spot_img
Home Blog Page 5364

ଦୁଇ ଡୋଜ ଟିକା ନେଇଥିଲେ ଦେଖିପାରିବେ ସିନେମା, ନହେଲେ ଘରେ ଦେଖିବେ ଟିଭି ଓ OTT

ଭୁବନେଶ୍ୱର: ପାଖାପାଖି ଦୁଇ ମାସ ପରେ ପୁଣିଥରେ ଓଡ଼ିଶାର ଦର୍ଶକ ବଡ଼ ପରଦାର ମଜା ନେଇ ପାରିବେ । ଅନଲକ୍ ପ୍ରକ୍ରିୟା କ୍ରମରେ ରାଜ୍ୟ ସରକାର ଫିଲ୍ମହଲ  ଖୋଲିବାକୁ ଅନୁମତି ଦେଇଛନ୍ତି । ତେବେ ଏଥିପାଇଁ କିଛି ସର୍ତ୍ତ ରହିଛି । ସର୍ତ୍ତ ହେଉଛି ଫିଲ୍ମ ହଲ ଗୁଡିକ ଖୋଲିବ କିନ୍ତୁ ୫୦ ପ୍ରତିଶତ କ୍ଷମତାର ସହିତ ଖୋଲିବ । ଅର୍ଥାତ ସିନେମା ହଲ ନିଜ ମୋଟ ସିଟର ୫୦ ପ୍ରତିଶତ ଟିକେଟ୍ ହିଁ ବିକ୍ରି କରିପାରିବେ । ସିଟ୍ ସିଟ୍ ମଧ୍ୟରେ ବ୍ୟବଧାନ ରହିବ ଯେମିତି ସାମାଜିକ ଦୂରତା ବଜାୟ ରହିବ ।

ସିନେମା ହଲ ଖୋଲିବା ପାଇଁ ସରକାର ଅନୁମତି ଦେବା ସହିତ ହଲ କର୍ତ୍ତୁପକ୍ଷଙ୍କ ପାଇଁ କିଛି ଦାୟିତ୍ୱ ମଧ୍ୟ ନିର୍ଧାରିତ କରିଛନ୍ତି । ଗାଇଡ ଲାଇନ୍ ଅନୁସାରେ ଯେଉଁ ପ୍ରାପ୍ତ ବୟସ୍କ ଦର୍ଶକ ସିନେମା ହଲକୁ ଯିବେ ସେମାନଙ୍କ ପାଇଁ ଟିକାର ଦୁଇଟି ଡୋଜ୍ ନେଇଥିବା ବାଧ୍ୟତାମୂଳକ । କରୋନା ଟିକାର ଦୁଇ ଡୋଜ୍ ନେଇଥିଲେ ହିଁ ସିନେମା ହଲ ମଧ୍ୟକୁ ପ୍ରବେଶ ଅନୁମତି ମିଳିବ । ଏଥିପାଇଁ ଟିକା ପ୍ରମାଣ ପତ୍ର ଦେଖାଇବା ବାଧ୍ୟତାମୂଳକ ରହିବ ବୋଲି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା  ।

ସେହିପରି ହଲ କର୍ତ୍ତୁପକ୍ଷ ସିନେମା ଦେଖିବାକୁ ଯାଉଥିବା ଦର୍ଶକଙ୍କ ପ୍ରମାଣପତ୍ର ଯାଂଚ୍ କରିବା ପରେ ଭିତରକୁ ପ୍ରବେଶ ଅନୁମତି ଦେବେ । ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ପାଇଁ ଅନୁମତି ଦେଇଛନ୍ତି । ଯାତ୍ରା ମଧ୍ୟ ୫୦ ପ୍ରତିଶତ ସିଟ୍ କାପାସିଟିକୁ ନେଇ ଅନୁଷ୍ଠିତ ହେବ । ସିନେମା ହଲ ଓ ଯାତ୍ରା ପାଇଁ ସରକାରଙ୍କ ଅନୁମତି ଦ୍ୱାରା ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ଉପକୃତ ହେବେ । ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ଯାତ୍ରା ବନ୍ଦ ହୋଇ ପଡିଥିବାରୁ ଅନେକ କଳାକାରଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି । ଯାତ୍ରା ପାଇଁ ଅନୁମତି ମିଳିବା ପରେ ଯାତ୍ରା କଳାକାରଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଏଥିପାଇଁ ସେମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅନଲକ ମୁହାଁ ଓଡ଼ିଶା: ଖୋଲିବ ହୋଟେଲ, ମଲ, ସି-ବିଚ୍

ଭୁବନେଶ୍ୱର: ଅଗଷ୍ଟ ଗାଇଡଲାଇନ ନେଇ ବଡ଼ ଘୋଷଣା କଲେ ଏସଆରସି ପ୍ରଦୀପ ଜେନା  । ଖୋଲିବ ପାର୍କ ଓ ବେଳାଭୂମି  । ହୋଟେଲ, ରେଷ୍ଟୁରାଣ୍ଟ ଏବଂ ରାସ୍ତାକଡ଼ ଦୋକାନ ଆଦି ଖୋଲିବା ନେଇ ଅନୁମତି ଦେଲେ ରାଜ୍ୟ ସରକାର  । କିନ୍ତୁ ରେଷ୍ଟୁରାଣ୍ଟ ଏବଂ ହୋଟେଲ ଖୋଲିବା ସହ କୋଭିଡ଼ କଟକଣା ବଳବତ୍ତର ରହିବ   । ପଚାଶ ପ୍ରତିଶତ ଗ୍ରାହକରେ ଏହି ସବୁ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର  ।

