spot_img
Home Blog Page 4682

ପଞ୍ଚାୟତ ନିର୍ବାଚନ ପାଇଁ ଏସପି ଓ ଜିଲ୍ଲାପାଳଙ୍କ ସହ ବୈଠକ କରିବେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର: ପାଖଉଛି ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଜୋରଦାର ପ୍ରସ୍ତୁତି କରୁଛି ପ୍ରଶାସନ । ଆଜି ନିର୍ବାଚନ ପାଇଁ ଏସପି ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ହେବ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଆଜି ସକାଳ ୧୦.୩୦ରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ । ନିର୍ବାଚନକୁ କିପରି ଶାନ୍ତିଶୃଙ୍ଖଳା ଓ କଟକଣା ଭିତରେ ଆୟୋଜନ କରାଯିବ ସେନେଇ ବିଚାର ବିମର୍ଶ କରାଯିବ । ଏହି ବୈଠକରେ ଭିସି ମାଧ୍ୟମରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଯୋଗଦେବେ ।

ଏମାନଙ୍କ ସହିତ ଏହି ବୈଠକରେ ମୁଖ୍ୟଶାସନ ସଚିବ, ଡିଜିପି, ଗୃହ ସଚିବ, ରାଜସ୍ୱ ସଚିବ, ପଞ୍ଚାୟତିରାଜ ସଚିବ ଓ ଆରଡିସି ମଧ୍ୟ ବୈଠକରେ ଉପସ୍ଥିତ ରହିବେ । ସେପଟେ ଦିନକ ପରେ ଆରମ୍ଭ ହେବ ନାମାଙ୍କନ । ଏଥିପାଇଁ ଶେଷ ପର୍ଯ୍ୟାୟରେ କସରତ୍ କରୁଛନ୍ତି ସବୁ ଦଳ । ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ସହ ବିଜୟ ସମ୍ଭାବନା ଥିବା ବ୍ୟକ୍ତିକୁ ବିଜେଡି ଦଳୀୟ ଟିକେଟ ଦେବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ଜୋନସ୍ତରରେ କମିଟି ଗଠନ କରିଛି ବିଜେଡି । ଏହି କମିଟି ଜୋନସ୍ତରରୁ ୩ ଜଣିଆ ପ୍ରାର୍ଥୀଙ୍କ ନାମ ତାଲିକା ପଠାଇବେ । ଏହାକୁ ଦଳ ଭିତରେ ବିଚାର ବିମର୍ଶ କରାଯିବ । ଶେଷରେ କାହାକୁ ପ୍ରାର୍ଥୀ କରାଯିବ, ସେନେଇ ଚୂଡାନ୍ତ ନିଷ୍ପତ୍ତି ଦଳର ସୁପ୍ରିମୋ ଘୋଷଣା କରିବେ । ସେପଟେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଫୁଲ୍ ଦମରେ ଲାଗି ପଡିଛନ୍ତି  ।

ଭୁବନେଶ୍ୱରରୁ ପୁରୀ ଅଭିମୁଖେ ’କୁଇନ୍ସ ବ୍ୟାଟେନ୍ ମସାଲ’

ଭୁବନେଶ୍ୱର: ପୁରୀ ଅଭିମୁଖେ ‘କୁଇନ୍ସ ବ୍ୟାଟେନ୍‌ ମସାଲ’।  ଗତକାଲି କୁଇନ୍ସ ମସାଲ ଭୁବନେଶ୍ୱରରେ ପହଞ୍ଚିଥିଲା  । ୨୦୨୨ ବର୍ମିଙ୍ଗହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ରାଣୀଙ୍କ ଦ୍ୱାରା ପ୍ରଦତ୍ତ ଏହି ମସାଲ ।  ଓଡ଼ିଶାରେ ‘କୁଇନ୍ସ ବ୍ୟାଟେନ୍‌ ମସାଲ’ ଯାତ୍ରା ଅନ୍ତର୍ଜାତିକ ଯାତ୍ରାର ଅଂଶବିଶେଷ ।  ଆନ୍ତର୍ଜାତିକ ଯାତ୍ରା ଅବସରରେ ମସାଲ ୭୨ ରାଷ୍ଟ୍ର ପରିକ୍ରମା କରିବ । ଏହି ମସାଲ ଶୋଭାଯାତ୍ରା ଗତବର୍ଷ ଅକ୍ଟୋବର ୭ରୁ ବର୍ମିଙ୍ଗହାମ୍ ପ୍ୟାଲେସରୁ ଆରମ୍ଭ ହୋଇଥିଲା । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଣୀ ଏଲିଜାବେଥ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ତାଙ୍କର ବାର୍ତ୍ତା ଦେଇଥିଲେ ।

