spot_img
Home Blog Page 4660

ପୁଣି କେନ୍ଦ୍ରମନ୍ତ୍ରୀଙ୍କ ଗୁଣ୍ଡାଗିରି, ଦୁଇ ଅଧିକାରୀଙ୍କୁ ମାଡ ମାରିଲେ

ବାରପଦା: ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗୁଣ୍ଡାଗିରି ଅଭିଯୋଗ । ମନ୍ତ୍ରୀଙ୍କ ମାଡରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଦୁଇ କର୍ମଚାରୀ ଗୁରୁତର ଆହତ । ସେମାନେ ପିଆରଏମ ମେଡ଼ିକାଲରେ ଭର୍ତି ହୋଇଛନ୍ତି । ଉପ ନିର୍ଦେଶକ ଅଶ୍ୱନି କୁମାର ମଲ୍ଲିକ ଓ ଓ ସହକାରୀ ନିର୍ଦେଶକ ଦେବାଶିଷ ମହାପାତ୍ର ଆହତ ହୋଇଛନ୍ତି ।

ସୂଚନା ମୁତାବକ ଦେବାଶିଷଙ୍କ ବାମ ହାତ ଭାଙ୍ଗି ଯାଇଥିବା ବେଳେ କଟକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ବିଜେପି ପାର୍ଟି ଅଫିସ ମଧ୍ୟରେ କବାଟ ବନ୍ଦ କରି ଚେୟାରରେ ମନ୍ତ୍ରୀ ଆକ୍ରମଣ କରି ହାତ ଭାଙ୍ଗିଦେଇଥିବା ଅଭିୟୋଗ ହୋଇଛି  । ଏହା ସହିତ କେନ୍ଦ୍ରମନ୍ତ୍ରୀ ଜୀବନରୁ ମାରିଦେବା ନେଇ ଧମକ ଦେଇଥିବା ଅଭିଯୋଗ କରିଛନ୍ତି  ।

ଗାଁ ଭିତରକୁ ଧସେଇ ପଶିଲା ଭୂଷଣ ପ୍ଲାଣ୍ଟ କେମିକାଲ

ସମ୍ବଲପୁର: ଭୂଷଣ କାରଖାନାରେ ବଡ ଅଘଟଣ । ପେଲେଟ୍ ପ୍ଲାଣ୍ଟର ସିଲରି ପଣ୍ତ ଭୁଶୁଡି ମାଡିଗଲା ବିଶାକ୍ତ ତରଳ ଲୁହାଗୁଣ୍ଡ । ଗତକାଲି ରାତିରେ ଏହି ଅଘଟଣ ଘଟିଛି । କାରଖାନା ପାଚେରି ଭାଙ୍ଗି ପାଖରେ ଥିବା ଗାଁକୁ ପସିଲା ବିଶାକ୍ତ କେମିକାଲ । ବାଞ୍ଜିବେର୍ଣ୍ଣା ଗାଁକୁ ଏହି ବିଷାକ୍ତ କେମିକାଲ ମାଡି ଯାଇଛି ।

ଏପରିକି ଏଠାରେ କାର୍ଯ୍ୟରତ ଥିବା ଜଣେ ଶ୍ରମିକ ନିଖୋଜ ଥିବା ଅଭିଯୋଗ ହୋଇଥିବାବେଳେ କମ୍ପାନୀ ତରଫରୁ କିନ୍ତୁ ତାହା ସ୍ପଷ୍ଟ କରାଯାଇନାହିଁ । ଗୁରୁବାର ପ୍ରାୟ ସାଢେ ୭ଟାରୁ ୮ଟା ମଧ୍ୟରେ ପେଲେଟ୍ ପ୍ଲାଣ୍ଟର ସିଲରି ପଣ୍ଡ ପାଚେରି ଭାଙ୍ଗି ଯାଇଥିଲା । ଫଳରେ ଏଠାରେ ଜମାଟ ବାନ୍ଧିଥିବା ବିଷାକ୍ତ ତରଳ ଲୁହା ଫାଇନ୍ସ ନିକଟସ୍ଥ ବାଞ୍ଜିବେର୍ଣ୍ଣା ଗାଁ ଆଡ଼କୁ ମାଡିଯାଇଥିଲା ।

ବ୍ୟାପକ ଚାଷ ଜମିକୁ ଏହା ଛାଇ ଯାଇଥିବା ବେଳେ ଗାଁ ପୋଖରୀକୁ ମଧ୍ୟ ପ୍ରବେଶ କରିଛି ଏହି ବିଷାକ୍ତ ପାଣି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ରେଙ୍ଗାଲି ତହସିଲଦାର ପହଞ୍ଚି ଗ୍ରାମବାସୀଙ୍କ କ୍ଷତି ଆକଳନ କରିଛନ୍ତି ।