ଅଗଷ୍ଟ ଗାଇଡଲାଇନରେ ସପ୍ତାହିକ ହାଟ, ବଜାର ଖୋଲିବ, ସୁଇମିଂ ପୁଲ ମଧ୍ୟ ଖୋଲିବ ।  ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ସକାଳ ୬ ପର୍ଯ୍ୟନ୍ତ ବଳବତ୍ତର ରହିବ ଅଗଷ୍ଟ କଟକଣା  । ସେହିପରି ରାତି ୮ରୁ ସକାଳ ୬ ପର୍ଯ୍ୟନ୍ତ ସାରା ରାଜ୍ୟରେ ରାତ୍ରୀକାଳିନ କର୍ଫ୍ୟୁ ସମଗ୍ର ରାଜ୍ୟରେ ବଳବତ୍ତର ରହିବ  ।  ଭୁବନେଶ୍ୱର,କଟକ ଓ ପୁରୀରେ ଶନିବାର ରବିବାର ଦୋକାନ, ବଜାର ପୂର୍ବଭଳି  ବନ୍ଦ ରହିବ  ।

ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ ଉପରେ କଟକଣା ରଖିଛନ୍ତି ସରକାର  ।  ଆହାର କେନ୍ଦ୍ର ଖୋଲା ରହିବ ସମସ୍ତ ମଲ୍ ଖୋଲିବ   । ସେହିପରି ପୂର୍ବରୁ ବନ୍ଦ ରହିଥିବା  ସିନେମା ହଲ, ପ୍ରେକ୍ଷାଳୟ ଆଦି ମଧ୍ୟ ଖୋଲାଯିବ  । କିନ୍ତୁ ହଲ, ପ୍ରେକ୍ଷାଳୟ ଆଦିରେ ମଧ୍ୟ ୫୦ ପ୍ରତିଶତ କର୍ମଚାରୀରେ ଖୋଲିବ ବୋଲି ଘୋଷଣା କରିଛନ୍ତି ଏସଆରସି  ।

ସେହିପରି ରାଜନୈତିକ କାର୍ଯ୍ୟକ୍ରମ ଏବଂ ଶୋଭାଯାତ୍ରା ଉପରେ କଟକଣା ସାମାନ୍ୟ କୋହଳ ହୋଇଛି  । ଶୋଭାଯାତ୍ରା, ଶିଳାନ୍ୟାସ ଏବଂ ଅନ୍ୟାନ ରାଜନୈତିକ କାର୍ଯ୍ୟକ୍ରମ ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ଚାଲିପାରିବ  । ଏହି ସବୁ କାର୍ଯ୍ୟକ୍ରମରେ ୩୦ ଜଣରୁ ଅଧକ ଲୋକଙ୍କୁ ବାରଣ କରାଯାଇଛି  । ଯାତ୍ରା, ରଙ୍ଗମଞ୍ଚ, ପ୍ରେକ୍ଷାଳୟ ଏବଂ ସିନେମା ହଲ ଆଦି ମଧ୍ୟ କୋଭିଡ କଟକଣା ଅନୁଯାୟୀ ଖୋଲିବ ବୋଲି ଅନୁମତି ପ୍ରଦାନ କରିଛନ୍ତି ସରକାର  ।

ଇଣ୍ଡୋର, ଆମୋଦପ୍ରମୋଦ, ଓ୍ବାଟର ପାର୍କ, ମ୍ୟୁଜିୟମ, ପ୍ରତ୍ନତାତ୍ତ୍ବିକ ସ୍ଥଳୀ, ଚିଡିଆଖାନା, ଦୋଳି ଆଦି ଖୋଲାଯାଇପାରିବ । ଓଲା, ଉବେର, ଟାକ୍ସି ସେବା ଜାରି ରହିବ କିନ୍ତୁ ସିଟ ଅନୁସାରେ ଯାତ୍ରୀ ପରିବହନ ହେବ । ରାତ୍ରୀକାଳୀନ କର୍ଫ୍ୟୁ ଓ ସପ୍ତାହାନ ସଟଡାଉନରେ ପୂର୍ବ ନିର୍ଦ୍ଦେଶ ବଳବତ୍ତର ରହିବ । ସମସ୍ତ କାର୍ଯ୍ୟାଳୟ, ଦୋକାନବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ ।