ଏହି ମସାଲ ୨୬୯ ଦିନ ଧରି ପରିକ୍ରମା କରିବ । ପାଖାପାଖି ୧ ଲକ୍ଷ ୪୦ ହଜାର କିଲୋମିଟର ପରିକ୍ରମା କରିବା ପରେ ଉଦଘାଟନୀ ସମାରୋହ ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ଥଳକୁ ଫେରିବ । ଗତକାଲି ମସାଲକୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ ହକି ଓଡ଼ିଶା ପ୍ରମୋସନ୍‌ କାଉନସିଲର ଅଧ୍ୟକ୍ଷ ଦିଲୀପ ତିର୍କୀ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ଅଧିକାରୀ ଏବଂ ଓଡ଼ିଶା ଅଲିମ୍ପିକ୍‌ ଆସୋସିଏସନର କର୍ମଚାରୀ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଜଣାଶୁଣା କ୍ରୀଡ଼ାବିତ୍ ଅନୁରାଧା ବିଶ୍ୱାଳ ଓ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଉପସ୍ଥିତ ଥିଲେ । ଆଜି ହକି ଷ୍ଟାଡିୟମରେ ’ବ୍ୟାଟେନ’ ପହଞ୍ଚିବା ପରେ ଫଟୋ ସୁଟ୍ କରାଯାଇଥିଲା । ଏହାପରେ ପୁରୀ ଅଭିମୁଖେ ବାହାରିଛି ‘କୁଇନ୍ସ ବ୍ୟାଟେନ୍‌ ମସାଲ’ ।

ଆଜିଠୁ ପୁଣି ଫେରିବ ଶୀତ, ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା

ଭୁବନେଶ୍ୱର: ଆଜିଠୁ ପୁଣି ଥରିବ ଓଡ଼ିଶା । କିଛି ଦିନ ଧରି ଲାଗିରହିଥିବା ଅଦିନିଆ ବର୍ଷା କମିବା ସହିତ ଆଜି ପାଗରେ ପରିବର୍ତ୍ତନ ଆସିବ । ଆଜି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ବର୍ଷା ହେବା ନେଇ ୨୧ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ଭିତରେ ବିଶେଷ କରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାପରେ ପାଗରେ ପରିବର୍ତ୍ତନ ଆସିବ । ଶୀତ ବଢିବା ସହିତ ଘନ କୁହୁଡ଼ି ମଧ୍ୟ ପଡ଼ିବ । କାଲିଠୁ ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିବ । ଆଭ୍ୟନ୍ତରୀଣ ଓଡିଶାର ତାପମାତ୍ରା ସ୍ୱାଭାବିକଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ । ଫଳରେ ପୁଣି ଜାଡ଼ ଫେରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୭ ତାରିଖରେ ଘନ କୁହୁଡି ପାଇଁ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ରାତି ଏବଂ ଭୋର ସମୟରେ ଗାଡି ଚାଳନା ଉପରେ ସତର୍କ ରହିବାକୁ ଡ୍ରାଇଭରମାନଙ୍କୁ ପରାମର୍ଶ ଦିଆଯାଇଛି ।

 

