ଭୁବନେଶ୍ବର: ସିବିଆଇ ଜାଲରେ ଏମସିଏଲର ଖଣି ସୁରକ୍ଷା ଅଧିକାରୀ ଇନଚାର୍ଜ । ତାଳଚେର ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସିବିଆଇ ହାତରେ ଧରାପଡିଛନ୍ତି ଏମସିଏଲର ବଳରାମ କୋଇଲା ଖଣି ସୁରକ୍ଷା ଅଧିକାରୀ ଇନଚାର୍ଜ ଜୟନ୍ତ ବାରିକ । ଓଭର ଟାଇମ ଡ୍ୟୁଟି କରାଇ ଦେଇଥିବା ନେଇ ଅନ୍ୟ ଜଣେ ଏମସିଏଲ ସୁରକ୍ଷାକର୍ମୀ ମହେଶ ନାଏକଙ୍କୁ ସେ ଲାଞ୍ଚ ମାଗୁଥିଲେ । ଏ ନେଇ ମହେଶ ଭୁନେଶ୍ୱରର ସିବିଆଇ ଅଫିସର ଦ୍ୱାରସ୍ଥ ହୋଇଥିଲେ । ଆଜି ଓଟି ପାଇଁ ଟଙ୍କା ଦେବା ବେଳେ ସିବିଆଇର ୧୦ ଜଣିଆ ଟିମ ଜୟନ୍ତଙ୍କୁ ଧରିଥିଲେ । ଜୟନ୍ତଙ୍କ ଘର ସମେତ ଅଫିସରେ ଖୋଳତାଡ଼ ଜାରି ରଖିଛି ସିବିଆଇ ।
ପୌର ନିର୍ବାଚନ: ମଦୁଆଙ୍କୁ ଟିକେଟ ଦେବନି କଂଗ୍ରେସ, ଶଙ୍ଖ ଟିକେଟ ନେବାକୁ ଆଶାୟୀଙ୍କ ଭିଡ
ଭୁବନେଶ୍ବର: ବିଜେଡିର ପଞ୍ଚାୟତ ସଫଳତା ପରେ ବିରୋଧୀ ଶିବିରରେ ହଇଚଇ ସୃଷ୍ଟି ହୋଇଛି । ସମସ୍ତଙ୍କ ନଜର ପୌର ନିର୍ବାଚନ ଉପରେ । ବିଜେଡିରେ ଆଶାୟୀଙ୍କ ଲମ୍ବା ଲାଇନ୍ ଦେଖି ପ୍ରାର୍ଥୀ ଚୟନର ମାପଦଣ୍ଡ ସ୍ଥିର କରିଛି ଦଳ । ଲୋକଙ୍କ ସେବା କରୁଥିବା ଲୋକଙ୍କୁ ପ୍ରାର୍ଥୀ କରି ବାରମ୍ବାର ସଫଳତା ହାସଲ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀ ବି ଏବେ ଲୋକଙ୍କ ସହ ଥିବା ଭଲ ବ୍ୟକ୍ତିତ୍ବକୁ ସନ୍ଧାନ ଆରମ୍ଭ କଲେଣି ।
ଏବେ ହେବିଓ୍ବେଟ ନେତା ସ୍ଥାନୀୟ ବିଧାୟକଙ୍କ ଘରେ ବାହାରେ । ହାତରେ ବାୟୋଡାଟା ଓ ସାଥୀରେ ସମର୍ଥକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବିଜେଡିର ସଫଳତା ଯୋଗୁଁ ସମସ୍ତଙ୍କ ଇଚ୍ଛା ଶଂଖ ଟିକେଟ୍ । ସବୁ ନିର୍ବାଚନରେ ବିଜେଡି ନେତାମାନେ ସମୀକ୍ଷା କରି ପ୍ରାର୍ଥୀଙ୍କ ତାଲିକା ଦଳୀୟ ସୁପ୍ରିମୋଙ୍କ ପାଖକୁ ପଠାନ୍ତି । ଏଥର ମଧ୍ୟ ପ୍ରତି ଓ୍ବାର୍ଡରୁ ୩ ଜଣ ଆଶାୟୀଙ୍କ ବାୟୋଡାଟା ନବୀନଙ୍କ ପାଖରେ ପହଞ୍ଚିଛି । ସ୍ବଚ୍ଛ ଶାସନରେ ବିଶ୍ବାସ କରୁଥିବା ବିଜେଡି ଏଥର ବି ସେବା ମନୋବୃତ୍ତି ଥିବା ଲୋକଙ୍କୁ ପ୍ରାର୍ଥୀ କରିବ । ତା’ ସହ ପ୍ରାର୍ଥୀ ନିଷ୍କଳଙ୍କ ହେବା ସହ ଭଲ ଟ୍ରାକ୍ ରେକର୍ଡ ରଖିଥିବ । ସେହିପରି ବ୍ୟକ୍ତିତ୍ବ ଥିବା ଲୋକଙ୍କ ନାଁ ଉପରେ ମୋହର ମାରିବେ ନବୀନ ପଟ୍ଟନାୟକ ।
ମଦୁଆଙ୍କୁ ଟିକେଟ ଦେବନି କଂଗ୍ରେସ
ସେପଟେ ମଦୁଆଙ୍କୁ ଦୂରେଇବ କଂଗ୍ରେସ । ମଦ୍ୟପ କି କ୍ରମିନାଲ, କେହି ବି ପାଇବେ ନାହିଁ କଂଗ୍ରେସର ପୌର ଟିକେଟ୍ । ସ୍ଥାନୀୟ ଅଞ୍ଚଳରେ ଜନସେବା କରୁଥିବା ଭଦ୍ର ପରିବାରର ଶିକ୍ଷିତ ଲୋକଙ୍କୁ ଦଳ ପ୍ରାର୍ଥୀ କରିବ ।
ସମାଜସେବା ଉପରେ ବିଜେପି ନଜର
ସେହିପରି ସାଂଗଠନିକ ସ୍ତରରେ ଦୁର୍ବଳ ହେଉଥିବା ବିଜେପି ସମାଜସେବା ଉପରେ ଗୁରୁତ୍ବ ଦେଉଛି । ଦଳର ରାଜ୍ୟ ସଭାପତି ପୂର୍ବରୁ ଏ ନେଇ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରି ପ୍ରାର୍ଥୀ ଖୋଜା ଆରମ୍ଭ କରିଛନ୍ତି ।
ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ ଘଟାଇ ଲୋକଙ୍କଠାରୁ ଦୂରେଇ ଯାଇଛି ବିଜେପି । ହେଲେ ସ୍ବଚ୍ଛ ପ୍ରଶାସନର ବିନ୍ଧାଣୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରାର୍ଥୀ ଚୟନଠାରୁ ନିର୍ବାଚନ ଯାଏଁ ସ୍ବଚ୍ଛତା ଅବଲମ୍ବନ କରି ବୃହତ ବିଜୟ ପାଇଛନ୍ତି । ଯାହାକୁ ବିରୋଧୀ ଅନୁଭବ କରି ପୌର ନିର୍ବାଚନରେ ଭଲ ପ୍ରାର୍ଥୀ ଖୋଜିବାରେ ଲାଗି ପଡ଼ିଛନ୍ତି ।
ବାବା ଲିଙ୍ଗରାଜଙ୍କ ଶିବରାତ୍ରୀ ନୀତିକାନ୍ତି
ଭୁବନେଶ୍ବର: ଆସନ୍ତାକାଲି ମହାଶିବରାତ୍ରି । ବାବା ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ପାଇଁ ଚାଲିଛି ପ୍ରସ୍ତୁତି । ଆସନ୍ତାକାଲି ରାତି ୩ଟାରୁ ଖୋଲିବ ମନ୍ଦିରର ମୁଖ୍ୟଦ୍ୱାର । ୩.୩୦ରେ ମଙ୍ଗଳ ଆଳତି ପରେ ଆରମ୍ଭ ହେବ ଅବକାଶ ନୀତି । ୫ଟାରୁ ହେବ ସାହଣ ମେଳା ଦର୍ଶନ ବା ସାଧାରଣ ଦର୍ଶନ ।
ଚଳିତବର୍ଷ ଗର୍ଭଗୃହ ଦର୍ଶନ ମନା ହୋଇଥିବାବେଳେ ଆଡ଼କାଠରୁ ଦର୍ଶନ କରିବେ ଭକ୍ତ । ବ୍ୟାରିକେଡ୍ ଭିତରେ ଧାଡି ବାନ୍ଧି ମନ୍ଦିର ମଧ୍ୟକୁ ପ୍ରବେଶ କରିବେ । ଉତ୍ତର ଦ୍ୱାର ଦେଇ ପ୍ରବେଶ କରିବେ ସେବାୟତ ଓ ତାଙ୍କ ପରିବାର ବର୍ଗ । ରାତି ୧୦ଟାରେ ମହାଦୀପ ଉଠିବା ନେଇ ପ୍ରସ୍ତୁତି ହୋଇଛି । ଲିଙ୍ଗରାଜ ମନ୍ଦିର ପ୍ରଶାସନ ଓ ବିଏମସି ପକ୍ଷରୁ ଶିବରାତ୍ରି ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ଅନୁରାଧା ପଡୁଆଲ୍ ଓ କବିତା କ୍ରିଷ୍ଣାମୂର୍ତ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି, ୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ବ୍ୟବସ୍ଥିତ ଢଙ୍ଗରେ ଆଇନଶୃଙ୍ଖଳା ରକ୍ଷା କରାଯିବା ନେଇ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ପୋଲିସ କମିଶନର ।
କାଲିଠୁ ୨ ଟଙ୍କା ବଢ଼ିବ ଅମୂଲ କ୍ଷୀର ଦର
ଭୁବନେଶ୍ବର: ଆସନ୍ତାକାଲିଠାରୁ ବଢିବ ଅମୂଲ କ୍ଷୀର ଦର । ଲିଟର ପିଛା ୨ ଟଙ୍କା ବଢ଼ାଇବା ଲାଗି ଘୋଷଣା କରିଛି କମ୍ପାନୀ । ଅମୂଲର ସମସ୍ତ ଭାରିଆଣ୍ଟ ଯଥା ଗୋଲ୍ଡ, ତାଜା, ଶକ୍ତି, ଟି-ସ୍ପେଶାଲ କ୍ଷୀର କ୍ଷେତ୍ରରେ ଏହି ବର୍ଦ୍ଧିତ ଦର ଲାଗୁ ହେବ । ଏନେଇ ସୂଚନା ଦେଇଛି ଗୁଜରାଟ କୋପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ । ବର୍ଦ୍ଧିତ ଦର ଯୋଗୁଁ ଅମୂଲ ଗୋଲ୍ଡର ଦାମ ଅଧା ଲିଟର ଲାଗି ହେବ ୩୦ ଟଙ୍କା । ଅମୂଲ ତାଜାର ଦାମ୍ ହେବ ୨୪ଟଙ୍କା । ଅମୂଲ ଶକ୍ତିର ଦର ହେବ ୨୭ଟଙ୍କା ହୋଇଯିବ । ଗତବର୍ଷ ଜୁଲାଇରେ ଶେଷ ଥର ଲାଗି କ୍ଷୀର ଦର ଲିଟର ପିଛା ୨ ଟଙ୍କା ବଢ଼ାଯାଇଥିଲା ।
ଟ୍ରକ୍ ମାଲିକଙ୍କୁ ଫିଲ୍ମ ଷ୍ଟାଇଲରେ ହତ୍ୟା
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଚାଞ୍ଚଲ୍ୟ । ସୋସିଆଲ୍ ମିଡିଆରେ ଆକୁଳ ନିବେଦନ ସତ୍ତ୍ବେ ମିଳିଲାନି ସାହାଯ୍ୟ । ଟ୍ରକ୍ ମାଲିକଙ୍କୁ ଫିଲ୍ମ ଷ୍ଟାଇଲରେ ମର୍ଡର । ଗୋଡ଼ାଇ ଗୋଡ଼ାଇ ମାରି ଦେଲେ ଦୁର୍ବୃତ୍ତ । ମୃତକ ହେଲେ ତୋଟା ଗାଁର ଜିତେନ୍ଦ୍ର ଦଳେଇ ।
ବ୍ରହ୍ମପୁରରୁ ଘରକୁ ଫେରୁଥିବାବେଳେ ବଡ଼ଘାଟି ନିକଟରେ ଜିତେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ ୫ ଦୁର୍ବୃତ୍ତ । ଟଙ୍କା ଲୁଟିବା ସହିତ ତାଙ୍କୁ ମାଡ଼ ମାରିଥିଲେ ଲୁଟେରା । ଦୁର୍ବୃତ୍ତଙ୍କ କବଳରୁ ଖସି ଜଙ୍ଗଲକୁ ଦୌଡ଼ି ପଳାଇଥିଲେ ଜିତେନ୍ଦ୍ର । ଏହି ସମୟରେ ପରିବାର ଲୋକଙ୍କୁ ମେସେଜରେ ଘଟଣା ସମ୍ପର୍କରେ ଜିତେନ୍ଦ୍ର ଅବଗତ କରାଇଥିଲେ । ପୋଲିସକୁ ମଧ୍ୟ ଘଟଣା ସମ୍ପର୍କରେ ମେସେଜ କରିଥିଲେ । ଫୋନ୍ ନକରି ମେସେଜ ଜରିଆରେ ତାଙ୍କ ସହିତ ଯୋଗାଯୋଗ କରିବାକୁ ସେ ଜଣାଇଥିଲେ । ତେବେ ପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଜିତେନ୍ଦ୍ରଙ୍କୁ ମୃତ ଅବସ୍ଥାରେ ପାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଋଷ-ୟୁକ୍ରେନ୍ ଆଲୋଚନା ଶେଷ, ସେନା ଫେରାଇ ନେବା ପାଇଁ ୟୁକ୍ରେନ୍ ରଖିଲା ଦାବି
ବେଲାଋଷ: ଋଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ବାର୍ତ୍ତା ଶେଷ ହୋଇଛି । ତିନି ଘଣ୍ଟା ଧରି ଚାଲିଥିବା ଆଲୋଚନାରେ କିନ୍ତୁ ଯୁଦ୍ଧ ଜାରି ରହିବ କି ବନ୍ଦ ହେବ ତାକୁ ନେଇ କୌଣସି ସହମତି ସୃଷ୍ଟି ହୋଇ ପାରିନାହିଁ । ତେବେ ଆଲୋଚନା କାଳରେ ୟୁକ୍ରେନ୍ ଋଷ ସମ୍ମୁଖରେ କ୍ରିମିୟା ଓ ଡୋନବାସରୁ ସେନା ପ୍ରତ୍ୟାହାର ପାଇଁ ଦାବି ରଖିଥିଲା । ଏହା ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଥିଲା ଯେ, ଯୁଦ୍ଧ ବିରାମ ଓ ୟୁକ୍ରେନରୁ ଋଷୀୟ ସେନା ପ୍ରତ୍ୟାହାର ସେମାନଙ୍କ ମୁଖ୍ୟ ପ୍ରସଙ୍ଗ ରହିବ ।
ଋଷ ସୈନିକ ନିଜ ଦେଶକୁ ଫେରନ୍ତୁ
ବେଲାଋଷରେ ଆଲୋଚନା ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଟ୍ୱିଟ୍ କରି ଋଷ ସୈନିକଙ୍କୁ ନିଜ ଦେଶକୁ ଫେରିଯିବା ପାଇଁ କହିଥିଲେ । ସେ ଲେଖିଥିଲେ ଯେ, ଋଷ ସୈନିକ ନିଜ ଜୀବନ ବଂଚାଇ ଫେରି ଯାନ୍ତୁ । ମୁଁ ଯେତେବେଳେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢିଥିଲି ସେତେବେଳେ କହିଥିଲି ଯେ, ଆମେ ସମସ୍ତେ ରାଷ୍ଟ୍ରପତି ହେବା । କାରଣ ସମସ୍ତଙ୍କର ଦେଶ ପ୍ରତି କର୍ତ୍ତବ୍ୟ ରହିଛି । ଏବେ ସେମିତି କିଛି ଘଟୁଛି । ସମସ୍ତେ ଯୋଦ୍ଧା ଭଳି ଲଢୁଛନ୍ତି ।

