spot_img
Home Blog Page 4635

ପ୍ରତିଶୋଧ ନେଲା ଭାରତ, ବାଂଲାଦେଶକୁ ୫ ଓ୍ୱିକେଟରେ ହରାଇ ସେମିରେ ଭାରତ

ଆଣ୍ଟିଗୁଆ: ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ । ୨୦୨୦ ଅଣ୍ଡର-୧୯ ବିଶ୍ୱକପ ଫାଇନାଲର ପରାଜୟର ବଦଲା ନେଇଛି ଭାରତ । ଶନିବାର ଅଣ୍ଡର-୧୯ ବିଶ୍ୱକପରେ ଖେଳାଯାଇଥିବା କ୍ୱାଟର ଫାଇନାଲରେ ଭାରତ ବାଂଲାଦେଶକକୁ ୫ ଓ୍ୱିକେଟରେ ପରାସ୍ତ କରିଥିଲା । ଏହି ବିଜୟ ସହ ଭାରତ ଚଳିତ ଅଣ୍ଡର-୧୯ ବିଶ୍ୱକପ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି । ଏହି ବିଜୟରେ ଭାରତୀୟ ବୋଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଫଳରେ ବାଂଲାଦେଶ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା ।

ଶନିବାର ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଫଳରେ ବ୍ୟାକଫୁଟକୁ ଚାଲି ଯାଇଥିଲା ବାଂଲାଦେଶ । ଭାରତୀୟ ବୋଲିଂ ଆଟାକ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲା ବାଂଲାଦେଶ ।  ମାତ୍ର ୧୧୧ ରନ କରି ଅଲଆଉଟ ହୋଇଥିଲା ବାଂଲାଦେଶ । ଭାରତ ପକ୍ଷରୁ ରବି କୁମାର ୩ଟି ଓ୍ୱିକେଟ ନେଇଥିବାବେଳେ ଭିକି ଓସ୍ତାଲ ୨ଟି, କୌଶାଲ ତାମ୍ବେ, ଅଙ୍ଗକ୍ରିଶ ରଘୁବଂଶୀ ଓ ରାଜବର୍ଦ୍ଧନ ହଙ୍ଗରଗେକର ଗୋଟିଏ ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ । ୧୧୨ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଭାରତ ମାତ୍ର ୩୦.୫ ଓଭରରେ ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଏହି ବିଜୟ ସହ ଭାରତ ଅଣ୍ଡର-୧୯ ବିଶ୍ୱକପ ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ସେମିଫାଇନାଲରେ ଭାରତ ବୁଧବାର ଅଷ୍ଟ୍ରେଲିଆକୁ ଭେଟିବ ।

ମାସକରେ ୭ଟି ବାଲିଷ୍ଟିକ ମିସାଇଲର ପରୀକ୍ଷଣ କଲାଣି ଉତ୍ତର କୋରିଆ

ନୂଆଦିଲ୍ଲୀ: ଦୁନିଆକୁ ଡରାଉଛି ଉତ୍ତର କୋରିଆ । ମାସକରେ ଉତ୍ତର କୋରିଆ ୭ଟି ମିସାଇଲର ପରୀକ୍ଷଣ କରିଛି । ତେବେ ଉତ୍ତର କୋରିଆ କେଉଁ ମିସାଇଲର ପରୀକ୍ଷଣ କରିଛି ତାହା କାହାରିକୁ ଜଣାନାହିଁ । କିନ୍ତୁ ଉତ୍ତର କୋରିଆ ମିସାଇଲ ପରୀକ୍ଷଣ କରିଥିବା ସୂଚନା ଦେଇଛି ପଡ଼ୋଶୀ ଦକ୍ଷିଣ କୋରିଆ । ଗୋଟିଏ ମାସରେ ଲଗାତାର ୭ଟି ମିସାଇଲ୍ ପରୀକ୍ଷଣ କରି ଅନ୍ତର୍ଜାତୀୟ ଶାନ୍ତି ପ୍ରତି କିମ୍ ଜୋଙ୍ଗ ଉନ୍ ବିପଦ ସୃଷ୍ଟି କରିଛନ୍ତି ।

