spot_img
Home Blog Page 4795

ସ୍ମାର୍ଟ ସେବାରେ ସାମିଲ ହେଲା ଜଗତସିଂପୁର, ଅନୁଦାନର ପେଡି ଖୋଲିଲେ ନବୀନ

ଜଗତସିଂହପୁର: ସ୍ବାସ୍ଥ୍ୟସେବାରେ ଆଉ ପାଦେ ଆଗେଇଲା ଜଗତସିଂହପୁର । ଜିଲ୍ଲାରେ ଆାରମ୍ଭ ହେଲା ସ୍ମାର୍ଟ ହେଲଥ କାର୍ଡ ଯୋଜନା । ବିଏସକେଓ୍ବାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପକୃତ ହେବେ ଜିଲ୍ଲାର ୨ ଲକ୍ଷ ୩୮ ହଜାର ୬୧୪ ପରିବାରର ୮ ଲକ୍ଷ ୭୭ ହଜାର ୬୦ ହିତାଧିକାରୀ ।

ଏହାଛଡା ଜିଲ୍ଲାର ବିକାଶ ପାଇଁ ଅନୁଦାନର ପେଡ଼ି ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ । ୨୧୪ଟି ପ୍ରକଳ୍ପର ଶିଳାନ୍ୟାସ ସହ ୧୪୮ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ନବୀନ । ୫୧ କୋଟି ୬୭ ଲକ୍ଷ ଟଙ୍କାରେ ୧୪୮ଟି ପ୍ରକଳ୍ପର ଉଦଘାଟନ କରାଯାଇଛି । ଏହା ମଧ୍ୟରେ ୩୪ କୋଟି ୮୬ ଲକ୍ଷ ଟଙ୍କାର ୫ଟି ବିଦ୍ୟୁତ ଶକ୍ତି ଯୋଗାଣ ପ୍ରକଳ୍ପ ରହିଛି । ସେହିଭଳି ୭୪୨ କୋଟି ୪୫ ଲକ୍ଷ ଟଙ୍କାରେ ୨୧୪ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଜିଲ୍ଲାବାସୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରୂପାନ୍ତର ଆଣିପାରିବ। ଏହାଦ୍ବାରା ଗରିବ ଲୋକମାନେ ପ୍ରକୃତରେ ସଶକ୍ତ ହୋଇପାରିବେ ।

ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ପିଇବା ପାଣି ଉପରେ ରାଜ୍ୟ ସରକାରଙ୍କ ସର୍ବାଧିକ ଗୁରୁତ୍ବ ରହିଥିବା କହିଥିଲେ ମୁଖ୍ୟମନ୍ତ୍ରୀ ।

ଜଗତସିଂହପୁର ଓ ପାରାଦୀପ ସହରର ସବୁ ପରିବାରକୁ ପାଇପ ପାଣିର ସୁବିଧା ଯୋଗାଇ ଦିଆଯାଇଛି। ଜିଲ୍ଲାର ଗ୍ରାମାଞ୍ଚଳରରେ ପାଇପ ପାଣିର ସୁବିଧା ପାଇଁ ଏକ ବୃହତ ପାଇପ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ, ‘ଜଗତସିଂହପୁର ଜିଲ୍ଲା ରାଜ୍ୟର ଏକ ଆଗୁଆ ଜିଲ୍ଲା ଏବଂ ଏହା କୃଷି, ଶିଳ୍ପ ସବୁ କ୍ଷେତ୍ରରେ ଉନ୍ନତ । ଅନେକ ସରକାରୀ ଯୋଜନା ଏଠାରେ ସଫଳ ଭାବରେ କାର୍ଯ୍ୟକାରୀ ହେଉଛି । ମିଶନ ଶକ୍ତି ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଜିଲ୍ଲାରେ ବହୁତ ଭଲ କାମ ହେଉଛି ।’

ରାଜ୍ୟରେ ଖୋଲିବ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା

ଭୁବନେଶ୍ବର: ସାଇବର ଅପରାଧ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସାରା ବିଶ୍ବ ସାଇବର ଅବରାଧକୁ ନେଇ ଚିନ୍ତାରେ । ସାଇବର ଅପରାଧକୁ ନିୟନ୍ତ୍ରଣ କରିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ହେଲେ ଠକ ଖୋଜି ବାହାର କରୁଛନ୍ତି ନୂଆ ନୂଆ କୌଶଳ । ଏମିତି ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ଓ ଏହାର ଶିକାର ହେଉଥିବା ଲୋକଙ୍କୁ ଉପଯୁକ୍ତ ନ୍ୟାୟ ଦେବାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ ୧୧ଟି ସ୍ବତନ୍ତ୍ର ଥାନା ଖୋଲାଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ବର୍ତ୍ତମାନ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ କାର୍ଯ୍ୟ କରୁଥିବା ୩ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ନୂଆ ବ୍ୟବସ୍ଥା ସହ ମିଶିଯିବ। ଏହାଦ୍ଵାରା ଥାନ ସଂଖ୍ୟା ୧୪ରେ ପହଞ୍ଚିଛି ।କଟକ, ଭୁବବନେଶ୍ବର, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୁଳ, ବାଲେଶ୍ବର, ମୟୁରଭଂଜ, ପୁରୀ, କୋରାପୁଟ, ଭବାନୀପାଟଣା, ବଲାଙ୍ଗୀର ଓ କନ୍ଧମାଳରେ ଏହି ଥାନା ପ୍ରତିଷ୍ଠା କରାଯିବ ।

ଥାନାଗୁଡ଼ିକରେ ନିଯୁକ୍ତି ପାଇଁ ପୋଲିସ ବିଭାଗରେ ୧୫୪ଟି ପଦବୀ ସୃଷ୍ଟି କରାଯାଇଛି । ସେମାନଙ୍କ ମଧ୍ୟରେ ୧୪ଟି ଇନ୍ସପେକ୍ଟର, ୨୮ଟି ସବ୍ଇନ୍ସପେକ୍ଟର, ୨୮ଟି ଏଏସ୍ଆଇ (ଯୋଗାଯୋଗ), ୨୮ଟି କନେଷ୍ଟବଳ (ଯୋଗାଯୋଗ) ଓ ୫୬ଟି କନେଷ୍ଟବଳ ପଦବୀ ରହିଛି । ଏହା ବ୍ୟତୀତ ଫାଇନାନ୍ସ ଓ ଆକାଉଣ୍ଟ ଆନାଲିଷ୍ଟ, ଆଇଟି ଏକ୍ସର୍ପଟ ଓ ସାଇବର ଫୋରେସିକ ଏକ୍ସର୍ପଟ ପରି ୯୦ ଜଣ ବିଶେଷଜ୍ଞଙ୍କୁ ମଧ୍ୟ ଏହି ଥାନାରେ ନିୟୋଜିତ କରାଯିବ ବୋଲି ଜଣାଯାଇଛି । ରାଜ୍ୟ ସଇବର ତଥା ଆର୍ଥିକ ଅପରାଧ ରୋକିବାରେ ଏହା ସହାୟକ ହେବା ସହିତ ଲୋକଙ୍କୁ ଶୀଘ୍ର ନ୍ୟାୟ ଦେବା ଦିଗରେ ଫଳପ୍ରଦ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଡିବିରି ଠିପି ନେଲା ଶିଶୁ ଜୀବନ

ସୋର: ମୃତ୍ୟୁ କେତେ ବେଳେ କେଉଁ ରୂପରେ ଆସେ ତାହା କାହାକୁ ଜଣାନାହିଁ । ହଠାତ ସବୁକିଛି ଓଲଟପାଲଟ ହୋଇଯାଏ । ମୃତ୍ୟୁ ଦେଖେନି ବୟସ । ଯାହାର ଯେତେବେଳେ ସମୟ ଆସେ ତାକୁ ନିଶ୍ଚିତ ଯିବାକୁ ପଡ଼ିଥାଏ । ଏହି ଯେମିତି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଏକ ନିଷ୍ପାପ ଶିଶୁର ଜୀବନ ଚାଲି ଯାଇଛି । ତାହା ପୁଣି ଡିବିରି ବତୀ ଠିପି କାରଣରୁ ।

ଘଟଣା ସୋର ବ୍ଲକ ତେନ୍ତୁଳିଗଛ ଗାଁର । ଗୁରା ପୁଥାଳଙ୍କ ଦେଢ ବର୍ଷର ପୁଅ ସବୁଦିନ ପରି ଆଜି ବି ଘରେ ଖେଳୁଥିଲା । ଏହି ସମୟରେ ଡିବିରି ବତୀ ଖୋଲି ଠିପି ଢୋକି ଦେଇଥିଲେ । ପରିବାର ଲୋକେ ଏହା ଦେଖି ସଙ୍ଗେ ସଙ୍ଗେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

