spot_img
Home Blog Page 4658

ପ୍ରେମ ଭରା ବାର୍ତ୍ତା ପଠାଇ ମାସକୁ ଦେଢ଼ ଲକ୍ଷ ଟଙ୍କା କମାଇଲେ ମହିଳା

ନୂଆଦିଲ୍ଲୀ: ଟଙ୍କା ରୋଜଗାର ପାଇଁ କିଛି କାମ କରିବାକୁ ପଡ଼େ । କେବେ ଭାବିଛନ୍ତି କି ଆପଣଙ୍କୁ ମାସିକ ଲକ୍ଷାଧିକ ଟଙ୍କା ମିଳିବ । ତାହା ପୁଣି କେବଳ ମେସେଜ୍ ପଠାଇ… ହଁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି କିଛି ଘଟିଛି ଆମେରିକାର ଜଣେ ମହିଳାଙ୍କ ସହ । ଜଣେ ବ୍ୟକ୍ତି ଦୀର୍ଘ ତିନିବର୍ଷ ଧରି ମହିଳା ଜଣଙ୍କୁ ମାସିକ ଲକ୍ଷାଧିକ ଟଙ୍କା କେବଳ ମେସେଜ୍ ପାଇଁ ଦେଇଛନ୍ତି । ଏକଥା ଟିକଟିକ୍ ଭିଡିଓ ମାଧ୍ୟମରେ ଖୁଲାସା କରିଛନ୍ତି ମହିଳା ଜଣଙ୍କ ।

ଖବର ଅନୁସାରେ, ଆମେରିକାରେ ରହୁଥିବା ମହିଳା ଜଣଙ୍କ ନାମ ବେଲି ହଣ୍ଟର । ସେ ସ୍ଥାନୀୟ ଏକ ରେଷ୍ଟୁରାଣ୍ଟ ବୁଫାଲୋ ୱାଇଲ୍ଡ ୱିଙ୍ଗ୍ସରେ ୱେଟର୍ସ ଭାବେ କାମ କରନ୍ତି । ଥରେ ଜଣେ ବ୍ୟକ୍ତି ତାଙ୍କଠାରୁ କମ୍ ବୟସର ଜଣେ ମହିଳାଙ୍କ ସହ ଡିନର କରିବାକୁ ଆସିଥିଲେ । ଆଉ ୱେଟର୍ସ ବେଲି ତାଙ୍କୁ ଡିନର ସର୍ଭ କରିଥିଲେ । ବିଲ୍ ୨୯୦୦ ଟଙ୍କା ହୋଇଥିବା ବେଳେ ବ୍ୟକ୍ତି ଜଣଙ୍କ ଟିପ୍ସ ବାବଦରେ ୭ ହଜାର ୪୦୦ ଟଙ୍କା ଦେଇଥିଲେ । ମୋଟା ଅଙ୍କର ଟିପ୍ସ ସହ ଭିଜିଟିଂ କାର୍ଡ ବି ଦେଇଥିଲେ ।

ଆଉ ବେଲି ଧନ୍ୟବାଦ ଜଣାଇବା ପାଇଁ ଭିଜିଟିଂ କାର୍ଡରେ ଥିବା ନମ୍ବରରେ ମେସେଜ୍ କରିଥିଲେ । ଆଉ ମେସେଜ୍ ପାଇଁ ବ୍ୟକ୍ତି ଜଣଙ୍କ ଲେଖିଥିଲେ- ତୁମେ ନିଆରା, ତୁମେ ଟିପ୍ସ ପାଇବାକୁ ଯୋଗ୍ୟ । ତୁମେ ଆଉ କେବେ ଡିନର ସର୍ଭ କରିବ ? ମୁଁ ଆସିବି ।

