spot_img
Home Blog Page 4574

ଶ୍ରୀଲଙ୍କାରେ ଭୟଙ୍କର ହେଉଛି ପରିସ୍ଥିତି, ଦେଶରେ କର୍ଫ୍ୟୁ ଜାରି

କଲମ୍ବୋ: ଶ୍ରୀଲଙ୍କାରେ ଜଳୁଛି ବିଦ୍ରୋହର ନିଆଁ । ସାରା ଦେଶର ଦୟନୀୟ ସ୍ଥିତି ସମେତ ବିଭିନ୍ନ ସ୍ଥାନରେ ତୀବ୍ର ଅଶାନ୍ତି ସୃଷ୍ଟି ହୋଇଛି । ଜାରି ରହିଛି ଜରୁରୀ ପରିସ୍ଥିତି । ୧୨ରୁ ୧୩ ଘଣ୍ଟା ବିଦ୍ୟୁତ୍ କାଟ୍ ହେଉଥିବା ବେଳେ ସହରରେ ଷ୍ଟ୍ରିଟ୍ ଲାଇଟ୍ ବନ୍ଦ ରହୁଛି । ୩୦ ପ୍ରତିଶତ ମହଙ୍ଗା ହେଲାଣି ଔଷଧ । ପେଟ୍ରୋଲ ପମ୍ପରେ ଭିଡ଼ିକୁ ନଜରରେ ରଖି ଯବାନ ମୁତୟନ ହୋଇଛନ୍ତି । ଅସ୍ଥିର ଜର୍ଜରିତ ରାଷ୍ଟ୍ରରେ ରାଷ୍ଟ୍ରପତି ଇସ୍ତଫା ଦେବା ଲାଗି ଦାବି ଜୋର ଧରିବା ପରେ ରାଜପକ୍ଷେ ଏହି ଚରମ ନିଷ୍ପତ୍ତି ନେଇଛନ୍ତି । ତେବେ ଜରୁରୀ ସାମଗ୍ରୀର ଯୋଗାଣକୁ ନିର୍ଦ୍ଦେଶନାମାରେ ଗୁରୁତ୍ବ ଦିଆଯାଇଛି । ଇନ୍ଧନ, ଖାଦ୍ୟ ପଦାର୍ଥ, ବିଦ୍ୟୁତ ଅଭାବ ଯୋଗୁ ଦେଶ ଅଭୁତପୂର୍ବ ସଙ୍କଟ ବଳୟକୁ ଠେଲି ହୋଇଯାଇଛି ।

ଅନ୍ୟପଟେ,  ଆର୍ଥିକ ସଙ୍କଟ ଯୋଗୁଁ ବ୍ୟାପିବାରେ ଲାଗିଥିବା ହିଂସାର ମୁକାବିଲା ପାଇଁ ସରକାର ଦେଶରେ ଜରୁରୀ ପରିସ୍ଥିତି ସହିତ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି କରିଛନ୍ତି । କର୍ଫ୍ୟୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସେନା ଓ ପୁଲିସକୁ ଅଖଣ୍ଡ କ୍ଷମତା ଦିଆଯାଇଛି। ରାଜଧାନୀ କଲମ୍ବେ‌ାର ସମସ୍ତ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ଏବେ ସେନା ଛାଉଣି ପାଲଟିଯାଇଛି।

ସେପଟେ ଭାରତ ଯୋଗାଇଥିବା ୪୦ ହଜାର ଟନ ଡିଜେଲ ଭରା ଜାହାଜ ଶ୍ରୀଲଙ୍କାରେ ପହଞ୍ଚିଛି । ଶ୍ରୀଲଙ୍କାକୁ ଭାରତ ଦେଇଥିବା ୧୦୦ କୋଟି ଡଲାର ଋଣ ମଧ୍ୟରେ ରହିଛି ଏହି ତୈଳ । ପ୍ରାୟ ୨ କୋଟି ୨୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି । ରାଜଧାନୀ କଲମ୍ବୋରେ ମଧ୍ୟ କଡା କଟକଣା ଲାଗିଛି ।

