spot_img
Home Blog Page 4746

କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ । ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କ୍ରମାଗତ ଭାବରେ ପରିବର୍ତ୍ତନ କରିବାକୁ ହେବ । ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ଅଧିକାରୀ ମାନଙ୍କୁ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସରକାର କାର୍ଯ୍ୟକ୍ରମ ୨ ବର୍ଷ ଧରି ଆରମ୍ଭ ହୋଇଛି । ପ୍ରଶାସନିକ ସ୍ତରରେ ସରକାରଙ୍କ ଏହି ରୂପାନ୍ତର ଉଦ୍ୟମ ଜନସାଧାରଣଙ୍କ ମଧ୍ୟରେ ସରକାରଙ୍କ ସପକ୍ଷରେ ବିଶ୍ୱାସ ସୃଷ୍ଟି କରିପାରିଛି । ଏହି ପ୍ରକ୍ରିୟା ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଭିନ୍ନ ପଦାଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି ।

ସରକାରୀ ଅଧିକାରୀଙ୍କ ମଧ୍ୟରେ ବୃତ୍ତିଗତ ବ୍ୟବହାର ଆଣିବା ପାଇଁ ରାଜ୍ୟ ସରକାରଙ୍କ କ୍ରମାଗତ ଉଦ୍ୟମ ସଫଳ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସିବ୍ୟକ୍ତ କରିଛନ୍ତି । ସରକାରୀ ଅଧିକାରୀମାନେ ଏବେ ଜନସାଧାରଣଙ୍କ ସହିତ ଅଧିକ ଦାୟିତ୍ୱସମ୍ପନ୍ନ ତଥା ସହୃଦୟତାର ସହ ବ୍ୟବହାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୋ ସରକାରରୁ ମିଳିଥିବା ଫିଡବ୍ୟାକ୍‌ ଅନୁଯାୟୀ ସରକାରଙ୍କ ଅନେକ ବିଭାଗ ଭଲ ପ୍ରଦର୍ଶନ କରିଛନ୍ତି ।

ରାଜ୍ୟ ସରକାରଙ୍କ ସବୁ କାର୍ଯ୍ୟକ୍ରମ ଓ ସେବା ମୋ ସରକାର କାର୍ଯ୍ୟକ୍ରମର ଲକ୍ଷ୍ୟ ଅନୁଯାୟୀ ଯେପରି ସର୍ବୋତ୍ତମ ଭାବେ କାର୍ଯ୍ୟ କରିବ, ସେଥିପାଇଁ ଧ୍ୟାନ ଦେବା ପାଇଁ ସମୟ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ନାଗରିକ ମାନଙ୍କ ଡାଟାବେସକୁ ସବୁ ସମୟରେ ନବୀକୃତ କରିବା ଜରୁରୀ । ଏହା ଦୁର୍ନୀତି ପ୍ରତି ଶୂନ୍ୟ ସହିଷ୍ଣୁତା ନୀତିକୁ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ମୋ ସରକାର କାର୍ଯ୍ୟକ୍ରମରେ ୨୮ଟି ବିଭାଗର ୨୨୨ଟି ସେବା ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏ ସମ୍ପର୍କରେ ଲୋକମାନଙ୍କ ପାଖରୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ନିୟମିତ ତଥ୍ୟ ସଂଗ୍ରହ କରାଯାଇଛି । ଆଜିର ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସ୍ୱରାଷ୍ଟ୍ର ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଉପସ୍ଥାପନା ଜରିଆରେ ସେମାନଙ୍କ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମର କାର୍ଯ୍ୟକାରୀତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହି ବିଭାଗର ସମୂହର ସେବା ପାଇଁ ମୋଟାମୋଟି ଭାବରେ ସନ୍ତୋଷଜନକ ପ୍ରତିକ୍ରିୟା ମିଳିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଆହୁରି ଅଧିକ ନିଷ୍ଠାର ସହ ସେବା ଯୋଗାଇ ଦେବାପାଇଁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ ଉପସ୍ଥାପିତ ତଥ୍ୟର ଅନୁଶୀଳନ କରି ଏହି କାର୍ଯ୍ୟକ୍ରମର କିପରି ଅଧିକ ଉନ୍ନତି ଆସିପାରିବ, ସେ ସମ୍ପର୍କରେ ମତାମତ ରଖିଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୋଲିସ ମହାନିର୍ଦ୍ଦେଶକ ଅଭୟ, ଉନ୍ନୟନ କମିଶନର ପି.କେ. ଜେନା ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ । ଇଲେକ୍ଟ୍ରୋନିକ୍‌ସ ଓ ଆଇଟି ବିଭାଗର ସଚିବ  ମନୋଜ ମିଶ୍ର ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସାମଗ୍ରୀକ ଉପସ୍ଥାପନା ପ୍ରଦାନ କରିଥିଲେ ।

ଯଦି ନଗଦ ଟଙ୍କା ଦେଇ କରିଛନ୍ତି ଏହି ୫ଟି କାମ ତେବେ ହୋଇଯାଆନ୍ତୁ ସାବଧାନ, ଆସିପାରେ ଟ୍ୟାକ୍ସ ନୋଟିସ

