spot_img
Home Blog Page 4516

ସତ ହେବ କି ଏକଜିଟ ପୋଲ ? କାଲି ଆସିବ ଆସିବ ୫ ରାଜ୍ୟର ୬୯୦ ଆସନର ଫଳାଫଳ

ନୂଆଦିଲ୍ଲୀ: ରାତି ପାହିଲେ ହଟିବ ସସପେନ୍ସ । ଆସିବ ୫ ରାଜ୍ୟର ୬୯୦ ଆସନର ଫଳାଫଳ । ସତ ହେବ କି ଏକଜିଟ ପୋଲର ଆକଳନ ? ନିର୍ଦ୍ଧାରିତ ହେବ ୫ ମୁଖ୍ୟମନ୍ତ୍ରୀ ସମେତ ବିଭିନ୍ନ ଦଳର ହେଭିୱେଟଙ୍କ ଭାଗ୍ୟ । ଉତ୍ତରପ୍ରଦେଶରେ ସହଜ ସ୍ଥିତିରେ ବିଜେପି ଥିବାବେଳେ ଏକଜିଟ୍ ପୋଲ ଭୁଲ ହେବ ବୋଲି ସୂଚନା ଦେଇଛି ସମାଜବାଦୀ ପାର୍ଟି । ଉତ୍ତରାଖଣ୍ଡରେ ବିଜୟକୁ ନେଇ ଚାଲିଛି ବାଜି । ମଣିପୁରରେ ଡେରା ପକାଇଛି କଂଗ୍ରେସ । ଗୋଆରେ ଚାଲିଛି ରିସର୍ଟ ରାଜନୀତି । ପଞ୍ଜାବରେ ଆପ୍‌ର ଚାଲିଛି ଅଙ୍କକଷା ।

୨୦୨୪ ଫାଇନାଲ ପୂର୍ବରୁ ସେମିଫାଇନାଲରେ କାହାର ହେବ ବିଜୟ । ଆସିବ ୫ ରାଜ୍ୟର ୬୯୦ ବିଧାନସଭା ଆସନର ଫଳାଫଳ । କାହାକୁ କିଏ ଦେବ ମାତ୍ ? ହାଇପ୍ରୋଫାଇଲ ସିଟରେ କିଏ ପିନ୍ଧିବେ ମୁକୁଟ ? କଣ ହେବ ବରିଷ୍ଠ ନେତାଙ୍କ ରାଜନୈତିକ ଭାଗ୍ୟ ? ଜନମତ ଗଣିତରେ କଣ ରହିବ ସମୀକରଣ ? ଏକଜିଟ ପୋଲ ହିଟ୍ ନା ମିସ୍‌, ଚାଲିଛି ବିଚାରବିମର୍ଶ । ଫଳାଫଳ ପରେ ପରବର୍ତ୍ତୀ ରଣନୀତି ଦେଇ ସବୁ ଦଳର ହାଇକମାଣ୍ଡ ଦିଲ୍ଲୀରେ ଜାରି ରଖିଛନ୍ତି ଗୋଟି ଚାଳନା ।

ଏଥିସହ ପଢ଼ନ୍ତୁ: କାଲି ଆସିବ ୫ ରାଜ୍ୟର ଜନାଦେଶ, କଣ ରହିବ ରାଜ୍ୟପାଳଙ୍କ ଭୂମିକା ?

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି, ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ରାଜନୈତିକ ଭବିଷ୍ୟତ ଉପରେ ଦେଶବାସୀଙ୍କ ନଜର ରହିଛି ।

ଉତ୍ତରପ୍ରଦେଶରେ ବିଜେପି ରିପିଟ୍ ହେବ ବୋଲି ଏକଜିଟ୍ ପୋଲ କରିଛି ଭବିଷ୍ୟବାଣୀ । କିନ୍ତୁ ଏକଜିଟ୍ ପୋଲ ଫଳାଫଳ ଭୁଲ ହେବ ବୋଲି ଦାବି କରିଛି ଏସପି । ସମାଜବାଦୀ ପାର୍ଟି ଲଡୁ ବାଣ୍ଟିବ ବୋଲି କହିଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ । ଉତ୍ତରାଖଣ୍ଡରେ କଂଗ୍ରେସ ସହ କଡା ଟକ୍କର ହେବ ବୋଲି ସୂଚନା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ । ବିଜେପି, କଂଗ୍ରେସ ମଧ୍ୟରେ ଚାଲିଛି ଛକାପଞ୍ଝା । ମଣିପୁରରେ ଝୁଲା ବିଧାନସଭା ନେଇ ଚାଲିଛି କଳ୍ପନାଜଳ୍ପନା । ଏକଜିଟ୍ ପୋଲକୁ ନେଇ ଚାଲିଛି ଜାତୀୟ ଓ ଆଞ୍ଚଳିକ ଦଳ ମଧ୍ୟରେ ଭିତିରି ଆଲୋଚନା । ଗୋଆରେ ଘଡ଼ିକେ ଛୁଟୁଛି ଘୋଡ଼ା ।

ସାବଧାନ ! ପିଚୁ ଖୋଳିଲେ ଜେଲ୍

ଭୁବନେଶ୍ବର: ବିନା ଅନୁମତିରେ ଆପଣ ଗାଁ ରାସ୍ତାକୁ ଖୋଳୁଛନ୍ତି କି ? ନିଜର ସ୍ବାର୍ଥ ପାଇଁ ରାଜ୍ୟର ସମ୍ପତ୍ତି ନଷ୍ଟ କରୁଛନ୍ତି କି ? ସାବଧାନ ! ବେଆଇନ ଭାବେ ଗାଁର ପିଚୁ ଓ ପକ୍କା ରାସ୍ତା ଖୋଳିଲେ ଏବେ ଜେଲ ଯିବାକୁ ପଡିବ । ଏପରି କଡା ନିର୍ଦ୍ଦେଶନାମା ଜାରି କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ବିଭିନ୍ନ ଉଦ୍ଦେଶ୍ୟ ରଖି ବିଭିନ୍ନ ସମୟରେ ଅସାଧୁ ବ୍ୟକ୍ତି ନିମ୍ନମାନର କାମ  ଅଭିଯୋଗ କରି ଗାଁର ପକ୍କା ଓ ପିଚୁ ରସ୍ତାକୁ ଖୋଳି ପକାଉଛନ୍ତି । ଏପରି ହେବା ଦ୍ବାରା ଲକ୍ଷ ଲକ୍ଷ ଟଙ୍କାର ରାଜ୍ୟ ସମ୍ପତ୍ତି ନଷ୍ଟ ହେବା ସହ ଲୋକଙ୍କ ସମସ୍ୟା ବଢୁଛି । ଏସବୁକୁ ରୋକିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ କଡ଼ା ନିର୍ଦ୍ଦେଶନାମା ଜାରି କରିଛି ।

ଯେଉଁମାନେ ଏସବୁ କାମ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଠିକାଦାର ଓ ଯନ୍ତ୍ରୀମାନେ ନିମ୍ନମାନର କାମ କରିବେ ସେମାନଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେତିକି ନୁହେଁ, ପାଣି ପାଇପ ବିଛାଇବା,  ବିଭିନ୍ନ ସଭା ସମିତି ଓ ଅନ୍ୟାନ୍ୟ କାମ ପାଇଁ ମଧ୍ୟ ଲୋକମାନେ ଗାଁ ରାସ୍ତାକୁ ଖୋଳି ରାଜ୍ୟ ସମ୍ପତ୍ତି ନଷ୍ଟ କରୁଛନ୍ତି  । ଏହା ଉପରେ ମଧ୍ୟ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟ ଠିକାଦାର ଓ ଯନ୍ତ୍ରୀଙ୍କ ପାଇଁ ୩ ସୂତ୍ରୀ କଡ଼ା ନିର୍ଦ୍ଦେଶନାମା ଜାରି କରିଛି । ଯଦି କୌଣସି କାମ ଯାଞ୍ଚ ସମୟ ନିମ୍ନମାନର ହେଲେ ଥ୍ରୀ-ଆର ନିମୟ ଲାଗୁ କରାଯାଇ ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାସ୍ତାକାମ ନିମ୍ନମାନର ହୋଇଥିବାର ପ୍ରମାଣିତ ହେଲେ ଠିକାଦାର ନିଜସ୍ବ ଖର୍ଚ୍ଚରେ ପୁନଃନିର୍ମାଣ କରିବେ । ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏପରି ନିଷ୍ପତ୍ତିକୁ ରାଜନୈତିକ ଦଳ ଗୁଡ଼ିକ ସ୍ବାଗତ କରିବା ସହ କେତେକ ପ୍ରଶ୍ନ ଉଠାଇଛନ୍ତି ।

ଅନେକ କ୍ଷେତ୍ରରେ ବହୁ ନ୍ୟସ୍ତସ୍ବାର୍ଥ ଓ ଅସାମାଜିକ ପ୍ରକୃତିର ଲୋକମାନେ ନିଜର ସ୍ବାର୍ଥ ପାଇଁ ରାଜ୍ୟ ସମ୍ପତ୍ତି ନଷ୍ଟ କରୁଥିବାରୁ ଏପରି କଠୋର ନିୟମ କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ ।

ଶ୍ରୀମନ୍ଦିର ଉନ୍ନତି କାର୍ଯ୍ୟରେ ବାଧକ ସାଜିଛି ଏଏସଆଇ

ଭୁବନେଶ୍ବର: ଏଏସଆଇର କାର୍ଯ୍ୟକଳାପକୁ ନେଇ ଉଠିଛି ପ୍ରଶ୍ନ । ପୁରୀ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିଲେ ସୁଦ୍ଧା କାର୍ଯ୍ୟରେ ଅବହେଳା ନେଇ ଉଠିଛି ଅଭିଯୋଗ । ରକ୍ଷଣାବେକ୍ଷଣ ପାଇଁ ଦୀର୍ଘ 30 ବର୍ଷ ହେବ କୋଟି କୋଟି ଟଙ୍କା ଆସୁଥିଲେ ସୁଦ୍ଧା ଏହାର ସୁବିନିଯୋଗ କରାଯାଉନଥିବା ସାଧାରଣରେ ଅଭିଯୋଗ ହୋଇଛି । ଉନ୍ନତି ମୂଳକ ପ୍ରକଳ୍ପ ନିର୍ମାଣରେ ଓଡିଶାରେ ନିଯୁକ୍ତ ଏଏସଆଇ ଅଧିକାରୀଙ୍କ ହସ୍ତକ୍ଷେପକୁ ସାଧାରଣରେ ନାପସନ୍ଦ କରାଯାଇଛି ।

ଶ୍ରୀମନ୍ଦିର ଉନ୍ନତି କାର୍ଯ୍ୟରେ ବାଧକ ସାଜିଛି ଏଏସଆଇ । ରକ୍ଷଣାବେକ୍ଷଣ ନେଇ ଆସୁଥିବା ଟଙ୍କା ବିନିଯୋଗ ହୋଇ ପାରୁ ନଥିବା ଅଭିଯୋଗ । ଦୀର୍ଘ ୩୦ ବର୍ଷ ହେଲେ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିଛି ଏଏସଆଇ । ହେଲେ ସିଂହଦ୍ବାର ମୁଖଶାଳାରେ ଦଶାବତାର ମୂର୍ତ୍ତି କଥା ହେଉ ବା ବେଢାରେ ଅନ୍ୟାନ୍ୟ ଦେବାଦେବୀ ମନ୍ଦିର ରକ୍ଷଣବେକ୍ଷଣ, ଏସବୁ କ୍ଷେତ୍ରରେ ଏଏସଆଇର ଅବହେଳା ବିଭିନ୍ନ ସମୟରେ ସାମ୍ନାକୁ ଆସିଛି । ଯେଉଁ କ୍ଷେତ୍ରରେ ଏଏସଆଇର ଆବଶ୍ୟକତା ରହିଛି ସେସବୁ ନକରି ଅଯଥାରେ ଉନ୍ନତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏପରି ସ୍ଥିତିରେ ପୁଣି ଥରେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ଓଡିଶାରେ କାର୍ଯ୍ୟରତ ଅଧିକାରୀ ।

ଦୀର୍ଘବର୍ଷ ଧରି ଶ୍ରୀମନ୍ଦିର ଉନ୍ନତିକରଣ ନାମରେ କେବଳ ଚୂନ ଛଡାଉଛି ଏଏସଆଇ । ନିକଟରେ ଏଏସଆଇ ଡିଜି ବିଦ୍ୟାବତୀ ଆସି କାର୍ଯ୍ୟ ଦେଖି ପ୍ରଶଂସା କରିବା ସହ ନିର୍ମାଣକୁ ତ୍ବରାନ୍ବିତ କରିବାକୁ କହିଥିଲେ । ହେଲେ ଓଡିଶା ଦାୟିତ୍ବରେ ଥିବା ଏଏସଆଇ ଅଧିକାରୀ ଅରୁଣ ମଲ୍ଲିକ ଏଭଳି ବିଭ୍ରାନ୍ତିକର ମତ କ’ଣ ପାଇଁ ଦେଉଛନ୍ତି ତା’ର ତଦନ୍ତ ଆବଶ୍ୟକ ବୋଲି କହିଛନ୍ତି ପୁରୀବାସୀ । କଳାପାହାଡ଼ ଭଳି ଉନ୍ନତିରେ ବାଧକ ସାଜୁଥିବା ଏହି ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।

ଶ୍ରୀମନ୍ଦିର ସୁରକ୍ଷା କରିଡର ନେଇ ପ୍ରଶାସନିକ ସ୍ପଷ୍ଟୀକରଣ ଦିଆଯାଇଥିବା ସତ୍ତ୍ବେ ଏଏସଆଇର ବରିଷ୍ଠ ଅଧିକାରୀଙ୍କ ବିଭ୍ରାନ୍ତିକର ମନ୍ତବ୍ୟ ଏବେ ପୁଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ସମ୍ପର୍କରେ ଏଏସଆଇର ଓଡ଼ିଶା ମୁଖ୍ୟ ଅରୁଣ ମଲ୍ଲୀକଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ଋଷ ବିମାନକୁ କବଜା କଲା ବ୍ରିଟେନ୍, ୟୁକ୍ରେନ୍ ଯୁଦ୍ଧ ଭିତରେ ଆହୁରି ବଢ଼ିପାରେ ଉତ୍ତେଜନା

ନୂଆଦିଲ୍ଲୀ: ୟୁକ୍ରେନ୍-ଋଷ ଯୁଦ୍ଧ ମଧ୍ୟରେ ବ୍ରିଟେନ୍, ଋଷର ଏକ ବିମାନକୁ କବଜା କରି ନେଇଛି । ଯାହାକୁ ନେଇ ଉତ୍ତେଜନା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଋଷ ପ୍ଲେନକୁ କବଜା କରାଯାଇଥିବା ନେଇ ୟୁକେର ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ପୂର୍ବରୁ ବ୍ରିଟେନ୍ କହିଥିଲା, ଯଦି କୌଣସି ଋଷ ବିମାନ କିମ୍ବା ଟାର୍ଟାଡ୍ ଫ୍ଲାଇଟ୍ ଏୟାରସ୍ପେସକୁ ଆସେ ତ ଅପରାଧ ବିବେଚନା କରାଯିବ ଏବଂ ବିମାନକୁ ଜବତ କରାଯିବ ।

ଏଥିସହ ପଢ଼ନ୍ତୁ: ପୁଟିନ୍ ହେଲେ ନରମ, ଦେଲେ ଶାନ୍ତିର ସଙ୍କେତ

ୟୁକ୍ରେନ୍ ସହ ଋଷର ଯୁଦ୍ଧ ପରେ ୟୁକେ ଋଷର ବିମାନ ଉପରେ କଟକଣା ଲଗାଇଥିଲା । କିନ୍ତୁ ଧନୀ ଋଷର ନାଗରିକ ଅନ୍ୟ ଦେଶରେ ଚାର୍ଟାଡ୍ ପ୍ଲେନର ପଞ୍ଜିକରଣ କରିଥିବାରୁ ୟୁକେ ପହଞ୍ଚୁଥିଲେ । ଏଭଳି ବିମାନ ବ୍ରିଟେନ୍ ଉପରେ ଉଡ଼ିବା ନେଇ କଟକଣା ଲଗା ଯାଇଥିଲା । ସେଭଳି ବିମାନକୁ ମଧ୍ୟ ଜବତ କରିବ ବୋଲି ବ୍ରିଟେନ୍ ଚେତାବନୀ ଦେଇଥିଲା । ଆଜି ସେହିଭଳି ହୋଇଛି ।

ଖବର ଅନୁସାରେ, ଫାର୍ଣ୍ଣବୋରଫ୍ ବିମାନବନ୍ଦରରେ ଏକ ବିମାନର ଯାଞ୍ଚ କରାଯାଇଥିଲା । ଉକ୍ତ ଘରୋଇ ବିମାନଟି ଲକ୍ସମବର୍ଗରେ ପଞ୍ଜିକୃତ ଥିବାବେଳେ ତାର ମାଲିକ ଋଷ ନାଗରିକ ଥିଲେ । ଆଉ ବିମାନଟି ଋଷ ନାଗରିକଙ୍କୁ ନେଇ ୟୁକେ ପହଞ୍ଚିଥିଲା । ଅନ୍ୟପଟେ ଯୁଦ୍ଧ ଭିତରେ ଆସନ୍ତାକାଲି ବ୍ରିଟେନ୍ ବିଦେଶ ମନ୍ତ୍ରୀ ଓ ଋଷ ବିଦେଶ ମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଭୁଶୁଡ଼ିଲା ଛତ୍ରବଜାର ପୁରୁଣା ବ୍ରିଜ୍, ଜଣେ ବ୍ୟବସାୟୀ ମୃତ

କଟକ: କଟକରେ ଅଘଟଣ । ଭୁଶୁଡ଼ିଲା ଛତ୍ରବଜାର ପୁରୁଣା ବ୍ରିଜ୍ । ପୁରୁଣା ବ୍ରିଜ୍ ଉପରେ ବସି ପରିବା ବିକ୍ରି ବେଳେ ବ୍ରିଜର କିଛି ଅଂଶ ଖସି ପଡ଼ିଛି । ୨ରୁ ୩ଜଣ ପରିବା ବ୍ୟବସାୟୀ ବ୍ରିଜ୍ ତଳେ ଫସି ଯାଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Cuttack Chhatra Bazar Bridge Collapsed

ବ୍ରିଜ୍ କଡ଼ରେ ନିର୍ମାଣ କାମ ଚାଲିଥିବା ବେଳେ ବ୍ରିଜଟି ଭୁଶୁଡ଼ି ପଡ଼଼ିଛି । ଅଞ୍ଚଳକୁ ପୋଲିସ କର୍ଡନ କରି ରଖିଛି । ତେବେ ବ୍ରିଜର ଭଗ୍ନାଂଶ ତଳେ କେବଳ ପରିବା ବ୍ୟବସାୟୀ, ଗ୍ରାହକ ନା ଶ୍ରମିକ ଫସିଛନ୍ତି ତାହା ଜଣାପଡ଼ି ନାହିଁ ।

Cuttack Chhatra Bazar Bridge Collapsed

ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାରେ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୨ ଜଣ ପରିବା ବ୍ୟବସାୟୀଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଛି । ଏମାନଙ୍କ ବ୍ୟତୀତ ଆଉ କେହି ଚାପି ହୋଇ ରହିଛନ୍ତ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କଟକ ଡିସିପି ପ୍ରତୀକ ସିଂ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସିଏମସି ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଉଦ୍ଧାର କାର୍ଯ୍ୟରେ ୨ଟି ପ୍ରୋକଲିନ ଲାଗିଛି । ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

୫ରୁ ୧୨ ବର୍ଷ ପିଲାଙ୍କୁ ଦିଆଯିବ ଟିକା !

ନୂଆଦିଲ୍ଲୀ: କରୋନା କୋପରୁ ପିଲାଙ୍କୁ ଉଦ୍ଧାର କରିବା ପାଇଁ ଶୀଘ୍ର ମିଳିବ ଟିକା । ୫ରୁ ୧୨ ବର୍ଷ ପିଲାଙ୍କୁ ଟିକା ଦେବାକୁ ମିଳିପାରେ ଅନୁମତି । କୋର୍ବେଭାକ୍ସକୁ ଏହି ଅନୁମତି ମିଳିପାରେ । ଔଷଧ ମହାନିୟନ୍ତ୍ରକ ଅନୁମୋଦନ ଦେଇପାରନ୍ତି ।

ହାଇଦ୍ରାବାଦସ୍ଥିତ ବାୟୋଲୋଜିକାଲ-E ପ୍ରସ୍ତୁତ କରିଛି ଏହି କୋର୍ବେଭାକ୍ସ ଟିକା । କମ୍ପାନୀ ୫ରୁ ୧୨ବର୍ଷ ବୟସର ପିଲାଙ୍କୁ ଟିକା ଦେବା ପାଇଁ DCGIରେ ଆବେଦନ କରିଛି । DCGI ପକ୍ଷରୁ ଶୀଘ୍ର ଅନୁମତି ମିଳିବ ବୋଲି କୁହାଯାଉଛି । ନିର୍ଦ୍ଧାରିତ ବ୍ୟବଧାନରେ ୨ଟି ଡୋଜ୍ ଦିଆଯିବ । ୨୦୨୧ ସେପ୍ଟେମ୍ବରରେ କମ୍ପାନୀ ପକ୍ଷରୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥିଲା ।

୧୨ ବର୍ଷରୁ ଅଧିକ ପିଲାଙ୍କୁ ଟିକା

ସେପଟେ ଟିକାକରଣ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା । ଜରୁରୀକାଳୀନ ବ୍ୟବହାର ଲାଗି କୋଭାଭାକ୍ସକୁ ମିଳିଲା ଅନୁମତି । କୋଭାଭାକ୍ସକୁ ଅନୁମତି ଦେଲେ DCGI । ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରସ୍ତୁତ ହୋଇଛି ଟିକା କୋଭାଭାକ୍ସ । ଏହାଦ୍ବାରା 12 ବର୍ଷରୁ ଅଧିକ ବୟସର ପିଲାଙ୍କୁ ଟିକା ଦିଆଯାଇପାରିବ । ବୟସ୍କଙ୍କ ଲାଗି ବି ଏହି ଟିକା ପ୍ରଯୁଜ୍ୟ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହାଛଡ଼ା ନୋଭାଭାକ୍ସର ବିଶ୍ବସ୍ତରୀୟ ଟ୍ରାଏଲ ସଫଳ ହୋଇଛି ଏବଂ ଏହାର ପ୍ରଭାବ ୯୦ ପ୍ରତିଶତ ସଫଳତା ଲାଭ କରୁଛି ବୋଲି କହିଛନ୍ତି ସେରମ ଇନଷ୍ଟିଚ୍ୟୁଟ ସିଇଓ ଅଦର ପୁନାଓ୍ବାଲା ।

କୁକୁର ସହ ନାବାଳିକା ବିବାହର ତଦନ୍ତ ନିର୍ଦ୍ଦେଶ

ଢେଙ୍କାନାଳ: କଙ୍କଡ଼ାହାଡ଼ରେ କୁକୁର ସହିତ ନାବାଳିକାର ବିବାହ ଘଟଣାକୁ ନେଇ ଆକ୍ସନ ମୋଡରେ ପୋଲିସ । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ତଦନ୍ତ ପାଇଁ ନିର୍ଦ୍ଦେଶ । କଙ୍କଡ଼ାହାଡ ସିଡିପିଓ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଦିଆଗଲା ତଦନ୍ତ ଦାୟିତ୍ବ । ତଦନ୍ତ କରି ଦୋଷୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।

କଙ୍କଡାହାଡ ବ୍ଲକ୍ ଅନ୍ତର୍ଗତ କରୋଗୋଳା ପଞ୍ଚାୟତର ଦେବଗଣ ସାହିରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ରୀତିନୀତିରେ ଅନୁଷ୍ଠିତ ହୋଇଥିଲା କୁକୁର ସହ କନ୍ୟାର ବାହାଘର । ଝିଅଟିଏ ଜନ୍ମ ହେଲା ବେଳେ ଯଦି ତା’ର ଦାନ୍ତ ଉଠିଥାଏ ତେବେ ଗ୍ରହ ଦୋଷ ରହିଥାଏ ବୋଲି ଏଠାକାର ଆଦିବାସୀଙ୍କ ମଧ୍ୟରେ ବିଶ୍ବାସ ରହିଛି । ପିଲାଟିର ଗ୍ରହଦୋଷ କାଟିବାକୁ ଗୋଟିଏ କୁକୁର ସାଥୀରେ ରୀତିନୀତି ଅନୁସାରେ ବିବାହ କରାଯାଇଥିଲା ।

ପୁଟିନ୍ ହେଲେ ନରମ, ଦେଲେ ଶାନ୍ତିର ସଙ୍କେତ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୪ ଦିନ ବିତିଲାଣି । ଗ୍ରାଉଣ୍ଡରେ ସ୍ଥିତି ବଦଳି ନଥିବା ବେଳେ ଏବେ ଦୁଇ ଦେଶ ଋଷ ଓ ୟୁକ୍ରେନ୍ ନରମ ପଡ଼ୁଥିବା ଦେଖା ଯାଉଛି । ଏଭଳି ସ୍ଥିତିରେ ଋଷ ଦେଇଛି ବଡ଼ ବୟାନ । ଋଷ ପକ୍ଷରୁ କୁହାଯାଇଛି, ଆମେ ୟୁକ୍ରେନ୍ ସରକାରକୁ ହଟାଇବାକୁ ଚାହୁଁ ନାହୁଁ । ୟୁକ୍ରେନ୍ ସରକାରଙ୍କୁ ଉପାଡ଼ି ଫୋପାଡ଼ିବାର କୌଣସି ଉଦ୍ଦେଶ୍ୟ ନାହିଁ ।

ଏହା ପୂର୍ବରୁ ଋଷ କହିଥିଲା, ୟୁକ୍ରେନ୍ ସହ ଆଲୋଚନା ଆଗକୁ ବଢ଼ିଛି । କିଛି ପ୍ରସଙ୍ଗରେ ଆଲୋଚନାରେ ଅଗ୍ରଗତି ଘଟିଛି । ତେବେ କେଉଁ କେଉଁ କ୍ଷେତ୍ରରେ ୨ ଦେଶ ମଧ୍ୟରେ ସହମତି ହୋଇଛି ସେନେଇ କିଛି ଜଣାପଡ଼ି ନାହିଁ । କିନ୍ତୁ ଯୁଦ୍ଧ ସ୍ଥିତିରେ ଋଷର ଏଭଳି ମନ୍ତବ୍ୟ ବେଶ୍ ଗୁରୁତ୍ୱବହନ କରୁଛି । କାରଣ ଏହା ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଥିଲେ, ଏବେ ୟୁକ୍ରେନ୍ ନାଟୋ ସଦସ୍ୟ ହେବା ଲାଗି ଚାହୁଁ ନାହିଁ ।

Russia Ukraine War Talk Putin Zelensky Government

ଆରମ୍ଭରୁ ଋଷ ମଧ୍ୟ ୟୁକ୍ରେନ୍ ନାଟୋରେ ସାମିଲ୍ ନହେବା ଲାଗି କହି ଆସୁଛି । ୟୁକ୍ରେନ୍, ନାଟୋରେ ସାମିଲ୍ ହେବା ଋଷ ପାଇଁ ବିପଦ ବୋଲି ମାନି ଆସୁଛି । ଯଦି ଏବେ ଜେଲେନସ୍କି ଏହି ଦାବିରୁ ପଛକୁ ଫେରନ୍ତି ତ ଯୁଦ୍ଧ ଶେଷ ହେବାର ଏକ ବଡ଼ ସୁଯୋଗ ମିଳିପାରେ । କିନ୍ତୁ ଏବେ ଯାଏ ସବୁକିଛି କେବଳ ବୟାନ ବାଜିରେ ସୀମିତ ରହିଛି । ଏଥିପାଇଁ ଆଲୋଚନା କରିବାକୁ ପ୍ରସ୍ତୁତ ହେଉଛନ୍ତି ଉଭୟ ଋଷ ଓ ୟୁକ୍ରେନ୍ ।

ଋଷ ସହ ଆଲୋଚନା ପାଇଁ ୟୁକ୍ରେନ୍ ଆଗକୁ ବଢ଼ୁଥିବା ବେଳେ ସହାୟତା ମିଳିବା ମଧ୍ୟ ଆରମ୍ଭ ହୋଇଛି । କିଏ ଋଷ ଉପରେ ପ୍ରତିବନ୍ଧକ ଲଗାଇ ସମର୍ଥନ ଦେଉଛି ତ ଆଉ କେଉଁ ଦେଶ ସିଧାସଳଖ ଯୁଦ୍ଧାସ୍ତ୍ର ପଠାଉଛି ।

ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ: ସ୍ପଷ୍ଟୀକରଣ ଦାଖଲ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ୨୦୨୦କୁ କାର୍ଯ୍ୟାକାରୀ କରିବାକୁ କେନ୍ଦ୍ର ସରକାର ମାଗିଥିବା ସ୍ପଷ୍ଟୀକରଣକୁ ଦାଖଲ କଲେ ରାଜ୍ୟ ସରକାର । ଏନେଇ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅଧ୍ୟାଦେଶ କାର୍ଯ୍ୟକାରୀ କରିବାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ବିହିତ ପଦକ୍ଷେପ ନେବାକୁ ଏହି ଚିଠିରେ ଉଲ୍ଲେଖ ରହିଛି । ଅନୁମୋଦନ ମିଳିବା ପରେ ମହାପ୍ରଭୁଙ୍କ ନୀତିକାନ୍ତି ବ୍ୟବସ୍ଥିତ ଢଙ୍ଗରେ କରିବାରେ ସହାୟକ ହେବେ ରାଜ୍ୟପାଳ ।

ଗତ ବର୍ଷ ଜଗନ୍ନାଥ ମନ୍ଦିର ଆଇନ ପରି ଶ୍ରୀଲିଙ୍ଗରାଜ ମନ୍ଦିର ଆଇନ ଆଣିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀଲିଙ୍ଗରାଜ ସେବାୟତଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହାକୁ ଆଇନ କରିବା ପାଇଁ କ୍ୟାବିନେଟ ମୋହର ବାଜିବା ପରେ ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା । ଏହାପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଏହାକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯାଇଥିଲା । ତେବେ କେନ୍ଦ୍ର ସରକାର ଏହି ଅଧ୍ୟାଦେଶର ବିଭିନ୍ନ ଦିଗକୁ ନେଇ ସ୍ପଷ୍ଟୀକରଣ ମାଗିଥିଲେ । ୬ଟି ସ୍ପଷ୍ଟୀକରଣ ସହ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି କରିଛନ୍ତି ରାଜ୍ୟ ସରକାର । ଏହି ଆଇନ ଆସିଲେ, ଶ୍ରୀମନ୍ଦିର ପରି ଶ୍ରୀଲିଙ୍ଗରାଜ ମନ୍ଦିରର ସ୍ବତନ୍ତ୍ର ପ୍ରଶାସକ ରହିବେ । ମନ୍ଦିର କାର୍ଯ୍ୟରେ ବିଭ୍ରାଟ ଘଟିଲେ, ମନ୍ଦିର ପ୍ରଶାସକ ଜରିମାନା ପକାଇବାର ବି କ୍ଷମତା ପାଇପାରିବେ ।

୨୪ ବର୍ଷ ପରେ ବି ନବୀନ ଲୋକପ୍ରିୟ: ୨୦୨୧ ସ୍କଚ୍ ପ୍ରଶାସନିକ ରିପୋର୍ଟରେ କାର୍ଡରେ ନମ୍ବର ୩

ଭୁବନେଶ୍ବର: ୨୪ ବର୍ଷ ଧରି କ୍ଷମତାରେ ଥିଲେ ବି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାରେ ମଳିନ ପଡିନି । ପୂର୍ବାପେକ୍ଷା ବଢିଛି ଅଧିକ ଆଦର ଓ ସାଉଁଟୁଛନ୍ତି ପ୍ରଶଂସା । ୨୦୨୧ ସ୍କଚ୍ ପ୍ରଶାସନିକ ରିପୋର୍ଟରେ କାର୍ଡ ଏହାକୁ ପୁଣିଥରେ ପ୍ରମାଣିତ କରିଛି ।ଗତ ବର୍ଷ ସ୍କଚ୍ ରିପୋର୍ଟ କାର୍ଡରେ ନବୀନ ୮ ନମ୍ବର ସ୍ଥାନରେ ଥିବା ବେଳେ ବର୍ଷକ ଭିତରେ ନବୀନଙ୍କ ପ୍ରଦର୍ଶନ ୩ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ରାଜ୍ୟର ପ୍ରଦର୍ଶନକୁ ନେଇ ବିରୋଧୀ ଯେତେ ଅଭିଯୋଗ କଲେ ବି ଦକ୍ଷତା ଭିତ୍ତିକ ରିପୋର୍ଟ କାର୍ଡ ସତ ବଖାଣିଛି । ଗତ ବର୍ଷ ସ୍କଚ୍ ପ୍ରଶାସନିକ ରିପୋର୍ଟ କାର୍ଡରେ ଓଡିଶା ମୁଖ୍ୟମନ୍ତ୍ରୀ ୮ ନମ୍ବର ସ୍ଥାନରେ ଥିଲେ ବି ବର୍ଷକ ଭିତରେ ତିନି ନମ୍ବର ସ୍ଥାନକୁ ଲମ୍ଫ ଦେଇଛନ୍ତି । ନିକଟରେ ଜଗନ ଓ ମମତା ନିର୍ବାଚନ ଜିତିଥିବାରୁ ଏହି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକ ନମ୍ବର ଓ ଦୁଇ ନମ୍ବର ସ୍ଥାନରେ ଅଛନ୍ତି । କିନ୍ତୁ କ୍ରମାଗତ ଭାବେ ୨୪ ବର୍ଷ ଧରି କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ନିଜ ଲୋକପ୍ରିୟତାକୁ ବଜାୟ ରଖିବା ନିଶ୍ଚିତ ଭାବେ ଉଲ୍ଲେଖନୀୟ ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କୌଣସି ଗୋଟିଏ ହେଲେ ବିଜେପି ଶାସିତ ରାଜ୍ୟ ଶ୍ରେଷ୍ଠ ତିନି ମୁଖ୍ୟମନ୍ତ୍ରୀଙ୍କ ଭିତରେ ନାହାଁନ୍ତି । ଏପିରିକି ଗୁଜୁରାଟ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଗତ ବର୍ଷକ ମଧ୍ୟରେ ନିଜର ଲୋକପ୍ରିୟତା ଦ୍ରୁତ ଭାବେ ହରାଇଛନ୍ତି । ଗତ ୨୦୨୦ ସର୍ଭେରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଦୁଇ ନମ୍ବରରୁ ୪ ନମ୍ବର ସ୍ଥାନକୁ ଖସିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତା ମଧ୍ୟ ୬ ନମ୍ବରରୁ ୭ ନମ୍ବର ସ୍ଥାନକୁ ହ୍ରାସ ପାଇଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପ୍ରଶାସନିକ ଦକ୍ଷତା ଓ ଲୋକପ୍ରିୟତା ମଧ୍ୟ ୫ ନମ୍ବରରୁ ୮ ନମ୍ବରକୁ ହ୍ରାସ ପାଇଛି । ସେପଟେ ଅଣ ବିଜେପି ଶାସିତ ରାଜ୍ୟ ମଧ୍ୟରେ ଓଡିଶାର ପ୍ରଦର୍ଶନ ଆଖିଦୃଶିଆ ହୋଇଥିବା ବେଳେ ମହାରାଷ୍ଠ୍ର, ତେଲେଙ୍ଗନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ପୂର୍ବ ଅପେକ୍ଷା ବଢିଛି । ମମତା ବାନାର୍ଜୀ ତିନି ନମ୍ବରରୁ ଦୁଇ ନମ୍ବରକୁ ଉଠିଥିବା ବେଳେ ଉଦ୍ଧବ ଠାକରେ ୭ରୁ ୫ ଓ କେ.ଚନ୍ଦ୍ରଶେଖର ରାଓ ୯ରୁ ୬ ନମ୍ବରକୁ ଉନ୍ନିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ ହୋଇଛି ।