ପୋଲିସ, ସରକାରୀ କର୍ମଚାରୀ, ସ୍ବଚ୍ଛତାରେ ନିୟୋଜିତ କର୍ମଚାରୀ, ବିମାନବନ୍ଦର, ପରିବହନ ସେବାରେ ନିୟୋଜିତ କର୍ମଚାରୀଙ୍କ ଲାଗି କଟକଣା ରହିବ ନାହିଁ । ଔଷଧ ଦୋକାନ, ଯାତ୍ରୀ ପରିବହନ ସେବା ଜାରି ରହିବ । ବସଷ୍ଟାଣ୍ଡ, ବିମାନବନ୍ଦର ଓ ରେଳଷ୍ଟେସନକୁ ଯାଉଥିବା ଗାଡି ଚଳାଚଳ କରିପାରିବ । ଏଲପିଜି, ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ । ମାଛ, ମାଂସ, ଅଣ୍ଡା, ଗ୍ରୋସରୀର ହୋମ ଡେଲିଭରି କରାଯାଇପାରିବ । ସ୍ବିଗି, ଜମାଟୋ ଖାଦ୍ୟର ହୋମଡେଲିଭରି କରିପାରିବେ ।

ଏମିତି ମାଆ: ଆମଙ୍କୁ ଅତ୍ୟାଚାର କରୁଛି, ପରପୁରୁଷଙ୍କୁ ଘରକୁ ଆଣୁଛି

ଭୁବନେଶ୍ୱର: ନିଜର ପିଲାଙ୍କୁ ସୁରକ୍ଷା ଦିଏ ମାଆ  । ପିଲାଙ୍କ ରକ୍ଷା କବଚ ସାଜେ ଜନ୍ମଦାତ୍ରୀ  । କିନ୍ତୁ ରାଜଧାନୀ ଭୁବନେଶ୍ୱରରୁ ଏମିତି ଏକ ଅଭିଯୋଗ ଆସିଛି  । ଯାହା ସତ ହୋଇଥିଲେ ମାଆ ଭଳି ଏକ ପବିତ୍ର ନାମରେ ସୃଷ୍ଟି କରିବ କଳଙ୍କିତ ଅଧ୍ୟାୟ  । ଖୋଦ ମାଆ ନାମରେ ଏତଲା ଧରି ଚନ୍ଦ୍ରଶେଖରପୁର ଥାନାରେ ଫେରାଦ ହୋଇଛନ୍ତି ପୁଅ- ଝିଅ   । ଏତଲାରେ ଯାହା ଲେଖା ହୋଇଛି, ଅର୍ଥାତ ନିଜ ପୁଅ-ଝିଅ ଯେଉଁ ଅଭିଯୋଗ ଆଣିଛନ୍ତି ମାଆ ତାହା ସାଙ୍ଘାତିକ  ।

ନିଜ ଜନ୍ମ କଲା ପିଲାଙ୍କୁ ମାଆ ଅତ୍ୟାଚାର କରୁଛି  । ପର ପୁରୁଷଙ୍କ ସହ ସମ୍ପର୍କ ରଖିବା ସହ ନିଜ ପିଲାଙ୍କ ପ୍ରତି ବିପଦ ସୃଷ୍ଟି କରୁଛି  । ଏମିତିକି ନିଶାସକ୍ତ ଯୁବକ ମାନେ ମାଆ ସହ ସମ୍ପର୍କ ରଖି ଘରେ ଥିବା ଝିଅ ସହ ଅଶ୍ଲୀଳ ଇଙ୍ଗିତ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି  । ଝିଅର ଅଭିଯୋଗ ହେଉଛି, ନିଶାସକ୍ତ ଯୁବକ ଚନ୍ଦନ ନାମକ ଜଣେ ବ୍ୟକ୍ତି ମାଆଙ୍କୁ ମଦ ପିଆଇ ବେହୋସ କରିବା ପରେ, ମୋ ଦେହକୁ ଛୁଇଁବାକୁ ଚେଷ୍ଟା କରିଛି   ଏବଂ ମୋ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବାକୁ ଚେଷ୍ଟା କରନ୍ତି  ।

ସେହିପରି  ବିୟର ଫ୍ୟାକ୍ଟରୀରେ କାମ କରୁଥିବା ଅନ୍ୟଜଣେ ଯୁବକ ସଂଗ୍ରାମ ନାମକ ବ୍ୟକ୍ତି ମୋ ମାଆକୁ ନିଦ ବଟିକା ଖୁଆଇ, ମୋତେ ଧର୍ଷଣ କରିବାକୁ ଉଦ୍ୟମ କରିଥିବା ମଧ୍ୟ କହିଛନ୍ତି ଅଭିଯୋଗକାରୀ ଝିଅ  । ମାଆ ଅନେକ ସମୟରେ ଆମକୁ ଅତ୍ୟାଚାର କରନ୍ତି  । ନିଜେ ଖରାପ କାମ କରିବା ସହ ତାଙ୍କ ସହ ଆସୁଥିବା ବ୍ୟକ୍ତିମାନେ ମୋ ସହ ମଧ୍ୟ ଖରାପ କାମ କରିବାକୁ ଚେଷ୍ଟା କରନ୍ତି  । କିନ୍ତୁ ଏସବୁର କୌଣସି ପ୍ରତିବାଦ ମାଆ କରେ ନାହିଁ ବୋଲି କହିଛନ୍ତି ଅବିଯୋଗକାରୀ ଝିଅ  ।

ଆନ୍ଧ୍ର ଚିଙ୍ଗୁଡ଼ି ଫାର୍ମରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା: ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ

ହାଇଦ୍ରବାଦ: ଆନ୍ଧ୍ର ଚିଙ୍ଗୁଡ଼ି ଫାର୍ମରେ ୬ ଓଡ଼ିଆ ଶ୍ରମିକ ଜୀବନ୍ତ ଦଗ୍ଧ ଘଟଣା । ଜାତୀୟ ମାନବାଧିକାର କମିଶନରେ ମାମଲା ରୁଜୁ । ମାମଲା ରୁଜୁ କଲେ ମାନବାଧିକାର କର୍ମୀ ଦିଲ୍ଲୀପ ଦାସ । ମୃତକଙ୍କ ପରିବାରକୁ ୧୫ ଲକ୍ଷ କ୍ଷତିପୂରଣ ଦାବି । ଶିଶୁ ଶ୍ରମିକ ଆଇନ ଉଲ୍ଲଙ୍ଘନକାରୀ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି । ମୃତକଙ୍କ ମଧ୍ୟରେ ୪ ଜଣ ଓଡ଼ିଆ ନାବାଳକ ଥିବା ସୂଚନା ।

ସୂଚନା ଥାଉ କି, ଆନ୍ଧ୍ର ପ୍ରଦେଶର ରାମ୍ପଲିରେ ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ବିଦ୍ୟୁତ୍ ସର୍ଟ ସର୍କିଟ୍‌ ହୋଇ ୬ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେମାନେ ସମସ୍ତେ ରାୟଗଡ଼ା ଜିଲ୍ଲା ଗୁଣପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ମୃତ ୬ ଜଣ ରାମମୂର୍ତ୍ତି, କିରଣ, ମନୋଜ, ପାଣ୍ଡାବୋ, ମହେନ୍ଦ୍ର ଏବଂ ନବୀନ । ମୃତକଙ୍କ ମଧ୍ୟରୁ ଜଣେ ଗୁଣପୁରର ହୋଇଥିବା ବେଳେ ୩ ଜଣ ତାରମାଳର ଓ ୨ ଜଣ ଫୁଲଫୁଟି ଗାଁର। ଗୁରୁବାର ରାତିରେ ଏହି ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ୨୫ରୁ ୩୦ ଜଣ ଶ୍ରମିକ ଶୋଇଥିଲେ। ଏହି ସମୟରେ ସର୍ଟ ସର୍କିଟ୍ ହୋଇଥିଲା ଓ ଫ୍ୟାକ୍ଟ୍ରି ପରିସରରେ ଥିବା କିଛି ବର୍ଜ୍ୟବସ୍ତୁ ଜଳି ଯାଇଥିଲା। ଏହାର ପ୍ରଭାବରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏଥିସହିତ ପଢ଼ନ୍ତୁ: ରାଜଧାନୀ ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ: ଆଜିଠାରୁ ବନ୍ଦ ହେବ ଡ୍ରାଇଭ୍ ଇନ୍ ଭ୍ୟାକ୍ସିନ୍ ସେଣ୍ଟର

 

ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଆସନ୍ତା ସପ୍ତାହରେ ଅବିଶ୍ୱାସ ପ୍ରସ୍ତାବ ଆଣି ପାରନ୍ତି ବିରୋଧି ଦଳ

ନୂଆଦିଲ୍ଲୀ: ସଂସଦ ଅଧିବେଶନ ଆରମ୍ଭ ହୋଇ ଦୁଇ ସପ୍ତାହ ହୋଇ ସାରିଥିଲେ ମଧ୍ୟ ପେଗାସସ ପ୍ରସଙ୍ଗକୁ ନେଇ ସଂସଦ ଠିକ୍ ଭାବେ କାମ କରିପାରୁନାହିଁ । ଏହାରି ଭିତରେ ଖବର ଆସୁଛି ଯେ, ବିରୋଧି ଦଳ ଏକାଠି ହୋଇ ଆସନ୍ତା ସପ୍ତାହରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିପାରନ୍ତି । ପେଗାସସ ଓ କୃଷି ଆଇନକୁ ନେଇ ବଡ଼ ବିତର୍କ ଲାଗି ବିରୋଧି ଦଳ ଲଗାତର ଭାବେ ଦାବି କରି ଆସୁଛନ୍ତି । ଅନ୍ୟପକ୍ଷରେ ସରକାରଙ୍କ କହିବା ହେଉଛି ଜନହିତ ସହିତ ଜଡ଼ିତ ଯେକୌଣସି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଅଛୁ ।

ସୂଚନା ଅନୁସାରେ ଅବିଶ୍ୱାସ ପ୍ରସ୍ତାବ ଆଣିବାର ଉପକ୍ରମ ତୃଣମୂଳ କଂଗ୍ରେସ,ଡିଏମକେ ଓ କଂଗ୍ରେସ ତରଫରୁ ହେବ । ଏହି ଉଦ୍ୟମରେ ଅନ୍ୟ ଦଳ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ବିରୋଧୀଙ୍କ ଦାବି ଯେ, ପେଗାସସ ସହିତ ଟିକା ଓ ଅନ୍ୟ ପ୍ରସଙ୍ଗ ଉପରେ ସରକାରଙ୍କୁ ନୋଟିସ ଦିଆଯାଇଛି କିନ୍ତୁ ସରକାର ବିରୋଧି ଦଳଙ୍କ ଦାବି ଉପରେ କୌଣସି ପ୍ରକାରର ଧ୍ୟାନ ଦେଉ ନାହାନ୍ତି । ସୂଚନାଯୋଗ୍ୟ ଯେ, ମୌସୁମୀ ଅଧିବେଶନ ୧୯ ଜୁଲାଇରୁ ଆରମ୍ଭ ହୋଇଛି ।

ଟିଏମସି ସାଂସଦ ଡେରିକ ଓ ବ୍ରାଏନ ସଂସଦର ଅଚଳାବସ୍ଥା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ଏହାରି ଭିତରେ ତୃଣମୂଳ କଂଗ୍ରେସର ଜଣେ ସାଂସଦ ଶାନ୍ତନୁ ସେନଙ୍କୁ ନିଲମ୍ବିତ କରାଯାଇଛି । ଅନ୍ୟପକ୍ଷରେ ଶାସକ ଦଳର ଅଭିଯୋଗ ଯେ, ବିରୋଧି ସଂସଦକୁ ଚଳାଇ ଦେଉନାହାନ୍ତି । ଦୁଇ ପକ୍ଷ ମଧ୍ୟରେ ଏବେ ବିଭିନ୍ନ ପ୍ରସଙ୍ଗକୁ ନେଇ ଟଣାଓଟରା ଜାରି ଥିବା ବେଳେ ଯଦି ଆସନ୍ତା ସପ୍ତାହରେ ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଅଣାଯାଏ ତେବେ ଗୃହ ଅବସ୍ଥା ନିଶ୍ଚିତ ଭାବେ ଉତ୍ତେଜନାପୂର୍ଣ୍ଣ ରହିବ ।

ଏଥିସହିତ ପଢ଼ନ୍ତୁ: କଳାହାଣ୍ଡି ଗସ୍ତରେ ୫-ଟି ସଚିବ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କରୁଛନ୍ତି ସମୀକ୍ଷା

ରାଜଧାନୀ ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ: ଆଜିଠାରୁ ବନ୍ଦ ହେବ ଡ୍ରାଇଭ୍ ଇନ୍ ଭ୍ୟାକ୍ସିନ୍ ସେଣ୍ଟର

ଭୁବନେଶ୍ୱର: ରାଜଧାନୀରେ ହେଲା ଶତ ପ୍ରତିଶତ ଟିକାକରଣ । ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ ପୂରଣ ହୋଇଛି । ବିଭିନ୍ନ ବର୍ଗରେ ମୋଟ ୯ଲକ୍ଷ ୭ହଜାର ଲୋକଙ୍କୁ ଦୁଇଟି ଡୋଜ ହିସାବରେ ୧୮ଲକ୍ଷ ୧୪ହଜାର ଡୋଜ ଦେବାକୁ ରହିଥିଲା ଲକ୍ଷ୍ୟ । ଗତକାଲି ସୁଦ୍ଧା ୧୮ଲକ୍ଷ ୩୫ହଜାର ୯୦୩ ଡୋଜ ଟିକା ଦିଆଯାଇଛି । ସେଥିମଧ୍ୟରୁ ୧୦ଲକ୍ଷ ୫୯ହଜାର ୭୫୩ ଜଣ ପ୍ରଥମ ଡୋଜ ନେଇସାରିଛନ୍ତି । ୭ଲକ୍ଷ ୭୬ହଜାର ୧୫୦ଜଣ ଉଭୟ ଡୋଜ ଟିକା ନେଇ ସାରିଛନ୍ତି । ତେବେ ଭୁବନେଶ୍ୱରରେ କୋଭକ୍ସିନ ଟିକା ଦିଆଯାଉଥିବା ବେଳେ ଏଠାରେ ଟିକାର ଅଭାବ ନାହିଁ । ବର୍ତ୍ତମାନ ମଧ୍ୟ ସମସ୍ତ ଟିକା କେନ୍ଦ୍ର ଖୋଲା ରହିଛି । ଭୁବନେଶ୍ୱର ରାଜଧାନୀ ହୋଇଥିବାରୁ ଏଠାକୁ ଦୈନିକ ବାହାରୁ ଅନେକ ଲୋକ ଆସନ୍ତି । ଟିକା ପାଇଁ କାହାକୁ ମନା କରାଯାଇପାରିବ ନାହିଁ । ଭୁବନେଶ୍ୱରବାସୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଇଛି । ବର୍ତ୍ତମାନ ବାହାରର ଲୋକଙ୍କୁ ମଧ୍ୟ ଟିକା ଦିଆଯାଉଥିବା କହିଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।

ଅନ୍ୟପକ୍ଷରେ ଆଜି ଠାରୁ ବନ୍ଦ ହେବ ଭୁବନେଶ୍ୱରର ସମସ୍ତ ୧୦ଟି ଯାକ ଡ୍ରାଇଭ ଇନ ଭେକ୍ସିନ ସେଣ୍ଟର ।  ଭୁବନେଶ୍ୱରର ବିଭିନ୍ନ ମଲ ଓ ଘରୋଇ ଅନୁଷ୍ଠାନରେ ଖୋଲା ଯାଇଥିଲା ଏହି କେନ୍ଦ୍ର । ଭୁବନେଶ୍ୱରରେ ମୋଟ ୫୫ଟି ଟିକା କେନ୍ଦ୍ରରେ ଟିକାଦାନ ବ୍ୟବସ୍ଥା କରାଯାଇଛି । ୩୦ଟି ସରକାରୀ ହସ୍ପିଟାଲ ୧୫ଟି ମୋବିଲାଇଜେସନ ସେଣ୍ଟର ଓ ଡ୍ରାଇଭ ଇନ ଭେକ୍ସିନ କେନ୍ଦ୍ର ସାମିଲ । ଆସନ୍ତା କାଲି ଠାରୁ ୪୫ଟି କେନ୍ଦ୍ରରେ ଜାରି ରହିବ ଟିକାକରଣ । ତେବେ ହାଇସ୍କୁଲ ଖୋଲି ଯାଇଥିବାରୁ ଭୁବନେଶ୍ୱରର ହାଇସ୍କୁଲ ଗୁଡିକରେ ଥିବା ଟିକା କେନ୍ଦ୍ରକୁ ସେଠାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ଶତ ପ୍ରତିଶତ ଟିକାକରଣ ସହିତ ଅନଲକ ଆଡକୁ ଆମେ ଯାଉଥିବାରୁ ତଥା ଟିକା ନେଇନଥିବା ଲୋକଙ୍କ ସଂଖ୍ୟା କମ ଥିବାରୁ ଏଭଳି ବ୍ୟବସ୍ଥା କରାଯାଇଥିବା କହିଛନ୍ତି ବିଏମସି ଜୋନାଲ ଡେପୁଟୀ କମିଶନର ଅଂଶୁମାନ ରଥ।

ଏଥିସହିତ ପଢ଼ନ୍ତୁ: ଦିନ ୩ଟା ୩୦ ମିନିଟରେ ଅଗଷ୍ଟ ଗାଇଡଲାଇନ୍ ଘୋଷଣା କରିବେ ଏସ୍ଆରସି: କୋହଳ ହୋଇପାରେ ଏହି ସବୁ ନିୟମ

ରାଉରକେଲା ଶିଶୁ ବିକ୍ରି ଘଟଣାରେ ୫ ଜଣ ମହିଳାଙ୍କୁ ରିମାଣ୍ଡରେ ଆଣିଲା ପୋଲିସ

ରାଉରକେଲା: ଶିଶୁ ବିକ୍ରି ରାକେଟର ସାତ ଜଣ ଗିରଫ ହେବା ଘଟଣା। ୫ଜଣ ମହିଳାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ଆରମ୍ଭ କଲା ପ୍ଲାଣ୍ଟ ସାଇଟ ଥାନା ପୋଲିସ । ବରିଷ୍ଠ ପୋଲିସ ଅଧିକାରୀ, ଶିଶୁ ମଙ୍ଗଳ କମିଟି ସଦସ୍ୟ ଓ ପ୍ଲାଣ୍ଟ ସାଇଟ ଥାନା ପୋଲିସ ପକ୍ଷରୁ ପଚରାଉଚରା ଜାରି । ଆଜି ଓ ଆସନ୍ତାକାଲି ପାଇଁ ଦୁଇ ଦିନିଆ ରିମାଣ୍ଡରେ ଆଣି ପୋଲିସ ପକ୍ଷରୁ ପଚରାଉଚରା ଆରମ୍ଭ କରିଛି । ଦେଢ ବର୍ଷର ଜଣେ ଶିଶୁକୁ ବିକ୍ରି କରାଯାଇଥିବା ଗତ ୨୬ ତାରିଖ ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପାଞ୍ଚ ଜଣ ମହିଳା ଓ ଦୁଇ ଜଣ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ । ରାଉରକେଲା ସହରରୁ ୨୫ରୁ ଅଧିକ ଶିଶୁଙ୍କୁ ବିକ୍ରୀ କରାଯାଇଥିବା ଓ ୨୧ ଜଣ ଶିଶୁ ନିଖୋଜ ଅଛନ୍ତି। ଆଜି ପୋଲିସର ଦୁଇଟି ସ୍ବତନ୍ତ୍ର ଟିମ ରାଜ୍ୟ ବାହାରକୁ ତଦନ୍ତ ପାଇଁ ଯିବେ।

ଏଥିସହି ପଢ଼ନ୍ତୁ: ରାଉରକେଲାରୁ ରାଜ୍ୟ ବାହାରେ ବିକ୍ରି ହେଉଥିଲା, ଶିଶୁ କନ୍ୟା ବାବଦକୁ ୮୦ ହଜାର ଓ ଶିଶୁପୁତ୍ରକୁ ୪ ଲକ୍ଷ ଟଙ୍କା

 

ଦିନ ୩ଟା ୩୦ ମିନିଟରେ ଅଗଷ୍ଟ ଗାଇଡଲାଇନ୍ ଘୋଷଣା କରିବେ ଏସ୍ଆରସି: କୋହଳ ହୋଇପାରେ ଏହି ସବୁ ନିୟମ

ଭୁବନେଶ୍ୱର: ଅଗଷ୍ଟ ମାସର ନୂଆ ଗାଇଡଲାଇନ ନେଇ ଏସଆରସି ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ସୂଚନା ଦେବେ । ଦିନ ୩ଟା ୩୦ରେ ଉଦବୋଧନ ଦେବେ ପ୍ରଦୀପ ଜେନା । ଆସନ୍ତାକାଲିଠୁ ରାଜ୍ୟରେ କିପରି ରହିବ କରୋନା କଟକଣା । ନିୟମରେ ଆହୁରି କୋହଳ ହେବ ନା ତୃତୀୟ ଲହରକୁ ଦୃଷ୍ଟିରେ ରଖି କଟକଣା ଜାରି ରହିବ । ଏସବୁ ଉପରେ ଆଜି ଘୋଷଣା କରିବେ ଏସଆରସି । ଏ-କ୍ୟାଟେଗୋରୀରେ ଥିବା ୨୦ଟି ଜିଲ୍ଲାରେ କଟକଣା ଆହୁରି କୋହଳ ହୋଇପାରେ । କଟକ, ଭୁବନେଶ୍ୱର, ପୁରୀକୁ ଛାଡି ବି-କ୍ୟାଟେଗୋରୀର ଅନ୍ୟ ଜିଲ୍ଲାରେ କଟକଣା କୋହଳ କରାଯିବ । ନୂଆ ଗାଇଡଲାଇନରେ ଏ-କ୍ୟାଟେଗୋରୀର ୨୦ଟି ଜିଲ୍ଲାରେ ମଲ୍, ସିନେମା ହଲ୍, ମନ୍ଦିର ଓ ଧର୍ମସ୍ଥଳୀ ଖୋଲିବା ପାଇଁ ଅନୁମତି ଦିଆଯାଇପାରେ । ସେହିପରି ସ୍ବାଭାବିକ ଭାବେ ସକାଳୁ ରାତି ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲିବ । କିନ୍ତୁ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯିବ । ସେହିପରି ବି-କ୍ୟାଟେଗୋରୀ ଜିଲ୍ଲାରେ ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ସାପ୍ତାହିକ ସଟ୍‌ଡାଉନ ହଟାଯାଇ କେବଳ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିପାରେ ।
ଅନ୍ୟପକ୍ଷରେ ସବୁ ଦିଗକୁ ବିଚାର କରି ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଯେଉଁଠି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେଠି ସର୍ଭିଲାନ୍ସକୁ ଅଧିକ ତ୍ୱରାନ୍ୱିତ କରାଯିବ । ଯଦିଓ କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ବଢି ନାହିଁ । ପ୍ରତ୍ୟେକ ଦିନ ତଳ-ଉପର ହେଉଛି ସଂକ୍ରମିତଙ୍କ ସଂଖ୍ୟା । ତେଣୁ ଆମକୁ ସତର୍କ ହୋଇ ରହିବାକୁ ପଡ଼ିବ । କଟକ,ଖୋର୍ଦ୍ଧା ଓ ଜଗତସିଂହପୁର ଭଳି ଜିଲ୍ଲାରେ ଅଧିକ ରହୁଛି ସଂକ୍ରମଣ । କେରଳରେ ସଂକ୍ରମଣ ସଂଖ୍ୟା ବଢିବା ଆମ ପାଇଁ ସତର୍କ ଘଣ୍ଟି । ପ୍ରତି ପାଣ୍ଡେମିକରେ ଲହର ଆସେ ମାତ୍ର ଏହି ପାଣ୍ଡେମିକରେ ମ୍ୟୁଟାଣ୍ଟ ହେଉଥିବାରୁ ଲହର ପ୍ରଭାବ ଯେତେ କମ ପଡ଼ିବା କଥା ହେଉନି । ସିଭିୟରିଟି ରହୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଏଥିସହିତ ପଢ଼ନ୍ତୁ: ଭାଙ୍ଗିଲା ଇନ୍ଦ୍ରାବତି ମେଗା ଲିଫ୍ଟ କେନାଲ ବନ୍ଧ: ଶହ ଶହ ହେକ୍ଟର ଜମି ଜଳାର୍ଣ୍ଣବ

ମହିଳା ଖେଳାଳି ଭାବେ ଅଲିମ୍ପିକ୍ସ ପ୍ରଥମ ଥର ପାଇଁ ହ୍ୟାଟ୍ରିକ ଗୋଲ ସ୍କୋର କଲେ ବନ୍ଦନା କାଟାରିଆ

ଟୋକିଓ ଅଲିମ୍ପିକ୍ସରେ ମହିଳା ହକି ଟିମ୍‌ର ଦମଦାର ପ୍ରଦର୍ଶନ । ଶେଷ ପୁଲ୍‌ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କଲା ଭାରତୀୟ ମହିଳା ହକି ଟିମ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ପରେ ଭାରତୀୟ ମହିଳା ହକି ଟିମର କ୍ୱାର୍ଟର ଫାଇନାଲ୍ ଆଶା ଉଜ୍ଜୀବିତ ହୋଇଛି । ସନ୍ଧ୍ୟାରେ ଗ୍ରେଟ ବ୍ରିଟେନ ଓ ଆୟରଲାଣ୍ଡ ମ୍ୟାଚରେ ଆୟରଲାଣ୍ଡ ପରାସ୍ତ ହେଲେ କିମ୍ବା ସେହି ମ୍ୟାଚ ଡ୍ର’ ରହିଲେ ଭାରତ କ୍ୱାର୍ଟର ଫାଇନାଲ୍ ଯିବା ପକ୍କା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଲମ୍ପିକର ଶେଷ ପୁଲ ମ୍ୟାଚରେ ଭାରତୀୟ ଖେଳାଳି ବନ୍ଦନା କଟାରିଆ ହ୍ୟାଟ୍ରିକ୍ ଗୋଲ କରିଛନ୍ତି । ମହିଳା ଭାରତୀୟ ଖେଳାଳି ହିସାବରେ କୌଣସି ଖେଳାଳି ଅଲିମ୍ପିକ୍ସରେ ହ୍ୟାଟ୍ରିକ ଗୋଲ ଦେବାରେ ବନ୍ଦନା ପ୍ରଥମ ଖେଳାଳି ଭାବେ ଇତିହାସ ରଚିଲେ ।ଏହା ପୂର୍ବରୁ କୌଣସି ଭାରତୀୟ ଖେଳାଳି ଅଲମ୍ପିକରେ ହ୍ୟାଟ୍ରିକ୍ ଗୋଲ ଦେଇନାହାନ୍ତି ।

ଅପରପକ୍ଷରେ ଭାରତୀୟ ମହିଳା ଡିସକସ୍ ଥ୍ରୋ ଖେଳାଳି କମଲପ୍ରୀତ କୌର ଫାଇନାଲରେ ପ୍ରବେଶ କରିଛନ୍ତି । ଡିସକସ ଥ୍ରୋରେ ପ୍ରଥମ ସଟ୍‌ରେ ୬୪ ମିଟର ଏବଂ ଦ୍ୱିତୀୟରେ  ୬୩.୯୭ମିଟର ଥ୍ରୋ କଲାପରେ ତାଙ୍କୁ ସିଧାସଳଖ ଫାଇନାଲ ଟିକେଟ୍ ମିଳିଛି । ଗ୍ରୁପ୍ ବି ପର୍ଯ୍ୟାୟ ମ୍ୟାଚରେ ପ୍ରଥମ ସ୍ଥାନରେ ରହିଛନ୍ତି ୟୁନାଇଟାଇଡେ ଷ୍ଟେଟ୍‌ର ଭି. ଅଲମନ । ଅଲମନ୍ ୬୬.୪୨ ମିଟର ଥ୍ରୋ କରି ପ୍ରଥମ ସ୍ଥାନରେ ଥିବା ବେଳେ ଭାରତର କମଲପ୍ରୀତ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେପଟେ ସୀମା ପୁନିଆ ଅଲିମ୍ପିକ୍ସରୁ ବାହାରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଭାଙ୍ଗିଲା ଇନ୍ଦ୍ରାବତି ମେଗା ଲିଫ୍ଟ କେନାଲ ବନ୍ଧ: ଶହ ଶହ ହେକ୍ଟର ଜମି ଜଳାର୍ଣ୍ଣବ

ଭାଙ୍ଗିଲା ଇନ୍ଦ୍ରାବତି ମେଗା ଲିଫ୍ଟ କେନାଲ ବନ୍ଧ: ଶହ ଶହ ହେକ୍ଟର ଜମି ଜଳାର୍ଣ୍ଣବ

ଧର୍ମଗଡ଼:  ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧ ଭାଙ୍ଗିଲା । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଅନ୍ତର୍ଗତ ମାଝିଗୁଡ଼ା ନିକଟରେ ଭାଙ୍ଗି ଯାଇଛି କେନାଲ ବନ୍ଧ। ଫଳରେ ଏଠାରେ ପ୍ରାୟ ୧୦ ଫୁଟର ଘାଇ ସୃଷ୍ଟି ହୋଇଥିବା ବେଳେ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି ।  ଚଳିତ ବର୍ଷ ଠାରୁ ଇନ୍ଦ୍ରାବତୀରୁ ପ୍ରଥମ ଥର ପାଇଁ ଉଠା ଜଳସେଚନରେ କୋକସରା ଓ ଧର୍ମଗଡ଼ ବ୍ଲକର ଅଣଜଳସେଚିତ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ପାଣି ଛଡ଼ା ଯାଇଥିଲା। ହେଲେ ପ୍ରଥମ ଜଳ ନିଷ୍କାସନରେ ହିଁ ଭାଙ୍ଗିଗଲା କେନାଲ ବନ୍ଧ ।  ଗତକାଲି ରାତିସାରା କେନାଲରେ ମାତ୍ରାଧିକ ଜଳ ଛଡ଼ା ଯିବା ଯୋଗୁଁ ତଥା ନିମ୍ନମାନର କାମ ଯୋଗୁ କେନାଲ ବନ୍ଧ ଭାଙ୍ଗି ଯାଇଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନିକଟସ୍ଥ ସମସ୍ତ ଚାଷ ଜମିରେ ଧାନ ବୁଣା ଓ ରୁଆ ସରିଥିବାରୁ ସମସ୍ତ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ସେମାନେ କହିଛନ୍ତି। ଚାଷୀମାନେ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

ଏଥିସହିତ ପଢ଼ନ୍ତୁ: ସାର’ର ମାସିକ କୋଟା ପ୍ରଦାନ ସହ ବକେୟା କୋଟା ପ୍ରଦାନ ପାଇଁ କେନ୍ଦ୍ର ରସାୟନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି