spot_img
Home Blog Page 4662

ଦେଶରେ ପୁଣି ନମ୍ବର-୧ ମୁଖ୍ୟମନ୍ତ୍ରୀ ହେଲେ ନବୀନ

ଭୁବନେଶ୍ୱର: ପୁଣି ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ସର୍ଭେର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପାଇଲେ ନବୀନ ପଟ୍ଟନାୟକ । ସର୍ଭେ ରିପୋର୍ଟରେ ଶୀର୍ଷରେ ରହିଛନ୍ତ ନବୀନ ପଟ୍ଟନାୟକ । ରାଜ୍ୟର ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ ନବୀନ ପଟ୍ଟନାୟକ । ଏହି ରିପୋର୍ଟରେ କୋଭିଡ-୧୯ ପରିଚାଳନାରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରାଯାଇଛି । ସେହିପରି ମହାମାରୀ ମୁକାବିଲାରେ ବି ଓଡ଼ିଶା ଏକ ନମ୍ବର ହୋଇଛି । ଜନକଲ୍ୟାଣ ଯୋଜନା ଓ ଲୋକାଭିମୁଖୀ ଶାସନର ରୋଲ୍‌ ମଡେଲ ହେଉଛନ୍ତି ନବୀନ ପଟ୍ଟନାୟକ ।

ରାଜ୍ୟରେ ବିକାଶ, ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନକୁ ପାଥେୟ କରି ଏହି ସର୍ଭେ କରାଯାଇଛି । ନାରୀ ସଶକ୍ତିକରଣ, ସ୍ଥିରତା, ସୁଶାସନ, ଦୁର୍ନୀତି ଓ ଭ୍ରଷ୍ଟାଚାରମୁକ୍ତ ଓଡ଼ିଶା ଗଠନରେ ନବୀନ ସାଜିଛନ୍ତି ଷ୍ଟେଟସ୍ ମ୍ୟାନ୍ । ସ୍ୱାସ୍ଥ୍ୟ ଭିତ୍ତିଭୂମି, ବିପର୍ଯ୍ୟୟ ପରିଚାଳନାରେ ସାରାଦେଶରେ ଉଦାହରଣ ପାଲଟିଛି ଓଡ଼ିଶା । କୋଭିଡ ପରିଚାଳନାରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରାଯାଇଛି । ଉଲ୍ଲେଖନୀୟ କୋଭିଡ ପରିଚାଳନାରେ ଓଡ଼ିଶା ନମ୍ବର ୧ । ସଫଳ କୋଭିଡ୍‌ ପରିଚାଳନା ପାଇଁ ଓଡ଼ିଶା ୭୬.୭ ପ୍ରତିଶତ ଲୋକଙ୍କଠାରୁ ମିଳିଛି ସମର୍ଥନ । ଦ୍ୱିତୀୟରେ ଉତ୍ତରପ୍ରଦେଶ, ତୃତୀୟ ଆସାମ, ଚତୁର୍ଥରେ ତାମିଲନାଡୁ ଓ ପଞ୍ଚମରେ ମହାରାଷ୍ଟ୍ର ରହିଛି ।

ଲୋକପ୍ରିୟତାରେ ନବୀନଙ୍କ ପଛକୁ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୬୯.୯ ପ୍ରତିଶତ ଲୋକ ମମତାଙ୍କୁ ପସନ୍ଦ କରିଛନ୍ତି । ତୃତୀୟରେ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ତାଙ୍କୁ ୬୭.୫ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଛି । ଚତୁର୍ଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପଞ୍ଚମରେ କେରଳ ମୁଖ୍ୟମନ୍ତ୍ରୀ ପୀନରାୟୀ ବିଜୟନ୍, ଷଷ୍ଠରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଅଛନ୍ତି । ସେହିପରି ସପ୍ତମରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା, ଅଷ୍ଟମରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ନବମରେ ଅଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରହିଛନ୍ତି ।

 

ଘାଟିରେ ଓଲଟିଲା ବସ୍, ୮ ଆହତ

ରାୟଗଡ଼ା: ଓଲଟିଲା ଯାତ୍ରୀ ବାହୀ ବସ୍ । ଭାରସ୍ୟାମ ହରାଇ ଘାଟିକୁ ଓଲଟିଲା ବସ୍ । ଗଜପତି ଜିଲ୍ଲା ରାୟଗଡ଼ା ଥାନା ଅନ୍ତର୍ଗତ ରାଶିବାଡ ଘାଟି ନିକଟରେ ଯାତ୍ରୀ ବାହୀ ବସ୍ ଦୁର୍ଘଟଣା ହୋଇଛି । ଯାହା ଫଳରେ ଏହି ଦୁର୍ଘଟଣାରେ ୭ ଜଣ ଯାତ୍ରୀଙ୍କ ସହ ଡ୍ରାଇଭର ଆହତ ହୋଇଛନ୍ତି । ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ । ଆହାତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।  ବସଟି ଭୁବନେଶ୍ୱରରୁ  ପାରଳାଖେମୁଣ୍ଡି ଯାଉଥିବା ବେଳେ ମଣ୍ଡଳ ସାହି ନିକଟ ରାଶିବାଡି ଘାଟିରେ ଦୁର୍ଘଟଣା ଘଟିଥିଲା ।

୧୦ ହଜାର ତଳେ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୯ ହଜାର ୮୩୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମିଲା କରୋନା ସଂକ୍ରମଣ । ୧୦ ହଜାର ତଳେ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୯ ହଜାର ୮୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫ ହଜାର ୬୯୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ ହଜାର ୧୩୪ ଲୋକାଲ କେସ୍ ଓ ୦ ରୁ ୧୮ ବର୍ଷ ମଧ୍ୟରେ ୯୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ରାଜ୍ୟରେ କରୋନାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୨ ହଜାର ୯୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧ ହଜାର ୧୩୪ ଜଣ ଥିବା ବେଳେ, କଟକରୁ ୭୭୪, ଷ୍ଟେଟ୍ ପୁଲରୁ ୫୭୭, ମୟୂରଭଞ୍ଜରୁ ୨୯୫, ନୟାଗଡ଼ରୁ ୨୯୨, ବାଲେଶ୍ୱରରୁ ୨୮୬, ବଲାଙ୍ଗୀରରୁ ୨୮୮, ରାୟଗଡ଼ାରୁ ୨୭୪, ଜୟପୁରରୁ ୨୫୬, ସମ୍ବଲପୁରରୁ ୨୦୬, କୋରାପୁଟରୁ ୧୭୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆପଡ଼ାରୁ ୧୭୩, ବରଗଡ଼ରୁ ୧୭୨, କଳାହାଣ୍ଡିରୁ ୧୭୧, ଝାରସୁଗୁଡ଼ା ଓ କେନ୍ଦୁଝରରୁ ୧୬୮ ଜଣ ଲେଖାଏଁ, ନବରଙ୍ଗପୁରରୁ ୧୫୬, ଜଗତସିଂହପୁରରୁ ୧୫୨, ପୁରୀରୁ ୧୪୬, ଭଦ୍ରକରୁ ୧୨୯, ବୌଦ୍ଧରୁ ୧୨୦, ସୋନପୁରରୁ ୧୧୭, ଅନୁଗୁଳରୁ ୧୧୪, କେନ୍ଦ୍ରାପଡ଼ାରୁ ୯୯, ଢ଼େଙ୍କାନାଳରୁ ୯୫, କନ୍ଧମାଳରୁ ୯୧, ଗଜପତିରୁ ୮୮, ଗଞ୍ଜାମରୁ ୬୯, ମାଲକାନଗିରିରୁ ୫୬, ଦେବଗଡ଼ରୁ ୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭାବରେ ଗତ ୨୪ ଘଣ୍ଟାରେ ୮ ହଜାର ୪୭୧ ଜଣ ସୁସ୍ଥ ହୋଇଛନ୍ତି ।

 

