spot_img
Home Blog Page 46

SC-STଙ୍କ ପାଇଁ ହଟିଲା ବର୍ଦ୍ଧିତ ସଂରକ୍ଷଣ !

ନନ୍ଦିଘୋଷ ବ୍ୟୁରୋ: ଅନସୂଚିତ ଜାତି ଏବଂ ଅନସୂଚିତ ଜନଜାତିଙ୍କ ପାଇଁ ଆସିଛି ଏକ ବଡ ଖବର । ରଦ୍ଦ ହେଲା ଏସସି-ଏସଟି ଙ୍କ ପାଇଁ ବର୍ଦ୍ଧିତ ସଂରକ୍ଷଣ । ବଡ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ । କର୍ଣ୍ଣାଟକ ହାଇକୋର୍ଟ ବର୍ତ୍ତମାନ ଏଭଳି ବଡ ନିଷ୍ପତ୍ତି ନେଇ ଅନସୂଚିତ ଜାତି ଏବଂ ଜନଜାତିଙ୍କ ପାଇଁ ବର୍ଦ୍ଧିତ ସଂକ୍ଷଣକୁ ରଦ୍ଦ କରିଛନ୍ତି । ଏଭଳି ନିଷ୍ପତ୍ତି ପଛରେ କୋର୍ଟଙ୍କ କହିବା କଥା ଯେ, ରାଜ୍ୟର ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ, ଯେତେବେଳେ କି ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ଦ୍ଧିତ ସଂରକ୍ଷଣ ସୀମା ସୁପ୍ରିମକୋର୍ଟ ଦ୍ବାରା ନିର୍ଦ୍ଧାରିତ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ଉଲଂଘନ କରୁଛି । ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ବିଚାରପତି ବିଭୁ ବାଖୁର ଏବଂ ବିଚାରପତି କେ.ଏସ୍.ହେମଲେଖାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଖଣ୍ଡପୀଠ କହିଛି ଯେ, ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ  ଏବଂ ସମ୍ବିଧାନର ଧାରା ୧୪ ଏବଂ ୧୫କୁ ଉଲଂଘନ କରୁଛି ।

ଉଲ୍ଲେଖଯୋଗ୍ୟ ଯେ, ତତ୍କାଳୀନ ବିଜେପି ସରକାର ୨୦୨୨ ମସିହାରେ ଏହି କୋଟା ବୃଦ୍ଧି କରିଥିଲେ । କର୍ଣ୍ଣାଟକ ସରକାର ରାଜ୍ୟର ଅନସୂଚିତ ଜାତି ଏବଂ ଅନସୂଚିତ ଜନଜାତିଙ୍କ ସଂରକ୍ଷଣ ଆଇନ ୨୦୨୨ ମାଧ୍ୟମରେ ଅନସୂଚିତ ଜାତିଙ୍କ କୋଟାକୁ ୧୫ ପ୍ରତିଶତରୁ ୧୭ ପ୍ରତିଶତି ଏବଂ ଅନସୂଚିତ ଜନଜାତିଙ୍କ କୋଟାକୁ ୩ ପ୍ରତିଶତରୁ ୭ ପ୍ରତିଶତକୁ ବୃଦ୍ଧି କରିଥିଲେ । ଆଉ ସରକାରଙ୍କ ଏହି ନିଷ୍ପତ୍ତି ପରେ କର୍ଣ୍ଣାଟକରେ ମୋଟ୍ ସଂରକ୍ଷଣ ୫୬ ପ୍ରତିଶତକୁ ବୃଦ୍ଧି ପାଇଥିଲା ।

ତେବେ କର୍ଣ୍ଣାଟକ ହାଇକୋର୍ଟ ଆଇନର ଧାରା ୪କୁ ମଧ୍ୟ ଖାରଜ କରିଦେଇଛନ୍ତ । କୋର୍ଟ କହିଛନ୍ତି ଯେ, ଏହା ଧାରା ୧୪ ଏବଂ ୧୬କୁ ଉଲଂଘନ କରୁଛି । ଯାହା ଆଇନ ସମ୍ମୁଖରେ ସମାନତା ଏବଂ ସରକାରୀ ଚାକିରିରେ ସମାନ ସୁଯୋଗର ଗ୍ୟାରେଣ୍ଟି ଦେଇଥାଏ । ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ୫୦ ପ୍ରତିଶତ ସଂରକ୍ଷଣ ସୀମା ଅତିକ୍ରମ କରିବା ଦ୍ବାରା ସାମ୍ବିଧାନକି ଭାବରେ ନିଶ୍ଚିତ ସମାନତା ବ୍ୟବସ୍ଥାକୁ ଉଲଂଘନ କରିବ ।

ସେପଟେ କର୍ଣ୍ଣାଟକ ହାଇକୋର୍ଟର ନିଷ୍ପତ୍ତି ପରେ ରାଜ୍ୟ ସରକାର ଏବେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇପାରନ୍ତି । କଂଗ୍ରେସ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ବର ଏନେଇ ଇଙ୍ଗିତ ଦେଇଛନ୍ତି । ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ସାମାଜିକ ନ୍ୟାୟ, ଶିକ୍ଷା ଏବଂ ନିଯୁକ୍ତିକୁ  ପ୍ରଭାବିତ କରିପାରେ । ବର୍ତ୍ତମାନ ରାଜ୍ୟ ସରକାର ଏହି ବିଷୟରେ ଆଇନ ବିଶେଷଜ୍ଞଙ୍କ ସହ ପରାମର୍ଶ କରୁଛନ୍ତି ଏବଂ ତା’ପରେ ହିଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

 

ରାଜଧାନୀର ଏକାଧିକ ମେଡ଼ିସିନ ଦୋକାନରେ ଡ୍ରଗ୍ସ କଣ୍ଟ୍ରୋଲର ଯାଞ୍ଚ

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀର ଏକାଧିକ ମେଡ଼ିସିନ ଦୋକାନରେ ଯାଞ୍ଚ । ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ନିଶା ମୁକ୍ତି ଅଭିଯାନ ଜରିଆରେ ଏହି ଯାଞ୍ଚ  କରାଯାଇଛି। ବିଶେଷ କରି, ନିଶା ମେଡ଼ିସିନ ମହଜୁଦ ଆଉ ବିକ୍ରୟକୁ ନେଇ ଏହି ଯାଞ୍ଚ ଚାଲିଛି ।

ଡିପ୍ରେସନ୍ ତଥା ମାନସିକ ରୋଗୀଙ୍କ ପାଇଁ ଡାକ୍ତର ଏହି ନିଶା ମେଡ଼ିସିନ୍ ସବୁକୁ ପେସ୍କ୍ରାଇବ କରିଥାନ୍ତି । ତେବେ ବିନା ଡାକ୍ତରଙ୍କ ପରାମର୍ଶରେ ଏହି ଭଳି ମେଡ଼ିସିନ ବିକ୍ରି କରିବା ଏକ ଦଣ୍ଡନୀୟ ଅପରାଧ ଅଟେ । ହେଲେ କିଛି ମେଡ଼ିସିନ ଦୋକାନୀ ଏହି ନିୟମକୁ ଉଲଂଘନ କରିଥିବା ନଜରକୁ ଆସିଛି । ଏହାକୁ ନେଇ ଡ୍ରଗ୍ସ କଣ୍ଟ୍ରୋଲ ପକ୍ଷରୁ ଏହି ଯାଞ୍ଚ କରାଯାଇଛି । ରାଜଧାନୀରେ ଥିବା ମେଡ଼ିସିନ ଦୋକାନୀ କେତେ ନିଶା ମେଡ଼ିସିନ ଆଣୁଛନ୍ତି? କେତେ ବିକ୍ରି ହେଉଛି ? ଆଉ କେତେ ଦିନ ପର୍ଯ୍ୟନ୍ତ ଏହାର ବୈଧତା ରହିଛି ? ତାହାକୁ ନେଇ ତଦନ୍ତ କରାଯାଇଛି । ଯେଉଁମାନେ ନିୟମ ଉଲ୍ଲଙ୍ଘନ କରୁଥିବେ, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀଙ୍କ ପକ୍ଷରୁ ସୂଚନା ଦେଇଛନ୍ତି ।

କଟକ-ଜଗତସିଂହପୁର କଲେଜ କ୍ୟାମ୍ପସରେ ଉତ୍ତେଜନା !