ମକର ସଂକ୍ରାନ୍ତିରେ ଅଘଟଣ: ସଂକୀର୍ତ୍ତନ ମଣ୍ଡଳୀ ଉପରେ ମାଡିଗଲା କାର୍

ବ୍ରହ୍ମଗିରି: ଗାଁ ଦାଣ୍ଡରେ ଚାଲିଥିଲା ସଂକୀର୍ତ୍ତନ, ମାଡ଼ିଗଲା ଦ୍ରୁତଗାମୀ କାର । ପୁରୀ ସାତପଡ଼ା ରେବଣା ନୂଆଗାଁରେ ଘଟିଛି ଏ ଅଭାବନୀୟ ଘଟଣା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୬ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ଗାଁର ଜଗନ୍ନାଥ ସାହୁ । ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଆଜି ମକର ସଂକ୍ରାନ୍ତି ଥିବାରୁ ଗାଁ ଦାଣ୍ଡରେ ସଂକୀର୍ତ୍ତନ ହେଉଥିଲା । ରାତି ପ୍ରାୟ ଆଠଟା ବେଳେ ଏକ ଦ୍ରୁତଗାମୀ କାର ଗାଁ ରାସ୍ତାରେ ବସିଥିବା ସଂକୀର୍ତ୍ତନ ମଣ୍ଡଳୀ ଉପରେ ଚଢିଯାଇଥିଲା । ପରେ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା । ଦୁର୍ଘଟଣାଗ୍ରସ୍ତ କାରର ଡ୍ରାଇଭର ଓ ମାଲିକଙ୍କୁ ଅଟକ ରଖି ପୋଲିସ ଜିମାରେ ଦେଇଛନ୍ତି ଗାଁଲୋକ । ଘଟଣାସ୍ଥଳରେ ବ୍ରହ୍ମଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଶୃଙ୍ଖଳିତ ନିର୍ବାଚନ ନେଇ ପ୍ରଶାସନର ପ୍ରସ୍ତୁତି

ଭୁବନେଶ୍ୱର: ଗାଁ ଭୋଟ୍ ପାଇଁ ବିଦ୍ଧିବଧ ବିଜ୍ଞପ୍ତି ପରେ ଏବେ ପ୍ରସ୍ତୁତ ହେଉଛି ପ୍ରଶାସନ । ଶନିବାର ପଂଚାୟତ ନିର୍ବାଚନ ପାଇଁ ଏସପି ଓ ଜିଲ୍ଲାପାଳ ମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ । ରାଜ୍ୟ ନିର୍ବାଚନ ଆୟୋଗ ଅଧ୍ୟକ୍ଷତାରେ ସକାଳ ସାଢେ ୧୦ଟାରେ ଆୟୋଗଙ୍କ କାର୍ଯ୍ୟାଳୟରେ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ଶାନ୍ତିଶୃଙ୍ଖଳା ଓ କଟକଣା ଭିତରେ ଭୋଟର ଆୟୋଜନ ନେଇ ବିଚାର ବିମର୍ଶ କରାଯିବ ।

ଭିସି ମାଧ୍ୟମରେ ହେବାକୁ ଥିବା ବୈଠକରେ ସମସ୍ତ ଜିଲ୍ଲାର ଏସପି ଓ ଜିଲ୍ଲାପାଳ ମାନେ ଉପସ୍ଥିତ ରହିବେ । ସେହିପରି ମୁଖ୍ୟଶାସନ ସଚିବ, ଡିଜିପି, ଗୃହ ସଚିବ, ରାଜସ୍ୱ ସଚିବ, ପଞ୍ଚାୟତିରାଜ ସଚିବ ଓ ଆରଡିସି ବୈଠକରେ ଉପସ୍ଥିତ ରହିବେ । ଫେବୃଆରୀ ୧୬ରୁ ନିର୍ବାଚନ ପକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ  । ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପରିଚାଳନାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର  ।

ଜାନୁଆରୀରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଭୁବନେଶ୍ୱରରେ ପହଁଚିଲେ ଖେଳାଳୀ

ଭୁବନେଶ୍ୱର: ଜାନୁଆରୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ କୁଇନ୍ସ ବ୍ୟାଟନ୍ ଆଜି ଭୁବନେଶ୍ୱରରେ ପହଞ୍ଚିଛି  ।  ହରିହର କୌଶିକ ଏବଂ କାମୋଡ଼ର ରବିକାନ୍ତ ଶ୍ରୀବାସ୍ତବ ଇଣ୍ଡିଆନ ଅଲିମ୍ପିକ୍ସ ଆସୋସିଏସନର 4ଜଣ ସହାୟକ କୁଇନ୍ସ ବ୍ୟାଟନ୍ ସହ ଆଜି ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଥିଲେ  । କୁଇନ୍ସ ବ୍ୟାଟନ୍ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ଓଡିଶା ହକି ପ୍ରୋତ୍ସାହନ ପରିଷଦର ଅଧକ୍ଷ  ଦିଲୀପ ତିର୍କି, କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନା, ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ର କର୍ମକର୍ତ୍ତା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ଅଧିକାରୀଗଣ ଉପସ୍ଥିତ ରହି ଭବ୍ୟ ସ୍ୱାଗତ ଜଣାଇଥିଲେ  ।

କୁଇନ୍ସ ବ୍ୟାଟନକୁ ସ୍ୱାଗତ କରିବା ପାଇଁ ଓଡିଶାର ବିଶିଷ୍ଟ କ୍ରୀଡ଼ାବିତ୍ ଅନୁରାଧା ବିଶ୍ୱାଳ ଏବଂ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ମଧ୍ୟ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ମଧ୍ୟ ଉପସ୍ଥିତ ଥିଲେ। ଏହି ରିଲେ ବ୍ୟାଟନ୍ ଶୁକ୍ରବାର ରାତିରେ ଭୁବନେଶ୍ୱର ସହରରେ ଅବସ୍ଥାନ କରିବ । ଶନିବାର ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ କୁଇନ୍ସ ବ୍ୟାଟନ୍ ଏକ ସୁସଜ୍ଜିତ ସ୍ୱତନ୍ତ୍ର ଯାନରେ ପୁରୀ ଏବଂ କୋଣାର୍କ ଗସ୍ତ କରିବ । ସେଠାରେ ଜିଲ୍ଲା ପ୍ରଶାସନ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ବ୍ୟାଟନକୁ ସ୍ୱାଗତ ଓ ଅଭ୍ୟର୍ଥନା ଜଣାଇବାର କାର୍ଯ୍ୟକ୍ରମ ରହିଛି  । ପରେ ଅପରାହ୍ନରେ ବ୍ୟାଟନ ଭୁବନେଶ୍ୱର ଫେରିବା ପରେ ସହର ପରିକ୍ରମା କରିବ । ଏଥିରେ ରାଜ୍ୟର ବିଶିଷ୍ଟ କ୍ରୀଡ଼ାବିତମାନେ ଅଂଶଗ୍ରହଣ କରିବେ।

ଏହା ଆମ ପାଇଁ ଏକ ମହତପୂର୍ଣ୍ଣ ଏବଂ ଐତିହାସିକ ଘଟଣା  । ରାଜ୍ୟଗୋଷ୍ଠୀ କ୍ରୀଡ଼ା 2022 ଆରମ୍ଭ ହେବା ପୂର୍ବରୁ କୁଇନ୍ସ ବ୍ୟାଟନ୍ ଯାତ୍ରାର ଏକ ଅଂଶ ହେବା ଆମ ଓଡିଶା ରାଜ୍ୟ ପାଇଁ ଗର୍ବର ବିଷୟ  । ଏଥିପାଇଁ ସମସ୍ତ ପ୍ରକାର ଆୟୋଜନ କରି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ବେଶ ଖୁସି ବୋଲି କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମତବ୍ୟକ୍ତ କରିଛନ୍ତି  । ଏଠାରେ ସୂଚନା ଯୋଗ୍ୟକି କୁଇନ୍ସ ବ୍ୟାଟନ୍ ରିଲେ ହେଉଛି ଏକ ଖେଳ ପରମ୍ପରା ଯାହା ଖେଳ ଆରମ୍ଭ ସମୟରେ ରାଜ୍ୟଗୋଷ୍ଠୀ ସମ୍ପ୍ରଦାୟ ମଧ୍ୟରେ ଭାତୃଭାବ ସୃଷ୍ଟି ସହ ପରିବେଶକୁ ଉତ୍ସବ ମୁଖର କରି ଗଢ଼ିତୋଳେ  ।

ବକିଙ୍ଗହମ୍ ପ୍ୟାଲେସରୁ ଏହି ରିଲେ 07 ଅକ୍ଟୋବର 2021 ରୁ ଆରମ୍ଭ ହୋଇଥିଲା I ଯେଉଁଠାରେ ରାଣୀ ଏଲିଜାବେଥ୍ ଦ୍ୱିତୀୟ କମନ୍ୱେଲଥକୁ ବ୍ୟାଟନ ବାର୍ତ୍ତା ପଠାଇଥିଲେ  । 294 ଦିନଧରି ଚାଲିବାକୁ ଥିବା ଏହି ରିଲେ 72 ଟି ରାଜ୍ୟଗୋଷ୍ଠୀ ଦେଶ ପରିଭ୍ରମଣକରିବ  । 2022 ରାଜ୍ୟଗୋଷ୍ଠୀ କ୍ରୀଡ଼ା କୁଇନ୍ସ ବ୍ୟାଟନ୍ ରିଲେରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସମସ୍ତ COVID-19 ମାର୍ଗଦର୍ଶିକାକୁ କଡାକଡି ପାଳନକରାଯିବ  । ବ୍ୟାଟନ୍ ଜାନୁଆରୀ 16 ରେ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିବ  । ବ୍ୟାଟନ୍ ଜୁଲାଇ 2022 ରେ ଇଂଲଣ୍ଡରେ ପହଞ୍ଚିବ  । ଖେଳଗୁଡିକ ଜୁଲାଇ 28 ରୁ ଅଗଷ୍ଟ 8, 2022 ମଧ୍ୟରେ ହେବ ବୋଲି ଆଶା କରାଯାଉଛି  ।

ଖରାପ ପାଗ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ଘଟିଛି CDSଙ୍କ ହେଲିକପ୍ଟର

ନୂଆଦିଲ୍ଲୀ: ଆସିଲା  ସିଡିଏସ୍‌ ବିପିନ ରାଓ୍ବତଙ୍କ ଚପର କ୍ରାସ ଘଟଣାର ତଦନ୍ତ ରିପୋର୍ଟ  । ହେଲିକପ୍ଟରରେ ସେଦିନ ହୋଇନାହିଁ ଯାନ୍ତ୍ରିକ ତ୍ରୁଟି କିମ୍ବା କୌଣସି ଅବହେଳା  । ଏହା କେବଳ ଖରାପ ପାଗ ଯୋଗୁଁ ଘଟିଥିବା ସୂଚନା  । ହଠାତ ପାଗରେ ଘଟିଥିଲା ପରିବର୍ତ୍ତନ  ।  ବାଦଲ ଭିତରେ ପଶି ଯାଇଥିଲା ଚପର ।  ପାଣିପାଗ ବଦଳିବା ଯୋଗୁଁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ହେଲିକପ୍ଟର MI 17 V5  ।

ପାଗରେ ପରିବର୍ତ୍ତନ ଯୋଗୁଁ ନିୟନ୍ତ୍ରଣ ହରାଇଥିଲେ ପାଇଲଟ୍‌ ଜଣଙ୍କ  । କ୍ରାସ ପଛରେ ଯାନ୍ତ୍ରିକ ତ୍ରୁଟି କି ଅବହେଳା ନାହିଁ  ।  ତିନି ସେନାର ମିଳିତ ତଦନ୍ତର ପ୍ରାଥମିକ ରିପୋର୍ଟର ତଥ୍ୟ ପ୍ରକାଶ ପାଇଛି  । ଯେଉଁଥିରେ ଏହି ସୂଚନା ପ୍ରଦାନ କରିଛି  ।

କୋଭିଡ ଲକ୍ଷଣ ନଥିଲେ, ଟେଷ୍ଟ କରିବାର ଆବଶ୍ୟକତା ନାହିଁ

ଭୁବନେଶ୍ୱର: କରୋନା ପଜିଟିଭ୍ ଚିହ୍ନଟ ହେଲେ ସାତ ଦିନ ହୋମ ଆଇସୋଲେସନରେ ରହିବେ ସଂକ୍ରମିତ । କୌଣସି ଲକ୍ଷଣ ଯଦି ଦେଖା ଯାଉନାହିଁ, ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ । କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଘରେ ସଂଗରୋଧ ରହିବା ନେଇ ଗାଇଡଲାଇନ ଜାରି କରାଯାଇଛି । ସାମାନ୍ୟ ଲକ୍ଷଣ ଏବଂ ଲକ୍ଷଣ ନଥିବା ବ୍ୟକ୍ତି ଟେଷ୍ଟିଂ ପରେ ହୋମ ଆଇସୋଲେସନରେ ରହି ପାରିବେ । ୬୦ରୁ ଅଧିକ କିମ୍ବା ଏକାଧିକ ରୋଗରେ ପୀଡିତଙ୍କ ପାଇଁ ସର୍ତ୍ତମୂଳକ ହୋମ୍ ଆଇସୋଲେସନରେ ରହିପାରିବେ ।

