spot_img
Home Blog Page 5065

ବାହାର ରାଜ୍ୟକୁ ଚାଲାଣ ବେଳେ ୪୨ ଦାଦନ ଶ୍ରମିକ ଉଦ୍ଧାର, ଦଲାଲ ଅଟକ

କଣ୍ଟାବାଞ୍ଜି: ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ ବେଳେ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୋଲିସ । ୪୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଟ୍ରେନ୍ ଯୋଗେ ରାଜ୍ୟ ବାହାରକୁ ଶ୍ରମିକମାନଙ୍କୁ ନେବା ପାଇଁ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ନେଉଥିଲା ଦଲାଲ । ପୋଲିସ କୌଣସି ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲା ।

Kantabanjhi Police Rescued 42 Labour

ଷ୍ଟେସନରୁ ୪୨ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଦଲାଲକୁ ଅଟକ ରଖିଛି ପୋଲିସ । ଉଦ୍ଧାର ଶ୍ରମିକ ଖପ୍ରାଖୋଲ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଶ୍ରମିକମାନଙ୍କୁ ୩ ଗୋଟି ବୋଲେରୋ ଗାଡ଼ିରେ ଷ୍ଟେସନ ନିଆ ଯାଉଥିବା ବେଳେ ଚଟୁଅନକା ଗାଁ ପାଖ ରାସ୍ତା ନିକଟରେ ପୋଲିସ ରେଡ୍ କରିଥିଲା ।

ଉଦ୍ଧାର ଶ୍ରମିକ ମାନେ ଖପ୍ରାଖୋଲ ଅଞ୍ଚଳର ଟେମରିମାଲ, ପାଇକମାଲ, ବାହାବଲ, ମହୁଲପଡା, ଜଲିଆବାହାଲ ଗାଁର । ଉଦ୍ଧାର ୪୨ ଜଣ ଶ୍ରମିକ ମାନଙ୍କ ମଧ୍ୟରେ ୨୪ ଜଣ ପୁରୁଷ, ୧୫ ଜଣ ମହିଳା ଓ ୩ ଜଣ ଶିଶୁ ଥିବା ଜଣାପଡ଼ିଛି ।

ଆତଙ୍କବାଦୀଙ୍କ ଧମକ: କାଶ୍ମୀର ଛାଡ଼, ନହେଲେ…

କାଶ୍ମୀର: ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ରାଜ୍ୟ ବାହାରର ଲୋକଙ୍କୁ କେବଳ ହତ୍ୟା କରୁନାହାନ୍ତି, ଘାଟି ଛାଡି ଚାଲିଯିବାକୁ ଧମକ ଦେଉଛନ୍ତି । ରବିବାର ଦକ୍ଷିଣ କାଶ୍ମୀରର କୁଲଗାମ୍ ଜିଲ୍ଲାରେ ବିହାରର ଦୁଇ ଜଣ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଲଶ୍କର ସଂଗଠନର ୟୁନାଇଟେଡ ଲିବରେସନ ଫ୍ରଣ୍ଟ ହତ୍ୟା ପାଇଁ ନିଜକୁ ଦାୟି କରିବା ସହ ବାହାର ରାଜ୍ୟର ଲୋକଙ୍କୁ ଘାଟି ଛାଡି ଚାଲିଯିବାକୁ ଧମକ ଦେଇଛି ।

ନିରୀହ ଲୋକଙ୍କୁ ହତ୍ୟା କରିବା ପରେ ଆତଙ୍କୀ ସଂଗଠନ ନୋଟିସ ଜାରି କରିଛି । ଏହି ଧମକପୂର୍ଣ୍ଣ ନୋଟିସରେ ପ୍ରବାସୀ ଶ୍ରମିକଙ୍କୁ ଘାଟି ଛାଡି ଚାଲିଯାଅ ନହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦିଆଯାଇଛି । ସେତିକି ନୁହେଁ ଜମ୍ମୁ ଓ କାଶ୍ମୀରର ନେତା ଏବଂ ପୋଲିସ କର୍ମଚାରୀଙ୍କ ପରିବାରକୁ ବି ଅାକ୍ରମଣ କରାଯିବାକୁ ଧମକ ଦେଇଛି ।

