spot_img
Home Blog Page 5212

ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ରାମନାଥ କୋବିନ୍ଦ କରିଥିବା ଟ୍ୱିଟ୍‌ରେ ଗଣପତି ବାପ୍ପା ମୋର୍‌ୟା! ଗଣେଶ ଚତୁର୍ଥୀର ଶୁଭ ଅବସରରେ ଦେଶବାସୀଙ୍କ ପ୍ରତି ହାର୍ଦ୍ଦିକ ଶୁଭକାମନା। କୋଭିଡ୍‌-୧୯ ବିରୋଧରେ ଆମେ ଚଳାଇଥିବା ଉଦ୍ୟମକୁ ବିଘ୍ନହର୍ତା ଗଣେଶ ସଫଳ କରନ୍ତୁ ଏବଂ ସମସ୍ତଙ୍କୁ ସୁଖ ଏବଂ ଶାନ୍ତି ପ୍ରଦାନ କରନ୍ତୁ। ଆସନ୍ତୁ, ଆମେ ସମସ୍ତେ କୋଭିଡ୍‌-ଅନୁକୂଳ ଆଚରଣ ସହ ଏହି ଉତ୍ସବ ପାଳନ କରିବା ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ।

ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ଗଣେଶ ଚତୁର୍ଥୀ ପାଇଁ ଆପଣମାନଙ୍କୁ ଶୁଭେଚ୍ଛା। ଏହି ପବିତ୍ର ଉତ୍ସବ ପ୍ରତ୍ୟେକଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ସୁସ୍ୱାସ୍ଥ୍ୟ ଆଣୁ। ଗଣପତି ବାପ୍ପା ମୋର୍‌ୟା!

ଅପରପକ୍ଷରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟବାସୀଙ୍କୁ ଗଣେଶ ଚତୁର୍ଥୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଭୁଙ୍କ କୃପାରୁ ସମସ୍ତଙ୍କ ଜୀବନ ନିରାମୟ ହେଉ ବୋଲି ସେ ବିଘ୍ନହର୍ତ୍ତାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ରାଜ୍ୟପାଳ ।

ସେହିଭଳି ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟବାସୀଙ୍କୁ ଟ୍ୱିଟ୍ ଯୋଗେ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ ବୋଲି ଲେଖିଛନ୍ତି ।

ଆଉ ୭୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ: ୬ଜଣଙ୍କ ଜୀବନ ନେଇଛି କରୋନା

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୭୪୫ ପଜିଟିଭ । ୧୮ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ ୧୧୯ ଜଣ ପିଲା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ମାତ୍ର ୬ ଜଣଙ୍କ ଜୀବନ ନେଇଛି କିଲିର ଭାଇରସ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ  ୪୩୫ ଜଣ ଥିବା ବେଳେ, ଲୋକାଲ କେସ ରହିଛି ୩୧୦ ।

ଖୋର୍ଦ୍ଧାରୁ ସର୍ବାଧିକ ୨୯୭ ସଂକ୍ରମିତ ଅଛନ୍ତି । ସେହିପରି କଟକରୁ ୧୨୦, ଷ୍ଟେଟପୁଲରୁ ୭୨, ବାଲେଶ୍ୱର ଓ ମୟୂରଭଞ୍ଜରୁ ୩୨ ଜଣ ଲେଖାଏଁ । ଯାଜପୁରରୁ ୨୭, ସୁନ୍ଦରଗଡ଼ରୁ ୨୪, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୧୮ ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ପୁରୀରୁ ୧୭, ବରଗଡ଼ ଓ ନୟାଗଡ଼ରୁ ୧୧ଜଣ ଲେଖାଏଁ ଏବଂ ସମ୍ବଲପୁର ଓ ଅନଗୁଳରୁ ୧୦ ଜଣ ଲେଖାଏଁ ସଂକ୍ରମିତ ଅଛନ୍ତି । ଭଦ୍ରକ ଓ ଢେଙ୍କାନାଳରୁ ୯ଜଣ ଲେଖାଏଁ , ଦେବଗଡ଼ରୁ ୬, କେନ୍ଦୁଝର ୫, ନବରଙ୍ଗପୁର ୪, ଗଂଜାମ ଓ କନ୍ଧମାଳରୁ ୩ ଜଣ ଲେଖାଏଁ, ନୂଆପଡ଼ା ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ, ମାଲାକାନଗିରି, କୋରାପୁଟ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି । ୨୪ ଘଣ୍ଟାରେ ଆଉ ୬୯୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଚିନ୍ତା ବଢ଼ାଉଛି କେରଳରେ କରୋନା ସଂକ୍ରମଣ, ସେପଟେ ମୁମ୍ବାଇରେ ତୃତୀୟ ଲହର ଆଶଙ୍କା

ରାଜଧାନୀରେ ନିଆରା ଗଣେଶ ପୂଜା: ପ୍ରସାଦ ବଦଳରେ ଦିଆଯାଉଛି ଗଛ ଚାରା

ଭୁବନେଶ୍ୱର: ରାଜଧାନୀର ଫରେଷ୍ଟ ପାର୍କରେ ଆଜି ନିଆରା ଭାବେ ଗଣେଶ ପୂଜା ଅନୁଷ୍ଠିତ ହୋଇଛି ।  ଯେଉଁଠି ଏକ ଗଛକୁ ଗଜାନନ ବେଶରେ ସଜାଯାଇ ପୂଜା କରାଯାଉଛି। ଏହାସହ ଏଠାରେ ଯେଉଁମାମେ ଶ୍ରଦ୍ଧାଳୁ ଆସୁଛନ୍ତି ସେମାନଙ୍କୁ ପ୍ରସାଦ ବଦଳରେ ଛୋଟ ଛୋଟ ଗଛ ପ୍ରଦାନ କରାଯାଉଛି । କରୋନା ସମୟରେ ଅକ୍ସିଜେନର ଆବଶ୍ୟକତା ଅଧିକ ଥିବାରୁ ଗଛକୁ ପୂଜା କରି ଏହାର ଆବଶ୍ୟକତା ନେଇ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରିଛି ବକୁଲ ଫାଉଣ୍ଡେସନ ।

ଅନ୍ୟପଟେ ୟୁନିଟ ୮ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କରୋନା କଟକଣା ସହ ଗଣେଶ ପୂଜା ପାଳନ କରାଯାଇଛି। ୨୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଗଣେଶ ପୂଜା ଅନୁଷ୍ଠିତ ହିଇଯାଇଛି। ପ୍ରତ୍ୟେକ ବର୍ଷ ବେଶ ଧୁମଧାମରେ ଏଠାରେ ଗଣେଶ ପୂଜା ପାଳନ କରାଯାଇଥାଏ ତେବେ ଏଥର ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଅଳ୍ପ ଛାତ୍ରଛାତ୍ରୀଙ୍କୁ ନେଇ ଗଣେଶ ପୂଜା କାରାଯାଇଛି ।

 

ଏଥିସହିତ ପଢ଼ନ୍ତୁ: କଟକଣା ମଧ୍ୟରେ ଚାଲିଛି ଅଗ୍ରପୂଜ୍ୟଙ୍କ ଆରାଧନା

ଆଫଗାନିସ୍ତାନରେ ନିଷିଦ୍ଧ ହୋଇପାରେ ମହିଳା କ୍ରୀଡ଼ା: ସମଗ୍ର ଶରୀର ଆବୃତ ହୋଇପାରୁନଥିବାରୁ ନିଆଯାଇପାରେ ନିଷ୍ପତ୍ତି

କାବୁଲ: ଆଫଗାନିସ୍ତାନରେ ନିଷିଦ୍ଧ ହୋଇପାରେ ମହିଳା କ୍ରୀଡ଼ା । ମହିଳା କ୍ରିକେଟ ସମେତ ଅନ୍ୟାନ୍ୟ ଖେଳକୁ ନିଷିଦ୍ଧ କରିବା ଲାଗି ଯୋଜନା ପ୍ରସ୍ତୁତ । ଖୁବଶୀଘ୍ର ଏନେଇ ତାଲିବାନ ସରକାର ଘୋଷଣା କରିବେ ବୋଲି କହିଛନ୍ତି ସାଂସ୍କୃତିକ କମିଶନର ଉପମୁଖ୍ୟ ଅହମ୍ମଦୁଲ୍ଲା ଓ୍ୱାସିକ୍ । ସେ କହିଛନ୍ତି, କ୍ରିକେଟ ସମେତ ଅନ୍ୟାନ୍ୟ କ୍ରୀଡାରେ ମହିଳାଙ୍କ ମୁହଁ ଦିଶିବା ସହ ସମଗ୍ର ଶରୀର ଆବୃତ୍ତ ରହୁ ନଥିବାରୁ ଏହା ଇସଲାମ ଧର୍ମର ଅବମାନନା କରୁଛି । ଏଣୁ କ୍ରୀଡାକୁ ନିଷିଦ୍ଧ କରିବା ଲାଗି ସରକାର  ଚିନ୍ତା କରୁଛନ୍ତି । ବର୍ତ୍ତମାନ ମିଡିଆ ଯୁଗରେ ମହିଳା କ୍ରୀଡାବିତଙ୍କ ବିଭିନ୍ନ ଫଟୋ ଓ ଭିଡିଓ ନିଆଯିବ ଏବଂ ତାହାକୁ ଲୋକେ ଦେଖିବେ ।

ଇସଲାମ ଧର୍ମରେ ଏହା ନାହିଁ । ଇସଲାମ ଓ ଇସଲାମିକ ଏମିରେଟରେ କ୍ରିକେଟ ଓ ଅନ୍ୟାନ୍ୟ ଖେଳକୁ ଏଥିଲାଗି ଅନୁମତି ଦିଆଯିବ ନାହିଁ । ଗତମାସରେ ଓ୍ୱାସିକ କହିଥିଲେ ପୁରୁଷ କ୍ରିକେଟ ଟିମକୁ ଖେଳିବା ଲାଗି ଅନୁମତି ଦିଆଯିବ । ଆସନ୍ତା ନଭେମ୍ବରରେ ଆଫଗାନ ଟିମ୍ ଏକ ଟେଷ୍ଟ ମ୍ୟାଚ ଲାଗି ଅଷ୍ଟ୍ରେଲିଆ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି ଯଦି ମହିଳା କ୍ରୀଡାକୁ ନିଷିଦ୍ଧ ଲାଗି ତାଲିବାନର ଯୋଜନା ସତ ହୋଇଥାଏ ତେବେ ଟେଷ୍ଟ ମ୍ୟାଚ ଯୋଜନା ବାତିଲ ହୋଇପାରେ । ଉଭୟ ମହିଳା ଓ ପୁରୁଷ କ୍ରିକେଟ ଲାଗି ବେଶ୍ ପ୍ରୋତ୍ସାହନ ଯୋଗାଇ ଆସୁଛି ଅଷ୍ଟ୍ରେଲିଆ । ବିଶେଷ କରି ମହିଳା କ୍ରିକେଟର ପ୍ରସାର ଯେପରି ସାରା ବିଶ୍ୱରେ ହୋଇପାରିବ ସେଥିଲାଗି ଅଷ୍ଟ୍ରେଲିଆ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଆସୁଛି । ଯଦି ଆଫଗାନିସ୍ତାନ ସରକାର ମହିଳା କ୍ରିକେଟକୁ ନିଷିଦ୍ଧ କରେ ତେବେ ଅଷ୍ଟ୍ରେଲିଆ ଭିନ୍ନ ନିଷ୍ପତ୍ତି ନେଇପାରେ । ମହିଳା କ୍ରିକେଟ ନେଇ ତାଲିବାନ ସରକାରର ସମ୍ଭାବ୍ୟ ନିଷ୍ପତ୍ତି ଅତି ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ଅଷ୍ଟ୍ରେଲିଆ କ୍ରୀଡ଼ାମନ୍ତ୍ରୀ ରିଚାର୍ଡ କୋଲବେକ । ତାଲିବାନର ଏହି ନିଷ୍ପତ୍ତି ଗ୍ରହଣୀୟ ହୋଇପାରିବ ନାହିଁ । ଏହା ବିରୋଧରେ ଆନ୍ତର୍ଜାତିକ କ୍ରିକେଟ ପରିଷଦ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଭାରତୀୟ ଖେଳାଳିଙ୍କ ଆରଟିପିସିଆର ରିପୋର୍ଟ ନେଗେଟିଭ୍: ମ୍ୟାଚ୍ ଖେଳିବାକୁ ଅନିଚ୍ଛା ପ୍ରକାଶ କଲେ ଖେଳାଳି

୩ ଦିନ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ

0

ପୁରୀ: ଆଜିଠୁ ତିନିଦିନ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀମନ୍ଦିର ବନ୍ଦ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସୋମବାରଠୁ ଶ୍ରଦ୍ଧାଳୁଙ୍କ ଲାଗି ମନ୍ଦିର ଖୋଲିବାକୁ ଥିବା ବେଳେ, ନୂଆ କଟକଣା ଅନୁଯାୟୀ ଦର୍ଶନ କରିବେ ଶ୍ରଦ୍ଧାଳୁ । ପ୍ରଶାସନର ସୂଚନା ଅନୁଯାୟୀ, ଆଜି ଗଣେଶ ପୂଜାଥିବାରୁ ଶ୍ରୀମନ୍ଦିରକୁ ବନ୍ଦ କରାଯାଇଛି । ପୂର୍ବର ଏସ୍ଓପି ଅନୁସାରେ ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ତେଣୁ ଲଗାତର ୩ଦିନ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ । ପରେ ସୋମବାରଠୁ ମନ୍ଦିର ଖୋଲିବା ପରେ ନୂଆ ଏସ୍ଓପି ଅନୁଯାୟୀ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ନୂଆ ଏସଓପିରେ କେବଳ ରବିବାର ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରବିବାର ଦିନ ମନ୍ଦିରକୁ ବନ୍ଦ ରଖିବା ସହ ମନ୍ଦରର ବାହାର ଓ ଭିତର ପାର୍ଶ୍ୱକୁ ସାନିଟାଇଜ କରିବ ଶ୍ରୀମନ୍ଦିର ପ୍ରଶାସନ । ଏହି ନୂଆ ଏସଓପି ଅନୁଯାୟୀ ଶନିବାର ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଅର୍ଥାତ୍ ସପ୍ତାହର ୬ ଦିନ ମନ୍ଦିର ଖୋଲାରହିବ । ସକାଳ ୬ଟାରୁ ରାତି ୯ଟା ଯାଏ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଅନୁମତି ମିଳିଛି । ସବୁଠୁ ବଡ଼ କଥା ହେଉଛି ଏଣିକି ସପରିବାର ସହ ଆନନ୍ଦବଜାରରେ ମହାପ୍ରସାଦ ସେବନ କରିବାକୁ ଅନୁମତି ରହିଛି । ତାହା ସହ ଶ୍ରୀମନ୍ଦିର ଭିତରକୁ ଏଣିକି ଭକ୍ତମାନେ ସମସ୍ତ ପୂଜା ସାମଗ୍ରୀ ନେଇପାରିବେ ।

ଭାରତୀୟ ଖେଳାଳିଙ୍କ ଆରଟିପିସିଆର ରିପୋର୍ଟ ନେଗେଟିଭ୍: ମ୍ୟାଚ୍ ଖେଳିବାକୁ ଅନିଚ୍ଛା ପ୍ରକାଶ କଲେ ଖେଳାଳି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟକୁ ନେଇ ଅନିଶ୍ଚିତତା । ଟେଷ୍ଟ ସିରିଜ୍ ବିଜୟ ବାଟରେ ବାଧକ ସାଜିଛି କରୋନା । ଜଣଙ୍କ ପରେ ଜଣେ ଭାରତୀୟ ଟିମ୍‌ର ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ଆଉ ୫ ଟିକିଆ ଟେଷ୍ଟର ଅନ୍ତିମ ମ୍ୟାଚକୁ ନେଇ ଆଶଙ୍କା ଉପୁଜିଛି । ତେବେ ଆଶ୍ୱସ୍ତିକର ଖବର ହେଉଛି ମାଞ୍ଚେଷ୍ଟର ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ସମସ୍ତ ଖେଳାଳିଙ୍କ କୋଭିଡ୍ ଆରଟି-ପିସିଆର୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ପୂର୍ବରୁ ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନରେ ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ଗତକାଲି ଆଉ ଜଣେ ସଦସ୍ୟ ସଂକ୍ରମିତ ହୋଇଛନ୍ତି ।

ଆଜି ମାଞ୍ଚେଷ୍ଟରରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ ପୂର୍ବରୁ ଆସିଷ୍ଟାଣ୍ଟ ଫିଜିୟୋ ଯୋଗେଶ ପରମାର ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏକାଧିକ କରୋନା ମାମଲା ଚିହ୍ନଟ ପରେ ମ୍ୟାଚକୁ ନେଇ ଆଶଙ୍କା ଦେଖାଦେଇଛି । ସମସ୍ତ ଖେଳାଳି ଏବେ ହୋଟେଲରେ ଆଇସୋଲେସନରେ ଅଛନ୍ତି । ସକାଳେ ସମସ୍ତଙ୍କର ଆରଟି-ପିସିଆର୍ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଛି । ଫଳରେ ପଞ୍ଚମ ମ୍ୟାଚ୍ ହେବା ନେଇ ଆଶା ଉଜ୍ଜୀବିତ ହୋଇଛି । ଚଳିତ ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ରହିଛି  ।

ଏଣୁ ଅନ୍ତିମ ମ୍ୟାଚ୍ ଅମୀମାଂସିତ ରହିଲେ ମଧ୍ୟ ଭାରତ ଇଂଲଣ୍ଡ ମାଟି ଐତିହାସିକ ବିଜୟ ହାସଲ କରିପାରିବ । କିନ୍ତୁ ଗତକାଲି ହୋଇଥିବା ଭାରତୀୟ ଦଳର ବୈଠକରେ ସେମାନେ ପଞ୍ଚମ ଟେଷ୍ଟ ଖେଳିବା ନେଇ ଅନିଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି । ଏଭଳି ଭାରତୀୟ ଟିମ୍‌ର ମ୍ୟାଚ୍ ପୂର୍ବର ଅଭ୍ୟାସ ମଧ୍ୟ ବନ୍ଦ ରହିଛି ।

ଏଥିସହିତ ପଢ଼ନ୍ତୁ: ଦୁଇ ଓଡ଼ିଆ ମହିଳା ହକି ଖେଳାଳିଙ୍କୁ କାର୍ ଉପହାର ଦେଲା ଟାଟା କମ୍ପାନୀ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ: କାଲିଠୁ ବଦଳିବ ପାଣିପାଗ

ଭୁବନେଶ୍ୱର: ଗୋଟିଏ ଗଲା ଆଉ ଗୋଟିଏ ଆସୁଛି, ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ । ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ । ଆସନ୍ତା କାଲି ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଉତ୍ତର ଓ ଆଖପାଖ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ହେବ । ବିଶେଷ କରି ଉତ୍ତର, ଉପକୂଳ ଏବଂ ପଶ୍ଚିମ ଓଡ଼ିଶା ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଲଘୁଚାପର ପ୍ରଭାବ ୧୫ ତାରିଖ ପର୍ଯ୍ୟନ୍ତ ରହିବ । ବର୍ଷା ସମୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ପବନ ବହିବ । ସମୁଦ୍ରରେ ଉଚ୍ଚ ଜୁଆର ପାଇଁ ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଲଘୁଚାପ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ନିର୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

 

କଟକଣା ମଧ୍ୟରେ ଚାଲିଛି ଅଗ୍ରପୂଜ୍ୟଙ୍କ ଆରାଧନା

ଭୁବନେଶ୍ୱର: ଆଜି ପବିତ୍ର ଗଣେଶ ଚତୁର୍ଥୀ । କଟକଣା ମଧ୍ୟରେ ଅନୁଷ୍ଠିତ ହେଉଛି ଅଗ୍ରପୂଜ୍ୟଙ୍କ ଆରାଧନା । ଦୀର୍ଘଦିନର ଲକ୍‌ଡାଉନ୍‌ ପରେ ଅନ୍‌ଲକ୍‌ ଓଡିଶାରେ ଏହା ପ୍ରଥମ ସାର୍ବଜନୀନ ପୂଜା ଭାବେ ପାଳନ କରାଯାଉଛି । ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ଦେଶବ୍ୟାପୀ ପାଳିତ ହେଉଛି ଅଗ୍ରପୂଜ୍ୟ ଗଣପତିଙ୍କ ପୂଜା । କରୋନା ପାଇଁ ସ୍କୁଲ ଓ କଲେଜ ପାଳନ ହେଉନାହିଁ ପୂଜା । ସର୍ବସାଧାରଣ ସ୍ଥାନରେ ପୂଜା ପାଳନ କରାଯାଉଥିଲେ ମଧ୍ୟ କୋଭିଡ ଗାଇଡ୍ ଲାଇନ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି  ।

ସୂଚନା ଯୋଗ୍ୟ ଯେ, ପାର୍ବଣକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ସମସ୍ତ ପୂଜା, ପାର୍ବଣ ହେବ । ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳି ପୂଜା ଆଦି ସମସ୍ତ ପୂଜାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି । ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ହେବାକୁ ଥିବା ସମସ୍ତ ପାର୍ବଣ ଉପରେ ଆଂଶିକ କଟକଣା ଲଗାଯାଇଛି ।

ମଣ୍ଡପରେ କୋଭିଡ୍ ଗାଇଡଲାଇନ୍ ମାନି ପୂଜା କରାଯାଇ ପାରିବ । ଏଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆୟୋଜକ ଅନୁମତି ନେବେ । ଭିଡ଼ ଏଡ଼ାଇବା ପାଇ ପୂଜା ମଣ୍ଡପକୁ ଚାରିପଟୁ ଆବଦ୍ଧ କରାଯିବ । ମୂର୍ତ୍ତିର ସର୍ବାଧିକ ଉଚ୍ଚତା ୪ ଫୁଟ ମଧ୍ୟରେ ରହିବ । ପୂଜା ମଣ୍ଡପରେ ଗୋଟିଏ ସମୟରେ ୭ ଜଣରୁ ଅଧିକ ରହି ପାରିବେ ନାହିଁ । ମଣ୍ଡପରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଓ ସାନିଟାଇଜେସନକୁ ଗୁରୁତ୍ୱ ଦିଆଯାଇଛି ।

ଭୁଶୁଡିଲା କୁଚିଣ୍ଡା ନିକଟ ଝୁଲେନ ପୋଲ, ଖସି ପଡିଲା ଟ୍ରକ୍

ସମ୍ବଲପୁର: ଭୁଶୁଡିଲା କୁଚିଣ୍ଡା ନିକଟ ଖର୍ଲା ନଦୀରେ ଥିବା ଝୁଲେନ ପୋଲ । ପୋଲ ଉପରେ ଯାଉଥିବା ଏକ ଟ୍ରକ ତଳକୁ ଖସି ପଡିଛି । ନଦୀରୁ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉଦ୍ଧାର କାଯ୍ୟ ଜାରି ରଖିଛି । ପୋଲ ଭୁଶୁଡିବା ଯୋଗୁ ୪୯ନଂ ଜାତୀୟ ରାଜପଥରେ ଯାତାୟତ ଠପ ହୋଇଛି ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ ପହଁଚି ତ୍ୱରିତ ଉଦ୍ଧାର କାର୍ଯ୍ୟ  ଜାରି ରଖିଛି  । କେଉଁ ତକାରଣରୁ ପୋଲଟି ଭୁଶୁଡ଼ି ପଡ଼ିଛି ତାହାର ଅନୁସନ୍ଧାନ କରିବ ସ୍ଥାନୀୟ ପ୍ରଶାସନ  ।

ସୀମା ଲଂଘୁଛି ଆନ୍ଧ୍ର, ଗଜପତିରେ ନିର୍ମାଣ କରିଥିବା ଅଙ୍ଗନବାଡ଼ିକୁ ସିଲ କଲା ପ୍ରଶାସନ

ଗଜପତି: ବଦଳୁନି ଆନ୍ଧ୍ର ଦାଦାଗିରି । ଦିନିକୁ ଦିନ ଓଡ଼ିଶା ସୀମାକୁ କବଜା କରି ଦେଖାଉଛି ନାଲି ଆଖି । ଗଜପତି ଜିଲ୍ଲା ରାୟଗଡ ବ୍ଲକ ମାଣିକପାଟଣାଠାରେ ଆନ୍ଧ୍ର ନିର୍ମାଣ କରିଥିବା ଏକ ଅଙ୍ଗନବାଡ଼ି କେନ୍ଦ୍ରକୁ ସିଲ କରିଥିଲା ଗଜପତି ଜିଲ୍ଲା ପ୍ରଶାସନ । ହେଲେ ପୁଣି ଥରେ ଆନ୍ଧ୍ରର କିଛି ଅଧିକାରୀ ପହଞ୍ଚି ସିଲ୍ ଭାଙ୍ଗି ସେଠାରେ ପିଲାଙ୍କ ପାଠ ପଢା ଆରମ୍ଭ କରିଛନ୍ତି । ଏହାସହ ପିଲାଙ୍କୁ ଅଣ୍ଡା ମଧ୍ୟ ବଣ୍ଟନ କରିଛି ।

ଘଟଣା ସ୍ଥଳରେ ଆନ୍ଧ୍ର ମନ୍ତ୍ରୀ ସହ ପ୍ରଶାସନିକ ଅଧିକାରୀ ମାନେ ପହଞ୍ଚି ଜିଲ୍ଲା ଗଜପତି ପ୍ରଶାସନକୁ ନାଲି ଆଖି ଦେଖାଇଛନ୍ତି । ଏହାସହ ଯେଉଁ ଅଧିକାରୀ ଅଙ୍ଗନବାଡ଼ି କେନ୍ଦ୍ର ତାଲା ପକାଇଥିଲେ ତାଙ୍କ ନାମରେ ମାମଲା ରୁଜୁ କରିବା ନେଇ ଧମକ ଦେଇଛନ୍ତି ଆନ୍ଧ୍ର ମନ୍ତ୍ରୀ । ସୂଚନା ଅନୁସାରେ ଆନ୍ଧ୍ର ପ୍ରଥମେ ମାଣିକପାଟଣାଠାରେ ଏକ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଥିଲା ।