ଭୁବନେଶ୍ୱର: ରାଜ୍ୟରେ ପୁଣି ବଦଳିଲା ପାଗ । ଅଦିନିଆ ବର୍ଷା ସାଙ୍ଗକୁ ବଢିବ ତାପମାତ୍ରା । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଗତ ପଶ୍ଚିମାଝଡଠାରୁ ଏହାର ପ୍ରଭାବ କମ୍ ରହିଲେ ବି ଆସନ୍ତାକାଲି ବିଶେଷ କରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ବର୍ଷାର ପ୍ରକୋପ ଅଧିକ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପଶ୍ଚିମ ଓଡିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଆସନ୍ତାକାଲି ଓ ୨୪ ତାରିଖରେ ବର୍ଷା ବଢିବ । ଏଥିପାଇଁ ୮ ଟି ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ ଏବଂ କେନ୍ଦ୍ରାପଡା ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ସହ ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ।
ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଦଳ ଛାଡ଼ିଲେ ମନୋହର ପାରିକରଙ୍କ ପୁଅ
ପାନାଜୀ: ଗୋଆ ବିଧାନସଭା ପୂର୍ବରୁ ବିଜେପିକୁ ଝଟକା । ବିଜେପି ଛାଡିଲେ ଗୋଆ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର । ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବେ । ଉତ୍ପଳ କହିଛନ୍ତି ଯେ କ୍ଷମତା କିମ୍ବା କୌଣସି ପଦବୀ ପାଇଁ ଲଢ଼ୁନାହିଁ । ପିତାଙ୍କ ମୂଲ୍ୟବୋଧ ପାଇଁ ଲଢ଼ୁଛି, ପୁରୁଣା ବିଜେପି କର୍ମୀମାନେ ମୋ ସହ ଅଛନ୍ତି ବୋଲି କହିଛନ୍ତି ଉତ୍ପଳ ପାରିକର । ଉତ୍ପଳଙ୍କୁ ବିଜେପି ପାନାଜୀ ଆସନ ପାଇଁ ଟିକେଟ୍ ଦେଇନଥିଲା । ଯାହାକୁ ନେଇ ଅସନ୍ତୋଷ ଥିଲେ ଉତ୍ପଳ । ଏହା ପରେ ଆମ୍ ଆଦମୀ ପାର୍ଟି ମଧ୍ୟ ଉତ୍ପଲଙ୍କୁ ଆପ୍ ଟିକେଟରେ ପ୍ରତିଦ୍ୱନ୍ଦିତା କରିବାକୁ ଅଫର ଦେଇଥିଲା ।
ଅନ୍ୟପକ୍ଷରେ ପାରିକରଙ୍କ ପରିବାରକୁ ବିଜେପି ଅବହେଳା କରିଥିବା ଅଭିଯୋଗ ହୋଇଛି । ବିଜେପିର ଏହି ଦିବଙ୍ଗତ ନେତାଙ୍କ ପରିବାରକୁ ଦଳ ପକ୍ଷରୁ କୌଣସି ସମର୍ଥନ ମିଳୁନଥିବା ଅଭିଯୋଗ ହୋଇଛି । ସେପଟେ ୟୁପିରେ ନିର୍ବାଚନୀ ମାହୋଲ ସରଗରମ ହେଲାଣି । କଂଗ୍ରେସ ପକ୍ଷରୁ ମହିଳା ଓ ଯୁବଗୋଷ୍ଠୀଙ୍କ ପାଇଁ ଘୋଷଣା ପତ୍ର ଜାରି ପରେ ବିଜେପି ଓ ସମାଜବାଦୀ ପାର୍ଟି ପାଇଁ ଚିନ୍ତା ବଢିଛି । ବିଜେପି ପକ୍ଷରୁ ଆଜିଠୁ ଘର ଘର ବୁଲି ପ୍ରଚାର ଆରମ୍ଭ ହେବ । ଖୁବ୍ଶୀଘ୍ର ବାକିଥିବା ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ସିରିଜ ହାରିଲା ଭାରତ, ୨-୦ରେ ପୋଛିଲା ଦକ୍ଷିଣ ଆଫ୍ରିକା
କେପଟାଉନ: ଟେଷ୍ଟ ପରେ ଏବେ ଦିନିକିଆ ସିରିଜ୍ ବି ହାତରୁ ଗଲା । ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆରେ ୭ ଓ୍ବିକେଟରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ଟେଷ୍ଟ ସିରିଜ୍କୁ ୨-୧ରେ ହାରିବା ପରେ ୩ ଟିକିଆ ଦିନିକିଆ ସିରିଜ୍କୁ ୨-୦ରେ ହାରି ସିରିଜ୍ ହାତଛଡା କରିଛି ଭାରତ । ଦ୍ବିତୀୟ ଦିନିକିଆରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ ।
ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୨୮୭ ରନ ସଂଗ୍ରହ କରିଥିଲା ଭ୍ରମଣକାରୀ ଦଳ । ଜବାବରେ ଘରୋଇ ଦକ୍ଷିଣ ଆଫ୍ରିକା ୪୮ ଓବର ଗୋଟିଏ ବଲ୍ରେ ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ୨୮୮ ରନ ସଂଗ୍ରହ କରିନେଇଛି । ଦଳ ପକ୍ଷରୁ ୨ ଓପନର ଜାନେମନ୍ ମଲାନ୍ ଏବଂ କ୍ବିଣ୍ଟନ୍ ଡି କକ୍ ଚମତ୍କାର ଆରମ୍ଭ କରିଥିଲେ । ଡି କକ୍ ବ୍ୟକ୍ତିଗତ ଭାବେ ୭୮ ରନ କରି ଆଉଟ ହୋଇଥିବା ବେଳେ ମଲାନ୍ ୯୧ ରନ କରି ଆଉଟ ହୋଇଛନ୍ତି ।
ଅଧିନାୟକ ଲୋକେସ ରାହୁଲ ଏବଂ ଋଷଭ ପନ୍ତଙ୍କ ଦମଦାର ଅର୍ଦ୍ଧଶତକ ବଳରେ ସାଉଥ୍ ଆଫ୍ରିକାକୁ ବଡ ଟାର୍ଗେଟ୍ ଦେଇଥିଲା ଭାରତ । ଶାର୍ଦ୍ଦୁଲ ଠାକୁରଙ୍କ ଜବରଦସ୍ତ ଇନିଂସ ଦଳ ପାଇଁ ବେଶ୍ ସହାୟକ ହୋଇଥିଲା । ହେଲେ ସାଉଥ ଆଫ୍ରିକା ଚମତ୍କାର ପ୍ରଦର୍ଶନ କରି ମ୍ୟାଚ୍କୁ ହାତେଇ ନେଇଛନ୍ତି ।
ପୋଲିସ ବାବୁଙ୍କ ପତ୍ନୀଙ୍କୁ ଲୁଟିଲା ସାଇବର ଠକ
ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ସାଇବର ଅପରାଧୀ । ସାଇବର ଠକଙ୍କ ଟାର୍ଗେଟରେ ଏବେ ପୋଲିସ ପରିବାର ସଦସ୍ୟ । କ୍ରେଡିଟ କାର୍ଡ ଆକ୍ଟିଭ କରେଇ ଦେବାକୁ କହି ୪୯ ହଜାର ଟଙ୍କା ଚୂନ ଲଗାଇଛି ଠକ । ସୂଚନା ମୁତାବକ ଠକେଇର ଶିକାର ହୋଇଛନ୍ତି ରାଜ୍ୟ କ୍ରାଇମ ବ୍ୟୁରୋରେ କାର୍ଯ୍ୟରତ ଏଏସଆଇ ବିଜୟ ମହାଳିକଙ୍କ ପତ୍ନୀ ।
ସାଇବର ଠକ ଚାଲରେ ପଡିଯାଇଥିଲେ ପୋଲିସ ଅଧିକାରୀଙ୍କ ପତ୍ନୀ । କ୍ରେଡିଟ କାର୍ଡ ଆକ୍ଟିଭ କରାଇବା ନେଇ ଏଏସଆଇଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ଯାଇଥିବା ଟଙ୍କା ସମ୍ପର୍କରେ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଛନ୍ତି ।
କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ, ପୁଣି ବ୍ୟାନ ହେଲା ୩୫ଟି ୟୁଟ୍ୟୁବ୍ ଚ୍ୟାନେଲ
ନୂଆଦିଲ୍ଲୀ: ଦେଶରୁ ପୁଣି ବ୍ୟାନ ହେଲା ୩୫ଟି ୟୁଟ୍ୟୁବ୍ ଚ୍ୟାନେଲ । ଏ ସମସ୍ତ ଚ୍ୟାନେଲକୁ ବନ୍ଦ କଲେ କେନ୍ଦ୍ର ସରକାର । ଦେଶ ବିରୋଧରେ ମିଥ୍ୟା ଓ ଆପତ୍ତିଜନକ ଖବର ପ୍ରସାରଣ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୩୫ଟି ୟୁଟ୍ୟୁବ ଚେନେଲକୁ ବନ୍ଦ କରିଛନ୍ତି ସରକାର । ଏହାସହ ୨ଟି ଟୁଇଟର ଆକାଉଣ୍ଟ, ୨ଟି ଇନଷ୍ଟାଗ୍ରାମ ଆକାଉଣ୍ଟ ସହ ୨ଟି ଓ୍ୱେବସାଇଟ ଓ ଗୋଟିଏ ଫେସବୁକ ଆକାଉଣ୍ଟକୁ ବନ୍ଦ କରିଛନ୍ତି ସରକାର ।
ଦେଶ ବିରୋଧି କାର୍ଯ୍ୟକଳାପ କରୁଥିବା ଏହି ସମସ୍ତ ଚ୍ୟାନେଲ ଗୁଡିକ ବିରୋଧରେ କେନ୍ଦ୍ର ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଲଗାତାର ଉକ୍ତ କାର୍ଯ୍ୟରେ ଲିପ୍ତ ସଂସ୍ଥାୟ ଗୁଡିକ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଛି । ତୁରନ୍ତ କେନ୍ଦ୍ର ସରକାର ଏହି ସଂସ୍ଥା ଗୁଡିକୁ ଚିହ୍ନଟ କରିବା ସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ।
ଆଲବମ ହିରୋଇନ କରିବାକୁ କହି ଦୁଷ୍କର୍ମ କରୁଥିଲେ ରିପୋର୍ଟର !
ଭୁବନେଶ୍ୱର: ପୁଣି ଜଣେ ୱେବ୍ ଚ୍ୟାନେଲ ରିପୋର୍ଟର ନାଁରେ ସାଙ୍ଘାତିକ ଅଭିଯୋଗ । ଫୁଲବାଣୀରୁ ୨୦୨୦ ଡିସେମ୍ବରରେ ଜଣେ ମହିଳାଙ୍କୁ ଅପହରଣ କରି ଦୀର୍ଘ 8 ମାସ ଧରି ସୁନ୍ଦରପଦାରେ ରଖି ଦୁଷ୍କର୍ମ କରୁଥିଲେ ମିଲନ କଂହର । ଆଲବମ ହିରୋଇନ କରେଇ ଦେବାକୁ ପ୍ରଲୋଭନ ଦେଖାଇ 8 ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଶାରୀରିକ ସମ୍ପର୍କ ରଖିବା ସହ ଏହାର ଭିଡ଼ିଓ କରି ତାଙ୍କୁ ଅନ୍ୟ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବ୍ଲାକମେଲ କରୁଥିବା ଅଭିଯୋଗ ଆଣିଛନ୍ତି ମହିଳା । କୌଣସି ପ୍ରକାରେ ମିଲନଙ୍କ ଠାରୁ ଖସି ଫୁଲବାଣୀକୁ ଚାଲିଯିବାପରେ ଥାନାରେ ଏତଲା ଦେଇଥିଲେ ମହିଳା । ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।
ଫଳରେ ଫୁଲବାଣୀରୁ ପୁଣି 8 ଦିନ ପୂର୍ବରୁ ମିଲନ କଂହର ବନ୍ଧୁକ ଦେଖାଇ ତାଙ୍କୁ ଅପହରଣ କରି ସମ୍ବଲପୁର ନେଇ ମାରିଦେବାକୁ ଧମକ ଦେଇଥିଲା । ଏନେଇ ପୁଣି ଏୟାର ଫିଲଡ଼ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ମହିଳା କମିଶନଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ପୀଡିତା । ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବାକୁ ସେ ଚେତାବନୀ ଦେଇଛନ୍ତି ।
ବାପାକୁ କାଠ ଫାଳିଆରେ ପିଟି ହତ୍ୟା କଲା ପୁଅ
ସୁନ୍ଦରଗଡ଼: ସଇତାନ ସାଜିଲା ପୁଅ । ବାପାକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ପୁଅ । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ବାଙ୍ଗୁରକେଲା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସେହି ଗାଁର ବୁଧରାମ ମୁଣ୍ଡାରୀ, ବାପା ମଙ୍ଗଳ ମୁଣ୍ଡାରୀଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଥିବା ଜଣାପଡିଛି ।
ସୂଚନା ମୁତାବକ ପାରିବାରିକ କଳହରୁ ପୁଅ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । ପୋଲିସ ଅଭିଯୁକ୍ତ ପୁଅ ଵୁଧରାମ ମୁଣ୍ଡାରୀକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