ଆଉ କିଛି ଟଙ୍କା କମାଇବାର ଆଶାରେ ବେଲି କହିଥିଲେ, ମୁଁ ଆଗକୁ ବି ୱେଟର୍ସ କାମ କରୁଥିବି । ଏହି ପ୍ରକାରେ ବ୍ୟକ୍ତି ଜଣଙ୍କ ସହ ବେଲିଙ୍କ ଭାବବିନୋଦନ ବଢ଼ି ଚାଲିଥିଲା । ଆଉ ବ୍ୟକ୍ତି ଜଣଙ୍କ ବେଲିକୁ କହିଥିଲେ, ଯେବେ ବି ମେସେଜ୍ କରିବେ ସାଙ୍ଗ ଭଳି । ଉଭୟ ଏକ ମେସେଜିଂ ଆପରେ କଥା ହେବାକୁ ଲାଗିଲେ । ବ୍ୟକ୍ତି ଜଣଙ୍କ ନିୟମିତ କଥା ହେବା ସହ ଟଙ୍କା ଦେଉଥିଲେ ।

ବେଲି ହଣ୍ଟରଙ୍କ ଆର୍ଥିକ ସ୍ଥିତି ନେଇ ଅବଗତ ହେବା ପରେ ବ୍ୟକ୍ତି ଜଣଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ । ଏପରିକି ବେଲିଙ୍କୁ ନଜଣାଇ ବ୍ଯକ୍ତି ଜଣଙ୍କ ଟଙ୍କା ପଠାଉଥିଲେ । ଏଭଳି ଭାବେ ୩ ବର୍ଷ ଧରି ବେଲିଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିଲା । ଆଉ ସେହି ଟଙ୍କାରେ ବେଲି ସପିଂ କରୁଥିଲେ । ଅନେକ ସମୟରେ ଦାମୀ ଗିଫ୍ଟ ବି ବ୍ୟକ୍ତି ଜଣଙ୍କ ବେଲିଙ୍କୁ ଦେଉଥିଲେ ।

ଆସିଲା କରୋନାର ନୂଆ ଭାରିଆଣ୍ଟ BA.2, ବ୍ରିଟେନରେ ହେଲା ଚିହ୍ନଟ

ନୂଆଦିଲ୍ଲୀ: ଦୀର୍ଘ ଦୁଇ ବର୍ଷ ହେବ ସାରା ବିଶ୍ୱରେ କରୋନା ମହାମାରୀ ତା’ର ଆତଙ୍କ ଖେଳାଇଛି । ଗୋଟିଏ ଭାରିଆଣ୍ଟ ନ ଯାଉଣୁ ଆଉ ଏକ ଭାରିଆଣ୍ଟ ଆତଙ୍କ ଖେଳାଉଛି । ବର୍ତ୍ତମାନ ସାରା ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆତଙ୍କ ଖେଳାଉଥିବାବେଳେ ବ୍ରିଟେନରେ ଆଉ ଏକ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହାକୁ ନେଇ ବ୍ରିଟେନ ସ୍ୱାସ୍ଥ୍ୟ ନିରାପତ୍ତା ଏଜେନ୍ସି ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି ।