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ୩୧ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ଡିଏ ବଢ଼ିବା ପରେ ଏବେ ଏହି କର୍ମଚାରୀଙ୍କ ଆବାସ ଭତ୍ତା (ଏଚଆରଏ) ବଢିପାରେ । ଖବର ଅନୁସାରେ, ସରକାର ଶୀଘ୍ର କେନ୍ଦ୍ରୀୟ କର୍ମଚାରୀଙ୍କ ଆବାସ ଭତ୍ତା ବଢାଇବାକୁ ଯାଉଛନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କ କାଟାଗୋରୀ ଅନୁସାରେ ୯ ପ୍ରତିଶତ, ୧୮ ପ୍ରତିଶତ ଓ ୨୭ ପ୍ରତିଶତ ଏଚଆରଏ ମିଳୁଛି । ସରକାର ଏହାକୁ ୩ ପ୍ରତିଶତ ବଢାଇବାକୁ ଯୋଜନା କରୁଛନ୍ତି । ଯଦି ଏପରି ହୁଏ କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ଏଚଆରଏ ୧୦ ପ୍ରତିଶତରେ ପହଞ୍ଚିଯିବ ।

ଟ୍ୟାକ୍ସ ଆଣ୍ଡ ଇନଭେଷ୍ଟ ବିଶେଷଜ୍ଞ ବଲଓ୍ବନ୍ତ ଜେନ୍ କହିଛନ୍ତି ‘ଯଦି ଏଚଆରଏ ବଢାଇବାକୁ ସରକାର ନିଷ୍ପତ୍ତି ନିଅନ୍ତି, ଏହାର ଲାଭ କେନ୍ଦ୍ରୀୟ କମର୍ଚାରୀଙ୍କୁ ମିଳିବ । ପ୍ରତିରକ୍ଷା କ୍ଷେତ୍ରରେ ଥିବା କର୍ମଚାରୀଙ୍କ ପାଇଁ ଏହା କିଛି ଲାଭ ଦେବନି । କାରଣ ସେମାନଙ୍କ ପାଇଁ ଦରମାଠାରୁ ଭତ୍ତା ପର୍ଯ୍ୟନ୍ତ ପ୍ରଦାନ ପାଇଁ ଅଲଗା ବ୍ୟବସ୍ଥା ରହିଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୩୮ ଲକ୍ଷ କର୍ମଚାରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୧.୧ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଯଦି ସରକାର ଏଚଆରଏ ବଢାନ୍ତି, ତେବେ ଏହି ୩୧.୧ ଲକ୍ଷ କର୍ମଚାରୀ ଏହାର ଲାଭ ପାଇବେ ।’

ଅନ୍ୟପକ୍ଷରେ ଏଚଆରଏ ବଢାଇବା ଗଣିତ ଏତେ ସହଜ ନୁହେଁ । ୭ମ ବେତନ କମିଶନ ସୁପାରିଶ ଅନୁସାରେ ଏଚଆରଏ ସ୍ଲାବ୍ ୩୦ ପ୍ରତିଶତ, ୨୦ ପ୍ରତିଶତ ଓ ୧୦ ପ୍ରତିଶତ ବଦଳରେ କମାଇ ୨୪ରୁ ୮ ପ୍ରତିଶତ ମଧ୍ୟରେ କରାଯାଇଥିଲା । ଆୟୋଗ ପକ୍ଷରୁ କୁହାଯାଇଥିଲା, ଏହାକୁ ଦୁଇଟି ପର୍ଯ୍ୟାୟରେ ବଢାଯାଇପାରିବ । ଡିଏ ୫୦ ପ୍ରତିଶତ ହୋଇଗଲେ ଏଚଆରଏ ୧ରୁ ୩ ପ୍ରତିଶତ ବଢାଇ ୯-୨୭ ପ୍ରତିଶତ ସ୍ଲାବରେ ରଖିବାକୁ କୁହାଯାଇଥିଲା । ଏହାପରେ ଡିଏ ୧୦୦ ପ୍ରତିଶତ ହୋଇଗଲେ ଦ୍ବିତୀୟ ପର୍ଯ୍ୟାୟରେ ଏଚଆରଏକୁ ବଢାଯାଇପାରିବ ।