ନୂଆଦିଲ୍ଲୀ: ବର୍ତ୍ତମାନ ଆୟକର ବିଭାଗ ନଗଦ ଟଙ୍କା କାରବାରକୁ ନେଇ ଅତ୍ୟନ୍ତ ସତର୍କ ହୋଇଛି । ବିଗତ କିଛି ବର୍ଷ ମଧ୍ୟରେ ଆୟକର ବିଭାଗ ବିଭିନ୍ନ ନିବେଶ ପ୍ଲାଟର୍ଫମ ଯେପରିକି ବ୍ୟାଙ୍କ, ମ୍ୟୁଚୁଆଲ୍ ଫଣ୍ଡ ଓ ବ୍ରୋକର ପ୍ଲାଟଫର୍ମ ଇତ୍ୟାଦି ପ୍ଲାଟର୍ଫମରେ ସାଧାରଣ ଲୋକଙ୍କ ପାଇଁ ନଗଦ କାରବାର କରିବା ନିୟମକୁ କଡ଼ାକଡ଼ି କରିଛି ।

ଏମିତି ଅନେକ ଟ୍ରାଞ୍ଜାକସନ ଅଛି ଯାହା ଉପରେ ଆୟକର ବିଭାଗର ନଜର ରହିଥାଏ । ଯଦି ଆପଣ ବ୍ୟାଙ୍କ, ମ୍ୟୁଚୁଆଲ୍ ଫଣ୍ଡ, ବ୍ରୋକର ହାଉସ୍ ଏବଂ ସମ୍ପତ୍ତି ରେଜିଷ୍ଟ୍ରାର ସମୟରେ ନଗଦ କାରବାର କରନ୍ତି, ତେବେ ସେମାନଙ୍କୁ ଏହି ଟ୍ରାଞ୍ଜାକସନ ବିଷୟରେ ଆୟକର ବିଭାଗକୁ ଜଣାଇବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ଏମିତି ୫ଟି ଟ୍ରାଞ୍ଜାକସନ ବିଷୟରେ ଯାହା ଆପଣଙ୍କୁ ଅସୁବିଧାରେ ପକାଇପାରେ ।

୧. ଫିକ୍ସିଡ୍ ଡିପୋଜିଟ

ଯଦି ଆପଣ ଗୋଟିଏ ବର୍ଷରେ ୧୦ ଲକ୍ଷ ଟଙ୍କା କିମ୍ବା ତାହାଠାରୁ ଅଧିକ ଫିକ୍ସିଡ୍ ଡିପୋଜିଟ କରନ୍ତି, ତେବେ ଆୟକର ବିଭାଗ ଆପଣଙ୍କୁ ଟଙ୍କାର ଉତ୍ସ ବିଷୟରେ ପଚାରିପାରନ୍ତି । ଏପରି ପରିସ୍ଥିତିରେ, ଯଦି ସମ୍ଭବ ତେବେ ଅଧିକାଂଶ ଟଙ୍କା କାରବାର ଅନଲାଇନ ମାଧ୍ୟମରେ କିମ୍ବା ଚେକ୍ ମାଧ୍ୟମରେ ଫିକ୍ସିଡ୍ ଡିପୋଜିଟ ଜମା କରନ୍ତୁ ।

୨. ବ୍ୟାଙ୍କ ସଞ୍ଚୟ ଖାତା ଜମା

ଯଦି କୌଣସି ବ୍ୟକ୍ତି ଗୋଟିଏ ଆର୍ଥିକ ବର୍ଷରେ ୧୦ ଲକ୍ଷ କିମ୍ବା ତା’ଠାରୁ ଅଧିକ ନଗଦ ଟଙ୍କା ଏକ ଆକାଉଣ୍ଟରେ କିମ୍ବା ଏକରୁ ଅଧିକ ଆକାଉଣ୍ଟରେ ଜମା କରନ୍ତି, ତେବେ ଆୟକର ବିଭାଗ ଅର୍ଥର ଉତ୍ସ ଉପରେ ପ୍ରଶ୍ନ କରିପାରିବ । ବର୍ତ୍ତମାନ ଆକାଉଣ୍ଟରେ ସର୍ବାଧିକ ସୀମା ହେଉଛି ୫୦ ଲକ୍ଷ ଟଙ୍କା ।

୩. କ୍ରେଡିଟ୍ କାର୍ଡ ବିଲ୍

କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଅନେକ ଥର କ୍ରେଡିଟ୍‌ କାର୍ଡ ବିଲ୍ ନଗଦ ଅର୍ଥରେ ପଇଠ କରିଥାନ୍ତି । ଯଦି ଆପଣ ଏକ ସମୟରେ ନଗଦ ୧ ଲକ୍ଷ ଟଙ୍କା କ୍ରେଡିଟ୍ କାର୍ଡ ବିଲ୍ ଜମା କରନ୍ତି, ତେବେ ଏପରି ସ୍ଥିତିରେ ଆୟକର ବିଭାଗ ଆପଣଙ୍କୁ ପ୍ରଶ୍ନ କରିପାରିବେ । ଅନ୍ୟପଟେ ଯଦି ଆପଣ ଗୋଟିଏ ଆର୍ଥିକ ବର୍ଷରେ ୧୦ ଲକ୍ଷରୁ ଅଧିକ ନଗଦ ଟଙ୍କା କ୍ରେଡିଟ୍ କାର୍ଡ ବିଲ୍ ପଇଠ କରନ୍ତି, ତେବେ ଆପଣଙ୍କୁ ସେହି ଟଙ୍କାର ଉତ୍ସ ବିଷୟରେ ମଧ୍ୟ ଆୟକର ବିଭାଗ ତରଫରୁ ପଚରାଯାଇପାରେ ।

୪. ସମ୍ପତ୍ତି କାରବାର

ଯଦି ଆପଣ ସମ୍ପତ୍ତି ରେଜିଷ୍ଟାର କରିବା ସମୟରେ ଅଧିକ ଟଙ୍କା ନଗଦ କାରବାର କରନ୍ତି ତେବେ ଏହି ରିପୋର୍ଟ ଆୟକର ବିଭାଗ ପାଖକୁ ଯାଇଥାଏ । ଏହା ସହ ଯଦି ଆପଣ ୩୦ ଲକ୍ଷ କିମ୍ବା ତାହାଠାରୁ ଅଧିକ ମୂଲ୍ୟର ସମ୍ପତ୍ତି କିଣନ୍ତି କିମ୍ବା ବିକ୍ରି କରନ୍ତି ତେବେ ଏହି ସୂଚନା ରେଜଷ୍ଟ୍ରି ଅଫ୍ ପ୍ରପୋର୍ଟି ତରଫରୁ ଆୟକର ବିଭାଗ ପଠାଯାଇଥାଏ । ଯାହା ଫଳରେ ଆୟକର ବିଭାଗ ଆପଣଙ୍କୁ ଟଙ୍କା ଉତ୍ସକୁ ନେଇ ଆପଣଙ୍କୁ ପ୍ରଶ୍ନ ପଚାରି ପାରନ୍ତି ।

୫. ଶେୟାର କିଣିବା, ମ୍ୟୁଚୁଆଲ୍ ଫଣ୍ଡ ଏବଂ ବଣ୍ଡ କିଣିବା

ଯଦି ଆପଣ ଶେୟାର କିଣିବା, ମ୍ୟୁଚୁଆଲ ଫଣ୍ଡ ଓ ବଣ୍ଡରେ ବହୁ ପରିମାଣରେ ନଗଦ ଟଙ୍କା କାରବାର କରୁଛନ୍ତି ତେବେ ଆପଣ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି । ଗୋଟିଏ ଆର୍ଥିକ ବର୍ଷରେ ଶେୟାର କିଣିବା, ମ୍ୟୁଚୁଆଲ ଫଣ୍ଡ ଓ ବଣ୍ଡରେ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ କାରବାର କରିପାରିବେ । ତେଣୁ ଯଦି ଆପଣ ଏହି ସବୁ ମଧ୍ୟରୁ କୌଣସି କ୍ଷେତ୍ରରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ ନଗଦ ଟଙ୍କା ବ୍ୟବହାର କରିବାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ । ନଚେତ ଆପଣ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ।

୪୦ ଲକ୍ଷର ଚାକିରି ଛାଡ଼ି ହେଲେ ସଫେଇ କର୍ମଚାରୀ

ବ୍ରିଟେନ : ଲକ୍ଷ ଲକ୍ଷ ଟଙ୍କାର ଚାକିରି ଛାଡ଼ି ମହିଳା ଏବେ ସଫେଇ କର୍ମଚାରୀ । କଥାଟା ଶୁଣି ଆପଣଙ୍କୁ ଝଟକା ଲାଗିଥିବ । ମାତ୍ର କଥାଟି ସତ । ବ୍ରିଟେନରେ ବାସ କରୁଥିବା କ୍ଲେୟର ବର୍ଟନ ନାମକ ଏହି ମହିଳା ଯେ କି ନିଜ ୪୦ ଲକ୍ଷ ଟଙ୍କାର ଚାକିରି ଛାଡ଼ି ବର୍ତ୍ତମାନ ଏକ ସଫେଇ କର୍ମଚାରୀର କାର୍ଯ୍ୟ କରୁଛନ୍ତି । ମହିଳାଙ୍କ କହିବାନୁସାରେ ଜଣେ ସଫେଇ କର୍ମଚାରୀର କାର୍ଯ୍ୟ କର୍ପୋରେଟ ସେକ୍ଟରରେ ଇ-ମେଲ ଲେଖିବାଠୁ ସମ୍ପୂର୍ଣ୍ଣ ଭିନ୍ନ । ଏହି ନିଷ୍ପତ୍ତି ତାଙ୍କ ଜୀବନର ସବୁଠାରୁ ଭଲ ପଦକ୍ଷେପ ବୋଲି ବର୍ଟନ କହିଛନ୍ତି ।

‘ଦ ସନ୍’ର ରିପୋର୍ଟ ଅନୁସାରେ ୪୦ ଲକ୍ଷ ଟଙ୍କାର ଚାକିରି ଛାଡ଼ିଥିବା ଏହି ମହିଳା ଜଣକ ବର୍ତ୍ତମାନ ୬ ଜଣଙ୍କ ଘରେ ସଫେଇ କାର୍ଯ୍ୟ କରୁଛନ୍ତି ଏବଂ ସେ କରୁଥିବା ଏହି କାମରେ ବେଶ୍ ଖୁସି ଅଛନ୍ତି । ସିସେଜ ହିନଚ୍ ନାମକ ଜଣେ ଇନଷ୍ଟାଗ୍ରାମ ୟୁଜର୍ସଙ୍କଠାରୁ ପ୍ରେରିତ ହୋଇ ଏହି କାର୍ଯ୍ୟ ଆରମ୍ଭ କରିଥିବା କହିଛନ୍ତି ବର୍ଟନ ।