ଏହି ନୂଆ ଭାରିଆଣ୍ଟର ନାମ ରଖାଯାଇଛି BA.2 । ଏହି ନୂଆ ଭୂତାଣୁ ସମ୍ପର୍କରେ ଗବେଷଣା ଜାରି ରହିଛି ଏବଂ ଏହାକୁ ଭାରିଆଣ୍ଟ ଅଫ କନସର୍ନ ତାଲିକାରେ ରଖାଯାଇଛି । BA.2 ଦ୍ୱାରା ବ୍ରିଟେନରେ ୪୨୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବ୍ରିଟେନରେ ବର୍ତ୍ତମାନ ଓମିକ୍ରନ BA.1 ପ୍ରାଧାନ୍ୟ ବିସ୍ତାର କରିଥିବାବେଳେ ନୂଆ ଭାରିଆଣ୍ଟ BA.2 କୁ ନେଇ ଆଶଙ୍କା ବ୍ୟକ୍ତ କରାଯାଇଛି । ତେବେ ଏହାର ସବିଶେଷ ପ୍ରଭାବ ନେଇ ଗବେଷଣା ଜାରି ରହିଛି ବୋଲି କହିଛନ୍ତି ବ୍ରିଟେନ ସ୍ୱାସ୍ଥ୍ୟ ନିରାପତ୍ତା ଏଜେନ୍ସିର ନିର୍ଦ୍ଦେଶକ ଡାକ୍ତର ମୀରା ଚାନ୍ଦ । ଏହି ଭାରିଆଣ୍ଟ ନେଇ ଜେନୋମିକ ସର୍ଭେଲାନ୍ସ ଜାରି ରହିଛି ଏବଂ ବ୍ରିଟେନରେ ଏହାର ପ୍ରଭାବ ଯେପରି ନିୟନ୍ତ୍ରଣ କରାଯିବ ସେଥିଲାଗି ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି । ବ୍ରିଟେନର ସଂକ୍ରମଣ ଦୈନିକ ୧ ଲକ୍ଷରୁ ଅଧିକ ହେଉଥିବାବେଳେ ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ପ୍ରକାଶ ପାଇଛି । ଓମିକ୍ରନ ସଂକ୍ରମିତଙ୍କ ଅବସ୍ଥା ବିଶେଷ ଗୁରୁତର ହେଉ ନଥିବାରୁ ପରବର୍ତ୍ତୀ ଭାରିଆଣ୍ଟଗୁଡିକ ଶକ୍ତିଶାଳୀ ନ ହୋଇପାରନ୍ତି ବୋଲି କୁହାଯାଉଛି ।

ମୁମ୍ବାଇରେ ଭୟାନକ ଅଗ୍ନିକାଣ୍ଡ, ୭ ମୃତ

ମୁମ୍ବାଇ: ମୁମ୍ବାଇର କମଲା ବିଲ୍ଡିଂରେ ଆଜି ସକାଳୁ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଟରେଡୋରେ ଥିବା ଭାଟିଆ ହସ୍ପିଟାଲ ନିକଟରେ ଥିବା ୨୦ ମହଲା କୋଠାରେ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୭ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡରେ ଆହତ ହୋଇଥିବା ସମସ୍ତଙ୍କୁ ଭାଟିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଲ୍ଡିଂରୁ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୧୩ଟି ଗାଡି ନିୟୋଜିତ ହୋଇଛି ।

ଦମକଳ ବିଭାଗର ସୂଚନା ଅନୁସାରେ ୨୦ ମହଲା ବିଶିଷ୍ଟ ଏହି ଆପାର୍ଟମେଣ୍ଟର ୧୮ ତମ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୧୯ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ଉଦ୍ଧାର କାର୍ଯ୍ୟରେ ୫ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । ଏହି ଘଟଣାରେ କେତେକ ବରିଷ୍ଠ ନାଗରିକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ନିଆଁ ଲାଗିବା ପରେ ସମଗ୍ର ଆପାର୍ଟମେଣ୍ଟରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଉପସ୍ଥିତ ରହି ଉଦ୍ଧାରକାର୍ଯ୍ୟର ସମୀକ୍ଷା କରୁଛନ୍ତି ।

 

ମେଡିସିନ କିଣିବା ବାହାନାରେ ଲୁଟ୍, ଦୋକାନରୁ ୪୯ ହଜାର ଲୁଟିନେଲ ୩ ଦୁର୍ବୃତ୍ତ

ଭୁବନେଶ୍ୱର: ଭୁବନେଶ୍ୱରରେ ଔଷଧ ଦୋକାନରୁ ଲୁଟ୍‌ । ଔଷଧ ଦୋକାନରୁ ମେଡିସିନ କିଣିବା ବାହାନାରେ ଲୁଟିନେଲେ ଟଙ୍କା । ୩ ଜଣ ଲୁଟେରା ଔଷଧ ଦୋକାନରୁ ୪୯ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଲୁଟ୍ ଘଟଣା ନୟାପଲ୍ଲୀ IRC ଭିଲେଜରେ ଥିବା ବୃନ୍ଦାବନ ମେଡିସିନ ଷ୍ଟୋର ଘଟିଛି ।