ରାଷ୍ଟ୍ରପିତାଙ୍କୁ ଅପମାନ ବିରୋଧରେ ପ୍ରତି ଜିଲ୍ଲା ଯିବ ଗାନ୍ଧି ଶାନ୍ତି ପ୍ରତିଷ୍ଠାନ

ଭୁବନେଶ୍ୱର: ଜାନୁଆରୀ ୨୩ ନେତାଜୀ ଜୟନ୍ତୀଠାରୁ ଗାନ୍ଧିଜୀଙ୍କ ବଳିଦାନ ଦିବସ ୩୦ ଜାନୁଆରୀ ପର୍ଯ୍ୟନ୍ତ ସାମ୍ପ୍ରଦାୟୀକ ଶକ୍ତିଙ୍କ ବିରୋଧରେ ରାଷ୍ଟ୍ରୀୟ ଅଭିଯାନ “ ରାଷ୍ଟ୍ରପିତାଙ୍କ ଅପମାନ- ସହିବ ନାହିଁ ହିନ୍ଦୁସ୍ଥାନ ” ଅନୁଷ୍ଠିତ ହେବ । ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଶାର ସବୁ ଜିଲ୍ଲାରେ ଏହି ଅଭିଯାନ ଚାଲିବ । ରାଷ୍ଟ୍ର ପିତାଙ୍କୁ ଅପମାନ କରୁଥିବା ଧର୍ମାନ୍ଧ ଓ ସାମ୍ପ୍ରଦାୟିକ ଶକ୍ତିମାନଙ୍କୁ ଦୃଢ ଜବାବ ଦିଆଯିବ ବୋଲି ଆଜି ଲୋହିଆ ଏକାଡ଼େମୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି ।

ଗତ କିଛିଦିନ ତଳେ ଦେଶର ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ହରିଦ୍ବାର ଓ ରାୟପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅଧର୍ମୀମାନେ ଧର୍ମ ନାଁ ରେ ଅଧର୍ମ ସଭା କରି ସଂଖ୍ୟାଲଘୁଙ୍କ ବିରୋଧରେ ବିଷୋଦଗାର କରିବା ସହ ରାଷ୍ଟ୍ରପିତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାକୁ ଲାଗିଥିଲେ । ଭାରତ ଭଳି ଏକ ମହାନ ଦେଶର ସଂସ୍କୃତି, ଭାଇଚାରା, ବିବିଧତା, ଏକତା ଓ ଅଖଣ୍ଡତା ପ୍ରତି ଏହା ବିପଦ ।

କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାରଙ୍କ ପ୍ରୋତ୍ସାହନରେ ଦେଶ ବିଭାଜନକାରୀମାନେ ଏଭଳି କରୁଥିବାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ସଂଗ୍ରାମ ଡାକରା ଦେଇଛି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ । ଏହି ସାତଦିନ ମଧ୍ୟରେ ଗାନ୍ଧି ପ୍ରେମୀମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଲିଫଲେଟ୍ ବାଣ୍ଟି ପ୍ରଚାର କରିବେ ।

୫ହଜାର ବେଆଇନ୍ କଫସିରଫ ଜବତ

ବଲାଙ୍ଗୀର: ବିପୁଳ ପରିମାଣର ବେଆଇନ କଫସିରଫ ଜବତ । ସଦର ଥାନା ପୋଲିସ ଦ୍ୱାରା ୫ହଜାର ୨୮୦ ବୋତଲ କଫ୍‌ ସିରଫ ଜବତ୍‌ ହୋଇଛି । ଘଟଣାରେ ତିନି ଜଣ ମାଫିଆଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଲୁହାସିହା ଗାଁର କୁଖ୍ୟାତ କଫସିରଫ ମାଫିଆ ଗୋଲୁ ଓରଫ ଲଷ୍ମୀ ନାରାୟଣ ଧ ଦୁଇ ସହଯୋଗୀ କ୍ଷମାନିଧି ମେହେର ଏବଂ ସୁରେଶ ଦାଶ ।

ଏମାନେ ପୋଲିସକୁ ଚକମା ଦେବା ପାଇଁ ଏକ ପିକଅଫ ଗାଡ଼ିରେ ଅଖାବସ୍ତା ଦେଇ ୧୭ପେଟି କଫସିରଫ ଚାଲାଣ କରୁଥିଲେ । ରାଞ୍ଚି ଭାୟା ସମ୍ବଲପୁର ଦେଇ ବଲାଙ୍ଗୀରକୁ ଆଣୁଥିବା ବେଳେ ଖବର ପାଇ ସଦର ଥାନା ପୋଲିସ ପାଟଣାଗଡ଼ ରାସ୍ତାରେ ବ୍ଲକିଙ୍ଗ କରି ସମସ୍ତ କଫସିରଫ ଜବତ କରିଛି । କଫ୍ସିରଫ ଚାଲାଣ ହେଉଥିବା ପିକ୍‌ଅପ୍‌ ଗାଡ଼ିକୁ ଅଟକ ରଖିଛି ପୋଲିସ ।