୨୦୦୧ ଅଗଷ୍ଟ ମାସରେ ବ୍ରିଟେନର ଏକ ହାଇ ଷ୍ଟ୍ରିଟ୍ ବ୍ୟାଙ୍କରେ ଗ୍ରାହକ ସେବା ପ୍ରତିନିଧି ଦାୟିତ୍ୱରେ କାର୍ଯ୍ୟ କରୁଥିଲେ ବର୍ଟନ । ସେହି ସମୟରେ ତାଙ୍କ ଦରମା ଦେଢ଼ ଲକ୍ଷ ଥିବାବେଳେ ସେ ନିଜ ପ୍ରେମିକ ଡେଭଙ୍କ ସହ ବିବାହ କରିଥିଲେ । ୨୦୧୭ରେ ବର୍ଟନଙ୍କ ପ୍ରମୋସନ ହେବାପରେ ଦରମା ୪୦ ଲକ୍ଷ ହୋଇଥିଲା । ଏହି ବର୍ଷ ତାଙ୍କ ପିତାଙ୍କ ମୃତ୍ୟୁ ହେବା ପରେ ଏହାର ବର୍ଷେ ପରେ ଅର୍ଥାତ୍ ୨୦୨୮ରେ ବର୍ଟନଙ୍କର ଡେଭଙ୍କ ସହ ବିଚ୍ଛେଦ ହୋଇଥିଲା । ଏସବୁ ଘଟଣା ପରେ ବର୍ଟନ ପୁରାପୁରି ଭାଙ୍ଗି ପଡ଼ିବା ସଙ୍ଗେ ସଙ୍ଗେ ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିଲେ ।

ବର୍ଟନ କହିଛନ୍ତି ଯେଉଁ କାମକୁ ମୁଁ କରିବାକୁ ଆଦୈା ପସନ୍ଦ କରୁନଥିଲି ଏବଂ ଯେଉଁ କାମ ପାଇଁ ଅନ୍ୟକୁ ଟଙ୍କା ଦେଉଥିଲି ଆଜି ସେହି କାମ ମୋ ବଞ୍ଚିବାର ଏକମାତ୍ର ସାହାରା ପାଲଟିଛି । ସିସେଜ ହିନଚଙ୍କ ଇନଷ୍ଟାଗ୍ରାମରେ ସେ ଦେଖିଥିଲେ ଯେ ହିନଚ୍ ସପ୍ତାହକୁ ୪ ଘଣ୍ଟାର କାମ କରୁଥିଲେ ଏହା ତାଙ୍କୁ ଶାନ୍ତ ରହିବାରେ ଅନେକ ସାହାଯ୍ୟ କରୁଥିଲା କେବଳ ଏତିକି ନୁହେଁ ଏହା ଏକ ମେଡିଟେସନ୍ ଭଳି ମଧ୍ୟ କାର୍ଯ୍ୟ କରୁଥିଲା । ନିଜ ବାପାଙ୍କ ଦେହାନ୍ତ ଏବଂ ସ୍ୱାମୀଙ୍କ ସହ ବିଚ୍ଛେଦ ପରେ ଏହି ସଫେଇ କାର୍ଯ୍ୟ ତାଙ୍କୁ ମାନସିକ ଚିନ୍ତାରୁ ମୁକୁଳିବାକୁ ଅନେକ ସାହାଯ୍ୟ କରିଥିଲା । ପ୍ରଥମେ ସେ କେବଳ ନିଜ ଘରେ ସଫେଇ କରୁଥିବା ବେଳେ ବର୍ତ୍ତମାନ ସେ ଅନ୍ୟ ୬ ଜଣଙ୍କ ଘରେ ଏହି କାର୍ଯ୍ୟ କରୁଥିବା କହିଛନ୍ତି ।

 

 

 

ମଦ ପିଇବାକୁ ଆସି ବାନ୍ତି ହେବାରୁ ବିଅର ପାର୍ଲର କର୍ମଚାରୀଙ୍କୁ ଆକ୍ରମଣ

ଭୁବନେଶ୍ୱର: ସାଙ୍ଗସାଥୀ ହୋଇ ମଦ ପିଇବାକୁ ଆସିଲେ । ହୋଟେଲରେ ଖାଇବା ବେଳେ ବାନ୍ତି ହେବାରୁ ମନା ଇଛା ମାଡ଼ ମାରିଲେ । ଭୁବନେଶ୍ୱରର ଡେଲଟା ଛକରେ ଥିବା ବିଅର ପାର୍ଲରରେ ମଦ ପିଇବାକୁ ଆସିଥିବା ୪ ଯୁବକ ଏଭଳି କାଣ୍ଡ ଘଟାଇଛନ୍ତି । ବାନ୍ତି ହେବାରୁ ବିଅର ପାର୍ଲର କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ୪ ମଦ୍ୟପ ଯୁବକ ।

ଏଥିସହ ପଢ଼ନ୍ତୁ: ନୂଆ ବର୍ଷରୁ ଖୋଲିବ ପ୍ରାଥମିକ ବିଦ୍ୟାଳୟ, କ୍ଲାସ ରୁମରେ ପଢ଼ିବେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ

ଗୁରୁତ ଆହାତ ବିଅର ପାର୍ଲର କର୍ମଚାରୀ ଆଲୋତ ବାରିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଲୋକଙ୍କ ମୁଣ୍ଡ ଓ ପିଠିରେ ଆଘାତ ଲାଗିଛି । ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି ତଦନ୍ତ କରୁଛି । ନୂଆବର୍ଷକୁ ମାତ୍ର ୨ ଦିନ ଥିବାବେଳେ ସର୍ବସାଧାରଣରେ ସେଲିବ୍ରିସେନ୍ ମନା କରାଯାଇଛି । ପୋଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି ହୋଇନଥିବା ବେଳେ ରାଜଧାନୀରେ ଅପରାଧୀ ମୁଣ୍ଡ ଟେକିଲେଣି ।