ଦରଦାମ ବୃଦ୍ଧିକୁ ନଜରରେ ରଖି ସରକାର ଏଚଆରଏ ବଦଳାଇବାକୁ ଡିଏ ସ୍ତର ୨୫ ପ୍ରତିଶତ ଓ ୫୦ ପ୍ରତିଶତ କରିଛି । ଗତ ଜୁଲାଇରେ ସରକାର ଡିଏ ବଢାଇ ୨୮ ପ୍ରତିଶତ କରିଥିଲେ । କାରଣ ଏହି ୨୫ ପ୍ରତିଶତରୁ ଅଧିକ ଅଧିକ ହୋଇଯାଇଥିଲା । ଏଥିପାଇଁ ଏଚଆରଏ ବଢାଯାଇଛି । ଖବର ଅନୁସାରେ ସରକାର ଡିଏ ୩୪ ପ୍ରତିଶତ ବଢାଇପାରନ୍ତି । ଏମିତି ହେଲେ ୫୦ ପ୍ରତିଶତକୁ ଟପି ଯିବ ଓ ଦ୍ବିତୀୟ ଥର ଏଚଆରଏ ବଢାଇବା ରାସ୍ତା ସଫା ହୋଇଯିବ ।

ଓଡ଼ିଶାକୁ ପୁଣି ଭିଜାଇବ ଅଦିନିଆ ବର୍ଷା, ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ପୁଣି ଓଡ଼ିଶାକୁ ଭିଜାଇବ ଅଦିନିଆ ବର୍ଷା । ପଶ୍ଚିମା-ଝଡ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଆଜିଠୁ ୨୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା । ଏଥିପାଇଁ ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡାକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୫ ତାରିଖରେ ଉପକୂଳ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଓଡ଼ିଶାରେ ପୁଣି ଅଦିନିଆ ବର୍ଷା ସମ୍ଭାବନା ଥିବାରୁ ଚାଷୀଙ୍କୁ ସତର୍କ କରାଯାଇଛି । ଅମଳ ଧାନକୁ ବାହାରେ ନ ରଖି ସୁରକ୍ଷିତ ସ୍ଥାନକୁ ଆଣିବା ସହିତ ୩ରୁ ୪ଦିନ ମଧ୍ୟରେ ରବି ଜାତୀୟ ଫସଲ ବୁଣାବୁଣି ଶେଷ କରିବାକୁ ପରାମର୍ଶ ଦିଆଯାଇଛି । ସେପଟେ ପଶ୍ଚିମା ଝଡ ପ୍ରଭାବରେ ରାତିର ସର୍ବନିମ୍ନ ତାପମାତ୍ରାରେ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଫଳରେ ଶୀତର ପ୍ରକୋପ ହ୍ରାସ ପାଇବା ସହିତ ହାଲୁକା କୁହୁଡ଼ି ପଡିବ ।

ପଞ୍ଚାୟତରେ ବାଜି ଲଗାଇବାର ଆଜି ଶେଷ ଦିନ

ଭୁବନେଶ୍ବର: ଆଜି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ । ପଞ୍ଚାୟତ ଦଙ୍ଗଲରେ ବାଜି ଲଗାଇବା ପାଇଁ ଆଶାୟୀଙ୍କ ପାଖରେ ଆଜି ହିଁ ଶେଷ ସୁଯୋଗ । ସେପଟେ ନାମାଙ୍କନପତ୍ର ଦାଖଲ ଆରମ୍ଭରୁ ନିର୍ବାଚନୀ ପାରା ଚଢ଼ିବାରେ ଲାଗିଛି । ପ୍ରତିଦିନ ନାମାଙ୍କନ ଦାଖଲର ସଂଖ୍ୟା ବଢୁଚାଲିଛି ।  ଆଜି ଶେଷ ଦିନରେ ଏହି ସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି ।

