯୁକ୍ତକୁ ମଦ ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ନାମ କହିବାକୁ ପଡିବ ।

BIhar CM Nitish Kumar Residence 22 Percent Workers Found Corona Positive

ନୀତିଶ କୁମାର ସରକାର, ବିହାରରେ ମଦ ନିଷେଧାଦେଶ ଏବଂ ଉତ୍ପାଦ ଅଧିନୀୟମ ଅନୁଯାୟୀ ଏପ୍ରିଲ ୨୦୧୬ରେ ରାଜ୍ୟରେ ମଦ ନିଷେଧାଦେଶ ଲାଗୁ କରିଥିଲେ । ଏହି ନିଷେଧାଦେଶ ପରଠାରୁ ବହୁ ସଂଖ୍ୟକ ଲୋକ କେବଳ ମଦ୍ୟପାନ କରି ଜେଲରେ ଅଛନ୍ତି । ତେବେ ଅଧିକାଂଶ ନିଷେଧାଦେଶ ଉଲ୍ଲଂଘନକାରୀ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଗରିବ ଶ୍ରେଣୀର ଲୋକ ହୋଇଥ୍ବା ଜଣାପଡ଼ିଛି । ଭାରତର ପ୍ରଧାନ ବିଚାରପତି ଏନଭି ରମଣ ଗତ ବର୍ଷ କହିଥିଲେ ଯେ ୨୦୧୬ ରେ ବିହାର ସରକାରଙ୍କ ନିଷେଧାଦେଶ ଭଳି ନିଷ୍ପତ୍ତି କୋର୍ଟ ଉପରେ ଏକ ବଡ଼ ବୋଝ ହୋଇଛି ।

ସେ କହିଥିଲେ ଯେ ତିନି ଲକ୍ଷ ମାମଲା କୋର୍ଟରେ ବିଚାରାଧୀନ ରହିଛି । ପ୍ରଧାନ ବିଚାରପତି କହିଥିଲେ ଯେ ଲୋକମାନେ ଦୀର୍ଘ ଦିନ ଧରି ନ୍ୟାୟକୁ ଅପେକ୍ଷା କରି ରହିଛନ୍ତି ଏବଂ ବର୍ତ୍ତମାନ ମଦ ନିଷେଧାଦେଶ ଉଲ୍ଲଂଘନ ସହ ଜଡିତ ଅତ୍ୟଧିକ ମାମଲା କୋର୍ଟ ଉପରେ ଅତିରିକ୍ତ ବୋଝ ପକାଉଛି ।

ମାନସ ସ୍ୱାଇଁ ହତ୍ୟା ମାମଲା, ଅଧିକ ଖୋଳତାଡ଼ ପାଇଁ ୪ ଅଭିଯୁକ୍ତଙ୍କୁ ମୁଖ୍ୟାଳୟ ବାହାରକୁ ନେଲା କ୍ରାଇମବ୍ରାଞ୍ଚ

କଟକ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । କ୍ରାଇମବ୍ରାଞ୍ଚ ହାତରେ ନୂଆ ଖିଅ । ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ବାହାରକୁ ନେଲା କ୍ରାଇମବ୍ରାଞ୍ଚ । ୪ ଜଣ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ବଳୟରେ ଅନ୍ୟ ଏକ ସ୍ଥାନକୁ ନିଆଯାଇଛି । ତେବେ ୪ ଜଣଙ୍କ କ୍ରାଇମବ୍ରାଞ୍ଚର ମୁଖ୍ୟାଳୟରୁ ନେଇଥିବାବେଳେ କିଛି ସମୟ ପରେ ରଞ୍ଜନକୁ ନେଇ ପୁଣି ମୁଖ୍ୟାଳୟକୁ ଫେରିଛି ୨ଟି ଗାଡ଼ି । ଅନ୍ୟପକ୍ଷରେ ଆଜି ହେବନି କ୍ରାଇମସିନ ରିକ୍ରିଏସନ । ଆସନ୍ତାକାଲି ସମସ୍ତ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମସିନ ରିକ୍ରିଏସନ କରିବ କ୍ରାଇମବ୍ରାଞ୍ଚ । ଏନେଇ ଆଜି ପ୍ରେସମିଟ୍ କରିପାରେ କ୍ରାଇମବ୍ରାଞ୍ଚ ।

ମାନସ ସ୍ୱାଇଁ ହତ୍ୟା ମାମଲାରେ ୫ ଦିନିଆ ରିମାଣ୍ଡରେ ୪ ଅଭିଯୁକ୍ତଙ୍କୁ ନେଇ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରୁଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚର ପ୍ରଶ୍ନ ବାଣରେ ଘାଇଲା ହେଉଛି ଲେଡି ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ । ମାନସ ହତ୍ୟାକାଣ୍ଡରେ ରିମାଣ୍ଡରେ ଥିବା ଶର୍ମିଷ୍ଠାକୁ ଝାଳବୁହା ଜେରା କରୁଛି କ୍ରାଇମବ୍ରାଞ୍ଚ । ଆଜି ରିମାଣ୍ଡର ତୃତୀୟ ଦିନରେ ମୁହାଁମୁହିଁ ଜେରା କରାଯିବ । ନିରଞ୍ଜନ ଓ ଶର୍ମିଷ୍ଠାକୁ ଏକାସଙ୍ଗେ ବସାଇ ଗୋଟି ସତ ଉଗାରିବ ପୋଲିସ । ୪ ଟିମ୍ ଗଠନ ହୋଇଥିବା ବେଳେ କେବଳ ଶର୍ମିଷ୍ଠାଙ୍କ ପାଇଁ ସ୍ୱତନ୍ତ୍ର ଦୁଇଟି ଟିମ୍ ଗଠନ ହୋଇଛି । ମେମୋରି ଚିପକୁ ଅଧିକ ଫୋକସ କରିଛି କ୍ରାଇମବ୍ରାଞ୍ଚ ।

 

୨୦୨୦ରୁ ବଳବତ୍ତର ଥିବା କଟକଣା ହଟାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ ଶୁକ୍ରବାରଠାରୁ ହଟିଯିବ କରୋନା କଟକଣା  । ଆଜି କଟକଣା ଅବଧିର ଶେଷ ଦିନ  । ଦେଶରେ କୋରୋନାର ଦୈନିକ ସଂକ୍ରମଣ ହ୍ରାସ ପାଇଥିବାରୁ କେନ୍ଦ୍ର ସରକାର କୋଭିଡ ମୁକାବିଲା ସଂପର୍କିତ ସ୍ୱତନ୍ତ୍ର କଟକଣା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି  । ତେବେ, ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏସଓପି ଜାରି ରହିବ  । କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ୨୦୨୦ ମସିହା ମାର୍ଚ୍ଚ ୨୪ ତାରିଖରେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନ୍ତର୍ଗତ ଏକାଧିକ କଟକଣା ଜାରି କରିଥିଲେ  ।

Coronavirus Good Hope New Born Baby Removed Mask From Doctors Face In UAE Photo Viral

କରୋନା ସମୟରେ ଲୋକଙ୍କ ସୁରକ୍ଷା ପାଇଁ ବିଭିନ୍ନ କଟକଣା ଲଗାଇଥିଲେ ସରକାର । ଏହିସବୁ କଟକଣାର ଅବଧି ମାର୍ଚ୍ଚ ୩୧ ତାରିଖରେ ଶେଷ ହେଉଛି । ପ୍ରାୟ ଦୁଇ ବର୍ଷ ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ କୋଭିଡ ମୁକାବିଲା ସଂପର୍କିତ କଟକଣା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି  । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସୁପାରିସ ପରେ କେନ୍ଦ୍ର ସରକାର କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି  ।

Triple Mutant Coronavirus B1618 Reported In India

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୨୨୫ ସଂକ୍ରମିତ ଓ ୨୮ ମୃତ୍ୟୁ ରେକର୍ଡ କରାଯାଇଛି । ତେବେ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧,୨୨୫ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୨୩,୨୧୫ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୫,୨୧,୧୨୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧,୫୯୪ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୨୪,୮୯,୦୦୪ ।

ଆଜି ଆଇପିଏଲରେ ସୁପର କିଙ୍ଗ୍ସକୁ ଭେଟିବ ସୁପର ଜିଆଣ୍ଟ୍ସ

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ସପ୍ତମ ମ୍ୟାଚରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ । ଏହି ଆଜି ସନ୍ଧ୍ୟା ୭ ଟା ୩୦ରେ ମୁମ୍ବାଇର ଖେଳାଯିବ । ଉଭୟ ଦଳ ଚଳିତ ସିଜିନରେ ନିଜ ନିଜର ପ୍ରଥମ ମ୍ୟାଚରେ ପରାଜିତ ହୋଇଛନ୍ତି । ଯାହାଫଳରେ ଆଜିର ମ୍ୟାଚରେ ଉଭୟ ଦଳ ବିଜୟର ସ୍ୱାଦ ଚାଖିବାକୁ ଚେଷ୍ଟା କରିବେ ।

ଲକ୍ଷ୍ନୌ କଥା ଯଦି କହିବା ତାହାଲେ ପ୍ରଥମ ମ୍ୟାଚ ଗୁଜରାଟ ଲାୟନ୍ସ ବିପକ୍ଷରେ ଖେଳି ପରାଜିତ ହୋଇଥିଲେ ମଧ୍ୟ ଦଳର ପ୍ରଦର୍ଶନକୁ ନେଇ ଚିନ୍ତିତ ନାହାନ୍ତି ଅଧିନାୟକ ଲୋକେଶ ରାହୁଲ । କାରଣ ଲକ୍ଷ୍ନୌର ସ୍କୋର ଏକ ସମୟରେ ୪ ଓ୍ୱିକେଟ ହରାଇ ମାତ୍ର ୨୯ ରନ କରିଥିଲା । କିନ୍ତୁ ଏହା ପରେ ଦଳର ଭାର ସମ୍ଭାଳିଥିଲେ ଦୀପକ ହୁଡ଼ା ଓ ଯୁବ ବ୍ୟାଟ୍ସମ୍ୟାନ ଆୟୂଷ ବାଦୋନି । ଉଭୟ ବ୍ୟାଟ୍ସମ୍ୟାନ ଚିତ୍ତାକର୍ଷକ ଅର୍ଦ୍ଧଶତକ ଅର୍ଜନ କରି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ ।

ସେପଟେ ଚେନ୍ନାଇ ସୁପର କିଙ୍ଗସ କଥା ଯଦି କହିବା ତାହାଲେ ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସଠାରୁ ପରାଜିତ ହୋଇଥିଲା । ଏହି ମ୍ୟାଚରେ ସୁପରକିଙ୍ଗସର ପ୍ରାରମ୍ଭିକ ବ୍ୟାଟରମାନେ ବିଫଳ ହୋଇଥିଲେ । କିନ୍ତୁ ପ୍ରଥମ ମ୍ୟାଚରେ ଦେଖିବାକୁ ମିଳିଥିଲା ମାହିଙ୍କ ଜଲଓ୍ୱା । ମହେନ୍ଦ୍ର ସିଂ ଧୋନି ୩୮ଟି ବଲରୁ ୫୦ ରନର ପାଳି ଖେଳିଥିଲେ । ସେହିପରି ଡ୍ୱେନ ବ୍ରାଭୋ ୨୦ ରନରେ ୩ଟି ୱିକେଟ୍‌ ନେଇଥିଲେ । ତେବେ ଆଜି ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ମୋଇନ ଅଲ୍ଲି ନିଶ୍ଚିତ ଭାବରେ ଖେଳିବେ । ତାଙ୍କ ଉପସ୍ଥିତି ଦଳର ଶକ୍ତି ବୃଦ୍ଧି କରିଛି । ତେବେ ଆଜିର ମ୍ୟାଚରେ ଉଭୟ ଦଳ ବିଜୟ ଲାଭ କରି ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଚେଷ୍ଟା କରିବେ ।