spot_img
Home Blog Page 4747

ନିଟ୍-ପିଜି କାଉନସେଲିଂରେ ବିଳମ୍ବ ପ୍ରସଙ୍ଗ, ଡାକ୍ତର ଓ ଦିଲ୍ଲୀ ପୋଲିସ ମୁହାଁମୁହିଁ

ନୂଆଦିଲ୍ଳୀ: ନିଟ୍-ପିଜି କାଉନସେଲିଂରେ ବିଳମ୍ବକୁ ବିରୋଧ କରି ଡାକ୍ତର ଏବଂ ଦିଲ୍ଲୀ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଡାକ୍ତରମାନେ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଦିଲ୍ଲୀ ପୋଲିସ ସମସ୍ତ ଫାଟକ ବନ୍ଦ କରି ଦେଇଥିଲା । ଏହାପରେ ଦିଲ୍ଲୀରେ ଆନ୍ଦୋଳନରତ ଡାକ୍ତର ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ଅମାନବୀୟ ଭାବେ ଆକ୍ରମଣ କରିଛନ୍ତି ବୋଲି ଡାକ୍ତରମାନେ ଅଭିଯୋଗ କରିଛନ୍ତି । ସୋମବାର ହୋଇଥିବା ସଂଘର୍ଷରେ ଉଭୟ ଡାକ୍ତର ଓ ପୋଲିସ ପକ୍ଷରୁ ଦାବି କରାଯାଇଛି କି ସେମାନଙ୍କ ପକ୍ଷରୁ ବହୁ ଲୋକ ଆହତ ହୋଇଛନ୍ତି ।

ଏହାର ପ୍ରତିବାଦରେ ହଜାର ହଜାର ଡାକ୍ତର ବିଳମ୍ବିତ ରାତିରେ ରାସ୍ତାକୁ ଓହ୍ଲାଇଛନ୍ତି । ଡାକ୍ତର ସଂଗଠନ ଫେଡେରେସନ୍ ଅଫ୍ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ୍ ଦେଶବ୍ୟାପୀ ହରତାଳ ଘୋଷଣା କରିଛି । ପୋଲିସର ମାଡ଼ ପ୍ରତିବାଦରେ ଦେଶବ୍ୟାପୀ ସ୍ୱାସ୍ଥ୍ୟ ସୁବିଧା ବନ୍ଦ କରିବା ପାଇଁ ଘୋଷଣା କରିଛି ସଂଗଠନ । ଏହାସହ ଡାକ୍ତରଙ୍କୁ ଆକ୍ରମଣ କରିଥିବା ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିବାକୁ ସଙ୍ଗଠନ ଦାବି କରିଛି । ଡାକ୍ତରଙ୍କ ପାଇଁ ଏହା ଏକ କଳା ଦିନ ବୋଲି ସେମାନେ କହିଛନ୍ତି । ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ୩ଟି ସରକାରୀ ଡାକ୍ତରଖାନା ସଫଦରଜଙ୍ଗ, ଆରଏମ୍ଏଲ ଏବଂ ଲେଡି ହାର୍ଡିଂ ସମେତ ଅନ୍ୟାନ୍ୟ ସ୍ଥାନରେ ଚିକିତ୍ସା ସେବା ବ୍ୟାହତ ହୋଇଛି ।

ଦିଲ୍ଲୀ ପୋଲିସର ଏସିପି ପିଏସ୍ ଯାଦବ କହିଛନ୍ତି, ଗତକାଲି ହୋଇଥିବା ଆନ୍ଦୋଳନରେ ଆମେ କୌଣସି ଡାକ୍ତରଙ୍କୁ ଆକ୍ରମଣ କରିନାହୁଁ । ଡାକ୍ତରମାନେ ବେଆଇନ ଭାବରେ ଆନ୍ଦୋଳନ କରିଥିଲେ, ଯେଉଁଥିପାଇଁ ସେମାନଙ୍କୁ ଅଟକ ରଖାଯାଇଥିଲା  । ଆମେ ଡାକ୍ତରଙ୍କ ବିରୋଧରେ କୌଣସି ମାମଲା ଦାୟର କରିନାହୁଁ ବୋଲି କହିଛନ୍ତି ଏସିପି ପି.ଏସ୍ ଯାଦବ ।

 

ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲା, ଜର୍ମାନୀରୁ ମାଷ୍ଟରମାଇଣ୍ଡ ଗିରଫ

ଲୁଧିଆନା: ଗତ ଗୁରୁବାର ପଞ୍ଜାବସ୍ଥିତ ଲୁଧିଆନା କୋର୍ଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଏହି ବିସ୍ଫୋରଣର ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଛି । ଲୁଧିଆନା କୋର୍ଟ ବିସ୍ଫୋରଣ ପଛରେ ଏସଏଫଜେ ବା (ଶିଖ୍ ଫର୍ ଜଷ୍ଟିସ୍ ) ଆତଙ୍କବାଦୀ ସଂଗଠନ ଷଡ଼ଯନ୍ତ୍ର ରଚିଥିଲା । ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ତଥା ଏସ୍ଏଫଜେର ଜଶବିନ୍ଦର ସିଂ ମୁଲତାନୀଙ୍କୁ ଜର୍ମାନୀରୁ ଗିରଫ କରାଯାଇଛି । ଜଶବିନ୍ଦର ଲୁଧିଆନା ପରେ ଦିଲ୍ଲୀ ଏବଂ ମୁମ୍ବାଇରେ ବି ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର ରଚିଥିଲା । ଦିଲ୍ଲୀ, ମୁମ୍ବାଇରେ ଆତଙ୍କବାଦ ଆକ୍ରମଣ ପୂର୍ବରୁ ଜଶବିନ୍ଦରକୁ ଜର୍ମାନୀରୁ ଗିରଫ କରାଯାଇଛି ।