ଗତ ୨୦୧୯ ମସିହାରେ ଲକ୍ଷ୍ମୀ ନାରାୟଣ କଫସିରଫ ଚାଲାଣ ଘଟଣାରେ ଗିରଫ ହୋଇ ଜେଲରେ ଥିଲା । ସେ ଗତ କିଛି ଦିନ ତଳେ ଜେଲରୁ ମେଡିକାଲ ଛୁଟିରେ ଆସି ପୁଣି ବ୍ୟବସାୟ ଆରମ୍ଭ କରିଛି । ଜବତ କଫସିରଫର ବଜାର ମୂଲ୍ୟ ୯ଲକ୍ଷ ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଏସଡିପିଓ ତୋଫାନ ବାଗ କହିଛନ୍ତି ।

ଇତିହାସରେ ନୂଆ ଅଧ୍ୟାୟ, ଗୋଟିଏ ସ୍ଥାନରେ ଜଳିବ ସହିଦ ଜ୍ୟୋତି

ନୂଆଦିଲ୍ଲୀ: ଭାରତ ଇତିହାସରେ ଯୋଡ଼ି ହେଲା ନୂଆ ଇତିହାସ। ଏଣିକି ଦେଶରେ ଜଳିବ ଗୋଟିଏ ଅମର ଯବାନ ଜ୍ୟୋତି । ଜାତୀୟ ଯୁଦ୍ଧ ସ୍ମାରକୀରେ ମିଶିଲା ଇଣ୍ଡିଆ ଗେଟ ସ୍ଥିତ ଅମର  ଯବାନ ଜ୍ୟୋତି ।  ଜାତୀୟ ଯୁଦ୍ଧ ସ୍ମାରକୀରେ ଜଳୁଥିବା ଦୀପ ସହ ଅମର ଯବାନ ଜ୍ୟୋତିକୁ ମିଶାଇ ଦିଆଯାଇଛି । ସମନ୍ୱିତ ପ୍ରତିରକ୍ଷା ବାହିନୀ ମୁଖ୍ୟ ଏୟାର ମାର୍ଶାଲ ବଳଭଦ୍ର ରାଧା କ୍ରିଷ୍ଣା ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । କ୍ରମାଗତ ଭାବେ ଦୁଇଟି ଦୀପ ଜଳୁଥିବାରୁ ବିଭିନ୍ନ ସମସ୍ୟା ଉପୁଜିବା ନେଇ ଅନୁଭବ କରାଯିବା ପରେ ଏହି ପଦକ୍ଷେପ ନିଆଯାଇଛି ।

ଏହାସହ ଯୁକ୍ତି ବି କରାଯାଉଥିଲା ଯେ- ଦେଶର ସହିଦମାନଙ୍କ ଲାଗି ଜାତୀୟ ଯୁଦ୍ଧ ସ୍ମାରକୀରେ ଗୋଟିଏ ଦୀପ ଜଳୁଥିବା ବେଳେ ଅମର ଯବାନ ଜ୍ୟୋତିରେ ଅନ୍ୟ ଏକ ଦୀପ କାହିଁକି ଜଳିବ । ଏହା ସହ ଉଭୟ ସ୍ଥାନରେ ବି ସମାନ ସହିଦମାନଙ୍କ ନାମ ଲେଖାଯାଇଛି । 1947-48 ବିଭାଜନ, ଭାରତ-ପାକିସ୍ତାନ ଯୁଦ୍ଧ ଓ ଗଲୱାନ ସଂଘର୍ଷରେ ପ୍ରାଣ ହରାଇଥିବା ସହିଦ ଯବାନଙ୍କ ନାମ ଜାତୀୟ ଯୁଦ୍ଧ ସ୍ମାରକୀରେ ରହିଛି । ତେଣୁ ଦୁଇଟି ପୃଥକ ସ୍ଥାନରେ ଦୀପ ନଜଳି ଗୋଟିଏ ସ୍ଥାନରେ ଆଜିଠାରୁ ଜଳିବ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଦୀପ  ।