ନୂଆ ବର୍ଷରୁ ଖୋଲିବ ପ୍ରାଥମିକ ବିଦ୍ୟାଳୟ, କ୍ଲାସ ରୁମରେ ପଢ଼ିବେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ

ଭୁବନେଶ୍ୱର: ନୂଆ ବର୍ଷରୁ ଖୋଲିବ ପ୍ରାଥମିକ ସ୍କୁଲ । ଜାନୁଆରୀ ୩ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । କରୋନାର ସମସ୍ତ ଗାଇଡ ଲାଇନକୁ ମାନି କ୍ଲାସ ରୁମରେ ପଢ଼ିବେ ପ୍ରଥରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଥିବା ଗାଇଡ ଲାଇନ ଅନୁସାରେ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ପ୍ରାୟ ୨୭ ହଜାର ବିଦ୍ୟାଳୟକୁ ଜାନୁୟାରୀ ୩ରୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ନିମନ୍ତେ  ୫ରୁ ୮ ପର୍ଯ୍ୟନ୍ତ ସମେଟିଭ ପରୀକ୍ଷା ହେବାର ଅଛି, ସେହି ବିଦ୍ୟାଳୟ ୧୦ ଜାନୁୟାରୀରୁ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସକାଳ ୯ରୁ ୧୨ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଶୁଖିଲା ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ଅନ୍ୟ ଆଦେଶ ପ୍ରାପ୍ତ ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ । ବିଦ୍ୟାଳୟ ଖୋଲିବା ପାଇଁ ସ୍ଥିରୀକୃତ SOP ବିଭାଗ ଦ୍ଵାରା ସୂଚିତ କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।

ଓମିକ୍ରନ୍ ଆତଙ୍କ, ଦିଲ୍ଲୀରେ ଲାଗୁ ହେଲା ୟେଲୋ ଆଲର୍ଟ

ନୂଆଦିଲ୍ଲୀ: ସାରା ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗୁଛି । ଭାରତର ୨୧ଟି ରାଜ୍ୟରେ ଓମିକ୍ରନ ମାମଲା ଦେଖିବାକୁ ମିଳିଛି । ବର୍ତ୍ତମାନ ଭାରତରେ ୨୧ଟି ରାଜ୍ୟରୁ ମୋଟ ୬୫୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଏହି ମାମଲା ମଧ୍ୟରୁ କେବଳ ରାଜଧାନୀ ଦିଲ୍ଲୀରେ ୧୬୫ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି ।

ଦିଲ୍ଲୀରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାର ଦେଖି ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି କରିଛନ୍ତି ଦିଲ୍ଲୀ ସରକାର । ଏଥି ସହ ଗ୍ରେଡେଡ୍ ରେସପନ୍ସ ଆକସନ୍ ପ୍ଲାନ ମଧ୍ୟ ଲାଗୁ କରାଯାଇଛି । ୟେଲୋ ଆଲର୍ଟ ଜାରି ହେବା ଫଳରେ ଦିଲ୍ଲୀରେ କିଛି କଟକଣା ପରିବର୍ତ୍ତନ ହୋଇଛି । ୟେଲୋ ଆଲର୍ଟ ଜାରି ହେବା ଫଳରେ ବିବାହ ଓ ଅନ୍ତିମ ସଂସ୍କାରରେ ୨୦ରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ଅନୁମତି ମିଳିବ ନାହିଁ । ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ସପ୍ତାହନ୍ତ କର୍ଫ୍ୟୁ ଆଉ ରହିବ ନାହିଁ । ନିର୍ମାଣ କାର୍ଯ୍ୟ ଓ ଇଣ୍ଡଷ୍ଟ୍ରି ଖୋଲା ରହିବ, ରେଷ୍ଟୁରାଣ୍ଟ, ବାର୍ ଓ ଦିଲ୍ଲୀ ମେଟ୍ରୋରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ଚାଳିବାକୁ ଅନୁମତି ମିଳିବ । ସେହିପରି ଭାବରେ ଅଡିଟେରିୟମ, ବିବାହ ମଣ୍ଡପ, ସ୍ପା, ଜିମ୍, ଯୋଗ କେନ୍ଦ୍ର ଓ ପାର୍କ ବନ୍ଦ ରହିବ । ଅନ୍ୟପକ୍ଷରେ ଅଟୋ, ଇ-ରିକ୍ସା, ଟ୍ୟାକ୍ସି ଓ ସାଇକେଲ ଟ୍ୟାକ୍ସରେ କେବଳ ଦୁଇ ଜଣ ଯାତ୍ରୀଙ୍କୁ ନେଇ ଯାଇପାରିବେ ବୋଲି ଆଜି ଘୋଷଣା ହୋଇଥିବା ଗାଇଡ ଲାଇନରେ କୁହାଯାଇଛି ।

ଅନ୍ୟପକ୍ଷରେ ଦିଲ୍ଲୀରେ ଦିନରେ ଲୋକ ଭିଡ ଜମାଇବା ସହ ମାସ୍କ ବ୍ୟବହାର କରୁନଥିବା ଦେଖିବାକୁ ମିଳୁଛି । ଏଭଳି ହେଲେ ସରକାର କଡା କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ବର୍ତ୍ତମାନ ଦିଲ୍ଲୀରେ ପଜିଟିଭିଟି ରେଟ୍ ୦.୫ ପ୍ରତିଶତ ରହିଛି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଡରିବାର କୌଣସି କାରଣ ନାହିଁ । ଦିଲ୍ଲୀ ସରକାର କରୋନର ନୂଆ ଭାରିଆଣ୍ଟ ଓମିକ୍ରନ ମୁକାବିଲା ପାଇଁ ପୂରା ପ୍ରସ୍ତୁତ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ ।

 

ମଣିଷ ନୁହଁ ଏବେ ମେସିନ୍ ଲଢ଼ିବ କେସ୍

ଚୀନ : ଏବେ ଅପରାଧୀଙ୍କୁ ଧରିବା ହେବା ସହଜ । ମଣିଷ ନୁହେଁ ମେସିନ୍ ଧରିବ ଅପରାଧୀ ଆଉ ଧାର୍ଯ୍ୟ କରିବ ସଠିକ୍ ଦଣ୍ଡ । ଏଥିପାଇଁ ଚୀନର ଟେକ୍ କମ୍ପାନୀ ଆରମ୍ଭ କରିଛି ଏକ ଅଭିନବ ପ୍ରୟାସ । ଆରଟିଫିସିଆଲ ଇଣ୍ଟେଲିଜେନ୍ସ ପାୱାର୍ଡ ପ୍ରୋସିକ୍ୟୁଟର ନାମକ ଏକ ମେସିନ୍ ଏବେ ଅପରାଧୀଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବ । ତର୍କ ଏବଂ ବିତର୍କ ସାହାଯ୍ୟରେ ଅପରାଧୀଙ୍କୁ କରିବ ପର୍ଦ୍ଦାଫାସ । ଏହି ମେସିନ୍ ୯୭ ପ୍ରତିଶତ ସଠିକ୍ ତଥ୍ୟ ଦେଉଥିବାର କମ୍ପାନୀ କହିଛି । ସାଂଘାଇ ପୁଣ୍ଡୋଗ ପିପୁଲ୍ସ ପ୍ରୋକ୍ୟୁରେଟୋରେଟ କମ୍ପାନୀ ଏହି ମେସିନ୍ ନିର୍ମାଣ କରିଥିବା ସୂଚନା ମିଳିଛି । ଯାହାର ନାଁ ଆରଟିଫିସିଆଲ ଇଣ୍ଟେଲିଜେନ୍ସ ପାୱାର୍ଡ ପ୍ରୋସିକ୍ୟୁଟର ରଖାଯାଇଛି । ନିର୍ମାତାଙ୍କ କହିବାନୁସାରେ ଅଧିକାରୀମାନଙ୍କ କାର୍ଯ୍ୟଭାର କମ୍ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ଏହି ମେସିନର ବ୍ୟବହାର କମ୍ପ୍ୟୁଟର ଡେସ୍କଟପରେ ମଧ୍ୟ କରାଯାଇପାରିବ । ଏହା କେବଳ ପୋଲିସ ଏବଂ ସରକାରୀ ଓକିଲଙ୍କ କାର୍ଯ୍ୟରେ ବ୍ୟବହାର ହେବ । ଅର୍ଥାତ୍ ପ୍ରୋସିକ୍ୟୁଟର ତଥ୍ୟ ଆଧାରରେ କୋର୍ଟରେ ଅପରାଧୀଙ୍କୁ ଚିହ୍ନଟ କରିବା ସହ କେଉଁ ଅପରାଧ ପାଇଁ କିଭଳି ଦଣ୍ଡ ଦିଆଯିବ ତାହା ବିଚାରପତିଙ୍କୁ ଜଣାଇବ । ରିପୋର୍ଟ ମୁତାବକ ଏଆଇ ପ୍ରୋସିକ୍ୟୁଟର ବିକାଶ ନିମନ୍ତେ ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ଅନେକ ଆଇନଗତ ମାମଲା ଉପରେ ଅଧ୍ୟୟନ କରାଗଲା । ଏହି ମେସିନ୍ ଚୋରି, ଡକାୟତି, କ୍ରେଡିଟ୍ କାର୍ଡ ଠକାମି ଏବଂ ଜୁଆଖେଳ ଭଳି ମାମଲାର ବିଶ୍ଳେଷଣ କରି ଅପରାଧୀଙ୍କୁ ଚିହ୍ନଟ କରିବା ସହ ଦଣ୍ଡବିଧାନ କରିବ ।

ମେସିନ୍ ଦେଇପାରେ ଭୁଲ୍ ତଥ୍ୟ :

୯୭ ପ୍ରତିଶତ ସଠିକ୍ ତଥ୍ୟ ଦେବା ପରେ ମଧ୍ୟ ମେସିନ୍ ଭୁଲ୍ ତଥ୍ୟ ଦେବାର ସମ୍ଭାବନା ରହିଛି ବୋଲି ସାଉଥ୍ ଚାଇନା ମେଣ୍ଟିଙ୍ଗ୍ ପୋଷ୍ଟ ସହ ଆଲୋଚନା ପରେ ଚୀନ ପ୍ରୋସିକ୍ୟୁଟର ସୂଚନା ଦେଇଛି । ଏଥିସହ ସେ କହିଛନ୍ତି ଯେ ଏଭଳି ପରିସ୍ଥିତି ଉପୁଜିଲେ ଏହାର ଦୋଷୀ କିଏ ?  ସେ ଏହା ମଧ୍ୟ କହିଛନ୍ତି ମେସିନ୍ ଅପରାଧୀଙ୍କୁ ଧରିପାରିବ ସତ ମାତ୍ର ଏହାକୁ ମନୁଷ୍ୟଠାରେ ପ୍ରୟୋଗ କରିବା ସଠିକ୍ ନୁହେଁ ।