NDA ପାଇଁ ମହିଳାଙ୍କ ଆଗ୍ରହ: ଆବେଦନ କଲେ ୧.୭୭ ଲକ୍ଷ

ନୂଆଦିଲ୍ଲୀ: ଘରର ଚାରିକାନ୍ଥରୁ ବାହାରି ଦେଶ ପାଇଁ କିଛି କରିବ ଦେଖାଇବାକୁ ଭାରତୀୟ ନାରୀଙ୍କ ମଧ୍ୟରେ ଆଗ୍ରାହ । ସେନାରେ ସାମିଲ ହେବାକୁ ଆଗଭର ନାରୀଶକ୍ତି ।ନ୍ୟାସନାଲ ଡିଫେନ୍ସ ଏକାଡେମୀ ପ୍ରତି ମହିଳାଙ୍କ ନାହିଁ ନଥିବା ଆଗ୍ରହ । ଏନଡିଏ ଲାଗି ଆବେଦନ କରିଛନ୍ତି ୧ ଲକ୍ଷ ୭୭ ହଜାର ମହିଳା ପ୍ରାର୍ଥୀ । ଏନେଇ ସଂସଦରେ ସୂଚନା ଦେଲେ ସରକାର ।

ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ କହିଛନ୍ତି ‘ଏନଡିଏ ଲାଗି  ୫ ଲକ୍ଷ ୭୫ ହଜାର ୮୫୬ଟି ଆବେଦନ ପତ୍ର ଆସିଛି । ତନ୍ମଧ୍ୟରୁ ୧ ଲକ୍ଷ ୭୭ ହଜାର ୬୫୪ ଛାତ୍ରୀ ଅଛନ୍ତି । ଏନଡିଏରେ ମହିଳାଙ୍କ ନିଯୁକ୍ତି ଲାଗି ସମସ୍ତ ପ୍ରକାର ଭିତ୍ତିଭୂମିର ବ୍ୟବସ୍ଥା କରାଯାଉଛି । ମହିଳା ଆବେଦନକାରୀଙ୍କ ସଂଖ୍ୟା ନେଇ କୌଣସି କଟକଣା ନାହିଁ ।’

ଗତ ଅଗଷ୍ଟରେ ଏନଡିଏରେ ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେବା ପରେ ମହିଳାଙ୍କ ଲାଗି ସୁଯୋଗ ସୃଷ୍ଟି ହୋଇଥିଲା ।

ଯାଜପୁରରେ ଲେଖା ହେବ ସ୍ମାର୍ଟ ଇତିହାସ

ଯାଜପୁର: ସ୍ବାସ୍ଥ୍ୟ କ୍ଷେତ୍ରରେ ଯାଜପୁର ଜିଲ୍ଲାରେ ଲେଖା ହେବ ସ୍ମାର୍ଟ ଇତିହାସ । ଆସନ୍ତାକାଲି ଜିଲ୍ଲାବାସୀଙ୍କୁ BSKY ସ୍ମାର୍ଟ କାର୍ଡ ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନରେ ଭର୍ଚୁଆଲରେ ସାମିଲ ହୋଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଉପକୃତ ହେବେ ଜିଲ୍ଲାର ୪ ଲକ୍ଷ ପରିବାର ।

ଏ ନେଇ ନରସିଂହ ଚୌଧୁରୀ କଲେଜ ପଡିଆରେ ଚାଲିଛି ଜୋରଦାର ପ୍ରସ୍ତୁତି । ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂ ରାଠୋର ସଭା କାର୍ଯ୍ୟର ତଦାରଖ କରିଛନ୍ତି । କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ,  ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦମାନେ ସାମିଲ ହେବେ । ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ସହ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