ଟେଷ୍ଟ ପଜିଟିଭ୍ ଆସିବାର ୭ ଦିନ ପର୍ଯ୍ୟନ୍ତ ହୋମ୍ ଆଇସୋଲେସନରେ ରହି ପାରିବେ । ୭ ଦିନରେ ଲଗାତାର ୩ ଦିନ ଜ୍ଵର ନଆସିଲେ ହୋମଆଇସୋଲେସନ ଅବଧି ସରିବ । ଏଥିସହ ଟେଷ୍ଟ କରିବା ଆବଶ୍ୟକ ନାହିଁ । ଲକ୍ଷଣହୀନ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ଆଦୌ ଟେଷ୍ଟ କରିବାର ଦରକାର ନାହିଁ । କରୋନା ଭାରିଆଣ୍ଟ ଓମିକ୍ରନ ଦେଶରେ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି । କିନ୍ତୁ ଏହାର ପ୍ରଭାବ ଦ୍ଵିତୀୟ ଲହର ତୂଳନାରେ କମ୍ ରହିଛି।

ଓମିକ୍ରନ ଡେଲ୍‌ଟା ତୂଳନାରେ ସେତେଟା ପ୍ରଭାବଶାଳୀ  ନଥିବା ବିଶେଷଜ୍ଞ କହିଛନ୍ତି । ତେଣୁ ସମ୍ଭାବ୍ୟ ତୃତୀୟ ଲହରରେ ଲକ୍ଷାଧିକ ସଂକ୍ରମିତ ଚିହ୍ନଟ ହେଲେ ମଧ୍ୟ ଅଧିକାଂଶ ଆକ୍ରାନ୍ତଙ୍କୁ ହସ୍ପିଟାଲ ଆସିବାକୁ ପଡୁନାହିଁ । ଏଭଳି ସ୍ଥିତିରେ ସୁରକ୍ଷିତ ରହିବା ପାଇଁ ମାସ୍କ ପରିଧାନ ଅତ୍ୟନ୍ତ ଆବଶ୍ୟକତା ରହିଛି  । ଯେତେଦୂର କୋଭିଡ ସର୍ତ୍ତାବଳୀ ପାଳନ କରିପାରିବା ଉପରେ ଅଧିକ ନଜିର ଦେବାକୁ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ  ।

କମାଲ କରିବେ କମଳାକାନ୍ତ, ରଚିବେ ବିଶ୍ୱ ରେକର୍ଡ

ପୁରୀ: ମନୋବଳ ହିଁ ମଣିଷଙ୍କୁ ଶ୍ରେଷ୍ଠ ପ୍ରତିପାଦିତ କରିଥାଏ  । ଶାରିରୀକ ଅକ୍ଷମତା ଆଗରେ ମାନସିକ ସକ୍ଷମତା  ।  ପ୍ରଥମ ଓଡ଼ିଆ ଶାରିରୀକ ଅକ୍ଷମ ଭାବେ ଗିନିଜ୍ ଓ୍ବାର୍ଲଡ ରେକର୍ଡ କରିବାକୁ ଯାଉଛନ୍ତି ଓଡ଼ିଆ ପୁଅ କମଳାକାନ୍ତ ନାୟକ । ପୁରୀ ଜିଲ୍ଲାର ୨୮ ବର୍ଷୀୟ କମଳାକାନ୍ତ ରଚିବାକୁ ଯାଉଛନ୍ତି ବିଶ୍ୱ ରେକର୍ଡ  । ୨୪ ଘଣ୍ଟା ମଧ୍ୟରେ ହୁଇଲ ଚ୍ୟାୟରରେ ସବୁଠାରୁ ଅଧିକ ଦୂରତା କଭର କରିବା ସହ ଗିନିଜ ଓ୍ବାର୍ଲଡ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି ।  ସେପଟେ ଶନିବାରଠୁ ମାଷ୍ଟରକ୍ୟାଣ୍ଟିଂନଠାରୁ ଏହି ଯାତ୍ରା ଆରମ୍ଭ କରିବେ ବୋଲି କହିଛନ୍ତି ।

ହୁଇଲ ଚ୍ୟାୟରରେ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୨୦୦ କିମି ଯାତ୍ରା କରିବାର ଲକ୍ଷ ରଖିଛନ୍ତି କମଳାକାନ୍ତ । ପୂର୍ବରୁ ଅନେକ ରେକର୍ଡ ମଧ୍ୟ ହାସଲ କରି ସାରିଛନ୍ତି କମଳକାନ୍ତ । କମଳାକାନ୍ତଙ୍କ ଏହି ଏହି ସଫଳତା ପଛରେ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଓ ବେଟର ଲାଇଫ ଫାଉଣ୍ଡେସନର ହାତ ଥିବା ସେ କହିଛନ୍ତି  । ସଭିଙ୍କ ଆଶୀର୍ବାଦ ନେଇ ନୂଆ ରେକର୍ଡ ସନ୍ଧାନରେ ବାହାରିବେ କମଳାକାନ୍ତ  ।

୨-୧ରେ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

କେପ୍‌ ଟାଉନ୍‌: ଦକ୍ଷିଣ ଆଫ୍ରିକା ମାଟିରେ ଟିମ ଇଣ୍ଡିଆର ଟେଷ୍ଟ ସିରିଜ ବିଜୟ ସ୍ବପ୍ନ ଧୁଳିଶାତ୍‌ ହୋଇଛି । କେପ୍‌ ଟେଉନ ଟେଷ୍ଟକୁ ୱିକେଟରେ ଜିତିବା ସହ ୨-୧ରେ ସିରିଜ ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା । ପ୍ରଥମ ଟେଷ୍ଟକୁ ଭାରତ ୧୧୩ ରନ୍‌ରେ ଜିତିଥିଲା ମାତ୍ର ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଓ ତୃତୀୟ ଟେଷ୍ଟରେ ବିଜୟୀ ହେବା ସହ ସିରିଜ ହାତେଇଛି ।

ଚତୁର୍ଥ ଦିନ ଲଞ୍ଚ୍‌ ବ୍ରେକ୍‌ ପରେ ଘରୋଇ ଟିମ ବିଜୟ ପାଇଁ ୪୧ ରନ୍‌ ଆବଶ୍ୟକ କରୁଥିଲା । ତେମ୍ବା ବାଭୁମା ବିଜୟୀ ସଟ୍‌ ଖେଳି ମ୍ୟାଚ୍‌ ଶେଷ କରିଥିଲେ । ଫଳରେ ତୃତୀୟ ଟେଷ୍ଟରେ ଭାରତ ୭ ୱିକେଟର ପରାଜୟ ସହ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ବିଜୟ ସ୍ବପ୍ନ ମଉଳିଯାଇଥିଲା ।

ଚତୁର୍ଥ ଦିନର ପ୍ରଥମ ସେସନରେ ଦକ୍ଷିଣ ଆଫ୍ରିକା ୭୦ ରନ୍‌ ସଂଗ୍ରହ କରିବା ସହ ଗୋଟିଏ ୱିକେଟ ହରାଇ ବିଜୟ ସୁନିଶ୍ଚିତ କରିଥିଲା । ଏଥିସହ ମ୍ୟାଚ୍‌ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ଜାହିର କରିଥିଲା । ଲଞ୍ଚ୍‌ ପରେ ଦକ୍ଷିଣ ଆଫ୍ରିକାର ସ୍କୋର ୧୭୧/୩ ରହିଥିଲା । ରସି ଭାନ ଡର୍‌ ଡସନ ଓ ତେମ୍ବା ବାଭୁମା ଯଥାକ୍ରମେ ୨୨ ଓ ୧୨ ରନ୍‌ରେ ଅପରାଜିତ ରହିଥିଲେ