ଆଜି ପୁଣି ବଢ଼ିଲା ତୈଳ ଦର, ଦିଲ୍ଲୀରେ ୮୦ ପଇସା ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ

ଭୁବନେଶ୍ୱର: ଆଜି ପୁଣି ବଢ଼ିଲା ତେଲ ଦର । ଦିଲ୍ଲୀରେ ୮୦ ପଇସା ଲେଖାଏଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୪୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୬୭ ପଇସା ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୪ ପଇସା ବଢ଼ି ୧୧୮ ଟଙ୍କା ୪୧ ପଇସା ହୋଇଥିବା ବେଳେ ଡିଜେଲ ଦର ୮୫ ପଇସା ବଢ଼ି ୧୦୨ ଟଙ୍କା ୬୪ ପଇସାରେ ପହଞ୍ଚିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୭୫ ପଇସା ବଢ଼ି ୧୦୮ ଟଙ୍କା ୯୬ ପଇସା ଓ ଡିଜେଲ ଦର ୯୯ ଟଙ୍କା ୪ ପଇସା ହୋଇଛି । କୋଲକାତା ପେଟ୍ରୋଲ ଦର ୮୪ ପଇସା ବଢି ୧୧୩ ଟଙ୍କା ୩ ପଇସା ହୋଇଥିବା ବେଳେ ଡିଜେଲ ଦର ୮୦ ପଇସା ବଢି ୯୭ ଟଙ୍କା ୮୨ ପଇସାରେ ପହଞ୍ଚିଛି ।

ଯଦି ଭୁବନେଶ୍ୱର କଥା କହିବା ତାହାଲେ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮୫ ପଇସା ବଢ଼ି ୧୧୦ ଟଙ୍କା ୫୩ ପଇସା ଓ ୧୦୦ ଟଙ୍କା ୨୩ ପଇସାରେ ପହଞ୍ଚିଛି । ସେହିପରି ମାଲକାନଗିରିରେ ପେଟ୍ରୋଲ ଦର ୮୪ ପଇସା ବଢ଼ି ୧୧୫ ଟଙ୍କା ୯୦ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ ଦର ୫୮ ପଇସା ବୃଦ୍ଧି ପାଇ ୧୦୫ ଟଙ୍କା ୪୮ ପଇସାରେ ପହଞ୍ଚିଛି ।

ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ

ନନ୍ଦିଘୋଷ ବ୍ୟୁରୋ: ଆଜି ପାକିସ୍ତାନ ରାଜନୀତିର ଶେଷ ଓଭର ଖେଳିବେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଆଜି ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବ । ଏହି ଭୋଟିଂରେ ଇମ୍ରାନ୍ ହାରିଲେ ପ୍ରଧାନମନ୍ତ୍ରୀ ପଦ ହାତରୁ ଯିବ । ଗତ ଗୁରୁବାର ଦିନ ଇସ୍ତଫା ଦେବେ ନାହିଁ ବୋଲି ଇମ୍ରାନ ଖାନ ଦେଶବାସୀଙ୍କୁ ସମ୍ବୋଧନ କରି ରୋକଠୋକ ମନା କରି ଦେଇଥିଲେ ।

ଏକ ବିଦେଶୀ ଶକ୍ତି ତାଙ୍କୁ ହଟାଇବାକୁ ଚାହୁଁଛି ବୋଲି ଦୋହରାଇ ଥିଲେ ଇମ୍ରାନ । ଦେଶର କିଛି ସାଂସଦ ପାକିସ୍ତାନର ସଂହତି ଓ ସାର୍ବଭୌମତ୍ବ ପ୍ରତି ବିପଦ ସୃଷ୍ଟି କରୁଥିବା ଦେଶ ଇସାରାରେ କାର୍ଯ୍ୟ କରୁଛନ୍ତି । ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଏକ ବିଦେଶୀ ଷଡଯନ୍ତ୍ର ବୋଲି ଇମ୍ରାନ୍ କହିଛନ୍ତି । ଏପଟେ ପାକିସ୍ତାନର ଯୁବପୀଢିଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଏଭଳି ଅନ୍ୟାୟ ବିରୋଧରେ ପ୍ରତିବାଦ କରିବାକୁ ଆହ୍ବାନ କରିଛନ୍ତି ଇମ୍ରାନ୍ ।

ନ୍ୟାସନାଲ ଏସେମ୍ଲିରେ ଭୋଟିଂ ସମୟରେ ଯୁବପୀଢି ଆନ୍ଦୋଳନ କରିବା ଦରକାର ବୋଲି ଇମ୍ରାନ୍ କହିଛନ୍ତି । ନ୍ୟାସନାଲ ଆସେମ୍ବଲିର ୩୪୨ ସଦସ୍ୟଙ୍କ ମଧ୍ୟରୁ ୧୭୭ ଜଣଙ୍କ ସମର୍ଥନ ଯୋଗାଡ କରିବାରେ ସମର୍ଥ ହୋଇଛନ୍ତି ବିରୋଧୀ । ଏପଟେ ସମର୍ଥକ କିନ୍ତୁ ଇମ୍ରାନ୍ ପ୍ରଧାନମନ୍ତ୍ରୀ ପଦ ନଛାଡନ୍ତୁ ବୋଲି ଦାବି ହୋଇଛି ।

ସରିଲା ୪ ଅଭିଯୁକ୍ତଙ୍କ ରିମାଣ୍ଡ, ଆଜି ସମସ୍ତଙ୍କୁ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ

କଟକ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ସରିଲା ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି । କେତେ ସତ ଉଗାରିଲେ ଅଭିଯୁକ୍ତ । ମାନସ ହତ୍ୟା ଉପରୁ ପରଦା ହଟାଇବା ପାଇଁ କ୍ରାଇମବ୍ରାଞ୍ଚକୁ ମିଳିଛି କି ଉପଯୁକ୍ତ ପ୍ରମାଣ? ଆଜି କୋର୍ଟରେ ଶର୍ମିଷ୍ଠା, ନିରଞ୍ଜନ, ଝୁନା, ରଞ୍ଜନ ଓ ଡ୍ରାଇଭର ଭାଗ୍ୟଧରଙ୍କୁ ହାଜର କରିବ କ୍ରାଇମବ୍ରାଞ୍ଚ । ଆବଶ୍ୟକ ପଡ଼ିଲେ ପୁଣି ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ରୁମରୁ ମିଳିଥିବା ନିରଞ୍ଜନଙ୍କ ସିକ୍ରେଟ୍ ଡାଏରୀ ଏବେ କ୍ରାଇମବ୍ରାଞ୍ଚ ସ୍କାନରରେ ରହିଛି ।

ଗତକାଲି ରିମାଣ୍ଡର ଶେଷ ଦିନରେ ‘ସମ୍ପୂର୍ଣ୍ଣ’ଅଫିସରେ ନିରଞ୍ଜନ ଓ ଶର୍ମିଷ୍ଠାଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିଥିଲା କ୍ରାଇମବ୍ରାଞ୍ଚ । ମର୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତର ସ୍କାଏ ଟାଓ୍ୱାରରେ ଥିବା ଫ୍ଲାଟରେ ସିନ୍ ରିକ୍ରିଏସନ୍ କରିଥିଲା ଟିମ୍ । ଫ୍ଲାଟରେ ଶର୍ମିଷ୍ଠାର ମୋବାଇଲକୁ ଜବତ କରିଛି କ୍ରାଇବ୍ରାଞ୍ଚ । ଆପାର୍ଟମେଣ୍ଟର ସିକ୍ୟୁରିଟିଠାରେ ଶର୍ମିଷ୍ଠାର ନଣନ୍ଦ ଛାଡିଯାଇଥିବା ଏକ ଅଣ୍ଡରଟେକିଂ କ୍ରାଇମବ୍ରାଞ୍ଚ ପାଇଛି ।