‘ଖେରି’ ଦୁର୍ଘଟଣା ନୁହେଁ, ସୁଚିନ୍ତିତ ‘ହତ୍ୟା’ ଷଡଯନ୍ତ୍ର

ନୂଆଦିଲ୍ଲୀ: ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ଚଢ଼ିଇ ଚାଷୀଙ୍କୁ ହତ୍ୟା କରିବା ମାମଲାରେ ବଡ଼ ଖୁଲାସା । ଏହା ଦୁର୍ଘଟଣା ନୁହେଁ ସୁଚିନ୍ତିତ ଷଡଯନ୍ତ୍ର । କେନ୍ଦ୍ରମନ୍ତ୍ରୀ ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ହେଉଛି ଏହି ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ । ଖେରି ମାମଲାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଦଳ ଏହାର ଖୁଲାସା କରିଛି । ଜିଲ୍ଲା ମୁଖ୍ୟ ନ୍ୟାୟାଳୟରେ ତଦନ୍ତକାରୀ ଟିମ୍ ଦାଖଲ କରିଥିବା ଲିଖିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ।

ଏସଆଇଟି ପକ୍ଷରୁ ରିପୋର୍ଟରେ ଅଭିଯୁକ୍ତ ୧୩ ଜଣଙ୍କ ବିରୋଧରେ ଦଣ୍ଡଯୁକ୍ତ ମାମଲା ଲଗାଇବା ଲାଗି ସୁପାରିସ କରାଯାଇଛି । ଏହି ଘଟଣା ସୁଚିନ୍ତିତ ଥିଲା ଏବଂ ମନମାନିର ଏକ ନିଦର୍ଶନ ଥିଲା ବୋଲି କୁହାଯାଇଛି । ଆଇପିସିର ୩୦୭, ୩୨୬, ୩୪ ଧାରା ଅନୁସାରେ ମାମଲା ରୁଜୁ କରିବା ଲାଗି ଏଥିରେ ସୁପାରିସ କରାଯାଇଛି । ଏହା ସହ ଧାରା ୨୭୯, ୩୩୮, ୩୦୪(କ)କୁ ହଟାଇ ନୂଆ ଧାରା ଅନୁସାରେ ମାମଲା ରୁଜୁ ଲାଗି ସୁପାରିସ କରାଯାଇଛି ।

ଖେରି ମାମଲାକୁ ନେଇ ବ୍ୟାକଫୁଟରେ ଥିବା ବିଜେପି ପାଇଁ ପୁଣି ଏକ ବଡ଼ ସମସ୍ୟା ଛିଡ଼ା ହେବାକୁ ଯାଉଛି । ଖେରି ମାମଲା ହିଁ ଚାଷୀ ଆନ୍ଦୋଳନର ରୂପ ବଦଳାଇ ଦେଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ, କେନ୍ଦ୍ର ସରକାରଙ୍କୁ ଚାଷୀଙ୍କ ପାଖରେ ମୁଣ୍ଡ ନୂଆଁଇବାକୁ ପଡ଼ିଥିଲା ଓ ୩ କଳା ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ ।

ଏପଟେ ତଦନ୍ତକାରୀ ଟିମର ରିପୋର୍ଟ ଆସିବା ପରେ କେନ୍ଦ୍ର ସରକାର ବିରୋଧରେ ବିରୋଧୀ ହାଲ୍ଲାବୋଲ ଡାକରା ଦେଇଛନ୍ତି । ମାମଲାକୁ ନେଇ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀଙ୍କ ଇସ୍ତଫା ବାଦି କରି ଆସୁଥିବା ବିରୋଧୀ ଦଳ ସେମାନଙ୍କ ଦାବିକୁ ଆହୁରି ଶାଣିତ କରିଛନ୍ତି ।

କଂଗ୍ରେସ ସାଂସଦ ଅଖିଳେଶ ପ୍ରସାଦ ସିଂ କହିଛନ୍ତି, ‘ଏହା ତ ହେବାର ଥିଲା ।ପୂର୍ବାରୁ ଆମେ ଗୃହରାଜ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିଲୁ । ଏମିତି ପ୍ରଥମ ଥର ହୋଇଛି କୌଣସି ମନ୍ତ୍ରୀଙ୍କ ପୁଅ ଚାଷୀଙ୍କୁ ମାରିବାକୁ ଷଡଯନ୍ତ୍ର ରଚିଛନ୍ତି ।’

କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ ଆଗକୁ କହିଛନ୍ତି, ‘ଯଦି ସାମାନ୍ୟତମ ନୈତିକତା ଅଛି ତ ମନ୍ତ୍ରୀ ଇସ୍ତଫା ଦିଆନ୍ତୁ ।ହେଲେ କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେବେ ନାହିଁ, କାରଣ ୩୦୩ ଆସନରେ ଜିତି ମୋଦି ସରକାରଙ୍କ ଅହଂକାର ବଢ଼ିଯାଇଛି ।’

ଆରଜେଡି ନେତା ତଥା ରାଜ୍ୟସଭା ସାଂସଦ ମନୋଜ ଝା ମଧ୍ୟ ସ୍ବତନ୍ତ୍ର ତଦନ୍ତକାରୀ ଟିମର ରିପୋର୍ଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।କେନ୍ଦ୍ରମନ୍ତ୍ରୀ ମିଶ୍ରାଙ୍କୁ ମୋଦି ସରକାର ତରନ୍ତ ବରଖାସ୍ତ କରିବାକୁ ସେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ୨୦୧୧ ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରିରେ ଚାଷୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଦ୍ରୁତଗତିରେ ଏକ ଏସୟୁବି ଆଣି ଆନ୍ଦୋଳନରତ ଚାଷୀଙ୍କୁ ଉପରେ ଚଢାଇ ଦେଇଥିଲେ । ଫଳରେ ୮ ଜଣ ଚାଷୀଙ୍କ ମୃତ୍ୟୁ ଘଟଇଥିଲା । ଏହାକୁ ନେଇ ହିଂସାତ୍ମକ ସ୍ଥିତି ସୃଷ୍ଟି ହେବା ସହ ଜଣେ ସାମ୍ବାଦିକ ଏବଂ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା ।

ଏବେ ତଦନ୍ତକାରୀ ଟିମଙ୍କ ରିପୋର୍ଟ ଆସିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉ ଥିବା ମୋଦି ସରକାର କି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଲା ।

ହୁସିଆର ! ଏଥର ରାତି ୧୦ ପରେ ଡିଜେ ବଜାଇଲେ…

ଭୁବନେଶ୍ବର: ବିବାହ ଉତ୍ସବରେ କରୋନା କଟକଣା ମାନୁ ନାହାନ୍ତି ରାଜଧାନୀ ଲୋକେ । ମନ ଇଚ୍ଛା ଡିଜେ ବଜାଇ ବାଣ ଫୁଟାଇ ଧୂମ୍ ମଚାଉଛନ୍ତି । ବରିଷ୍ଠ ନାଗରିକ, ପ୍ରସୂତି ମହିଳା, ଛୋଟ ପିଲାଙ୍କୁ ସମ୍ମୁଖୀନ ହେବାକୁ ପଡୁଛି ସମସ୍ୟା । ଏଣିକି ଡିଜେ ଓ ବାଣଫୁଟା ନିୟମ ନମାନିଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ରାତି ୧୦ ପରେ ଯଦି କିଏ ଡିଜେ ବଜାଇବା ଦେଖିବାକୁ ମିଳିବ କି ଅଭିଯୋଗ ଆସିବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ।

ସୂଚନାଯୋଗ୍ୟ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜଧାନୀରେ ବାହାଘର ଓ ଅନ୍ୟାନ୍ୟ ଉତ୍ସବ ପାଇଁ କଟକଣା ଲାଗିଥିଲା । କରୋନା ସ୍ଥିତିରେ ସୁଧାର ଆସିବା ପରେ ସାମାଜିକ କାର୍ଯ୍ୟକ୍ରମ, ବିଶେଷ କରି ବିବାହ ଉତ୍ସବ ପାଇଁ ଅନୁମତି ମିଳିଛି । ହେଲେ ରାତି ୧୦ଟା ପରେ କେହି ଡିଜେ ବଜାଇ ପାରିବେ ନାହିଁ କି ବାଣ ଫୁଟାଇ ପାରିବେ ନାହିଁ ବୋଲି ନିୟମ ରହିଛି । କିଛି ସ୍ଥାନରେ ଏହି ନିର୍ଦ୍ଦେଶକୁ ଅବମାନନା କରାଯାଉଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ଅଭିଯୋଗ ଆସିବା ପରେ କଠୋର ଆଭିମୁଖ୍ୟ ଦେଖାଇଛି କମିଶନରେଟ ପୋଲିସ । ନିୟମ ଅବମାନନା କରି ରାତି ୧୦ଟା ପରେ ଡିଜେ ବଜାଉଥିଲେ ପୋଲିସକୁ ଜଣାଇବାକୁ କହିଛନ୍ତି ଡିସିପି । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ଯଦି କୌଣସି ସ୍ଥାନରେ କଟକଣା ଅବମାନନା ଦେଖନ୍ତି ତେବେ ହେଲ୍ପ ଲାଇନ ନମ୍ବର  06742540294 ରେ ଫୋନ କରି ଜଣାଇବାକୁ କମିଶନରେଟ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।

ଓଡ଼ିଶା ଗସ୍ତରେ ଆସିବେ ନୀତି ଆୟୋଗ ଉପାଧ୍ୟକ୍ଷ: ଫୋକସ୍ ଷ୍ଟେଟ୍ ମାନ୍ୟତା ଦାବି କରିବ ରାଜ୍ୟ

ଭୁବନେଶ୍ୱର: ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସେ ଆଲୋଚନା କରିବେ । ଏହି ସମୟରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଦାବି ରଖିବେ ରାଜ୍ୟ ସରକାର । ଓଡ଼ିଶାକୁ ଫୋକସ ଷ୍ଟେଟ୍‌ର ମାନ୍ୟତା ଦେବା ପାଇଁ ଦୀର୍ଘଦିନ ହେଲା ଦାବି କରିଆସୁଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଦାବି ଦୋହରାଇବେ ସରକାର । ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ସାମନା କରୁଥିବା ଓଡ଼ିଶାକୁ ଫୋକସ୍‌ ଷ୍ଟେଟ୍ ମାନ୍ୟତା, ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି, ହ୍ରାସ ପାଉଥିବା କେନ୍ଦ୍ରୀୟ ଅନୁଦାନ ବୃଦ୍ଧି, ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ପାଇଁ ସ୍ୱତନ୍ତ୍ର ଅନୁଦାନ ସମ୍ପର୍କରେ ରାଜ୍ୟ ଦାବି ଉପସ୍ଥାପନ କରିପାରେ । ଉନୟନ୍ନ କାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ହେବ। ଆସନ୍ତାକାଲି ଦିନ୧୧ରୁ ଗୋଟାଏ ଯାଏଁ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଏଥିରେ ଶିଳ୍ପପତି, ସାମାଜିକକର୍ମୀ ଏବଂ ଉଦ୍ୟୋଗୀ ସାମିଲ ହେବେ ।

ଅନ୍ୟପକ୍ଷରେ ବାରମ୍ବାର ବନ୍ୟା ବାତ୍ୟା ମରୁଡି ଦ୍ୱାରା ଓଡିଶା ପ୍ରଭାବିତ ହେଉଥିବା ବେଳେ କେନ୍ଦ୍ର ନିକଟରେ ଫୋକସ ଷ୍ଟେଟ ପାଇଁ ବିଜେଡି ଦାବି କରିଆସୁଛି। ଏପରିକି ଫୋକସ ଷ୍ଟେଟ ପାଇଁ ସମସ୍ତ ନିୟମାବଳୀ ମଧ୍ୟ ଓଡିଶା ପୂରଣ କରୁଥିବା କହିଛି ଶାସକ ଦଳ। ତେଣୁ ଏଥର ଗସ୍ତ ସମୟରେ ମଧ୍ୟ ରାଜ୍ୟ ସରକାର ଏହି ଦୃଢ଼ ଦାବି ରଖିବ ବୋଲି କହିଲେ ବିଜେଡି ବିଧାୟକ ଶଶୀଭୂଷଣ ବେହେରା।

ସେହିଭଳି ବିଜେଡି ସହ କଂଗ୍ରେସ ମଧ୍ୟ ଏକମତ ହୋଇଛି । ରାଜ୍ୟକୁ ଫୋକସ ଷ୍ଟେଟ ଦିଆଯାଉ ବୋଲି ଦାବି କରିଛି କଂଗ୍ରେସ। ରାଜ୍ୟ ସରକାର ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ନିକଟରେ ଦୃଢ଼ ଭାବେ ଏ ଦାବି ଉପସ୍ଥାପିତ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ରାଜ୍ୟ ବାରମ୍ବାର ବନ୍ୟା ବାତ୍ୟା ମରୁଡ଼ିର ସମ୍ମୁଖୀନ ହେଉଥିବା ବେଳେ କେନ୍ଦ୍ର ରାଜ୍ୟକୁ ଫୋକସ ଷ୍ଟେଟ ମାନ୍ୟତା ନ ଦେବା ଗ୍ରହଣୀୟ ନୁହେଁ ବୋଲି କହିଲେ ସୁର

PMAYରେ ଓଡ଼ିଶାକୁ ଗୃହ ଯୋଗାଇଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବି ଜଣାଇଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଉଠିଲା ‘ଆବାସ’ ଯୋଜନାରେ ଓଡ଼ିଶାକୁ ଘର ଦାବି । ଏ ନେଇ ଆଜି ବିଜେଡି ସାଂସଦମାନେ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ବାସହରାଙ୍କୁ ଖୁବ ଶୀଘ୍ର ଘର ଦିଆଯାଉ ବୋଲି ଦାବି କରିଛି ବିଜେଡି । ଫୋନି ବାତ୍ୟାରେ ୧ ଲକ୍ଷ ୮୪ ହଜାର ପରିବାର ଘର ହରାଇଥିଲେ । ୨୦୧୯ରେ ପ୍ରଧାନମନ୍ତ୍ରୀ ଓଡିଶା ଆସି ଫୋନି ପ୍ରଭାବିତ ୫ ଲକ୍ଷ ଲୋକଙ୍କୁ ପିଏମଏୱାଇରେ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେସୁଦ୍ଧା ୧ ଦଶମିକ ୮୪ ଲକ୍ଷ ପରିବାରକୁ ଯୋଜନାରେ ସାମିଲ କରାଯାଇନାହିଁ । ଆହୁରି ମଧ୍ୟ କିଛି ପରିବାରଙ୍କୁ ଅଜାଣତରେ ସାମିଲ କରାଯାଇପାରିନାହିଁ । ରାଜ୍ୟ ସରକାରଙ୍କ ଦ୍ୱାରା ଆରଏଚ ପୋର୍ଟାଲ ସର୍ଭେ ବେଳେ ଏହା ଜଣାପଡିଛି ।

ସେହିପରି ଅଣଫନି ପ୍ରଭାବିତ ୧୬ ଜିଲ୍ଲାର ୫.୦୯ ଲକ୍ଷ ଯୋଗ୍ୟ ପରିବାରକୁ ମଧ୍ୟ ଚିହ୍ନଟ କରାଯାଇଥିଲା । ଏମାନେ ଆଦିବାସୀ ବହୁଳ ପଶ୍ଚିମ ଓଡ଼ିଶା, ଅନୁସୂଚିତ ଅଞ୍ଚଳ ଓ କେବିକେ ଅଞ୍ଚଳର । ତେଣୁ ଏବେ ଆବାସ ପ୍ଲସ ପୋର୍ଟାଲ ମାସକ ପାଇଁ ଖୋଲିଲେ ବଳକା ପରିବାରଙ୍କ ଡାଟା ଏଥିରେ ଯୋଡା ଯାଇପାରିବ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି କହିଛି । ଅଣପ୍ରଭାବିତ ଅଞ୍ଚଳର ଗରିବଗୁରୁବାଙ୍କୁ ଘର ଯୋଗାଇ ଦେବା ସମ୍ବିଧାନରେ ଉଲ୍ଲେଖ ରହିଛି । ତେଣୁ ବାକି ପରିବାରକୁ ଘର ଶୀଘ୍ର ଯୋଗାଇ ଦେବାକୁ ଦାବିରେ କହିଛି ବିଜେଡି । ଆବାସ ଯୋଜନାରେ ଗରିବଙ୍କୁ ଘର ଦେବାକୁ ଗତ ୧୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ । ତେବେ ଏନେଇ ଆଲୋଚନା ସହ ସମାଧାନର ବାଟ ବାହାର କରିବାକୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଆବାସ ଯୋଜନା ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଫୋନି ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଘରକୁ ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ  । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଓଡ଼ିଶାରେ ୧.୮୪ ଲକ୍ଷ ଘର ପ୍ରଭାବିତ ହୋଇଛି । ଏହା ସହିତ ଫୋନି ଦ୍ୱାରା ପ୍ରଭାବିତ ହୋଇନଥିବା କେବିକେ ଅଞ୍ଚଳରେ ମଧ୍ୟ ୧୩ ଲକ୍ଷ ଘରର ଆବଶ୍ୟକତା ରହିଥିବା ଚିଠିରେ ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ  ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଫୋନି ବାତ୍ୟା ପାଇଁ ଅନେକ ଲୋକଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏପର୍ଯ୍ୟନ୍ତ ସେମାନଙ୍କୁ ଘର ଖଣ୍ଡିଏ ମିଳିପାରିନାହିଁ  ।  ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କୁ ତୁରନ୍ତ ଘର ଯୋଗାଇ ଦିଆଯାଉ  । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ୨୦୧୯ ମାର୍ଚ୍ଚ ୭ ସୁଦ୍ଧା ରାଜ୍ୟ ସରକାର ଆବାସ ପ୍ଲସ ମାଧ୍ୟମରେ ୩୫ ହଜାର ପରିବାରକୁ ଚିହ୍ନଟ କରିଥିଲେ  ।

ଏଥିସହିତ ପଢ଼ନ୍ତୁ: ନୟାଗଡ଼ ପାଇଁ ବିଏସ୍‌କେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼ ପାଇଁ ବିଏସ୍‌କେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼: ନୟାଗଡ଼ରେ ଲେଖାହେଲା ବିକାଶର ନୂଆ କାହାଣୀ । ଜିଲ୍ଲାରେ ଉଇଁଛି ସେବା ଆଉ ଉନ୍ନତିର ନୂଆ ସୂର୍ଯ୍ୟ । ଜିଲ୍ଲାବାସୀ ପାଇବେ ସ୍ୱାସ୍ଥ୍ୟ ସେବାର ମାଷ୍ଟର କି । ବିଏସ୍‌କେଓ୍ୱାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟକାର୍ଡ ଦ୍ୱାରା ଜିଲ୍ଲାର ୭ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ । ଏହା ସହ ଜିଲ୍ଲାବାସୀଙ୍କ ପାଇଁ ବିକାଶର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜିଲ୍ଲାରେ ହଜାରେ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୮୫କୋଟି ୩୫ଲକ୍ଷ ଟଙ୍କାରେ ୧୫୧ଟି ପ୍ରକଳ୍ପର ଉଦଘାଟନ କରିବେ ନବୀନ । ଏହା ସହିତ ୯୦୯ କୋଟି ୧୮ଲକ୍ଷ ଟଙ୍କାରେ ୧୦୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଉପସ୍ଥିତ ଥିଲେ ।

ସେହିଭଳି ବିଏସ୍‌କେଓ୍ୱାଇରେ ଯୋଡ଼ିହେବ ଜଗତସିଂହପୁର ଜିଲ୍ଲା । ଜିଲ୍ଲାରେ ବିଏସ୍‌କେଓ୍ୱାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଅପରାହ୍ଣ ୫ଟାରେ ଭର୍ଚୁଆଲରେ ଜିଲ୍ଲାବାସୀଙ୍କୁ ସ୍ୱାସ୍ଥ୍ୟ ବିପ୍ଳବରେ ସାମିଲ କରିବେ ମୁଖ୍ୟମନ୍ତ୍ରୀ । ସ୍ମାର୍ଟକାର୍ଡ ଦ୍ୱାରା ଜିଲ୍ଲାରେ ୨ ଲକ୍ଷ ୩୮ ହଜାର ୬୧୪ ପରିବାରର ୮ ଲକ୍ଷ ୭୭ ହଜାର ୬୦ଜଣ ହିତାଧିକାରୀ ଉପକୃତ ହେବେ । ଏହା ଛାଡ଼ି ଜିଲ୍ଲାର ବିକାଶ ପାଇଁ ଖୋଲିବ ଅନୁଦାନ ପେଡ଼ି । ୨୧୪ଟି ପ୍ରକଳ୍ପର ଶିଳାନ୍ୟାସ ସହ ୧୪୮ ଟି ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ ।

ଏଥିସହିତ ପଢ଼ନ୍ତୁ: ଓମିକ୍ରନ ବିରୋଧରେ ଟିକା ପ୍ରଭାବୀ: ସମସ୍ତଙ୍କୁ ଟିକା ନେବାକୁ ଅନୁରୋଧ କଲା ସ୍ୱାସ୍ଥ୍ୟ ବିଭାଗ