spot_img
Home Blog Page 5210

ରାଉରକେଲା ରେଲୱେ କଲୋନୀରେ ଗୁଳିମାଡ଼ ଘଟଣା: ସାମ୍ନାକୁ ଆସିଲା ଗୁଳିକାଣ୍ଡର ସିିସିଟିଭି ଫୁଟେଜ

ରାଉରକେଲା: ରାଉରକେଲା ରେଲୱେ କଲୋନୀରେ ଗୁଳିମାଡ଼ ଓ ମରଣାନ୍ତକ ଆକ୍ରମଣ ଘଟଣା । ସାମ୍ନାକୁ ଆସିଲା ଗୁଳିକାଣ୍ଡ ବେଳର ସିସିଟିଭି ଭିଡିଓ । ସେପଟେ ଗୁରୁତର ଆହତ ଜିତେନ୍ଦ୍ର ଓରଫ ଗୋରେ ସାହାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଯୁବକଙ୍କ ମାଉସୀ ଲଷ୍ମୀ ସାହା ଆହତ ହୋଇ ଇସ୍ପାତ ଜେନେରାଲ ‌ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହୋଇଛି ହତ୍ୟାକାଣ୍ଡ । ଦୁଇଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଆଶଙ୍କାରେ ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଆକ୍ରମଣରେ ୫ ଜଣ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିବା ବେଳେ ପ୍ଲାଣ୍ଟ ସାଇଟ ଥାନା ପୋଲିସ ପକ୍ଷରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ଖେଳ ଦେଖି ଫେରୁଥିଲେ ବୁଡିଗଲା ଡଙ୍ଗା, ୩ ବର୍ଷର ଶିଶୁକୁ ଖୋଜୁଛି ଓଡ୍ରାଫ୍ ଟିମ୍

ବଲାଙ୍ଗୀର: ବଲାଙ୍ଗୀର ତୁଷୁରା ଥାନା ଅଂଚଳ କେନ୍ଦୁଘାଟରେ ବୁଡିଗଲା ଡଙ୍ଗା  । ବୌଦ୍ଧ ଜିଲ୍ଲା କଣ୍ଟାମାଳଙ୍କୁ କିଛି ଲୋକ ସାନ୍ଧ୍ୟରେ ଡଙ୍ଗାରେ ପାର ହେଉଥିବା ବେଳେ ଘଟିଛି ଅଘଟଣ । ଭାରସାମ୍ୟ ହରାଇ ଫାସରେଡ଼ ନିକଟରେ ଡ଼ଙ୍ଗା ଓଲଟିପଡିଥିବା ନେଇ ସୂଚନା ମିଳିଛି  । ସବୁଠାରୁ ବଡ଼ କଥା ହେଉଛି ଏହି ଡଙ୍ଗାରେ ଥିବା ଏକ ୩ ବର୍ଷୀୟା ଶିଶୁ ନିଖୋଜ ରହିଛି  । ସେପଟେ ଘଟଣାସ୍ଥଳରେ ଦମକଳ ବାହିନୀ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ଶିଶୁଟି କୁ ଖୋଜିବା ଜାରି ରଖିଛନ୍ତି  ।

ସୂଚନା ମୁତାବକ ଦେଓଗାଁ ଅଂଚଳର ଏକ ଫୁଟବଲ ମ୍ୟାଚ ଦେଖି ଫେରୁଥିଲେ କିଛି ଲୋକ । କିନ୍ତୁ କଣ୍ଟାମାଳ ବ୍ଲକ କୁଲୁତାଜୋର ପଞ୍ଚାୟତ ଫାସେଡ଼ ଘାଟରେ  ଡ଼ଙ୍ଗାଟି ଭାରସମ୍ୟ ହରାଇ ବୁଡ଼ିବା ଆରମ୍ଭ କରିଥିଲା । ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ଘଟଣା ସ୍ଥଳରେ ପହଁଚି ୧୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି  । କିନ୍ତୁ ଶିଶୁଟି ନିଖୋଜ ରହିଥିବେଳେ ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରୁ ନାହିଁ  । ଅନ୍ୟପଟେ ଶିଶୁଟିର ପିତାଙ୍କ ହାତ ଏହି ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ଜଣାପଡିଛି  ।