୪୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ଜାତୀୟ ଯୁଦ୍ଧ ସ୍ମାରକୀକୁ ଗତ 2019 ଫେବ୍ରୁଆରୀରେ ଉଦଘାଟନ କରାଯାଇଥିଲା । ଏଠାରେ ଅମର ଚକ୍ର, ବୀରତା ଚକ୍ର, ତ୍ୟାଗ ଚକ୍ର, ରକ୍ଷକ ଚକ୍ର ନାମରେ ଚାରିଟି ସ୍ମୃତି ରହିଛି ଏବଂ 25 ହଜାର 942 ସହିଦଙ୍କ ନାମ ସୁବର୍ଣ୍ଣ ଅକ୍ଷରରେ ଖୋଦିତ ହୋଇଛି । ସେପଟେ 1914-1921 ପ୍ରଥମ ବିଶ୍ୱଯୁଦ୍ଧ କାଳରେ ସହିଦ ବ୍ରିଟିଶ ଭାରତୀୟ ସୈନ୍ୟଙ୍କ ସ୍ମୃତିରେ ତତକାଳୀନ ବ୍ରିଟିଶ ସରକାର ଇଣ୍ଡିଆ ଗେଟ ପ୍ରତିଷ୍ଠା କରିଥିଲେ । 1971 ଭାରତ-ପାକିସ୍ତାନ ଯୁଦ୍ଧରେ ପ୍ରାଣବଳି ଦେଇଥିବା ସୈନ୍ୟଙ୍କ ସ୍ମୃତିରେ 1972ରେ ଅମର ଯବାନ ଜ୍ୟୋତି ପ୍ରଜ୍ଜ୍ୱଳିତ ହୋଇଥିଲା ।

ପାକିସ୍ତାନକୁ କାହିଁକି ପ୍ରଶଂସା କଲେ ବିଲ୍ ଗେଟସ୍?

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଗୁରୁବାର ଦିନ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ-ଚେୟାରମ୍ୟାନ୍ ତଥା ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ଇମ୍ରାନ୍ ଖାନ୍ ପୋଲିଓ ଓ କୋଭିଡ଼-୧୯ ବିଷୟରେ ବିଲ୍ ଗେଟ୍ସଙ୍କ ସହ କଥା ହୋଇଥିଲେ । ଏହି ଫାଉଣ୍ଡେସନ୍ ପୋଲିଓର ମୂଳ ଉତ୍ପାଟନ ତଥା ଅନ୍ୟାନ୍ୟ କ୍ଷେତ୍ରରେ ପାକିସ୍ତାନକୁ ସାହାଯ୍ୟ କରୁଛି ।

ପାକିସ୍ତାନୀ ଖବର କାଗଜ, ଦ ଏକ୍ସପ୍ରେସ୍ ଟ୍ରିବ୍ୟୁନର ରିପୋର୍ଟ ମୁତାବକ ଇମ୍ରାନ୍ ଖାନ୍ ପାକିସ୍ତାନରେ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ଅନ୍ୟପଟେ ପାକିସ୍ତାନରେ କୋଭିଡ-୧୯ ଟିକାକରଣ ଅଭିଯାନ ସଫଳ ହୋଇଥିବା ପ୍ରକାଶ କରିବା ସହ ପ୍ରଶଂସା କରିଥିଲେ ବିଲ୍ ଗେଟ୍ସ। ଗେଟ୍ସ ଫାଉଣ୍ଡେସନ୍ ନିରନ୍ତର ଭାବେ ପାକିସ୍ତାନର ସମର୍ଥନ ଜାରି ରଖିବ। ପ୍ରଧାନମନ୍ତ୍ରୀ ଓ ଗେଟ୍ସ ମିଳିତ ଭାବେ ପୋଲିଓର ମୂଳ ଉତ୍ପାଟନ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି।

ସେହିପରି ପାକିସ୍ତାନରେ ୨୦୨୧ ମସିହାରେ ପୋଲିଓ ମାମଲା ଦ୍ରୁତ ଗତିରେ ହ୍ରାସ ପାଇଛି। ଆଉ ପୂରା ବର୍ଷରେ କେବଳ ଗୋଟିଏ ପୋଲିଓ ମାମଲା ରେକର୍ଡ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ୍ ବିଲ୍ ଗେଟ୍ସଙ୍କୁ କହିଥିବା ସୂଚନା ମିଳିଛି। ବିଲ୍ ଗେଟ୍ସ ଫାଉଣ୍ଡେସନ୍ ସାରା ବିଶ୍ୱରେ କୋଭିଡ଼ ଟିକାର ସାମଗ୍ରୀ ବିତରଣକୁ ନେଇ ମଧ୍ୟ କାମ କରୁଛନ୍ତି। ଯାହାକୁ ପ୍ରଶଂସା କରିଛନ୍ତି ଇମ୍ରାନ।

ୟୁପି ନିର୍ବାଚନ ପାଇଁ ୟୁଥ ମେନିଫେଷ୍ଟୋ ରିଲିଜ୍ କଲା କଂଗ୍ରେସ, ସରକାର ଆସିଲେ ଦେବ ୨୦ ଲକ୍ଷ ଚାକିରି 

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ରିଲିଜ କରିଛି ୟୁଥ ମେନିଫେଷ୍ଟୋ । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ମେନିଫେଷ୍ଟୋ ରିଲିଜ କରିଛନ୍ତି । ଉତ୍ତରପ୍ରଦେଶ ନିର୍ବାଚନ ଲାଗି କଂଗ୍ରେସ ବିଶେଷ କରି ଯୁବକ ଓ ମହିଳାମାନଙ୍କୁ ଗୁରୁତ୍ୱ ଦେଇଛି କଂଗ୍ରେସ । ସେମାନେ କହିଛନ୍ତି ଦେଶରେ ବର୍ତ୍ତମାନ ନୂଆ ଚିନ୍ତାଧାରାର ଆବଶ୍ୟକତା ରହିଛି । ରାଜ୍ୟରେ ରୋଜଗାର ବୃଦ୍ଧି ଉପରେ କଂଗ୍ରେସ ଗୁରୁତ୍ୱ ଦେଇଛି । ରାଜ୍ୟରେ ବିଜ୍ଞାପନଭିତ୍ତିକ ସରକାର ଚାଲିଆସିଛି ଏବଂ ମହିଳା ଓ ଯୁବକଯୁବତୀଙ୍କ ସ୍ୱାର୍ଥ ଲାଗି ଗୁରୁତ୍ୱ ଦିଆଯାଉନାହିଁ ବୋଲି କହିଛନ୍ତି ପ୍ରିୟଙ୍କା । ରାଜ୍ୟରେ ଆର୍ଥିକ ଅଭାବ ନାହିଁ ବରଂ ରାଜ୍ୟ ସରକାରଙ୍କ ମନୋବୃତ୍ତିର ଅଭାବ ବୋଲି ପ୍ରିୟଙ୍କା ଅଭିଯୋଗ କରିଛନ୍ତି । ରାଜ୍ୟରେ ବେକାରୀ ଦୂରୀକରଣ, ଅଧିକ ଯୁବକଙ୍କୁ ଚାକିରି ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି । ସେମାନେ କହିଛନ୍ତି- ରାଜ୍ୟରେ ବର୍ତ୍ତମାନ କେତେକ ଶିଳ୍ପପତିଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉଛି ।

ୟୁପିରେ ଯୁବକମାନଙ୍କୁ ଆକୃଷ୍ଟ କରିବା ପାଇଁ ଜାରି ହୋଇଥିବା ମେନିଫେଷ୍ଟୋର ନାଁ ରଖାଯାଇଛି ’ଭର୍ତ୍ତି ବିଧାନ’ । ଏହି ଇସ୍ତାହାରରେ କଂଗ୍ରେସ କହିଛି କି ଯଦି ୟୁପିରେ କଂଗ୍ରେସ ସରକାର ଆସେ ତେବେ ୨୦ ଲକ୍ଷ ଯୁବକଙ୍କୁ ରୋଜଗାର ଦିଆଯିବ । ଏହା ସହିତ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ପଦବୀରେ ମଧ୍ୟ ଭର୍ତ୍ତି କରାଯିବ ବୋଲି ଏହି ଇସ୍ତାହାରରେ ଉଲ୍ଲେଖ ରହିଛି । ଉତ୍ତରପ୍ରଦେଶ ସରକାର ଶିକ୍ଷା ବଜେଟ କମ୍ କରଛି ଯଦି କଂଗ୍ରେସ ସରକାର ଆସେ ତେବେ ଶିକ୍ଷା କ୍ଷେତ୍ରରେ ବଜେଟ ବୃଦ୍ଧି କରାଯିବ । ୟୁପିରେ କଂଗ୍ରେସ ସରକାର ଆସିଲେ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ବସ୍ ଓ ରେଳରେ ମାଗଣା ସେବା ଯୋଗାଇ ଦିଆଯିବ ବୋଲି ଆଜିର ଇସ୍ତାହାରରେ ଘୋଷଣା କରିଛି କଂଗ୍ରେସ । 

ମଣିଷ ମସ୍ତିଷ୍କରେ ଲାଗିବ ଚିପ୍ସ: ଅନ୍ୟ ଶରୀରକୁ ପଠାଇ ପାରିବେ ନିଜ ସ୍ମୃତି

ପେଟୋରିଆ: ଏଣିକି ମଣିଷ ମରି ଗଲେ ତାଙ୍କ ସହ ଶେଷ ହୋଇ ଯିବନି ତାଙ୍କର ସ୍ମୃତି । କାରଣ ମଣିଷ ମସ୍ତିଷ୍କରେ ଏଣିକି ଲାଗି ପାରିବ ଏପରି ଏକ ଚିପ୍ସ, ଯାହାଦ୍ବାରା ଜଣେ ଅନ୍ୟ ଜଣଙ୍କ ପାଖକୁ ନିଜର ପୁରୁଣା ସ୍ମୃତିକୁ ସ୍ଥାନାନ୍ତର କରିହେବ । ଏମିତି ଟେକ୍ନୋଲଜିର ଟ୍ରାଏଲ୍ ଏଲୋନ ମକ୍ସଙ୍କ ‘ବ୍ରେନ୍ କମ୍ପ୍ୟୁଟର ଟେକ୍ନୋଲଜି’ ମଣିଷ ଶରୀରରେ ପରୀକ୍ଷା ହେବାକୁ ପ୍ରସ୍ତୁତ ହୋଇସାରିଛି । ଏଥିପାଇଁ ଏଲୋନ ମକ୍ସଙ୍କ ନ୍ୟୁରୋଟେକ୍ ଷ୍ଟାର୍ଟଅପ୍ ନ୍ୟୁରାଲିଙ୍କ ‘କ୍ଲିନିକାଲ ଟ୍ରାଏଲ ଡାଇରେକ୍ଟର’ ପାଇଁ ଚାକିରି ଅଫର ବାହାର କରିଛି । ଅର୍ଥାତ ନ୍ୟୁରାଲିଙ୍କ ବ୍ରେନ୍ ଚିପ୍ସ ରିସର୍ଚ୍ଚକୁ ଆଉ ପାଦେ ଆଗକୁ ନେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । ଏହା ପୂର୍ବରୁ ଘୁଷୁରୁ ଓ ମାଙ୍କଡ଼ଙ୍କ ଉପରେ ଏହାର ଟ୍ରାଏଲ କରାସରିଛି । ଏକ ୯ ବର୍ଷର ମାଙ୍କଡ଼ଠାରେ ଏହି ଚିପ୍ସ ଲଗାଯାଇଥିଲା । ଏହାଦ୍ବାରା ମାଙ୍କଡ଼ଟି ମସ୍ତିଷ୍କକୁ ବ୍ୟବହାର କରି ଡିଭିଓ ଗେମ୍ ଖେଳି ପାରୁଥିଲା ।

ଏହି ଷ୍ଟାର୍ଟଅପ୍ ଟେକ୍ନୋଲଜି ବ୍ୟବହାର କରି ହ୍ୟୁମାନ-ଏଆଇ  ସିମବାୟୋସିକ ପ୍ରସ୍ତୁତ କରିବାକୁ ଚେଷ୍ଟା କରାଯାଉଛି । ଏଲୋନ ମକ୍ସ ଗତମାସ କହିଥିଲେ, ‘ମଣିଷଙ୍କଠାରେ ଏହାର ଟ୍ରାଏଲ ୨୦୨୦ରେ ଆରମ୍ଭ ହେବ । ଏଥିରେ ପାରାଲିସିସ ପୀଡ଼ିତ ରୋଗୀଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି । ଏହାଦ୍ବାରା କମ୍ପ୍ୟୁଟର କ୍ରସରରୁ ସିଧା ମଣିଷ ଶରୀରର ସ୍ନାୟୁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯିବ ।’

ଯେଉଁମାନେ ଏହି ମିଶନକୁ ବୁଝୁଛନ୍ତି ଓ ଆଗକୁ ଏଥିରେ ରହିବାକୁ ଇଚ୍ଛୁକ ତଥା ଉତ୍ସାହିତ ଥିବେ ସେମାନଙ୍କୁ ଏହି କ୍ଲିନିକାଲ ଟ୍ରାଏଲ ଡାଇରେକ୍ଟର ପଦବୀରେ ନିଯୁକ୍ତି ଦିଆଯିବ । କ୍ଲିନିକାଲ ଟ୍ରାଏଲ ଡାଇରେକ୍ଟରଙ୍କୁ ବିଶେଷଜ୍ଞ ଡାକ୍ତରୀ ଟିମ ଓ ଟପ୍ ଇଞ୍ଜିନିୟରଙ୍କ ସହ କାମ କରିବାକୁ ପଡିବ । ଏହାସହ ନ୍ୟୁରାଲିଙ୍କର ପ୍ରଥମ କ୍ଲିନିକାଲ ଟ୍ରାଏଲରେ ସଦସ୍ୟ ଭାବେ କାମ କରିବାର ସୁଯୋଗ ମିଳିବ ।

ମକ୍ସଙ୍କ ଅନୁସାରେ ନ୍ୟୁରାଲିଙ୍କ ଡିଭାଇସ୍ ଏକ ମୁଦ୍ରା ସାଇଜର ହେବ ଓ ଏହାକୁ ମଣିଷ ଖପୁରୀରେ ଲଗାଯାଇପାରିବ । ନ୍ୟୁରାଲିଙ୍କର ଏହି ଟେକ୍ନୋଲଜିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମସ୍ତିଷ୍କ ବିକୃତ ଓ ଅନ୍ୟ ରୋଗରେ ଆକ୍ରାନ୍ତ ମଣିଷଙ୍କୁ ଠିକ କରିବା । ଏହାଦ୍ବାରା ମସ୍ତିଷ୍କ ଓ ମେରୁଦଣ୍ଡ ସମସ୍ୟାର ସମାଧାନ ବାଟ ଗୋଟିଏ ଡିଭାଇସ୍ କରିହେବ । ପାରାଲିସିସ, ଶୁଣିବା ଓ ଦେଖିବା ସମସ୍ୟା ଏହାଦ୍ବାରା ଦୂର ହୋପାରିବ ।

ଏଲୋନ ଆହୁରି କହିଛନ୍ତି, ‘ଭବିଷ୍ୟତରେ ଏହି ଟେକ୍ନୋଲଜି ମାଧ୍ୟମରେ ପୁରୁଣା ସ୍ମୃତିକୁ ସେଭ କିମ୍ବା ରିପ୍ଲେ କରିପାରିବେ । ଏହାକୁ ଆପଣ ଅନ୍ୟ କୌଣସି ଶରୀର କିମ୍ବା ରୋବୋଟକୁ ଡାଉନଲୋଡ କରିପାରିବେ । ଯାହାଦ୍ବାରା ଆପଣଙ୍କ ସ୍ମୃତି ସେଠାକୁ ଚାଲିଯିବ ।’

ଇଣ୍ଡିଆ ଗେଟରେ ସ୍ଥାପନ ହେବ ସୁଭାଷ ବୋଷଙ୍କ ଭବ୍ୟ ପ୍ରତିମୂର୍ତ୍ତି, ଟ୍ୱିଟ୍ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଣ୍ଡିଆ ଗେଟରେ ଲାଗିବ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି । ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ଏହି ଘୋଷଣା ଏହି ସମୟରେ କରିଛନ୍ତି, ଯେତେବେଳେ ଭାରତ ସରକାର ଇଣ୍ଡିଆ ଗେଟରୁ ଅମର ଯବାନ ଜ୍ୟୋତିଠାରେ ଜଳୁଥିବା ଦୀପ ଜାତୀୟ ଯୁଦ୍ଧ ସ୍ମାରକୀରେ ଜଳୁଥିବା ଦୀପ ସହ ମିଶାଇ ଦିଆଯିବ ବୋଲି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଟାଗେର୍ଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି କି ସମଗ୍ର ଭାରତ ଯେତେବେଳେ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମଦିନ ପାଳନ କରୁଛି ଏହି ସମୟରେ ମୁଁ ଖୁସିର ସହ ଘୋଷଣା କରୁଛି କି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଗ୍ରାନାଇଟରେ ନିର୍ମିତ ଏକ ପ୍ରତିମୂର୍ତ୍ତ ଇଣ୍ଡିଆ ଗେଟରେ ସ୍ଥାପନ କରାଯିବ । ନେତାଜୀ ସୁଭାଷ ବୋଷଙ୍କ ଗ୍ରାନାଇଟ ପ୍ରତିମୂର୍ତ୍ତ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ସେଠାରେ ତାଙ୍କର ଏକ ହୋଲଗ୍ରାମ ପ୍ରତିମୂର୍ତ୍ତି ସେହି ସ୍ଥାନରେ ସ୍ଥାପନ କରାଯିବ । ଜାନୁଆରୀ ୨୩ରେ ସୁଭାଷ ବୋଷଙ୍କ ଜନ୍ମ ବାର୍ଷିକ ଅବସରରେ ମୁଁ ହୋଲଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବି ବୋଲି ଟ୍ୱିଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଚାକିରି ନାହିଁ: ଘରେ ବସିଛନ୍ତି ୫ କୋଟି ଭାରତୀୟ

ନୂଆଦିଲ୍ଲୀ: ଅନ୍ୟ ବିକାଶଶୀଳ ଦେଶ ଭଳି ଭାରତରେ ମଧ୍ୟ ବେରୋଜଗାର ଏକ ପ୍ରମୁଖ ସମସ୍ୟା । ଅତ୍ୟଧିକ ଲୋକସଂଖ୍ୟା ଚାକିରି କ୍ଷେତ୍ର ପ୍ରସ୍ତୁତ ପାଇଁ ବଡ ଚ୍ୟାଲେଞ୍ଜ । କରୋନା ମହାମାରୀ ଏହି ସମସ୍ୟାକୁ ଆହୁରି ଜଟିଳ କରି ଦେଇଛି । ନିକଟରେ ଆସିଥିବା ଏକ ରିପୋର୍ଟ ଅନୁସାରେ ଦେଶରେ ବେକାର ଯୁବକଯୁବତୀଙ୍କ ସଂଖ୍ୟା ୫ କୋଟିରୁ ଅଧିକ ରହିଛି । ଯେଉଁଥିରେ ମହିଳାଙ୍କ ସଂଖ୍ୟ ବହୁତ ଅଧିକ । ଅର୍ଥାତ ଚାକିରି କରିବାକୁ ଚାହୁଁଥିବା ୫ କୋଟିରୁ ଅଧିକ ଭାରତୀୟ ବିନା କାମରେ ଘରେ ବସିଛନ୍ତି ।

ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନମୀ (ସିଏମଆଇଇ)ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ୨୦୨୧ ଡିସେମ୍ବର ପର୍ଯ୍ୟନ୍ତ ଭାରତରେ ମୋଟ ୫.୩ କୋଟି ଲୋକ ଲୋକଙ୍କ ପାଖରେ ରୋଜଗାର ନାହିଁ । ଏଥିରେ କେବଳ ମହିଳାଙ୍କ ସଂଖ୍ୟା ୧.୭ କୋଟି । ଘରେ ବସିଥିବା ଲୋକଙ୍କ ସଂଖ୍ୟା ଅଧିକ, ଯେଉଁମାନେ ନିୟମିତ କାମ ଖୋଜୁଛନ୍ତି । ସିଏମଆଇଇ ଅନୁସାରେ କାମ ଖୋଜୁଥିଲେ ମଧ୍ୟ ଲୋକଙ୍କୁ କାମ ମିଳୁନାହିଁ । ୩.୫ କୋଟିରୁ ଅଧିକ ଲୋକ ନିୟମିତ କାମ ଖୋଜୁଛନ୍ତି । ଏମାନଙ୍କ ମଧ୍ୟରେ ୮୦ ଲକ୍ଷ ମହିଳା ଅଛନ୍ତି । ବାକି ୧.୭ କୋଟି ବେରୋଜଗାର ଲୋକ କାମ କରିବାକୁ ଚାହୁଁଛନ୍ତି । ହେଲେ ସେମାନେ ନିୟମିତ କାମ ଖୋଜିବାରେ ସମୟ ନଷ୍ଟ କରୁନାହାନ୍ତି । ଏମିତି ବେରୋଜଗାର ବ୍ୟକ୍ତିଙ୍କ ମଧ୍ୟରେ ୫୩ ପ୍ରତିଶତ ଅର୍ଥାତ ୯୦ ଲକ୍ଷ ଅଛନ୍ତି । ସିଏମଆଇଇ ତରଫରୁ କୁହାଯାଇଛି ଭାରତରେ ରୋଜଗାର ମିଳିବା ସ୍ତର ବହୁତ କମ ଓ ଏହା ସବୁଠାରୁ ବଡ଼ ସମସ୍ୟା ।

ଗ୍ଲୋବାଲ ଷ୍ଟାଣ୍ଡାର୍ଡ ତଳେ ଭାରତ

ଓ୍ବାଲ୍ଡ ବ୍ୟାଙ୍କ ଅନୁସାରେ ମହାମାରୀ ପୂର୍ବରୁ ବିଶ୍ବ ସ୍ତରରେ ୫୮ ପ୍ରତିଶତ ଲୋକଙ୍କୁ ରୋଜଗାର ମିଳିପାରୁଥିଲା ।  ହେଲେ ୨୦୨୦ରେ କରୋନା ଆସିବା ପରେ ଏହା ୫୫ ପ୍ରତିଶତକୁ ଖସିଯାଇଛି । ଅନ୍ୟପକ୍ଷରେ ଏହି ସମୟରେ ଭାରତରେ ମାତ୍ର ୪୩ ପ୍ରତିଶତ ଲୋକ ରୋଜଗାର ପାଇବାକୁ ସକ୍ଷମ ହୋଇଛନ୍ତି । ସିଏମଆଇଇ ହିସାବରେ ଭାରତରେ ରୋଜଗାର ମିଳିବା ସ୍ତର ଏହାଠାରୁ ମଧ୍ୟ କମ । ଦେଶରେ ମାତ୍ର ୩୮ ପ୍ରତିଶତ ଲୋକଙ୍କୁ ହିଁ ରୋଜଗାର ମିଳିପାରୁଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।

ମହିଳାଙ୍କ ପାଇଁ ସୁଯୋଗ କମ

ସିଏମଆଇଇ ଅନୁସାରେ ଭାରତକୁ ସୁଦୃଢ ଅର୍ଥାବ୍ୟସ୍ଥା କରିବାକୁ ହେଲେ ପ୍ରାୟ ୬୦ ପ୍ରତିଶତ ଲୋକଙ୍କୁ ରୋଜଗାର ଦେବାକୁ ପଡ଼ିବ । ଗ୍ଲୋବାଲ ଷ୍ଟାଣ୍ଡାର୍ଡ ହାସଲ କରିବାକୁ ହେଲେ ଦେଶର ୧୮.୭୫ କୋଟି ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯିବା ଆବଶ୍ୟକ । ଏହାସହ କର୍ମ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବଢାଇବାକୁ ପଡ଼ିବ । ଭାରତରେ ମହିଳାଙ୍କ ପାଇଁ ରୋଜଗାର ବିକଳ୍ପ ବହୁତ କମ ରହିଛି । ଏହାବାଦ ମହିଳାଙ୍କ କାମ କରିବାକୁ ନେଇ ସାମାଜିକ ପ୍ରତିବନ୍ଧକ ବହୁତ ରହୁଛି । ଯାହାକୁ ଦୂର କରିବାକୁ ବହୁତ କିଛି ସଚେତନତା କାମ ହାତକୁ ନେବାକୁ ପଡିବ ।