ସୂଚନାଯୋଗ୍ୟ, ସୁରକ୍ଷାବାହିନୀଙ୍କ ଆଣ୍ଟି ଟେରର୍ ଅପରେସନରେ ଆତଙ୍କବଦୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଏଥିପାଇଁ ସେମାନେ ନିରୀହ ଜନତାଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଛନ୍ତି ।

ରବିବାର ୟୁନାଇଟେଡ ଲିବରେସନ ଫ୍ରଣ୍ଟର ଆତଙ୍କୀ କୁଲଗାମ୍ ଜିଲ୍ଲାରେ ବିହାରର ଦୁଇ ଶ୍ରମିକଙ୍କ ଘରେ ପଶି ସେମାନଙ୍କୁ ହତ୍ୟା କରିଥିଲେ । ମୃତକମାନେ ହେଲେ ରାଜା ଏବଂ ଜୋଗେନ୍ଦର । ଅାକ୍ରମଣରେ ଚୁନଚୁନ ଦେବ ନାମକ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ।

ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ୨୩ ଘଣ୍ଟା ଧରି ଭିଜିଲାନ୍ସ ରେଡ୍, ସମ୍ପର୍କୀୟଙ୍କ ଘରୁ ୨୦ ଲକ୍ଷ ଜବତ

ଭୁବନେଶ୍ୱର: ଖୋଲୁଛି ପ୍ରଦୀପଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଲମ୍ବା ତାଲିକା । ଗତକାଲି ଭିଜିଲାନ୍ସ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘର ସମେତ ତାଙ୍କ ସହଯୋଗୀ ଓ ସମ୍ପର୍କୀୟ ଏଭଳି ୧୫ଟି ରେଡ୍ କରିଥିଲା । ଦୀର୍ଘ ୨୩ ଘଣ୍ଟା ଧରି ପ୍ରଦୀପଙ୍କ ଘରେ ଛାନଭିନ୍ କରିଛି ଭିଜିଲାନ୍ସ ଟିମ୍ ।

DA Assets Case, Vigilance Raid In Gopalpur MLA Pradeep Panigrahi's 15 Location

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିବା ଚଢ଼ାଉ ବେଳେ, ପ୍ରଦୀପଙ୍କ ଜଣେ ସହଯୋଗୀଙ୍କ ନିକଟରୁ ମିଳିଛି ୨୦ ଲକ୍ଷ ଟଙ୍କା । ଏହି ଟଙ୍କା କାହାର ଓ ଉତ୍ସ କଣ ତାହାର ତଦନ୍ତ କରୁଛି ଭିଜିଲାନ୍ସ । ପ୍ରଦୀପ ପାଣିଗ୍ରାହୀଙ୍କର ଜମିକିଣା କାଗଜପତ୍ର, ଗାଡ଼ି ଓ ସୁନା କିଣା କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ବ୍ୟାଙ୍କ ପାସ୍‌ବୁକ, କ୍ରେଡିଟ ଓ ଡେବିଟ କାର୍ଡ, ଲାପଟପ୍ ଓ ମୋବାଇଲ୍ ଜବତ କରାଯାଇଛି ।

DA Assets Case, Vigilance Raid In Gopalpur MLA Pradeep Panigrahi's 15 Location

ଚଢ଼ାଉ ବେଳେ ବାସଭବନରେ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଶାଶୂ, ଝିଅ, ଝିଆରୀ, ପୁତୁରା ଉପସ୍ଥିତ ଥିଲେ । ଗତକାଲି ସକାଳ ୭ଟାରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଆରମ୍ଭ ହୋଇଥିଲା । ଆଜି ସକାଳ ସାଢେ ୬ଟାରେ ସରିଛି ଚଢାଉ । ଏକକାଳୀନ ୧୫ଟି ସ୍ଥାନରେ ୨୦ ଅଫିସରଙ୍କୁ ନେଇ ଗଠିତ ଟିମ୍ ଚଢ଼ାଉ କରିଥିଲା ।

