ରିଲିଜ ହେଲା ମୋଷ୍ଟ ଆଓ୍ବେଟେଡ ଫ୍ଲିଲ୍ମ `କୁଲି । ସୁପରଷ୍ଟାର ରଜନୀକାନ୍ତଙ୍କ ଦମଦାର ଆକ୍ସନରେ ଫିଦା ଫ୍ୟାନ୍ସ ।ମଲ୍ଟି ଷ୍ଟାରର ଫିଲ୍ମ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଫିଲ୍ମ ପୋଷ୍ଟରରେ କ୍ଷୀର ଢାଳିଛନ୍ତି ପ୍ରଶଂସକ। ଆଡଭାନ୍ସ ବୁକିଂରେ ରେକର୍ଡ ୧୦୦ କୋଟି ଆୟ କରିଛି କୁଲି । ଯାହାକି ଭାରତୀୟ ସିନେମା ଇତିହାସରେ ପ୍ରଥମ। ଲୋକେଶ କନଗରାଜ ନିର୍ଦ୍ଦେଶିତ ଫିଲ୍ମରେ ବ୍ୟୟ ହୋଇଛି ୪୦୦ କୋଟି ଟଙ୍କା । ବିଭିନ୍ନ ଭାଷାରେ ଫିଲ୍ମଟି ରିଲିଜ ହୋଇଛି। ନାଗାର୍ଜୁନ, ସୃତି ହାସନ, ଅମିର ଖାନ, ଉପେନ୍ଦ୍ର, ସୌବିନ ସାହିର ଓ ସତ୍ୟରାଜ ଫିଲ୍ମରେ ନଜର ଆସିଛନ୍ତି। ଏହା ସହିତ ତାମିଲ ସିନେମାରେ ୫୦ ବର୍ଷ ପୂରଣ କରିଛନ୍ତି ରଜନୀକାନ୍ତ। ୪୦୦ କୋଟି ଟଙ୍କାର ବଜେଟରେ ନିର୍ମିତ ଫିଲ୍ମ ଆଜି ସାରା ବିଶ୍ବରେ ବି ରିଲିଜ ହୋଇଛି। ତାମିଲରେ ନିର୍ମିତ ଏହି ଫିଲ୍ମର ଅବଧି ରହିଛି ୧୭୦ ମିନଟ। ସନ୍ ପିକ୍ଚର୍ସ ବ୍ୟାନରରେ ନିର୍ମିତ ଫିଲ୍ମର ପ୍ରଯୋଜନା କରିଛନ୍ତି କଳାନିଥି ମରାନ। ଏହି ଫିଲ୍ମ ହେଉଛି ରଜନୀକାନ୍ତଙ୍କ ୧୭୧ତମ ଫିଲ୍ମ। ଏହାର ଟାଇଟଲ ଘୋଷଣା ହୋଇଥିଲା ଏପ୍ରିଲ ୨୦୨୪ରେ। ଚେନ୍ନାଇ, ହାଇଦ୍ରାବାଦ, ବିଶାଖପାଟଣା, ଜୟପୁର, ବ୍ୟାଙ୍ଗକରେ ଫିଲ୍ମର ଶୁଟିଂ ହୋଇଛି।
ଖୁବ୍ ଶୀଘ୍ର ବଦଳିବ ଆର୍ମିର ରୂପରେଖ: ସେନାରେ ସାମିଲ ହେବ ସ୍ବତନ୍ତ୍ର ଡ୍ରୋନ ୟୁନିଟ
ଖୁବ୍ ଶୀଘ୍ର ବଦଳିବ ଆର୍ମିର ରୂପରେଖ। ସେନାରେ ସାମିଲ ହେବ ସ୍ବତନ୍ତ୍ର ଡ୍ରୋନ ୟୁନିଟ। ଏହା ସହ ଅଲ-ଆର୍ମି ବ୍ରିଗେଡକୁ ବି ସାମିଲ କରାଯିବ। ଆର୍ମିରେ ବି ସ୍ଥାନୀତ ହେବ ନୂଆ ସ୍ବତନ୍ତ୍ର ବାହିନୀ। ଏନେଇ ଗତ ଜୁଲାଇ ୨୬ ବିଜୟ ଦିବସ ଅବସରରେ ସୂଚନା ଦେଇଥିଲେ ଆର୍ମିଚିଫ। ୨୦୨୩ରୁ ୨୦୩୨ ରୂପାନ୍ତରଣ ଦଶନ୍ଧି ଅବସରରେ ସେନାକୁ ସର୍ବଶକ୍ତିମାନ କରିବା ଲାଗି ହୋଇଛି ଯୋଜନା। ସେନାରେ ସାମିଲ ହେବ ନୂଆ ବାଟାଲିୟନ- ରୁଦ୍ର, ଭୈରବ, ଶକ୍ତିବାନ ଓ ଦିବ୍ୟାସ୍ତ୍ର। ଏହା ସହ ସେନାରେ ବ୍ୟାପକ ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି। ଚଳିତ ଅଗଷ୍ଟ ଶେଷ ସୁଦ୍ଧା ସାମିଲ ହେବ ଭୈରବ ବାଟାଲିଅନ। ଏହି ବାଟାଲିୟନ ଆର୍ମିର ଏଲିଟ ସ୍ପେସାଲ ଫୋର୍ସ ଓ ନିୟମିତ ବାହିନୀ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବ। କୌଶଳଗତ ଦାୟିତ୍ବ ନିର୍ବାହ କରିବ ଭୈରବ ବାଟାଲିୟନ। ଏହା ସମ୍ପୂର୍ଣ୍ଣ ଆଧୁନିକତା ଶୈଳୀରେ ଗଠିତ ହେବ। ସେମାନେ ଆକସ୍ମିକ ଭାବେ ହମଲା କରିବା ସହ ସୀମାପାର ହମଲା, ଶତ୍ରୁବାହିନୀ ଉପରେ କୌଶଳଗତ ଆକ୍ରମଣ କରିବେ। ସେହିପରି ଆର୍ମିରେ ସ୍ଥାନ ପାଇବ ଏକ ସ୍ବତନ୍ତ୍ର ଡ୍ରୋନ ୟୁନିଟ। ପ୍ରତି ଇନଫାଣ୍ଟ୍ରି ବାଟାଲିୟନରେ ରହିବ ଡ୍ରୋନ ପ୍ଲାଟୁନ। ଇନଫାଣ୍ଟ୍ରି, ଆର୍ଟିଲେରୀ ଓ ଆର୍ମର୍ଡ କର୍ପସରୁ ସୈନ୍ୟମାନଙ୍କୁ ଆଣି ଗଠନ କରାଯିବ ଶକ୍ତିଶାଳୀ ରୁଦ୍ର ବ୍ରିଗେଡ। ଦିବ୍ୟାସ୍ତ୍ର ବ୍ୟାଟେରି ହେଉଛି ଅତ୍ୟାଧୁନିକ ମାନବବିହୀନ ଓ ଲକ୍ଷ୍ୟଭେଦୀ ପ୍ରଯୁକ୍ତି। ଏଥିରେ ଡ୍ରୋନ, ବନ୍ଧୁକ ଆଦି ସାମିଲ ହେବ।
ପୋଲିସର ଥାର୍ଡ ଡିଗ୍ରୀ ପ୍ରସଙ୍ଗ: ଏସପିଙ୍କ ନିକଟରେ ନ୍ୟାୟ ଭିକ୍ଷା କଲେ ପୀଡ଼ିତ ବ୍ୟକ୍ତି
ଜଗତସିଂହପୁର ଜିଲ୍ଲା ବାଲିକୁଦା ବନ୍ଦର ସାମୁଦ୍ରିକ ଥାନା ପୋଲିସର ଥାର୍ଡ ଡିଗ୍ରୀ ପ୍ରସଙ୍ଗ। ସ୍ଥାନୀୟ ଧନୁହର ବେଲାରୀ ଗ୍ରାମର ଵିବୁରାମ ଦଳାଇ ଜଗତସିଂହପୁର ଏସପିଙ୍କ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି। ବିବୁ ରାମ ଦଳାଇ ଘରର ସମ୍ପତ୍ତି ବାଡ଼ି ମାମଲା କୁ କେନ୍ଦ୍ର କରି ଥାନାକୁ ଏକ ଅଭିଯୋଗ ପତ୍ର ନେଇ ଗତ ୧୧ ତାରିଖରେ ଯାଇଥିଲେ। ବାଲିକୁଦା ସାମୁଦ୍ରିକ ଥାନାଧିକାରୀ ତାଙ୍କ ଅଭିଯୋଗ ପତ୍ର ଦେଖିବା ପରେ ଗୁରୁତ୍ୱ ନ ଦେଇଥିଲେ। ପରେ ଏତଲାଟିକୁ ମୁଁହକୁ ଫୋପାଡି ଦେଇଥିବା ଅଭିଯୋଗ ହୋଇଛି। ଏହା ତାଙ୍କ ଉପରେ ଆକ୍ରମଣ କରିଥିଲେ। ଉପସ୍ଥିତ ଥିବା ସେକଣ୍ଡ ଅଫିସର ଏବଂ ରାଇଟର ତାଙ୍କ ସହିତ ମିଶି ଜୋତାରେ ଗୋଇଠା ମାରିବା ସହିତ ଏକ ପ୍ଲାଷ୍ଟିକ ପାଇପ ସାହାଯ୍ୟରେ ପିଟିବା ଅଭିଯୋଗ ହୋଇଛି। ଏହା ସହ ହାଜତ ଭିତରେ ଭର୍ତ୍ତି କରି ଦୀର୍ଘ ସମୟ ପରେ ଛାଡିଥିଲେ। ଏନେଇ ଆହତ ବିବୁରାମ ନ୍ୟାୟ ପାଇଁ ଜଗତସିଂହପୁର ଏସ ପି ଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି ।ଏହି ଖବର ପ୍ରଥମେ ନନ୍ଦିଘୋଷ ଟିଭିରେ ପ୍ରସାରଣ ପରେ ବରିଷ୍ଠ ପୋଲିସ ଅଧିକାରୀ ଯାଇ ତଦନ୍ତ କରି ସିସିଟିଭି କ୍ୟାମେରାର ଯାଞ୍ଚ ପାଇଁ ନିର୍ଦେଶ ଦେଇଥିବା ଜଣାପଡ଼ିଛି।
ଭୁବନେଶ୍ବର ଆଇଗିଣିଆ ମୌଜାରୁ ହଟିଲା ଜବରଦଖଲ
ଭୁବନେଶ୍ବର ଆଇଗିଣିଆ ମୌଜାରୁ ହଟିଲା ଜବରଦଖଲ । ଜବରଦଖଲରେ ଥିବା ପରିବା ଗୋଦାମ ଏବଂ ଭଡ଼ା ଘରକୁ ବିଡିଏର ଏନ୍ଫୋର୍ସମେଣ୍ଟ ଟିମ୍ ଭାଙ୍ଗି ଦେଇଛି । ଉଚ୍ଛେଦରେ ୬ଟି ଆଜବେଷ୍ଟସ ଘର, ପାଚେରୀ ଏବଂ ଗୋଦାମ ଘରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି । ଆଇଗିଣିଆରେ ଥିବା ଖାତା ନମ୍ବର ୨୭୭ର ପ୍ଲଟ୍ ନମ୍ବର ୩୪୮ ସାଧାରଣ ପ୍ରଶାସନ ବିଭାଗର ଜମି ରହିଛି । ଏହାକୁ ବନମାଳୀ ଛୁଆଳ ସିଂ ନାମକ ଜଣେ ବ୍ୟକ୍ତି ଜବରଦଖଲ କରି ରଖିଥିଲେ । ସେ ଏଠାରେ ଏକ ଛାତ ଘର କରି ପରିବା ଗୋଦାମ କରିଥିଲେ ଓ ୬ଟି ଆଜବେଷ୍ଟସ୍ ଘର କରି ୨ଟି ପରିବାରଙ୍କୁ ଭଡା ସୂତ୍ରରେ ଦେଇଥିଲେ । ଏନେଇ ଜିଏ ବିଭାଗ ଜାଣିବା ପରେ ବିଭାଗ ମାମଲା ରୁଜୁ କରିଥିଲା । ବିଡିଏ ଟିମ୍ ବିନା କୌଣସି ପୁଲିସ ସହାୟତାରେ ଏଠାରୁ ଜବରଦଖଲ ଉଚ୍ଛେଦ କରିଥିଲା ।
ଦ୍ଵିପାକ୍ଷିକ ଆଲୋନଚା ପୂର୍ବରୁ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼଼ ଚେତାବନୀ
ଦ୍ଵିପାକ୍ଷିକ ଆଲୋନଚା ପୂର୍ବରୁ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼଼ ଚେତାବନୀ। କହିଲେ ୟୁକ୍ରେନ ସହ ଯୁଦ୍ଧ ବନ୍ଦ ନକଲେ ରୁଷକୁ ଏହାର ଗମ୍ଭୀର ପରିମାଣ ଭୋଗିବାକୁ ପଡିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ବିବୃତି ଜାରି କରି ଏହି ଚେତାବନୀ ଦେଇଛନ୍ତି। ଆସନ୍ତାକାଲିର ବୈଠକ ପୂର୍ବରୁ ଏହି ଧମକ ଜାରି କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ଆସନ୍ତାକାଲି ଆଲାସ୍କାରେ ପୁଟିନଙ୍କୁ ରାଷ୍ଟ୍ରପତି ଟ୍ରମ୍ପ ଭେଟିବା କାର୍ଯ୍ୟକ୍ରମ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ୟୁକ୍ରେନ ସହ ରୁଷ ଯୁଦ୍ଧ ବନ୍ଦ ନକରେ ତେବେ ସେଥିଲାଗି ରୁଷକୁ ଅତି ଗମ୍ଭୀର ପରିଣାମ ଭୋଗିବାକୁ ପଡିବ। ବୁଧବାର ଦିନ କେନେଡି ସେଣ୍ଟରରେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ ଏହି ବିବୃତି ରଖିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ରୁଷ ଯୁଦ୍ଧ ବନ୍ଦ କରିବାକୁ ରାଜି ନ ହୁଏ ତେବେ ତା’ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରୁଷ ଉପରେ ଆମେରିକା ଜାରି କରିଥିବା ଟାରିଫକୁ ବୃଦ୍ଧି କରିବ ଆମେରିକା। ଅଧିକ ଟାରିଫ ସହ ପ୍ରତିବନ୍ଧକ ଲାଗୁ କରାଯିବ। ଆସନ୍ତାକାଲି ଦୁଇ ସୁପରପାୱାରେ ଆଲାସ୍କାରେ ଆଲୋଚନା କରିବେ। ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଥାବାର୍ତ୍ତା। ୟୁକ୍ରେନ ଯୁଦ୍ଧର ଅବସାନ ପ୍ରସଙ୍ଗରେ ଦୁଇ ନେତା କରିବେ ଆଲୋଚନା। ଆସନ୍ତାକାଲି ହେବାକୁ ଥିବା କଥାବାର୍ତ୍ତା ଉପରେ ସାରା ବିଶ୍ବର ରହିଛି ନଜର। ଅସ୍ତ୍ରବିରତି ସମ୍ପର୍କରେ ବିଭିନ୍ନ ପକ୍ଷ ସହମତ ହେଉଛନ୍ତି ବୋଲି କହିଛନ୍ତି ଟ୍ରମ୍ପ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ବି ଅସ୍ତ୍ରବିରତି ପ୍ରସଙ୍ଗରେ ରାଜି ଥିବା କୁହାଯାଉଛି। ଏହି କଥାବାର୍ତ୍ତା ଉଭୟ ରୁଷ ଓ ୟୁକ୍ରେନ ମଧ୍ୟରେ କିଛି ଅଞ୍ଚଳକୁ ଦିଆନିଆ କରାଯାଇପାରେ ବୋଲି ଜଣାଯାଇଛି।
ଦିଲ୍ଲୀ ଏନସିଆରରେ ବୁଲାକୁକୁରଙ୍କୁ ବନ୍ଧ୍ୟାକରଣ ପ୍ରସଙ୍ଗ: ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ
ଦିଲ୍ଲୀ ଏନସିଆରରେ ବୁଲାକୁକୁରଙ୍କୁ ବନ୍ଧ୍ୟାକରଣ ପ୍ରସଙ୍ଗ। ବୁଲା କୁକୁର ମାମଲାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟଙ୍କ ବୃହତ୍ତର ବେଂଚ। ମାମଲାରେ ତିନି ଜଣିଆ ଖଣ୍ଡପୀଠ ଆଜି ଶୁଣାଣି କରିବେ। ନିଜଆଡୁ ଏହି ପ୍ରସଙ୍ଗରେ ରୁଜୁ ହୋଇଥିବା ନୂତନ ଆବେଦନ ସମେତ ଚାରିଟି ଆବେଦନର ଶୁଣାଣି କରିବେ ସ୍ୱତନ୍ତ୍ର ଖଣ୍ଡପୀଠ। କୁକୁରମାନଙ୍କୁ ପୋଷ୍ୟଭାବେ ଗ୍ରହଣ କରିବାକୁ ଅନୁମତି ଦିଆଯାଇଛି କିନ୍ତୁ ପୁନଃ ଛାଡ଼ି ଦିଆଯିବ ନାହିଁ। ଉଲ୍ଲଂଘନ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି। ପୂର୍ବରୁ ଏକ ଭିନ୍ନ ଖଣ୍ଡପୀଠ ଦ୍ୱାରା ଶୁଣାଣି କରାଯାଉଥିବା ଏହି ମାମଲା ଏବେ ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଏବଂ ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଦ୍ୱାରା ବିଚାର କରାଯିବ। ଯେଉଁ ବିଚାରପତିମାନେ ପୂର୍ବୁର ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦେଇଛନ୍ତି ସେମାନେ ଏ ଖଣ୍ଡପୀଠର ଅଂଶ ନୁହଁନ୍ତି।
ଏହି ସ୍ୱତନ୍ତ୍ର ଖଣ୍ଡପୀଠ ବୁଲା କୁକୁର ସମସ୍ୟା ସହିତ ଜଡିତ ଅନେକ ଆବେଦନର ଶୁଣାଣି କରିବେ। ଗତ ସୋମବାର ଦିନ ଦିଲ୍ଲୀ ଏନସିଆରର ବିଭିନ୍ନ ସଂଗଠନକୁ ତୁରନ୍ତ ବୁଲା କୁକୁରମାନଙ୍କୁ ଧରି ବନ୍ଧ୍ୟାକରଣ କରିବା ଏବଂ ସେମାନଙ୍କୁ ସ୍ଥାୟୀ ଭାବରେ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇ, ଦିଲ୍ଲୀ ସରକାର, ଦିଲ୍ଲୀ ନଗର ନିଗମ, NDMC ଏବଂ ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଏବଂ ଫରିଦାବାଦର ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ୮ ସପ୍ତାହ ମଧ୍ୟରେ ଜାତୀୟ ରାଜଧାନୀ ଅଞ୍ଚଳରେ ଏପରି ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କୁକୁର ଆଶ୍ରୟସ୍ଥଳ ତିଆରି କରିବା ସହ ଏ ନେଇ କୋର୍ଟକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଶ୍ରୟସ୍ଥଳଗୁଡ଼ିକରେ ବୁଲା କୁକୁରମାନଙ୍କୁ ବନ୍ଧ୍ୟାକରଣ ଏବଂ ଟୀକାକରଣ କରିବା, ରାସ୍ତା, କଲୋନୀ କିମ୍ବା ସାର୍ବଜନୀନ ସ୍ଥାନରେ ନଛାଡି ର ଯତ୍ନ ନେବା ପାଇଁ ପର୍ଯ୍ୟାପ୍ତ କର୍ମଚାରୀ ମୁତୟନ କରିବାକୁ କହିଥିଲେ ସର୍ବୋଚ୍ଚ ଅଦାଲତ। ସମସ୍ତ ଆଶ୍ରୟସ୍ଥଳଗୁଡ଼ିକ ସିସିଟିଭି ଦ୍ୱାରା ମନିଟରିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଟ୍ରମ୍ପ ମଧ୍ୟରେ ହୋଇପାରେ ଆଲୋଚନା
ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ମାସରେ ଆମେରିକା ଯାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତିସଂଘ ସାଧାରଣ ଅଧିବେଶନରେ ମୋଦି ଯୋଗଦେବା ସମ୍ଭାବନା ରହିଛି। ଗସ୍ତବେଳେ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସହ ଦ୍ବିପାକ୍ଷିକ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିବା ସମ୍ଭାବନା ରହିଛି। ଟାରିଫ ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ଯରେ ବିବାଦ ଘନୀଭୂତ ହେଉଥିବାବେଳେ ଦୁଇ ନେତା ଏହାକୁ ପ୍ରଶମିତ କରିବା ଲାଗି ଆଲୋଚନା କରିବା ଆଶା ରହିଛି। ଏହି ଗସ୍ତବେଳେ ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ବି ସାକ୍ଷାତ କରିବା ଆଲୋଚନା ହେଉଛି। ଆସନ୍ତା ମାସରେ ନ୍ଯୁୟର୍କରେ ଜାତିସଂଘ ସାଧାରଣ ଅଧିବେଶନ ବସିବ। ଗତ ଫେବ୍ରୁଆରୀରେ ହ୍ବାଇଟହାଉସରେ ମୋଦି-ଟ୍ରମ୍ପ ଆଲୋଚନା ହୋଇଥିବାବେଳେ ଆସନ୍ତା ସେପ୍ଟେମ୍ବରରେ ଏହା ହେବ ଦୁଇ ନେତାଙ୍କ ମଧ୍ୟରେ ଦ୍ବିତୀୟ ଭେଟଘାଟ। ଗତ ଜୁନରେ ଗ୍ରୁପ ୭ ସମ୍ମିଳନୀରେ କାନାଡାରେ ଥିବାବେଳେ ୱାଶିଂଟନ ଗସ୍ତରେ ଯିବା ଲାଗି ମୋଦିଙ୍କୁ ଅନୁରୋଧ କରିଥିଲେ ଟ୍ରମ୍ପ। ଆମେରିକା ମାଟିରୁ ବିଶ୍ବ ସମୁଦାୟକୁ ପାକିସ୍ତାନ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ନାଲିଆଖି ପରିପ୍ରେକ୍ଷୀରେ ମୋଦିଙ୍କ ଗସ୍ତ ଗୁରୁତ୍ବ ବହନ କରିବ।
ନିଆଁରେ ପୋଡି ହୋଇ ଆଉ ଜଣେ ମହିଳା ଗୁରୁତର
ପିପିଲି : ପୁଣି ଜଳିଗଲେ ଜଣେ ମହିଳା। ପିପିଲିରେ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି ଜଣେ ମହିଳା। ପିପିଲି ଜୟପୁର ଛକ ନିକଟରେ ଥିବା ଭଡ଼ା ଘରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଆଜି ସଂଧ୍ୟାରେ ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆସିଥିଲେ ମହିଳା ଜଣକ। ମହିଳାଙ୍କ ଘର ପିପିଲି ଦରଜି ସାହିରେ ବୋଲି ଜଣାପଡ଼ିଛି। ସେ ଜୟପୁର ଚକ ନିକଟରେ ଥିବା ଭଡ଼ା ଘରେ ରହୁଥିଲେ। ପିପିଲି ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ମହିଳାଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ, ପୋଲିସ ଘଟଣାର ତଦନ୍ତ କରୁଛି।
୬ ବିଭାଗର ୭ ପ୍ରସ୍ତାବକୁ କ୍ୟାବିନେଟ ମୋହର