ଶେଷଥର ପାଇଁ ୨୦୧୯ରେ ଉତ୍ତର କୋରିଆ ଏମିତି ଗୋଟିଏ ମାସରେ ଏକାଧିକ ପରୀକ୍ଷଣ କରିଥିଲା । ସେତେବେଳେ ଉତ୍ତର କୋରିଆର କ୍ରୁର ଶାସକ କିମ୍ ଜୋଙ୍ଗ ଉନ୍ ଏବଂ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଉଚ୍ଚସ୍ତରୀୟ କଥାବାର୍ତ୍ତା ବିଫଳ ହୋଇଥିଲା । ସେବେଠୁ ଆମେରିକା ସହ କିମ୍ ଜୋଙ୍ଗଙ୍କ ଆଲୋଚନା ଅଟକି ରହିଛି ।

 North Korea Fires Unidentified Projectile Ballistic Missiles Into East Sea In January
Kim Jong-un, Supreme Leader of North Korea

ଦକ୍ଷିଣ କୋରିଆ ଅନୁସାରେ, ଉତ୍ତର କୋରିଆ ପୂର୍ବ ସାଗର ଅର୍ଥାତ୍ ଜାପାନ ସାଗରରେ ଆଉ ଏକ ଅଜ୍ଞାତ ମିସାଇଲ୍ ଉତକ୍ଷେପଣ କରିଛି । ଉତ୍ତର କୋରିଆ ବାଲିଷ୍ଟିକ ମିସାଇଲ୍ ପରୀକ୍ଷଣ କରିଥିବା ଆଶଙ୍କା କରିଛି ଜାପାନ । ଦେଶ ଭୟଙ୍କର ଆର୍ଥିକ ସ୍ଥିତିର ସମ୍ମୁଖୀନ ହୋଇଥିବା ବେଳେ ଲଗାତାର ମିସାଇଲ୍ ପରୀକ୍ଷଣ କରିଛି । ଗତ ସପ୍ତାହରେ କିମ୍ ଜୋଙ୍ଗ ଉନ୍ ପରମାଣୁ ବିସ୍ଫୋଟକ ଓ ଦୂରଗାମୀ ମିସାଇଲ୍ ପରୀକ୍ଷଣ ନେଇ ଆମେରିକାକୁ ପରୋକ୍ଷ ଧମକ ଦେଇଥିଲେ ।

ଏତିକି ନୁହେଁ, କିମ୍ ଜୋଙ୍ଗ ଉନ୍ କିଛିଦିନ ତଳେ ଯୁଦ୍ଧ ସାମଗ୍ରୀ ସମ୍ବନ୍ଧିତ କାରଖାନାକୁ ବି ଯାଇଥିଲେ । ନୂଆ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ନେଇ ସୂଚନା ଦେଇଥିଲେ । ଜାନୁଆରୀ ମାସରେ ଉତ୍ତର କୋରିଆ ଟାକ୍ଟିକଲ ଗାଇଡେଡ୍ ମିସାଇଲ୍, ହାଇପରସୋନିକ୍ ମିସାଇଲ୍ର ପରୀକ୍ଷଣ କରିଛି । ଗୁରୁବାର ଉତ୍ତର କୋରିଆ ୨ଟି ସନ୍ଦିଗ୍ଧ ମିସାଇଲ୍ ପରୀକ୍ଷଣ କରିଥିବା ଦକ୍ଷିଣ କୋରିଆ ସେନା କହିଛି । ଅଚାନକ ଉତ୍ତର କୋରିଆ ଏତେ ମାତ୍ରାରେ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କରି ଆମେରିକା ଉପରେ ଚାପ ପକାଇବାକୁ ଚେଷ୍ଟା କରୁଥିବା କହିଛନ୍ତି ବିଶେଷଜ୍ଞ ।

ଭିଣେଇର ଛୁରା ମାଡରେ ଶାଳୀ ଗୁରୁତର

କେନ୍ଦ୍ରାପଡ଼ା: ସମ୍ପର୍କୀୟ ଭିଣେଇର ଛୁରା ମାଡରେ ଶାଳୀ ଗୁରୁତର। ମହାକାଳପଡ଼ା ଥାନା ଅନ୍ତର୍ଗତ ଦେଉଳପଡା ପଞ୍ଚାୟତ ଓଳିଆ ଗାଁରେ ଶନିବାର ଅପରାହ୍ନରେ ଘଟଛି ଏହି ଅଘଟଣ। ଗୁରୁତର ଯୁବତୀ ସସ୍ମିତା ମହାପାତ୍ରଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି। ତେବେ ଶାଳୀକୁ ଛୁରାମାଡ କରି ସାରି ସେହି ଛୁରୀରେ ନିଜ ଗଳା କାଟିବା ପାଇଁ ଉଦ୍ୟମ କରିଛି ଅଭିଯୁକ୍ତ ଭିଣେଇ ଦିବାକର ତ୍ରିପାଠୀ।

ମିଳିଥିବା ସୂଚନା ଅନୁଯାୟୀ ସସ୍ମିତା ଗରଦପୁର ସ୍ଥିତ ନିଜ ସମ୍ପର୍କୀୟ ଭିଣେଇ ଦିବାକରଙ୍କ ଘରେ ଦୀର୍ଘ ୧୨ ବର୍ଷ ଧରି ରହି ଦରଜି କାମ କରି ଆସୁଥିଲେ। ଶନିବାର ଦିନ ସସ୍ମିତା ସମ୍ପର୍କୀୟ ଭିଣେଇ ଦିବାକରଙ୍କ ସହ ନିଜ ଘର ଓଳିଆକୁ ଆସିଥିଲେ। ସେଠାରେ ସସ୍ମିତାଙ୍କୁ ଛାଡି ଦେଇ ଦିବାକର କେଉଁଆଡ଼େ ଚାଲି ଯାଇଥିଲେ। କିଛି ସମୟ ପରେ ଫେରି ଆସି ଏକ ଧାରୁଆ ଛୁରୀରେ ସସ୍ମିତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ସସ୍ମିତାଙ୍କ ଗାଲ , ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ଘଟଣା ଘଟିବା ପରେ ଗାଁ ଲୋକେ ଦିବାକରଙ୍କୁ ଅଟକ ରଖିଥିବା ବେଳେ ସେହି ଛୁରୀରେ ଦିବାକର ନିଜ ବେକ କାଟିବା ପାଇଁ ଉଦ୍ୟମ କରିଥିଲା। ଖବର ପାଇ ପୋଲିସ ଅଭିଯୁକ୍ତ ଦିବାକର କୁ ନିଜ ହେପାଜତକୁ ନେଇ ଚିକିତ୍ସା ପାଇଁ ୧୦୮ ଯୋଗେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନେଇଛି । ତେବେ ଏହି ଆକ୍ରମଣ ପଛରେ କଣ କାରଣ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ। ପୀଡ଼ିତା ସସ୍ମିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ମେଡ଼ିକାଲ ପକ୍ଷରୁ ସୂଚନା ମିଳିଛି।

କେବଳ ମହିମା ଧର୍ମୀଙ୍କୁ ନେଇ ହେବ ଯୋରନ୍ଦା ମେଳା

ଢେଙ୍କାନାଳ: ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମାଘ ମେଳାକୁ ଯିବେ ନାହିଁ ଶ୍ରଦ୍ଧାଳୁ  ।  ଫତୁଆ ଜାରି କଲା ଜିଲ୍ଲା ପ୍ରଶାସନ। ଶ୍ରଦ୍ଧାଳୁ ତଥା ଦର୍ଶକଙ୍କୁ ସମ୍ପୂର୍ଣ୍ଣ ରୂପେ ମେଳାକୁ ବାରଣ କରାଯାଇଛି । ରାଜ୍ୟ ବାହାରୁ ଓ ଜିଲ୍ଲା ବାହାରୁ ଆସୁଥିବା ବାବା ମହିମା ଧର୍ମୀ ମାନଙ୍କୁ ଜୋରନ୍ଦା ମେଳା ଆସିବାକୁ ଏଥର ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ।କେବଳ ବାବା ମାନଙ୍କୁ ନେଇ ହେବ ଚଳିତ ବର୍ଷ ମାଘମେଳା ।

କୋଭିଡ କଟକଣା ଭିତିରେ ପାଳନ କରାଯିବ ଏବି ଉତ୍ସବ  ।  ସଂପୂର୍ଣ ରୀତିନୀତିରେ ହେବ ମାଘମେଳା। ଫ୍ରେବୁଆରୀ ୧୫,୧୬ ଓ ୧୭ ତାରିଖ ୩ ଦିନ ଧରି ହେବ ମାଘମେଳା। ଜିଲ୍ଲା ପ୍ରଶାସନ ମାଘମେଳା ନେଇ  ଏକ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି । ଏହି କମିଟି  ଦ୍ୱାରା ପରିଚାଳିତ ହେବ ଯୋରନ୍ଦା ମାଘମେଳା ।

ପୁରୀରେ 5T ସଚିବ, ଶ୍ରୀସେତୁର କଲେ ନିର୍ମାଣ କାର୍ଯ୍ୟ ସମୀକ୍ଷା

ପୁରୀ: ପୁରୀରେ  ଭିକେ ପାଣ୍ଡିଆନ୍ । ଶ୍ରୀକ୍ଷେତ୍ର ଯାଇ ଶ୍ରୀସେତୁ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇବ ଟି ସଚିବ । ଶ୍ରୀକ୍ଷେତ୍ରକୁ ବିଶ୍ବସ୍ତରୀୟ ଐତିହ୍ୟ ସହର କରି ଗଢିତୋଳିବାକୁ ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଂଶବିଶେଷ ହେଉଛି ଶ୍ରୀସେତୁ । ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି ।

ଅଭଡ଼ା ଯୋଜନାରେ ଏଥିପାଇଁ ବ୍ୟୟବରାଦ ହୋଇଥିବାବେଳେ ଏହା ରାଜ୍ୟର ପ୍ରଥମ ଟ୍ରମ୍ପେଡ଼ ବ୍ରିଜ । ପ୍ରାୟ ଦେଢ଼ କିଲୋମିଟର ଲମ୍ବା ଏହି ସେତୁ ନିର୍ମାଣ ପାଇଁ 190 କୋଟି ଖର୍ଚ୍ଚ ହେବ । ଏହାର ଅଗ୍ରଗତି ସମ୍ପର୍କରେ ତଦାରଖ କରିଛନ୍ତି ଫାଇବ ଟି ସଚିବ । ସମୀକ୍ଷା ସମୟରେ ପୁରୀ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ମାଆ କୋଳରୁ ଶିଶୁକୁ ଝାମ୍ପି ନେଇଥିଲା, ଏବେ ଏକାକୀ ରହୁଛି..

ଭୁବନେଶ୍ୱର: ନିଃସଙ୍ଗ ଜୀବନ ବିତାଉଛି ମଣିଷଖିଆ ବାଘ । ନନ୍ଦନକାନନର ସ୍ବତନ୍ତ୍ର ଏନକ୍ଲୋଜରରେ ଏକାକୀ ରହିଛି କଲରାପତରିଆ ବାଘ। ଏପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଆଗକୁ ଆସୁନାହିଁ କିମ୍ବା ଖୁଆଡରେ ଛଡାଯାଉ ନାହିଁ । ୨୦୧୭ରେ ନୂଆପଡା ଖଡିଆଳ ଫରେଷ୍ଟ ଡିଭିଜନର ହଳଦୀ ଜଙ୍ଗଲରେ ସୃଷ୍ଟି କରିଥିଲା ଆତଙ୍କ । ମା’ କୋଳରୁ ରାତି ଅଧିଆ ଝାମ୍ପି ନେଇଥିଲା ୪ ବର୍ଷର ଶିଶୁକୁ । ଯାହା ବନ ବିଭାଗର ନିଦ ହଜାଇଦେଇଥିଲା  ।

ପରେ ବନ ବିଭାଗ ଯନ୍ତା ବସାଇ ୨ ଟି ବାଘକୁ କାବୁ କରିଥିଲେ । ଏହାପରେ ଦୁହିଙ୍କୁ ନନ୍ଦନକାନନ ଅଣାଯାଇଥିଲା । ତେବେ ଏହି କଲରାପତରିଆ ବାଘର ହିଂସ୍ର ଆଚରଣ ଏଯାଏଁ କମି ନାହିଁ  । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏହି ବାଘକୁ ଖୁଆଡରେ ଛଡାଯାଇ ନଥିବା କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

ଶ୍ରମିକ ସାଜି ଯାଇଥିଲେ, ଶବ ହୋଇ ଫେରିଲେ

ଗଞ୍ଜାମ: ଶ୍ରମିକ ସାଜି ସୁରଟ ଯାଇଥିଲେ ଶବ ହୋଇ ସ୍ବଦେଶ ଫେରିଲେ । ହେଲେ ମୃତ୍ୟୁ ପରେ ବି ସେ ହୋଇଗଲେ ଅମର । ୫ଜଣଙ୍କୁ ନୂଆ ଜୀବନ ଦେଇ ସମସ୍ତଙ୍କ ହୃଦୟରେ ବଞ୍ଚି ରହିଛନ୍ତି ଗଞ୍ଜାମ ଅଲାଣ୍ଡି ଅଞ୍ଚଳର ସୁଶୀଲ ସାହୁ । ସୁଶୀଲ ସୁରଟରେ ଏକ କମ୍ପାନୀରେ କାମ କରୁଥିଲେ । କାମ କରୁଥିବା ସମୟରେ ହଠାତ ସେ ଟଳିପଡିଥିଲେ । ପରେ ଡାକ୍ତରଖାନାରେ ସୁଶୀଲଙ୍କର ବ୍ରେନ୍ ଡେଡ୍ ହୋଇଯାଇଥିବା ଡାକ୍ତର କହିଥିଲେ । ୩୬ ଘଣ୍ଟା ଅବଜରଭେସନରେ ରଖିଲା ପରେ ମଧ୍ୟ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇନଥିଲା ।

ଏହା ପରେ ସୁଶୀଲଙ୍କର ଅଙ୍ଗ ଦାନ କରିବାକୁ ପରିବାର ବର୍ଗ ନିଷ୍ପତ୍ତି ନେଇଥିଲେ । ଡାକ୍ତରଙ୍କ ପରାମର୍ଶ ପରେ ସୁଶୀଲଙ୍କର ହାର୍ଟ, ଲିଭର, କିଡନୀ ବିଭିନ୍ନ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଛି । ଏହା ସହିତ ତାଙ୍କର ଦୁଇଟି ଆଖିକୁ ମଧ୍ୟ ଦାନ କରିଛନ୍ତି ପରିବାର ଲୋକ । ଫଳରେ ୫ଜଣ ବ୍ୟକ୍ତି ଏବେ ନୂଆ ଜୀବନ ପାଇଛନ୍ତି । ଆଉ ମୃତ୍ୟୁ ପରେ ବି ଅମର ହୋଇଯାଇଛନ୍ତି ସୁଶୀଲ । ଓଡ଼ିଶା ମୋ ପରିବାରର ସହାୟତାରେ ସୁଶୀଲଙ୍କର ମୃତଦେହକୁ ଓଡ଼ିଶା ଅଣାଯାଇଛି ।

ଶିକ୍ଷକଙ୍କ ଘରେ ଅମାପ ସମ୍ପତ୍ତି, ତାଜୁବ ଭିଜିଲାନ୍ସ ଅଫିସର

ରାୟଗଡା: ଶିକ୍ଷକଙ୍କ ସଂପତ୍ତି ଦେଖି ଟେରା ହୋଇଗଲା ଭିଜିଲାନ୍ସ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ନୂଆପଡାର ଶିକ୍ଷକ ଶିଶିର କୁମାର ସେମେଲିଙ୍କ ଘରୁ ଠାବ ହୋଇଛି ଅମାପ ସଂପତ୍ତି । ରେଡ୍ ବେଳେ ଶିଶିରଙ୍କ ଘରୁ ଠାବ ହୋଇଛି ୪ କୋଟି ୭୩ ଲକ୍ଷ ୮୭ ହଜାର ୪୭୫ଟଙ୍କାର ସଂପତ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୪ଟି ଟିମ୍ ରାୟଗଡ଼ା ଜିଲ୍ଲାର ୬ଟି ସ୍ଥାନରେ ଏକକାଳୀନ ରେଡ୍ ମାରିଥିଲା ।

ଚଢାଉ ବେଳେ ନଗଦ ୨ଲକ୍ଷ ୮୮ ହଜାର ଟଙ୍କା, ୨ଟି ଚାରିଚକିଆ ଯାନ, ୨ଟି ତିନି ମହଲା ଘର, ୩ଟି ଦୁଇ ମହଲା ଘର, ୨୧ ଲକ୍ଷ ୬୮ ହଜାର ଟଙ୍କାର ବ୍ୟାଙ୍କ ଜମା, ୪୦୮ ଗ୍ରାମ ଓଜନର ସୁନାଗହଣା, ୨୨୯ ଗ୍ରାମର ରୂପା ଅଳଙ୍କାର ଜବତ କରିଛି ଭିଜିଲାନ୍ସ । କମ୍ପର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଶିଶିର କୁମାର ସିମିଳି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ସୂଚନା ପାଇଥିଲା ଭିଜିଲାନ୍ସ ।

ପରେ ଏକ ସ୍ବତନ୍ତ୍ର ଟିମ୍ ଚଢାଉ କରି ଅମାପ ସଂପତ୍ତି ଠୁଳ କରିଛି । ଶିଶିର ପ୍ରାଥମିକ ସ୍କୁଲ ଶିକ୍ଷକ ଥିବା ବେଳେ, ତାଙ୍କ ପତ୍ନୀ ଜଣେ ଅଙ୍ଗନୱାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ରେଡ୍ ଜାରି ଥିବା ବେଳେ ସଂପତ୍ତିର ପରିମାଣ ମଧ୍ୟ ବଢିବା ନେଇ ଆଶା କରାଯାଉଛି ।

ଆକାଶରେ ପ୍ରଦର୍ଶିତ ଭାରତର ବୀରତା, ବନ୍ଦେ ମାତରଂରେ ପ୍ରକମ୍ପିତ ବିଜୟଚୌକ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପରେ ପ୍ରତିବର୍ଷ ପାଳନ ହୋଇଆସୁଛି ଧ୍ୱଜାବତରଣ ଦିବସ ବା ବିଟିଂ ଦି ରିଟ୍ରିଟ୍ ସେରିମୋନି  । ୨୬ ଜାନୁଆରୀରେ ଗଣତନ୍ତ୍ର ଦିବସ ପାଳନ ହୋଇଆସୁଥିବାବେଳେ ୨୯ ଜାନୁଆରୀରେ ବିଟିଂ ଦି ରିଟ୍ରିଟ୍ ପାଳନ ହୋଇଆସୁଛି  । ପ୍ରତିବର୍ଷ ଭଳି ଆଜି ମଧ୍ୟ ସମୟ ୫.୧୫ ମିନଟରେ ପାଳନ ହୋଇଛି ଏହି ଉତ୍ସବ  । ବୀର ଯବାନଙ୍କ ଚିତା କର୍ଷକ ପରେଡ ସହ ଧ୍ୱଜାବତ୍ୱରଣ ହୋଇଛି  । ଦେଶର ତିନି ସେନା ମୁଖ୍ୟଙ୍କ ଗହଣରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ରହିଛନ୍ତି  ।

ଏହା ସହ ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଯୋଗଦାନ କରିଛନ୍ତି  । ଜାତୀୟ ସଂଗୀତ ‘ଜନ ଗଣ ମନ ’ ରୁ ଆରମ୍ଭ କରାଯାଇଥିଲା  । ଏଥିସହ ସବୁଠାରୁ ଆକର୍ଷଣୀୟ ଏବଂ ଚିତାକର୍ଷକ ଥିଲା ଆଜାଦୀ କି ଅମୃତ ମହୋତ୍ସବ  । ଡ୍ରୋନ ସୋ ସାଙ୍ଗକୁ ଲାଇଟ ଏବଂ ସାଉଣ୍ଡ ସୋ ରେ କମ୍ପମାନ ହୋଇଥିଲା ବିଜୟ ଚୌକ  । ବୈଭବୀ ଭାରତର ଗାଥା, ବୀରତା ଏବଂ ପରାକାଷ୍ଠାକୁ ଲେଜର ସୋ ମାଧ୍ୟମରେ ପ୍ରକାଶ କରାଯାଇଛି  । ସନାତନୀ ଭାରତରେ ମୁନି ଋଷିଙ୍କ ଆବିର୍ଭାବ ଠାରୁ ଆରମ୍ଭ କରି ଭାରତର ଗାରିମାମୟ ଇତିହାସକୁ ଉଲ୍ଲେଖ କରାଯାଇଥିଲା  ।

ପ୍ରତିଟି ପରିସ୍ଥିତିରେ କିପରି ଦେଶର ଯବାନ ମାଟି ପାଇଁ ମୃତ୍ୟୁକୁ ସ୍ୱୀକାର କରିଛନ୍ତି, ଝଡ଼-ବର୍ଷା-ଖରାକୁ ଖାତିର ନକରି ଭାରତର ବୀରତାକୁ ବଜାୟ ରଖିଛନ୍ତି ତାହା ମଧ୍ୟ ପ୍ରଦର୍ଶିତ କରାଯାଇଥିଲା  । ଏହାସହ ଦେଶ ସ୍ୱାଧିନତାରେ ଜୀବନକୁ ବଳି ଦେଇଥିବା ମାଟିର ମହାନ ସଂଗ୍ରାମୀଙ୍କ ସଂଘର୍ଷ କାହାଣୀ  । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସାର ଆହ୍ୱାନ , ଲାଲ-ବାଲ-ପାଲଙ୍କ ଋଣ ହୁଙ୍କାର, ବୀର ସୁଭାଷ ବୋଷଙ୍କ ଆଜାଦ ହିନ୍ଦ ଫୈଜର ଗଠନକୁ ଡ୍ରୋନ ସୋ ମାଧ୍ୟମରେ ଦେଶ ଆଗରେ ପ୍ରଦର୍ଶିତ କରାଯାଇଛି  । ଦେଶ ସ୍ୱାଧନତାର ୭୫ ବର୍ଷ ଅବସରରେ ଆଜାଦୀ କି ଅମୃତ ମହୋତ୍ସବକୁ ଭବ୍ୟ ଭାବେ ପାଳନ କରାଯାଇଛି  । ବନ୍ଦେ ମାତଂର ନାରାରେ ପ୍ରକମ୍ପିତ ହୋଇଥିଲା ବିଜୟ ଚୌକ  ।

୧୯୭୧ରେ ପାକିସ୍ତାନ ସହ ଯୁଦ୍ଧରେ ବିଜୟ ପରେ ପ୍ରସ୍ତୁତ ହୋଇଥିବା ଧୂନ୍‌ରେ ଆରମ୍ଭ ହୋଇଥିଲା ଧ୍ବଜାବତରଣ ସମାରୋହ । ପ୍ରତିବର୍ଷ ଏହି ସମାରୋହ ଦେଖିବାକୁ ୨୫ ହଜାର ଦର୍ଶକଙ୍କୁ ଅନୁମତି ମିଳୁଥିବା ବେଳେ ଚଳିତବର୍ଷ କରୋନା ପାଇଁ କମ୍‌ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ମିଳିଥିଲା । ୧୯୫୦ରେ ଭାରତରେ ପ୍ରଥମ କରି ଧ୍ବଜାବତରଣ ସମାବେଶର ଆୟୋଜନ କରାଯାଇଥିଲା । ଚଳିତବର୍ଷ ବିଟିଂ ରିଟ୍ରିଟରେ ଡ୍ରୋନ ଶୋ ଓ ପ୍ରୋଜେକ୍ସନ ମ୍ୟାପିଂକୁ ସାମିଲ କରାଯାଇଥିଲା । ପ୍ରାୟ ଏକ ହଜାର ମେଡ୍‌ ଇନ ଇଣ୍ଡିଆ ଡ୍ରୋନ୍ ମଝି ଆକାଶରେ  ଦେଖାଇଥିଲେ ପାରଦର୍ଶିତା ।

ବୋହୂ ଡରରେ ନିର୍ବାଚନ ଲଢିଲେନି ୪ଥରର ମୁଖ୍ଯମନ୍ତ୍ରୀ

ପାଣାଜୀ: ଫେବୃଆରୀ ୧୪ରେ ପଡିବ ଭୋଟ  । ୪୦ ଆସନ ପାଇଁ ହେବ ମତଦାନ  । ଇଲେକ୍ସନ ପୂର୍ବରୁ ପାଣାଜୀରେ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ  । ଭାଜପା ଗୋଟିଚାଳନାରେ ପଛଘୁଞ୍ଚା ଦେଉଛି କଂଗ୍ରେସ । ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରତାପ ସିଂ ରାଣେ ଏଥର ଲଢିବେ ନାହିଁ ନିର୍ବାଚନ । ପୂର୍ବରୁ ନିର୍ବାଚନ ଲଢିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିସାରିଥିବାବେଳେ ଶେଷ ସମୟରେ ଓହରି ଯାଇଛନ୍ତି ଏହି ବରିଷ୍ଠ ନେତା  ।  ଯେଉଁ ଆସନରୁ ଲଗାତାର ପ୍ରାର୍ଥୀ ହୋଇଆସୁଥିଲେ ପ୍ରତାପ ସିଂ, ଠିକ୍ ସେହି ଆସନରୁ ପ୍ରତାପ ସିଂଙ୍କ ବୋହୂକୁ ପ୍ରାର୍ଥୀ କରିଛି ବିଜେପି । ପୋରିଏମ ବିଧାନସଭା କ୍ଷେତ୍ରରେ ବୋହୂ ଦିବ୍ୟା ରାଣେ ପ୍ରାର୍ଥୀ ହେବାପରେ ଶ୍ୱଶୁର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରତାପ ସିଂ ପ୍ରାର୍ଥୀ ହେବେ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଛନ୍ତି  ।

ଗୋଆରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା  । ଗତବର୍ଷ ଡିସେମ୍ବରରେ ପ୍ରାର୍ଥୀ ଘୋଷଣା ହୋଇଥିଲେ  । କିନ୍ତୁ ନିର୍ବାଚନର ଠିକ ଦୁଇ ସପ୍ତାହ ପୂର୍ବରୁ ମନା କରିଦେଲେ  । 87 ବର୍ଷୀୟ ପୁରୁଖା ନେତା ପ୍ରତାପ ସିଂ ରାଣେଙ୍କୁ ଦଳ ପୋରିଏମ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିଥିଲେ  । ଗତ ସପ୍ତାହରେ ଭାଜପା ପକ୍ଷରୁ ତାଙ୍କ ବୋହୂ ଦିବ୍ୟ ବିଶ୍ୱଜିତ ରାଣେଙ୍କୁ ଟିକେଟ ଦିଆଯିବା ପରେ ପ୍ରତାପ ସିଂ ଆଉ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି  । ସେ ନିଜ ବୋହୂଙ୍କୁ ଡରି ପ୍ରତିଦ୍ୱନ୍ଦିତାରୁ ଓହରିଯାଇଥିବା କୁହାଯାଉଛି  । ପ୍ରତାପ ସିଂ ରାଣେ ପୋରିଏମ ଆସନରୁ ପ୍ରାର୍ଥୀ ହୋଇ ଆସୁଛନ୍ତି  । ଉକ୍ତ ଆସନରୁ ହିଁ ୧୧ ଥର ବିଧାୟକ ହୋଇଛନ୍ତି ପ୍ରତାପ ସିଂ ରାଣେ  । ଏମିତିକି କେବେ ମଧ୍ୟ ସେହି ଆସନରୁ ପରାଜିତ ହୋଇନାହାଁନ୍ତି ପ୍ରତାପ ସିଂ ରାଣେ  ।

ପ୍ରତାପ ସିଂ ରାଣେଙ୍କ ପୁଅ ବିଶ୍ୱଜିତ ରାଣେ ହେଉଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ କ୍ୟାବିନେଟ୍ ମନ୍ତ୍ରୀ  । ପୂର୍ବରୁ କଂଗ୍ରେସରେ ଥିବା ପୁଅ ବିଶ୍ୱଜିତ ୨୦୧୭ ମସିହାରେ ବିଜେପି ଶିବିରରେ ଶରଣ ପସିଥିଲେ  । ୧୯୮୭ ମସିହାରୁ ୨୦୦୭ ମସିହା ମଧ୍ୟରେ ୪ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ପ୍ରତାପ ସିଂ ରାଣେ  । ସେପଟେ ଏଥର ମଧ୍ୟ ନିର୍ବାଚନ ଲଢିବା ନେଇ ଘୋଷଣା କରିଥିଲେ ପ୍ରତାପ ସିଂ  । ୪୫ ବର୍ଷ ଧରି ପୋରିଏମ ଆସନକୁ ନିଜ ହାତରେ ରଖୁଥିବା ନେତା ଏବେ ବୋହୂ ପାଇଁ ନିର୍ବାଚନରୁ ଓହରିଯାଇଛନ୍ତି  । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏପରି ନିଷ୍ପତ୍ତି ଦଳକୁ ନିରାଶ କରିଥିବା କହିଛନ୍ତି ବରିଷ୍ଠ ନେତା ପି. ଚିଦାମ୍ବରମ  । ଯଦି ପ୍ରତାପ ସିଂ ପ୍ରାର୍ଥୀ ହେବେ ନାହିଁ ତେବେ ଜଣେ ଦକ୍ଷ ଓ ଅଭିଜ୍ଞତା ସମ୍ପନ୍ନ ନେତାଙ୍କ ନାମ ଦଳକୁ ଦିଅନ୍ତୁ ବୋଲି ସେ କହିଛନ୍ତି  । ତେବେ ପୋରିଏମରୁ ଏଥର ବୋହୂ ଦିବ୍ୟା ରାଣେକୁ ବାଟ ଛାଡିବା ପରେ କଂଗ୍ରେସର ସ୍ଥିତି କଣ ହେଉଛି, ତାହା 10 ମାର୍ଚ୍ଚରେ ହିଁ ଜଣା ପଡିବ  ।