ବାହାରିନ୍‌ରେ ବିଘ୍ନ ବିନାଶକଙ୍କ ଆରଧନା, କଟକଣାରେ ଗଣପତିଙ୍କ ପୂଜା ପାଳନ

ବାହାରିନ: ବାହାରିନ୍‌ରେ କୋଭିଡ୍-୧୯ ସବୁଜ କ୍ଷେତ୍ର କଟକଣା ସହିତ ଗଣେଶ ପୂଜା ପାଳିତ ହୋଇଯାଇଛି । ବାହାରିନ୍‌ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ଗଣେଶ ପୂଜା ପାଳନ କରାଯାଇଛି। ପୂଜା ସ୍ଥଳକୁ ପ୍ରବେଶ କରିବା ପୂର୍ବରୁ ସମସ୍ତ ଭକ୍ତଙ୍କର ତାପମାତ୍ରା ତଥା କୋଭିଡ ଟୀକାକରଣ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା । ଏଥିସହ ସମସ୍ତେ ସାନିଟାଇଜର୍ ବ୍ୟବହାର କରିଥିଲେ । କୋଭିଡ୍ କଟକଣା ଯୋଗୁଁ ଅଳ୍ପସଂଖ୍ୟକ ଭକ୍ତ ପୂଜାରେ ଉପସ୍ଥିତ ଥିଲେ। ଅନ୍ୟମାନେ ଜୁମ୍ ଓ୍ଵେବିନାର୍ ମାଧ୍ୟମରେ ପୂଜାରେ ସାମିଲ ହୋଇଥିଲେ।

ଡକ୍ଟର ଅରୁଣ କୁମାର ପ୍ରହରାଜ କୋଭିଡ୍‍-୧୯ ନିୟମାବଳୀକୁ ଗୁରୁତ୍ଵ ଦେଇ କହିଛନ୍ତି ଯେ, ଆମେ କୋଭିଡ୍ ନିୟମାବଳୀ ସହିତ କୌଣସି ସାଲିସ୍ ନକରି ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ ପୂର୍ବକ ଆମର ସାଂସ୍କୃତିକ ମୂଲ୍ୟବୋଧକୁ ବଞ୍ଚାଇବାକୁ ଚେଷ୍ଟା କରିଛୁ । ଡକ୍ଟର ପ୍ରହରାଜ ଆହୁରି ମଧ୍ୟ କହିଛନ୍ତି, “ବାହାରିନ୍‌ ହେଉଛି ପ୍ରେମ, ଶାନ୍ତି ଓ ସମନ୍ଵୟର ଦେଶ । ବାହାରିନ୍‌ ପରି ଏକ ଆଧୁନିକ, ଅଭିନବ ତଥା ପ୍ରଗତିଶୀଳ ରାଷ୍ଟ୍ରରେ ସମସ୍ତ ଧର୍ମର ଲୋକେ ଧାର୍ମିକ ସ୍ଵାଧୀନତା ଉପଭୋଗ କରନ୍ତି । ଏହି ସ୍ଵାଧୀନତା ବାହାରିନ୍‌ ପାଇଁ ବେଶ୍ ସ୍ଵତନ୍ତ୍ର ଏବଂ ଏହି ସ୍ଵାଧୀନତା ଉପରେ ବାହାରିନ୍‌ ରାଜାଙ୍କ ଆନ୍ତରିକ ବିଶ୍ଵାସ ଓ ପ୍ରତିବଦ୍ଧତା ପାଇଁ ଆମେ କୃତଜ୍ଞ।”

ଏହି ଉତ୍ସବରେ ଭାରତୀୟ ଦୂତାବାସ ପ୍ରତିନିଧି ଭାବରେ ସଚିବ ଶ୍ରୀ ରବି ଶଙ୍କର ଶୁକ୍ଳା ଉପସ୍ଥିତ ହେବା ସହିତ ଏହି ଭାରତୀୟ ପର୍ବ ପାଳନରେ ବହାରିନ ଓଡ଼ିଆ ସମାଜର ଉଦ୍ୟମକୁ ଗଭୀର ପ୍ରଶଂସା କରିଥିଲେ । ଉତ୍ସବରେ ଗଣେଶ ବନ୍ଦନା ଓ ଭଜନରେ ଆକର୍ଷଣୀୟ ନୃତ୍ୟ ସଂଗୀତ ପରିବେଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ନୃସିଂହ ଚରଣ ନାୟକ, ରମେଶ ପାଣିଗ୍ରାହୀ, ସ୍ନେହ ପାଣିଗ୍ରାହୀ, ଶୁଦ୍ଧେନ୍ଦୁ ଦାସ, ପ୍ରିୟା ଦାସ, ସୁବ୍ରତ ପଡ଼ପଣ୍ଡା, ତୃପ୍ତି ବଡ଼ପଣ୍ଡା, ସିଦ୍ଧାର୍ଥ, ଅଳକା, ଆନି, ହିମାଂଶୁ ଆଦି ସହଯୋଗ କରିଥିଲେ ।

ବଦଳିବ ଗଞ୍ଜାମ ରୂପ, ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ଶୁକ୍ରବାର ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ତାରାତାରିଣୀ ମନ୍ଦିର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମନ୍ଦିର ସୌନ୍ଦର୍ଯ୍ୟକରଣ ସହ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି । ଏହାସହ ଘଟକେଶ୍ୱର ବହୁମୁଖୀ ପ୍ରକଳ୍ପର ଅଗ୍ରଗତି କଲେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକର ଋଷିକୂଲ୍ୟା ନଦୀଶଯ୍ୟାରେ ନିର୍ମାଣ ହେଉଛି ଏହି ବହୁମୁଖୀ ପ୍ରକଳ୍ପ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବ୍ରହ୍ମପୁର, କୁକୁଡ଼ାଖଣ୍ଡି, ରଙ୍ଗେଇଲୁଣ୍ଡାବାସୀ ଉପକୃତ ହେବା ସହ ୩ ବ୍ଲକର ୭୫ହଜାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିବ । ୧୭୨ କୋଟି ବ୍ୟୟରେ ନିର୍ମିତ ହେଉଥିବା ପ୍ରକଳ୍ପ ଜୁଲାଇ ୨୦୨୨ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ସେହିଭଳି ଘଟକେଶ୍ବର ବହୁମୂଖୀ ପ୍ରକଳ୍ପ, ଟାଟା ୟୁନିଟ୍, କାଳେଶ୍ବର ମନ୍ଦିର, ମାଆ ତାରାତାରିଣୀ ମନ୍ଦିର ପ୍ରମୁଖ ସ୍ଥାନ ଗସ୍ଥ କରି ଉନ୍ନୟନ କାର୍ଯ୍ୟର କରିଥିଲେ ତଦାରଖ । ବ୍ରହ୍ମପୁର ସହରର ରାମଲିଙ୍ଗେଶ୍ୱର ପାର୍କରେ ଆୟୋଜିତ ସଭାରେ ଯୋଗଦେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ଜିଲ୍ଲାପାଳ, ମହାନଗର ନିଗମ କମିଶନର ପ୍ରମୁଖ ଉପସ୍ଥିତ ଥିଲେ ।

ଷ୍ଟିଲ ସିଟିରେ ଫାଏରିଂ, ଗୁରୁତର ଯୁବକ ହସ୍ପିଟାଲରେ ଭର୍ତ୍ତି

ରାଉରକେଲା: ରେଲୱେ କଲୋନୀ ନିକଟରେ ଜଣେ ଯୁଵକକୁ ଗୁଳିମାଡ । ଗୁଳିମାଡ଼ରେ ଯୁବକ ଗୁରୁତର । ଗୁରୁତର ଆହତ ଯୁବକ ଜିତେନ୍ଦ୍ର ଓରଫ ଗୋରେ ସାହା । ଚିକିତ୍ସା ପାଇଁ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯୁବକଙ୍କ ମାଉସୀ ଲଷ୍ମୀ ସାହା ମଧ୍ୟ ଆହତ ହୋଇଥିବା ଜଣାପଡିଛି । ସେପଟେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ପୂର୍ଵ ଶତୃତାରୁ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି ।

ଘଟଣା ବିଷୟରେ ଖବର ପାଇବା ପରେ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ଯୁବକଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଇସ୍ପାତ ଜେନେରାଲ ହସପିଟାଲରେ ଚାପା ଉତ୍ତେଜନା ଦେଖାଦେଇଛି । ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀ ଘଟଣା ସ୍ଥଳରେ  ଉପସ୍ଥିତ ରହିଥିବା ଜଣାପଡିଛି ।

ହୀରାଖଣ୍ଡ ଏକ୍ସପ୍ରେସରେ ଅତ୍ୟାଧୁନିକ ଜ୍ଞାନ କୌଶଳ, ଶ୍ରୀଗଣେଶ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଉଦ୍‌ଘାଟିତ ହେଲା ନୂଆ LHB Rake ଭୁବନେଶ୍ୱର – ଜଗଦଲପୁର ଭାୟା କୋରାପୁଟ ହୀରାଖଣ୍ଡ ଏକ୍ସପ୍ରେସ । ନୂଆଦିଲ୍ଲୀ ରେଳ ଭବନରେ ଉଦଘାଟିତ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୀରାଖଣ୍ଡ ଏକ୍ସପ୍ରେସକୁ ପତାକା ଦେଖାଇ ଉଦ୍‌ଘାଟନ କରିଛନ୍ତି । ହୀରାଖଣ୍ଡ ଏକ୍ସପ୍ରେସ୍ ବର୍ତ୍ତମାନ 12 କୋଚ୍ ଯଥା ଗୋଟିଏ ଏସି- ୨ ଟାୟାର, ଦୁଇଟି ଏସି ୩ ଟାୟାର, ଚାରିଟି ସ୍ଲିପର କ୍ଲାସ, ତିନିଟି ଦ୍ବିତୀୟ ଶ୍ରେଣୀ ସିଟିଙ୍ଗ ରହିଛି ।

ଏହାସହ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ମିଶ୍ରଣ ସହିତ ଏଲଏଚବି କୋଚ ସହିତ ଚଳାଚଳ କରିବ ଟ୍ରେନ । ଏହି ଅବସରରେ ଭୁବନେଶ୍ବର ରେଳ ଷ୍ଟେସନରେ ମନ୍ତ୍ରୀ ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୁରେଶ ରାଉତରାୟ, ସପ୍ତଗିରି ଉଲାକା, ତାରା ପ୍ରସାଦ ବାହିନପତି, ଅନନ୍ତ ନାରାୟଣ ଜେନା, ରାଜେନ୍ଦ୍ର ସାହୁ, ସୁଶାନ୍ତ କୁମାର ରାଉତ, ମକରନ୍ଦ ମୁଦୁଲି, ପ୍ରଭୁ ଜାନି ଉପସ୍ଥିତ ରହିଥିଲେ । ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ରେଳ ସେବାର ଶୁଭାରମ୍ଭ ହୋଇଥିଲା ।

ପ୍ରସ୍ତୁତ ଭବାନୀପୁର: ଦିଦି କଲେ ପ୍ରାର୍ଥୀପତ୍ର ଦାଖଲ, ବିପକ୍ଷରେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା

କୋଲକାତା: ଭବାନୀପୁରରେ ସମ୍ମାନ ଲଢ଼େଇ ଲଢ଼ିବେ ଦିଦି । ଭବାନୀପୁର ଉପନିର୍ବାଚନରେ ଟିଏମସି ପକ୍ଷରୁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ମମତା ବାନାର୍ଜୀ । ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ମମତାଙ୍କୁ ଏହି ନିର୍ବାଚନ ଜିତିବାକୁ ପଡ଼ିବ । ପଶ୍ଚିମବଙ୍ଗର ୩ଟି ଆସନରେ ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୪ ତାରିଖରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ । ଭବାନୀପୁର ସମେତ ସାମ୍‌ ଶେରଗଞ୍ଜ ଓ ଜାଙ୍ଗିପୁରରେ ଉପନିର୍ବାଚନ ହେବ ।

ସେପ୍ଟେମ୍ବର ୧୩ ପ୍ରାର୍ଥିପତ୍ର ଦାଖଲ ଶେଷ ତାରିଖ ରହିଛି । ସେପ୍ଟେମ୍ବର ୩୦ରେ ଭୋଟ ଗ୍ରହଣ ଓ ଅକ୍ଟୋବର ୩ରେ ଗଣତି କରାଯିବ । ସେପଟେ ମମତା ବାନାର୍ଜୀଙ୍କୁ ମଇଦାନରେ ଟକ୍କର ଦେବାକୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ପଶ୍ଚିମବଙ୍ଗ ଯୁବ ବିଜେପିର ଉପ ସଭାପତି ତଥା ଆଇନଜୀବୀ ପ୍ରିୟଙ୍କା ତିବ୍ରେଓ୍ବାଲଙ୍କୁ ଦଳ ପ୍ରାର୍ଥୀ କରିଛି । ଗତ ନିର୍ବାଚନରେ ପ୍ରିୟଙ୍କା ଏଣ୍ଟାଲି ଆସନରୁ ଲଢି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ସ୍ବର୍ଣ୍ଣ କମଳ ଶାହଙ୍କଠାରୁ ୫୮ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଥିଲେ

ୱେଟିଂ ହଲରେ ବହି ପଢିପାରିବେ ଅଭିଯୋଗକାରୀ, ଉଦଘାଟନ ହେଲା ନୂତନ ଲାଇବ୍ରେରୀ

ଭୁବନେଶ୍ୱର: ଡିସିପି ଅଫିସରେ ଉଦଘାଟନ ହେଲା ନୂତନ ଲାଇବ୍ରେରୀ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାକୁ ଉଦଘାଟନ କରିଛନ୍ତି । ଡକ୍ଟର ବିଜୟ ସାହୁ ଫାଉଣ୍ଡେସନ ସହାୟତାରେ ଏହି ଲାଇବ୍ରେରୀ ନିର୍ମାଣ କରାଯାଇଛି ।

ଡିସିପି ଅଫିସକୁ ଗ୍ରୀଭାନ୍ସ ପାଇଁ ଆସୁଥିବା ଲୋକଙ୍କ ପାଇଁ ଏହି ଓ୍ବେଟିଂ ହଲ କମ ଲାଇବ୍ରେରୀ ବେଶ ସହାୟକ ହେବ ବୋଲି କହିଛନ୍ତି ପୋଲିସ କମିଶନର । ସ୍କୁଲ ବାହାରେ ଏହା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରଥମ ଲାଇବ୍ରେରୀ । ଆଜି ଉଦଘାଟନ ଉତ୍ସବରେ ସାଇ ଇଣ୍ଟରନ୍ୟାସନଲ ସ୍କୁଲ ଚେୟାରମ୍ୟାନ ଶିଳ୍ପୀ ସାହୁ ଯୋଗ ଦେଇଥିଲେ ।

ବାରଙ୍ଗରେ ଅଭାବନୀୟ ଘଟଣା, ବାପାର ଗୁଳିରେ ପୁଅର ମୃତ୍ୟୁ

କଟକ: ବାରଙ୍ଗରେ ଫୁଟିଲା ଗୁଳି  ।  ଗୋଡି ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।  ମିଳିଥିବା ସୂଚନା ମୁତାବକ ବାପା – ପୁଅ ମଧ୍ୟରେ କୌଣସି କାରଣରୁ କଳହ ସୃଷ୍ଟି ହୋଇଥିଲା  । ପରବର୍ତ୍ତୀ ସମୟରେ ଏହି କଳହ ଜୀବନ ନେବା ଭଳି ପରିସ୍ଥିତି ସୃଷ୍ଟି କରିଛି  । ବାପାର ଗୁଳିମାଡ଼ରେ ପୁଅର ମୃତ୍ୟୁ ହୋଇଛି ।

କିନ୍ତୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସେପଟେ ଘଟଣା ବିଷୟରେ ଖବର ପାଇ  ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି  ।  ମୃତଦେହକୁ ଏସସିବି ପଠାଇବା ସହ ତଦନ୍ତ କାର୍ଯ୍ୟ ଜାରି ରଖିଛି ପୋଲିସ ।

ଜିଓଫୋନ୍ ନେକ୍ସଟ୍ ଅଗ୍ରଣୀ ପରୀକ୍ଷଣ ପର୍ଯ୍ୟାୟରେ, ଦୀପାବଳି ପୂର୍ବରୁ ଉତ୍ସବ ସମୟରେ ବଜାରକୁ ଆସିବ

ଭୁବନେଶ୍ୱର: ଜିଓ ଓ ଗୁଗୁଲ୍ ପକ୍ଷରୁ ଯୁଗ୍ମ ଭାବେ ଭାରତ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ସ୍ମାର୍ଟଫୋନ୍‌, ବହୁ ପ୍ରତିକ୍ଷୀତ ଜିଓଫୋନ୍ ନେକ୍ସଟ୍ ଉନ୍ମୋଚନ କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିବା ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଜିଓଫୋନ୍ ନେକ୍ସଟ୍ ହେଉଛି ପ୍ରଥମ ଧରଣର ଏଭଳି ଏକ ଉପକରଣ ବା ମୋବାଇଲ୍ ଫୋନ୍ ଯେଉଁଥିରେ ଆଣ୍ଡ୍ରଏଡ୍ ଓ ପ୍ଲେ-ଷ୍ଟୋର୍ ଭିତିକ ଏକ ଉନ୍ନତ ଅପରେଟିଂ ସିଷ୍ଟମ୍ ରହିଛି । ଏହି ଡିଭାଇସ୍ ଓ ଅପରେଟିଂ ସିଷ୍ଟମ୍ ପ୍ରିମିୟମ୍ ଦକ୍ଷତା ପ୍ରଦାନ କରିବ ଯାହା ବର୍ତମାନ ସୁଦ୍ଧା ଅଧିକ ଶକ୍ତିଶାଳୀ ସ୍ମାର୍ଟଫୋନ୍‌ଗୁଡ଼ିକରେ ହିଁ ରହିଛି ।

