ଭୁବନେଶ୍ୱର: ବିଧାନ ପରିଷଦ ସଂକଳ୍ପ ପ୍ରସଙ୍ଗରେ କେନ୍ଦ୍ରକୁ ୨ଟି ଚିଠି ଲେଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । କେନ୍ଦ୍ର ଆଇନମନ୍ତ୍ରୀ କୀରଣ ରିଜଜୁଙ୍କୁ ଚିଠି ଲେଖିଛନ୍ତି ସୂର୍ଯ୍ୟନାରାୟଣ ପାତ୍ର । ୧୮ ସେପ୍ଟେମ୍ବର ୨୦୧୮ରେ ବିଧାନସଭା ସଂକଳ୍ପ ପ୍ରସ୍ତାବ ପାରିତ ହୋଇ କେନ୍ଦ୍ରକୁ ଅବଗତ କରାଯାଇଥିଲା । ରାଜ୍ୟସଭା, ଲୋକସଭା, ଆଇନବିଭାଗକୁ ମଧ୍ୟ ପ୍ରସ୍ତାବ ପାରିତ ହୋଇଥିବା କଥା ଜଣାଯାଇଥିଲା । କିନ୍ତୁ କେଉଁ କାରଣରୁ ଏ ବିଷୟରେ ଆପଣଙ୍କୁ ଅବଗତ କରାଯାଇନାହିଁ, ସେ ଦିଗରେ ତଦନ୍ତ କରିବାକୁ ବାଚସ୍ପତି ଚିଠିରେ ଉଲ୍ଲେଖ କରିଛନ୍ତି । ସେହିପରି ଦ୍ବିତୀୟ ଚିଠିରେ ୨୦୧୮ରେ ପଠାଯାଇଥିବା ସଂକଳ୍ପର ପ୍ରମାଣପତ୍ର ଓ ସମସ୍ତ ଚିଠିକୁ ସଂଲଗ୍ନ କରି କେନ୍ଦ୍ରକୁ ପଠାଯାଇଛି । ତେଣୁ ଏସମ୍ପର୍କରେ କେନ୍ଦ୍ର ସରକାର ଚିଠି ପାଇ ରାଜ୍ୟକୁ ଅବଗତ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।
ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୩୦ ଜିଲ୍ଲାର ୨ ଶହ ଜିଲ୍ଲା ପରିଷଦ ଜୋନରେ ହେବ ଭୋଟ
ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୩୦ ଜିଲ୍ଲାର ୨ ଶହ ଜିଲ୍ଲା ପରିଷଦ ଜୋନ୍ ଓ ୧୬୬୯ ପଞ୍ଚାୟତରେ ଭୋଟଗ୍ରହଣ କରାଯିବ । ଏଥିପାଇଁ ୨୨ ହଜାର ୩୭୯ ବୁଥ ଖୋଲିଛି । ଗତକାଲି ୧୧ ଜିଲ୍ଲାର ବୁଥକୁ ପୋଲିଂ ପାର୍ଟି ଯାଇଥିବା ବେଳେ ଆଜି ୧୯ ଜିଲ୍ଲାର ବୁଥକୁ ଯିବେ ପୋଲିଂ କର୍ମଚାରୀ । ଆସନ୍ତାକାଲି ସକାଳ ୭ରୁ ଦିନ ୧ ପର୍ଯ୍ୟନ୍ତ ମତଦାନ ହେବ । ଏହାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଫ୍ଲାଗମାର୍ଚ୍ଚ କରୁଛି । ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ସହ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍ ଟିକା ଦିଆଯାଇଛି ।
ଓ୍ବାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଭୋଟରମାନେ ୪ଟି ଭିନ୍ନଭିନ୍ନ ରଙ୍ଗର ବାଲଟ ପେପରରେ ଭୋଟ ଦେବେ । ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗଣତି ହେବ । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଜିଲ୍ଲା ପରିଷଦ ହାତେଇବା ପାଇଁ ବଳ କଷିଛନ୍ତି । ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ସୁପ୍ରିମୋ ପ୍ରଚାରକୁ ଓହ୍ଲାଇନଥିବାବେଳେ ମନ୍ତ୍ରୀ, ସାଂସଦ ଓ ବିଧାୟକ ଗଡ଼ ସମ୍ଭାଳିଛନ୍ତି । ନବୀନଙ୍କ ବିକାଶ ଧାରାକୁ ଲୋକ ପସନ୍ଦ କରୁଥିବାରୁ ବିଜେଡି ସପକ୍ଷରେ ହାଓ୍ବା ରହିଛି । ବିଜେପି ପାଇଁ ଫଳାଫଳ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ କଂଗ୍ରେସ ନିଜ ସ୍ଥିତି ବଞ୍ଚାଇବା ପାଇଁ ସଂଘର୍ଷ କରୁଛି ।
ଅନୁଗୁଳରେ ବିଜେପିର ଗୁଣ୍ଡାଗିରି, ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଇଙ୍କୁ ଆକ୍ରମଣ
ଅନୁଗୁଳ: ନିର୍ବାଚନ ପୂର୍ବରୁ ବିଜେପିର ଗୁଣ୍ଡାଗିରି । ଅନୁଗୁଳ ବଅଁରପାଳ ବ୍ଲକରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଇ ପ୍ରଶାନ୍ତ ପ୍ରଧାନକୁ ବିଜେପି ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ୨୫ ନମ୍ବର ଜୋନର ବଡକେରଜାଙ୍ଗ ପଞ୍ଚାୟତରେ ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟାଙ୍କ ସ୍ୱାମୀ ଓ ସମର୍ଥକମାନେ ମଦ, ଲୁଗା ଓ ଟଙ୍କା ବାଣ୍ଟୁଥିଲେ । ଏହାକୁ ବିରୋଧ କରିଥିଲେ ପ୍ରଶାନ୍ତ । ଯାହାଫଳରେ ତାଙ୍କୁ ବିଜେପିର ସମର୍ଥକମାନେ ମରାଣାନ୍ତକ ଆକ୍ରମଣ କରିଛନ୍ତି । ଆକ୍ରମଣ ପରେ ପ୍ରଶାନ୍ତଙ୍କୁ ଗୁରୁତର ଭାବେ କଟକ ସ୍ଥାନାନ୍ତର କରାଯାଇଛି ।
ୟୁକ୍ରେନକୁ ଆମେରିକାର ଚେତାବନୀ, ଯେକୌଣସି ମୁହୂର୍ତ୍ତରେ ଋଷ କରିପାରେ ଆକ୍ରମଣ
ନୂଆଦିଲ୍ଲୀ: ଭୟଙ୍କର ହେଲାଣି ଯୁଦ୍ଧସ୍ଥିତି । ଅବିଳମ୍ବେ ୟୁକ୍ରେନ ଛାଡିବା ଲାଗି ନିଜ ଦେଶର ନାଗରିକଙ୍କୁ ଡେଡଲାଇନ ଦେଲା ବ୍ରିଟେନ । ସେପଟେ ୟୁକ୍ରେନ ଉପରେ ଅତର୍କିତ ଆକ୍ରମଣ କରିବ ଋଷ । ଏନେଇ ସତର୍କ କରାଇଛି ଆମେରିକା । ତେବେ ନାଟୋ ଅଞ୍ଚଳର ପ୍ରତିଟି ଇଞ୍ଚର ସ୍ବାର୍ଥର ସୁରକ୍ଷା କରାଯିବ ଏବଂ ଋଷକୁ ଉଚିତ ଜବାବ ଦିଆଯିବ ବୋଲି କହିଛି ଆମେରିକା । ସେପଟେ ତୁରନ୍ତ ୟୁକ୍ରେନ ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସି ଅନୁରୋଧ କରିଛନ୍ତି । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ କାଉଣ୍ଟଡାଉନ ଜାରି ରହିଥିବା ବେଳେ, ଖୁବ ଶୀଘ୍ର ବିଡେନ ୟୁକ୍ରେନ ରାଜଧାନୀ କିଏଭକୁ ଆସିପାରନ୍ତି ।
ସେପଟେ ଋଷ ଓ ସହଯୋଗୀ ରାଷ୍ଟ୍ର ବେଲାଋଷ ପକ୍ଷରୁ ଜାରି ସମରାଭ୍ୟାସରେ ସାମିଲ ହୋଇଛି ଅତିଶକ୍ତିଶାଳୀ ଯୁଦ୍ଧ ବିମାନ Su-30SM । ୟୁକ୍ରେନର ଆକ୍ରମଣ ଆଶଙ୍କା କରି ଅନେକ ବିମାନର ଉଡାଣ ବାତିଲ କରିଛି ଋଷ । କିଛି ବିମାନର ଗତିପଥ ମଧ୍ୟ ବଦଳାଯାଇଛି । ତୁରନ୍ତ ୟୁକ୍ରେନ ଛାଡିବା ଲାଗି ନିଜ ନିଜ ଦେଶର ନାଗରିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ୟୁକ୍ରେନରୁ ଆମେରିକା, ଜର୍ମାନୀ, ଇଟାଲୀ, ବ୍ରିଟେନ, ଆର୍ୟାଲ୍ୟାଣ୍ଡ, ବେଲଜିୟମ, କାନାଡା, ନରଓ୍ବେ, ନେଦରଲ୍ୟାଣ୍ଡ୍ସ, ଅଷ୍ଟ୍ରେଲିଆ, ଜାପାନ, ଇସ୍ରାଏଲ, ସାଉଦିଆରବ, ୟୁଏଇର ନାଗରିକମାନେ କୌଣସି ପ୍ରକାରେ ୟୁକ୍ରେନ ଛାଡିବା ଆରମ୍ଭ କରିଛନ୍ତି । ୟୁକ୍ରେନସ୍ଥିତ ଦୂତାବାସରୁ ମଧ୍ୟ ଋଷ ନିଜର କୂଟନୀତିଜ୍ଞମାନଙ୍କୁ ଫେରସ୍ତ କରିବା ଆରମ୍ଭ କରିଛି । ସେହିପରି କିଏଭସ୍ଥିତ ଦୂତାବାସ କାର୍ଯ୍ୟାଳୟ ବନ୍ଦ କରିଛି କାନାଡା । ଅଧିକାଂଶ ୟୁରୋପୀୟ ରାଷ୍ଟ୍ର ମଧ୍ୟ ସମାନ ପଦକ୍ଷେପ ନେଇଛନ୍ତି ।
ଭିଜିଲାନ୍ସ ଜାଲରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର, ଏକକାଳୀନ ୧୧ଟି ସ୍ଥାନରେ ରେଡ୍
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ଏକକାଳୀନ ୧୧ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । କଟକ, ଭୁବନେଶ୍ବର, ନବରଙ୍ଗପୁର, ଯାଜପୁର, ଜଗତସିଂହପୁରରେ ଥିବା ଘର ଓ ଅଫିସରେ ରେଡ୍ । ପୋଲିସ ଯୋଗାଯୋଗ ବିଭାଗର ଅତିରିକ୍ତ ଏସପି ହେଉଛନ୍ତି ତ୍ରିନାଥ । କମିଶନରେଟ୍ ପୋଲିସରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଥିଲେ ତ୍ରିନାଥ । ରସୁଲଗଡ଼ ମନୋରମା ଇଷ୍ଟେଟ, ନବରଙ୍ଗପୁର ଡାବୁଗାଁରେ ଥିବା ପୈତୃକ ଘର, ଯାଜପୁର ଖଇରାରେ ଥିବା ଶ୍ବଶୁର ଘର, ଖଇରାରେ ଥିବା ଶାନ୍ତିଲତା ଫାର୍ମ ହାଉସ୍ , ଚଣ୍ଡିଖୋଲ ବଜାରରେ ଥିବା ଶାନ୍ତିଲତା କେୟାର ଓ ନର୍ସହୋମ ସହ ମେଡିସିନ ଷ୍ଟୋରରେ ଭିଜିଲାନ୍ସ ଛାପା ମାରିଛି ।
ଚଣ୍ଡିଖୋଲ ଓ ଧାନମଣ୍ଡଳରେ ଥିବା ୨ଟି ଶାନ୍ତିଲତା ଟ୍ରାନ୍ସପୋର୍ଟ, ଜଗତସିଂହପୁର ଜିଲ୍ଲା ବିରିଡି ଦଳେଇଘାଇରେ ଥିବା ତ୍ରିନାଥ ମିଶ୍ରଙ୍କ ଡ୍ରାଇଭର ରାଜୀବ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି । କଟକ ମହାନଦୀ ବିହାରରେ ତ୍ରିନାଥଙ୍କ ୨ ପୁଅ କରିଥିବା ମେଡିସିନ ପ୍ରସ୍ତୁତକାରୀ ୟୁନିଟରେ ରେଡ୍ ହୋଇଛି । ତ୍ରିନାଥଙ୍କ ୨ ପୁଅ ହେଉଛନ୍ତି ତୁଷାର ମିଶ୍ର ଓ ତରୁଣ ମିଶ୍ର । କଟକ ତୁଳସିପୁରରେ ଥିବା ଅଫିସ, ମଧୁପାଟଣାରେ ଥିବା ସରକାରୀ କ୍ବାର୍ଟରରେ ଚଢାଉ ଜାରି ରହିଛି । ଏହି ରେଡରେ ୩ ଜଣ ଅତିରିକ୍ତ ଏସପି, ୧୦ ଡିଏସପି, ୧୩ ଇନସ୍ପେକ୍ଟର ଓ ଅନ୍ୟ ସଦସ୍ୟ ସାମିଲ ଅଛନ୍ତି ।
ରାଜ୍ୟରେ ପୁଣି ବଦଳିବ ପାଗ: ବଢ଼ିବ ତାପମାତ୍ରା, କମିବ ଶୀତ
ଭୁବନେଶ୍ୱର: ପୁଣି ରାଜ୍ୟକୁ ଭିଜାଇବ ବର୍ଷା । ଗତ ଦୁଇଦିନ ହେଲା ତାପମାତ୍ରା କମିଥିବାବେଳେ ଆଜିଠୁ ପାଗରେ ପରିବର୍ତ୍ତନ ଆସିବ । ତାପମାତ୍ରା ବଢିବା ସହିତ ଶୀତ କମିବ । ସ୍ବାଭାବିକ ଠାରୁ ୩ ରୁ ୪ ଡ଼ିଗ୍ରୀ ଯାଏଁ ରାତ୍ରି ତାପମାତ୍ରାରେ ବୃଦ୍ଧି ହେବ । ଏହା ସହିତ ଆସନ୍ତାକାଲିଠୁ ରାଜ୍ୟକୁ ଭିଜାଇବ ପଶ୍ଚିମାଝଡ଼ । ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ଘଡଘଡି ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡାରେ ବର୍ଷା ହେବାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ କୁଆପଥର ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକୁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆଜିଠୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା, କରୋନା କଟକଣାରେ ଚାଲିଛି ମେଳା
ଢ଼େଙ୍କାନାଳ: ଆଜିଠୁ ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ମାଘ ମେଳା ତଥା ଯୋରନ୍ଦା ଯାତ୍ରା । ମାଘ ଚତୁର୍ଦ୍ଦଶୀ ମହିମା ଗୋଷାଇଁଙ୍କ ମହାପ୍ରୟାଣ ଦିବସରେ ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ମହିମା ମାଘ ମେଳା । ଦେଶର କୋଣ ଅନୁକୋଣରୁ ମହିମା ସାଧୁମାନଙ୍କ ସମାଗମ ହୋଇଛି । କୋଭିଡ୍ କଟକଣା ଲାଗୁ ହୋଇଥବାରୁ କେବଳ ମହିମା ସାଧୁସନ୍ଥ ଓ ମହିମା ଧର୍ମାବଲମ୍ବୀଙ୍କୁ ମନ୍ଦିର ଅନୁପ୍ରବେଶ ଲାଗି ଅନୁମତି ରହିଛି । ୨ଟି ଡୋଜ୍ ନେଇଥିବା ପ୍ରମାଣ ବାଧ୍ୟତାମୂଳକ କରାଯାଇଛି । ଟିକା ନେଇନଥିବା ଭକ୍ତ ବା ବାବାଙ୍କ ଲାଗି ସ୍ବତନ୍ତ୍ର କୋଭିଡ୍ ସେଣ୍ଟର ବ୍ୟବସ୍ଥା କରାଯାଇଛି । କୌଣସି ବାହାର ଅଞ୍ଚଳର ଉଠା ଦୋକାନୀ ତଥା ବ୍ୟବସାୟୀଙ୍କୁ ବାରଣ ରହିଛି । ଅପରାହ୍ନ ୫ଟାରୁ ୧୦୮ ପିତଳ ଝାଡବତୀ ପ୍ରଜଳନ କରାଯିବ । ଶାନ୍ତିଶୃଙ୍ଖଳା ଲାଗି ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ୩ ଦିନ ପର୍ଯ୍ୟନ୍ତ ଯୋରନ୍ଦା ମେଳା ଚାଲିବା ଲାଗି ପ୍ରଶାସନ ଅନୁମତି ରହିଛି । ସେହିପରି ଏହି ମେଳାରେ ସଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି ।
ପ୍ରଖ୍ୟାତ କବି ଜୟନ୍ତ ମହାପାତ୍ର ଅସୁସ୍ଥ, ଏସସିବି ମେଡିକାଲରେ ଭର୍ତ୍ତି
କଟକ: କଟକ ପ୍ରଖ୍ୟାତ ଲେଖକ କବି ଜୟନ୍ତ ମହାପାତ୍ର ଅସୁସ୍ଥ । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଏକାଧିକ ଇଂରାଜୀ କବିତା ପୁସ୍ତକ ପାଠକୀୟ ମହଲରେ ବେଶ ପ୍ରଶଂସନୀୟ ହୋଇଛି । ସେ ହେଉଛନ୍ତି ପ୍ରଥମ କବି ଯେ ଇଂରାଜୀ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନର ଅଧିକାରୀ ହୋଇଥିଲେ । ତାଙ୍କ ଲିଖିତ ଇଂରାଜୀ ପୁସ୍ତକ ହଙ୍ଗର, ହର ହ୍ୟାଣ୍ଡ, ଡ୍ରନ ଆଟ ପୁରୀ, ଫ୍ରିଡମ, ଗ୍ରାଣ୍ଡଫାଦର ଆଦି ବେଶ ଚର୍ଚ୍ଚିତ । ଭାରତ ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ପଦ୍ମଶ୍ରୀ ସମ୍ମାନ ଫେରାଇ ଚର୍ଚ୍ଚାକୁ ଆସିଥିଲେ ଜୟନ୍ତ ମହାପାତ୍ର ।
ସୋସିଆଲ ମିଡିଆରେ ସ୍ତ୍ରୀ ପାଇଁ ପ୍ରଚାର କରି ସାର ନିଲମ୍ବିତ
ବଲାଙ୍ଗୀର: ସ୍ତ୍ରୀଙ୍କ ପାଇଁ ସୋସିଆଲ ମିଡିଆରେ ପ୍ରଚାର କରି ବଲାଙ୍ଗୀର ସରକାରୀ ଶିକ୍ଷକ ନିଲମ୍ବିତ । ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗରେ ନିଲମ୍ବନ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୁଇଁତଳା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଚଞ୍ଚଲ୍ ରାଣା । ପୁଇଁନ୍ତଳା ବ୍ଲକ ଲୁକାପଡ଼ା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ତରଣୀସେନ ପ୍ରଧାନଙ୍କ ବିରୁଦ୍ଧରେ ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ।
ତରଣୀସେନ ଜଣେ ସରକାରୀ କର୍ମଚାରୀ ହୋଇଥିବା ସତ୍ତ୍ୱେ ତାଙ୍କ ପତ୍ନୀ ବଲାଙ୍ଗୀର ଜିଲ୍ଲା ପରିଷଦ ୧୭ ନମ୍ବର ଜୋନ୍ର ପ୍ରାର୍ଥିନୀ ଲିପିକା ପ୍ରଧାନଙ୍କ ସପକ୍ଷରେ ସୋସିଆଲ ମିଡିଆରେ ପ୍ରଚାର କରିଥିଲେ । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ତାଙ୍କ ପ୍ରତିଦ୍ୱନ୍ଦି ପ୍ରାର୍ଥୀ ଶିବଦତ୍ତ ମିଶ୍ର । ଶିବଦତ୍ତଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜିଲ୍ଲା ନୋଡାଲ ଅଫିସର ସୂଚନା ଦେଇଛନ୍ତି ।
ଶହୀଦଙ୍କୁ ଝୁରୁଛି ମାଟି, ଶୋଭାଯାତ୍ରାରେ ଶ୍ରଦ୍ଧାଞ୍ଜଳୀ
କାକଟପୁର/ଢେଙ୍କାନାଳ: ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ପୁରିଛି ୩ ବର୍ଷ । ଆତଙ୍କୀ ହମଲାରେ ସହିଦ ହୋଇଥିଲେ ୪୦ ଜଣ ଯବାନ । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ କାକଟପୁରରେ ୨ଶହ ଫୁଟ ଲମ୍ବର ତ୍ରିରଙ୍ଗାକୁ ଧରି ଶତାଧିକ ଯୁବକ ଯୁବତୀ ଶୋଭାଯାତ୍ରା କରିଥିଲେ । କାକଟପୁର ସ୍ଥିତ କଲରେଇ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି ଶୋଭାଯାତ୍ରାରେ କାକଟପୁର, ଅସ୍ତରଙ୍ଗ, ଗୋପ, ନିମାପଡା ଅଞ୍ଚଳର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳର ଶତାଧିକ ଯୁବକ ଯୁବତୀ ସାମିଲ ହୋଇଥିଲେ ।
ସେହିପରି ଢେଙ୍କାନାଳର ଇନକ୍ଲବର ସଦସ୍ୟ ମାନେ କ୍ୟାଣ୍ଡେଲ ଏବଂ ହାତରେ ତ୍ରିରଙ୍ଗା ଧରି ଶୋଭଯାତ୍ରା କରିଥିଲେ । ବୀର ଯବାନଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଜଣାଇବେ ଉଦ୍ଦେଶ୍ୟରେ ଏହି ଯୁବ ସଂଗଠନ ଗାଁ ଗାଁରେ ଶୋଭଯାତ୍ରା କରିଥିଲା । ସମଗ୍ର କରମୁଳ ଗ୍ରାମ ପଞ୍ଚାୟତ ଭ୍ରମଣ କରିଥିଲେ । ଶେଷରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି ପୁଲୱାମା ସହିଦ୍ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