ସେପଟେ ଜେରା ବେଳେ ମୁହଁ ଖୋଲିଛି ଅଭିଯୁକ୍ତ ନିରଞ୍ଜନ ସେଠୀ । ଶର୍ମିଷ୍ଠାକୁ ଫେରାର ହେବାରେ ସେ ସହାୟତା କରିଥିଲା । ଶର୍ମିଷ୍ଠାକୁ ଦେଇଥିଲା ଗାଡି ଓ ୧୦ ହଜାର ଟଙ୍କା । ସେହି ଗାଡିରେ ଶର୍ମିଷ୍ଠା ଯାଜପୁର ସ୍ଥିତ କାଳିଆପାଣି ନିଜ ଶାଶୂଘରକୁ ଯାଇଥିଲେ । ଏହାଛଡା ମାନସଙ୍କୁ ଅପହରଣ କରିବା ପରେ ପ୍ରଥମେ ଦୟାଲ ଆଶ୍ରମ ଓ ପରେ ସମ୍ପୂର୍ଣ୍ଣ ଅଫିସକୁ ନିଆଯାଇଥିଲା ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ

ପୁରୀ: ବଦଳିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ । ଶ୍ରୀମନ୍ଦିର ସହ ପୂର୍ତ୍ତ ସଚିବ ପ୍ରମୁଖ ସଚିବ ଦାୟିତ୍ବ ତୁଲାଇବେ ବୀର ବିକ୍ରମ ଯାଦବ ।

୧୯୯୬ ବ୍ୟାଚ୍ ଆଇଏଏସ୍ ହେଉଛନ୍ତି ବୀର ବିକ୍ରମ ଯାଦବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମିଳିଲା ଅତିରିକ୍ତ ଦାୟିତ୍ବ । ତାଙ୍କୁ ପୂର୍ତ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସଞ୍ଜୀବ ଚଢ଼ାଙ୍କୁ ସମବାୟ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । କୃଷି ବିଭାଗ ସ୍ବତନ୍ତ୍ର ସଚିବ ଅଛନ୍ତି ସଞ୍ଜୀବ ଚଢ଼ା । ସେହିପରି ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ହେଲେ ଶୁଭମ ସାକସେନା  । କେନ୍ଦ୍ରୀୟ ଡେପୁଟେସନରୁ ଫେରିଲେ ନିକୁଞ୍ଜ କିଶୋର ସୁନ୍ଦରାୟ । ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ତାଙ୍କୁ ଅବସ୍ଥାପିତ କରାଯାଇଛି ।

ଆରମ୍ଭ ହେଲା ପୁରୀ ସ୍ବର୍ଗଦ୍ବାର ଶବ ସଂରକ୍ଷଣ ଫ୍ରିଜର

ପୁରୀ: ସ୍ଵର୍ଗଦ୍ଵାର ସେବା ସମିତି ଦ୍ବାରା ଉତ୍କଳ ଦିବସ ଅବସରରେ ପୁରୀ ସ୍ବର୍ଗଦ୍ବାର ଆରମ୍ଭ ହେଲା ଶବ ସଂରକ୍ଷଣ ଫ୍ରିଜର ସେବା । ଆଜି ପୁରୀ ରେଡକ୍ରସ ରୋଡ ନିବାସୀ ଲୀଳା ଶର୍ମା ନିଜ ସ୍ବର୍ଗତ ଶାଶୁଙ୍କ ଶବ ସଂରକ୍ଷଣ ପାଇଁ ସ୍ବର୍ଗଦ୍ବାର ସେବା କେନ୍ଦ୍ର ସହିତ ଯୋଗାଯୋଗ କରିଥିଲେ । ସ୍ବର୍ଗଦ୍ଵାର ତରଫରୁ ତାଙ୍କୁ ତୁରନ୍ତ ଏହି ସେବା ଯୋଗାଇ ଦିଆଯାଇଛି ।

ଏହା ଏକ ପ୍ରିପେଡ୍ ସେବା ହୋଇଥିବାରୁ ସମସ୍ତେ ଏହି ସୁବିଧା ପାଇପାରିବେ ବୋଲି ସମିତି ପକ୍ଷରୁ କୁହାଯାଇଛି । କୌଣସି ବ୍ୟକ୍ତି ଚାହିଁଲେ ୨୪ ଘଣ୍ଟାକୁ ଏକ ହଜାର ଟଙ୍କା ଦେଇ ଏହାର ସୁବିଧା ପାଇ ପାରିବେ । ଏହା ସହିତ ମୃତ ବ୍ୟକ୍ତିଙ୍କ ଶବ ଆଣିବା ପାଇଁ ସ୍ବର୍ଗଦ୍ବାର ସେବା ସମିତି ତରଫରୁ ସ୍ବର୍ଗ ରଥର ମଧ୍ୟ ବ୍ୟବସ୍ଥା କରାଯାଇଛି । ପୁରୀ ମ୍ୟୁନିସିପାଲିଟି ପରିସୀମା ମଧ୍ୟରେ ୭୫୦ ଟଙ୍କା ଓ ପୁରୀ ପୌରାଞ୍ଚଳଠାରୁ 10 କିମି ମଧ୍ୟରେ 12 ଶହ ଟଙ୍କା ଦେଇ ଲୋକେ ଏହାର ସୁବିଧା ପାଇପାରିବେ ।

ଖରାଦିନେ ରାଜ୍ୟରେ ରହିବନି ପାଣି ସମସ୍ୟା

ଭୁବନେଶ୍ବର: ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଏହାକୁ  ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଛନ୍ତି । ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ପିଡି ଡିଆର୍‌ଡିଏ, ବିଡିଓ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଲୋକେ ଯେପରି ପାନୀୟ ଜଳ ସମସ୍ୟାର ସମ୍ମୁଖିନ ନହେବେ, ସେଥିପ୍ରତି ଦୃଷ୍ଟିଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ବୈଠକରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପ୍ରମୁଖ ସଚିବ ଅଶୋକ ମିନା, ପାନୀୟଜଳ ନିର୍ଦ୍ଦେଶକ ବି ପରମେଶ୍ବରନ୍, ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ୍ ଡାକୁଆ, ଆର୍‌.ଡବ୍ଲୁ.ଏସ୍‌.ଏସ୍ ଯନ୍ତ୍ରୀମୁଖ୍ୟ ଅମୁଲ୍ୟ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଗ୍ରାମାଞ୍ଚଳରେ ଅଚଳ ନଳକୂପ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଅଭିଯୋଗ ପାଇବା ମାତ୍ରେ ଭ୍ରାମ୍ୟମାଣ ମରାମତି ବ୍ୟବସ୍ଥା କରିବା, ମରାମତି ଅବସ୍ଥାରେ ନଥିଲେ ନୂତନ ନଳକୂପ ବ୍ୟବସ୍ଥା କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୌଣସି ଦୂଷିତ ଜଳ ବ୍ୟବହାର ନକରିବାକୁ ଲୋକମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ସୋଲାର ନଳକୂପଗୁଡିକୁ ମଧ୍ୟ ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ରକ୍ଷଣାବେକ୍ଷଣ କରାଯିବା ଉପରେ ଗୁରୁତ୍ବାରୋପ କରିଛନ୍ତି ।

ଭାରତ-ନେପାଳ ସମ୍ପର୍କରେ ନୂଆ ଇତିହାସ

ନୂଆଦିଲ୍ଲୀ: ଉଦଘାଟିତ ହେଲା ଭାରତ ଓ ନେପାଳ ମଧ୍ୟରେ ପ୍ରଥମ ରେଳ ଲିଙ୍କ । ପତାକା ହଲାଇ ଏହାର ଉଦଘାଟନ କଲେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିହାରର ଜୟନଗର ଓ ନେପାଳର କୁର୍ଥା ମଧ୍ୟରେ ଚଳାଚଳ କରିବ ପାସେଞ୍ଜର ଟ୍ରେନ । ଏହି ପ୍ରକଳ୍ପ ହେଉଛି ୬୯ କିମି ଦୀର୍ଘ ଜୟନଗର-ବିଜଲପୁରା-ବାର୍ଦିଦାସ ରେଳ ଲିଙ୍କ ପ୍ରକଳ୍ପର ଅଂଶ ବିଶେଷ ।