ଲୁଧିଆନା କୋର୍ଟ ବିସ୍ଫୋରଣ ଘଟଣାର ତଦନ୍ତ ସମୟରେ ଜଶବିନ୍ଦର ପାକିସ୍ତାନ କିମ୍ବା ଜର୍ମାନୀରେ ରହୁଥିବା ଜଣାପଡ଼ିଥିଲା । ଶିଖ୍ ଫର ଜଷ୍ଟିସ୍ ହେଉଛି ଭାରତର ଏକ ଆତଙ୍କବାଦୀ ଗୋଷ୍ଠୀ । ବାବର ଖାଲସାର ଆତଙ୍କବାଦୀ ହରବିନ୍ଦର ସିଂ ସାନ୍ଧୁ ଏବଂ ଲୁଧିଆନା ବିସ୍ଫୋରଣରେ ସମ୍ପୃକ୍ତ ଥିବା SFJର ବରିଷ୍ଠ ସଦସ୍ୟ ଜଶବିନ୍ଦର ସିଂ ବିଷୟରେ ପୂର୍ବରୁ ଗୁଇନ୍ଦା ସତର୍କ ସୂଚନା ଦେଇଥିଲା । ଜର୍ମାନୀ ପୋଲିସ ଏରଫର୍ଟ ସିଟିରୁ ଜଶବିନ୍ଦରକୁ ଗିରଫ କରିଛି ।

ବିକାଶ ଓ ଜନ କଲ୍ୟାଣ ସରକାରଙ୍କ ମୁଖ୍ୟ ପରିଚୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ୱର ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ୱରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, କେଦାରଗୌରୀ ପାଣିର ବିଶୁଦ୍ଧକରଣ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆରମ୍ଭ କରାଯାଇଛି ।

ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲିଙ୍ଗରାଜ ଅଞ୍ଚଳକୁ ସୁନ୍ଦର କରି ଗଢିତୋଳିବା ପାଇଁ ଏକାମ୍ର ଯୋଜନା ଜନସାଧାରଣଙ୍କ ସହଯୋଗରେ ଆରମ୍ଭ କରାଯାଇଛି । ଏହା ଶେଷ ହେଲେ ଭୁବନେଶ୍ୱରର ଗରିମା ଆହୁରି ବୃଦ୍ଧି ପାଇବ । ପୁରୀରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ପୁରୀର ଜନସାଧାରଣ ସଂପୁର୍ଣ୍ଣ ବିଶୁଦ୍ଧ ଜଳ ପାଇପାରୁଛନ୍ତି । ବର୍ତ୍ତମାନ ପୁରୁଣା ଭୁବନେଶ୍ୱରର ଜନସାଧାରଣ ମଧ୍ୟ ଏହି ସୁବିଧା ପାଇବେ ।

ବିକାଶ ଓ ଜନ କଲ୍ୟାଣ ସରକାରଙ୍କର ମୁଖ୍ୟ ପରିଚୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ । ଏହା ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିପ୍ଳବ ଆଣିଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଜଳସେଚନ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇ ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ ନେତୃତ୍ୱର ଉଚ୍ଚପ୍ରଶଂସା କରିଥିଲେ । ଓଡିଶାର ବିକାଶ ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯାଇଛି ଓ ଯୋଜନା କରାଯାଇଛି, ତାକୁ ଆନ୍ତର୍ଜାତିକ ସ୍ତରର ସ୍ୱୀକୃତି ମିଳିଛି ବୋଲି ସେମାନେ କହିଥିଲେ ।

ଆଜି ଆରମ୍ଭ ହୋଇଥିବା ପ୍ରକଳ୍ପ ଗୁଡିକ ହେଉଛି – ଏକାମ୍ର ଅଞ୍ଚଳରେ ୨୪ ଘଣ୍ଟିଆ ବିଶୁଦ୍ଧ ଜଳଯୋଗାଣ ଡ୍ରିଙ୍କ ଫ୍ରମ୍ ଟ୍ୟାପ, ବରମୁଣ୍ଡା ହାଉସିଂବୋର୍ଡ କଲୋନୀ ଓ ଜଗନ୍ନାଥ ବିହାର ଅଞ୍ଚଳରେ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ, କପିଳେଶ୍ୱରରେ ଗଙ୍ଗୁଆ ବାମପାର୍ଶ୍ୱ କେନାଲ ବନ୍ଧରେ ଦୁଇ ଲେନ୍‌ ବିଶିଷ୍ଟ ରାସ୍ତା, କେଦାରଗୌରୀ ମନ୍ଦିରରୁ ଅପରିସ୍କୃତ ଜଳ ନିଷ୍କାସନ ପାଇଁ ଭୁବନେଶ୍ୱର-ପୁରୀ ରୋଡ୍‌ରେ ବକ୍‌ସ କଲ୍‌ଭଟ, ଲିଙ୍ଗିପୁର ଇନ୍ଦିରା କଲୋନୀରେ ପାଇପ ପାଣି ବ୍ୟବସ୍ଥା, ଲିଙ୍ଗରାଜ ଓ ଗୋଖିବାବା ଅଞ୍ଚଳର କୁଷ୍ଠ କଲୋନୀର ବାସିନ୍ଦା ମାନଙ୍କର ଥଇଥାନ, ସମ୍‌ ହସ୍‌ପିଟାଲ ରାସ୍ତାର ଆଲୋକୀକରଣ , ଧଉଳି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟକରଣ, ଦୟା ପଶ୍ଚିମ କେନାଲ ଉପରେ ସେତୁ ନିର୍ମାଣ, ଦୟା ଦକ୍ଷିଣ ବନ୍ଧ ଉପରେ ରାସ୍ତା ନିର୍ମାଣ, କୂଆଖାଇ ଦକ୍ଷିଣବନ୍ଧର ପୁନରୁଦ୍ଧାର, ଦୟା ନଦୀ ଦକ୍ଷିଣ ବନ୍ଧର ସୁଦୃଢୀକରଣ ଓ ଉନ୍ନତିକରଣ ।  ଏହି କାର୍ଯ୍ୟକ୍ରମରେ ବି.ଏମ.ସି କମିଶନର ଶ୍ରୀ ସଂଜୟ ସିଂହ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।

କାହାଣୀ ୨୧: ଦୁଇ ଦଶନ୍ଧି ପରେ ପୁଣି ଥରେ ଆଫଗାନିସ୍ତାନକୁ ଦଖଲ କଲା ତାଲିବାନ

ନନ୍ଦିଘୋଷ ବ୍ୟୁରୋ: ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ । ଲଢ଼େଇ ପୂର୍ବରୁ ଆତ୍ମସମର୍ପଣ । ହଠାତ୍ ସବୁକିଛି ହୋଇଗଲା ଓଲଟ ପାଲଟ । ଇତିହାସରେ ପୁଣି ଯୋଡ଼ିହେଲା କଳାଫର୍ଦ୍ଦ । ଆଫଗାନିସ୍ତାନକୁ ପୁଣି ଫେରିଲା ତାଲିବାନ ଯୁଗ । ଦୀର୍ଘ ୨୦ ବର୍ଷ ଧରି ଆଫଗାନିସ୍ତାନରେ କ୍ଷମତାରୁ ବାହାରେ ରହିଥିବା ତାଲିବାନ ୨୦୨୧ରେ ପୁଣି ଥରେ ଶାସନକୁ ଫେରିଥିଲା । ବଳ ପୂର୍ବକ କ୍ଷମତାକୁ ଦଖଲ କରିଥିଲା ତାଲିବାନ । ୧୦୩ ଦିନର ଲଢ଼େଇ ପରେ ଆଫଗାନିସ୍ତାନକୁ ନିଜ କବଜ୍ଜାକୁ ନେଲା ତାଲିବାନ । କାବୁଲରେ ଏବେ ଚାଲିଛି ମାନବିକାର ହତ୍ୟା । ଶଙ୍କା, ଭୟରେ ଜୀବନ ଏବେ ଛଟପଟ । ମରଣଠୁ ଜୀବନ ଏଠି ଅଧିକ ଯନ୍ତ୍ରଣାଦାୟକ । ଜୀବନ ପୋକମାଛିଠୁ ବି ହୀନ । ଯୁଆଡ଼େ ଗଲେ ଆଫଗାନିସ୍ତାନରେ ଏବେ ତ୍ରାହି ତ୍ରାହି ।

ଆଫଗାନିସ୍ତାନରେ ଆମେରିକା ସେନା ପ୍ରତ୍ୟାହାର କରିବା ପରେ ସୃଷ୍ଟି ହୋଇଥିଲା ବିସ୍ଫୋରକ ପରିସ୍ଥିତି । ତାଲିବାନ ଆକ୍ରମଣରୁ ବର୍ତ୍ତିବା ଲାଗି ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି ଶେଷରେ ଦେଶ ଛାଡି ପଳାୟନ କରିଥିଲେ । ଘନିଙ୍କ ସହ ଅନେକ ମନ୍ତ୍ରୀ ଓ ନେତା ମଧ୍ୟ ଦେଶ ଛାଡି ପଳାଇ ଥିଲେ ।  ଯାହା ଫଳରେ ବିନା ବିରୋଧରେ ତାଲିବାନ ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇଥିଲା । ୨୦ ବର୍ଷ ପରେ ପୁଣି ଥରେ ଆଫଗାନିସ୍ତାନକୁ ଫେରିଥିଲା ତାଲିବାନ ଶାସନ । ଅନ୍ୟପକ୍ଷରେ ତାଲିବାନ ଆଫଗାନିସ୍ତାନରେ କ୍ଷମତା ହାତେଇବା ପରେ ସେଠାକାର ଲୋକଙ୍କ ମନରେ ସୃଷ୍ଟି ହୋଇଥିଲା କୋକୁଆ ଭୟ । ତାଲିବାନ ଆକ୍ରମଣ ଭୟରେ ହଜାରେ ହଜାରେ ସଂଖ୍ୟାରେ ଆଫଗାନ ନାଗରିକ ଦେଶ ଛାଡି ପଳାଇଥିଲେ । ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ତାଲିବାନ ସରକାରୀ ଟେଲିଭିଜିନରେ କହିଥିଲେ କି ଆଫଗାନିସ୍ତାନରେ ସ୍ୱାଭାବିକ ଭାବରେ ଶାସନ ଚାଲିବ । କିନ୍ତୁ ତାଲିବାନ ଶାସନ ଉପରେ କୌଣସି ଆଫଗାନିଙ୍କ ଭରସା ନଥିଲା ।  ଯାହା ଫଳରେ ସେଠାକାର ନାଗରିକ ଦେଶ ଛାଡି ପଳାୟନ କରିବାକୁ ଉଚିତ ମନେ କରିଥିଲେ ।

ଆଫଗାନିସ୍ତାନକୁ ଦାଖଲ କରିବା ପରେ ତାଲିବାନ କହିଥିଲା କି ଦେଶରେ ସ୍ୱାଭାବିକ ଶାସନ ଚାଲିବ । କିନ୍ତୁ ତାଲିବାନର ଏ ପ୍ରତିଶୃତି ଥିଲା ପାଣିର ଗାର । କାବୁଲ ଦଖଲ କରିବାର ଗୋଟିଏ ଦିନ ପରେ ହିଁ ତାଲିବାନ ଆରମ୍ଭ କରିଦେଇଥିଲେ ବର୍ବରତା । ତାଲିବାନ ଆତଙ୍କବାଦୀମାନେ ସବୁ ଅଞ୍ଚଳରେ ଆରମ୍ଭ କରିଦେଇଥିଲେ ନିଜର ଦବଦବା । ଘର ଘର ବୁଲି ତାଲିବାନ ଶାସନକୁ ବିରୋଧ କରୁଥିବା ଲୋକଙ୍କୁ ଖୋଜି ଖୋଜି ହତ୍ୟା କରୁଥିବାର ଜଣାପଡ଼ିଥିଲା । କେବଳ ଏତିକି ନୁହେଁ ମହିଳାମାନଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲା ତାଲିବାନ । ଯେଉଁ ମହିଳାମାନେ ବୁର୍ଖା ପିନ୍ଧିନଥିଲେ ସେମାନଙ୍କୁ ଖୋଜି ଖୋଜି ହତ୍ୟା କରିଥିଲେ ତାଳିବାନର ଆତଙ୍କବାଦୀମାନେ ।

