spot_img
Home Blog Page 5191

ସୁନା କିଣିବା ପାଇଁ ପୁଣି ମିଳିଲା ସୁଯୋଗ, ଜାଣନ୍ତୁ କେତେ କମିଲା ସୁନା ଦର

0

ନୂଆଦିଲ୍ଲୀ: ଆଜି ସକାଳେ ଦେଶର ପ୍ରମୁଖ ସହରଗୁଡ଼ିକରେ ସୁନା ଓ ରୂପା କାରବାର ଆରମ୍ଭ ହୋଇଛି । ଦେଶର ଅଧିକାଂଶ ସହରରେ ସୁନା ଓ ରୂପା ଦାମରେ ପାର୍ଥକ୍ୟ ରହିଛି ।  ଆଜି MCX ରେ ଏବଂ ଆନ୍ତର୍ଜାତୀୟ ବଜାରରେ ସୁନା ବୃଦ୍ଧି ସହିତ କାରବାର ଆରମ୍ଭ ହୋଇଛି । ତଥାପି, MCX ଏବଂ ଆନ୍ତର୍ଜାତୀୟ ବଜାର ଦର ଟିକସ ବିନା, ତେଣୁ ଘରୋଇ ବଜାରରେ ହାରରେ ପାର୍ଥକ୍ୟ ରହିଛି ।

ଜାଣନ୍ତୁ ସୁନା ଓ ରୂପାର ଦାମ

ଇଣ୍ଡିଆନ୍ ବୁଲିଅନ୍ ଜୁଏଲର୍ସ ଆସୋସିଏସନର ୱେବସାଇଟରେ ସୁନା ଗୁରୁବାର ଦିନ ୧୦ ଗ୍ରାମ ପ୍ରତି ୧୯୩ ଟଙ୍କା ଶସ୍ତା ହୋଇ ଦଶ ଗ୍ରାମରେ ୪୭୧୫୯ ଟଙ୍କାରେ ବନ୍ଦ ହୋଇଯାଇଛି । ଅନ୍ୟପକ୍ଷରେ, ଶୁକ୍ରବାର ଦିନ ଗଣେଶ ପୂଜା ଏବଂ ଶନିବାର, ରବିବାର ଛୁଟିଦିନ ହେତୁ ଏହି ସାଇଟରେ ଦର ଅପଡେଟ୍ ହୋଇନାହିଁ । ତେଣୁ, ଗୁରୁବାର ଦିନ ସୁନା ଏହାର ସର୍ବକାଳୀନ ଦାମରୁ ୧୦ଗ୍ରାମ ପିଛା ପ୍ରାୟ ୯,୧୯୦ଟଙ୍କା ଶସ୍ତା ହୋଇଛି । ଅଗଷ୍ଟ ୨୦୨୦ ରେ ସୁନା ଏହାର ସର୍ବକାଳୀନ ବୃଦ୍ଧି ହାସଲ କରିଥିଲା । ସେତେବେଳେ ସୁନା ଦଶ ଗ୍ରାମ ପିଛା ୫୬,୨୦୦ଟଙ୍କା ଥିଲା। ଅନ୍ୟପକ୍ଷରେ, ରୂପା ହାର ଗୁରୁବାର କିଲୋଗ୍ରାମରେ ୬୪୦୬୭ ଟଙ୍କା ରହିଛି ।

ସେହିପରି ଭୁବନେଶ୍ୱରେ ଆଜି ସକାଳେ ସୁନା ଏବଂ ରୂପାର ମୂଲ୍ୟ ଥିଲା, ୨୨ କ୍ୟାରେଟ ସୁନାର ଦାମ ୪୪୩୯୦ ଟଙ୍କା: ୨୪ କ୍ୟାରେଟ ସୁନାର ଦାମ ୪୮୨୯୦ ଟଙ୍କା । ରୂପାର ଦାମ- ୬୪୨୦୦ ଟଙ୍କା  ।

ଜାଣନ୍ତୁ ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ କେତେ ରହିଛି

ଅନ୍ତର୍ଜାତୀୟ ବଜାରରେ ସୁନା ହ୍ରାସ ହୋଇ ଶନିବାର କାରବାର ବନ୍ଦ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ସୁନା କାରବାର ୬.୪୭ ଡଲାରରେ ହ୍ରାସ ହୋଇ ୧,୭୮୭.୭୮ ଡଲାରରେ ପହଞ୍ଚିଛି । ଅନ୍ୟ ପଟେ ରୂପା କାରବାର ୦.୩୦ ଡଲାର ହ୍ରାସ ପାଇ ୨୩.୭୪ ଡଲାରରେ ବନ୍ଦ ହୋଇଥିଲା ।

ରାଜ୍ୟରେ କରୋନା ସ୍ଥିତି ଭଲ ଥିଲେ ମଧ୍ୟ ଆଶ୍ୱସ୍ତ ହେବାନାହିଁ, କେତେବେଳେ ବି ସଂକ୍ରମଣ ବଢ଼ିପାରେ

ଭୁବନେଶ୍ୱର: ଦେଶରେ ଏଣ୍ଡେମିକ୍ ଆଡ଼କୁ ଯାଉଛି ପାଣ୍ଡେମିକ୍। ଏନେଇ ୧୦ ଦିନ ଆଗରୁ W.H.O ରିପୋର୍ଟ ଦେଇସାରିଛି। ହୁ’ର ରିପୋର୍ଟକୁ ଗ୍ରହଣ କରିବାକୁ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। କିନ୍ତୁ ଏହା ଶତ ପ୍ରତିଶତ ନିଶ୍ଚିନ୍ତ ନୁହନ୍ତି ବୋଲି ସେ କହିଛନ୍ତି। ତେବେ ପ୍ରତି ମଡେଲର ଅପ୍ ଡାଉନ୍ ଅଛି। ଏ କ୍ଷେତ୍ରରେ ବି ହୋଇପାରେ ସେହିଭଳି ଅପ୍‌ ଡାଉନ ହେଉଥିବ। କରୋନା କମୁଥିବାରୁ ଏବେ ଆମେ ଆଶ୍ୱସ୍ତ ହେବା ନାହିଁ।

କାରଣ ଏବେ ସମ୍ପୂର୍ଣ୍ଣ ଭାବରେ କରୋନା ସଂକ୍ରମଣରୁ ରାଜ୍ୟ ଓହରିନାହିଁ। ତେବେ ଏବେ ମଧ୍ୟ କଟକଣାକୁ ମାନି ଚଳିବାକୁ ହେବ। ଲକ୍ଷଣ ଆସିଲେ ଡାକ୍ତରଖାନା ଯିବା ପାଇଁ ଲୋକଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି। ସେପଟେ କେରଳରେ କରୋନା ସଂକ୍ରମଣ ବଢି ଚାଲିଥିଲା, ଏବେ କମୁଛି। ସେହିପରି ବର୍ତ୍ତମାନ ମହାରାଷ୍ଟ୍ରରେ ବଢୁଛି, ପରେ କମିବ। ତେଣୁ ସେହି ମଡେଲ ଦେଖିଲେ ଆମେ ଢିଲା ହେବା ଉଚିତ ନୁହେଁ।

ଯଦିଓ ଆମେ ଭଲ ସ୍ଥିତିରେ ଅଛୁ, ଆମର ପଜିଟିଭିଟି ରେଟ୍ କମ୍ ଅଛି। ହସପିଟାଲାଇଜେସନ ହାର କମ୍ ଅଛି। ହେଲେ ବିପଦ ଦୂର ହୋଇନାହିଁ। ଆମ ରାଜ୍ୟରେ କେବେ ବି ସଂକ୍ରମଣ ବଢ଼ିପାରେ ତାହା କହିହେବ ନାହିଁ। ତେଣୁ କଟକଣା ଆମ ରାଜ୍ୟରେ ଚାଲୁ ରହିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

UAEର ୧୪ ହୋଟେଲର ୭୫୦ ଷ୍ଟାଫଙ୍କ ଶେଷ ହେଲା କୋଭିଡ ଟେଷ୍ଟ, IPL ସମୟରେ ହେବ ମୋଟ୍ ୩୦ ହଜାର ଟେଷ୍ଟ

ଦୁବାଇ: ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟକୁ କରୋନାରୁ ବଞ୍ଚାଇବାକୁ ବିସିସିଆଇ ଖୁବ ଚେଷ୍ଟା କରୁଛି । ଲିଗ୍ ସମୟରେ ୟୁଏଇର ଭିପିଏସ୍ ହେଲଥ କେୟାର ଜରୁରୀକାଳୀନ ମେଡିକାଲ୍ ସର୍ଭିସ୍, ସ୍ପୋର୍ଟସ୍ ମେଡିସିନ୍ ସପୋର୍ଟ, ସ୍ପେଶାଲିଷ୍ଟ ଟେଲି କନ୍ସଲଟେସନ୍, ଡକ୍ଟର ଅନ୍ କଲ୍, ଆମ୍ବୁଲାନ୍ସ, ଏୟାର ଆମ୍ବୁଲାନ୍ସ ଭଳି ସେବା ପାଇଁ ସହଭାଗୀ ହୋଇଛି।

ଔଷଧ ଏବଂ କୋଭିଡ -19 ପରିଚାଳନା ପାଇଁ ଏକ ୧୦୦ ଜଣିଆ ସଦସ୍ୟ ଦଳ ଗଠନ କରାଯାଇଛି, ଯାହା ଖେଳାଳିମାନଙ୍କୁ ସାହାଯ୍ୟ କରିବେ । ଡାକ୍ତର, ନର୍ସ, ପାରାମେଡିକ୍ସ ଏବଂ ଲ୍ୟାବ ଟେକ୍ନିସିଆନଙ୍କୁ ନେଇ ପ୍ରତ୍ୟେକ ମ୍ୟାଚ୍ ପାଇଁ ଷ୍ଟାଡିୟମରେ ଦୁଇଟି ଡାକ୍ତରୀ ଦଳ ଉପଲବ୍ଧ ହେବ।

କମ୍ ମ୍ୟାଚ କିନ୍ତୁ ଟେଷ୍ଟ ଅଧିକ

ଦ୍ୱିତୀୟ ପର୍ଯ୍ୟାୟରେ କମ୍ ମ୍ୟାଚ୍ ଥିବା ସତ୍ତ୍ୱେ ଅଧିକ କୋଭିଡ୍ ଟେଷ୍ଟ ହେବ । ଖେଳାଳିମାନେ ୟୁଏଇରେ ପହଞ୍ଚିବା ପୂର୍ବରୁ ଦୁବାଇ ଏବଂ ଆବୁଧାବିର ୧୪ ହୋଟେଲରେ ୭୫୦ରୁ ଅଧିକ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଇଥିଲା। ନୂତନ କୋଭିଡ ପ୍ରୋଟୋକଲ ଅନୁଯାୟୀ ସମସ୍ତ ତୃତୀୟ ଦିନରେ ସମସ୍ତ ଖେଳାଳି ଏବଂ ଅଧିକାରୀଙ୍କ କୋଭିଡ ଟେଷ୍ଟ । ଟୁର୍ନାମେଣ୍ଟ ସମୟରେ ୩୦ ହଜାର ଥର କରୋନା ଟେଷ୍ଟ ହେବା ନେଇ ସୂଚନା ମିଳିଛି । ଏଥିସହ, ସୁରକ୍ଷିତ ବାୟୋ-ବୁବୁଲ୍ସ ପାଇଁ ନର୍ସ ଏବଂ ଅନ୍ୟାନ୍ୟ ଡାକ୍ତରୀ କର୍ମଚାରୀଙ୍କୁ ସେହି ୧୪ ହୋଟେଲରେ ସ୍ଥାନିତ କରାଯାଇଛି ଯେଉଁଠାରେ ଖେଳାଳିମାନେ ଲିଗ୍ ଶେଷ ପର୍ଯ୍ୟନ୍ତ ରହୁଛନ୍ତି ।

ଭିପିଏସ୍ ହେଲଥ କେୟାରର ସିଇଓ ଡ. ଶାଜିର ଗଫାର କହିଛନ୍ତି, ‘ଆମ ଦଳ ଆଇପିଏଲ ସମୟରେ ଚିକିତ୍ସା ସୁବିଧା ଯୋଗାଇବାକୁ ପ୍ରସ୍ତୁତ ରହିଛି। ସମଗ୍ର ଟୁର୍ନାମେଣ୍ଟରେ ଏକ ସୁରକ୍ଷିତ ପରିବେଶ ଯୋଗାଇବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ । ମହାମାରୀ ସମୟରେ ଉଚ୍ଚ-ପ୍ରୋଫାଇଲ୍ କ୍ରୀଡା ଇଭେଣ୍ଟରେ ୟୁଏଇର ଭଲ ଷ୍ଟ୍ରାଇକ୍ ହାର ରହିଛି । ଆଇପିଏଲ୍ ପରେ ଟି-୨୦ ବିଶ୍ୱକପ୍ ମଧ୍ୟ ଅଛି । ଆଶାକରେ ଏହା ୟୁଏଇକୁ ଏକ ସୁରକ୍ଷିତ ବିଶ୍ୱସ୍ତରୀୟ କ୍ରୀଡ଼ା ଗନ୍ତବ୍ୟସ୍ଥଳ ଭାବରେ ଉଭା କରିବାରେ ସାହାଯ୍ୟ କରିବ ।’

୨୦୧୯ ପରେ ପ୍ରଥମ ଥର ପାଇଁ ଷ୍ଟାଡିୟମ ଭିତରେ ଫ୍ୟାନ୍ସଙ୍କ ଉପସ୍ଥିତି

ସୀମିତ ସଂଖ୍ୟକ ଫ୍ୟାନ୍ସଙ୍କୁ ଆଇପିଏଲ ପାଇଁ ଷ୍ଟାଡିୟମକୁ ଯିବାକୁ ଅନୁମତି ଦିଆଯାଇଛି । ବହୁ ପ୍ରତୀକ୍ଷିତ ଟି-୨୦ ଲିଗର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ରୁ ୟୁଏଇର ଦୁବାଇ, ଆବୁଧାବି ଏବଂ ଶାରଜାଠାରେ ଖେଳାଯିବ । ପ୍ରଥମ ମ୍ୟାଚ୍ ଦୁବାଇରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ।

୨୦୧୯ ପରେ ପ୍ରଥମ ଥର ପାଇଁ ପ୍ରଶଂସକଙ୍କ ଉପସ୍ଥିତିରେ ଲିଗ୍ ମ୍ୟାଚ୍ ଖେଳାଯିବ । ତେବେ କେତେ ପ୍ରତିଶତ ପ୍ରଶଂସକ ଷ୍ଟାଡିୟମରେ ପ୍ରବେଶ କରିବେ ସେ ନେଇ ଲିଗ୍‌ର ଆୟୋଜକମାନେ କିଛି ସୂଚନା ଦେଇନାହାନ୍ତି । କିନ୍ତୁ ସୂଚନାନୁସାରେ ଷ୍ଟାଡିୟମର କ୍ଷମତାର ୫୦ ପ୍ରତିଶତ ପ୍ରଶଂସକଙ୍କୁ ଏଣ୍ଟ୍ରି ଦିଆଯିବ ।

ବାଇଡେନଙ୍କୁ ଟ୍ରମ୍ପଙ୍କ ଟାର୍ଗେଟ, କହିଲେ ୨୦୨୪ରେ ଭୁସୁଡ଼ିଯିବ ଆମେରିକା

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଟାର୍ଗେଟ୍ କରିଛନ୍ତି । ଆଗାମୀ ନିର୍ବାଚନ ପୂର୍ବରୁ ଦେଶର ଅସ୍ତିତ୍ୱ ରହିବନି ବୋଲି ସେ କହିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ଗତ ୮ ମାସରେ ଦେଶ ରସାତଳଗାମୀ ହୋଇଛି । ଆମେରିକାର ଏପରି ସ୍ଥିତି କେହି କଳ୍ପନା ମଧ୍ୟ କରିନଥିଲେ । ଆଉ ୩ ବର୍ଷ ପରେ ଦେଶର ଅବସ୍ଥା ଶୋଚନୀୟ ହୋଇ ପଡିବ । ୨୦୨୨ ଓ ୨୦୨୪ରେ ନିର୍ବାଚନ ଅନୁଷ୍ଠିତ ହେବ । ସେହି ସମୟରେ ଦେଶର ଆଉ ପୂର୍ବଭଳି ନଥିବ । ଏହାସହ ୨୦୨୦ ନିର୍ବାଚନରେ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିଲା ବୋଲି ସେ କହିଛନ୍ତି ।

ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢିବା ପ୍ରସଙ୍ଗରେ ଟ୍ରମ୍ପ କହିଛନ୍ତି ଯେ, ସେ ଏବେ ଏନେଇ କିଛି କହିପାରିବେ ନାହିଁ । ଯଦି ସେ ନିର୍ବାଚନ ଲଢନ୍ତି ତେବେ ବହୁତ ଖୁସିର କଥା ହେବ । ଆମେରିକାକୁ ଭଲ ପାଉଥିବା ସମସ୍ତେ ଏପରି ହେଲେ ଖୁସି ହେବେ ବୋଲି ସେ କହିଛନ୍ତି । ଏନେଇ ସେ ଅତିଶୀଘ୍ର ନିଷ୍ପତ୍ତି ନେବେ । ସେ ରାଷ୍ଟ୍ରପତି ହେଲେ ପୁଣିଥରେ ଦେଶକୁ ବିକାଶ ଦିଗରେ ନେବେ ।

ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ଫେରସ୍ତକୁ ନେଇ ଟ୍ରମ୍ପ ବାଇଡେନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଏହାସହ ସେ ଆଫଗାନଙ୍କ ମାନବାଧିକାର ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ସାରା ବିଶ୍ୱ ଆମେରିକା ଉପରେ ହସୁଥିବା ସେ କହିଛନ୍ତି ।  ଏତତ୍ ବ୍ୟତୀତ ବାଇଡେନଙ୍କ ବୁଦ୍ଧି ନାହିଁ ଓ ସେ ବୋକା ବୋଲି ଟ୍ରମ୍ପ କହିଛନ୍ତି ।

ଇତିହାସ ରଚିଲା ସ୍ପେସ୍ ଟୁରିଜିମ୍, ୪ ସାଧାରଣ ନାଗରିକଙ୍କୁ ୩ ଦିନ ପାଇଁ ମହାକାଶ ପଠାଇଲା SpaceX

ନ୍ୟୁୟର୍କ: ବିଶିଷ୍ଟ ବ୍ୟବସାୟୀ ଏଲଟ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ପ୍ରଥମ ଅଲ୍ ସିଭିଲିଆନ୍ କ୍ରୁ ବୁଧବାର ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । କମ୍ପାନୀ ପ୍ରଥମ ଥର ୪ ଜଣ ସାଧାରଣ ନାଗରିକଙ୍କୁ ମହାକାଶ ପଠାଇଛି । ଏହି ମିଶନକୁ ଇନସ୍ପେରିସନ-୪ ନାଁ ଦିଆଯାଇଛି ।

ଏହା ହେଉଛି ପୃଥିବୀର କକ୍ଷ ପଥକୁ ଯାଇଥିବା ପ୍ରଥମ ନନ୍ ପ୍ରଫେସନାଲ ଆଷ୍ଟ୍ରୋନଟ୍ସ କ୍ରୁ ବା ସାଧାରଣ ନାଗରିକଙ୍କ ଏକ ଟିମ୍ । ଏହି ୪ ଜଣ ମହାକାଶ ଯାତ୍ରୀ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ୧୬୦ କିମି ଉଚ୍ଚ କକ୍ଷରେ ପରିକ୍ରମା କରି ୩ ଦିନ ବିତାଇବେ । ଏହାପରେ ସ୍ପେସ କ୍ରାଫ୍ଟ ବା ମହାକାଶ ଯାନ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ ଓ ଫ୍ଲୋରିଡାରେ ଅବତରଣ କରିବ ।

ସ୍ପେସ୍ ଏକ୍ସର ଏହି ମିଶନର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ୩୮ ବର୍ଷୀୟ ଇସାକମେନ୍ ନେଇଥିଲେ । ସେ ହେଉଛନ୍ତି ଇସାକମେନ୍ ପେମେଣ୍ଟ କମ୍ପାନୀର ସଂସ୍ଥାପକ ଓ ସିଇଓ । ସେ ମାତ୍ର ୧୬ ବର୍ଷ ବୟସରେ କମ୍ପାନୀ ଆରମ୍ବ କରିଥିଲେ । ସେ ପ୍ରଥମ ଥର ପାଇଁ ସ୍ପେସଏକ୍ସରେ କାମ କରୁଛନ୍ତି । ଏହାପୂର୍ବରୁ ସେ ବ୍ଲୁ ଅରିଜିନ୍ ଓ ଭର୍ଜିନ୍ ସ୍ପେସରେ କାମ କରିସାରିଛନ୍ତି ।

ଯେଉଁ ନାଗରିକମାନେ ମହାକାଶ ଯାତ୍ରା କରିଛନ୍ତି ସେମାନଙ୍କ ମଧ୍ୟରେ ଇସାକମେନ୍ ଅଛନ୍ତି । ତାଙ୍କ ସହ ୨୯ ବର୍ଷୀୟ ହେୟଲୀ ଆର୍କେନୋ, ୫୧ ବର୍ଷୀୟ ସନ୍ ପ୍ରୋକ୍ଟର ଓ ପାଇଲଟ୍ କ୍ରିସ୍ ସିମ୍ବ୍ରୋସ୍କି ମଧ୍ୟ ରହିଛନ୍ତି ।

ସୂଚନାଯୋଗ୍ୟ, ମହାକାଶ ଯାନ ନାସା ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିଲା ।  ଏହା ହବଲ୍ ସ୍ପେସ୍ ଟେଲିସ୍କୋପଠୁ ଆଉ କିଛି ଦୂର ଯାତ୍ରା କରିବ ବୋଲି ସୂଚନା ମିଳିଛି।

ବିଭିନ୍ନ ନଦୀରେ ବଢ଼ିବାକୁ ଲାଗିଛି ଜଳସ୍ତର, ଫଳରେ ଫସଲ ନଷ୍ଟ ହେବା ସହ ବୁଡ଼ୁଛି ଘରଦ୍ୱାର

ଭୁବନେଶ୍ୱର: ଉପରମୁଣ୍ଡରେ ପ୍ରବଳ ବର୍ଷା ପାଇଁ ରାଜ୍ୟର ବିଭିନ୍ନ ନଦୀରେ ବୃଦ୍ଧି ପାଇଛି ଜଳସ୍ତର। ଫଳରେ କିଛି ମାତ୍ରାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ବିଭିନ୍ନ ଗାଁ ମାନଙ୍କରେ ପାଣି ପଶିଯାଇଥିବା ବେଳେ ଘର ମଧ୍ୟ ବର୍ଷାରେ ଭାଙ୍ଗି ପଡ଼ିଛି। ଯେଉଁଥିପାଇଁ ଲୋକେ ନିଜ ଗାଁ ଠାରୁ ବିଚ୍ଛିନ୍ନ ହୋଇଛନ୍ତି।

ସୁବର୍ଣ୍ଣପୁରରେ ମହାନଦୀ ତାର କରାଳ ରୂପ ଦେଖାଇବା ଆରମ୍ଭ କରିଛି। ହୀରାକୁଦ ଡ୍ୟାମରୁ ୨୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ, ସୁବର୍ଣ୍ଣପୁରରେ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମହାନଦୀର ଦୁଇ କୂଳ ଲଙ୍ଘି ପାଣି ଚାଲୁଥିବା ବେଳେ ତଳିଆ ଅଞ୍ଚଳରେ ବନ୍ୟାଜଳ ପଶିବାରେ ଲାଗିଛି। ଜିଲ୍ଲାର ଉଲୁଣ୍ଡା ବ୍ଲକ ମୁଣ୍ଡୋଘାଟ, ବିଜେପୁର, ଭଜ୍ୱଳପୁର ଆଦି ଗାଁରେ ଶହ ଶହ ଏକର ଚାଷଜମି ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ସେପଟେ ସୋନପୁର ବୀରମହାରାଜପୁରକୁ ସଂଯୋଗ କରୁଥିବା ବାଇପାସ ରାସ୍ତା ମୁଣ୍ଡୋଘାଟରେ ଥିବା କୁଲଥି ଯୋର ବ୍ରିଜ ଉପରେ ୩ ଫୁଟର ପାଣି ଚାଲୁଛି। ଫଳରେ ମୁଣ୍ଡୋଘାଟରୁ ହିକୁଡି ଆଦି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମହାନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ତଳିଆ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ସେହିପରି ରାଉରକେଲା ସହରର ପାନପୋଷ ନିକଟରେ ଥିବା ପଲପଲ ବସ୍ତି ଓ ବାଲୁଘାଟ ବସ୍ତିରେ ପ୍ରବେଶ କରିଛି ବ୍ରାହ୍ମଣୀ ନଦୀର ବନ୍ୟାଜଳ। ଦୁଇ ବସ୍ତିରେ ଥିବା ୪୦ରୁ ଅଧିକ ଘର ବନ୍ୟା ଜଳ ଘେରରେ ରହିଛି। ଦୁଇ ବସ୍ତିରେ ବନ୍ୟା ଜଳ ପ୍ରବେଶ କରିବା ପରେ ବସ୍ତି ବାସିନ୍ଦା ଭୟଭୀତ ହୋଇ ପଡିଛନ୍ତି। ବନ୍ୟା ଜଳ ବସ୍ତିରେ ପ୍ରବେଶ କରିବା ପରେ ବସ୍ତି ବାସିନ୍ଦାଙ୍କୁ ନିକଟସ୍ଥ ସ୍କୁଲ ଘରକୁ ସ୍ଥାନାନ୍ତରିତ କରାଯାଉଛି। ରାଉରକେଲା ମହାନଗର ନିଗମ ପଷରୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି। ତଳିଆ ଅଞ୍ଚଳରେ ଥିବା ଏହି ଦୁଇ ବସ୍ତିରେ ବର୍ଷାଜଳ ପ୍ରତିବର୍ଷ ପ୍ରବେଶ କରୁଥିବାରୁ ସ୍ଥାୟୀ ସମାଧାନ ପାଇଁ ବସ୍ତି ବାସିନ୍ଦା ଦାବି କରିଛନ୍ତି।

ସେପଟେ ଲଗାଣ ବର୍ଷା ଯୋଗୁଁ ଆନନ୍ଦପୁରରେ ସତର୍କ ସଙ୍କେତ ଟପିଲା ବୈତରଣୀ। ଏଠାରେ ସତର୍କ ସଙ୍କେତ ୩୭.୪୫ ମିଟର ଥିବା ବେଳେ, ବର୍ତ୍ତମାନ ନଦୀର ଜଳସ୍ତର ୩୭.୭୮ ମିଟର ରହିଛି। ଦୁଇ ଦିନ ଧରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ନଦୀ ଜଳ ପତନ ବୃଦ୍ଧି ପାଇଥିଲେ ମଧ୍ୟ କୌଣସି ସ୍ଥାନରୁ କ୍ଷୟକ୍ଷତିର ସୂଚନା ମିଳିନାହିଁ। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଛି।

ବୌଦ୍ଧ ଜିଲ୍ଲାର ତେଲନଦୀ, ବାଘନଦୀ ଓ ସାଲୁଙ୍କି ନଦୀରେ ମଧ୍ୟ ବନ୍ୟା। ଏହି ତିନି ନଦୀର ପନ୍ୟା ଜଳ ମହାନଦୀରେ ମିଶିବା ପରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ହୀରାକୁଦ ଜଳଭଣ୍ଡାରରୁ ୨୪ଟି ଗେଟରୁ ଛଡାଯାଉଛି ବନ୍ୟାଜଳ। ଏବେ ଧୀରେ ଧୀରେ ଫୁଲୁଛି ମହାନଦୀ। ତଳିଆ ଅଞ୍ଚଳ ହରଭଙ୍ଗା ବ୍ଲକର ଅନେକ ଗାଁ ଏବେ ଜଳ ଘେରରେ ରହିଛନ୍ତି। ସେହିପରି ଜଗନ୍ନାଥ ସଡକର ବିଭିନ୍ନ ସ୍ଥାନରେ ୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେବାରୁ ଯାତାୟାତ ସମ୍ପୂର୍ଣ୍ଣ ବଧାପ୍ରାପ୍ତ ହୋଇଛି। ପ୍ରଶାସନ ପକ୍ଷରୁ ଡ଼ଙ୍ଗା ଓ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖି ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ଥା କରାଯାଉଛି।

ସେହିପରି ବଢ଼ିବାରେ ଲାଗିଛି ବୈତରଣୀ ନଦୀର ଜଳସ୍ତର। ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ୧୮.୩୧ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଅନ୍ୟପଟେ ବୈତରଣୀର ବନ୍ୟାରେ ଧାମନଗର, ଭଣ୍ଡାରିପୋଖରୀ ବ୍ଲକର ତଳି ଅଞ୍ଚଳରେ ପାଣି ପଶିବା ସହିତ ହେକ୍ଟର ହେକ୍ଟର ଚାଷ ଜମି ବୁଡି ରହିଛି।

ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକ ମହାନଦୀ କୂଲିଆ ଗାଁ ଚିଖିଲି, ଅନ୍ତରାଡି, ବେନିଆପାଲୀ, ଘୁଘୁରାପାଲୀ ଓ ବଡମାଲରେ ବନ୍ୟାପାଣି ପଶିବା ଆଶଙ୍କା। ବିଶେଷ କରି ଚିଖିଲିରେ ଶହଶହ ଏକର ଧାନ ଫସଲ ବୁଡି ରହିଛି। ପ୍ରବଳ ବର୍ଷା ଓ ଛତିଶଗଡ ଅଞ୍ଚଳରେ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢିବା ସାଙ୍ଗେ ସାଙ୍ଗେ ହୀରାକୁଦ ନଦୀବନ୍ଧ ର ପଛୁଆ ପାଣିରେ ଏହି ଗ୍ରାମ ଗୁଡିକ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି। ଏବେ ମଧ୍ୟ ବନ୍ୟାପାଣି ବଢୁଥିବାରୁ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଉଥିବା ସୂଚନା ରହିଛି।

ପଟ୍ଟାମୁଣ୍ଡାଇ ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି। ବ୍ରାହ୍ମଣୀ ଓ ତାର ଶାଖା ନଦୀ କାଣୀ ନଦୀରେ ଜଳ ସ୍ତର ବଢିବାରୁ ପଟ୍ଟାମୁଣ୍ଡାଇ ଧୋୟା ଅଞ୍ଚଳର ୧୩ଟି ପଞ୍ଚାୟତ ସଂପୂଣ୍ଣ ପାଣି ଘେରରେ। ବ୍ଲକର ସବୁଠୁ ଅବହେଳିତ ପଞ୍ଚାୟତ ସିଂହ ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି। ପଟ୍ଟାମୁଣ୍ଡାଇ ଧୋୟା ଅଞ୍ଚଳର ବିଭିନ୍ନ ଜାଗାରେ ଘାଇ ହୋଇଥିବା ଦେଖିବାକୁ ମିଳିଛି। ଅନ୍ୟ ପଟେ ପଟ୍ଟାମୁଣ୍ଡାଇ ଓ ଆଳି ବ୍ଲକକୁ ସଂଯୋଗ କରୁଥିବା ଅମୃତ ମଣୋହି ଛକ ନିକଟରେ କଂକ୍ରିଟ ପୋଲ ଭାସି ଯାଇଥିବାବେଳେ ୨୦ ଫୁଟର ଘାଇ ହୋଇଥିବା ଦେଖିବାକୁ ମିଳିଛି। ୧୫ ରୁ ଉର୍ଦ୍ଧ ପରିବାର ପାଣି ଘେରରେ ରହିଛନ୍ତି ।

କଟକ ମହାନଦୀରେ ହ୍ରାସ ପାଉଛି ଜଳସ୍ତର, ଯାଣନ୍ତୁ କେଉଁ ନଦୀରେ କେତେ ଜଳସ୍ତର

କଟକ: ବର୍ଷା ପରେ ରାଜ୍ୟରେ ବଢୁଛି ବିଭିନ୍ନ ନଦୀର ଜଳସ୍ତର। ହେଲେ କଟକ ମହାନଦୀରେ ହ୍ରାସ ପାଉଛି ଜଳସ୍ତର। ବର୍ତ୍ତମାନ ମୁଣ୍ଡୁଳି ଉପର ଭାଗର ଜଳସ୍ତର ୮୮.୯୦ ମିଟର ଥିବା ବେଳେ, ନିମ୍ନ ଭାଗର ଜଳସ୍ତର ରହିଛି ୮୭ ମିଟର। ପ୍ରତି ସେକେଣ୍ଡକୁ ମୁଣ୍ଡୁଳିରୁ ୫ଲକ୍ଷ ୯୬ ହଜାର ୯୫୦ କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି ନରାଜରେ ଉପର ମୁଣ୍ଡରେ ୨୫.୨୦ ଓ ତଳମୁଣ୍ଡରେ ୨୨.୭୦ ମିଟର ଜଳସ୍ତର ରହିଛି।

ପ୍ରତି ଘଣ୍ଟାକୁ ୨ ଲକ୍ଷ ୯୫ ହଜାର ୬୭୬ କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେପଟେ ସୁବର୍ଣ୍ଣରେଖାରେ ଟପିଲା ସତର୍କ ସୂଚନା। ନଦୀରେ ସତର୍କ ସଙ୍କେତ ୯.୪୬ ମିଟର ଥିବା ବେଳେ ବର୍ତ୍ତମାନ ୯.୬୯ ମିଟରରେ ଜଳ ପ୍ରବାହିତ ହେଉଛି। ବିପଦ ସଂକେତ ୧୦.୩୬ ମିଟର ରହିଥିବା ବେଳେ ଲୋକଙ୍କ ଭୟ ବଢିବାରେ ଲାଗିଛି। ସେହିପରି ବୈତରଣୀ ଓ ଜଳକା ନଦୀର ଜଳସ୍ତର ବଢୁଛି।

ଆଖୁଆପଦାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ। ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଏବେ ବନ୍ୟାଜଳ ୧୮.୩୧ ମିଟର ଉପରେ ପ୍ରବାହିତ ହେଉଛି। ବୈତରଣୀ ବନ୍ୟାରେ ଧାମନଗର, ଭଣ୍ଡାରିପୋଖରୀ ବ୍ଲକର ତଳି ଅଞ୍ଚଳରେ ପାଣି ପଶିବା ସହ ହେକ୍ଟର ହେକ୍ଟର ଚାଷ ଜମି ବୁଡି ରହିଛି। ସେହିପରି ମଥାନିରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳଳାର ଜଳସ୍ତର। ଜଳକାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ପ୍ରବାହିତ ହେଉଛି ୬.୬୩ ମିଟର ରହିଛି।

ପିପିଲି ଉପନିର୍ବାଚନରେ ଡବଲ ଡୋଜ ଟିକାକୁ ବାଧ୍ୟତାମୂଳକ, ଭୋଟ ଗ୍ରହଣ ପାଇଁ ବୃଦ୍ଧି ହେଲା ୭୫ଟି ବୁଥ୍

ପିପିଲି: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ତଥାପି କଟକଣାରେ ରହିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ସବୁବେଳେ ପରାମର୍ଶ ଦେଉଛନ୍ତି। କାରଣ ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ତେବେ ଏହାରି ଭିତରେ ଆଗକୁ ହେବାକୁ ଯାଉଛି ପିପିଲିରେ ଉପନିର୍ବାଚନ। କୋଭିଡ କଟକଣାରେ ହେବ ପିପିଲି ଉପନିର୍ବାଚନ।

ଉପନିର୍ବାଚନ ସମୟରେ କୋଭିଡର ଦୁଇ ଡୋଜ୍ ଟିକା ନେଇଥିବା ଅଧିକାରୀ ଦାୟିତ୍ୱରେ ରହିବେ। ନିର୍ବାଚନରେ ଡବଲ ଡୋଜ ଟିକାକୁ ବାଧ୍ୟତାମୂଳକ କରାଯାଇଛି। ଅଧିକାରୀ ଡବଲ ଡୋଜ ନେଇଛନ୍ତି କି ନାହିଁ ସେନେଇ ଜିଲ୍ଲାପାଳ ତଦାରଖ କରିବେ। କୋଭିଡ କଟକଣାରେ ନିର୍ବାଚନ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେହିପରି ଏଥର ପିପିଲିରେ ୭୫ଟି ବୁଥ୍ ବୃଦ୍ଧି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ।

ଗାଇକୁ ଖୋଜିବାକୁ ଯାଇ ବାପା ପୁଅ ଭାସିଯାଇଥିଲେ, ଗୋଟିଏ ଦିନ ପରେ ଉଦ୍ଧାର ହେଲା ମୃତଦେହ

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିଆ ପଞ୍ଚାୟତରେ ବାପ ପୁଅ ଭାସିଯିବା ଘଟଣା। ଉଦ୍ଧାର ହେଲା ବାପପୁଅଙ୍କ ମୃତଦେହ। ମୃତକ ହେଲେ ଗଙ୍ଗାଧରପୁର ଗାଁର କିଶୋର ସିଂ ଓ ପୁଅ କୈଳାସ ସିଂ। ଗତକାଲି ଗାଈ ଆଣିବାକୁ ଯାଇଥିବା ବେଳେ ନଦୀରେ ଭାସିଯାଇଥିଲେ କିଶୋର ସିଂ। ଏହା ଦେଖି ପୁଅ ବାହାରିଥିଲା ବାପାଙ୍କୁ ବଞ୍ଚାଇବା ପାଇଁ।

ତେବେ ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ମଧ୍ୟ ଭାସି ଯାଇଥିଲେ। ବନ୍ୟା ପାଇଁ ନଦୀରେ ପ୍ରଖର ସ୍ରୋତ ଥିବାରୁ ଭାସିଯାଇଥିଲେ ବାପା ପୁଅ। ଖବର ପାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା ଓଡ୍ରାଫ୍ ଓ ଦମକଳ ବାହିନୀ। ଆଜି ସକାଳୁ ଗଙ୍ଗାଧରପୁର ଗାଁ ନିକଟରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ।

 

ଆଫଗାନ ପ୍ରସଙ୍ଗରେ ମୁହଁ ଖୋଲିଲେ ଇମ୍ରାନ ଖାଁ, କହିଲେ ତାଲିବାନ ସରକାର କଲେ ଗୃହଯୁଦ୍ଧ ନିଶ୍ଚିତ

କାବୁଲ: ଆଫଗାନିସ୍ତାନ ବ୍ୟାପାରରେ ମୁହଁ ଖୋଲିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। କହିଲେ ୧୯୮୯ରେ ଋଷ ଆଫଗାନିସ୍ତାନ ଛାଡିବା ପରେ ଯେପରି ରକ୍ତପାତ ସୃଷ୍ଟି ହୋଇଥିଲା, ଠିକ୍ ସେପରି ଆମେରିକା ଛାଡିବା ପରେ ସେହି ଅବସ୍ଥା ସୃଷ୍ଟି ହେବା ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି। ସମଗ୍ର ଆଫଗାନିସ୍ତାନକୁ ତାଲିବାନ ପରିଚାଳନା କରିପାରିବ ନାହିଁ। ଯଦି ସାମରିକ ଭାବେ ଏହା କରିବାକୁ ତାଲିବାନ ଉଦ୍ୟମ କରେ ତେବେ ଦେଶରେ ଗୃହଯୁଦ୍ଧ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

ତାଲିବାନ ଉପରେ ପାକିସ୍ତାନ ଚାପ ସୃଷ୍ଟି କରୁଛି ବୋଲି ହେଉଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଇମ୍ରାନ କହିଛନ୍ତି ଏକ ସଖୀ କଣ୍ଢେଇ ସରକାର ଜରିଆରେ ଆଫଗାନିସ୍ତାନ ଚାଲିପାରିବ ନାହିଁ। ଠିକ୍ ପଥରେ ଯିବା ଲାଗି ହିଁ ତାଲିବାନକୁ ପରାମର୍ଶ ଦିଆଯାଇପାରିବ। ଆଫଗାନିସ୍ତାନ ବ୍ୟାପାରରେ ପାକିସ୍ତାନ ହସ୍ତକ୍ଷେପ କରିବା ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା କପୋଳକଳ୍ପିତ। ଆଫଗାନିସ୍ତାନ ସରକାରରେ ହକାନି ନେଟଓ୍ୱର୍କକୁ ସାମିଲ କରିବା ଲାଗି ପାକିସ୍ତାନ ଚାପ ପକାଇଛି ବୋଲି ଯେଉଁ ଅଭିଯୋଗ ହେଉଛି ତାହା ବି ଭୁଲ।

ଦେଶରେ ମହିଳାଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ଯେଉଁ ଅଭିଯୋଗ ହେଉଛି ସେ ସମ୍ପର୍କରେ ଇମ୍ରାନ କହିଛନ୍ତି ଆଫଗାନିସ୍ତାନର ଭବିଷ୍ୟତ ନେଇ କେହି ବି କିଛି ପ୍ରାକ୍ ଅନୁମାନ କରିପାରିବେ ନାହିଁ । ଦେଶରେ ତାଲିବାନ ନିଜ ନୀତି ଅନୁସାରେ ମାନବିକ ଅଧିକାର ପରିଚାଳନା କରୁଛି। ୧୯୬୨ରୁ ୨୦୦୧ ଯାଏଁ ସେମାନେ ଆନ୍ତର୍ଜାତିକ ଗ୍ରହଣୀୟତା ଦିଗରେ ପଦକ୍ଷେପ ନେଇ ନଥିଲେ।

ସେମାନେ ବାହ୍ୟ ଶକ୍ତି ଦ୍ୱାରା ପରିଚାଳିତ ହୋଇପାରନ୍ତି ନାହିଁ ବୋଲି ଇତିହାସ କହୁଛି। ଦେଶରେ କୌଣସି ସଖୀ କଣ୍ଢେଇ ସରକାର ଲୋକଙ୍କ ଦ୍ୱାରା ମମର୍ଥିତ ନୁହଁନ୍ତି। ତେଣୁ କେବଳ ସରକାର ପରିଚାଳନା ଦିଗରେ ତାଲିବାନକୁ ପରାମର୍ଶ ଦିଆଯିବା ବ୍ୟତୀତ ଅନ୍ୟ କିଛି କରାଯାଇପାରିବ ନାହିଁ।