https://youtu.be/ObCzksmj2kA

ଶ୍ରୀକ୍ଷେତ୍ରରେ ଭାସୁଛି ବିରାଟ ପଥର, ରାମ ସେତୁ ଶିଳା ହୋଇଥିବା ଅନୁମାନ

ପୁରୀ: ପାଣିରେ ଭାସୁଛି ପଥର । ଗୋଷାଣୀ ବିସର୍ଜନ ବେଳେ ମହୋଦଧୀରୁ ମିଳିଛି ଏମିତି ଏକ ପଥର । ଯାହା ପାଣିରେ ପକାଇଲେ ବୁଡୁନି, ବରଂ ଭାସୁଛି । ଏ ଦୃଶ୍ୟ ପୁରୀ ମାର୍କଣ୍ଡ ପୁଷ୍କରିଣୀର । ଏତେ ବଡ଼ ପଥର  ପାଣିରେ ପକାଇବା ପରେ ବି ଭାସୁଛି । ଗତକାଲି ପୁରୀରେ ଗୋଷାଣୀ ଉତ୍ସବ ପରେ ପୂଜା ସାମଗ୍ରୀକୁ ସମୁଦ୍ରରେ ବିସର୍ଜନ କରାଯାଉଥିଲା । ଏହି ସମୟରେ ସମୁଦ୍ରରେ ଏକ ପଥର ଲହଡିରେ ମାଡ଼ ହେବା ସହ ଭାସୁଥିବା ଦେଖିବାକୁ ମିଳିଥିଲା ।

ଏହା ଦେଖି ପୁରୀର ସନ୍ତୋଷ କୁମାର ଜାଲି ଶ୍ରୀମନ୍ଦିର ସେବାୟତ ଶମ୍ଭୁ ଖୁଣ୍ଟିଆଙ୍କୁ ପଥରଟିକୁ ଦେଇଥିଲେ । ପରେ ପରୀକ୍ଷା ପାଇଁ ସେବାୟତ ଶମ୍ଭୁ ଖୁଣ୍ଟିଆ ପଥରଟିକୁ ମାର୍କଣ୍ଡ ପୁଷ୍କରିଣୀରେ ପକାଇ ଥିଲେ। ହେଲେ ପଥରଟି ବୁଡିବା ପରିବର୍ତ୍ତେ ଭାସିଥିଲା । ଭାସମାନ ପଥରକୁ ନେଇ ପୁରୀ ସହରରେ ଚର୍ଚ୍ଚା ହେଉଛି । ଏହା ତ୍ରେତୟା ଯୁଗର ଶ୍ରୀରାମଙ୍କ ଦ୍ଵାରା ନିର୍ମିତ ସେତୁ ବନ୍ଧର ଶିଳା ହୋଇଥାଇପାରେ ବୋଲି କୁହାଯାଉଛି । ତେବେ ପଥରଟି କାହିଁକି ପାଣିରେ ଭାସୁଛି ସେନେଇ ପରୀକ୍ଷା କରିବାକୁ ଦାବି ହୋଇଛି ।

ସରୁନି ପାଣିଗ୍ରାହୀଙ୍କ ବିସାବ, ସୁନା ପରଖୁଛି ବଣିଆ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ଚାଲିଛି ରେଡ୍ । ୨୦ ଜଣ ଅଫିସରଙ୍କୁ ନେଇ ଗଠିତ ଏକ ଟିମ୍ ଏହି ଚଢାଉ କରିଛି । ଘରୁ ଠାବ ହୋଇଥିବା ସୁନା ରୁପାର ଯାଞ୍ଚ ପାଇଁ ଏକ ବଣିଆକୁ ଡକାଯାଇଥିଲା । ସମସ୍ତ ସୁନା ରୁପାର ଓଜନ ମାପିଛି ବଣିଆ । ଏ ପର୍ଯ୍ୟନ୍ତ ପ୍ରଦୀପଙ୍କ ସରକାରୀ ବାସଭାବନରୁ କେତେ ଆୟବହିର୍ଭୁତ ସମ୍ପତି ମିଳିଛି ତାହା ସ୍ପଷ୍ଟ ହୋଇନାହିଁ ।

ଆଜି ଭିଜିଲାନ୍‌ସ ସ୍କାନରରେ ଥିଲେ ଗୋପାଳପୁର ବିଧାୟକ । ପ୍ରଦୀପ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ରେଡ୍‌ କରିଛି ଭିଜିଲାନ୍‌ସର ୧୫ଟି ଟିମ୍‌ ।  ପ୍ରଦୀପଙ୍କ ମୁଖ୍ୟ ସହଯୋଗୀ ସର୍ବେଶ୍ବର ରାଓ, ସିଟି କଲେଜର ପୂର୍ବତନ ଅଧ୍ୟକ୍ଷ କମ୍ବୁପାଣି ସାହୁ, ହରେକୃଷ୍ଣ ସାହୁ, ମଦନ ପାଣିଗ୍ରାହୀ, ଗୋବିନ୍ଦପୁରର ସୂର୍ଯ୍ୟ ସାହୁଙ୍କ ଘର ଏବଂ ଫାର୍ମ ହାଉସ୍, ପ୍ରଦୀପଙ୍କ ଡ୍ରାଇଭର ଉଜ୍ଜ୍ୱଳ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ ହୋଇଛି ।

ପ୍ରଦୀପ ପାଣିଗ୍ରାହୀଙ୍କ ୫ କୋଟି ୫ ଲକ୍ଷ ୪ ହଜାର ୬୫୬ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଥିବା କଥା ପୂର୍ବରୁ ଆକଳନ କରିଥିଲା ଭିଜିଲାନ୍‌ସ । ଆୟବର୍ହିଭୂତ ସମ୍ପତ୍ତି ଠୁଳ୬ ଅଭିଯୋଗର ଅଧିକ ତଦନ୍ତ କରିବା ପାଇଁ ଲୋକାୟୁକ୍ତ ନିର୍ଦ୍ଦେଶ ପରେ ଆଉ ଏକ ମାମଲା ରୁଜୁ କରି ଚଢ଼ାଉ କରୁଛି ଭିଜିଲାନ୍‌ସ ।

କୃଷି ଆଇନ ଓ ଲଖିମପୁର ହତ୍ୟା ପାଇଁ ୬ ଘଣ୍ଟିଆ ରେଳ ରୋକ

ନୂଆଦିଲ୍ଲୀ:  ସୋମବାର ରେଳ ରୋକ ଆନ୍ଦୋଳନ । ୬ ଘଣ୍ଟିଆ ରେଳ ରୋକ ପାଇଁ ଡାକରା ଦେଇଛି ଚାଷୀ ସଙ୍ଗଠନ । ଭାରତୀୟ କିଷାନ ୟୁନିୟନ ଏହି ଡାକରା ଦେଇଥିବାବେଳେ ଏହାକୁ ସଫଳ କରିବା ପାଇଁ ସମସ୍ତ ଚାଷୀ ସଙ୍ଗଠନକୁ ଆହ୍ବାନ ଦିଆଯାଇଛି । ସମସ୍ତ ଚାଷୀ ନେତା ୬ ଘଣ୍ଟା ପାଇଁ ରେଲଓ୍ବେ ଷ୍ଟେସନରେ ରେଳ ରୋକିବା ପାଇଁ ଅପିଲ୍ କରିଛି ଭାରତୀୟ କିଷାନ ୟୁନିୟନ ।

ତିନି କୃଷି ଆଇନ୍ ପ୍ରତ୍ୟାହାର, ଏମଏସପିରେ ଫସଲ କିଣିବାର ଗ୍ୟାରେଣ୍ଟି ଓ ୟୁପି ଲଖିମପୁର ଚାଷୀ ହତ୍ୟାକାଣ୍ଡକୁ ନେଇ ଏହି ରେଳ ରୋକ ଡାକରା ଦିଆଯାଇଛି । ଚାଷୀ ସଙ୍ଗଠନର ରେଳ ରୋକ ଡାକରାକୁ ଅନେକ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ତିନି କୃଷି ଆଇନ୍ ବିରୋଧରେ ଦୀର୍ଘ ଦିନ ଧରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । କେନ୍ଦ୍ର ସରକାର ଆଇନ୍ ପ୍ରତ୍ୟାହାର କରିବା ପାଇଁ ଦାବି ଜୋର ଧରିଥିବାବେଳେ ୟୁପି, ପଞ୍ଜାବ, ହରିୟାଣାରେ ଚାଷୀ ସଙ୍ଗଠନ ମହାପଞ୍ଚାୟତ କରି ନିଜର ଦାବି ରଖୁଛନ୍ତି ।

ବିଜେପି ବିରୋଧରେ ବଡ଼ ଶକ୍ତି, ଉତ୍ତରପ୍ରଦେଶରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଆସନ୍ତା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ଚେହେରା ହେବେ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି । ଦଳ ବାରମ୍ବାର ପ୍ରତ୍ୟାକ୍ଷିତ ହେବା ପରେ ପ୍ରିୟଙ୍କାକୁ ପ୍ରାର୍ଥୀ କରିବା ନେଇ ଅନ୍ଦର ମହଲରେ ଆଲୋଚନା ହୋଇଛି । ତେଣୁ ଆସନ୍ତା ନିର୍ବାଚନରେ କଂଗ୍ରେସ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ ହେବାନେଇ ସୂଚନା ଦେଇଛନ୍ତି ପ୍ରଚାର କମିଟି ମୁଖ୍ୟ ପି.ଏଲ. ପୁନିଆ । ସେ କହିଛନ୍ତି ଉତ୍ତରପ୍ରଦେଶରେ ସବୁଠାରୁ ଜନପ୍ରିୟ ଚେହେରା ହେଉଛନ୍ତି ପ୍ରିୟଙ୍କା ।

ଉତ୍ତରପ୍ରଦେଶ ଲାଗି କଂଗ୍ରେସ ପକ୍ଷରୁ ଘୋଷିତ ୨୦ ସଦସ୍ୟ ବିଶିଷ୍ଟ ନେତୃତ୍ବମଣ୍ଡଳୀର ମୁଖ୍ୟ ଥିବା ପୁନିଆ କହିଛନ୍ତି- ରାଜ୍ୟରେ ବିଜେପିର ମୁକାବିଲା ଲାଗି ପ୍ରିୟଙ୍କାଙ୍କ ନେତୃତ୍ବରେ କଂଗ୍ରେସ ଭଲ କରିବ । କଂଗ୍ରେସ ସାଧାରଣତଃ ବିରଳ ଭାବେ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନିର୍ବାଚନ ପୂର୍ବରୁ ଘୋଷଣା କରିଥାଏ ଯାହାକି ୟୁପି କ୍ଷେତ୍ରରେ ପରିଲିକ୍ଷିତ ହୋଇଛି ।

ରାଜ୍ୟରେ ସିଧାସଳଖ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେଇ ହେବ । ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ଯଥେଷ୍ଟ ପଛରେ ପଡିଥିବାରୁ କଂଗ୍ରେସ ବିଶେଷ ଲାଭବାନ ହେବ ବୋଲି ପୁନିଆ କହିଛନ୍ତି । ଲଖିମପୁର ଖେରି ହିଂସା ଘଟଣାରେ ପ୍ରିୟଙ୍କା ତୁରନ୍ତ ଘଟଣାସ୍ଥଳକୁ ଯାଇ ସ୍ଥିତିର ସମୀକ୍ଷା କରିଥିଲେ ବୋଲି ସେ କହିଛନ୍ତି । କଂଗ୍ରେସର ଚେହେରା ଭାବେ ଉତ୍ତରପ୍ରଦେଶ ବାସୀ ପ୍ରିୟଙ୍କାକୁ ଦେଖିବାକୁ ଚାହୁଛନ୍ତି  । ତେଣୁ ପ୍ରିୟଙ୍କା ହିଁ ଉତ୍ତରପ୍ରଦେଶର ଚେହେରା ବୋଲି କହିଛନ୍ତି ପ୍ରଚାର କମିଟି ମୁଖ୍ୟ ପି.ଏଲ. ପୁନିଆ ।

ପୁଣି ସୋନିଆଙ୍କୁ ପତ୍ର ଲେଖିଲେ ସିଦ୍ଧୁ, ଚାରି ପୃଷ୍ଠା କାଗଜରେ ଲେଖିଲେ ଏମିତି…

ନୂଆଦିଲ୍ଲୀ: ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧିଙ୍କୁ ପୁଣି ପତ୍ର ଲେଖିଲେ ପଞ୍ଜାବ ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ । ବାରମ୍ବାର ମତ ବଦଳାଇବା ସହ ନିଷ୍ପତ୍ତି ପରିବର୍ତ୍ତନ କରୁଥିବା ସିଦ୍ଧୁ ଚାରି ପୃଷ୍ଠାର ଏକ ଲମ୍ବା ପତ୍ର ସୋନିଆଙ୍କ ନିକଟକୁ ପଠାଇଛନ୍ତି । ପଞ୍ଜାବ ସରକାର କେଉଁ କେଉଁ କ୍ଷେତ୍ରକୁ ଅଗ୍ରାଧିକାର ଦେବେ ସେସବୁ ପ୍ରସଙ୍ଗରେ ଏଥିରେ ସେ ଉଲ୍ଲେଖ କରିଛନ୍ତି । ରାଜ୍ୟରେ କଂଗ୍ରେସର ପୁର୍ନଜୀବନ ଲାଗି ଏହା ଶେଷ ସୁଯୋଗ ବୋଲି ସେ ଦର୍ଶାଇଛନ୍ତି ।

ସେ କହିଛନ୍ତି- ରାଜ୍ୟବାସୀଙ୍କ ଆଶା, ସ୍ବାର୍ଥକୁ ବିଚାରକୁ ନେଇ ସେ ଏହି ପତ୍ର ଲେଖିଛନ୍ତି । ସଂଗଠନର ଦାୟିତ୍ବ ତାଙ୍କୁ ଦିଆଯାଉଥିବାରୁ ଏହି ବିଷୟଗୁଡିକ ପ୍ରତି ଗୁରୁତ୍ବ ଦେବା ଲାଗି ସେ ସୋନିଆଙ୍କୁ ଅନୁରୋଧ କରିଛନ୍ତି । ଧର୍ମଗ୍ରନ୍ଥକୁ ଅବମାନନା ଘଟଣାରେ ନ୍ୟାୟ, ଡ୍ରଗ୍ସ ବିପତ୍ତି, କୃଷି ସମସ୍ୟା, ନିଯୁକ୍ତି ସୃଷ୍ଟି, ବାଲି ଉତ୍ତୋଳନ, ପଛୁଆ ବର୍ଗର ଉତଥାନ, ମଦ ଉପରେ କଟକଣା, ମହିଳା ଓ ଯୁବ ସଶକ୍ତିକରଣ ଆଦି ଉପରେ ଗୁରୁତ୍ବ ଦେବା ସହ ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ସେ ସୋନିଆଙ୍କୁ ଅନୁରୋଧ କରିଛନ୍ତି ।

ହରିୟାଣାରୁ ଆରେଷ୍ଟ ଯୁବରାଜ ସିଂହ, ୟୁଜବେନ୍ଦ୍ର ଚହଲଙ୍କୁ ଏମିତି କହିବାରୁ ହୋଇଥିଲା ମାମଲା

ଚଣ୍ଡୀଗଡ଼: ହରିୟାଣାରୁ ଆରେଷ୍ଟ ହେଲେ କ୍ରିକେଟର ଯୁବରାଜ ସିଂ  । ଜାତିଆଣ ମନ୍ତବ୍ୟ ଦେଇ ବିବାଦରେ ଥିଲେ ପୂର୍ବତନ କ୍ରିକେଟର  । ହରିୟାଣାର ହିସାର ଜିଲ୍ଲାରେ ୟୁବିଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । କିଛି ବର୍ଷ ତଳେ ରୋହିତ୍ ଶର୍ମାଙ୍କ ସହ ଲାଇଭ୍ ଚାଟ୍ ବେଳେ ୟୁଜବେନ୍ଦ୍ର ଚହଲଙ୍କୁ କଟାକ୍ଷ କରିବା ସହ ତାଙ୍କ ଜାତିକୁ ନେଅ ଆକ୍ଷେପ କରିଥିଲେ ଯୁବରାଜ  ।  ମିଳିଥିବା ସୂଚନା ମୁତାବକ ହରିୟାଣାର ହାଂସୀ ପୁଲିସ ଯୁବରାଜଙ୍କ ଗିରଫ କରିଛି  ।  ପରେ ପୋଲିସ ତାଙ୍କୁ ପଚରାଉଚରା କରିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଯୁବରାଜ ସିଂହଙ୍କୁ ଔପଚାରିକ ଜାମିନରେ ଛାଡ଼ି ଦିଆଯାଇଥିବା ଜଣାପଡିଛି ।

ଜାତିଆଣ ଆକ୍ଷେପ ମାମଲାରେ କିଛି ଦିନ ତଳେ ହାଇକୋର୍ଟ ଯୁବରାଜ ସିଂହଙ୍କୁ ଆଗୁଆ ଜାମିନ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ହାଂସୀ ପୁଲିସ୍ ତାଙ୍କୁ ଔପଚାରିକ ଭାବେ ଗିରଫ କରିଥିଲା। ପୁଲିସ୍ ତାଙ୍କୁ କିଛି ପ୍ରଶ୍ନ ପଚାରିଥିଲା ଏବଂ ପରେ ଆଗୁଆ ଜାମିନର ଡକ୍ୟୁମେଣ୍ଟ ଆଧାରରେ ତାଙ୍କୁ ଛାଡ଼ି ଦେଇଛି। କ୍ରିକେଟର ଚହଲଙ୍କ ଜାତିକୁ ନେଇ ଦେଇଥିବା ଆପତିଜନକ ମନ୍ତବ୍ୟ ଏବେ ମହଙ୍ଗା ପଡ଼ିଛି ଅଲରାଉଣ୍ଡର ତଥା ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପ୍ରତି  । ଏହାକୁ ନେଇ ସୋସିଆଲ ଆକ୍ଟିଭିଷ୍ଟ ରଜତ କଲସନ୍ ପୁଲିସରେ ଅଭିଯୋଗ କରିଥିଲେ  ।

ଅଭିଯୋଗ ପରେ ପୋଲିସ ଏହି ଆଧାରରେ ଏକ ମାମଲା ରୁଜୁ କରିଥିଲା  ।   ଅନୁସୂଚିତ ଜାତି ସମାଜ ବିରୋଧରେ ଆପତ୍ତିଜନକ ଶବ୍ଦର ପ୍ରୟୋଗ କରିବା ନେଇ ମାମଲାରେ ଦର୍ଶାଯାଇଥିଲା । ସେପଟେ ଏନେଇ ମାମଲାକୁ ଖାରଜ କରିବା ପାଇଁ ଯୁବରାଜ ସିଂହ ହାଇକୋର୍ଟରେ ଆବେଦନ କରିଥିଲେ। ଯେଉଁ ଆଧାରରେ ହାଇକୋର୍ଟ ଯୁବରାଜଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଥିଲେ । ଆଜି ଗିରଫ ପରେ ପୋଲିସ  ପୂର୍ବ ଜାମିନ ଆଧାରରେ ଛାଡ଼ି ଦେଇଥିବା ଜଣାପଡ଼ିଛି  ।

 

ଆକାଶରୁ ଖସିଲା ମୃତ୍ୟୁର ବଜ୍ରାଘାତ, ଆଖି ବୁଜିଲେ ୨୨ ନିରୀହ ପଶୁ

ଗଜପତି: ବଜ୍ରାଘାତରେ ୨୨ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି । ମହେନ୍ଦ୍ରଗିରି ଶିଖରରେ ଅପରାହ୍ନରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମହେନ୍ଦ୍ରଗିରିର କୁନ୍ତୀ ମନ୍ଦିର ନିକଟରେ ଲାବାନ୍ୟଗଡ ଅଞ୍ଚଳର ୧୬ ଟି ମହିଁଷି ଓ ୬ ଟି ଗାଇ ପାହାଡ଼ ଉପରେ ତରୁ ଥିବା ବେଳେ ବଜ୍ରପାତ ହୋଇଥିଲା। ତେବେ ଘଟଣାସ୍ଥଳରେ ଏକସଙ୍ଗେ ୨୨ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି।

ସେପଟେ ଏଭଳି ଖବର ପାଇ କଇଁପୁର ରାଜସ୍ଵ ନିରିକ୍ଷକ, ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପହଞ୍ଚି କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ଏଭଳି ଏକ କାଳରୂପୀ ବଜ୍ରାଘାତ ସଭିଙ୍କୁ ଚକିତ କରିଛି  । କେଉଁ କେଉଁ ବ୍ୟକ୍ତିଙ୍କର ଏହି ଗୃହପାଳିତ ପଶୁ  । ତାହାର ମଧ୍ୟ ତାଲିକା ପ୍ରସ୍ତୁତ କତରାଯାଉଛି  । କ୍ଷୟକ୍ଷତି ଦେବା ନେଇ ମଧ୍ୟ ରାଜସ୍ୱ ନିରିକ୍ଷକ ଆଲୋଚନା କରିଥିବା ଜଣାପଡ଼ିଛି  ।