ବେକରେ ରଶି ଲଗାଇ ବିବାହିତ ପୁରୁଷ ଓ ନାବାଳିକାଙ୍କ ଆତ୍ମହତ୍ୟା

ରାୟଗଡ଼ା: ଶୁଣ୍ଢି ସାହିରେ ଜଣେ ବିବାହିତ ପୁରୁଷ ଓ ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ପୁରୁଷ ରାହୁଲ କୌଶଲ୍ୟା ଓ ନାବାଳିକା ଜଣକ ୧୫ ବର୍ଷ ବୟସର ବୋଲି ଜଣାପଡିଛି। ତେବେ ଆତ୍ମହତ୍ୟା କାରଣ ଜଣାପଡିନାହିଁ। ପୋଲିସ ସୂଚନା ମୁତାବକ, ନାବାଳିକା ଜଣକ ଆଜି ସକାଳୁ ଟ୍ୟୁସନ ଯିବା ପାଇଁ ଘରୁ ବାହାରି ଥିଲେ। ହେଲେ ସେ ଟ୍ୟୁସନ ଯାଇନଥିଲେ। ରାହୁଲଙ୍କ ଘରକୁ ସେ ଆସିଥିଲେ। ରାହୁଲଙ୍କ ଘରେ ରହିବା ପରେ ଉଭୟେ ଆତ୍ମହତ୍ୟା କରିଥିଲେ।

ରାହୁଲଙ୍କ ଘରେ କେହି ନଥିବାରୁ ଘଟଣା ସମ୍ପର୍କରେ କାହାକୁ ଜଣାପଡିନଥିଲା। ତେବେ ନାବାଳିକାଙ୍କ ପରିବାର ଟ୍ୟୁସନ ଯାଇ ଖୋଜିବା ପରେ ରାହୁଲଙ୍କ ଘରକୁ ଆସିଥିଲେ। ସେଠାରେ ଉଭୟେ ଆତ୍ମହତ୍ୟା କରିଥିବା ନଜରକୁ ଆସିଥଲା। ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ ସାହି ଲୋକ। ପୋଲିସ ପହଞ୍ଚି ତଦନ୍ତ କରିବା ପରେ ଉଭୟଙ୍କ ଶବକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଛି। ସେଠାରେ ଶବ ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି । ଓ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଏଥିସହିତ ପଢ଼ନ୍ତୁ: କଂଗ୍ରେସ ନେତା କହ୍ନେୟାଙ୍କ ଗସ୍ତ ପରେ ସଭାସ୍ଥଳ ଶୁଦ୍ଧି କଲେ ଯୁବକ

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ, ପ୍ରଥମ ଇନିଂସରେ ଭାରତ ୩୨୭ରେ ଅଲଆଉଟ

ସେଞ୍ଚୁରିୟନ: ସେଞ୍ଚୁରିୟନଠାରେ ଖେଳାଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ । ପ୍ରଥମ ଟେଷ୍ଟରେ ପ୍ରଥମ ଇନିଂସରେ ଭାରତ ୩୨୭ ରନ କରି ଅଲଆଉଟ ହୋଇଛି । ପ୍ରଥମ ଦିନର ଦମଦାର ବ୍ୟାଟିଂ ପରେ ତୃତୀୟ ଦିନରେ କୋଲାପ୍ସ କରିଛି ଭାରତୀୟ ବ୍ୟାଟିଂ ଲାଇନ ଅଫ୍ । ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୩ ଓ୍ୱିକେଟ ହରାଇ ୨୭୨ ରନ କରିଥିଲା । କିନ୍ତୁ ଆଜି ତୃତୀୟ ଦିନରେ ଭାରତ ମାତ୍ର ୫୫ ରନରେ ୭ ଓ୍ୱିକେଟ ହରାଇଛି । ଯାହା ଫଳରେ ଭାରତ ପ୍ରଥମ ଇନିଂସରେ ମାତ୍ର ୩୨୭ ରନ କରି ଅଲଆଉଟ ହୋଇଛି । ଭାରତ ପକ୍ଷରୁ କେଏଲ ରାହୁଲ ୧୨୩ ରନ କରିଥିବାବେଳେ ଆଜିଙ୍କେ ରାହାଣେ ୪୮ ରନ କରି ପ୍ୟାଭିଲିୟନ ଫେରିଥିଲେ ।