ନନ୍ଦିଘୋଷ ବ୍ୟୁରୋ:  ପାଖେଇ ଆସୁଛି ନିର୍ବାଚନ । ଆଉ ମାତ୍ର ୨ ଦିନ ପରେ ବଛା ହେବେ ଛାତ୍ର ନେତା । l ସେଥିପାଇଁ କ୍ୟାମ୍ପସ ପଲିଟିକ୍ସ ଯେମିତି ବଢି ବଢି ଚାଲିଛି, ଠିକ୍ ସେମିତି ବିଶୃଙ୍ଖଳା ମଧ୍ୟ ବଢିବାରେ ଲାଗିଛି । ଏହାରି ଭିତରେ ଜଗତସିଂହପୁର ଏସ୍.ଭି.ଏମ୍ କଲେଜ ଫାଟକ ସମ୍ମୁଖ  ଅଶାନ୍ତ ହୋଇ ପଡିଛି l କଲେଜ ଫାଟକ ସମ୍ମୁଖରେ ପୋଲିସର କ୍ୟାମ୍ପ ରହିଛି ତଥାପି ଡର ଭୟ ଟିକେ ନାହିଁ l  ଦୁଇ ଗୋଷ୍ଠୀ ମୁହାମୁହିଁ ରେ ଏଭଳି ପରିସ୍ଥିତି ଉପୁଜିଲା ଯେ ପୋଲିସ ଫୋର୍ସ ଆସି ଘଟଣା ସ୍ଥଳରେ ପହଂଚିବାକୁ ପଡିଲା l ଏ ଦୃଶ୍ୟ ହିଁ ବୟାନ୍ କରୁଛି , ଛାତ୍ର ସଂସଦ ନିର୍ବାଚନ କେତେ ସ୍ୱଛ, ଅବାଧ ଓ ନିରପେକ୍ଷ ଭାବେ ଚାଲିଛି l ଜଗତସିଂହପୁର ଏସ୍ ଭି ଏମ୍ କଲେଜ ସମ୍ମୁଖରେ କାହିଁକି ଓ କଣ ପାଇଁ ଏଭଳି ଉତେଜନା ମୂଳକ ପରିସ୍ଥିତି ଲାଗି ରହୁଛି ତାକୁ ନେଇ ଜିଲ୍ଲା ପ୍ରଶାସନ ଘନ ଘନ ଗସ୍ତ ଗସ୍ତ ବି କରୁଛନ୍ତି l କଲେଜ କ୍ୟାମ୍ପସ ଠାରୁ ଶହେ ମିଟର ଭିତରେ କୌଣସି ବ୍ୟାନର ଲଗାଇକୁ ବାରଣ କରାଯାଇପାରିବ ନାହି ନାହିଁ କୁହାଯାଉଥିବା ବେଳେ ଏଠି ଏହା କେମିତି ସମ୍ଭବପର ହୋଇ ପାରିଛି ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି  l କାହା ନିର୍ଦ୍ଦେଶରେ ବଡ ବଡ ହୋର୍ଡ଼ିଂ ଲାଗିଛି ତାକୁ ନେଇ ପ୍ରଶ୍ନ ଉଠିଛି ।  ଲିଙ୍ଗଡୋ କମିସନରଙ୍କ ନିୟମକୁ ଫୁ କରିଦିଆଯାଇଛି ବୋଲି ଜଗତସିଂହପୁର ଜିଲ୍ଲାରେ ଆଲୋଚନା ଜୋର୍ ଧରିଛି l ବର୍ତ୍ତମାନ  କଲେଜ ଫାଟକ ନିକଟରେ ପୋଲିସ କ୍ୟାମ୍ପ କରି ରହିଛି l ଧାରଣା ଉଠିଯାଇଛି l ପରିସ୍ଥିତି ଶାନ୍ତ ଥିଲେ ମଧ୍ୟ ଦୁଇ ଗୋଷ୍ଠୀ ଭିତରେ ଛକାପଞ୍ଛା ଲାଗି ରହିଛି l ଯେହେତୁ ଆଉ ଦୁଇ ଦିନ ପରେ ଭୋଟ୍ ପଡିବ ସେଥିପାଇ ନିର୍ବାଚନରେ ମାହୋଲ ଉଷ୍ଣ ହେବାରେ ଲାଗିଛି l

ସେପଟେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଏରକଣା ପୁଷ୍ପଗିରି ମହାବିଦ୍ୟାଳୟରେ ଗତ ଦୁଇଦିନ ଧରି ଅନାହାରରେ ଅନଶନରେ ବସିଛନ୍ତି ଛାତ୍ର ନେତା । ଏହି ମହାବିଦ୍ୟାଳୟର ଯୁକ୍ତ ତିନି ବିଜ୍ଞାନ ଛାତ୍ର ରୁଦ୍ର ନାରାୟଣ କରଙ୍କର ପ୍ରାର୍ଥୀପତ୍ର ଉପସ୍ଥାନ କମ ହେବାରୁ କଟିଯିବା ପରେ ସେ ଏହାକୁ ବିରୋଧ କରି ଆମରଣ ଅନଶନରେ କଲେଜ ଅଧକ୍ଷଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି। ତାଙ୍କର ଉପସ୍ଥାନ ଆବଶ୍ୟକ ଅନୁସାରେ ରହିଛି, କିନ୍ତୁ ଜାଣିଶୁଣି ତାଙ୍କ ନାଁ କଟାଯାଇଥିବା ସେ ଅଭିଯୋଗ କରିଥିବା ବେଳେ ନିୟମ ଅନୁସାରେ ସମସ୍ତ ପଦକ୍ଷେପ ନିଆଯାଇଅଛି ଏବଂ ଛାତ୍ର ଜଣଙ୍କୁ ବୁଝାଯିବା ସହ ତାଙ୍କ ସ୍ୱସ୍ଥ୍ୟବସ୍ଥା ପାଇଁ କଲେଜ ସଜାଗ ଅଛି ବୋଲି ଅଧକ୍ଷ କହିଛନ୍ତି।

 

ପୁଣି ପ୍ରଧାନ ଶିକ୍ଷକଙ୍କ ନାମରେ ଯୌନ ଉତ୍ପୀଡ଼ନ ଅଭିଯୋଗ

ପୁଣି ପ୍ରଧାନ ଶିକ୍ଷକଙ୍କ ନାମରେ ଯୌନ ଉତ୍ପୀଡ଼ନ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣ ମୟୂରଭଞ୍ଜରେ ଲଜ୍ଜା। ପୁଣି ପ୍ରଧାନ ଶିକ୍ଷକଙ୍କ ନାମରେ ଯୌନ ଉତ୍ପୀଡ଼ନ ଅଭିଯୋଗ। ବାଙ୍ଗିରିପୋଷି ବ୍ଲକ ଅଞ୍ଚଳର ଏକ ସ୍କୁଲ ଘଟଣା ମନରୁ ନ ଲିଭୁଣୁ ଆଉ ଜଣେ ପ୍ରଧାନ ଶିକ୍ଷକଙ୍କ କଳା କାରନାମା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ,  ଗତ ସେପ୍ଟେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ଜଣେ ପ୍ରଧାନଶିକ୍ଷକ ଶ୍ରୀକୃଷ୍ଣ ପାତ୍ର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟର କବାଟ ଝରକା ବନ୍ଦ କରିବାକୁ ଡାକି କାର୍ଯ୍ୟାଳୟ ଭିତରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ପୀଡିତା ଜଣଙ୍କ ଘଟଣା ବିଷୟରେ ହଷ୍ଟେଲର ଦୁଇ ଜଣ ମାଟ୍ରନଙ୍କୁ କହିବା ପରେ ବି ସେମାନେ ଏହାକୁ ଚାପିଦେବାକୁ ଉଦ୍ୟମ କରିଥିଲେ। ଗତକାଲି ଫୋନ୍ ଯୋଗେ ପୀଡ଼ିତା ଛାତ୍ରୀ ତାଙ୍କ ଅବିଭାବକଙ୍କୁ ଏନେଇ ଜଣାଇବା ପରେ ପ୍ରଧାନଶିକ୍ଷକଙ୍କ କଳାକାରନାମା ସାମ୍ନାକୁ ଆସିଛି। ଏ ଘଟଣାକୁ ନେଇ ରରୁଆଁ ଥାନାରେ ପ୍ରଧାନଶିକ୍ଷକ ଶ୍ରୀକୃଷ୍ଣ ପାତ୍ରଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଛନ୍ତି ପୀଡିତା ଛାତ୍ରୀଙ୍କ ପରିବାର। ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ବାରିପଦାରୁ ଗିରଫ କରିଛି ପୋଲିସ l

 

 

୩ ସିଜେପି ନେତାଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ : ସିଜେପି ନେତା ସୌରଭ ଦାସ, ଆଶୁତୋଷ ରଙ୍କା  ଓ ଅଜିଙ୍କ୍ୟ ସିନ୍ଦେ ଅଟକ। ୩ ନେତାଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ। ଯନ୍ତର ମନ୍ତରରେ ପ୍ରବେଶ କରିବା ଲାଗି ଏକ ଗେଟରେ ଡେଇଁବା ପରେ ସେମାନଙ୍କୁ ଅଟକ ରଖିଛି ପୋଲିସ। ୩ ନେତାଙ୍କ ସହ କିଛି କର୍ମୀଙ୍କୁ ଅଟକ ରଖିଛି ପୋଲିସ। ଏହି ୩ ନେତାଙ୍କ ସମେତ କିଛି କର୍ମୀ ଜନତା ଦଳ(ସଂଯୁକ୍ତ) ଅଫିସ ପଟୁ ଯନ୍ତର ମନ୍ତରରେ ପ୍ରବେଶ କରିଥିଲେ। ତେବେ ସେମାନଙ୍କୁ ବାଧା ଦେଇଥିଲା ପୋଲିସ। ମାତ୍ର ସେମାନେ ପ୍ରବେଶ କରିବାବେଳେ ସେମାନଙ୍କୁ ଅଟକ ରଖିଥିଲା ପୋଲିସ। ସୌରଭ ଓ ସହକର୍ମୀମାନେ ଇନକିଲାବ ଜିନ୍ଦାବାଦ ଓ ଭାରତ ମାତା କୀ ନାରା ଦେଉଥିବା ଦେଖାଯାଇଥିଲା। ଯନ୍ତର ମନ୍ତରକୁ ଧାରଣାସ୍ଥଳର ମାନ୍ୟତା ପ୍ରତ୍ୟାହାର କରାଯିବା ପରେ ସିଜେପି ପୁଣି ଆନ୍ଦୋଳନ କରିଥିଲା।  ସେପଟେ ମୁଖପାତ୍ର ସୌରଭ ଦାସ ଆନ୍ଦୋଳନକାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯଦି ଆପଣମାନେ ଅଟକ ରହୁଛନ୍ତି ତେବେ ଷ୍ଟ୍ରାଟେଜି ସମ୍ପର୍କରେ ପୁନର୍ବିଚାର କରନ୍ତୁ। ଆମର ବିଫଳତା ଲାଗି ଅନ୍ୟକୁ ଦୋଷ ଦିଅନ୍ତୁ ନାହିଁ।…

ଡାକ ବିଭାଗରେ ବଡ଼ ଧରଣର ପ୍ରଶାସନିକ ପୁନର୍ଗଠନ

ନନ୍ଦିଘୋଷ ବ୍ୟୁରୋ: ଡାକ ବିଭାଗରେ ବଡ଼ ଧରଣର ପ୍ରଶାସନିକ ପୁନର୍ଗଠନ। ଡାକ ସେବାର ଦକ୍ଷତା ବୃଦ୍ଧି, ବ୍ୟବସାୟିକ ସମ୍ପ୍ରସାରଣ ତଥା ରାଜସ୍ୱ ବୃଦ୍ଧି ଲକ୍ଷ୍ୟରେ ଓଡ଼ିଶା ଡାକ ସର୍କଲରେ ବ୍ୟାପକ ପ୍ରଶାସନିକ ପୁନର୍ଗଠନ କରାଯାଇଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନ ଡାକ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ନୂତନ ବ୍ୟବସ୍ଥା ଆସନ୍ତା ୨୦୨୬ ନଭେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ବ୍ରହ୍ମପୁର ରିଜିଅନ୍ ଅଧୀନସ୍ଥ କୋରାପୁଟ ଓ କଳାହାଣ୍ଡି ଡିଭିଜନକୁ ପୁନର୍ବିଭାଜନ କରି ନୂତନ ‘ନବରଙ୍ଗପୁର ଡାକ ଡିଭିଜନ’ ଗଠନ କରାଯାଇଛି। ରାଜ୍ୟର ତିନୋଟି ଯାକ ରିଜିଅନ ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ମଧ୍ୟରେ କାର୍ଯ୍ୟଭାର ସନ୍ତୁଳନ ପାଇଁ ଡିଭିଜନଗୁଡ଼ିକର ପୁନର୍ବଣ୍ଟନ କରାଯାଇଛି। ପ୍ରଶାସନିକ ସୁବିଧା ଦୃଷ୍ଟିରୁ ତୃଣମୂଳ ସ୍ତରରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛ। କଟକ ସିଟି ଡିଭିଜନ: କଟକ ୱେଷ୍ଟ ସବ୍-ଡିଭିଜନକୁ ଉଚ୍ଛେଦ କରାଯାଇ ଏହାକୁ କଟକ ଇଷ୍ଟ ଏବଂ ସାଳେପୁର ସବ୍-ଡିଭିଜନ ସହ ମିଶ୍ରଣ କରାଯାଇଛି।

ଭଦ୍ରକ ଡିଭିଜନ: ଭଦ୍ରକ ଅଧୀନରେ ନୂତନ ‘ଚାନ୍ଦବାଲି ସବ୍-ଡିଭିଜନ’ ସୃଷ୍ଟି କରାଯାଇଛି। ଢେଙ୍କାନାଳ ଡିଭିଜନ: ନୂତନ ‘କିଶୋରଗଞ୍ଜ ସବ୍-ଡିଭିଜନ’ ପ୍ରତିଷ୍ଠା ହୋଇଛି। ଅନୁଗୋଳ ଇଷ୍ଟ ଓ ୱେଷ୍ଟକୁ ମିଶାଇ ‘ଅନୁଗୋଳ’ ତଥା ଢେଙ୍କାନାଳକୁ ‘ଢେଙ୍କାନାଳ ଇଷ୍ଟ’ ଓ ‘ଢେଙ୍କାନାଳ ୱେଷ୍ଟ’ ଭାବେ ପୁନର୍ଗଠନ କରାଯାଇଛି। କଟକ ସାଉଥ୍ ଡିଭିଜନ: ଏହି ଡିଭିଜନ ଅଧୀନରେ ନୂତନ ‘ରଘୁନାଥପୁର ସବ୍-ଡିଭିଜନ’ ଗଠନ କରାଯାଇଛି।…

ସଂଗଠନ ଛାଡ଼ି ହିଂସାର ରାସ୍ତା ପରିତ୍ୟାଗ କଲେ ୬ ମାଓବାଦୀ

ଛତିଶଗଡ଼  : ସଂଗଠନ ଛାଡ଼ି ହିଂସାର ରାସ୍ତା ପରିତ୍ୟାଗ କଲେ ୬ ମାଓବାଦୀ କ୍ୟାଡର। ଛତିଶଗଡ଼ ବିଜାପୁର ପୋଲିସ ନିକଟରେ ଏହି ୬ ଜଣ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୪ ଜଣ ପିପିସିଏମ୍ ଏବଂ ୨ ଜଣ ପାର୍ଟି ମେମ୍ବର ରାଙ୍କର କ୍ୟାଡର ରହିଛନ୍ତି। ସେମାନଙ୍କ ନାମରେ ମୋଟ ୩୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ବିଜାପୁର ପୋଲିସର ସୂଚନା ଅନୁସାରେ, ଆତ୍ମସମର୍ପଣ କରିଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣ ଓଡ଼ିଶା ରାଜ୍ୟରେ ସକ୍ରିୟ ମାଓବାଦୀ ସଂଗଠନ ସହ ଜଡ଼ିତ ଥିଲେ। ଅନ୍ୟ ୨ ଜଣ ପଶ୍ଚିମ ବସ୍ତର ଡିଭିଜନର ସଂଗଠନ ଛାଡ଼ି ଫେରାର ଥିଲେ । ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନୀତି, ସୁରକ୍ଷା ବାହିନୀର ଲଗାତାର ଅଭିଯାନ ଏବଂ ପୁନର୍ବାସ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ସେମାନେ ହିଂସାର ରାସ୍ତା ଛାଡ଼ିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏହି ଆତ୍ମସମର୍ପଣ ପ୍ରକ୍ରିୟାରେ ଡିଆରଜି ବିଜାପୁର, ସିଆରପିଏଫ୍ ୧୭୦ତମ ବାଟାଲିୟନ ଏବଂ ବିଜାପୁର ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ସହାୟତା, ଦକ୍ଷତା ବିକାଶ ପ୍ରଶିକ୍ଷଣ, ଶିକ୍ଷା, ଆବାସ ଏବଂ ରୋଜଗାର ସମ୍ବନ୍ଧୀୟ ସୁବିଧା ଯୋଗାଇ ଦିଆଯିବ। ଏହାଦ୍ୱାରା ସେମାନେ ସମାଜର ମୁଖ୍ୟସ୍ରୋତକୁ ଫେରି ନୂଆ ଜୀବନ ଆରମ୍ଭ କରିପାରିବେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟକୁ ନାହିଁ ବଡ଼ ବର୍ଷା!

ରାଜ୍ୟକୁ ନାହିଁ ବଡ଼ ବର୍ଷା!

ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣ ଆଣ୍ତାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣବଳୟ ମଙ୍ଗଳବାର ଲଘୁଚାପର ରୂପ ନେଇଛି । ତେବେ ଏହି ଘୂର୍ଣ୍ଣବଳୟ ଅଧିକ ଘନୀଭୂତ ହେବ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସାମୁଦ୍ରିକ ଓ ବାୟୁମଣ୍ତଳୀୟ ପରିସ୍ଥିତି ଅଧିକ ଅନୁକୂଳ ନ ଥିବାରୁ ଏହା ଲଘୁଚାପ କ୍ଷେତ୍ର ମଧ୍ୟରେ ସୀମିତ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଅନ୍ୟପଟେ ସୋମବାର ରାଜ୍ୟର କିଛି ସ୍ଥାନରୁ ଅପସରି ଯାଇଛି ଦକ୍ଷିଁଣ-ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଦେଶର ଅବଶିଷ୍ଟ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଯିବା ସହ ଦକ୍ଷିଣ ଉପଦ୍ବୀପୀୟ ଭାରତରେ ଉତ୍ତର-ପୂର୍ବ ମୌସୁମୀ ବର୍ଷା ଆରମ୍ଭ ହେବା ପାଇଁ ପାଗ ଅନୁକୂଳ ହେବ ବୋଲି ପାଣିପାଗ ବିଭାର ପକ୍ଷରୁ ଆକଳନ କରାଯାଇଛି ।

ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ୫ଟି ସହରର ତାପମାତ୍ରା ୩୪ ଡ଼ିଗ୍ରୀ ଉପରେ ରହିଛି । ମାଲକାନଗିରି ଓ ଝାରସୁଗୁଡ଼ାରେ ସର୍ବାଧିକ ୩୪.୪ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ତେବେ ଆସନ୍ତା ସପ୍ତାହଁ ଯାଏଁ ତାପମାତ୍ରରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ରାଜ୍ୟର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଗାମୀ ୨୨ ତାରିଖ ଯାଏଁ ବର୍ଷା ନେଇ କୌଁଣସି ସର୍ତକ ସୂଚନା ନାହିଁ ବୋଲି ପାଣିପାଗ ବିଭାର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

 

 

ପାନାମାରେ ପୁଣି ଭୂମିକମ୍ପ, ୬ ତୀବ୍ରତାର ଝଟକାରେ ଥରିଲା ଦେଶ

ନନ୍ଦିଘୋଷ ବ୍ୟୁରୋ:ଶୁକ୍ରବାର ପାନାମାର ଦକ୍ଷିଣ ଉପକୂଳରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବା ପରେ ସୋମବାର ପୁଣି ୬ ତୀବ୍ରତାର ଭୂମିକମ୍ପ ହୋଇଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (EMSC) ଅନୁଯାୟୀ, ଏହି ଭୂମିକମ୍ପ ଭୂପୃଷ୍ଠରୁ ୩୫ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା।

ଶୁକ୍ରବାର ପାନାମାରେ ୭.୭ ତୀବ୍ରତାର ଭୟଙ୍କର ଭୂମିକମ୍ପ ହୋଇଥିଲା। ଏଥିରେ ଦେଶର କେନ୍ଦ୍ରୀୟ ପ୍ରଦେଶଗୁଡ଼ିକରେ ଶହ ଶହ ଘର ଓ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିଲା। ଏହାପରେ ୩୦୦ରୁ ଅଧିକ ପରବର୍ତ୍ତୀ ଭୂକମ୍ପ ଝଟକା (ଆଫ୍ଟରଶକ୍‌) ଅନୁଭୂତ ହୋଇଥିଲା। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସରକାର ସପ୍ତାହାନ୍ତରେ ଦେଶବ୍ୟାପୀ ଜାତୀୟ ଜରୁରୀକାଳୀନ ସ୍ଥିତି ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ।

ଜରୁରୀକାଳୀନ ବିଭାଗର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୂମିକମ୍ପରେ କାହାରି ମୃତ୍ୟୁ ଖବର ମିଳିନାହିଁ। ତେବେ ଅତିକମରେ ୨୭ ଜଣ ଆହତ ହୋଇଥିବା ବେଳେ ପ୍ରାୟ ୯୦୦ଟି ଘର କ୍ଷତିଗ୍ରସ୍ତ ହୋଇଛି। ଦୁର୍ଗମ ଅଞ୍ଚଳଗୁଡ଼ିକରେ କ୍ଷୟକ୍ଷତିର ଆକଳନ ଜାରି ରହିଥିବାରୁ ଆହତଙ୍କ ସଂଖ୍ୟା ଓ କ୍ଷୟକ୍ଷତିର ପରିମାଣ ଆହୁରି ବଢ଼ିପାରେ ବୋଲି ଅଧିକାରୀମାନେ ସତର୍କ କରାଇଛନ୍ତି।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୂମିକମ୍ପରେ ସର୍ବାଧିକ ପ୍ରଭାବିତ ପ୍ରଦେଶଗୁଡ଼ିକ ମଧ୍ୟରେ ଲସ୍ ସାଣ୍ଟୋସ୍, କୋକ୍ଲେ, ଭେରାଗୁଆସ୍ ଏବଂ ହେରେରା ସାମିଲ ରହିଛି।

 

 

ଜଳେଶ୍ଵରରେ ବାଲି ମାଫିଆଙ୍କ ଆତଙ୍କରାଜ

ଜଳେଶ୍ଵର : ଜଳେଶ୍ଵରରେ ବାଲି ମାଫିଆଙ୍କ ଆତଙ୍କରାଜ। ଖଣି ବିଭାଗର ଗାଡ଼ି ଆଗରେ ଆଉ ଗୋଟିଏ ଗାଡ଼ି ଆଡା ପକାଇ ଖସାଇ ନେଇଗଲେ ବାଲି ବୋଝେଇ ହାଇଓ୍ବା।  ଖଣି ଅଧିକାରୀ ଓ ତାଙ୍କ ଡ୍ରାଇଭରକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।  ଜଳେଶ୍ଵର  ସୁବର୍ଣ୍ଣରେଖା ନଦୀର ଭାନୁପୁର ନିକଟରେ ବେଆଇନ୍ ଭାବେ ପ୍ରତିଦିନ ଶହ ଶହ ଟ୍ରିପ ବାଲି ଉତ୍ତୋଳନ କରି ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଛି। ଖବର ପାଇ ବାଲେଶ୍ବର ଖଣି ଅଧିକାରୀ ଜଗନ ବେହେରା ଙ୍କ ନିର୍ଦ୍ଦେ କ୍ରମେ ବସ୍ତା ଜୁନିଅର ଖଣି ଅଧିକାରୀ ତାପସ ବେହେରା ଓ ତାଙ୍କ ଡ୍ରାଇଭର ବେଆଇନ୍ ବାଲି ଉତ୍ତୋଳନ ସ୍ଥାନରେ ପହଞ୍ଚି ଥିଲେ। ମାଇନିଂ ଗାଡ଼ି ଦେଖି ମାଫିଆ ଆଉ ଗୋଟିଏ ଗାଡ଼ି ଆଡା ପକାଇ ବାଲି ବୋଝେଇ ହାଇଓ୍ବା।   ଖସାଇ ନେଇଗଲେ। ଏହାସହ ମାଇନିଂ ଅଧିକାରୀଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ । ମାଫିଆ ଦିନକୃଷ୍ଣ ଓଝା ଗାଡ଼ି ଅଟକାଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଜଳେଶ୍ଵର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ମାଇନିଂ ଅଧିକାରୀ। ତେବେ ଏଠି ପ୍ରଶ୍ନ ଉଠୁଛି ବାଲି ମାଫିଆ ଏତେ ସାହାସ ପାଉଛନ୍ତି କେଉଁଠୁ। କେବେ ବେଆଇନ୍ ବାଲି ଉତ୍ତୋଳନ ଉପରେ ଲାଗିବ ରୋକ..।