spot_img
Home Blog Page 4517

ଚିଲିକା ବୁଲିବେ ବାଚସ୍ପତି, ମନ୍ତ୍ରୀ ଓ ବିଧାୟକ, ମା କାଳିଜାଇଙ୍କ ଦର୍ଶନ ପରେ, ଦେଖିବେ ନୌସେନାର ସମରାଭ୍ୟାସ

ଭୁବନେଶ୍ୱର: ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି । କାଳିଜାଇ ମା’ଙ୍କ ଦର୍ଶନ ପରେ, ନୌସେନା ଦ୍ୱାରା ଚିଲିକାରେ ହେବାକୁ ଥିବା ସମରାଭ୍ୟାସ ଦେଖିବେ ସମସ୍ତ ବିଧାୟକ । ନୌସେନାର ସମରାଭାସ ଦେଖିବା ପରେ ସନ୍ଧ୍ୟାରେ ଭୁବନେଶ୍ବରକୁ ଫେରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ବିଧାନସଭାରୁ ସ୍ୱତନ୍ତ୍ର ବସ୍‌ ଦ୍ୱାରା ଚିଲିକା ଗସ୍ତରେ ଯାଇଛନ୍ତି ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି । ବିଧାୟକ, ମନ୍ତ୍ରୀ ଓ ବାଚସ୍ପତିଙ୍କ ପାଇଁ OTDC ପକ୍ଷରୁ ୪ଟି ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ଏହା ପୂର୍ବରୁ ୨୦୨୦ ମସିହାରେ ପାରାଦ୍ୱୀପ ବନ୍ଦରକୁ ଯାଇ ନୌସେନାର ଯୁଦ୍ଧ ଜାହାଜରେ ସମୁଦ୍ର ଭିତରକୁ ଯାଇ ସେଠାରେ ହେଉଥିବା ସମରାଭ୍ୟାସ ଦେଖିଥିଲେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି ।

ମହଙ୍ଗା ପଡିଲା ୟୁକ୍ରେନ୍ ସହ ଯୁଦ୍ଧ, ବ୍ଲାକ ସି’ରେ ଋଷର ବିରାଟ ମିଜାଇଲ୍ କ୍ରୁଜ୍ ଧ୍ୱଂସ

କିଭ୍: ୟୁକ୍ରେନ ସହ ଯୁଦ୍ଧ ଋଷକୁ ମହଙ୍ଗା ପଡ଼ିଛି । ବ୍ଲାକ୍ ସି ମଧ୍ୟରେ ବଡ ଧରଣର ବିସ୍ଫୋରଣ ଯୋଗୁଁ ଋଷର ଏକ ବିଶାଳ ମିଜାଇଲ କ୍ରୁଜ୍ ଧ୍ୱଂସ ହୋଇଯାଇଛି । ଏଥିରେ ଥିବା ସମସ୍ତ ସେନା ଅଧିକାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଋଷ ପକ୍ଷରୁ ସୂଚନା ଦିଆଯାଇଛି । ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟର କହିବା ମୁତାବକ, ସମୁଦ୍ର ଭିତରେ ବିସ୍ଫୋରଣ ଯୋଗୁଁ ମିଜାଇଲ କ୍ରୁଜ୍ ମୋସକଭାର ବିପୁଳ କ୍ଷତି ହୋଇଛି । ପ୍ରଥମେ ଜାହାଜରେ ନିଆଁ ଲାଗିଯାଇଥିଲା । ଏହାପରେ ବିସ୍ଫୋରଣ ହୋଇଥିଲା । କିନ୍ତୁ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ ।

ମିଜାଇଲ କ୍ରୁଜର ଜ୍ଞାନକୌଶଳ ଋଷ ପ୍ରଥମେ ୧୯୭୯ରେ ଲଞ୍ଚ କରିଥିଲା । ଏଥିରେ ୧୬ଟି ଆଣ୍ଟି ସିପ୍ ମିସାଇଲ ସହ ଏୟାର ଡିଫେନ୍ସ ମିସାଇଲ, ଟରପିଡୋଜ୍ ଓ ଅନ୍ୟ ମାରଣାସ୍ତ୍ର ସଂଲଗ୍ନ କରାଯାଇଥିଲା । ଋଷର ଏହି ଯୁଦ୍ଧ ପୋତ ବ୍ଲାକ୍ ସି ଫ୍ଲିଟରେ ସାମିଲ ହୋଇଥିଲା । ଗତ ଫେବୃଆରୀ ମାସରୁ ଏହି ଯୁଦ୍ଧପୋତକୁ ୟୁକ୍ରେନ ବିରୋଧରେ ମୁତୟନ କରିଥିଲା ଋଷ ।

ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଛି ଓଡ଼ିଶା, ଆଗକୁ ୩ରୁ ୪ଡିଗ୍ରୀ ବଢିପାରେ ପାରଦ

ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା । ଲଗାତାର ଦୁଇ ଦିନ ଓଡ଼ିଶାର ସହର ପାଲଟୁଛି ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ । ଆଗକୁ ମଧ୍ୟ ଏପରି ସ୍ଥିତି ଜାରି ରହିବ ବୋଲି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟରେ ସ୍ୱାଭାବିକ ତାପମାତ୍ରାଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ ବଢିପାରେ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ବଢିବ । ଗତକାଲି ୪୪.୨ ଡିଗ୍ରୀ ସହିତ ସୋନପୁର ପାଲଟିଥିଲା ଦେଶର ସବୁଠାରୁ ତତଲା ସହର ।

ସେପଟେ ଉପକୂଳ ଜିଲ୍ଲାରେ ପଡ଼ିବ କାଳବୈଶାଖୀ ପ୍ରଭାବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପାଇଁ ୧୭ଟି ଜିଲ୍ଲାକୁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, ପୁରୀ, ଖୋର୍ଦ୍ଧା ଆଦି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ପଡ଼ିବ । ଏଥିପାଇଁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନ ।

କର୍ଣ୍ଣାଟକରେ ଠିକାଦାର ସନ୍ତୋଷ ପାଟିଲ ଆତ୍ମହତ୍ୟା ମାମଲା, ଆଜି ଇସ୍ତଫା ଦେବେ ମନ୍ତ୍ରୀ କେ.ଏସ ଈଶ୍ୱରପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଠିକାଦାର ସନ୍ତୋଷ ପାଟିଲ ଆତ୍ମହତ୍ୟା ମାମଲା । ଆଜି ଇସ୍ତଫା ଦେବେ କର୍ଣ୍ଣାଟକର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ କେ.ଏସ ଈଶ୍ୱରପ୍ପା । ସଂଧ୍ୟାରେ ଈଶ୍ୱରପ୍ପା ମନ୍ତ୍ରୀପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ଠିକାଦାର ସନ୍ତୋଷ ପାଟିଲ ଆତ୍ମହତ୍ୟା ମାମଲାରେ ତାଙ୍କ ବିରୋଧରେ ଏତଲା ଦାୟର ହୋଇଥିଲା । ଏକ ଠିକା କାର୍ଯ୍ୟ ପାଇଁ ମନ୍ତ୍ରୀ ଈଶ୍ୱରପ୍ପା ତାଙ୍କଠାରୁ ୪୦ ପ୍ରତିଶତ କମିଶନ ଦାବି କରିଥିଲେ । ଏଥିସହ ମନ୍ତ୍ରୀ ତାଙ୍କୁ ମାନସିକ ନିର୍ଯାତନ ଦେଉଥିବା ନେଇ ଅଭିଯୋଗ କରିଥିଲେ । ତାଙ୍କ ମୃତ୍ୟୁ ପାଇଁ ମନ୍ତ୍ରୀ ଦାୟୀ ବୋଲି ସୁଇସାଇଡ ନୋଟରେ ଉଲ୍ଲେଖ କରିଥିଲେ ଠିକାଦାର ସନ୍ତୋଷ ପାଟିଲ । ଉଡୁପିର ଏକ ଲଜରୁ ଠିକାଦାରଙ୍କ ମୃତଦେହ ମିଳିଥିଲା । ଏହି ଘଟଣା ପରେ ଈଶ୍ୱରପ୍ପାଙ୍କ ଇସ୍ତଫା ଦାବି ଜୋରଦାର ହୋଇଥିଲା । ବିରୋଧୀ କଂଗ୍ରେସ ଈଶ୍ୱରପ୍ପାଙ୍କ ଇସ୍ତଫା ଦାବିରେ ରାଜ୍ୟ ଓ ଦିଲ୍ଲୀରେ ବିକ୍ଷୋଭ କରିଥିଲା ।

ଆଜି ସ୍ୱାଭିମାନ ଅଞ୍ଚଳ ଯିବେ ମୁଖ୍ୟ ଶାସନ ସଚିବ, ଚିତ୍ରକୋଣ୍ଡା ଓ ସ୍ୱାଭିମାନ ଅଞ୍ଚଳରେ କରିବେ ବିକାଶର ସମୀକ୍ଷା

କୋରାପୁଟ: ଆଜି ସ୍ୱାଭିମାନ ଅଞ୍ଚଳରେ ବିକାଶର ସମୀକ୍ଷା କରିବେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର । ମୁଖ୍ୟ ଶାସନ ସଚିବଙ୍କ ୩ ଦିନିଆ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତର ଆଜି ଦ୍ୱିତୀୟ ଦିନ । ଗତକାଲି ମାଲକାନିଗିରିରେ ସେ ଅନେକ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଆଜି ଚିତ୍ରକୋଣ୍ଡା ଓ ସ୍ୱାଭିମାନ ଅଞ୍ଚଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରିଛନ୍ତି । ଏହା ଅଧିନରେ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତା ଓ ଅଗ୍ରଗତି ନେଇ ସେ ସମୀକ୍ଷା କରିବେ । ଏହାପରେ କୋରାପୁଟ ଜିଲ୍ଲା ଗସ୍ତ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅପରାହ୍ନରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥିତି ପରଖିବେ । ଏହା ସହିତ ଜଗନ୍ନାଥ ସାଗରର ପୁନଃରୁଦ୍ଧାର କାର୍ଯ୍ୟର ସମୀକ୍ଷା ଏବଂ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି କୋଟିଆ, ଦେଓମାଳି ପରିଦର୍ଶନ କରି ଉପାନ୍ତ ଅଞ୍ଚଳରେ ସରକାରୀ ଯୋଜନାର ଅନୁଧ୍ୟାନ କରିବେ ମୁଖ୍ୟ ଶାସନ ସଚିବ ।

କଳିଙ୍ଗ ହସ୍ପିଟାଲ ଛକରେ ଅଭାବନୀୟ ଘଟଣା, ରାସ୍ତାକଡ଼ ଗଛରେ ଝୁଲିଛି ବ୍ୟକ୍ତିଙ୍କ ମୃତଦେହ

ଭୁବନେଶ୍ୱର: କଳିଙ୍ଗ ହସ୍ପିଟାଲ ଛକରେ ଅଭାବନୀୟ ଘଟଣା । ରାସ୍ତାକଡ଼ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବେକରେ ଗାମୁଛା ସହ ଗଛକୁ ବନ୍ଧା ହୋଇଥିବା ବେଳେ ବ୍ୟକ୍ତିଜଣକ ବସିଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଛେଦ ପାଇଁ ପଠାଇଛି । ତେବେ ଏହା ଆତ୍ମହତ୍ୟା କି ହତ୍ୟା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ ସୃଷ୍ଟି ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ତଦନ୍ତ ଓ ବ୍ୟବଛେଦ ରିପୋର୍ଟ ଆସିଲେ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ତାହା ଉପରୁ ପରଦା ହଟିପାରିବ ।

ମାହାଙ୍ଗା ଗଣହତ୍ୟା ମାମଲା: ଆଜି ରିମାଣ୍ଡର ଦ୍ୱିତୀୟ ଦିନରେ ଡେମୋ ଦେଖାଇପାରେ ଅଭିଯୁକ୍ତ

ମାହାଙ୍ଗା: ଖୋଲୁଛି ମାହାଙ୍ଗା ଗଣହତ୍ୟା ଗୁମର । ରିମାଣ୍ଡରେ ହତ୍ୟା ଷଡ଼ଯନ୍ତ୍ରର ସତ କହୁଛି ଶିବପ୍ରସାଦ । ଆଜି ରିମାଣ୍ଡର ଦ୍ୱିତୀୟ ଦିନରେ ଆହୁରି ଖୋଳତାଡ଼ କରିବ ପୋଲିସ । ଆଜି ଅଭିଯୁକ୍ତ ଶିବ ପ୍ରସାଦକୁ ନେଇ କ୍ରାଇମସିନ ରିକ୍ରିଏସନ ହୋଇପାରେ । ହତ୍ୟାର ଡେମୋ ଦେଖାଇପାରେ ଅଭିଯୁକ୍ତ । କଳାରାତିର ସତ କଣ ? କେବଳ ଜାଗା ବିବାଦ ନା ହତ୍ୟା ପଛରେ ରହିଛି ଆଉ କିଛି କାରଣ? ହତ୍ୟାରେ ଗୋଟିଏ ନା ଅଧିକ ମାରଣାସ୍ତ୍ରର ବ୍ୟବହାର ହୋଇଛି? ଏକାକୀ କେମିତି ୫ଜଣଙ୍କୁ ମାରିଦେଲା ଅଭିଯୁକ୍ତ? ଏକୁଟିଆ ମର୍ଡର କରିଥିବା ଶିବ ମାନିଥିଲେ ମଧ୍ୟ ଏନେଇ କ୍ରସ ଇଣ୍ଟୋରୋଗେସନ୍ କରୁଛି ପୋଲିସ । ଆଜି ଏସବୁର ଖୁଲାସା କରିପାରେ ଅଭିଯୁକ୍ତ ।

ସେପଟେ ହତ୍ୟା ଘଟଣାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ୫ଜଣଙ୍କ ହାତ, ଗୋଡ଼ର ପ୍ରମୁଖ ଶିରା କାଟି କରାଯାଇଛି ହତ୍ୟା । ପ୍ରତ୍ୟେକ ମୃତ ଦେହରେ ଧାରୁଆ ଅସ୍ତ୍ରରେ ଏକାଧିକ ଥର ହାଣିଥିଲା ହତ୍ୟାକାରୀ । ବେକ ଓ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ରହିଛି । ମୃତ ଦେହକୁ ଘୋଷାଡ଼ି ଘୋଷାଡ଼ି ଗୋଟିଏ ଘରେ ପକା ଯାଇ ବାହାରୁ ତାଲା ପକାଇ ଦେଇଥିଲା ଅଭିଯୁକ୍ତ ଶିବ । ଏପରିକି ଘରର ମୁଖ୍ୟ ଦ୍ୱାର ବାହାର ପଟୁ ତାଲା ପକାଇ ଦେଇଥିଲା ଶିବ ପ୍ରସାଦ ।

ଏହି ୬ଟି ରାଶିର ବ୍ୟକ୍ତିଙ୍କର ବିଗିଡ଼ିପାରେ ସ୍ୱାସ୍ଥ୍ୟ

ମେଷ : ସୂର୍ଯ୍ୟ ଦେବତାଙ୍କ ଚଳନ ହେତୁ ମେଷ ରାଶିର ବ୍ୟକ୍ତିଙ୍କର ବ୍ୟବସାୟରେ ଉନ୍ନତି ହେବ । ରାଜନୀତି ସହ ଜଡ଼ିତ ଥିବା ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଶୁଭ । ଲାଲ ଏବଂ ଧଳା ରଙ୍ଗ ଶୁଭ । ହନୁମାନ ଚାଳିଶା ଏବଂ ସୁନ୍ଦରକାଣ୍ଡ ପାଠ କରନ୍ତୁ । ତେଲ ଏବଂ ହରଡ଼ ଦାନ କରନ୍ତୁ ।

ବୃଷ : ନୂତନ କାର୍ଯ୍ୟର ଶୁଭାରମ୍ଭ ପାଇଁ ଆଜିର ଦିନଟି ଉପଯୁକ୍ତ । କାର୍ଯ୍ୟରେ ସଫଳତା ମିଳିବ । ଧନଲାଭର ଯୋଗ ରହିଛି । ଶୁକ୍ର ଏବଂ ଚନ୍ଦ୍ରଙ୍କ ଚଳନ ହେତୁ ଚାକିରି କ୍ଷେତ୍ରରେ ପରିବର୍ତ୍ତନ କରିପାରନ୍ତି । ସବୁଜ ଏବଂ ନୀଳ ରଙ୍ଗ ଶୁଭ ।

ମିଥୁନ : ସୂର୍ଯ୍ୟଙ୍କ ଏକାଦଶ ଏବଂ ଚନ୍ଦ୍ରଙ୍କ ଚତୁର୍ଥ ଚଳନ ହେତୁ ଆଜିର ଦିନ ମଙ୍ଗଳମୟ ହେବ । ଚାକିରିରେ ଉନ୍ନତି ମିଳିପାରେ । ଭାଗ୍ୟ ବୃଦ୍ଧି ହେବ । ଶ୍ୱଶୁର ଘର ସମ୍ୱନ୍ଧୀୟ କୌଣସି ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ । ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି । ହଳଦିଆ ଏବଂ ଆକାଶୀ ରଙ୍ଗ ଶୁଭ । ଗୁଡ଼ ଦାନ କରନ୍ତୁ ।

କର୍କଟ : ଚନ୍ଦ୍ରଙ୍କର ତୃତୀୟ ଏବଂ ସୂର୍ଯ୍ୟଙ୍କର ଦଶମ ଘର ଚଳନ ହେତୁ ଆର୍ଥିକ ବିକାଶ ହେବ । ବିଦ୍ୟାର୍ଥୀ ଲାଭବାନ ହୋଇପାରନ୍ତି । ଲାଲ ଏବଂ ହଳଦିଆ ରଙ୍ଗ ଶୁଭ । ଅଟକିଥିବା କାର୍ଯ୍ୟ ପୂରା ହେବ । ଚାଉଳ ଦାନ କରନ୍ତୁ ।

ସିଂହ : ରାଜନୀତି କ୍ଷେତ୍ରରେ ଉନ୍ନତି କରିବେ । ବାଇଗଣୀ ଓ ନାରଙ୍ଗୀ ରଙ୍ଗ ଶୁଭ । ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ । ରାଜନୀତିରେ ସଫଳତା ମିଳିବ । ମୁଗ ଏବଂ ଗୁଡ଼ ଦାନ କରନ୍ତୁ ।

କନ୍ୟା : ଚନ୍ଦ୍ରଙ୍କ ପ୍ରବେଶ ଏବଂ ସୂର୍ଯ୍ୟ ଅଷ୍ଟମରେ ଥିବାରୁ ପାରିବାରିକ ସୁଖ ମିଳିବ । ଚାକିରିରେ କୌଣସି ବଡ଼ ଦାୟିତ୍ୱ ନେଇପାରନ୍ତି । ବ୍ୟବସାୟରେ ଲାଭର ସମ୍ଭାବନା ରହିଛି । ନୀଳ ଏବଂ ସବୁଜ ରଙ୍ଗ ଶୁଭ । ମସୁର ଦାନ କରନ୍ତୁ ।

ତୁଳା : ସୂର୍ଯ୍ୟ ସପ୍ତମ ଏବଂ ଶନିଙ୍କର ଚତୁର୍ଥ ଘରେ ଚଳନ ହେତୁ ସନ୍ତାନସନ୍ତତିଙ୍କ ସଫଳତାକୁ ନେଇ ପ୍ରସନ୍ନ ହୋଇପାରନ୍ତି । ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ହନୁମାନ ଚାଳିଶା ପାଠ କରନ୍ତୁ । କୌଣସି ବନ୍ଧୁଙ୍କ ସହାୟତା ମିଳିପାରେ । ନୀଳ ଏବଂ ନାରଙ୍ଗୀ ରଙ୍ଗ ଶୁଭ । ହଳଦିଆ ବସ୍ତ୍ର ଦାନ କରନ୍ତୁ ।

ବିଛା : ସୂର୍ଯ୍ୟ ଅଷ୍ଟମ ଏବଂ ଚନ୍ଦ୍ରଙ୍କ ଏକାଦଶ ଚଳନ ହେତୁ ବ୍ୟବସାୟରେ ସଂଘର୍ଷ ଦେଖାଦେଇପାରେ । ଅନ୍ୟପକ୍ଷେ ଚାକିରିରେ ସଫଳତା ଦେଖାଦେବ । ମେଷ ଓ ମୀନ ରାଶିର ବ୍ୟକ୍ତି ଆପଣଙ୍କ ସହାୟ ହେବେ ।  ହଳଦିଆ ଏବଂ ଧଳା ରଙ୍ଗ ଶୁଭ । ଅନ୍ନ ଦାନ କରନ୍ତୁ ।

ଧନୁ : ସୂର୍ଯ୍ୟ ପଞ୍ଚମ ଏବଂ ଶନି ଦ୍ୱିତୀୟ ଘରେ ଥିବାରୁ ଆଜିର ଦିନଟି ଅନୁକୂଳ ରହିବ । ସନ୍ତାନସନ୍ତତିଙ୍କ ପକ୍ଷରୁ କୌଣସି ଶୁଭ ଖବର ମିଳିପାରେ । ବ୍ୟବସାୟରେ ଧନଲାଭର ସମ୍ଭାବନା ରହିଛି । ନାରଙ୍ଗୀ ଏବଂ ଲାଲ ରଙ୍ଗ ଆପଣଙ୍କ ପାଇଁ ଶୁଭ । ପିତାଙ୍କ ଆଶିର୍ବାଦ ନିଅନ୍ତୁ । ସଫଳତା ମିଳିବ ।

ମକର : ବ୍ୟବସାୟକୁ ନେଇ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି । ମେଷ ଏବଂ କୁମ୍ଭ ରାଶିର ବନ୍ଧୁମାନଙ୍କଠାରୁ ସାହାଯ୍ୟ ମିଳିବ । ନୀଳ ଏବଂ ଆକାଶୀ ରଙ୍ଗ ଶୁଭ । କୌଣସି ଧାର୍ମିକ ଯାତ୍ରା କରିପାରନ୍ତି । ରାଜନୀତି ସହ ଜଡ଼ିତ ଥିବା ବ୍ୟକ୍ତି ସଫଳତା ପାଇବେ । ଶନିଙ୍କ ଦ୍ରବ୍ୟ ତେଲ ଦାନ କରନ୍ତୁ ।

କୁମ୍ଭ : ଆଜିର ଦିନଟି ଚାକିରି କ୍ଷେତ୍ରରେ ଉନ୍ନତି କରିବେ । ତୃତୀୟ ଘରେ ସୂର୍ଯ୍ୟ ଏବଂ ଅଷ୍ଟମ ଘରେ ଚନ୍ଦ୍ରଙ୍କ ଅବସ୍ଥିତି ଥିବାରୁ ଧାର୍ମିକ ଅନୁଷ୍ଠାନ ସମ୍ୱନ୍ଧୀୟ କୌଣସି କାର୍ଯ୍ୟ କରିପାରନ୍ତି । ଶ୍ରୀ ବିଷ୍ଣୁ ସହସ୍ରମାନ ପାଠ କରନ୍ତୁ । ସବୁଜ ଓ ନାରଙ୍ଗୀ ରଙ୍ଗ ଶୁଭ । ଗୋମାତାଙ୍କୁ ରୁଟି କିମ୍ୱା ଗୁଡ଼ ଦାନ କରନ୍ତୁ ।

ମୀନ : ଚାକିରି କ୍ଷେତ୍ରରେ ବଡ଼ ସଫଳତା ମିଳିପାରେ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ । ଧଳା ଏବଂ ହଳଦିଆ ରଙ୍ଗ ଶୁଭ । ଶ୍ରୀ ବିଷ୍ଣୁ ସହସ୍ରମାନ ପାଠ କରନ୍ତୁ । ଅନ୍ନ ଦାନ କରନ୍ତୁ । ଗୋମାତାଙ୍କୁ ପାଳଙ୍ଗ ଶାଗ ଦାନ କରନ୍ତୁ ।

 

୩୮ବର୍ଷରେ ବିଜୁଳିର ଚାହିଦା ସର୍ବାଧିକ, ଗଚ୍ଛିତ କୋଇଲା ୯ବର୍ଷରେ ସର୍ବନିମ୍ନ

ଭୁବନେଶ୍ୱର: ଦେଶରେ କୋଇଲାର ଉତ୍କଟ ଅଭାବ ଯୋଗୁଁ ଶକ୍ତି କ୍ଷେତ୍ରରେ ବିଭ୍ରାଟ । ଚାହିଦା ମୁତାବକ ମିଳୁନାହିଁ ବିଜୁଳି । ଖରାଦିନେ ବିଜୁଳିର ଚାହିଦା ବୃଦ୍ଧି ସାଙ୍ଗକୁ କୋଇଲା ଉତ୍ପାଦନ ଓ ପରିବହନରେ ସମସ୍ୟା ଯୋଗୁଁ କମୁଛି ବିଜୁଳି ଉତ୍ପାଦନ । ତାପଜ ବିଦ୍ୟୁତ ସାଙ୍ଗକୁ ଜଳ ବିଦ୍ୟୁତ ଉତ୍ପାଦନ ବି କମୁଛି । ୧୦ଟି ରାଜ୍ୟରେ ଆରମ୍ଭ ହେଲାଣି ପାଓ୍ୱାର କଟ୍ । ୩୮ ବର୍ଷରେ ବିଜୁଳି ଚାହିଦା ସର୍ବାଧିକ ହୋଇଥିବା ବେଳେ ଗଚ୍ଛିତ କୋଇଲା ୯ ବର୍ଷରେ ସର୍ବନିମ୍ନ ହୋଇଛି । ତୁରନ୍ତ ମିଳିତ ଉଦ୍ୟମ ନହେଲେ ରାଜ୍ୟ ତଥା ଦେଶରେ ଏହି ସମସ୍ୟା ଦ୍ୱିଗୁଣିତ ହେବାର ସମ୍ଭାବନା ରହିଛି ।

ମଇ ମାସର ଖରା, ମାର୍ଚ୍ଚ-ଏପ୍ରିଲରୁ ଦେଖାଗଲାଣି । ଆଗୁଆ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବଢୁଛି ବିଜୁଳି ଚାହିଦା । ଏପଟେ କୋଇଲା ଉତ୍ପାଦନ କମିବା ସାଙ୍ଗକୁ ଗଚ୍ଛିତ କୋଇଲା ପରିବହନରେ ବି ସମସ୍ୟା ଦେଖାଯାଇଛି । ଏଥିଯୋଗୁଁ ବିଦ୍ୟୁତ ଉତ୍ପାଦନ କମୁଛି । ଏହାର ପ୍ରଭାବ ୧୨ଟି ରାଜ୍ୟରେ ଦେଖାଗଲାଣି । ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଭଳି ରାଜ୍ୟରେ ପାଓ୍ବାର କଟ୍ ଆରମ୍ଭ ହେଲାଣି । ମହାରାଷ୍ଟ୍ର ଭଳି ଶିଳ୍ପ ବହୁଳ ରାଜ୍ୟରେ ବିଜୁଳି ସଙ୍କଟ ଉତ୍କଟ ହେଲାଣି । ଦିନକୁ ଅଢେଇ ହଜାର ମେଗାଓ୍ବାଟ ବିଜୁଳି ଅଭାବ ପଡ଼ୁଛି । ଗୁଜୁରାଟ ଓ ତାମିଲନାଡ଼ୁରେ ବି ସମାନ ସ୍ଥିତି । କୋଇଲା ଅଭାବ ଯୋଗୁଁ ଏଭଳି ସ୍ଥିତି ଉପୁଜିବ ବୋଲି ୬ ମାସ ତଳୁ ଓଡ଼ିଶାର ଶିଳ୍ପ ସଂଘ କେନ୍ଦ୍ର ସରକାରଙ୍କୁ ଲିଖିତ ଜଣାଇବା ସହ ପ୍ରତିକାର ପାଇଁ ଅନୁରୋଧ କରିଥିଲା । ହେଲେ ସମସ୍ୟା ଯେଉଁଠି ଥିଲା, ସେଇଠି ରହିଛି । କୋଇଲା ଉତ୍ପାଦନ, ପରିବହନକୁ ବ୍ୟବସ୍ଥିତ ନ କଲେ ଆଗକୁ ବି ସ୍ଥିତି ଜଟିଳ ହେବ ବୋଲି ଜଣାପଡ଼ିଛି ।

୩୮ ବର୍ଷ ମଧ୍ୟରେ ଏଥର ବିଜୁଳି ଚାହିଦା ସର୍ବାଧିକ । ଏପଟେ କିନ୍ତୁ ଦେଶରେ କୋଇଲା ଗଚ୍ଛିତ ପରିମାଣ ବିଗତ ୯ ବର୍ଷରେ ସର୍ବନିମ୍ନ ହୋଇଛି । ଓଡ଼ିଶାରେ ଏବେ ବିଜୁଳି ଚାହିଦା ୪୨ଶହ ମେଗାଓ୍ୱାଟରେ ପହଞ୍ଚିଲାଣି । ଖରାଦିନେ ଜଳସ୍ତର କମୁଥିବାରୁ ହାଇଡ଼୍ରୋ ପାଓ୍ୱାର ଉତ୍ପାଦନ ବି ପ୍ରଭାବିତ ହୋଇଛି । ରାଜ୍ୟରେ ଦିନକୁ ପ୍ରାୟ ୯୫ ମିଲିଅନ୍ ଟନ୍ କୋଇଲା ଆବଶ୍ୟକତା ପଡ଼ୁଛି । ରାଜ୍ୟରେ କୋଲ୍ ଇଣ୍ଡିଆର ଏମସିଏଲ୍ ୧୫୭ ମିଲିଅନ୍ ଟନ୍ କୋଇଲା ଉତ୍ପାଦନ କରୁଥିବା ବେଳେ ୬୫ ପ୍ରତିଶତ ବାହାର ରାଜ୍ୟକୁ ପଠାଉଛି । କୋଇଲା ସଙ୍କଟ ଉତ୍କଟ ହେଉଥିବା ବେଳେ ଏଥିରୁ ମୁକୁଳିବାର ବାଟ ବାହାରୁନାହିଁ । ରେଳ ମନ୍ତ୍ରାଳୟ, କୋଇଲା ମନ୍ତ୍ରାଳୟ, ଶକ୍ତି ମନ୍ତ୍ରାଳୟ ମିଳିତ ଭାବେ ସମସ୍ୟାର ସମାଧାନ ନକଲେ ଆଗକୁ ସମସ୍ୟା ବଢିବା ନିଶ୍ଚିତ ।

ଏଥିସହିତ ପଢ଼ନ୍ତୁ: ଜୁନ୍‌ରେ ଆସିବ ମୌସୁମୀ: ୯୯ ପ୍ରତିଶତ ବର୍ଷା ସମ୍ଭାବନା

ସେବା ମନୋବୃତ୍ତି ନେଇ ଲୋକାଭିମୁଖି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଆହ୍ୱାନ

ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି  ।
ଜିଲ୍ଲାରେ ପହଞ୍ଚିବା ପରେ ପରେ ଶ୍ରୀ ମହାପାତ୍ର ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ନିତେଶ ୱାଧ୍ୱାନୀ, ପ୍ରକଳ୍ପ ନିର୍ଦ୍ଦଶକ ବାଲମୁକୁନ୍ଦ ଭୂୟାଁଙ୍କ ସମେତ, ବନଖଣ୍ଡ ଅଧିକାରୀ ଓ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟଗୁଡିକର ଅଗ୍ରଗତି ସମୀକ୍ଷା କରିଥିଲେ । ବୈଠକରେ ମୁଖ୍ୟତଃ ରାସ୍ତାଘାଟ ଓ ପୋଲ ନିର୍ମାଣ, ଦୂର ଦୂରାନ୍ତ ସ୍ଥାନକୁ ଗମନାଗମନ ସୁବିଧା, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ଉଦ୍ୟାନ, କୃଷି, ମତ୍ସ୍ୟଚାଷ, ଜଳସେଚନ ଓ ବିବିଧ ଶସ୍ୟ ଉପ୍ତାଦନ ଆଦି ବିଷୟରେ ସବିଶେଷ ସମୀକ୍ଷା ହୋଇଥିଲା  ।

ସେବା ମନୋବୃତ୍ତି ନେଇ ଜିଲ୍ଲାର ସମସ୍ତ ଲୋକାଭିମୁଖି ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବୈଠକରେ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ମାଣ ବା ମରାମତି କାମ ଆରମ୍ଭ କରାଯାଇଥିବା ରାସ୍ତାଗୁଡିକୁ ମୌସୁମୀ ଆସିବା ପୂର୍ବରୁ ଯାତାୟାତ ଯୋଗ୍ୟ କରିବା ସହ ଅଣ ସଂଯୋଗୀକୃତ ଜନ ବସତିକୁ ରାସ୍ତା ନିର୍ମାଣ ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ  ।


ଜିଲ୍ଲାର ପ୍ରାକୃତିକ ଓ ମାନବ ସମ୍ବଳ ଉପଯୋଗୀ ବିଭିନ୍ନ ପ୍ରକାରର ଜୀବିକା ନିର୍ବାହ ପନ୍ଥା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରି ଲୋକମାନଙ୍କ ନିମନ୍ତେ ବର୍ଷ ତମାମ ଆୟର ସୁଯୋଗ ସୃଷ୍ଟି ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ  ।ବୈଠକ ପରେ ପରେ ସାମ୍ବାଦିକମାନଙ୍କର ପ୍ରଶ୍ନ ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ସ୍ୱାଭିମାନ ଅଞ୍ଚଳ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଯୋଜନା ଗୁଡିକୁ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି । ଏସବୁ ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟ ପୂର୍ଣ୍ଣାଙ୍ଗ ପାଇଁ କ୍ଷେତ୍ର ସ୍ତରୀୟ ସ୍ଥିତି ଅନୁସାରେ ଆଜି ସମିକ୍ଷାରେ ସମୟ ସାରଣୀ ନିର୍ଦ୍ଧାରଣ କରାଯାଇଛି  ।


ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥଲେ ଯେ ସମଗ୍ର ଜିଲ୍ଲା ପାଇଁ ପରିପୃକ୍ତି ( ସାଚୁରେଚନ ମୋଡ) ଭିତ୍ତିରେ ଜଳ ଯୋଗାଣ ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି । ଇତି ମଧ୍ୟରେ ବାଲିମେଳା ସହରାଞ୍ଚଳର ଶତ ପ୍ରତିଶତ ଗୃହକୁ ପାଇପ ମାଧ୍ୟମରେ ଜଳ ଯୋଗାଣ କରାଯାଉଛି । ମାଲକାନଗିରି ସହରାଞ୍ଚଳର ସମସ୍ତ ଗୃହକୁ ଖୁବ ଶୀଘ୍ର ଜଳ ଯୋଗାଣ ପାଇପ୍ ସଂଯୋଗ ଦିଆଯିବ  ।

ମାଲକାନଗିରି ବିମାନ ବନ୍ଦର ସମ୍ୱନ୍ଧିତ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାପାତ୍ର କହୁଥିଲେ ଯେ ଇତି ମଧ୍ୟରେ ବିମାନ ବନ୍ଦର ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟ ସରିଛି ଜଙ୍ଗଳ ଜମି କିସମ ପରିବର୍ତ୍ତନ ପାଇଁ ଅନୁମତି ମିଳି ସାରିଛି  । ବିମାନ ବନ୍ଦର ଜମିର ଚତୁଃପାର୍ଶ୍ୱ ଆବଦ୍ଧ କରାଯାଇଛି  । ନିର୍ମାଣ କାର୍ଯ୍ୟ ନିମନ୍ତେ ଟେଣ୍ଡର ଆହ୍ୱାନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ଏବଂ ଖୁବ ଶୀଘ୍ର କ୍ଷେତ୍ର ସ୍ତରୀୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ  ।ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା 2024 ମସିହା ପ୍ରଥମ ଭାଗରେ ଏହି ବିମାନ ବନ୍ଦରକୁ କାର୍ଯ୍ୟକ୍ଷମ କରାଯିବ  ।

ଏଥିସହିତ ପଢ଼ନ୍ତୁ: ସୁନ୍ଦରଗଡ଼ରେ ରହିବନି କୁପୋଷଣ: ସାରା ଜିଲ୍ଲାକୁ ସମ୍ପ୍ରସାରିତ ହେଲା ‘ସୋପାନ’