ଭାରତ-ନେପାଳ ସୀମାନ୍ତରୁ ଜୟନଗରର ଦୂରତା ମାତ୍ର ୪ କିମି । ଏହାସହ ଉଭୟ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ରୁପେ ଡିଜିଟାଲ ପେମେଣ୍ଟ ଆପ୍ଲିକେସନର ମଧ୍ୟ ଶୁଭାରମ୍ଭ କରିଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ଦ୍ବପାକ୍ଷିକ ସମ୍ପର୍କ ବୃଦ୍ଧି ଉପରେ କରିଛନ୍ତି ଗୁରୁତ୍ବାରୋପ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି- ଦେଓବା ଭାରତର ଜଣେ ପୁରୁଣା ବନ୍ଧୁ । ଦୁଇ ଦେଶର ନାଗରିକଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଭାବ ବିନିମୟର ସଂସ୍କୃତି ଅନ୍ୟ କେଉଁଠି ଦେଖାଯାଏନାହିଁ ।

ତିନିଦିନିଆ ଭାରତ ଗସ୍ତରେ ଆସିଥିବା ଦେଓବା ଶକ୍ତି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ । ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସରେ ହୋଇଥିବା ଆଲୋଚନାରେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ସମେତ ଉପସ୍ଥିତ ଥିଲେ ଦୁଇ ଦେଶର ପ୍ରତିନିଧି ।

ତହସିଲଦାରଙ୍କୁ ମାଡ଼ ଘଟଣାରେ ଦୁଇ ଅଟକ

ପଟ୍ଟାମୁଣ୍ଡାଇ: ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ମାଡ଼ ଘଟଣାରେ ଦୁଇ ଅଟକ । ତହସିଲଦାର ଦିଲ୍ଲୀପ ସେଠୀଙ୍କ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି ।

ସୂଚନାଯୋଗ୍ୟ, ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ମୋହନପୁର ପଞ୍ଚାୟତର ଏକାଧିକ ଚାଷୀ ନିଜ ଜମି ପାଖରେ ବେଆଇନ ଇଟାଭାଟି  ନିର୍ମାଣକୁ ବିରୋଧ କରିଥିଲେ । ଏହାକୁ ନେଇ ଚାଷୀମାନେ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ । ତୁରନ୍ତ ଚାଷ ଜମି ପାଖରେ ଇଟାଭାଟି ବନ୍ଦ କରିବାକୁ ଦାବି କରି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ତହସିଲଦାର ଧାରଣାରତ ଚାଷୀଙ୍କ ସହ ଆଲୋଚନା କରିବା ସହ ଇଟାଭାଟି ଉଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ତହସିଲଦାରଙ୍କ ପାଖରୁ ପ୍ରତିଶ୍ରୁତି ପାଇବା ପରେ ଚାଷୀମାନେ ଧାରଣାରୁ ଉଠି ଘରକୁ ଫେରିଥିଲେ ।

ତେବେ ଗତକାଲି ରାତିରେ ଇଟା ମାଫିଆମାନେ ଇଟାଭାଟିରେ ନିଆଁ ଳଗାଇ ଥିଲେ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ଉତ୍ତ୍ୟକ୍ତ ଚାଷୀ ଆଜି ପୁଣି ତହସିଲ କାର୍ଯ୍ୟାଳୟକୁ ଆସି ଇଟା ଭାଟିରେ ନିଆଁ ଲାଗାଇବାକୁ ଇଟା ମାଫିଆଙ୍କୁ କେମିତି ଅନୁମତି ମିଳିଲା ବୋଲି ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଚାଷୀ ଓ ତହସିଲଦାରଙ୍କ ମଧ୍ୟରେ ବଚସା ହୋଇଥିଲେ । ଏଥିରେ ଉତ୍ତ୍ୟକ୍ତ ଚାଷୀ ତହସିଲଦାରଙ୍କ ସହ ଧସ୍ତାଧସ୍ତି କରିଥିଲେ । ଏହାସହ ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ଦୋଳ ଗୋବିନ୍ଦ ସାହୁ ଓ ଉଦୟ ଭାନୁ ସାହୁ ମିଳିତ ଭାବେ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ ।