ଶୁକ୍ରବାର ଦ୍ୱିପ୍ରହର ସମୟରେ ୩ ଜଣ ଦୁର୍ବୃତ୍ତ ମେଡିସିନ କିଣିବାକୁ ଆସି ଦୋକାନରୁ ୪୯ ହଜାର ଟଙ୍କା ଲୁଟି ନେଇଛନ୍ତି । ଦୁର୍ବୃତ୍ତ ଦୋକାନ ଭିତରେ ପଶି ଟଙ୍କା ଲୁଟି ନେଇଥିବା ସିସିଟିଭିରେ କଏଦ ହୋଇଛି । ଦୋକାନରେ ପଶି ଲୁଟ ମାମଲାରେ ଦୋକାନୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ।

ମା’ ହେଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ସୋସିଆଲ ମିଡିଆରେ ଦେଲେ ସୂଚନା

ନୂଆଦିଲ୍ଲୀ: ମା’ ହେଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଏନେଇ ପ୍ରିୟଙ୍କା ଚୋପ୍ରା ଶୁକ୍ରବାର ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ପ୍ରିୟଙ୍କା ଚୋପ୍ରାଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକ ଉଭୟ ପ୍ରିୟଙ୍କା ଓ ନିକଙ୍କୁ ସୋସିଆଲ ମିଡିଆ ଜରିଆରି ଶୁଭେଚ୍ଛା ଜଣାଇଛନ୍ତି । ସରୋଗେସି ଜରିଆରେ ମା’ ହୋଇଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଏନେଇ ଖୁସିବ୍ୟକ୍ତ କରିଛନ୍ତି ପ୍ରିୟଙ୍କା ଓ ସ୍ୱାମୀ ନିକ୍ ଜୋନସ । ପ୍ରିୟଙ୍କା ଓ ନିକ୍ ସରୋଗେସି ଜରିଆରେ ସନ୍ତାନ ପାଇବା ଲାଗି ନିଷ୍ପତ୍ତି ନେଇଥିଲେ ।

 

 

View this post on Instagram

 

A post shared by Priyanka (@priyankachopra)

ମା’ ହେବା ପରେ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ଲେଖିଛନ୍ତି – ଆପଣ ଜାଣି ଖୁସି ହେବେ ଯେ ଆମେ ସରୋଗେସି ମାଧ୍ୟମରେ ଆମ ସନ୍ତାନକୁ ସ୍ୱାଗତ କରୁଛୁ । ଆମେ ଏହି କଥାକୁ ଗୋପନୀୟ ରଖିଥିଲୁ କାରଣ ସେହି ସମୟରେ ଆମେ ଆମ ପରିବାର ଉପରେ ଧ୍ୟାନ ଦେବାକୁ ଅଧିକ ଗୁରୁତ୍ୱ ଦେଇଥିଲୁ । ଏଥିପାଇଁ କହିଥିଲୁ କି ଠିକ୍‌ ସମୟ ଆସିଲେ ନିଶ୍ଚିତ ଜଣାଇବୁ । ଏବେ ସେହି ଖୁସିର ସମୟ ଆସିଛି । ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । କିନ୍ତୁ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହାନ୍ତି ତାଙ୍କର ପୁଅ ହୋଇଛି ନା ଝିଅ ।

ସୂଚନା ଅନୁସାରେ, ୨୦୧୮ରେ ୩୯ ବର୍ଷିୟ ପ୍ରିୟଙ୍କା ଚୋପ୍ରା, ୨୯ ବର୍ଷିୟ ଆମେରିକାନ ସିଙ୍ଗର ନିକ୍ ଜୋନସଙ୍କୁ ବିବାହ କରିଥିଲେ । ଏହି ଦୁଇ ସେଲିବ୍ରେଟି ରାଜସ୍ଥାନ ଯୋଧପୁରର ଉମ୍ମେଦ ଭବନ ପ୍ୟାଲେସରେ ହିନ୍ଦୁ ଓ ଇସାଇ ରିତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲା ।

ମହଙ୍ଗା ପଡ଼ିଲା କେନ୍ଦ୍ରମନ୍ତ୍ରୀଙ୍କ ଗୁଣ୍ଡାଗିରି, ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ମାମଲା ରୁଜୁ

ବାରିପଦା: ମହଙ୍ଗା ପଡ଼ିଲା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗୁଣ୍ଡାଗିରି । ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ବାରିପଦା ଟାଉନ ଥାନାରେ ମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ଦେଲେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଦୁଇ ଆହତ ଅଧିକାରୀ । ମନ୍ତ୍ରୀଙ୍କ ବିରୋଧରେ ୫୦/୨୨ରେ ମାମଲା ରୁଜୁ ହେବା ସହ ୩୨୩, ୩୨୫, ୩୪୧, ୨୯୪ ଓ ୫୦୬ ଦଫା ଲଗାଇଛି ପୋଲିସ । ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ଆକ୍ରମଣ ଅଭିଯୋଗର ତଦନ୍ତ କରିବେ ।

ଗତକାଲି କେନ୍ଦ୍ରମନ୍ତ୍ରୀଙ୍କ ମାଡରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଦୁଇ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ସେମାନେ ପିଆରଏମ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଉପନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର ଗୁରୁତର ଆହତ ହୋଇଛନ୍ତି । ଦେବାଶିଷଙ୍କ ବାମ ହାତ ଭାଙ୍ଗି ଯାଇଥିବା ବେଳେ ତାଙ୍କୁ କଟକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ବିଜେପି ପାର୍ଟି ଅଫିସ ମଧ୍ୟରେ କବାଟ ବନ୍ଦ କରି ଚେୟାରରେ ଆକ୍ରମଣ କରି ହାତ ଭାଙ୍ଗିବା ସହିତ ବିଶ୍ୱେଶ୍ୱର ପ୍ରବଳ ମାଡ ମାରିଥିବା ଅଭିଯୋଗ ହୋଇଛି ।

ଏହି ଦୁଇ ଅଧିକାରୀଙ୍କୁ ବିଶ୍ୱେଶ୍ୱର ଟୁଡୁ ଗତକାଲି ବାରିପଦା ସ୍ଥିତ ବିଜେପି ପାର୍ଟି ଅଫିସକୁ ଏମପି ଲାଡ୍ ସମ୍ପର୍କିତ ଫାଇଲ୍ ଧରି ଆସିବା ପାଇଁ କହିଥିଲେ । କିନ୍ତୁ କୋଡ୍ ଅଫ୍ କଣ୍ଡକ୍ଟ ଲାଗିଥିବାରୁ ପାର୍ଟି ଅଫିସକୁ ଯାଇପାରିବେନି ବୋଲି ଦୁଇ ଅଧିକାରୀ କହିଥିଲେ । କିନ୍ତୁ ଏହାପରେ ଦିଲ୍ଲୀ ଅଫିସରୁ ଫୋନ୍ ଆସିବାରୁ ଦୁଇ ଅଧିକାରୀ ପାର୍ଟି ଅଫିସକୁ ଯିବାକୁ ବାଧ୍ୟ ହୋଇଥିଲେ। ସେମାନଙ୍କୁ ମନ୍ତ୍ରୀଙ୍କ ପିଏ ଫୋନ କରି ଫାଇଲ ନନେଇ କେବଳ ଆଲୋଚନା ପାଇଁ ଆସିବାକୁ କହିଥିଲେ। ତେଣୁ ଏହି ଦୁଇ ଅଧିକାରୀ ପାର୍ଟି ଅଫିସକୁ ମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଯାଇଥିଲେ। ପାର୍ଟି ଅଫିସ୍‌ରେ ପହଞ୍ଚିବା ମାତ୍ରେ ଏହି ଦୁଇ ଅଧିକାରୀଙ୍କୁ ମନ୍ତ୍ରୀ ପ୍ରଥମେ ଲୁହା ରଡରେ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିବା ଅଭିଯୋଗ ହୋଇଛି । ପରେ ପ୍ଲାଷ୍ଟିକ ଚେୟାରରେ ସହକାରୀ ନିର୍ଦ୍ଦେଶକଙ୍କୁ ଆକ୍ରମଣ କରିଥିଲେ।

ଦେଶରେ ବେକାବୁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୩ ଲକ୍ଷ ୩୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୩୭ ହଜାର ୭୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲିଠାରୁ ଆଜିର ସଂକ୍ରମଣ ସଂଖ୍ୟା ୯ ହଜାର ୫୫୦ କମ୍ ରହିଛି । ଦୈନିକ ପଜିଟିଭ ହାର ୧୭.୨୨ ପ୍ରତିଶତ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୪୮୮ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଯଦି ଓମିକ୍ରନ ଆକ୍ରାନ୍ତଙ୍କ କଥା କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୦୫୦ରେ ପହଞ୍ଚିଛି ।

ଦେଶରେ ଶୁକ୍ରବାର ୩ ଲକ୍ଷ ୪୭ ହଜାର ୨୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟାରେ ହ୍ରାସ ପାଇଛି । ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୭୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଆକ୍ଟିଭ୍ କେସ୍ ସଂଖ୍ୟା ୨୧ ଲକ୍ଷ ୧୩ ହଜାର ୩୬୫ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୪୨ ହଜାର ୬୭୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

 

ରାଜ୍ୟରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୮ ହଜାର ୮୪୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ରାଜ୍ୟରେ ୨୪ ଘଣ୍ଟାରେ ୮ ହଜାର ୮୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫ ହଜାର ୧୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ ହଜାର ୭୧୭ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ୦ ରୁ ୧୮ ବର୍ଷ ମଧ୍ୟରେ ୯୨୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୩୯୦ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨ ହଜାର ୫୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୬୦, ବାଲେଶ୍ୱରରୁ ୨୯୦, ବରଗଡ଼ରୁ ୧୪୧, ଭଦ୍ରକରୁ ୧୧୭, ବଲାଙ୍ଗୀରରୁ ୨୩୨, ବୌଦ୍ଧରୁ ୯୩, କଟକରୁ ୬୨୮, ଦେଓଗଡ଼ରୁ ୫୫, ଢେଙ୍କାନାଳରୁ ୧୦୦, ଗଜପତିରୁ ୯୨, ଗଞ୍ଜାମରୁ ୫୩, ଜଗତସିଂହପୁରରୁ ୧୮୦, ଯାଜପୁରରୁ ୨୦୯, ଝାରସୁଗୁଡ଼ାରୁ ୧୪୪, କଳାହାଣ୍ଡିରୁ ୨୩୯, କନ୍ଧମାଳରୁ ୧୦୯, କେନ୍ଦ୍ରାପଡ଼ାରୁ ୯୨, କେନ୍ଦୁଝରରୁ ୧୧୦, କୋରାପୁଟରୁ ୨୦୩, ମାଲକାନଗିରିରୁ ୫୦, ମୟୁରଭଞ୍ଜରୁ ୧୫୨, ନବରଙ୍ଗପୁରରୁ ୧୮୭, ନୟାଗଡ଼ରୁ ୧୯୪, ନୂଆପଡ଼ାରୁ ୨୦୫, ପୁରୀରୁ ୧୬୫, ରାୟଗଡ଼ାରୁ ୨୨୧, ସମ୍ବଲପୁରରୁ ୧୮୧, ସୋନପୁରରୁ ୨୦୭, ସୁନ୍ଦରଗଡ଼ରୁ ୧୦୦୧ ଓ ଷ୍ଟେଟ ପୁଲରୁ ୫୦୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସରିଲା ନାମାଙ୍କନ, ଆଜି ହେବ ପ୍ରାର୍ଥୀପତ୍ର ଯାଞ୍ଚ

ଭୁବନେଶ୍ୱର: ବଢୁଛି ପଞ୍ଚାୟତ ପାରା । ସରଗରମ ଗାଁ ରାଜନୀତି । ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା । ଓ୍ୱାର୍ଡ ସଭ୍ୟ ପାଇଁ ୧ ଲକ୍ଷ ୬୨ ହଜାର ୨୯୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପାଇଁ ୩୪ ହଜାର ୬୧୩ ଜଣ ଦାଖଲ କରିଛନ୍ତି । ସେହିପରି ସମିତି ସଭ୍ୟ ପାଇଁ ୨୮ ହଜାର ୧୫୩ ଜଣ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୩ ହଜାର ୯୯୯ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପରେ ଆଜି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଆସନ୍ତାକାଲିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସୁଯୋଗ ରହିଛି । ସେହିଦିନ ହିଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଗତକାଲି ଶେଷ ଦିନରେ କୋଭିଡ କଟକଣା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅନେକ ପ୍ରାର୍ଥୀ । ଯୁବକଙ୍କଠୁ ଆରମ୍ଭ କରି ଦିବ୍ୟାଙ୍ଗ ବୃଦ୍ଧା ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ଶିକ୍ଷିତ ଯୁବକ ଯୁବତୀ ମଧ୍ୟ ଅଧିକ ମାତ୍ରାରେ ନିର୍ବାଚନ ରଣାଙ୍ଗନକୁ ଆସିଛନ୍ତି ।

ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଓଭରବ୍ରିଜରୁ ୩୦ ଫୁଟ ତଳକୁ ଖସିଲା କାର

ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଭରବ୍ରିଜ୍ ତଳକୁ ଖସିଲା କାର । ଶୁକ୍ରବାର ରାତି ପ୍ରାୟ ୨ ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଭୁବନେଶ୍ୱର ପଳାସପଲ୍ଲୀ ନିକଟ ପୁନାମାଗେଟ୍‌ ଓଭରବ୍ରିଜ୍ ନିକଟରେ ଘଟିଛି ଏହି ଦୁର୍ଘଟଣା । ଓଭରବ୍ରିଜରୁ ୩୦ ଫୁଟ୍ ତଳକୁ ଖସିବା ଫଳରେ କାରଟି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିଯାଇଥିବାବେଳେ ଏପର୍ଯ୍ୟନ୍ତ ଡ୍ରାଇଭରଙ୍କ ପତ୍ତା ମିଳୁନି ।

ମିଳିଥିବା ସୂଚନା ଅନୁସାରେ ନବୀନ ନିବାସ ପଟୁ ଏକ ଦୂତଗାମୀ i-20 ଗାଡି ଭୀମଟାଙ୍ଗୀ ପଟକୁ ଯାଉଥିଲା । ଓଭରବ୍ରିଜ୍ ଚଢିବା ପରେ ଗାଡିଟି ଭାରସାମ୍ୟ ହରାଇଥିଲା । ଯାହା ଫଳରେ ଓଭରବ୍ରିଜ କଡରେ ଲାଗିଥିବା ସୁରକ୍ଷା ବଳୟକୁ ଭାଙ୍ଗି ଗାଡିଟି ୩୦ ଫୁଟ ତଳକୁ ଖସିପଡ଼ିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଗାଡିର ଡ୍ରାଇଭର ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।