ଏସବୁ ମଧ୍ୟରେ ଆଫଗାନିସ୍ତାନରେ ଦେଖାଯାଇଥିଲା ଆଉ ଏକ ଅଭାବନୀୟ ଦୃଶ୍ୟ । ୨୦ ବର୍ଷ ପରେ ତାଲିବାନ ଶାସନକୁ ଫେରିଥିଲା ସତ କିନ୍ତୁ ଏବେ ବି ତାଲିବାନର କ୍ରୁରତା ଓ କଠୋରତା ଲୋକଙ୍କ ମନରୁ ଲିଭିନଥିଲା । ଏହି କଠୋରତା ଆତଙ୍କବାଦୀଙ୍କ କବଳରୁ ମୁକ୍ତି ପାଇବା ପାଇଁ ନିଜର ଦେଶରୁ ମୋହ ତୁଟାଇ ଅନ୍ୟ ଦେଶକୁ ଯିବା ପାଇଁ ସ୍ଥିର କରିଥିଲେ ହଜାର ହଜାର ସଂଖ୍ୟାର ଆଫଗାନ ନାଗରିକ । ଯାହା ଫଳରେ ଏୟାରର୍ପୋଟ ଓ ବସଷ୍ଟାଣ୍ଡରେ ହଜାର ହଜାର ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ । ଆଫଗାନିସ୍ତାନରୁ ନିଜ ନାଗରିକଙ୍କୁ ଆଣିବା ପାଇଁ ଅନ୍ୟ ଦେଶ ପଠାଇଥିବା ବିମାନରେ ଲୋକମାନେ ଚଢ଼ିଯାଇଥିଲେ । ଏମାନଙ୍କୁ ଘଉଡାଇବା ସମୟରେ ଗୁଳି ମାଡରେ ଚାଲି ଯାଇଥିଲା ୭ ନିରୀହଙ୍କ ଜୀବନ । କେବଳ ଏତିକି ନୁହେଁ ତାଲିବାନ ଶାସନରୁ ମୁକ୍ତି ପାଇବା ପାଇଁ ଲୋକମାନେ ବିମାନରେ ଓହଳି ଅନ୍ୟ ଦେଶକୁ ଚାଲିଯିବାର ଅଭାବନୀୟ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଆମେରିକର ଏକ ବାୟୁ ସେନାର ବିମାନରେ ଓହଳି ୩ ଜଣ ଯାତ୍ରା କରିଥିବାର ଦେଖିବାକୁ ମିଳିଥିଲା । ଏହି ସମୟରେ କାବୁଲ ଆକାଶରେ ଉଡନ୍ତା ଆକାଶରୁ ୩ ଜଣ ଲୋକ ଖସି ମୃତ୍ୟୁ ବରଣ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ତାଲିବାନର କ୍ରୁରତା, କଠୋରତା ଓ ବର୍ବରତାର ଚିତ୍ର ବିଷୟରେ ବଖାଣିଥିଲେ ଭାରତ ଆସିଥିବା ଜଣେ ଆଫଗାନ ମହିଳା ପୋଲିସ । ଦିଲ୍ଲୀରେ ରହୁଥିବା ଆଫଗାନୀ ମହିଳା ହଥିରା ହାସମୀ ୯ ମାସ ପୂର୍ବ ଭାରତ ଆସିଥିଲେ । ସେ ଗଣମାଧ୍ୟମ ଆଗରେ ତାଲିବାନର ନିଷ୍ଠୁରତା ବିଷୟରେ କହିଥିଲେ । ତାଲିବାନମାନେ ତାଙ୍କୁ ନିର୍ଯାତନା ଦେବା ସହ ତାଙ୍କ ଉପରକୁ ୬ ରାଉଣ୍ଡ ଗୁଳି ମଧ୍ୟ ଚଳାଇ ଥିଲେ । ଏହା ପରେ ତାଙ୍କ ଦୁଇ ଆଖି ମଧ୍ୟ ତାଡି ନେଇଥିଲେ । କାରଣ ତାଙ୍କ ଦୋଷ ଏହା ଥିଲା କି ସେ ପୋଲିସ ବିଭାଗରେ ଚାକିରି କରିଥିଲେ ଏବଂ ମହିଳାମାନଙ୍କ ସପକ୍ଷରେ କହୁଥିଲେ । ଏହା ହିଁ ଥିଲା ତାଙ୍କର ଅପରାଧ । ହାସମୀଙ୍କ ଏହି ଘଟଣା ହିଁ ଦର୍ଶାଉଛି କେତେ ନିଷ୍ଠୁରତା ତାଲିବାନି ଶାସନ । ଲାଗୁଛି ସତେ ଯେମିତି ତାଲିବାନ ମାନବିକତାକୁ ପରିହାସ କରୁଛି । ମଧ୍ୟଯୁଗୀୟ ବବର୍ରତାର ଲାଇସେନସ୍ ପାଇଛି । ସମଗ୍ର ବିଶ୍ୱ କିନ୍ତୁ ସାଜିଛି ନିରବଦ୍ରଷ୍ଟା ।

ଗାନ୍ଧିଙ୍କ ପରେ ନେହେରୁଙ୍କୁ ନେଇ ବାବା କାଳୀଚରଣଙ୍କ କଳା ମନ୍ତବ୍ୟ

ରାୟପୁର: ବାବାଙ୍କ ବେଫିକର ଅନ୍ଦାଜ। ପୁଣି ଭିଡିଓ ଜାରି କରି ଗାନ୍ଧିଙ୍କୁ ଅପମାନିତ କରିଛନ୍ତି କାଳୀଚରଣ । ରାଷ୍ଟ୍ରପିତାଙ୍କୁ ସର୍ବ ସମ୍ମୁଖରେ ଗାଳି, ସମ୍ପ୍ରଦାୟକୁ ନେଇ ଘୃଣା ସୃଷ୍ଟି କରୁଥିବା ଭଳି ବୟାନ ଦେଇଥିବା କାଳୀଚରଣଙ୍କୁ ଏଯାଏଁ ଗିରଫ କରିନି ପୋଲିସ । FIR ପରେ ବି ଗିରଫ ହୋଇନାହାନ୍ତି କାଳୀଚରଣ । ଧର୍ମ ସଂସଦରେ ଘୃଣା, ହିଂସା ସୃଷ୍ଟି କରିବା ଭଳି ବୟାନ ଦେବା ପରେ ବି କାଳୀଚରଣଙ୍କୁ ଗିରଫ କରା ନଯିବା ନେଇ ତେଜୁଛି ଅସନ୍ତୋଷ । ନିଜକୁ ସନ୍ଥ କହୁଥିବା ଜଣେ ଅଧର୍ମୀର ବୟାନକୁ ନେଇ ଜାରି ରହିଛି ବିବାଦ।

ଧର୍ମ ସଂସଦରେ ଏଭଳି ବୟାନ ଦେବାକୁ ନେଇ ଏଫ୍‌ଆଇଆର ରୁଜୁ ହୋଇଥିଲେ ବି କ୍ଷମା ମାଗିବାକୁ ସଫା ସଫା ମନା କରିଦେଇଛନ୍ତି କାଳିଚରଣ । ନିଜ ୟୁଟ୍ୟୁବ ଚ୍ୟାନେଲରେ ସେ ୮ମିନିଟ ୫୧ ସେକେଣ୍ଡର ଏକ ଭିଡିଓ ଅପଲୋଡ କରିଛନ୍ତି । ଏହି ଭିଡିଓରେ ସେ ପୁଣି ଗାନ୍ଧିଜୀଙ୍କୁ ଟାର୍ଗେଟ କରିଛନ୍ତି । ଗାନ୍ଧିଜୀଙ୍କ ପ୍ରତି ବ୍ୟବହାର କରିଥିବା ଅପମାନ ସୂଚକ ଶବ୍ଦ ପାଇଁ ମୁଁ ଆଦୌ ଦୁଃଖିତ ନୁହେଁ । ବରଂ ସର୍ଦ୍ଦାର ପଟେଲଙ୍କ ପରିବର୍ତ୍ତେ ନେହେରୁଙ୍କୁ କାହିଁ ପ୍ରଧାନମନ୍ତ୍ରୀ କରାଗଲା ବୋଲି ପ୍ରଶ୍ନ କରିଛନ୍ତି । ଖାଲି ସେତିକି ନୁହେଁ ମହାତ୍ମା ଗାନ୍ଧି ରାଷ୍ଟ୍ରପିତା ନୁହନ୍ତି ବଂଶବାଦର ଜନକ । ଗାନ୍ଧିଜୀଙ୍କ ପ୍ରତି ମୋ ମନରେ ତିରସ୍କାର ରହିଛି ବୋଲି କହିଛନ୍ତି କାଳୀଚରଣ ।

ପୂର୍ବତନ ରାୟପୁର ମେୟର ପ୍ରମୋଦ ଦୁବ୍ବେଙ୍କ ଅଭିଯୋଗ ଆଧାରରେ ରାୟପୁର ସ୍ଥିତ ତ୍ରିକାରାପାରା ପୋଲିସ ଷ୍ଟେସନରେ କାଳୀଚରଣଙ୍କ ନାଁରେ ମାମଲା ରୁଜୁ କରିଛି । ତାଙ୍କ ନାଁରେ ଧାରା ୫୦୫(୨) ଓ ୨୯୪ ଅନୁଯାୟୀ ମାମଲା ରୁଜୁ ହୋଇଛି ।

ସୂଚନା ଯୋଗ୍ୟ, ରବିବାର ଛତିଶଗଡ଼ ରାୟପୁରରେ ମଧ୍ୟ ଚାଲିଥିଲା ଧର୍ମସଭା । ଦେଶର ଅନେକ ସ୍ଥାନରୁ ଆସିଥାନ୍ତି ସନ୍ଥ ଓ ସାଧୁ  ।  ମହାରାଷ୍ଟ୍ରରୁ ଆସିଥିବା ମହାରାଜ କାଳୀଚରଣ ଉପସ୍ଥିତ ଶ୍ରୋତାଙ୍କୁ ସମ୍ବୋଧନ ଦେଉଥାନ୍ତି  । ଏହି ସମୟରେ ଉପୁଜେ ଅପ୍ରିତୀକର ପରିସ୍ଥିତି  । କାରଣ ମହାରାଜ କାଳୀଚରଣ ଏମିତି କିଛି ବୟାନ ଦେଇଥିଲେ  । ଯାହା ସଭାସ୍ଥଳୀକୁ ଉତ୍ତେଜିତ କରିଦେଇଥିଲା  । ଜାତିର ଜନକ ମହାତ୍ମା ଗାନ୍ଧିଙ୍କୁ ନେଇ ଅଶୋଭନୀୟ ମନ୍ତବ୍ୟ ଦେବା ସହ ଗାନ୍ଧିଜୀଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିଲେ  ।

ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ପ୍ରଶଂସା କରିଥିଲେ  । ଏମିତିକି ମଞ୍ଚରେ ନାଥୁରାମଙ୍କ ନାମ ଉଚ୍ଚାରଣ କରି ପ୍ରଣାମ ଜଣାଇଥିଲେ ।  ସେପଟେ ଧର୍ମସଭାକୁ ଆସିଥିବା ମହନ୍ତ ରାମସୁନ୍ଦର ଦାସ ମହାରାଜ କାଳୀଚରଣଙ୍କ ବୟାନକୁ ନିନ୍ଦା କରିବା ସହ ମଞ୍ଚ ଛାଡ଼ି ଚାଲିଛାଯାଇଥିଲେ  । ଭାରତ ପାକିସ୍ତାନ ଭାଗବଣ୍ଟାକୁ ନେଇ ସଭାରେ ମନ୍ତବ୍ୟ ଦେଇଥିଲେ ମହାରାଜ କାଲୀଚରଣ ।  ଏଥିପାଇଁ ମହାତ୍ମା ଗାନ୍ଧୀଙ୍କୁ ଦାୟୀ କରିବା ସହ ଖରାପ ଶବ୍ଦ ବ୍ୟବହାର କରିଥିଲେ  । ନାଥୁରାମ ଗଡସେଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ  । ଏହାପରେ  ଆହୁରି ଉତ୍ତେଜିତ ଭାଷଣ ଦେଇଥିଲେ କାଳୀଚରଣ  । ସେ କହିଥିଲେ ପୋଲିସ, ପ୍ରଶାସନ ଆମ ସପକ୍ଷରେ ନାହାଁନ୍ତି  । କାହିଁକି ନା ସେ ଜଣଙ୍କର ଚାକର  । ହିନ୍ଦୁଙ୍କୁ ପୋଲିସ ପ୍ରଶାସନ ସମର୍ଥନ କରେନାହିଁ  ।

ଅନ୍ୟପକ୍ଷରେ ବାବା କାଳୀଚରଣଙ୍କ ବୟାନଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧୀ । ମହାତ୍ମାଗାନ୍ଧୀଙ୍କ ଏକ ବାର୍ତ୍ତାକୁ ଟ୍ୱିଟ୍ କରି ଏହାର ଜବାବ ରଖିଛନ୍ତି । ଆପଣ ମୋତେ ଶିକୁଳିରେ କଏଦ କରିପାରିବେ, ନିର୍ଯାତନା ଦେଇପାରିବେ ଏହି ଶରୀରକୁ ନଷ୍ଟ କରିପାରିବେ କିନ୍ତୁ ଆପଣ ମୋ ବିଚାରଧାରାକୁ କଏଦ କରିପାରିବେ ନାହିଁ ଲେଖିଛନ୍ତି ।

ସୁକନାଇ ପ୍ରୀମୀୟର ଲିଗର ମୁକୁଟ ପିନ୍ଧିଲା ସମ୍ବଲପୁର

0

ନିଶ୍ଚିନ୍ତକୋଇଲି : ୟଙ୍ଗ ଷ୍ଟାର ସୁକନାଇ ଦ୍ଵାରା ଆୟୋଜିତ ସୁକାନାଇ ପ୍ରୀମିୟର ଲିଗକୁ ବାଜି ମାରିଛି ସମ୍ବଲପୁର। ଏମ.ଏମ.ସି.ସି ସମ୍ବଲପୁର ଏବଂ ପକୱାନ ଜଗତସିଂହପୁର ମଧ୍ୟରେ ହୋଇଥିବା ମ୍ୟାଚରେ ୩୫ ରନରେ ବିଜୟ ହାସଲ କରିଛି ସମ୍ବଲପୁର। ପ୍ରଥମେ ଟସ୍ ଜିତି ସମ୍ବଲପୁର ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ କରି ୮ ଓଭରରେ ୩ ୱିକେଟ୍ ହରାଇ ୯୨ ରନ କରିଥିଲା ସମ୍ବଲପୁର। ଏହାର ପ୍ରତିପକ୍ଷରେ ଜଗତସିଂହପୁର ୬ ୱିକେଟ୍ ହରାଇ ୫୭ ରନ କରିଥିଲା। ସଞ୍ଜୟ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିବା ବେଳେ ଦେବାଶିଷ ହୋଇଥିଲେ ମ୍ୟାନ ଅଫ ଦ ଟୁର୍ଣ୍ଣାମେଣ୍ଟ। ଏସ. କେ. ଫିରୋଜ ଏବଂ ଏସ.କେ ରିହାନ ଅଲ୍ଲୀ ମ୍ୟାଚ୍ ପରିଚାଳନା କରିଥିଲେ।

ପାଞ୍ଚ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଭାଗ ନେଇଥିଲେ। ରାଜ୍ୟ ସରକାରଙ୍କ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗାୟତ୍ରୀ ଦେବୀ ଗ୍ରୁପର ଉପ ସଭାପତି ଚିତ୍ତରଞ୍ଜନ ଦେବର୍ତ୍ତା ଓ ଏ.ଏନ.ଆଇ ପ୍ରାଇଭେଟ୍ ଲିମିଟେଟର ଏସ.କେ. ଏନାମ୍ ରସୁଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସାଦ ମିର୍ଜା, ନୱାବ ସେକ୍, ହାଫିଜ୍ ଏହମଦ, ଆସିଫ ଇୱିଏଲ୍, ଶେଖ୍ ଆଶିଫ, ହାଇଦର ଅଲ୍ଲୀ, ଇକବଲ୍ ହୋସିଁ, ଅମିନୁଲ, ହଭିବୁର ରେହମାନ ଏବଂ ୟାଇ.ଏସ.ଏସ ଗ୍ରୁପର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିଲେ ।