ପ୍ରଥମ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ଆରମ୍ଭରୁ ଦମଦାର ବ୍ୟାଟିଂ କରିଥିଲେ ଉଭୟ କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ୱାଲ । ଉଭୟ ପ୍ରଥମ ଓ୍ୱିକେଟ ପାଇଁ ୧୧୭ ରନର ପାର୍ଟନରସିପ୍ କରିଥିଲେ । ଏହାପରେ ମୟଙ୍କ ଅଗ୍ରଓ୍ୱାଲ ୬୦ ରନ କରି ଆଉଟ ହୋଇଥିଲେ । ମୟଙ୍କ ଆଉଟ ହେବା ପରେ ଚେତେଶ୍ୱର ପୂଜାରା ପ୍ରଥମ ବଲରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ । ଏହା ପରେ ଭାରତୀୟ ଦଳକୁ ସମ୍ଭାଳିଥିଲେ କେଏଲ ରାହୁଲ ଓ ଅଧିନାୟକ ବିରାଟ କୋହଲି । ବିରାଟ ୪୦ ରନ କରି ଆଉଟ ହୋଇଥିଲେ । ବିରାଟଙ୍କ ଆଉଟ ହେବା ପରେ ପାରି ସମ୍ଭାଳିଥିଲେ ରାହାଣେ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ରାହୁଲ ଓ ରାହାଣେଙ୍କ ପାର୍ଟନରସିପ ଫଳରେ ଭାରତ ୨୭୨ ରନ କରିଥିଲା । କିନ୍ତୁ ତୃତୀୟ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ କ୍ରିଜରେ ଅଧିକ ସମୟ ରହିପାରିନଥିଲେ । ମାତ୍ର ୫୫ ରନରେ ଅବଶିଷ୍ଟ ୭ ଓ୍ୱିକେଟ ହରାଇଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ଲୁଙ୍ଗି ଏନଙ୍ଗିଡି ୬ଟି, କଗିସୋ ରାବଡା ୩ ଟି ଓ୍ୱିକେଟ ଅକ୍ତିଆର କରିଥିଲେ ।

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକପ୍ରିୟ ଗାୟକ ଉଦିତ୍ ନାରାୟଣଙ୍କ ପ୍ରଶଂସା

ଭୁବନେଶ୍ୱର: ଗୋଟେ ପଟେ ପଞ୍ଚାୟତ ନିର୍ବାଚନ ପାଇଁ ନେତା ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ ଆରମ୍ଭ ହୋଇଗଲାଣି ମ୍ୟୁଜିକ୍ କମ୍ପୋଜ । ବିଶିଷ୍ଟ ଗୀତିକାର ତପୁ ନାୟକଙ୍କ ଏକ ଗୀତକୁ ମ୍ୟୁଜିକରେ ସଜାଇଛନ୍ତି ବିଶିଷ୍ଟ କମ୍ପୋଜର ଜାପାନୀ ଭାଇ ।

ବଲିଉଡର ପ୍ରଖ୍ୟାତ ପ୍ରଚ୍ଛଦପଟ୍ଟ ଗାୟକ ଉଦିତ୍ ନାରାୟଣ ଗୀତଟିକୁ ଗାଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭୂୟସୀ ପ୍ରଶଂସା କରିଛନ୍ତି । ନବୀନଙ୍କୁ ଦେଶର ନମ୍ବର ଓ୍ୱାନ୍ ମୁଖ୍ୟମନ୍ତ୍ରୀ କହିବା ସହ ତାଙ୍କ ସମ୍ପର୍କିତ ଗୀତ ଗାଉଥିବାରୁ ସେ ନିଜକୁ ସୌଭାଗ୍ୟ ମନେ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ପାଇଁ ମୁଖ୍ୟମନ୍ତ୍ରୀ ପ୍ରସିଦ୍ଧି ଲାଭ କରିଥିବା କହିଛନ୍ତି ଉଦିତ୍ ନାରାୟଣ ।

ତେବେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କୌଣସି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ, ଜୀବନଶୈଳୀ, ବ୍ୟକ୍ତିତ୍ୱ  ଲାଗି ପ୍ରଶଂସା କରିଆସିଛନ୍ତି । ପୂର୍ବରୁ ମଧ୍ୟ ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ଦ କପିଲ୍ ଶର୍ମା ସୋ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା ଦେଖିବାକୁ ମିଳିଥିଲା । ସୋ’ର ଉପସ୍ଥାପକ ତଥା ପପୁଲାର କମେଡିଆନ କପିଲ ଶର୍ମା ଜାତୀୟ ହକି ଦଳରେ ଓଡିଶାର ଭୂମିକାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ।

ନିକଟରେ ପ୍ରସାରିତ ହୋଇଥିବା ସୋ’ର ଏକ ଏପିସୋଡରେ ପହଞ୍ଚିଥିଲେ ଟୋକିଓ ହକି ହିରୋ ଉଭୟ ପୁରୁଷ ଓ ମହିଳା ହକି ଟିମ । ଏହି ଅବସରରେ କପିଲ ଶର୍ମା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ପ୍ରଶଂସା କରିଛନ୍ତି । ସେହିପରି ଟୋକିଓ ହିରୋଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଯୋଗେ ଅଭିନନ୍ଦନ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୋ ରେ କହିଥିଲେ, ଆଗାମୀ ପିଢିର ଖେଳାଳି ଦୁଇ ଟିମର ଖେଳାଳିଙ୍କ ଠାରୁ ପ୍ରେରଣା ପାଇ ଆଗକୁ ବଢ଼ିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଟୋକିଓରେ ସଫଳତା ଏକ ଆରମ୍ଭ ମାତ୍ର । ଆଗକୁ ଆହୁରି ସଫଳତାର ଶିଢ଼ି ଚଢ଼ିବା ବୋଲି କହି ଖେଳାଳିଙ୍କୁ ପ୍ରୋତ୍ସାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ହକିକୁ ସପୋର୍ଟ କରୁଥିବାରୁ କପିଲ ଶର୍ମାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ ।