spot_img
Home Blog Page 45

ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ଚିନ୍ତାରେ ଦକ୍ଷିଣର ରାଜ୍ୟ

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ଲୋକତନ୍ତ୍ରର ଇତିହାସରେ ଏକ ବଡ଼ ସମ୍ବିଧାନିକ ପରିବର୍ତ୍ତନ ହେବାକୁ ଯାଉଛି। କେନ୍ଦ୍ର ସରକାର ୧୬ ରୁ ୧୮ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ ସଂସଦର ଏକ ବିଶେଷ ଅଧିବେଶନ ଡାକି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ୨୦୨୯ ସାଧାରଣ ନିର୍ବାଚନରେ କାର୍ଯ୍ୟକାରୀ କରିବା ପାଇଁ ପାଦ ବଢ଼ାଇଛନ୍ତି। ଏହି କାନୁନ୍‌କୁ କାର୍ଯ୍ୟକାରୀ କରିବା ପାଇଁ ସରକାର ସୀମା ପୁନଃ ନିର୍ଦ୍ଧାରଣ କୁ ରାସ୍ତା ଭାବେ ବାଛିଛନ୍ତି । ଏଥିରେ ଲୋକସଭାର ମୋଟ ଆସନ ସଂଖ୍ୟା ବର୍ତ୍ତମାନର ୫୪୩ରୁ ବଢ଼ାଇ ୮୫୦ କରିବାର ପ୍ରସ୍ତାବ ରହିଛି । କିନ୍ତୁ ଏହି ଆସନ ବୃଦ୍ଧି ଉତ୍ତର ଓ ଦକ୍ଷିଣ ଭାରତ ମଧ୍ୟରେ ଏକ ବଡ଼ ରାଜନୈତିକ ବିଭାଜନର ରେଖା ଟାଣି ଦେଇପାରେ । ବର୍ତ୍ତମାନ ଦକ୍ଷିଣ ରାଜ୍ୟଗୁଡ଼ିକର ମୋଟ ଲୋକସଭାରେ ଆସନ ପ୍ରାୟ ୧୨୯ । ସୀମା ପୁନଃ ନିର୍ଦ୍ଧାରଣ ପରେ ଏହାର ଅନୁପାତ କମିଯିବା ଫଳରେ କେନ୍ଦ୍ରରେ ସେମାନଙ୍କର ରାଜନୈତିକ କଣ୍ଠସ୍ୱର ଦୁର୍ବଳ ହେବ। କେବଳ ଲୋକସଭା ନୁହେଁ, ରାଜ୍ୟ ବିଧାନସଭା ଆସନ ସଂଖ୍ୟା ମଧ୍ୟ ଜନସଂଖ୍ୟା ଆଧାରରେ ପୁନର୍ନିର୍ଦ୍ଧାରିତ ହେବ। ଏହା ରାଜ୍ୟ ରାଜନୀତିରେ ମଧ୍ୟ ପରିବର୍ତ୍ତନ ଆଣିପାରେ।

ଉତ୍ତର ଭାରତୀୟ ରାଜ୍ୟ ଗୁଡ଼ିକର ରାଜନୈତିକ ଶକ୍ତି ପ୍ରାୟ ଦୁଇଗୁଣ ହେବାର ଆଶଙ୍କା ଥିବାବେଳେ ଦକ୍ଷିଣ ଭାରତ ରାଜ୍ୟକୁ ଝଟକା ଦେଇପାରେ । ୨୦୧୧ ଜନଗଣନା ଓ ଜନସଂଖ୍ୟା ବୃଦ୍ଧିକୁ ଆଧାରକରି ପ୍ରସ୍ତାବିତ ସୀମା ପୁନଃ ନିର୍ଦ୍ଧାରଣ ବିଲ ଲାଗୁହେବ ବୋଲି ଚର୍ଚ୍ଚା ହେଉଛି । ଉତ୍ତରପ୍ରଦେଶର ଲୋକସଭାରେ ବର୍ତ୍ତମାନ ୮୦ ଆସନ ଥିବାବେଳେ ସୀମା ପୁନଃ ନିର୍ଦ୍ଧାରଣ ପରେ ୧୪୦ ରୁ ୧୫୦ ଆସନ ହୋଇପାରେ। ଯେତେବେଳେ କି ତାମିଲନାଡୁର ବର୍ତ୍ତମାନ ଲୋକସଭାରେ ୩୯ ଆସନ ଥିବା ବେଳେ ସୀମା ପୁନଃ ନିର୍ଦ୍ଧାରଣ ପରେ ଆସନ ସଂଖ୍ୟା ୫୮ ହେବ । ଦକ୍ଷିଣର ପାଞ୍ଚଟି ରାଜ୍ୟ ତାମିଳନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବର୍ତ୍ତମାନ ସ୍ଥିତିରେ ଲୋକସଭାରେ ଥିବା ଭାଗିଦାରୀତା ସୀମା ପୁନଃ ନିର୍ଦ୍ଧାରଣ ପରେ କମିଯିବାର ଆଶଙ୍କା ରହିଛି । ମହାରାଷ୍ଟ୍ର ଓ ବିହାର ବହୁତ ଲାଭବାନ୍ ହେବେ । ମହାରାଷ୍ଟ୍ରର ଲୋକସଭାରେ ବର୍ତ୍ତମାନ ୪୮ ଆସନ ଥିବା ଏହି ରାଜ୍ୟର ଆସନ ସଂଖ୍ୟା ଲୋକସଭାରେ ୮୦ ରୁ ୯୦ ମଧ୍ୟରେ ପହଞ୍ଚିପାରେ। ଫଳରେ କେନ୍ଦ୍ରରେ ମରାଠୀ ରାଜନୀତିର ଓଜନ ବଢ଼ିବ । ବିହାରର ଲୋକସଭାରେ ୪୦ ଆସନ ଥିବା ବିହାର ଜନସଂଖ୍ୟା ଆଧାରରେ ବହୁତ ଲାଭ ପାଇବ ଓ ଏହାର ଲୋକସଭାରେ ଆସନ ସଂଖ୍ୟା ୭୦ ଛୁଇଁପାରେ। ଦକ୍ଷିଣ ରାଜ୍ୟଗୁଡ଼ିକର ଭୟ ହେଉଛି ଯେ ଯୁପି, ବିହାର ଓ ମହାରାଷ୍ଟ୍ର ମିଳିତ ଭାବେ ଯଦି ୩୦୦ରୁ ଅଧିକ ଆସନ ଜିତନ୍ତି ତେବେ କେନ୍ଦ୍ର ସରକାର ଗଠନରେ ଦକ୍ଷିଣର କୌଣସି ବିଶେଷ ଭୂମିକା ରହିବ ନାହିଁ। ଦକ୍ଷିଣ ଭାରତ ର ଆଞ୍ଚଳିକ ଦଳ ର କେନ୍ଦ୍ର ରେ ପତିଆରା କମିବ ।

୧୯୭୦ ଦଶକରେ କେନ୍ଦ୍ର ସରକାର ‘ପରିବାର ନିୟୋଜନ’ ନାରା ଦେଇଥିଲେ। ଦକ୍ଷିଣ ରାଜ୍ୟଗୁଡ଼ିକ ଏହାକୁ ପୂର୍ଣ୍ଣ ନିଷ୍ଠାର ସହିତ ପାଳନ କରି ଜନସଂଖ୍ୟା ସ୍ଥିର ରଖିଥିଲା । ଏବେ ଯଦି ଆସନ ବଣ୍ଟନ କେବଳ ଜନସଂଖ୍ୟା ଆଧାରରେ ହୁଏ ତେବେ ଅଧିକ ଜନସଂଖ୍ୟା ଥିବା ରାଜ୍ୟଗୁଡ଼ିକୁ ଅଧିକ ଆସନ ମିଳିବ। ଦକ୍ଷିଣ ଭାରତର କିଛି ନେତା କହୁଛି ଯେ ସେମାନେ ଜନସଂଖ୍ୟା ନିୟନ୍ତ୍ରଣ କରି ଦେଶର କଲ୍ୟାଣ କରିଛନ୍ତି, କିନ୍ତୁ ଏବେ ସଂସଦରେ ସେମାନଙ୍କର ରାଜନୈତିକ ବଳକୁ କମାଇ ସେମାଙ୍କୁ ଶିକ୍ଷା ଦିଆଯାଉଛି ।
ବିରୋଧୀ ଦଳଗୁଡ଼ିକ ଦାବି କରୁଛନ୍ତି ଯେ ଦକ୍ଷିଣ ରାଜ୍ୟଗୁଡ଼ିକର ରାଜନୈତିକ ଓଜନ ବଜାୟ ରଖିବା ପାଇଁ ରାଜ୍ୟସଭାର ଗଠନରେ ପରିବର୍ତ୍ତନ କରାଯାଉ। ଡିଏମ୍‌କେ ନେତା ଓ ତାମିଳନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ କେନ୍ଦ୍ର ସରକାରକୁ ଚେତାବନୀ ଦେଇଛନ୍ତି ଯେ ଦକ୍ଷିଣର ସ୍ୱାର୍ଥର ଅଣଦେଖା କରାଗଲେ ଆନ୍ଦୋଳନ ହେବ ।

ବିରୋଧୀମାନେ କହୁଛନ୍ତି ଯେ ଏହା ସୀମା ପୁନଃ ନିର୍ଦ୍ଧାରଣ ନୁହେଁ, ବରଂ ଏକ ‘ରାଜନୈତିକ ପୁନଃଗଠନ’ ଯାହା ଅଧିକ ଜନସଂଖ୍ୟା ଥିବା ରାଜ୍ୟଗୁଡ଼ିକୁ ଲାଭ ଦେବ ଓ କମ ଜନସଂଖ୍ୟା ଥିବା ପ୍ରଗତିଶୀଳ ରାଜ୍ୟଗୁଡ଼ିକୁ କୋଣଠେସା କରିବ । କିରେନ୍ ରିଜିଜୁ କହିଛନ୍ତି ଯେ ମୋଟ ଆସନ ୮୫୦ ହେଲେ ପ୍ରତ୍ୟେକ ରାଜ୍ୟର ନିର୍ବାଚନ କ୍ଷେତ୍ର ଆନୁପାତିକ ଭାବେ ବଢ଼ିବ ଓ ଦକ୍ଷିଣକୁ ମଧ୍ୟ ଲାଭ ମିଳିବ।ଏହି ପ୍ରସଙ୍ଗ ଏବେ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ଓଡିଶା ମଧ୍ୟ ସୀମା ପୁନଃ ନିର୍ଦ୍ଧାରଣ ପରେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ଲୋକସଭାରେ ଓଡିଶା ଭାଗିଦାରୀତା କମି ଯିବ ବୋଲି ଆକଳନ କରାଯାଉଛି ।

ଲୋକସଭା ଆସନ ପୁନଃସୀମାନିର୍ଦ୍ଧାରଣ ବିଲକୁ ଜୋରଦାର ବିରୋଧ : ତାମିଲନାଡୁରେ ଡିଏମକେର ବିକ୍ଷୋଭ ପ୍ରଦର୍ଶନ

ନନ୍ଦିଘୋଷ ବ୍ୟୁରୋ : ଲୋକସଭା ଆସନ ପୁନଃସୀମାନିର୍ଦ୍ଧାରଣ ବିଲକୁ ଜୋରଦାର ବିରୋଧ କରି ପୂରା ତାମିଲନାଡୁରେ ବିକ୍ଷୋଭ ପ୍ରଦର୍ଶନ କରିଛି ଡିଏମକେ। ଏଥିରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ, ଉପମୁଖ୍ୟମନ୍ତ୍ରୀ ଉଦୟନିଧିଙ୍କ ସମେତ ବହୁ ନେତା ସାମିଲ ହୋଇଛନ୍ତି। ସାରା ରାଜ୍ୟର ଲୋକେ କଳା ପତାକା ପ୍ରଦର୍ଶନ କରିଛନ୍ତି। ତାମିଲନାଡୁ ପ୍ରତି ଅନ୍ୟାୟ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ନମକ୍କାଲରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସୀମା ପୁନଃନିର୍ଦ୍ଧାରଣ ବିଲର ନକଲ ପୋଡିଥିବା ଜଣାଯାଇଛି। ଏହା ଏକ ଷଡ଼ଯନ୍ତ୍ର ଓ ଏକ କଳା ଆଇନ ବୋଲି ସେ ଅଭିହିତ କରିଛନ୍ତି ।

ସାରା ରାଜ୍ୟରେ ଏହି ବିଲ ବିରୋଧରେ ଜନମତ ଜାଗ୍ରତ ଲାଗି ସେ ଆହ୍ବାନ ଦେଇଛନ୍ତି । ଏହି ବିଲ୍ ଲାଗି ଆଗକୁ କେନ୍ଦ୍ରକୁ ଅଧିକ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ଷ୍ଟାଲିନ। ସଂସଦରେ ବି ବିଲକୁ ବିରୋଧ କରିଛନ୍ତି ଡିଏମକେ ସାଂସଦ।

ଲୋକସଭାରେ ଆଗତ ହୋଇଛି ୩ଟି ଗୁରୁତ୍ଵପୂର୍ଣ୍ଣ ବିଲ୍ ; ବିଲ୍ ଆଗତ ପରେ ଜୋରସୋର ଚାଲିଛି ଚର୍ଚ୍ଚା

ନୂଆଦିଲ୍ଲୀ : ଲୋକସଭାରେ ଆଗତ ହୋଇଛି ୩ଟି ଗୁରୁତ୍ଵପୂର୍ଣ୍ଣ ବିଲ୍ । ମହିଳା ସଂରକ୍ଷଣକୁ ନେଇ ୧୩୧ ତମ ସମ୍ବିଧାନ ସଂଶୋଧନ ବିଲ୍ ଆଗତ ହୋଇଛି । ଏହା ସହିତ ଲୋକସଭା ଆସନ ସୀମାପୁନଃନିର୍ଦ୍ଧାରଣ ବିଲ ୨୦୨୬ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ନିୟମ (ସଂଶୋଧନ) ବିଲ ୨୦୨୬ ମଧ୍ୟ ଆଗତ ହୋଇଛି । ଏହି ତିନିଟି ଯାକ ବିଲର ଉଦ୍ଦେଶ୍ୟ ହେଲା ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ । ଏଥିପାଇଁ ଏହି ତିନି ଦିନିଆ ସ୍ଵତନ୍ତ୍ର ଅଧିବେଶନ ଡକାଯାଇଛି । ବିଲ୍ ଆଗତ ପରେ ଜୋରସୋର ଚାଲିଛି ଚର୍ଚ୍ଚା ।

ଇଣ୍ଡିଆ ମେଣ୍ଚ ଲୋକସଭା ସୀମା ପୁନଃନିର୍ଦ୍ଧାରଣ ବିଲକୁ ଜୋରଦାର ବିରୋଧ କରିଛି । ଏହା ଦ୍ଵାରା କେତେକ ରାଜ୍ୟର ରାଜନୈତିକ ପ୍ରତିନିଧିତ୍ଵ ବଢୁଥିବା ବେଳେ କେତେକ ରାଜ୍ୟର ପ୍ରତିନିଧିତ୍ଵ ହ୍ରାସ ପାଉଥିବା ସେମାନେ ଅଭିଯୋଗ କରୁଛନ୍ତି । ବିଶେଷ କରି ଦକ୍ଷିଣର ଯେଉଁ ରାଜ୍ୟଗୁଡ଼ିକ ଜନସଂଖ୍ୟା ହ୍ରାସ ପାଇଁ ପଦକ୍ଷେପ ନେଇଛନ୍ତି, ସେମାନଙ୍କର ପ୍ରତିନିଧିତ୍ଵ କମିବ। ତେଣୁ ସେମାନେ ବିରୋଧ କରୁଛନ୍ତି। ବିଲ ଆଗତ ହେବ କି ନାହିଁ, ତା ଉପରେ ହୋଇଥିଲା ଭୋଟିଂ। ସପକ୍ଷରେ ୨୦୭ ଜଣ ଭୋଟ ଦେଇଥିବା ବେଳେ ବିପକ୍ଷରେ ଭୋଟ ଦେଇଥିଲେ ୧୨୬ ଜଣ। ୮୮ ଜଣ ଅନୁପସ୍ଥିତ କରିଥିଲେ।

କେମିତି ହେବ ବିଲ୍ ପାସ୍ ? ସଂଖ୍ୟା ଖେଳ ସରକାରଙ୍କ ପାଇଁ ଅଡ଼ୁଆ !

ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ବସୁଛି ସଂସଦର ସ୍ଵତନ୍ତ୍ର ଅଧିବେଶନ। ୩ ଦିନ ଧରି ଏହି ଅଧିବେଶନ ଚାଲିବ। ମହିଳା ସଂରକ୍ଷଣ ବିଲ୍ ଉପରେ ଆଲୋଚନା ହୋଇ ଏହାକୁ ପାସ୍ କରାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ସରକାର ଆଗତ କରିବେ ୩ଟି ପୃଥକ ବିଲ। ମହିଳା ସ୍ଥାନ ସଂରକ୍ଷଣ ନେଇ ସଂସଦର ଉଭୟ ଗୃହରେ କେନ୍ଦ୍ର ସରକାର ଆଗତ କରିବେ ନାରୀଶକ୍ତି ବନ୍ଦନ ଅଧିନିୟମ ସଂଶୋଧନ ବିଲ ୨୦୨୬। ସୀମାପୁନଃନିର୍ଦ୍ଧାରଣ ବିଲ ୨୦୨୬ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ନିୟମ (ସଂଶୋଧନ) ବିଲ ୨୦୨୬। ଏହି ତିନୋଟି ଯାକ ବିଲ ମହିଳା ସଂରକ୍ଷଣ ଲାଗୁ କରିବା ପାଇଁ ଉଦ୍ଦିଷ୍ଟ ।

ଲୋକସଭା ଆସନ ସୀମା ପୁନଃନିର୍ଦ୍ଧାରଣ ପାଇଁ ଏକ ଏକ କମିଶନ ଗଠନ କରାଯିବ। ସେହି କମିଶନର ସୁପାରିଶ ଅନୁସାରେ ଲୋକସଭା ଆସନର ସୀମା ପୁନଃନିର୍ଦ୍ଧାରଣ ହେବ। ତେବେ ବାକି ଦୁଇଟି ବିଲ୍ – ପାଇଁ ଦରକାର ସଂଖ୍ୟା। ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ନାରୀ ବନ୍ଦନ ଅଧିନିୟମ ଓ କେନ୍ଦ୍ରଶାସିତ ଅଞ୍ଚଳ ନିୟମ (ସଂଶୋଧନ) ବିଲ ୨୦୨୬ ପାଇଁ ସମ୍ଵିଧାନର ସଂଶୋଧନ ଆବଶ୍ୟକ। ଏଥିପାଇଁ ସ୍ଵତନ୍ତ୍ର ବହୁମତ ଦରକାର। ଅର୍ଥାତ ଉଭୟ ଗୃହରେ ପୂର୍ଣ୍ଣ କ୍ଷମତାର ଦୁଇ ତୃତୀୟାଂଶ ସଭ୍ୟ ଉପସ୍ଥିତ ରହିବେ ଓ ତା ପର ବହୁମତରେ ବିଲ୍ ପାସ୍ ହେବା ଦରକାର। ଯଦି କିଏ କକ୍ଷତ୍ୟାଗ କରେ କିମ୍ଵା ଅନୁପସ୍ଥିତ ରହେ, ତେବେ ମ୍ୟାଜିକ ନମ୍ଵର କମିଯିବ। ସଂଖ୍ୟା ଦୃଷ୍ଟିରୁ ସରକାର ଏହି ଦୁଇଟି ବିଲ୍ ପାସ୍ କରାଇବା କଷ୍ଟ ହୋଇପାରେ।

କାରଣ ଏନଡିଏର ନିଜସ୍ଵ ସଂଖ୍ୟା ନାହିଁ। ଲୋକସଭାର ମୋଟ ୫୩୭ ଜଣ ସଭ୍ୟ ଥିବା ବେଳେ ଏହାର ଦୁଇ ତୃତୀୟାଂଶ ହେଉଛି ୩୬୦। ଏନଡିଏ ସଂଖ୍ୟା ହେଉଛି ୨୯୩। ଏହାକୁ ଆହୁରି ଦରକାର ୬୭ ଜଣଙ୍କ ସମର୍ଥନ। ସେହିପରି ରାଜ୍ୟସଭାର ମ୍ୟାଜିକ ନମ୍ଵର ହେଉଛି ୧୬୩। ଏନଡିଏ ଓ ସହଯୋଗୀ ସଭ୍ୟଙ୍କ ସଂଖ୍ୟା ୧୪୨ ହେଉଥିବା ବେଳେ ବିଲ୍ ପାସ୍ ପାଇଁ ଆହୁରି ଦରକାର ୨୧ ଜଣଙ୍କ ସମର୍ଥନ। ଯଦିଓ ବିରୋଧୀ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରୁଛନ୍ତି, ତେବେ ଲୋକସଭା ସୀମା ପୁନଃନିର୍ଦ୍ଧାରଣ ବିଲକୁ ସେମାନେ ବିରୋଧ କରୁଛନ୍ତି। ତେଣୁ ସରକାରଙ୍କୁ କଷ୍ଟ ହୋଇପାରେ ବିଲ ପାସ୍ କରାଇବା।

ବଢିବ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ସରକାର ଏପ୍ରିଲ୍ ୧୬, ୨୦୨୬ରୁ ଆରମ୍ଭ ହେବାକୁ ଥିବା ସ୍ୱତନ୍ତ୍ର ସଂସଦ ଅଧିବେଶନରେ ତିନୋଟି ବିଲ୍ ଆଣିବାକୁ ଯାଉଛନ୍ତି । ସମ୍ବିଧାନ ୧୩୧ତମ ସଂଶୋଧନ ବିଲ୍ ପ୍ରସ୍ତାବ, ସୀମା ପୁନଃ ନିର୍ଦ୍ଧାରଣ ବିଲ୍, କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍। ଡିଲିମିଟେସନ୍ ପରେ ମହିଳା ସଂରକ୍ଷଣ ଲାଗୁ ହେବାର ସମ୍ଭାବନା ଅଛି। ସୀମା ପୁନଃ ନିର୍ଦ୍ଧାରଣ ପରେ ବଢ଼ିବ ଲୋକସଭା ଆସନ ସଂଖ୍ୟା । ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭା ଆସନ ସଂଖ୍ୟା ବଢ଼ି ହେବ ୮୫୦ । ୧୩୧ ତମ ସମ୍ବିଧାନ ସଂଶୋଧନ ବିଲ ୨୦୨୬ ପ୍ରସ୍ତାବ ଅନୁଯାୟୀ ୨୮ଟି ରାଜ୍ୟରୁ ନିର୍ବାଚିତ ସାଂସଦଙ୍କ ସଂଖ୍ୟାରେ ବୃଦ୍ଧି ଘଟି ହେବ ୮୧୫ । ୮ଟି କେନ୍ଦ୍ର ଶାସିତ ଅଞ୍ଚଳ ଲୋକସଭା ନିର୍ବାଚନମଣ୍ଡଳୀ ସଂଖ୍ୟା ୩୫କୁ ବୃଦ୍ଧି ପାଇବ । ୨୦୧୧ ଜନଗଣନା ଆଧାରରେ ନୂଆ ସଂସଦୀୟ କ୍ଷେତ୍ର ସୃଷ୍ଟି ହେବ । ସେହିପରି ସବୁ ରାଜ୍ୟର ଲୋକସଭା ଓ ବିଧାନସଭା ଆସନ ସଂଖ୍ୟାରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ନେଇ ବିଲରେ ପ୍ରସ୍ତାବ ରହିଛି। ଓଡ଼ିଶାରେ ଏବେ ୨୧ଟି ଲୋକସଭା ନିର୍ବାଚନମଣ୍ଡଳୀ ରହିଛି। ଆକଳନ କରାଯାଉଛି ସୀମାପୁନଃନିର୍ଦ୍ଧାରଣ ପରେ ଏହି ସଂଖ୍ୟା ବଢ଼ି ୨୯ରୁ ୩୧ ହୋଇପାରେ। ସେହିପରି ୧୪୭ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନ ୨୧୦କୁ ବୃଦ୍ଧି ପାଇବା ସମ୍ଭାବନା ରହିଛି।

ବିରୋଧୀ ଆଜି ସଂସଦରେ ବିରୋଧ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଡିଲିମିଟେସନ୍ ପରେ ଓଡିଶା ଓ ଦକ୍ଷିଣ ଭାରତ ରାଜ୍ୟର ସଂସଦରେ ଭାଗିଦାରୀତା କମିପାରେ ଯାହାକୁ ନେଇ ଅନେକ ଆଞ୍ଚଳିକ ଦଳ ପ୍ରଶ୍ନ ଉଠାଇଛନ୍ତି । ତେବେ ଏହି ୩ଦିନ ପୁରା ଦେଶର ନଜର ସଂସଦ ଉପରେ ରହିବ ।

୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ ; ଦୋକାନ, ବଜାର, ଗାଡ଼ି ଚଳାଚଳ, ସ୍କୁଲ, କଲେଜ ବନ୍ଦ

ସୁବର୍ଣ୍ଣପୁର : ଆଜି ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ । ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା । ଗତ ୧୪ ତାରିଖରେ ଶ୍ରୀରାମଙ୍କ ଫଟୋ ଚିରା ଘଟଣାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି । ଆମ୍ବେଦକର ଜୟନ୍ତୀ ଅବସରରେ ଆୟୋଜିତ ଏକ ଶୋଭାଯାତ୍ରାରେ ବୀରମହାରାଜପୁର ମୁଖ୍ୟ ଛକରେ ଲାଗିଥିବା ପ୍ରଭୁ ଶ୍ରୀରାମଙ୍କ ଫଟୋକୁ ହଟାଇବା ସହ ଚିରି ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବଜରଙ୍ଗ ଦଳ ପକ୍ଷରୁ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି ।

ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବୀରମହାରାଜପୁର ଅଞ୍ଚଳରେ ଦୋକାନ, ବଜାର, ଗାଡ଼ି ଚଳାଚଳ, ସ୍କୁଲ, କଲେଜ ସହିତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନେ “ଜୟ ଶ୍ରୀରାମ” ନାରା ଦେଇ ମୁଖ୍ୟ ଛକରେ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି । ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ବିଭିନ୍ନ ଛକରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।

ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ନକ୍ସଲ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ; ଅନେକ ନକ୍ସଲ ନିହତ ସୂଚନା

ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶା – ଝାଡଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲାର ସରଣ୍ଡା ଜଙ୍ଗଲରେ ନକ୍ସଲ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ସହିତ ଚାଲିଛି ଗୁଳି ବିନିମୟ। ଗତ କାଲି ସଂଧ୍ୟାରୁ ଏହି ଅପରେସନ ଆରମ୍ଭ ହୋଇଛି। ଏହି ଅଞ୍ଚଳରେ ୧୫ରୁ ୨୦ ଜଣ ନକ୍ସଲ ଲୁଚି ରହିଥିବାର ଖବର ପରେ ସୁରକ୍ଷା କର୍ମୀମାନେ ଅପରେସନ ଆରମ୍ଭ କରିଥିଲେ। ସରଣ୍ଡାର ଚାରାଡେରା ଓ ଡୋଲାଇଗଡ଼ା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ ହୋଇଛି। ସନ୍ଧ୍ୟା ପ୍ରାୟ ୬ ଟା ପର୍ଯ୍ୟନ୍ତ ଜଙ୍ଗଲ ଅଞ୍ଚଳରେ ରହି ରହି କରି ଗୁଳିବର୍ଷା ଓ ବିସ୍ଫୋରଣର ଶବ୍ଦ ଶୁଣାଯାଉଥିଲା।

ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ ପ୍ରାୟ ୧୦ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ଏହି ଶବ୍ଦ ଶୁଭୁଥିଲା । ଏଥିରେ କେତେକ ନକ୍ସଲ ନିହତ ହୋଇଥିବାର ଅନୁମାନ କରାଯାଉଛି । ଏପର୍ଯ୍ୟନ୍ତ କାହାର ମୃତଦେହ ଉଦ୍ଧାର ହୋଇନି । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୫ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ରାଞ୍ଚିକୁ ଏୟାରଲିଫଟ କରାଯାଇଛି ।

ଫୁଟୁଛି ଓଡ଼ିଶା ; ଆଜି ୧୫ ଜିଲ୍ଲାରେ ୪୦ ଡିଗ୍ରୀ ଟପିପାରେ ତାପମାତ୍ରା

ଭୁବନେଶ୍ବର : ଫୁଟୁଛି ଓଡ଼ିଶା । ଗରମ ଗୁଳୁଗୁଳିରେ ଅସ୍ତବ୍ୟବସ୍ତ ଜନଜୀବନ । ଆଜି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଟପିପାରେ । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ୪୫ ଡିଗ୍ରୀ ଟପିପାରେ। ଆଭ୍ୟନ୍ତରୀଣ ଓଡ଼ିଶା ଅନେକ ସ୍ଥାନରେ ପ୍ରଚଣ୍ଡ ଖରା ଓ ତାତି ଅନୁଭୂତ ହୋଇପାରେ। ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁରରେ ଗ୍ରୀଷ୍ମ ପ୍ରବାହ ବହି ପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା କାଲି ଏବଂ ୧୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ବହିପାରେ।

ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୭ ତାରିଖରେ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୮ ଓ ୧୯ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଆଜି ଇସଲାମବାଦରେ ପୁଣି ଆମେରିକା ଓ ଇରାନ ମଧ୍ୟରେ ହେବ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ : ଆଜି ଇସଲାମବାଦରେ ପୁଣି ଆମେରିକା ଓ ଇରାନ ମଧ୍ୟରେ ହେବ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା । କଥାବାର୍ତ୍ତା ଲାଗି ୨ଟି ପ୍ରସ୍ତାବ ରଖିଛି ଆମେରିକା। ପ୍ରଥମ ସର୍ତ୍ତ ହେଲା – କଥାବାର୍ତ୍ତା ପୂର୍ବରୁ ହର୍ମୁଜ ପ୍ରଣାଳୀକୁ ଇରାନ ସମ୍ପୂର୍ଣ୍ଣ ଖୋଲିବା। ଦ୍ବିତୀୟ ସର୍ତ୍ତ ହେଲା- ଇସାଲାମାବାଦ କଥାବାର୍ତ୍ତାରେ ବାହାରିଥିବା ନିଷ୍କର୍ଷକୁ ଇରାନ କର୍ତ୍ତୃପକ୍ଷ ସହମତି ପ୍ରକାଶ ସଂକ୍ରାନ୍ତ ରାଜିନାମା। ହର୍ମୁଜ ପ୍ରଣାଳୀରେ ଆମେରିକା ନୌସେନା ସ୍ତରରେ ଅବରୋଧ ଜାରି ରଖିଥିବାବେଳେ ଏହି କଥାବାର୍ତ୍ତା ଗୁରୁତ୍ବପୂର୍ଣ୍ଣ ହେବ। ଇରାନ ପକ୍ଷରୁ କୁହାଯାଇଛି- ଏହି ଆଲୋଚନାରେ ୱାଶିଂଟନ ଓ ତେହରାନର ପ୍ରତିନିଧି ସାମିଲ ହେବେ।

ସେପଟେ ଇସ୍ରାଏଲ ଓ ଲେବାନନ ୱାଶିଂଟନରେ ସିଧାସଳଖ ଆଲୋଚନା କରିଛନ୍ତି। ଏହି କଥାବାର୍ତ୍ତା ସକାରାତ୍ମକ ହୋଇଛି ବୋଲି କହିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ । ତେଣେ ଚଳିତ ସପ୍ତାହରେ ସାଉଦିଆରବ ଓ ତୁର୍କୀ ଯାଇ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।

ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି ; ୪୮ ଘଣ୍ଟା ଭିତରେ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଚିଠିରେ କଲେ ଅନୁରୋଧ

ଭୁବନେଶ୍ବର : ତୁରନ୍ତ ଡାକ ବିଧାନସଭା ସ୍ବତନ୍ତ୍ର ଅଧିବେଶନ। ରାଜ୍ଯର ରାଜନୈତିକ ଅଧିକାର କ୍ଷୁର୍ଣ୍ଣ ନ ହେବା ନେଇ ପାରିତ କର ସଂକଳ୍ପ। ସୀମାପୁନଃନିର୍ଦ୍ଧାରଣ ବିଲ ନେଇ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠି। ସଂସଦରେ ପାରିତ ହେବାକୁ ଯାଉଛି ମହିଳା ସଂରକ୍ଷଣ ବିଲ। ଏହାକୁ ସର୍ବାନ୍ତକରଣରେ ସ୍ବାଗତ କରୁଛି ବିଜୁ ଜନତା ଦଳ। ସେହିପରି ରାଜ୍ଯର ରାଜନୈତିକ ସ୍ବାର୍ଥ ହାନି ହେଉ ନଥିଲେ ସୀମାପୁନଃନିର୍ଦ୍ଧାରଣକୁ ସ୍ବାଗତ କରିବ ବିଜେଡି। ସ୍ବତନ୍ତ୍ର ଅଧିବେଶନରେ ସଂସଦରେ ଆଗତ ସୀମାପୁନଃନିର୍ଦ୍ଧାରଣ ବିଲ ୨୦୨୬ ଉପରେ ବିଧାନସଭା ଗୃହରେ ଆଲୋଚନା କରିବାକୁ ଆହ୍ବାନ ଦେଇଛନ୍ତି। ଗୃହରେ ଆଲୋଚନା ମାଧ୍ଯମରେ ଓଡ଼ିଶାର ରାଜନୈତିକ ଅଧିକାର ଯେପରି ଆଉ କେଉଁ ରାଜ୍ଯ ଛଡ଼ାଇ ନ ନିଏ। ସେଥିପାଇଁ ସର୍ବସମ୍ମତିକ୍ରମେ ସଂକଳ୍ପ ପାରିତ କରିବା ଉପରେ ନବୀନ ଗୁରୁତ୍ବ ଦେଇଛନ୍ତି। ନବୀନ ମୋହନଙ୍କୁ ଲେଖିୃଥିବା ଚିଠିରେ ଉଲ୍ଲେଖ କରିଛନ୍ତି, ବିଜୁ ଜନତା ଦଳ ସୀମାପୁନଃନିର୍ଦ୍ଧାରଣ ବିଲକୁ ସ୍ବାଗତ କରୁଛି। କିନ୍ତୁ ଏହା କେବଳ ସଂଖ୍ଯାର ପ୍ରସଙ୍ଗ ନୁହେଁ। ଏହି ବିଲ ସିଧାସଳଖ ସହଭାଗୀତା ଭିତ୍ତିକ ସଂଘୀୟ ବ୍ଯବସ୍ଥାକୁ କୁଠାରଘାତ କରୁଛି। ରାଜ୍ଯର ରାଜନୈତିକ ଅଧିକାର କୌଣସି ମତେ ଗୌଣ ହେଲେ ଏହା ପ୍ରତ୍ଯକ୍ଷ ଭାବେ ଓଡ଼ିଶାବାସୀଙ୍କ ଆକାଂକ୍ଷାକୁ ଧୂଳିସାତ କରିବ।

ସଂସଦର ତିନି ଦିନିଆ ସ୍ବତନ୍ତ୍ର ଅଧିବେଶନରେ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ ୨୦୨୬ ଓ ଏଥିସହିତ ଜଡ଼ିତ ସୀମାପୁନଃନିର୍ଦ୍ଧାରଣ ବିଲ ମାଧ୍ଯମରେ ଲୋକସଭା ଓ ବିଧାନସଭାଗୁଡ଼ିକର ରୂପରେଖ ବଦଳାଇବ। ଏହି ପରିପ୍ରେକ୍ଷୀରେ ଲୋକସଭାର ଆସନସଂଖ୍ଯା ୫୪୩ରୁ ୮୫୦କୁ ବୃଦ୍ଧି ପାଇବ। ବର୍ତ୍ତମାନ ଲୋକସଭାରେ ଓଡ଼ିଶାର ୨୧ ଜଣ ସାଂସଦ ଅଛନ୍ତି। ଏହା ବୃଦ୍ଧି ପାଇ ୨୯ରେ ପହଞ୍ଚିବ। ଯାହାକି ଅନୁପାତିକ ଭିତ୍ତିରେ ୩.୪ ପ୍ରତିଶତ କମ। ଅନ୍ଯପକ୍ଷରେ ଓଡ଼ିଶା ଜନସଂଖ୍ଯା ନିୟନ୍ତ୍ରଣରେ ଦେଶର ଏକ ଅଗ୍ରଣୀ ରାଜ୍ଯ। ଏହି ପରିସଂଖ୍ଯାନ ଅନୁଯାୟୀ ଜାତୀୟ ରାଜନୈତିକ ଭିତ୍ତିରେ ୧୫ ପ୍ରତିଶତ ପ୍ରତିନିଧିତ୍ବ କମିବ। ସେହି ଅନୁଯାୟୀ ରାଜ୍ଯର ରାଜନୈତିକ ସ୍ବର ଓ ପ୍ରଭାବ ଜାତୀୟସ୍ତରରେ ପ୍ରଭାବିତ ହେବା ଆଶଙ୍କା ରହିଛି। ମହିଳା ସଂରକ୍ଷଣକୁ ବିଲକୁ ବିଜେଡି ସମର୍ଥନ କରୁଛି। ବିଜୁ ବାବୁ ନାରୀ ସଶକ୍ତିକରଣର ଜଣେ ବଳିଷ୍ଠ ସମର୍ଥକ ଥିଲେ। ସେ ମଧ୍ଯ ପଞ୍ଚାୟତିରାଜ ବ୍ଯବସ୍ଥାରେ ମହିଳା ସଂରକ୍ଷଣ ଲାଗୁ କରିବାରେ ଅଗ୍ରଣୀ ଭୂମିକା ନେଇଥିଲେ। ଅନୁରୂପ ଭାବେ ବିଜେଡି ମଧ୍ଯ ସର୍ବଦା ମହିଳା ପ୍ରତିନିଧିତ୍ବକୁ ଅଗ୍ରାଧିକାର ଦେଇଆସିଛି। ପଞ୍ଚାୟତିରାଜ, ପୌରପାଳିକା ବ୍ଯବସ୍ଥାରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ଯବସ୍ଥା ଲାଗୁ କରିବାରେ ବିଜେଡି ଦେଶରେ ପ୍ରଥମ ଉଦାହରଣ ସୃଷ୍ଟି କରିଥିଲା। ଏଣୁ ଜାତୀୟ ସ୍ତରରେ ମହିଳା ସଶକ୍ତିକରଣ ପାଇଁ ଅଣାଯାଇଥିବା ବିଲକୁ ଦଳ ସମର୍ଥନ କରୁଛି।