ହାତରେ ଆଉ ସମୟ ନଥିବା ବେଳେ ରାଜେନୖତିକ ଦଳମାନଙ୍କୁ ଘାରିଛି ଟିକେଟ ଚିନ୍ତା । ବିଜେଡିର ଟିକେଟ୍ ବଣ୍ଟା ପ୍ରାୟ ସବୁଠି ସରିଥିବା ବେଳେ ବିରୋଧୀଙ୍କୁ ପ୍ରାର୍ଥୀ ମିଳୁନାହାନ୍ତି । ବିଜେପିରେ ବିଦ୍ରୋହୀ ନେତାଙ୍କ ପାଇଁ କାହାକୁ ଟିକେଟ୍ ଦିଆଯିବ ଏନେଇ ନିଷ୍ପତ୍ତି ହୋଇପାରୁନି । କେତେକ ସ୍ଥାନରେ ଏପର୍ଯ୍ୟନ୍ତ ଦଳ ପକ୍ଷରୁ ଟିକେଟ୍ ଦିଆଯାଇନାହିଁ । ସେପଟେ କଂଗ୍ରେସ ଅବସ୍ଥା ଆହୁରି ଶୋଚନୀୟ । ଦଳ ପକ୍ଷରୁ ପ୍ରାର୍ଥୀ ହେବାକୁ କେହି ଆଗ୍ରହୀ ନଥିବା ଜଣାପଡିଛି । ଆଜି ନାମାଙ୍କନର ଶେଷ ଦିନ ଥିବାରୁ ବିରୋଧୀଙ୍କ ଚିନ୍ତା ଆହୁରି ବଢିଯାଇଛି । ନାମାଙ୍କନ ପରେ ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ପରେ ୨୫ ତାରିଖ ଯାଏଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ସୁଯୋଗ ଥିବା ବେଳେ ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

ରାଜଧାନୀରେ କୁହୁଡ଼ିର ଘେରାବନ୍ଦୀ, ୫ ହତ ଦୂରକୁ ଦିଶୁନି ରାସ୍ତା

ଭୁବନେଶ୍ବର: ଶୀତୁଆ ସକାଳକୁ ଘନ କୁହୁଡ଼ି । ରାଜଧାନୀରେ ଛାଇ ଯାଇଛି ଘନ କୁହୁଡ଼ି । ଏମିତି ଲାଗୁଛି ଯେମିତି କୁହୁଡ଼ି ରାଜଧାନୀ ଭୁବନେଶ୍ବରକୁ ଘେରାବନ୍ଦୀ କରି ରଖିଛି । ୫ ହାତ ଦୂରକୁ ମଧ୍ୟ ଦେଖିବା କଷ୍ଟ । ବିଶେଷ କରି ଜରୁରୀ କାମରେ ସକାଳୁ ସକଳୁ ବାହାରି ଥିବା ଲୋକଙ୍କ ସମସ୍ୟା କହିଲେ ନସରେ । ଆଗକୁ କିଛି ଦିଶୁ ନଥିବାରୁ ଗାଡ଼ ଚଲାଇବା ମଧ୍ୟ କଷ୍ଟକର ହୋଇପଡୁଛି ।

ବର୍ଷା କମିବା ପରେ ଭୁବନେଶ୍ବର ସମେତ ସାରା ରାଜ୍ୟରେ ଶୀତ ବଢିଛି । କୋହଲା ପବନ ସାଙ୍ଗକୁ ହାଡଭଙ୍ଗା ଶୀତରେ ଲୋକେ ଅସ୍ତବ୍ୟସ୍ତ । ଏହାସହ ଘନ କୁହୁଡି ସ୍ଥିତିକୁ ଆହୁରି ସଙ୍ଗୀନ କରିଦେଇଛି । ରାଜଧାନୀ ରାସ୍ତା କଡ଼ରେ ଷ୍ଟ୍ରିଟ ଲାଇଟ୍ ଜଳୁଛି ସତ, ହେଲା ଏହା ଅଦୃଶ୍ୟ କହିଲେ ଚଳେ । କାରଣ କୁହୁଡିର ଘନତ୍ବ ଏତେ ଅଧିକ ଯେ, ଷ୍ଟ୍ରିଟ ଲାଇଟ୍ ତଳେ ଗାଡି ଧରି ଯିବା ବେଳେ ଏହା ଜଳୁଛି କି ନାହିଁ ଜାଣି ହେଉନାହିଁ । ଭଲରେ ରାସ୍ତା ଦିଶୁ ନଥିବାରୁ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହୁଛି ।

ଏପଟେ ଏମିତି କୁହୁଡି ପ୍ରକୃତି ପ୍ରେମୀଙ୍କୁ ଆମୋଦିତ କରିଛି । ପୂରା ପରିବେଶ ଯେମିତି ଶୀତରୁ ରକ୍ଷା ପାଇବା ପାଇଁ ଧଳା କୁହୁଡିର ଚାଦର ଘୋଡାଇ ହୋଇ ଶୋଇଯାଇଛି । ସବୁଠି ଧୂଆଁ ଧୂଆଁ ପରିବେଶ । ଗଛଲତାକୁ ଢାଙ୍କି ରଖିଛି କୁହୁଡିର ଚାଦର । କାକର ବିନ୍ଦୁ ରାସ୍ତାକଡ଼ ଛୋଟବଡ଼ ଗଛ ଓ ଘାସରେ ଲାଗିବାର ଦୃଶ୍ୟ ପରିବେଶକୁ ଆହୁରି ମନୋରମ କରିଦେଉଛି ।