ଏସବୁ ବିଶେଷ ସୁବିଧା ଓ ଦକ୍ଷତା ମଧ୍ୟରେ ରହିଛି ଭଏସ୍‌-ଫାଷ୍ଟ୍ ସୁବିଧା ଯାହା ଲୋକମାନଙ୍କୁ କନ୍‌ଟେଂଟ୍ (ବିଷୟବସ୍ତୁ) ବ୍ୟବହାର କରିବା ଏବଂ ନିଜ ଭାଷାରେ ଫୋନ୍‌ରେ ଖୋଜିବାରେ ସହାୟକ ହେଉଛି, ଶ୍ରେଷ୍ଠ କ୍ୟାମେରା ଅନୁଭୂତି ଏବଂ ସଦ୍ୟତମ ଆଣ୍ଡ୍ରଏଡ୍ ସୁବିଧା ଓ ସୁରକ୍ଷା ଅପ୍‌ଡେଟ୍ । ଅଧିକ ମାର୍ଜିତ ଓ ଉନ୍ନତ କରିବା ଲାଗି ଉଭୟ କଂପାନି ପକ୍ଷରୁ ସୀମିତ ସଂଖ୍ୟକ ବ୍ୟବହାରକାରୀଙ୍କୁ ନେଇ ଜିଓଫୋନ୍ ନେକ୍ସଟ୍‌ର ଅଗ୍ରଣୀ ପରୀକ୍ଷଣ ଆରମ୍ଭ କରାଯାଇଛି ଏବଂ ଦୀପାବଳି ଉତ୍ସବ ସମୟରେ ବ୍ୟାପକ ଭାବେ ଉପଲବ୍ଧ କରାଇବା ନିମନ୍ତେ ଉଭୟ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି ।

ଏହି ଅତିରିକ୍ତ ସମୟ ସଂପ୍ରତି ଶିଳ୍ପ ଜଗତରେ ବିଶ୍ୱସ୍ତରରେ ଦେଖାଦେଇଥିବା ସେମିକଣ୍ଡକ୍ଟର ଅଭାବର ମୁକାବିଲା କରିବାରେ ମଧ୍ୟ ସହାୟକ ହେବ । ଆକର୍ଷଣୀୟ ସୁବିଧା ସୁଯୋଗ ଯଥା ଗୁଗୁଲ୍ ଆସିଷ୍ଟାଂଟ୍‌, ଅନ୍‌-ସ୍କ୍ରିନ୍ ଟେକ୍ସଟ୍ ପରୀକ୍ଷଣ ପାଇଁ ଅଟୋମେଟିକ୍ ରିଡ୍‌-ଆଲାଉଡ୍ (ସ୍ୱଂୟକ୍ରିୟ ଉଚ୍ ସ୍ୱରରେ କହିବା) ଓ ଭାଷା ଅନୁବାଦ ତଥା ଭାରତ କୈନ୍ଦ୍ରୀକ ଫିଲ୍‌ଟର୍ ସହିତ ଏକ ସ୍ମାର୍ଟ କ୍ୟାମେରା ଓ ଆହୁରି ବହୁତ କିଛିକୁ ନେଇ ଜିଓଫୋନ୍ ନେକ୍ସଟ୍‌କୁ ଗଠନ କରାଯାଇଛି । ନିୟୁତାଧିକ ଭାରତୀୟ, ବିଶେଷ କରି ଯେଉଁମାନେ ପ୍ରଥମ ଥର ଇଟଂରନେଟ୍‌ର ଅନୁଭୂତି ହାସଲ କରିବେ ସେମାନଙ୍କ ପାଇଁ ନୂଆ ସମ୍ଭାବନା ଉଜାଗର କରିବାକୁ ରହିଥିବା ଲକ୍ଷ୍ୟ ପ୍ରତି ଉଭୟ କଂପାନୀ ପ୍ରତିବଦ୍ଧ ରହିଛନ୍ତି ।