ଭୁବନେଶ୍ବର ; ୬ଟି ବିଭାଗର ୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର। ସମବାୟ ବିଭାଗର ହେବ ମଡେଲ ମଣ୍ଡି। ପ୍ରଥମ ପର୍ଯ୍ୟାୟରେ ୩୮ଟି ମଣ୍ଡିକୁ ଆଦର୍ଶ ମଣ୍ଡିରେ ପରିଣତ କରାଯିବ। ଏଥିପାଇଁ ଖର୍ଚ୍ଚ ହେବ ୩୦୦ କୋଟି ଟଙ୍କା। ଏହି ଆଦର୍ଶ ମଣ୍ଡିରେ ଗୋଦାମ, ଶୌଚାଳୟ, ଟ୍ରକ ପାର୍କିଂ ଆଦି ସୁବିଧା ରହିବ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ୬୮ଟି ମଣ୍ଡିକୁ ଆଦର୍ଶ ମଣ୍ଡି କରାଯିବ। ବିମାନ ସେବା କ୍ଷେତ୍ରରେ ଓଡ଼ିଶା ହେବ ଆଞ୍ଚଳିକ ହବ୍ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବିଶ୍ୱ ସ୍ତରୀୟ ରକ୍ଷଣା ବେକ୍ଷଣ ବ୍ୟବସ୍ଥା ସୃଷ୍ଟି ହେବ । ବିମାନ ରକ୍ଷଣ ବେକ୍ଷଣ ପାଇଁ ୪୦ ପ୍ରତିଶତ ସବସିଡିରେ ଜମି ଭଡ଼ାରେ ଦେବେ ସରକାର । ଏଥିପାଇଁ MS ଏୟାର ୱାର୍କସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କମ୍ପାନିକୁ ଚୟନ କରାଯାଇଛି। ସେହିପରି ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗରେ ସ୍ବତନ୍ତ୍ର ସଂଗ୍ରହାଳୟ ପାଇଁ ନିଯୁକ୍ତି ପାଇଁ ଗଠନ ହେବ କ୍ୟାଡର । ଯେଉଁଥିରେ ମୁଖ୍ୟ ରହିବେ ଅତିରିକ୍ତ ସଚିବ ପାହ୍ୟା ଅଧିକାରୀ । ରାଜ୍ୟରେ ୧୭ଟି ମ୍ୟୁଜିୟମ ଥିବା ବେଳେ ଆଗକୁ ୩୯ଟି ମ୍ୟୁଜିୟମ କରିବାକୁ ଯୋଜନା କରୁଛନ୍ତି ସରକାର । ୩୫୦ କୋଟି ବ୍ୟୟରେ ସହରାଞ୍ଚଳରେ ଏଲଇଡି ଲାଇଟ୍ ଲାଗିବ । ନୂଆ ଲାଇଟ ଲାଗିବା ସହ ପୁରୁଣା ଲାଇଟ ମରାମତି ହେବ । ଏହାଛଡ଼ା ସମ୍ବଲପୁର ସହରରେ ୩୮୨ କୋଟି ଟଙ୍କା ଖର୍ଚ୍ଚରେ ୨୪ ଘଣ୍ଟିଆ ପାଣି ମିଳିବ । ହୀରାକୁଦ ଡ୍ୟାମରୁ ଆସିବ ପାଣି । ସେହିପରି ରାଜ୍ୟରେ ୮ଟି ସରକାରୀ ନର୍ସିଂ କଲେଜ ସହ ୨୧ଟି ANM ସେଣ୍ଟର ଅଛି। ଏବେ ଆଉ ୭ଟି ନୂଆ ନର୍ସିଂ କଲେଜ ଖୋଲାଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ମୁହାଁମୁହିଁ ଅବସ୍ଥାରେ ଆନ୍ଦୋଳନକୁ ଓହ୍ଲାଇଥିବା ରାଜସ୍ବ ଅମଲା ସଂଘ ଓ ସରକାର