ଆହୁରି ସହଜ ହେବ ଜମି କିଣାବିକା: ଆଉ ଲୋଡ଼ାନାହିଁ ବିଡିଏ ଅନୁମତି

ଭୁବନେଶ୍ୱର: ସହରାଞ୍ଚଳରେ ଜମି କିଣାବିକା ହେବ ସହଜ । ରାଜ୍ୟ ସରକାର ସମସ୍ତ ଲିଜ୍‌ ଜମିକୁ ଫ୍ରି ହୋଲଡ୍‌ କରିବେ । ବର୍ତ୍ତମାନ ସ୍ଥିତିରେ ଲିଜ୍ ଜମିରେ ଜମି ମାଲିକଙ୍କୁ କେବଳ ହେରିଟେବୁଲ ରାଇଟ୍ସ ଦିଆଯାଇଛି । ଅର୍ଥାତ୍ ଲିଜ୍‌ଧାରୀ କେବଳ ତାଙ୍କ ଉତ୍ତରାଧିକାରୀଙ୍କୁ ଜମି ଟ୍ରାନ୍ସଫର କରିପାରିବେ । କିନ୍ତୁ ବିକ୍ରି କରିପାରିବେ ନାହିଁ । ଫ୍ରି ହୋଲଡ ହେବା ପରେ ଲିଜ୍‌ଧାରୀଙ୍କ ଜମି ସ୍ଥିତିବାନ ଜମିରେ ପରିଣତ ହେବ । ଏହାଦ୍ୱାରା ସତ୍ତ୍ୱାଧିକାରୀ ଜମି ବିକ୍ରି କରିପାରିବେ ।

ଏଥିପାଇଁ ତାଙ୍କୁ ଆଉ ବିଡିଏର ଅନୁମତି ନେବାକୁ ପଡିବନାହିଁ । ଏବେ ଲିଜ୍ ଜମିର ବିକ୍ରି ଖରିଦ୍ ପାଇଁ ବିଡିଏର ଅନୁମତି ନେବାକୁ ପଡୁଛି । ଏଥିପାଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନୀତି ନିର୍ଦ୍ଧାରଣ କରାଯିବ । ଫ୍ରି ହୋଲଡ ପାଇଁ ଜମି ମାଲିକଙ୍କଠାରୁ ନଗନ୍ୟ ଦେୟ ଆଦାୟ କରାଯିବ । ଏହି ଅର୍ଥ ସହରାଞ୍ଚଳର ଭିତ୍ତିଭୂମି ବିକାଶରେ ଖର୍ଚ୍ଚ କରାଯିବ । ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁରରେ ଏହା କାର୍ଯ୍ୟକାରୀ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: କଂଗ୍ରେସ ନେତା କହ୍ନେୟାଙ୍କ ଗସ୍ତ ପରେ ସଭାସ୍ଥଳ ଶୁଦ୍ଧି କଲେ ଯୁବକ

କଂଗ୍ରେସ ନେତା କହ୍ନେୟାଙ୍କ ଗସ୍ତ ପରେ ସଭାସ୍ଥଳ ଶୁଦ୍ଧି କଲେ ଯୁବକ

ନବରଙ୍ଗପୁର: କଂଗ୍ରେସ ନେତା କହ୍ନେୟା କୁମାରଙ୍କ ସଭାସ୍ଥଳକୁ ଶୁଦ୍ଧିକରଣ କଲେ ନବରଙ୍ଗପୁରର ଦୁଇଯୁବକ । ଦେଶଦ୍ରୋହର ଆଖ୍ୟା ଦେଇ ସଭାସ୍ଥଳକୁ ଶୁଦ୍ଧିକରଣ କରିଛନ୍ତି ଦୁଇ ଯୁବକ । ଶୁଦ୍ଧିକରଣ ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି । ଗତକାଲି ନବରଙ୍ଗପୁର ସହର ହିରଲୀସ୍ଥିତ ନୂତନ ମଣ୍ଡେଇ ପଡ଼ିଆଠାରେ ୧୦୦ ତମ ପ୍ରତିଷ୍ଠା ଦିବସକୁ ସଂକଳ୍ପ ଦିବସ ଭାବେ ପାଳନ କରିଥିଲା ଜିଲ୍ଲା କଂଗ୍ରେସ ।

ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇଥିଲେ କଂଗ୍ରେସ ନେତା କହ୍ନେୟା କୁମାର ଓ ଅନ୍ୟ ବରିଷ୍ଠ ନେତା । ତେବେ ସଭାପରେ କାର୍ଯ୍ୟକ୍ରମ ସ୍ଥଳକୁ ଗଙ୍ଗାଜଳ ଛିଞ୍ଚି ପବିତ୍ର କରିଛନ୍ତି ନବରଙ୍ଗପୁର ଜିଲ୍ଲା ହିନ୍ଦୁ ଏକତା ବାହିନୀ । ଏହି ଶୁଦ୍ଧିକରଣର ଭାଇରାଲ ଭିଡିଓରେ ଯୁବକମାନେ ନବରଙ୍ଗପୁର ସହରର ଜଣେ ସଚେତନ ନାଗରିକ ବୋଲି ନିଜକୁ ସମ୍ବୋଧନ କରିବା ସହିତ କହ୍ନେୟା କୁମାର ଜେଏନୟୁର ଛାତ୍ର ଥିବା ବେଳେ ଟୁକଡେ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ରହି ତାହାର ନେତୃତ୍ୱ ନେବା ସହ ଦେଶ ବିରୋଧୀ ନାରା ଦେଇଥିଲେ । ଏହାକୁ ବିରୋଧ କରିଥିବା ଯୁବକମାନେ କହିଛନ୍ତି । ତାଙ୍କଭଳି ଦେଶଦ୍ରୋହୀଙ୍କ ପାଦ ନବରଙ୍ଗପୁର ଭଳି ସହିଦ ପବିତ୍ର ମାଟିରେ ପଡିବା ଦ୍ୱାରା ମାଟି ଅପବିତ୍ର ହୋଇଯାଇଥିବା ଯୁବକମାନେ ଅଭିଯୋଗ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ୨କୋଟିରୁ ଅଧିକ ଲୋକଙ୍କୁ ଦିଆଗଲାଣି ଦ୍ୱିତୀୟ ଡୋଜ୍ ଟିକା: ୧୫ଶହ ତଳେ ରହିଛି ସକ୍ରିୟ ମାମଲା

