spot_img
Home Blog Page 4596

ପୁଣି ସୁପ୍ରିମକୋର୍ଟ ଗଲା ହିଜାବ ବିବାଦ

ନୂଆଦିଲ୍ଲୀ: କର୍ଣ୍ଣାଟକ ହିଜାବ ବିବାଦ ପୁଣି ଥରେ ଗଲା ସୁପ୍ରିମକୋର୍ଟ । କର୍ଣ୍ଣାଟକ ହାଇକୋର୍ଟଙ୍କ ମଧ୍ୟବର୍ତ୍ତିକାଳୀନ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କଲେ ଅଭିଯୋଗକାରୀ । ଏହା ପୂର୍ବରୁ ଗୁରୁବାର କର୍ଣ୍ଣାଟକ ହାଇକୋର୍ଟଙ୍କ ୩ ଜଣିଆ ଖଣ୍ଡପିଠ ପରବର୍ତ୍ତି ଆଦେଶ ଆସିବା ପର୍ଯ୍ୟନ୍ତ କଲେଜ ଓ ସ୍କୁଲକୁ ଧାର୍ମିକ ପୋଷାକ ପିନ୍ଧି ଆସିବା ଉପରେ ରହିତାଦେଶ ଲଗାଇଥିଲେ ।

ସୂଚନାଯୋଗ୍ୟ, କର୍ଣ୍ଣାଟକ ସରକାର ରାଜ୍ୟରେ ‘କର୍ଣ୍ଣାଟକ ଏଜୁକେସନ ଆକ୍ଟ-୧୯୮୩’ର ଧାରା ୧୩୩ ଲାଗୁ କରିଛନ୍ତି । ଏହି ଅନୁସାରେ ସବୁ ସ୍କୁଲ ଓ କଲେଜରରେ ୟୁନିଫର୍ମ ବାଧ୍ୟତାମୂଳକ କରାଯାଇଛି । ସରକାରୀ ସ୍କୁଲ ଓ କଲେଜରେ ପୂର୍ବରୁ ଥିବା ୟୁନିଫର୍ମ ନିୟମ ଅନୁସାରେ ପିଲାମାନେ ପୋଷାକ ପିନ୍ଧ ଆସିବେ । ଘରୋଇ ଶିକ୍ଷାନୁଷ୍ଠାନ ପିଲାମାନଙ୍କ ପାଇଁ ନିଜ ପସନ୍ଦର ୟୁନିଫର୍ମ ଚୟନ କରିବାକୁ ଅନୁମତି ପାଇଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତିକୁ କିଛି ସଙ୍ଗଠନ ବିରୋଧ କରିବା ସହ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାର ଶୁଣାଣି କରି ହାଇକୋର୍ଟଙ୍କ ବେଞ୍ଚ ମଧ୍ୟବର୍ତ୍ତିକାଳୀନ ରାୟ ଶୁଣାଇଥିଲେ । ମୁଖ୍ୟ ବିଚାରପତି ଋତୁରାଜ ଅବସ୍ତି କହିଥିଲେ, ‘ଆମେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଆଦେଶ ଦେବୁ । ସମସ୍ତେ ଶାନ୍ତି ରଖନ୍ତୁ । ଆମେ ମାମଲାର ବିଚାର କରୁଛୁ, ସେତେବେଳ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନକୁ ଧାର୍ମିକ ପୋଷାକ ପିନ୍ଧ ଆସିବାକୁ ପିଲାଙ୍କୁ ବାଧ୍ୟ କରାନଯାଉ ।’

ସୂଚନାଯୋଗ୍ୟ, ସରକାରଙ୍କ ଡ୍ରେସ କୋଡ୍ ନିଷ୍ପତ୍ତିକୁ ନେଇ ଗତ ଜାନୁଆାରୀ ମାସରେ ବିବାଦ ଆରମ୍ଭ ହୋଇଥିଲା । ଉଡ୍ଡୁପିର ଏକ ସରକାରୀ କଲେଜରେ ୬ ଜଣ ଛାତ୍ରୀ ହିଜାବ ପିନ୍ଧି କଲେଜ ଆସିଥିଲେ । କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ହିଜାବ ପିନ୍ଧ ଆସିବାକୁ ମନା କରିଥିଲେ । ହେଲେ ଛାତ୍ରୀମାନେ କଲେଜ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ଅବମାନନା କରି ପରଦିନ ପୁଣି ହିଜାବ ପିନ୍ଧି କଲେଜ ଆସିଥିଲେ । ଏହାପରେ ଅନ୍ୟ କଲେଜରେ ହିଜାବକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।