ନନ୍ଦିଘୋଷ ବ୍ୟୁରୋ : ୧୦ ଦଫା ଦାବିରେ ଆନ୍ଦୋଳନ କରୁଛନ୍ତି ଅମଲା ସଂଘ। ଜିଲ୍ଲା, ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ କାମ ଠପ। ହଇରାଣ ହରକତ ହେଉଛନ୍ତି ସାଧାରଣ ଲୋକ। ଆନ୍ଦୋଳନରତ ଅମଲା ମାନଙ୍କୁ ସରକାରଙ୍କ ଚେତାବନୀ। କାମ ନ କଲେ ଦରମା ବନ୍ଦ ହେବ ବୋଲି କହୁଛନ୍ତି ରାଜସ୍ବ ମନ୍ତ୍ରୀ। କ୍ୟାଡର ପୁନର୍ଗଠନ, ମୂଳ ଦରମାରେ ବୃଦ୍ଧି, ରାଜସ୍ବ ଅମଲାଙ୍କ ପାଇଁ ସ୍ୱତନ୍ତ୍ର କ୍ୟାଡର, ୨୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଭଳି ୧୦ଟି ଦାବି ରଖିଛନ୍ତି ରାଜସ୍ବ ଅମଲା ସଂଘ। ଦାବି ସହ ସ୍ବର ମିଳାଇଛି ଅମଲା ସଂଘ, ହେଲେ ଆନ୍ଦୋଳନରେ ହୋଇନାହାନ୍ତି ସାମିଲ। ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ତହସିଲ, ବ୍ଲକ, ଜିଲ୍ଲା କାର୍ଯ୍ୟାଳୟରେ ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳିଛି।
ସେପଟେ ରାଜସ୍ବ ଅମଲା ସଂଘର ଆନ୍ଦୋଳନକୁ ନାପସନ୍ଦ କରିଛନ୍ତି ସରକାର। କାମ ନାହିଁ ତ ଦରମା ନାହିଁ ବୋଲି ରୋକଠୋକ କହିଛନ୍ତି ରାଜସ୍ବ ମନ୍ତ୍ରୀ। ଏ ବାବଦରେ ସରକାରଙ୍କ ନିଷ୍ପତ୍ତି ଏବେ ବି ବଳବତ୍ତର ରହିଛି। ଲୋକଙ୍କୁ ସେବା ଦେବା ପାଇଁ ସରକାର ଯେ କୌଣସି ସ୍ତରକୁ ଯାଇପାରନ୍ତି। ଆବଶ୍ୟକ ପଡ଼ିଲେ ରାଜସ୍ବ ଅମଲାଙ୍କ ବିନା ସରକାର ସେବା ପହଞ୍ଚାଇବାକୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ। କ୍ୟାଡର ପୁନର୍ଗଠନ ନିଷ୍ପତ୍ତି ରାଜସ୍ବ ବିଭାଗର ନୁହେଁ, ସାଧାରଣ ପ୍ରଶାସନ ବିଭାଗ ନେବ। ଏସବୁ ପାଇଁ ସମୟ ଲାଗିବ। ତେଣୁ ଅପେକ୍ଷା ନ କରି ଆନ୍ଦୋଳନକୁ ଓହ୍ଲାଇବା ଗ୍ରହଣୀୟ ନୁହେଁ ବୋଲି ରାଜସ୍ବ ମନ୍ତ୍ରୀ କହିବା ସହ ଆନ୍ଦୋଳନରୁ ଓହରିବାକୁ ଅପିଲ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ ଅଫିସ, ଆରଟିଓ, ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଅମଲା ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। ଯାହାର ଫଳ ସ୍ବରୂପ ସାଧାରଣ ଲୋକେ ସରକାରୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଦାବି ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