୨୦୩୬ରେ ସାରା ଦେଶକୁ ମାର୍ଗ ଦର୍ଶନ କରାଇବ ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ୨୨ ବର୍ଷ ଧରି ସ୍ବଚ୍ଛ, ନିର୍ମଳ ଓ ଦୁର୍ନୀତିମୁକ୍ତ ଶାସନ ସାଙ୍ଗକୁ ସ୍ଥିର ସରକାର । ଗାନ୍ଧିଜୀଙ୍କ ନୀତି ଆଦର୍ଶ ସହ ଗରିବ କଲ୍ୟାଣ ଯୋଜନା । ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, କୃଷି ଓ ପର୍ଯ୍ୟଟନ ସାଙ୍ଗକୁ ଗମନାଗମନ । ସଫଳତାର ସହ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା । ସବୁଥିରେ ଜିରୋ କାଜୁଆଲଟିକୁ ଗୁରୁତ୍ବ । କୋଭିଡ୍‌ ମହାମାରୀ ବେଳେ ଜୀବନ ରକ୍ଷା ସହ ଜୀବିକାକୁ ଗୁରୁତ୍ବ । କୋଭିଡ୍‌ ସମୟରେ ସାରା ଦେଶକୁ ଅକ୍ସିଜେନ ଯୋଗାଇ ମହାମାରୀ ମୁକାବିଲା ପାଇଁ ବାଟ ଦେଖାଇବା ହେଉ ଅବା ବେକାରୀ ହ୍ରାସ, ସବୁଥିରେ ଓଡ଼ିଶା ଦେଶ ପାଇଁ ରୋଲ୍‌ ମଡେଲ୍‌ ସାଜିଛି । ଆଉ ୧୪ ବର୍ଷ ପରେ ସ୍ବତନ୍ତ୍ର ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ ।

୨୦୩୬ରେ ସାରା ଦେଶକୁ ମାର୍ଗ ଦର୍ଶନ କରାଇବ ଓଡ଼ିଶା । ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ପରେ ରାଜ୍ୟ ସରକାରଙ୍କ ଭିଜନ ଏବେ ଚର୍ଚ୍ଚାରେ । ବିକାଶ ପଥରେ ରାଜ୍ୟ ଯେପରି ଅଗ୍ରଗତି ହେଉଛି, ତାହା ୨୦୩୬ ଭିଜନକୁ ସଫଳ କରିବ ବୋଲି ବିଜେଡି କହିଛି । ନୂଆ ଓଡ଼ିଶା, ସଶକ୍ତ ଓ ସୁଖୀ ଓଡ଼ିଶା ଗଠନ ଲାଗି ରାଜ୍ୟ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଓଡ଼ିଆଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା, ଏସଏଚଜି ଜରିଆରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା, କାଳିଆ ଯୋଜନା ମାଧ୍ୟମରେ ଚାଷୀଙ୍କୁ ସହଯୋଗ, ମେକ୍‌ ଇନ୍‌ ଓଡ଼ିଶା ଜରିଆରେ ଶିଳ୍ପାୟନ ସହ ବ୍ୟାପକ ନିଯକ୍ତି ସୃଷ୍ଟି ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ବ୍ୟବସ୍ଥାରେ ଫାଇଭ-ଟି ଓ ମୋ ସରକାର ଜରିଆରେ ପ୍ରଶାସନକୁ ଲୋକଙ୍କ ନିକଟତର କରି ସାରା ଦେଶର ପ୍ରଶାସନ ବ୍ୟବସ୍ଥାକୁ ବାଟ ଦେଖାଇଛି ଓଡ଼ିଶା । ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟ, ସଂଗୀତ ଓ କଳା ସମୃଦ୍ଧ ହୋଇଛି । ରାଜ୍ୟ ସରକାରଙ୍କ ଅନେକ ଯୋଜନା ସାରା ଦେଶକୁ ବାଟ ଦେଖାଇଛି । ରାଜ୍ୟରେ ନୂଆଯୁଗ ଆରମ୍ଭ ହୋଇଛି । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ଚାକିରିରୁ ବିଦା କରାଯାଇଛି । ସଂଘୀୟ ବ୍ୟବସ୍ଥାକୁ ମଧ୍ୟ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସାରା ଦେଶ ପାଇଁ ଏବେ ରୋଲ୍‌ ମଡେଲ୍‌ ହୋଇଛି । ଯାହାକୁ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ସଂସଦରେ କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ପ୍ରଶଂସା କରିଛନ୍ତି ।