ବିଦେଶରୁ ଆସିଲେ ବାଧ୍ୟତାମୂଳକ ନୁହେଁ ହୋମ୍ ଆଇସୋଲେସନ୍

ନୂଆଦିଲ୍ଲୀ: ବିଦେଶରୁ ଆସିଲେ ବାଧ୍ୟତା ମୂଳକ ନୁହେଁ ସଂଗରୋଧ  । କୋଭିଡ ଗାଇଡଲାଇନ୍ ଅନୁସାରେ ସେମାନଙ୍କ ପାଇଁ ସୁବିଧା ଯୋଗାଇଦିଆଯିବ । ଭାରତରେ ପହଞ୍ଚିଲେ ଯଦି କୌଣସି ଯାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେଲେ ସେମାନଙ୍କୁ ଘରେ ସଂଗରୋଧ ରହିବା ପାଇଁ ଅନୁମତି ଦିଆଯିବ । ଏଥିସହ କଣ୍ଟାକ୍ଟ ଟ୍ରେସିଂ କରାଯିବ । ଆସନ୍ତା ୨୨ରୁ ଏହି ନୂଆ ନିୟମ ଲାଗୁ ହେବ । ଏନେଇ ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି ।

ଏବେ ବିଦେଶରୁ ଆସୁଥିବା ଯାତ୍ରୀ ପଜିଟିଭ ଚିହ୍ନଟ ହେଲେ ଆଇସୋଲେସନ ବାଧ୍ୟତାମୁଳକ ରହିଛି । ଏପଟେ ଏହି ସମୟରେ ଶିଶୁଙ୍କ ଯତ୍ନ ନେବା ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ସଂକ୍ରମିତ ମାନେ ଟ୍ରିପଲ ଲେୟାର ମାସ୍କ ପିନ୍ଧିବେ । ଛୋଟ ପିଲା ପଜିଟିଭ ଚିହ୍ନଟ ହେଲେ ତୁରନ୍ତ ଚାଇଲ୍ଡ କେୟାର ସୁବିଧା ଯୋଗାଇ ଦିଆଯିବ । ପାଞ୍ଚ ବର୍ଷ ତଳେ ପିଲା ମାନେ ମାସ୍କ ପିନ୍ଧିବାକୁ ବାରଣ କରାଯାଇଛି । ଶ୍ବାସଜନିତ ସମସ୍ୟା ଥିଲେ ମଧ୍ୟ ମାସ୍କ ପିନ୍ଧିବା ମନା ।

ହାତଧରି ଜୀବନ ଆରମ୍ଭ କରିଥିଲେ, ହାତ ଧରି ଚାଲିଗଲେ

ଢେଙ୍କାନାଳ: ଦୁହେଁ ଦୁହିଁଙ୍କ ହାତଧରି ଆରମ୍ଭ କରିଥିଲେ ନୂଆ ଜୀବନ । ମୃତ୍ୟୁ ବି କରିପାରିଲାନି ଅଲଗା । ଦୁଇଟି ପୃଥକ ପୃଥକ ଘଟଣାରେ ଚାଲିଗଲା ପ୍ରେମ ପକ୍ଷୀଙ୍କ ଜୀବନ । ଘରେ ସ୍ତ୍ରୀଙ୍କ ଅକାଳ ବିୟୋଗ ଘଟିଥିବା ବେଳେ, ବାଇକ ଦୁର୍ଘଟଣାରେ ଯାଇଛି ସ୍ବାମୀର ଜୀବନ । ଢେଙ୍କାନାଳ ସଦରଥାନା ହରେକୃଷ୍ଣପୁରର ଏ ଅଭାବନୀୟ ଘଟଣା । ମୃତକ ହେଲେ ଲିସା ଦେହୁରୀ ଓ ସ୍ବାମୀ ଦିଲ୍ଲୀପ ଦେହୁରୀ ।

ଲିସା ଘରେ ଥିବା ବେଳେ ହଠାତ ତାଙ୍କ ମୃତ୍ୟୁ ହୋଇଥିଲା । ସ୍ତ୍ରୀଙ୍କ ମୃତ୍ୟୁ ଖବର ଶୁଣି ଗଦିଆଁରେ କାମ କରୁଥିବା ସ୍ବାମୀ ଘରକୁ ସହଯୋଗୀଙ୍କ ସହ ଘରକୁ ଫେରୁଥିବା ବେଳେ, ବିଶ୍ବନାଥପୁର ଛକରେ ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲେ । ଫଳରେ ଦିଲ୍ଲୀପଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।

ସହଯୋଗୀ ହେମନ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ପୋଲିସ । ଦିଲ୍ଲୀପ ଗତ ୬ ମାସ ତଳେ ବଣସିଂହ ନାଥୁଆ ଗାଁ ଲିସା ଦେହୁରୀଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ନବଦମ୍ପତ୍ତିଙ୍କ ଅକାଳ ବିୟୋଗ ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖୋଳିଯାଇଛି ।

୫ ଦିନରେ ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ୫ ଦିନରେ ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତ । କୋଭିଡର ଦ୍ବିତୀୟ ପ୍ରବାହ ଭଳି ସେତେ ମାରାତ୍ମକ ନୁହେଁ ତୃତୀୟ ପ୍ରବାହ । ତୃତୀୟ ଲହରରେ ଛୋଟ ପିଲାଙ୍କ ପାଇଁ ଭୟ ନାହିଁ । ଭୟଭୀତ ନହୋଇ ସତର୍କ ରହିବା ସହ କରୋନା କଟକଣା ମାନିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏବେ ଦେଶରେ ୧୯ ଲକ୍ଷ ଆକ୍ଟିଭ କେସ୍ ରହିଛି । ଟେଷ୍ଟିଂ ବୃଦ୍ଧି ଯୋଗୁ ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ପଜିଟିଭ୍ ରେଟ୍ ବଢ଼ିଛି ।

ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ଦିଲ୍ଲୀ, ଉତ୍ତରପ୍ରଦେଶରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଥିବା ବେଳେ ୧୧ରାଜ୍ୟରେ ୫୦ ହଜାର ଉପରେ ରହିଛି ସଂକ୍ରମଣ । ସଂକ୍ରମଣ କାବୁ କରିବା ପାଇଁ ପ୍ରଭାବିତ ରାଜ୍ୟ ସରକାରଙ୍କ ସହ ଆଲୋଚନା ଜାରି ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି । ଚିନ୍ତାଜନକ ସ୍ଥିତି ଥିବା ରାଜ୍ୟରେ କେନ୍ଦ୍ରୀୟ ଟିମ୍ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ୮ ମାସ ପରେ ଦେଶରେ ଦୈନିକ ସଂକ୍ରମଣ ୩ଲକ୍ଷ ପାର୍ କରିଛି ।

ଗୁରୁବାର ୩ ଲକ୍ଷ ୧୭ହଜାର ୫୩୨ କେସ୍ ରେକର୍ଡ ହୋଇଥିବା ବେଳେ ୪୯୧ ଜଣଙ୍କ ଜୀବନ ନେଇଛି ଭୂତାଣୁ । ଟିକାକରଣ ଯୋଗୁ ସ୍ଥିତି ଆୟତରେ ରହିଥିବା ବେଳେ ଟିକା ନେଇ ନଥିବା ଲୋକମାନେ କରୋନା ଟିକା ନେବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛି । ଅନ୍ୟପଟେ ସପ୍ତାହକରେ ବିଶ୍ବରେ ଦୈନିକ ସଂକ୍ରମଣ ୨୯ ଲକ୍ଷ କେସ୍ ପାର କରିଛି । ୟୁରୋପୀୟ ରାଷ୍ଟ୍ରରେ ସଂକ୍ରମଣ ବଢ଼ିଥିବା ବେଳେ ଗୁରୁତରଙ୍କ ସଂଖ୍ୟା ବଢୁଛି ।