ସୌରଭ ଗାଙ୍ଗୁଲିଙ୍କୁ କରୋନା, ହସ୍ପିଟାଲରେ ହେଲେ ଭର୍ତ୍ତି

 କୋଲକାତା: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନା ସଂକ୍ରମିତ ଚିହ୍ନଟ । ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରିଥିଲେ ଓ ରିପୋର୍ଟ ପଜିଟିଭ୍ ଆସିଥିଲା। ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ହିଁ ସେ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଗାଙ୍ଗୁଲିଙ୍କ ରକ୍ତ ନମୂନାକୁ ଜେନମ୍ ସିକ୍ୱେନ୍‌ସିଂ ପାଇଁ ପଠାଯିବ ବୋଲି ଜଣାପଡ଼ିଛି। ସେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ଜାଣିବା ପାଇଁ ଏହି ପରୀକ୍ଷା କରାଯିବ। କାରଣ ଇତି ମଧ୍ୟରେ ଭାରତରେ ଅନେକ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି।  ଚଳିତ ବର୍ଷ ତୃତୀୟ ଥର ପାଇଁ ଗାଙ୍ଗୁଲି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୂର୍ବରୁ ଛାତିରେ ଯନ୍ତ୍ରଣା ପାଇଁ ସେ ଦୁଇ ଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଜାନୁଆରୀ ମାସରେ ତାଙ୍କର ପ୍ରଥମେ ହୃଦ୍‌ଘାତ ହୋଇଥିଲା। କୋଲକାତା ସ୍ଥିତ ଘରେ ବ୍ୟାୟାମ କରିବା ବେଳେ ତାଙ୍କ ହୃଦ୍‌ଘାତ ହୋଇଥିଲା। ଏହା ପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଏହାର ୨୦ ଦିନ ପରେ ପୁଣି ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଓ ସେତେବେଳେ ତାଙ୍କ ଠାରେ ଦ୍ୱିତୀୟ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା।

୪୯ ବର୍ଷୀୟ ଗାଙ୍ଗୁଲି କରୋନା ଟିକାର ଉଭୟ ଡୋଜ୍ ନେଇସାରିଛନ୍ତି । ତଥାପି ସେ ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ତେବେ ତାଙ୍କ ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲି ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ଏଥିସହିତ ପଢ଼ନ୍ତୁ: ଆଉ ୨ କରୋନା ଟିକା ଏବଂ ଔଷଧକୁ ଅନୁମତି ଦେଲେ ଭାରତ ସରକାର

 

 

 

ଆଉ ୨ କରୋନା ଟିକା ଏବଂ ଔଷଧକୁ ଅନୁମତି ଦେଲେ ଭାରତ ସରକାର

ନୂଆଦିଲ୍ଲୀ: ଆଉ ୨ କରୋନା ଟିକାକୁ ମିଳିଲା ମଞ୍ଜୁରୀ । କରୋନା ମହାମାରୀ ବିରୋଧରେ ଲଢ଼େଇକୁ ଆହୁରି ଦୃଢ଼ କରିବା ପାଇଁ ଆସିଲା ଆଉ ୨ଟି ଟିକା । ୨ଟି କରୋନା ଟିକା ଓ ଗୋଟେ କରୋନା ଔଷଧକୁ ଅନୁମତି ଦେଲା ଭାରତ। ୨ଟି ଟିକା ହେଉଛି କୋର୍ବେଭାକ୍ସ ଏବଂ କୋଭୋଭାକ୍ସ। ଏହି ୨ଟି ଟିକା ସହ ଆଣ୍ଟି-ଭାଇରାଲ୍ ଔଷଧ ମଲନୁପିରାଭୀରକୁ କେବଳ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ମିଳିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ।

କୋର୍ବେଭାକ୍ସକୁ ହାଇଦ୍ରାବାଦ ଭିତ୍ତିକ କମ୍ପାନି ବାୟୋଲୋଜିକାଲ୍-ଇ ପ୍ରସ୍ତୁତ କରିଥିବା ବେଳେ କୋଭୋଭାକ୍ସକୁ ପ୍ରସ୍ତୁତ କରିଛି ପୁଣେର ସେରମ ଇନଷ୍ଟିଚ୍ୟୁଟ। ଏହା ସହ ଆଣ୍ଟି-ଭାଇରାଲ୍ ଔଷଧ ମଲନୁପିରାଭୀରକୁ ଭାରତରେ ୧୩ଟି କମ୍ପାନି ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହାକୁ ଜରୁରୀକାଳୀନ ପରିସ୍ଥିତିରେ ବୟସ୍କ ରୋଗୀଙ୍କ ଚିକିତ୍ସାରେ ସୀମିତ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି।

ଏହା ପୂର୍ବରୁ ଭାରତ କୋଭିସିଲ୍ଡ ଓ କୋଭାକ୍ସିନକୁ ଅନୁମତି ଦେଇଥିବା ବେଳେ ଭାରତରେ କୋଟି କୋଟି ଲୋକ ଏହି ଟିକା ଗ୍ରହଣ କରିଛନ୍ତି। ବର୍ଷକ ମଧ୍ୟରେ ଏହି ୨ଟି ଟିକା ଭଲ ପ୍ରଭାବ ପକାଇଥିବା ଦେଖାଯାଇଥିବା ବେଳେ କୋର୍ବେଭାକ୍ସ ଏବଂ କୋଭୋଭାକ୍ସର ପ୍ରଭାବ ମଧ୍ୟ ଭଲ ରହିବ ବୋଲି ଆଶା ରହିଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ୨କୋଟିରୁ ଅଧିକ ଲୋକଙ୍କୁ ଦିଆଗଲାଣି ଦ୍ୱିତୀୟ ଡୋଜ୍ ଟିକା: ୧୫ଶହ ତଳେ ରହିଛି ସକ୍ରିୟ ମାମଲା