spot_img
Home Blog Page 4573

ନାସାର ରୋଭର ମଙ୍ଗଳ ଗ୍ରହରେ ଏମିତି ଏକ ଧ୍ୱନୀ ରେକର୍ଡ କରିଛି ଯାହାକୁ ଶୁଣିବା ପରେ…

ପ୍ୟାରିସ୍: ମଙ୍ଗଳ ଗ୍ରହ ଏବଂ ପୃଥିବୀ ମଧ୍ୟରେ କିଛି ସମାନତା ରହିବା ସହ କିଛି କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଭିନ୍ନ । ଏବେ ମଙ୍ଗଳ ଗ୍ରହ ବିଷୟରେ ବୈଜ୍ଞାନିକମାନେ ଏମିତି କିଛି  ଜାଣିବାକୁ ପାଇଛନ୍ତି, ଯାହା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଆମେରିକାର ସ୍ପେସ୍ ଏଜେନ୍ସି ନାସା ଦ୍ୱାରା ମଙ୍ଗଳ ଗ୍ରହରେ ସୂଚନା ସଂଗ୍ରହ ପାଇଁ ପର୍ସିବିୟରେନ୍ସ ରୋଭର ପଠାଇଥିଲା । ଏହି ରୋଭର ସେଠାରେ ପ୍ରଥମ ଥର ପାଇଁ ଧ୍ୱନି ରେକର୍ଡିଂ କରିବାରେ ସଫଳ ହୋଇଛି। କେବଳ ଏତିକି ନୁହେଁ, ରୋଭରର ମାଇକ୍ରୋଫୋନ୍ ସେଠାକାର ପରିବେଶରେ ଥିବା ଧ୍ୱନୀର ଦୁଇ ପ୍ରକାରର ଗତିକୁ ରେକର୍ଡ କରିଛି । ଅର୍ଥାତ୍, ମଙ୍ଗଳ ଗ୍ରହରେ ଧ୍ୱନୀ ବା ଧ୍ୱନୀର ଗତି ଦୁଇ ପ୍ରକାରର ବୋଲି ଜଣାପଡିଛି । ଶୁକ୍ରବାର ଦିନ ପ୍ରକାଶିତ ଅଧ୍ୟୟନରେ ବୈଜ୍ଞାନିକମାନେ, ଏହି ଦୁଇ ପ୍ରକାରର ଧ୍ୱନିର ପ୍ରଭାବ କ’ଣ ହୋଇପାରେ ତାହା କହିଛନ୍ତି ।

ପୃଥିବୀରେ ଶବ୍ଦର ଗୋଟିଏ ଗତି, ମଙ୍ଗଳ ଗ୍ରହରେ ଦୁଇଟି

ସୂଚନା ଯୋଗ୍ୟ ଯେ, ଆମ ପୃଥିବୀରେ ଧ୍ୱନୀ କେବଳ ଗୋଟିଏ ବେଗରେ ଗତି କରିଥାଏ । ଅର୍ଥାତ୍ ଏହା ପ୍ରତି ସେକେଣ୍ଡରେ ୩୪୦ ମିଟର ହୋଇଥାଏ । ଆମେ ଯେଉଁଠାରେ ଥାଉ ନା କାହିଁକି ଆମର ସ୍ୱର ସମାନ ବେଗରେ ହିଁ ଅନ୍ୟପାଖରେ ପହଞ୍ଚେ । କିନ୍ତୁ ମଙ୍ଗଳ ଗ୍ରହରେ ଏହା ନୁହେଁ । ନାସାର ରୋଭରରେ ଥିବା ଟ୍ରାନ୍ସମିଟର ମଙ୍ଗଳ ଗ୍ରହରେ ଧ୍ୱନୀ ପ୍ରତି ସେକେଣ୍ଡରେ ୨୪୦ ମିଟର ବେଗରେ ରେକର୍ଡ ହୋଇଛି । କିନ୍ତୁ ବୈଜ୍ଞାନିକମାନେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ଦେଖିଲେ ଯେ, ସେଠାରେ ଧ୍ୱନୀ ପ୍ରତି ସେକେଣ୍ଡରେ ୨୫୦ ମିଟରର ପର୍ଯ୍ୟନ୍ତ ମଧ୍ୟ ଗତି କରୁଛି । ବାସ୍ତବରେ, ମଙ୍ଗଳ ଗ୍ରହର ବାୟୁମଣ୍ଡଳ ପୃଥିବୀଠାରୁ ସମ୍ପୂର୍ଣ୍ଣ ଭିନ୍ନ, ତେଣୁ ଉଭୟ ସ୍ଥାନରେ ଧ୍ୱନୀର ବେଗରେ ପାର୍ଥକ୍ୟ ରହିଛି । ପୃଥିବୀର ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡର ପରିମାଣ ମାତ୍ର ୦.୦୪ ପ୍ରତିଶତ ଥିବାବେଳେ ମଙ୍ଗଳ ଗ୍ରହରେ ଏହା ୯୫ ପ୍ରତିଶତ ରହିଛି । ଏହି କାରଣରୁ, ସେଠାରେ ଥିବା ଧ୍ୱନୀ ୨୦ ଡେସିବଲ କମିଯାଇଥାଏ । ଯଦିଓ ବୈଜ୍ଞାନିକମାନେ ଏହା ବିଷୟରେ ପୂର୍ବରୁ ଜାଣିଥିଲେ । କିନ୍ତୁ ମଙ୍ଗଳ ଗ୍ରହରେ ଧ୍ୱନୀର ଭିନ୍ନ ଗତି ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି ।

୫ଘଣ୍ଟା ପର୍ଯ୍ୟନ୍ତ ଧ୍ୱନିକୁ ରେକର୍ଡ କରିଛି ନାସା

ଗତ ବର୍ଷ ଫେବୃଆରୀରେ ନାସାର ଏହି ରୋଭର ମଙ୍ଗଳ ଗ୍ରହରେ ଅବତରଣ କରିଥିଲା । ସେ ତା ସହ ଏକ ଛୋଟ ଇନଜେନ୍ୟୁଟି ହେଲିକପ୍ଟର ମଧ୍ୟ ନେଇଥିଲା । ଏହି ରୋଭରରେ ଜୋତା ବାକ୍ସ ଆକାରର ମାଇକ୍ରୋଫୋନ୍ ମଧ୍ୟ ଅଛି, ଯାହା ସେଠାରେ ଧ୍ୱନୀକୁ ରେକର୍ଡିଂ କରିଥାଏ  । ତେବେ ଏହି ଯନ୍ତ୍ରଟି ପ୍ରାୟ ୫ ଘଣ୍ଟାର ଧ୍ୱନୀ ରେକର୍ଡ କରିଛି । ବୈଜ୍ଞାନିକମାନେ ଏକ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି ଯେ, ଯେତେବେଳେ ହେଲିକପ୍ଟର ଉଡ଼ିଥିଲା ସେତେବେଳେ ଟକ୍-ଟକ୍ ଭଳି ଧ୍ୱନୀ ଶୁଣାଯାଇଥିଲା । ରୋଭରରୁ ହେଲିକପ୍ଟରର ଦୂରତା ଏବଂ ଏଥିରୁ ଆସୁଥିବା ଧ୍ୱନି ଆଧାରରେ ବୈଜ୍ଞାନିକମାନେ ଏହାର ଗତିର ମୂଲ୍ୟାଙ୍କନ କରିଥିଲେ, ଏଥିରୁ ଜଣାପଡିଲା ଯେ ଏହି ଧ୍ୱନୀର ବେଗ ପ୍ରତି ସେକେଣ୍ଡରେ ୨୪୦ ମିଟର । ଅନ୍ୟପଟେ, ଯେତେବେଳେ ରୋଭର ମଙ୍ଗଳ ଗ୍ରହର ପୃଷ୍ଟକୁ ଖନନ କରିବାକୁ ଲେଜର ଛାଡିଲା ସେତେବେଳେ ଏହି ଲେଜରରୁ ବାହାରୁଥିବା ଧ୍ୱନୀର ଗତି ପ୍ରତି ସେକେଣ୍ଡରେ ୨୫୦ ମିଟର ଥିବା ମପା ଯାଇଥିଲା ।

ମଙ୍ଗଳ ଗ୍ରହରେ କଣ ଅସୁବିଧା ହେବ

ବୈଜ୍ଞାନିକମାନେ କହିଛନ୍ତି ଯେ, ଶବ୍ଦର ଏହି ଭିନ୍ନ ଭିନ୍ନ ଗତି ଗମ୍ଭୀର ପରିଣାମ ଦେବ । ଉଦାହରଣ ଦେଇ ସେ ବ୍ୟାଖ୍ୟା କରିଛନ୍ତି ଯେ ଧରାଯାଉ ଆପଣ ପୃଥିବୀର ଏକ ସଙ୍ଗୀତ ଶୁଣୁଛନ୍ତି, ସେତେବେଳେ ଆପଣ ଯେଉଁଠାରେ ଥାଆନ୍ତୁ ନା କାହିଁକି, ଗୀତଟି ଆପଣଙ୍କ ପାଖରେ ସମାନ ବେଗରେ ପହଞ୍ଚିବ । ଏହି କାରଣରୁ ଆପଣ ସ୍ୱରରେ ଅସ୍ଥିରତା ଅନୁଭବ କରିବେ ନାହିଁ । କିନ୍ତୁ ମଙ୍ଗଳ ଗ୍ରହରେ ଏମିତି ହେବ ନାହିଁ । ସେଠାରେ ଆପଣ ସଙ୍ଗୀତଠାରୁ ଯେତେ ଦୂରରେ ଥିବେ, ଆପଣଙ୍କୁ ସଙ୍ଗୀତଟି ସେତେ ବିଳମ୍ବରେ  ପହଞ୍ଚିବ । ଏହାର ଅର୍ଥ ହେଉଛି ଯଦିଓ ଦୁଇ ଜଣ ସେଠାରେ ୫ ମିଟର ଦୂରରୁ କଥାବାର୍ତ୍ତା କରନ୍ତି, ତଥାପି ସେମାନେ ପରସ୍ପରକୁ ଶୁଣିବା ଏବଂ ବୁଝିବା କଷ୍ଟକର ହେବ ।

FIH ପ୍ରୋ ଲିଗ୍ ହକି: ଆଜି ପୁଣି କଳିଙ୍ଗରେ କମାଲ ଦେଖାଇବ ଟିମ୍ ଇଣ୍ଡିଆ

ଭୁବନେଶ୍ୱର: କଳିଙ୍ଗରେ ଆଜି ପୁଣିଥରେ ଇଂଲଣ୍ଡ ବିପକ୍ଷରେ ଟର୍ଫକୁ ଓହ୍ଲାଇବ ଭାରତ । ଏଫଆଇଏଚ୍ ପ୍ରୋ ଲିଗ ହକିରେ ଆଜି ପୁଣି ଥରେ ଇଂଲଣ୍ଡ ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ । ଚଳିତ ଏଫଆଇଏଚ୍‌ ପ୍ରୋ ଲିଗ୍‌ ହକିରେ ଗତକାଲି ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଘରୋଇ ଦଳ ଭ୍ରମଣକାରୀ ଇଂଲଣ୍ଡକୁ ସୁଟ୍‌ ଆଉଟରେ ପରାସ୍ତ କରିଥିଲା । ମ୍ୟାଚ ଶେଷ ହେବା ସୁଦ୍ଧା ଉଭୟ ଦଳ ୩ଟି ଲେଖାଏଁ ଗୋଲ ସ୍କୋର କରିଥିଲେ । ଯାହା ଫଳରେ ଏହି ମ୍ୟାଚଟି ସୁଟ୍ ଆଉଟକୁ ଯାଇଥିଲା । ସୁଟ୍ ଆଉଟରେ ଭାରତ ଇଂଲଣ୍ଡକୁ ୩-୨ରେ ପରାସ୍ତ କରିଥିଲା ।

ତେବେ ଗତକାଲିର ପରାଜୟର ପ୍ରତିଶୋଧ ନେବା ପାଇଁ ବ୍ଲୁ ଟର୍ଫକୁ ଓହ୍ଲାଇବ ଟିମ୍ ଇଂଲଣ୍ଡ । ସେପଟେ ଆଜିର ମ୍ୟାଚରେ ଭାରତ ବିଜୟ ଲାଭ କରି ଏଫଆଇଏଚ ପ୍ରୋ ଲିଗ୍ ହକିର ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ନିଜ ସ୍ଥାନ ସୁଦୃଢ଼ କରିବାକୁ ଚେଷ୍ଟା କରିବ । ଆଜି ଏହି ମ୍ୟାଚ ସ୍ଥାନୀୟ ସମୟ ସନ୍ଧ୍ୟା ୭.୩୦ରେ ଖେଳାଯିବ ।

ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଉପରେ ଆକ୍ରମଣ, ଇମ୍ରାନଙ୍କୁ ଦାୟୀ କଲେ ଝିଅ

ଲଣ୍ଡନ୍‌: ପାକିସ୍ତାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ ।  ଲଣ୍ଡନରେ ଚିକିତ୍ସିତ ହେଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଆକ୍ରମଣ କରାଯାଇଥିବା ସୂଚନା । ମିଳିଥିବା ସୂଚନା ଅନୁଯାୟୀ, ନୱାଜ ସରିଫଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ହେଉଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ଜଣେ କର୍ମଚାରୀ। ଏଥିସହ ଏହି ଘଟଣାରେ ଆହତ ହୋଇଥିବା ନୱାଜ ସରିଫଙ୍କ ଝିଅ ମରିୟମ ଇମ୍ରାନ ଖାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ତେବେ ଏହି ଘଟଣା ପରେ ଆକ୍ରମଣକାରୀକୁ ଧରିବା ଲାଗି ଉଦ୍ୟମ ଜାରି ରହିଛି । ପାକିସ୍ତାନର ଜଣେ ସାମ୍ବାଦିକ ଟୁଇଟ୍‌ କରି କହିଛନ୍ତି ଯେ, ପାକିସ୍ତାନର ଶାସକ ଦଳ ‘ପାକିସ୍ତାନ ତେହରୀକ୍‌-ଏ-ଇନ୍‌ସାଫ୍‌’ର (ପିଟିଆଇ) ଜଣେ କର୍ମୀ ନୱାଜ୍‌ ସରିଫ୍‌ଙ୍କୁ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଶରିଫ୍‌ଙ୍କ ଅଙ୍ଗରକ୍ଷୀ ଆହତ ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆକ୍ରମଣ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଜି ରାତି ସୁଦ୍ଧା ଗିରଫ କରାଯିବ ବୋଲି ସୁନିଶ୍ଚିତ କରାଯିବା ଉଚିତ।

ପାକିସ୍ତାନର ବିରୋଧୀଦଳ ‘ପିଟିଆଇ’ର ମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ଆଣିବା ଦିନକ ପୂର୍ବରୁ ଉପରୋକ୍ତ ଘଟଣା ଘଟିଛି। ଯଦି ଅନାସ୍ଥା ଭୋଟ୍‌ ସଫଳ ହୁଏ ତେବେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ମୁଖ୍ୟ ପ୍ରତିଦ୍ୱନ୍ଦୀ ହେବେ ‘ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ (ଏନ୍‌)’ର ନେତା ତଥା ନୱାଜ୍‌ ସରିଫ୍‌ଙ୍କ ଭାଇ ଶେହ୍‌ବାଜ୍‌ ଶରିଫ୍।

ନୱାଜ୍‌ଙ୍କ ଉପରେ ହୋଇଥିବା ଆକ୍ରମଣ ସଂକ୍ରାନ୍ତରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ଝିଅ ମରିୟମ୍‌ । ସେ କହିଛନ୍ତି ଯେ, ହିଂସାକାଣ୍ଡ ସୃଷ୍ଟି କରୁଥିବା ଶାସକ ଦଳର କର୍ମୀମାନଙ୍କୁ ଜେଲ୍‌ ଦଣ୍ଡାଦେଶ ଦେବା ଉଚିତ । ସେ ଆହୁରି ମଧ୍ୟ କହିଛନ୍ତି, ହିଂସାକାଣ୍ଡ ପାଇଁ ଉସ୍‌କାଉଥିବା ସ୍ୱୟଂ ଇମ୍ରାନ୍‌ ଖାନଙ୍କୁ ମଧ୍ୟ ଗିରଫ କରାଯିବା ନିହାତି ଆବଶ୍ୟକ ।

ଭାରତର ଗୋଟିଏ ବୋମା ଉଡ଼ାଇ ଦେବ ପୁରା ଏୟାରପୋର୍ଟ୍

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳି ହେବେ ଭାରତ ସୈନ୍ୟ । ଏଥର ଶତ୍ରୁଙ୍କ ଯୋଜନାକୁ ଧଂସ କରିବ ଭୀମ ବୋମା । ଦେଶର ଶକ୍ତି ବଢାଇ ପାଇଁ ଜବଲପୁରର କାମାରିଆ ଅର୍ଡନାନ୍ସ କାରଖାନା (OFK) ୫୦୦ କିଲୋର ଜିପି ବୋମା (ଜେନେରାଲ ପର୍ପୋଜ୍ ବମ୍) ତିଆରି କରିଛି । ଏହି ବୋମାଗୁଡିକ ଏତେ ମାତ୍ରାରେ ବିଧ୍ୱଂସକ ଯେ ଆକାଶରୁ ଖସିଯିବା ପରେ ବଡ଼ରୁ ଅତିବଡ଼ ବଙ୍କରକୁ ନଷ୍ଟ କରିବାର କ୍ଷମତା ରଖନ୍ତି । ଆଉ ଏହିଭଳି ଗୋଟିଏ ବୋମା ପାକିସ୍ତାନର ଯେକୌଣସି ବିମାନବନ୍ଦରକୁ କ୍ଷଣକେ ଧ୍ୱଂସ କରିପାରେ ।

ଶୁକ୍ରବାର ଦିନ OFKରେ ପହଞ୍ଚିଥିବା ବାୟୁସେନାର ଏକ ଦଳ ୪୮ଟି ବୋମା ସହିତ ଡିପୋକୁ ଚାଲିଗଲେ ।  ତେବେ OFK ପାଇଁ ଏହି ବୋମା ଏଥିପାଇଁ ସ୍ୱତନ୍ତ୍ର କାରଣ ବୋମାର ସମ୍ପୂର୍ଣ୍ଣ ଡିଜାଇନ୍ ଏବଂ ଉତ୍ପାଦନ କାରଖାନାରେ ହିଁ କରାଯାଇଛି । OFK ଜେନେରାଲ ମ୍ୟାନେଜର ଏସ.କେ ସିହ୍ନାଙ୍କ କହିଛନ୍ତି  ଯେ, ଏହି ୫୦୦ କିଲୋଗ୍ରାମର ବୋମା ବାୟୁସେନାର ଶକ୍ତିକୁ ଆହୁରି ବୃଦ୍ଧି କରିବ ।

ଦେଶର ସବୁଠୁ ବଡ ବୋମା

କାରଖାନା ସୂତ୍ର ଅନୁଯାୟୀ, ଏହା ଭାରତର ସବୁଠାରୁ ବଡ ବୋମା । ଏହାର ଲମ୍ବ ୧.୯ ମିଟର ଏବଂ ଓଜନ ୫୦୦ କିଲୋଗ୍ରାମ । ଏହି ବୋମାକୁ ଜାଗୁଆର ଏବଂ ସୁଖୋଇ SU-30 MKIଦ୍ୱାରା ହିଁ ଶତ୍ରୁଙ୍କ ଅଞ୍ଚଳକୁ ଟାର୍ଗେଟ କରାଯାଇ ପାରିବ । ଏହି ବୋମାଟିର ପ୍ରସ୍ତୁତି ଜବଲପୁରର ଆୟୁଦ୍ଧ ନିର୍ମାଣ କାରଖାନାର ଏଫ୍-୬ ବିଭାଗରେ କରାଯାଇଛି  ।

  • ଏହି ଜିପି ବୋମାର ଶକ୍ତି ଏତେ ଅଧିକ ଯେ, ଏହି ବୋମା ବିସ୍ଫୋରଣରେ ସମ୍ପୂର୍ଣ୍ଣ ବିମାନ ବନ୍ଦରକୁ ଧ୍ୱଂସ ହୋଇଯିବ ।
  • ଏହି ବୋମା ସାହାଯ୍ୟରେ ରେଳ ଟ୍ରାକ୍ ଏବଂ ବଡ଼ ବ୍ରିଜକୁ ମଧ୍ୟ ଧ୍ୱଂସ କରିହେବ ।
  • ଏହି ବୋମାରେ ଏମିତି ଟେକ୍ନୋଲୋଜି ଅଛି ଯାହା ବଙ୍କରରେ ମଧ୍ୟ ବିସ୍ଫୋରଣ କରିପାରିବ ।
  • ୧୦,୩୦୦ ଷ୍ଟିଲ୍ ବୁଲେଟର ବୋମା
  • ୫୦୦ କିଲୋଗ୍ରାମର ବୋମାର ଦୈର୍ଘ୍ୟ ହେଉଛି ୧.୯ ମିଟର  ।
  • ଗୋଟିଏ ବୋମାରେ ୧୫ ମି.ମି.ର ୧୦,୩୦୦ ଷ୍ଟିଲ୍ ବୁଲେଟ ରହିଥାଏ ।
  • ବିସ୍ଫୋରଣ ପରେ ପ୍ରତ୍ୟେକ ଷ୍ଟିଲ୍ ବୁଲେଟ ୫୦ ମିଟରକୁ ଟାର୍ଗେଟ କରିବ ।
  • ପ୍ରତ୍ୟେକ ଷ୍ଟିଲ୍ ବୁଲେଟ ୧୨ ମିଲିମିଟର ଷ୍ଟିଲ ପ୍ଲେଟକୁ ଭେଦ କରିପାରିବ
  • ଏହି ବୋମା ଜାଗୁଆର ଏବଂ ସୁଖୋଇ -୩୦ ରେ ଖଞ୍ଜା ଯାଇପାରିବ ।

ଏହି ବୋମାକୁ DRDO ଟେକ୍ନୋଲୋଜି ଦ୍ୱରା ବିକଶିତ କରାଯାଇଛି

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏହି ବୋମାକୁ ଅନେକ ଭାଗରେ ବିକଶିତ କରିଛି । ପ୍ରତ୍ୟେକ ବୋମା ୧୦,୩୦୦ 15-ମିମି ଷ୍ଟିଲ୍ ବୁଲେଟ ସହ ସଜାଯାଇଛି । ବିସ୍ଫୋରଣ ପରେ ପ୍ରତ୍ୟେକ ଷ୍ଟିଲ୍ ବୁଲେଟ ୫୦ ମିଟରକୁ ଟାର୍ଗେଟ କରିବ । ବିଶେଷ କଥା ହେଉଛି ପ୍ରତ୍ୟେକ ଷ୍ଟିଲ୍ ବୁଲେଟ ୧୨ ମିଲିମିଟର ଷ୍ଟିଲ ପ୍ଲେଟକୁ ଭେଦ କରିପାରିବ  । ଏହା ଭାରତର ଶକ୍ତିକୁ ବହୁଗୁଣିତ କରିବ । ରନୈତିକ ଦୃଷ୍ଟିକୋଣରୁ ଜିପି ବୋମା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜିପି ବୋମା କେବଳ ଯୁଦ୍ଧରେ ଭାରତୀୟ ସେନାକୁ ବିଜୟ ଦେବ ନାହିଁ, ବରଂ ଏହା ଭାରତୀୟ ସେନାର ସୁରକ୍ଷା କ୍ଷମତାକୁ ମଧ୍ୟ ବଢାଇବ ।

ଜିପି ବୋମା କ’ଣ ?

ଏହି  ଜିପି ବୋମା ଜାଗୁଆର ଏବଂ ସୁଖୋଇ -୩୦ ରେ ଖଞ୍ଜା ଯାଇପାରିବ । ଶକ୍ତିଶାଳୀ ବିସ୍ଫୋରଣ ସହିତ ଶତ୍ରୁକୁ ସର୍ବାଧିକ କ୍ଷତି ପହଞ୍ଚାଇବା ପାଇଁ ଏହା ବ୍ୟବହୃତ ହୁଏ  । ଏହି ବୋମାଗୁଡିକ ଶତ୍ରୁଙ୍କ ସୈନ୍ୟ, ଯାନ ଏବଂ ଅଟ୍ଟାଳିକାକୁ ଧ୍ୱଂସ କରିବାରେ ପ୍ରଭାବଶାଳୀ । ଏହି ବୋମାଗୁଡିକ ଏକ ମୋଟା ଧାତୁର ଆବରଣରେ ଆଚ୍ଛାଦିତ ହୋଇଥାଏ, ଯାହା ବୋମାର ମୋଟ ଓଜନର ପ୍ରାୟ ୩୦ପ୍ରତିଶତରୁ ୪୦ପ୍ରତିଶତ ।

ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ

ପୁରୀ: ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଶ୍ରୀମନ୍ଦିର ରୋଷ ଘରେ ଭାଙ୍ଗିଲା ଚୁଲି । ରୋଷ ଘରେ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ । ୨ କୋଠଭୋଗ ପ୍ରସ୍ତୁତ କରାଯାଉଥିବା ଚୁଲି ଭାଙ୍ଗିବା ସହ ଅନ୍ୟ ଚୁଲି ମଧ୍ୟ ଭାଙ୍ଗିଥିବା ସୂଚନା ମିଳିଛି । ଥାଳି ସୁଆର ଓ ତୁଣୁ ସୁଆରଙ୍କର ୨ଟି ଚୁଲି ମଧ୍ୟ ଭାଙ୍ଗିଛନ୍ତି ଦୁର୍ବୃତ୍ତ । ଏହି ଚୁଲିରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଖେଚୁଡ଼ି ଓ କାନିକା ପ୍ରସ୍ତୁତ ହୁଏ । ଚୁଲି ଭାଙ୍ଗିଥିବାରୁ ଭୋଗ ପ୍ରସ୍ତୁତି ନୀତିରେ ସାମାନ୍ୟ ବିଳମ୍ୱ ଘଟିପାରେ । କିଏ ଓ କାହିଁକି ମହାପ୍ରଭୁଙ୍କ ରୋଷ ଘର ଚୁଲି ଭାଙ୍ଗିଛି ସେନେଇ କୌଣସି ମିଳିପାରି ନାହିଁ । ତେବେ ଏହି ମାମଲାରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଘଟଣାର ତଦନ୍ତ ପରେ ଦୋଷୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର ପ୍ରଶାସନଙ୍କ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଘଟଣାସ୍ଥଳରେ ପୁରୀ ଏସପି କନଓ୍ୱର ବିଶାଲ ସିଂହ ପହଞ୍ଚି ଯାଞ୍ଚ କରିଛନ୍ତି । ତେବେ ଚୁଲି ଭଙ୍ଗା ଘଟଣାରେ ଖୁବଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ । ଦୁଇ ଦିନ ମଧ୍ୟରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ।

 

ମାନସ ସ୍ୱାଇଁ ହତ୍ୟା ମାମଲା, ପୁଣି ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଞ୍ଚ

କଟକ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ପୁଣି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଦ୍ୱିତୀୟ ପର୍ଯ୍ୟାୟରେ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ଚାନ୍ଦବାଲି କୋର୍ଟରେ ଆବେଦନ କରିବ କ୍ରାଇମବ୍ରାଞ୍ଚ । ଗତକାଲି ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରିଥିବା ବେଳେ ଅନେକ ତଥ୍ୟ ଏବେବି ରହସ୍ୟ ଘେରରେ । ତେଣୁ ଅଧିକ ତଥ୍ୟ ହାସଲ ପାଇଁ ପୁଣି ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ସରିଥିବା ବେଳେ ଆଜି ଅପରାହ୍ନରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ୪ ଅଭିଯୁକ୍ତ ହେଲେ ଶର୍ମିଷ୍ଠା, ନିରଞ୍ଜନ, ରଞ୍ଜନ ଓ ଝୁନା ।

ଚାରି ଅଭିଯୁକ୍ତଙ୍କ ରିମାଣ୍ଡ ସମୟରେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା କ୍ରାଇମ୍ ସ୍ପଟକୁ ଯାଇ ଡେମୋ ଦେଖାଇଛି । କେମିତି ମାନସକୁ ଅପହରଣ କରିଥିଲା, କାହିଁକି ହତ୍ୟା କରିଥିଲା ସେସବୁର ସତ କ୍ରାଇମବ୍ରାଞ୍ଚ ଆଗରେ କହିଛି ଶର୍ମିଷ୍ଠା । ଗତକାଲି ରିମାଣ୍ଡର ଶେଷ ଦିନରେ ‘ସମ୍ପୂର୍ଣ୍ଣ’ ଅଫିସରେ ନିରଞ୍ଜନ ଓ ଶର୍ମିଷ୍ଠାକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିଥିଲା କ୍ରାଇମବ୍ରାଞ୍ଚ । ମର୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତର ସ୍କାଏ ଟାଓ୍ୱାରରେ ଥିବା ଫ୍ଲାଟରେ ସିନ୍ ରିକ୍ରିଏସନ୍ କରିଥିଲା ଟିମ୍ । ଫ୍ଲାଟରେ ଶର୍ମିଷ୍ଠାର ମୋବାଇଲକୁ ଜବତ କରିଛି କ୍ରାଇବ୍ରାଞ୍ଚ । ଆପାର୍ଟମେଣ୍ଟର ସିକ୍ୟୁରିଟି ପାଖରେ ଶର୍ମିଷ୍ଠାର ନଣନ୍ଦ ଛାଡିଯାଇଥିବା ଏକ ଅଣ୍ଡରଟେକିଂ କ୍ରାଇବ୍ରାଞ୍ଚ ପାଇଛି ।

ସେପଟେ ଜେରା ବେଳେ ମୁହଁ ଖୋଲିଛି ଅଭିଯୁକ୍ତ ନିରଞ୍ଜନ ସେଠୀ । ଶର୍ମିଷ୍ଠାକୁ ଫେରାର ହେବାରେ ସେ ସହାୟତା କରିଥିଲା । ଶର୍ମିଷ୍ଠାକୁ ଦେଇଥିଲା ଗାଡି ଓ ୧୦ ହଜାର ଟଙ୍କା । ସେହି ଗାଡିରେ ଶର୍ମିଷ୍ଠା ଯାଜପୁର ସ୍ଥିତ କାଳିଆପାଣି ସ୍ଥିତ ନିଜ ଶାଶୂଘରକୁ ଯାଇଥିଲା । ଏହାଛଡା ମାନସଙ୍କୁ ଅପହରଣ କରିବା ପରେ ପ୍ରଥମେ ଦୟାଲ ଆଶ୍ରମ ଓ ପରେ ସମ୍ପୂର୍ଣ୍ଣ ଅଫିସକୁ ନିଆଯାଇଥିଲା । ଶର୍ମିଷ୍ଠା ରୁମରୁ ମିଳିଥିବା ନିରଞ୍ଜନଙ୍କ ସିକ୍ରେଟ୍ ଡାଏରୀ ଏବେ କ୍ରାଇମବ୍ରାଞ୍ଚ ସ୍କାନରରେ ରହିଛି ।

ରାଜ ଠାକରେଙ୍କ ଚେତାବନୀ ! ମସଜିଦରୁ ଲାଉଡ ସ୍ପିକର ହଟାଅ ନହେଲେ…

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ବା ଏମଏନଏସ ନେତା ରାଜ ଠାକରେଙ୍କ ବିଚିତ୍ର ଆହ୍ବାନ । ଖେଳିଲେ ସାମ୍ପ୍ରଦାୟିକ କାର୍ଡ । ମସଜିଦ ଗୁଡିକରେ ଲାଗିଥିବା ଲାଉଡ ସ୍ପିକର ଗୁଡ଼ିକୁ ହଟାଇ ଦେବା ଲାଗି ରାଜ୍ୟ ପୋଲିସ ନିକଟରେ ଦାବି କରିଛନ୍ତି ଠାକରେ । ମୁମ୍ବାଇ ଶିବାଜୀ ପାର୍କରେ ଆୟୋଜିତ ଏକ ଦଳୀୟ ସମାବେଶରେ ଉଦବୋଧନ ଦେଇ ଠାକରେ କହିଛନ୍ତି, ମସଜିଦରେ ଉଚ୍ଚ ସ୍ୱରରେ ଲାଉଡ ସ୍ପିକର କାହିଁକି ବାଜିବ ? ଯଦି ତାହାକୁ ବନ୍ଦ କରା ନଯିବ ତେବେ ମସଜିଦ ବାହାରେ ଏଣିକ ଉଚ୍ଚସ୍ବରରେ ପାଠ ହେବ ହନୁମାନ ଚାଳିଶା ।

ଠାକରେ କହିଛନ୍ତି, ସେ କୌଣସି ଏକ ଧର୍ମାବଲମ୍ବୀଙ୍କ ପ୍ରାର୍ଥନା ବିରୋଧରେ ନାହାନ୍ତି । ସେ ନିଜେ ବି ନିଜ ଧର୍ମ ଲାଗି ଗର୍ବିତ । ମାତ୍ର ମସଜିଦ ଗୁଡିକରେ ଯେଉଁପରି ଭାବେ ଉଚ୍ଚସ୍ବରରେ ଲାଉଡ ସ୍ପିକର ବାଜୁଛି ତାହା ବନ୍ଦ ହେବା ଦରକାର । ଏହି ସଭାରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିବା ସହ ଜାତିବାଦୀ ବିଦ୍ବେଷ ସୃଷ୍ଟି କରୁଥିବା ନେଇ ସରକାରୀ ସହଯୋଗୀ ଦଳ ଏନସିପିକୁ ଭର୍ତ୍ସନା କରିଛନ୍ତି ।

ୟୁପିକୁ ପ୍ରଶଂସା କରି ଏମଏନଏସ ମୁଖ୍ୟ କହିଛନ୍ତି ଯେ ୟୁପି ପ୍ରଗତି ପଥରେ ଆଗକୁ ବଢୁଛି । ଆମେ ମହାରାଷ୍ଟ୍ରରେ ମଧ୍ୟ ସମାନ ବିକାଶ ଚାହୁଁଛୁ । ତାଙ୍କ ସମ୍ବୋଧନରେ ସେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଆଲୋଚନା କରିବା ସହ ତାଙ୍କ ଉପରେ ସାମ୍ପ୍ରଦାୟିକ କାର୍ଡ ଖେଳିବା ସହ ସମାଜକୁ ବିଭାଜନ କରିଥିବା ଅଭିଯୋଗ କରିଛନ୍ତି ।

ଥମୁନି ହାତୀ ଉପଦ୍ରବ, ପୁଣି ଜନବସତି ମୁହାଁ ଗଜରାଜ

ନୀଳଗିରି: ଥମୁନି ହାତୀ ଉପଦ୍ରବ କି ମିଳୁନି ଲୋକଙ୍କୁ ଆଶ୍ୱସ୍ତି । ପୁଣି ଜନବସତି ମୁହାଁ ଗଜରାଜ । ବନ ବିଭାଗର ଅପାରଗତାକୁ ନେଇ ଗାଁରେ ଉତ୍ତେଜନା । ନୀଳଗିରି କୁଳଡ଼ିହା ବନ ବିଭାଗ ଅଧିନ ଜୁଣିଆ ଗାଁରେ ପୁଣି ହାତୀ ଉପଦ୍ରବ । ଗାଁର ଭୀମସେନ ଦାସଙ୍କ ଘର ଭାଙ୍ଗିବା ସହ କାନ୍ଥ ପଡ଼ି ନାବାଳିକା ଝିଅ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଜେଜେମା । କିଛି ଦିନ ତଳେ ଜଙ୍ଗଲରେ ଦୁଇଟି ହାତୀର ଗଳିତ ମୃତଦେହ ଠାବ ହୋଇଥିଲା । ପରେ ଗାଁରେ ବାରମ୍ବାର ହାତୀ ଉପଦ୍ରବ ରଚି ଚାଲିଛି ।

ଗତ ରାତିରେ ବି ଗାଁରେ ଏକ ମାଈ ହାତୀ ପଶି ଉପଦ୍ରବ ରଚିଥିବା ଦେଖାଯାଇଛି । ଏଭଳି ସ୍ଥଳେ ବନ ବିଭାଗ ହାତୀଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ହେବା ସହ ଅଭୟାରଣ୍ୟରେ ହାତୀଙ୍କ ପାଇଁ ପ୍ରତିକୂଳ ପରିବେଶ ଯୋଗାଇବାରେ ଅକ୍ଷମ ହୋଇଛି । ଫଳରେ ହାତୀ ବାରମ୍ବାର ଜନବସତି ମୁହାଁ ହେଉଥିବାରୁ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

 

କିଭର ଅଧିକାଂଶ ଅଞ୍ଚଳରୁ ଋଷ ସୈନ୍ୟ ହଟିବା ପରେ ରାସ୍ତାରେ ପଡ଼ିଛି ହାତଗୋଡ ବନ୍ଧା ଶବ

କିଭ୍: ୩୯ ଦିନରେ ଋଷ-ୟୁକ୍ରେନ ୱାର । କମୁଛି ଋଷ ସୈନ୍ୟ ବଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛନ୍ତି ୟୁକ୍ରେନ ସୈନ୍ୟ । ରାଜଧାନୀ କିଭର ଅଧିକାଂଶ ଅଞ୍ଚଳକୁ ମୁକ୍ତ କରାଯାଇଛି ବୋଲି ଦାବି କରିଛି ୟୁକ୍ରେନ । ବିଭିନ୍ନ ସ୍ଥାନରେ ୟୁକ୍ରେନ ସୈନ୍ୟଙ୍କ ଆକ୍ରମଣରେ ଋଷ ସୈନ୍ୟ ପଛକୁ ହଟୁଥିବା ସୂଚନା ମିଳୁଛି । ଉପପ୍ରତିରକ୍ଷା ମନ୍ତ୍ରୀ ଗାନ୍ନା ମାଲିଆର କହିଛନ୍ତି, ଋଷ ସୈନ୍ୟଙ୍କ କବଳରୁ ଇରପିନ, ଗୋସ୍ତୋମେଲ ସହର ସମତେ କିବର ବ୍ୟାପକ ଅଞ୍ଚଳକୁ ମୁକ୍ତ କରାଯାଇଛି ।

ଏହାସହ ଋଷର ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ୱଂସ ହୋଇଛି ବୋଲି ସେ କହିଛନ୍ତି । ଫେବ୍ରୁଆରୀ ୨୪ ଆକ୍ରମଣ ପରଠାରୁ ଏହି ସମସ୍ତ ଅଞ୍ଚଳରେ ଋଷ ନିଜର ପ୍ରାଧାନ୍ୟ ବଜାୟ  ରଖିଥିଲା । ମାତ୍ର ଦିନକୁ ଦିନ ଏହି ସହର ଉପରେ ଋଷ ନିଜର ନିୟନ୍ତ୍ରଣ ହରାଇବାରେ ଲାଗିଛି । ବୁଚା ସହରରେ ଗୋଟିଏ ସ୍ଥାନରେ ୨୦ରୁ ଅଧିକ ଶବ ପଡିରହିଥିବା ବେଳେ ୩୦୦ରୁ ଅଧିକ ଶବ ପୋତାଗଲାଣି ବୋଲି କହିଛନ୍ତି ବୁଚା ସହରର ମେୟର । ଏହାସହ ଅନେକ ଶବଗୁଡ଼ିକର ହାତ ଗୋଡ ବନ୍ଧା ହୋଇଥିବାର ମଧ୍ୟ ଦେଖାଯାଇଛି ।

 ବର୍ତ୍ତମାନ ସୁଦ୍ଧା ଇରପିନରେ ୬୪୦ରୁ ଅଧିକ ବିସ୍ଫୋରଣ ଘଟିଥିବା ବେଳେ, ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି । କିବରେ ଆକ୍ରମଣ ହ୍ରାସ କରାଯିବା ନେଇ ମସ୍କୋର ଘୋଷଣା ପରେ ୟୁକ୍ରେନର ଏହି ଦାବିକୁ ନେଇ ସସପେନ୍ସ ସୃଷ୍ଟି ହୋଇଛି । ସର୍ବପ୍ରଥମେ ଋଷ ଅକ୍ତିଆର କରିଥିବା ଚେର୍ଣ୍ଣୋବିଲ ନ୍ୟୁକ୍ଲିୟର ପ୍ଲାଣ୍ଟରେ ଏବେ ୟୁକ୍ରେନ ପତାକା ଉଡୁଥିବା ଦେଖାଦେଇଛି । ସେପଟେ ମାରିଉପୋଲରେ ଉଦ୍ଧାର ପ୍ରକ୍ରିୟା ଜାରି ରହିଥିବା ବେଳେ ଜୀବନ ବିକଳରେ ଲୋକେ ପଳାୟନ କରୁଥିବା ଦେଖାଯାଇଛି  ।

ତାତିରୁ ମିଳିବ ତ୍ରାହି, ୬ରେ ସୃଷ୍ଟି ହୋଇପାରେ ଲଘୁଚାପ

ଭୁବନଶ୍ୱର: ଆସୁଛି ଏକ ଲଘୁଚାପ । ୬ ଏପ୍ରିଲ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟାରେ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏପଟେ ରାଜ୍ୟରେ ଶୁଖିଲା ପାଗ ସାଙ୍ଗକୁ ବଢୁଛି ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୪ ଉପରେ ରହୁଛି ତାପମାତ୍ରା । ଆଗମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବରିବର୍ତ୍ତନ ହେବାର ସମ୍ଭାବନାର ନାହିଁ । ଉପକୂଳ ଓଡ଼ିଶାରେ ସାମୁଦ୍ରିକ ବାୟୁର ପ୍ରଭାବ ହେତୁ ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିଛି ।

ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଦକ୍ଷିଣ ଓଡ଼ିଶାର କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ କିଛି ଅଞ୍ଚଳରେ ବର୍ଷା ହୋଇପାରେ । ଅନ୍ୟପଟେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରଚଣ୍ଡ ଖରା ରହୁଛି । ଏହି ସମୟରେ ବିଶେଷ ଗୁରୁତ୍ୱପୂର୍ଣ୍ଣ କାମ ନଥିଲେ ଘରୁ କିମ୍ବା ଅଫିସରୁ ବାହାରକୁ ନ ବାହାରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।