ରାଜ୍ୟରେ ପୁଣି ବଢ଼ିବ ଶୀତ, ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଖସିବ ତାପମାତ୍ରା

ଭୁବନେଶ୍ୱର: କମିଲା ପଶ୍ଚିମା ଝଡର ପ୍ରଭାବ । ଏବେ ସ୍ୱାଭାବିକ ହେବ ରାତ୍ରି ତାପମାତ୍ରା । ରାଜ୍ୟରେ ସାମାନ୍ୟ ବଢ଼ିବ ଥଣ୍ଡା। ଆଗାମୀ ୩ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ମଧ୍ୟ ଧୀରେ ଧୀରେ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ। ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାନ୍ୟ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଓଡିଶା ଉପରେ ଏବେ କୌଣସି ସିଷ୍ଟମ ନଥିବାରୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତ ଶୁଖିଲା ରହିବା ସମ୍ଭାବନା ରହିଛି । ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ରହିଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବ । ବିଶେଷ କରି ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନଗିରି ଏବଂ କୋରାପୁଟରେ କୁହୁଡି ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏଭଳି ପାଗ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ୧୬ ତାରିଖ ବେଳକୁ ପୁଣି ଆଉ ଏକ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

 

ପଞ୍ଚାୟତ ନିର୍ବାଚନ: ୧୬ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୬ ତାରିଖରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ପାଞ୍ଚଟି ପର୍ଯ୍ୟାୟରେ ମତଦାନ ହେବ । ଫେବ୍ରୁଆରୀ ୨୪ରେ ଶେଷ ହେବ ମତଦାନ । ସେହିପରି ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ ଭୋଟ ଗଣତି ହେବ । ଚଳିତ ଥର ପଞ୍ଚାୟତ ନିର୍ବାଚନରେ ବୁଥ୍ ବଦଳରେ ବ୍ଲକ ମୁଖ୍ୟାଳୟରେ ଭୋଟ ଗଣତି ହେବ । ସରପଞ୍ଚ, ସମିତି ସଭ୍ୟ, ଓ୍ୱାର୍ଡ ମେମ୍ବର ଏବଂ ଜିଲ୍ଲା ପରିଷଦ ଆସନ ପାଇଁ ୩ ଥାକିଆ ଗଣତି ହେବ । ଗଣତି ସହ ଫଳାଫଳ ବି ଘୋଷଣା ହେବ । ପ୍ରଥମ ଥର ପାଇଁ ରାଜ୍ୟରେ ଏପରି ବ୍ୟବସ୍ଥା ହୋଇଥିବାରୁ ଏଥିପାଇଁ ନିର୍ବାଚନରେ ନିୟୋଜିତ ଅଧିକାରୀଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି । ଗଣତିର ପ୍ରକ୍ରିୟା କ’ଣ ହେବ, ପ୍ରଥମେ କାହାର ଗଣତି ହେବ, କାଉଣ୍ଟିଂ ହଲରେ କେତୋଟି ଟେବୁଲ ରହିବ, ପୋଲିଂ ଏଜେଣ୍ଟମାନେ କେଉଁଠି ବସିବେ, ଏସବୁର ଏକ ବିସ୍ତୁତ ଭିଡିଓ ପ୍ରସ୍ତୁତ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

ଭୁବନେଶ୍ୱର OUAT କ୍ୟାମ୍ପସରେ ମହିଳା ପ୍ରଫେସରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱର ଓୟୁଏଟି କ୍ୟାମ୍ପସରେ ମହିଳା ପ୍ରଫେସରଙ୍କ ଆତ୍ମହତ୍ୟା । କ୍ୟାମ୍ପସ୍ ପରିସରରୁ ମିଳିଛି ମୃତଦେହ । ଭେଟେରେନାରୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବାସନ୍ତୀ ଜେନାଙ୍କ ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ପାରିବାରିକ କଳହ କାରଣରୁ ବାସନ୍ତୀ ଜେନା ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଏହା ସହ ସ୍ୱାମୀ ମଦ୍ୟପାନ କରୁଥିବା ସହ ୬ ବର୍ଷର ଅପରିପକକ୍ୱ ପିଲାକୁ ନେଇ ଚିନ୍ତାରେ ଥିଲେ ବାସନ୍ତୀ । ମୃତ୍ୟ ପୂର୍ବରୁ ବାସନ୍ତୀ ଜେନା ଡାଏଲ ୧୦୦କୁ କଲ କରିଥିଲେ । ତେବେ ସ୍ୱାମୀ ଦେବୀପ୍ରଶନ୍ନ ଦାସଙ୍କ ପରକୀୟା ପ୍ରିତି ଥିବା ମୃତ ବାସନ୍ତୀଙ୍କ ଭାଇ ଓ ବାପା ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ଖଣ୍ଡଗିରି ପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି ।

ଗୁରୁଗାଓଁରେ ଖସିଲା ଆପାର୍ଟମେଣ୍ଟର ଛାତ, ଜଣେ ମୃତ

ନୂଆଦିଲ୍ଲୀ: ଗୁରୁବାର ହରିଆଣାର ଗୁରୁଗାଓଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏଠାରେ ଥିବା ୨୨ ମହଲା ବିଲ୍ଡିଂର ୬ ମହଲାର ଏକ ନିର୍ମାଣାଧିନ ଛାତ ଖସି ପଡିଛି । ଯାହା ଫଳରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବା ସହ ୧୦ରୁ ଅଧିକ ଲୋକ ଆହାତ ହୋଇଛନ୍ତି । ନିର୍ମାଣଧୀନ ଛାତ ଖସିବା ପରେ ଅଗ୍ନିଶମ ବାହିନୀ ଓ ପୋଲିସ କର୍ମୀ ଉଦ୍ଧାରକାର୍ଯ୍ୟରେ ନିୟାଜିତ ହୋଇଛନ୍ତି ।

ସୂଚନା ଅନୁସାରେ, ଗୁରୁଗାଓଁ ସହରର ସେକ୍ଟର ୧୦୯ରେ ଥିବା ସାଇବର୍ ସିଟି ବ୍ଲକ୍ ଡି’ରେ ଏକ ଘର କାମ ଚାଲୁଥିଲା । ଏହି ସମୟରେ ହଠାତ ୬ ମହଲା କୋଠାର ଛାତ ଖସି ପଡିଥିଲା । ଯାହାଫଳରେ ୬ ମହଲାରୁ ତଳ ମହଲା ପର୍ଯ୍ୟନ୍ତ ସବୁ ଘର କ୍ଷତି ଗ୍ରସ୍ତ ହୋଇଛି । ଫଳରେ ୬ ମହଲାରୁ ତଳ ମହଲା ପର୍ଯ୍ୟନ୍ତ ଘରେ ଥିବା କିଛି ଲୋକେ ଆହତ ହୋଇଥିବା ଜଣାପଡ଼ିଛି । ସେହିପରି ଆଉ କିଛି ଲୋକ ଭଗ୍ନାବଶେଷ ତଳେ ରହି ଯାଇଥିବା ଅନୁମାନ କରାଯାଉଛି ।

ଏହି ଅଭାବନୀୟ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି ମନୋହରଲାଲ ଖଟ୍ଟର । ଏଥିସହ ଏହି ଘଟଣାରେ ସେ ତଦନ୍ତ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ନିଜେ ସେ ବ୍ୟକ୍ତିଗତ ଭାବରେ ଘଟଣା ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି ମନୋହରଲାଲ ଖଟ୍ଟର ।

ଆଶ୍ଚର୍ଯ୍ୟ ! ସୁଖା ଅଞ୍ଚଳରେ ବଞ୍ଚୁଛି ମାଛ

ଭୁବନେଶ୍ବର: ପାଣି ବିନା ମାଛ ବଞ୍ଚିବା ଅସମ୍ଭବ । ଯେଉଁଠି ପାଣି ସେଇଠି ମାଛ । ସେ ମଧୁର ଜଳ ହେଉ କି ଲୁଣା ପାଣି ସବୁଠି ବଞ୍ଚିବାକୁ ଏମାନେ ସକ୍ଷମ । ହେଲେ ବିନା ପାଣିରେ ମାଛ ବଞ୍ଚିବା କେବେ ଶୁଣିଛନ୍ତି । ଆଜ୍ଞା ହଁ ପାଣି ବିନା ବା ବହୁତ କମ ପାଣିରେ ବି ମାଛ ବଞ୍ଚି ପାରୁଛି । ଏମିତି ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ଜୀବ ପ୍ରେମୀଙ୍କଠାରୁ ଆରମ୍ଭ କରି ବୈଜ୍ଞାନିକଙ୍କୁ ଚକିତ କରି ଦେଇଛି । ଆଶ୍ଚର୍ଯ୍ୟର କଥା ହେଲା, ଏଠି ସେଠି ନୁହେଁ ମରୁଭୂମିରେ ବିନା ପାଣିରେ ମାଛ ବଞ୍ଚି ପାରୁଛି  । ୭୦ ଡିଗ୍ରୀରୁ ଅଧିକ ଉତ୍ତାପରେ ଯେଉଁଠି ମଣିଷ ଓ ଅନ୍ୟ ଜୀବ ଦିନଟିଏ ତିଷ୍ଠିବା ଅସମ୍ଭବ ସେଠାରେ କେମିତି ମାଛ ବଞ୍ଚି ପାରୁଛି ଓ ବଂଶବୃଦ୍ଧି ମଧ୍ୟ କରି ପାରୁଛି ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଛିଡା କରୁଛି । ମରୁଭୂମିରେ ନିଜକୁ ଖାପ ଖୁଆଇ ବଞ୍ଚୁଥିବା ଏମିତି ଏକ ମାଛ ହେଉଛି ଡେଜାର୍ଟ ରେନ୍ ବୋ ଫିସ୍

ମଧ୍ୟ ଅଷ୍ଟ୍ରେଲିୟା ମରୁଭୂମିରେ ଦେଖା ଯାଉଥିବା ଡେଜାର୍ଟ ରେନ୍ ବୋ ଫିସର ବୈଜ୍ଞାନିକ ନାଁ ମେଲାନୋଟେନିଆ ସ୍ଲେଣ୍ଡିଡା ଟାଟେଇ । ଦୀର୍ଘଦିନରୁ ବୈଜ୍ଞାନିକଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା, ଏମିତି ପ୍ରତିକୂଳ ପରିବେଶରେ ମାଛଟି କେମିତି ବଞ୍ଚୁଛି ଓ ବଂଶ ବିସ୍ତାର କରୁଛି । ପାଣି ବିନା ବଞ୍ଚିବା ଯାହା ପାଇଁ ଅସମ୍ଭବ ସେ ମରୁଭୂମିରେ କେମିତି ବଞ୍ଚି ପାରୁଛି ?

ମଧ୍ୟ ଅଷ୍ଟ୍ରେଲିୟା । ଦୀର୍ଘବର୍ଷ ଏଠାରେ ହୋଇନଥାଏ ବର୍ଷା । ଏହି ସୁଖିଲା ଅଞ୍ଚଳ ୩୦୦୦ କିମି ପର୍ଯ୍ୟନ୍ତ ଲମ୍ବିଛି । ଏଠାରେ ହାତ ଗଣତି କିଛି ସମ୍ପ୍ରଦାୟର ଲୋକେ ବାସ କରିଥାନ୍ତି । କାରଣ ଏହି ଅଞ୍ଚଳରେ ବର୍ଷ ବର୍ଷ ଧରି ବର୍ଷା ହୋଇନଥାଏ ଓ ମରୁଡି ଲାଗି ରହିଥାଏ । କେଉଁଠି ମରୁଭୂମି ତ ଆଉ କେଉଁଠି ଖାଲଢ଼ିପ ସ୍ଥାନ । ଏହାରି ଭିତରେ କେଉଁଠି କେଉଁଠି ପିଇବା ଯୋଗ୍ୟ ପାଣିର ବହୁତ ଛୋଟ ସ୍ରୋତ ରହିଥାଏ । ଏମିତି ପାଣିରେ ଡେଜାର୍ଟ ରେନ ବୋ ଫିସ୍ ଦେଖିବାକୁ ମିଳିଥାନ୍ତି ।

ହେଲେ ଏହି ପାଣିର ସ୍ରୋତ ଏତେ ଛୋଟ ଯେ ଏଥିରେ ମାଛ ରହିବା ଓ ବଞ୍ଚିବା ଅସମ୍ଭବ । ହେଲେ ଏମିତି ସ୍ଥାନରେ ପ୍ରାୟ ୪ ଇଞ୍ଚ ଲମ୍ବର ଏହି ମାଛ ବଞ୍ଚିବା ଶିଖି ଯାଇଛି ।

ଏମିତି ମାଛଙ୍କ ସଂଖ୍ୟା ବହୁତ କମ । ହେଲେ ଯେତିକି ବି ଅଛନ୍ତି, ଏମିତି ବିପରୀତ ପରିସ୍ଥିତିରେ ନିଜକୁ ବଞ୍ଚାଇ ରଖିବା ଶିଖି ଯାଇଛନ୍ତି ।

ଫ୍ଲାଇଣ୍ଡର୍ସ ୟୁନିଭର୍ସିଟି ପ୍ରଫେସର ଲୁସିଆନା ବେରେଗେରେ ଓ ତାଙ୍କ ଟିମ୍ ଡେଜାର୍ଟ ରେନ୍ ବୋ ଫିସ୍ ଉପରେ ଏକ ସର୍ଭେ କରିଛନ୍ତି । ମରୁଭୂମିରେ ଛୋଟ ଗୋଟ ଗାତରୁ ଏମିତି ମାଛକୁ ଖୋଜି ସେମାନଙ୍କ ରହିବା ଓ ଖାଇବା ପିଇବା ଉପରେ ସର୍ଭେ କରୁଛନ୍ତି ।

ଲୁସିଆନା ବେରେଗେରେ ଆଷ୍ଟ୍ରେଲିଆର ୧୮ଟି ଅଲଗା ଅଲଗା ସ୍ଥାନରେ ରହୁଥିବା ଡେଜାର୍ଟ ରେନ୍ ବୋ ଫିସର ଜେନେଟିକ ସର୍ଭେର ରିପୋର୍ଟ ‘ଫିସ୍ ଆଉଟ୍ ଅଫ୍ ଓ୍ବାଟର’ ନିକଟରେ ଜର୍ନଲ ଇଭୋଲୁସନରେ ପ୍ରକାଶ ପାଇଛି । ଜେନେଟିକ ହିସାବରେ ଡେଜାର୍ଟ ରେନ ବୋ ଫିସଙ୍କ ମଧ୍ୟରେ ମାତ୍ର ୮ଟି ଏମିତି ଜିନ୍ସ ଅଛି ଯାହା ସେମାନଙ୍କୁ ଏମିତି ମରୁଭୂମିରେ ବଞ୍ଚି ରହିବାକୁ କ୍ଷମତା ଦେଉଛି । ୧୮ଟି ଅଲଗା ଅଲଗା ଅଞ୍ଚଳରେ ମାଛଙ୍କ ଉପରେ କରାଯାଇଥିବା ସର୍ଭେରୁ ଏହି ୮ଟି କମନ ଜିନ୍ସ ମିଳିଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ୧୮ଟି ସ୍ଥାନ ପରସ୍ପରଠାରୁ ହଜାର ହଜାର କିଲୋମିଟର ଦୂରରେ ରହିଛନ୍ତି । ଏକା ସାଙ୍ଗରେ କିମ୍ବା ପାଖାପାଖି ରହୁଥିଲେ ହୁଏତ ମାଛଙ୍କ ଶରୀରରେ ଇଭୋଲୁଶନ ଏକା ସାଙ୍ଗରେ ହେବା ବୁଝା ପଡୁଛି । ହେଲେ ଏତେ ଦୂରରେ ଥାଇ ବି ସମାନ ପରିମାଣରେ ଓ ସମାନ ସଂଖ୍ୟାରେ ଜିନ୍ସ ବିକଶିତ ହେବା ନିଶ୍ଚିତ ଆଶ୍ଚର୍ଯ୍ୟର ବିଷୟ ।

ମଧ୍ୟ ଅଷ୍ଟ୍ରେଲିଆର ସୁଖିଲା ଅଞ୍ଚଳର ପୂର୍ବରେ ଡେଜାର୍ଟ ରେନ ବୋ ଫିସ୍ ପ୍ରବାହିତ ହେଉଥିବା ପାଣିରେ ଦେଖା ଯାଇଥାନ୍ତି । ବର୍ଷା ହେଲେ ଏମାନଙ୍କ ପାଇଁ ଭଲ । ହେଲେ ବର୍ଷ ବର୍ଷ ଧରି ବର୍ଷା ନହେଲେ ବି ଏମାନେ ଅଳ୍ପ ପାଣିରେ ନିଜକୁ ବଞ୍ଚାଇ ରଖି ପାରନ୍ତି । ସେହିପରି ପଶ୍ଚିମରେ ଏମାନେ ମାଟି ତଳେ ଗାତ ଭିତରେ ରହିଥାନ୍ତି । ଏଠାରେ ତାପମାତ୍ରା ୫୦ରୁ ୭୦ ଡିଗ୍ରୀ ପର୍ଯ୍ୟନ୍ତ ହୋଇଗଲେ ବି ଏହି ମାଛ ଗାତରେ ରହି ନିଜକୁ ବଞ୍ଚାଇ ରଖିପାରେ ।

ଲୁସିଆନାଙ୍କ ଅନୁସାରେ, ବିଶ୍ବସ ରହିଛି କମ ଦେଖା ଯାଉଥିବା ଜୀବଙ୍କ ମଧ୍ୟରେ କୌଣସି ପ୍ରକାର ଜେନେଟିକ ଓ ବାୟୋଲୋଜିକାଲ ବିକାଶ ହୋଇନଥାଏ । ହେଲେ ଡେଜାର୍ଟ ରେନ ବୋ ଫିସ୍ ଏହି ଧାରଣାକୁ ଭୁଲ ପ୍ରମାଣିତ କରି ଦେଇଛନ୍ତି । ଏମାନଙ୍କ ସଂଖ୍ୟା କମ ଓ ପରସ୍ପରଠାରୁ ହଜାର ହଜାର କିମି ଦୂରରେ ଥାଇ ବି ଏମାନେ ଅଧିକ ତାପମାତ୍ରା ଥିବା ଅଞ୍ଚଳରେ ନିଜକୁ ଜୀବିତ ରଖିବାର କଳା ଶିଖି ନେଇଛନ୍ତି ।

ସାଧାରଣତଃ ମାତ୍ରାଧିକ ବର୍ଷା ଓ ବନ୍ୟା ସମୟରେ ମାଛମାନେ ଅଣ୍ଡା ଦେଇଥାନ୍ତି । ହେଲେ ଡେଜାର୍ଟ ରୋନ ବୋ ଫିସ୍ କ୍ଷେତ୍ରରେ ଏହା ବିପରୀତ । ଅଳ୍ପ ଓ ସ୍ଥିର ପାଣିରେ ରହିବି ଏମାନେ ନିଜ ବଂଶ ବିସ୍ତାର କରିବାକୁ ସକ୍ଷମ । ଯେତେ ବେଳେ ସୁଯୋଗ ମିଳେ ଏମାନେ ଅଣ୍ଡା ଦେଇ ବଂଶ ବୃଦ୍ଧି କରିପାରନ୍ତି ।

ଲୁସିଆନା ଆହୁରି କହିଛନ୍ତି ପଶ୍ଚିମ ମରୁଭୂମିରେ ଦେଖିବାକୁ ମିଳୁଥିବା ଡେଜାର୍ଟ ରେନ ବୋ ଫିସଙ୍କ ମଧ୍ୟରେ ଜେନେଟିକ ପରିବର୍ତ୍ତନ ଅଧିକ ଦେଖିବାକୁ ମିଳୁଛି । ଏମାନେ ନିଜ ସ୍ବାଦ, ବାସ୍ନା ଓ ଅତ୍ୟଧିକ ଆଲୋକ ସହିବାର କ୍ଷମତା ବଢାଇ ପାରିଛନ୍ତି । ଏହାସହ ପାଣିରେ ଲୁଣା ସ୍ତରକୁ ସହିବାର କ୍ଷମତା ମଧ୍ୟ ଏମାନେ ବିକଶିତ କରି ପାରିଛନ୍ତି । ହେଲେ ପୂର୍ବ ମରୁଭୂମିରେ ଦେଖିବାକୁ ମିଳୁଥିବା ଏହି ପ୍ରଜାତୀର ମାଛଙ୍କ ମଧ୍ୟରେ ଏମିତି ପରିବର୍ତ୍ତନ ଏତେ ପରିମାଣରେ ଦେଖିବାକୁ ମିଳି ନଥାଏ । କାରଣ, ଏ ଅଞ୍ଚଳରେ ପାଣିର ସ୍ରୋତ କିଛି ପରିମାଣରେ ଅଧିକ ରହିଥାଏ ।

ତୃତୀୟ ଦିନିକିଆ ଜିତି କ୍ଲିନ୍ ସ୍ବିଇପ୍ ଲକ୍ଷ୍ୟରେ ଭାରତ

ଅହମ୍ମଦାବାଦ: ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଶେଷ ତଥା ତୃତୀୟ ଦିନିକିଆ । ୨-୦ରେ ଆଗୁଆ ଥିବା ଭାରତ ତୃତୀୟ ଦିନିକିଆ ଜିତି କ୍ଲିନ୍ ସ୍ବିଇପ୍ କରିବା ଲକ୍ଷ୍ୟରେ ରହିଛି । ସେପଟେ ଶେଷ ଦିନିକିଆରେ ଜିତି ସମ୍ମାନ ରକ୍ଷା କରିବା ପାଇଁ ଲଢ଼ିବ ଓ୍ବେଷ୍ଟଇଣ୍ଡିଜ ।

ଆଜି ଅପରାହ୍ନ ୧ଟା ୩୦ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଦ୍ବିତୀୟ ଦିନିକିଆରେ ୪୪ ରନରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରି ସିରିଜ ହାତେଇଥିଲା ଭାରତ ।  ଶିଖର ଧାଓ୍ବନ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜି ଅଧିନାୟକ ରୋହିତଙ୍କ ସହିତ ଧାଓ୍ବନ ପାଳି ଆରମ୍ଭ କରିବେ ।

ଫିଲ୍ମର ରୂପ ନେଇ ଫେରୁଛି ‘ଶକ୍ତିମାନ’

ମୁମ୍ବାଇ: ସିଲଭର ସ୍କ୍ରିନକୁ ପୁଣି ଫେରୁଛି ଶକ୍ତିମାନ । ପୁଣି ଆକାଶରେ ଉଡି ସମସ୍ୟାରେ ପଡିଥିବା ଲୋକଙ୍କୁ ଉଦ୍ଧାର କରିବେ ଶକ୍ତିମାନ । ପାପ ଉପରେ ପୁଣି ଥରେ ହେବ ସତ୍ୟର ବିଜୟ ।

୯୦ ଦଶକରେ ସମସ୍ତଙ୍କ ପ୍ରଥମ ପସନ୍ଦ ସାଜିଥିବା ସୁପର ହିରୋ ଶକ୍ତିମାନ ନୂଆ ଅନ୍ଦାଜରେ ଆସିବ ବଡ଼ ପରଦାକୁ । ଶକ୍ତିମାନ ସିରିୟଲ ଏବେ ଫିଲ୍ମର ରୂପ ନେବାକୁ ଯାଉଛି । ସୋନୀ ପିକଚର୍ସ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି ।

ମୁକେଶ ଖାନ୍ନାଙ୍କ ବହୁଚର୍ଚ୍ଚିତ ଦେଶୀ ସୁପର ହିରୋର ଭୂମିକା କିଏ କରିବ ସେ ନେଇ କୌଣସି ତଥ୍ୟ ମିଳିନାହିଁ । ଜଣେ ଲୋକପ୍ରିୟ ହିରୋ ଏବଂ ପ୍ରତିଷ୍ଠିତ ନିର୍ଦ୍ଦେଶକ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିବେ । ଖୁବଶୀଘ୍ର କଳାକାର ଚୟନ କରାଯିବ ବୋଲି ସୋନୀ ପିକଚର୍ସ ପକ୍ଷରୁ କୁହାଯାଇଛି ।

ବାରିପଦାରେ ବିଜେଡିର ବିରାଟ ମିଶ୍ରଣ ପର୍ବ: ବିଜେପି ଜିଲ୍ଲା ପରିଷଦ ସଭ୍ୟ ଓ କଂଗ୍ରେସ ନେତା ସାମିଲ

ବାରିପଦା: ମୟୂରଭଞ୍ଜରେ ଆହୁରି ସଶକ୍ତ ହେଉଛି ବିଜେଡି । ବିଭିନ୍ନ ଦଳର କର୍ମୀ ଏବେ ବିଜେଡି ମୁହାଁ ହେଉଛନ୍ତି । ଏନେଇ ବାରିପଦାରେ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ବିରାଟ ମିଶ୍ରଣ ପର୍ବ । ଖୁଣ୍ଟା ବ୍ଲକର ଜୋନ ୧୩ର ବିଜେପିର ଜିଲ୍ଲାପରିଷଦ ସଭ୍ୟ ଭି.ଏସ ଜ୍ୟୋତି ସଂଗ୍ରାମ, କଂଗ୍ରେସର ଯୁବ ନେତା ସଞ୍ଜୀବ କୁମାର ସାହୁ ଓ ତାଙ୍କ ଶତାଧିକ ସମର୍ଥକଙ୍କ ସହ ଆଜି ବିଧିବଦ୍ଧ ଭାବେ ବିଜେଡ଼ିରେ ସାମିଲ ହୋଇଛନ୍ତି ।

ଏହି ମିଶ୍ରଣ ପର୍ବରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହି ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏହା ସହ ଆଗାମୀ ନିର୍ବାଚନରେ ବିଜେଡିର କିଭଳି ବିପୁଳ ବିଜୟ ହେବ ସେନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ପ୍ରଣବ ପ୍ରକାଶ । ମୁଖ୍ୟମନ୍ତ୍ରୀଙ୍କ ଜନ ହିତକର ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଲୋକଙ୍କ ସୁଖଃ ଦୁଖଃର ସାଥି ହେବାକୁ ପରାମର୍ଶ ଦେଇଥିଲେ । ଏହି ଆଲୋଚନା ବୈଠକରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ପୁର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି , ରାଜ୍ୟ ସାଧାରଣ ସମ୍ପାଦକ ଡ଼ଃ ଦେବାଶିଷ ମାରାଣ୍ଡି ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏଥିସହିତ ପଢ଼ନ୍ତୁ: ଜାମିନ ମଳିବା ପରେ ପ୍ରଚାରକୁ ଆସିଲେ ଜୁଏଲ୍: ଗୌରୀ ମୁଣ୍ଡାରୀ ପ୍ରସଂଗକୁ ଏଡ଼ାଇଗଲେ

ଜାମିନ ମଳିବା ପରେ ପ୍ରଚାରକୁ ଆସିଲେ ଜୁଏଲ୍: ଗୌରୀ ମୁଣ୍ଡାରୀ ପ୍ରସଂଗକୁ ଏଡ଼ାଇଗଲେ

ସୁନ୍ଦରଗଡ଼: ଆଗ ଲୁଚିଲେ, ଜାମିନ୍‌ ମିଳିବା ପରେ ପ୍ରଚାରକୁ ଆସିଲେ । ଗୌରୀ ମୁଣ୍ଡାରୀଙ୍କୁ ସୁନ୍ଦରଗଡ଼ ଵିଜେପି ସାଂସଦ ଜୁଏଲ ଓରାମଙ୍କ ଦୁର୍ବ୍ୟବହାର ମାମଲା ପରଠୁ ଜୁଏଲ୍‌ଙ୍କ ଦେଖା ମିଳିନଥିଲା । ଗତମାସ ୨୪ ତାରିଖରେ ଝିରପାଣି ଥାନାରେ ମାମଲା ରୁଜୁ ହେବା ପରଠୁ ୧୭ଦିନ ଧରି ଜୁଏଲ୍‌ ଗାଏବ ଥିଲେ । ବେଲ୍‌ ମିଳିବା ପରେ ପଞ୍ଚାୟତ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ସାଂସଦ ।

ତେବେ ମହିଳାଙ୍କୁ ସମ୍ମାନ ଦେଉନଥିବା ସାଂସଦ ଜୁଏଲ ଓରାମଙ୍କ ପ୍ରଚାରକୁ ମହିଳାମାନେ ଗ୍ରହଣ କରିବେ ନାହିଁ ବୋଲି ଗୈାରୀ ମୁଣ୍ଡାରୀ କହିଛନ୍ତି । ଗୌରୀଙ୍କ ସହ ସ୍ୱର ମିଳାଇଛନ୍ତି ଅନ୍ୟ ମହିଳା ସଂଗଠନ । ଜୁଏଲ୍‌ଙ୍କ ନାଁରେ ମାମଲା ରୁଜୁ ପରେ ବିଭିନ୍ନ ସ୍ଥାନରେ ଵିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ବ୍ୟାନର, ପୋଷ୍ଟରରେ ନିଜ ସହ ସାଂସଦଙ୍କ ଫଟୋ ଲଗାଉନାହାନ୍ତି । ଜୁଏଲଙ୍କ ବଦଳରେ କେବଳ ପ୍ରଧାନମନ୍ତ୍ରୀଙ୍କ ସହ ନିଜ ଫଟୋ ଲଗାଉଛନ୍ତି । ସେପଟେ ଗୈାରୀ ମୁଣ୍ଡାରୀ ପ୍ରସଂଗ ଏଡ଼ାଇ ଯାଇଛନ୍ତି ଜୁଏଲ୍‌ । ନିର୍ବାଚନରେ ଵିଜେପି ଭଲ କରିବ ବୋଲି କହିଛନ୍ତି।