spot_img
Home Blog Page 5504

ପାହାଡ଼ ଉପରୁ ପାଣି ଆଣିଲେ ଝରଣ ଗ୍ରାମବାସୀ

ଦିଗପହଣ୍ଡି: ନିଜ ଚେଷ୍ଟାରେ ଗାଁକୁ ପାଣି ଆଣିଲେ ଗ୍ରାମବାସୀ । ପାହାଡ଼ ଉପରୁ ପାଇପ ପକାଇ ଘର ଦୁଆରେ ପାଣି ପାଉଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଝରଣ ଗାଁର ଲୋକ । ପ୍ରତ୍ୟେକ ଲୋକ ଟଙ୍କା ଖର୍ଚ୍ଚ କରି ନିଆରା ପ୍ରୟାସ କରିଛନ୍ତି । ଗାଁରେ ବର୍ଷ ବର୍ଷ ଧରି ପାନୀୟଜଳ ସମସ୍ୟା ଲାଗି ରହିଥିବା ବେଳେ ନିଜ ପ୍ରଚେଷ୍ଟାରେ ଏବେ ସମସ୍ୟାର ସମାଧାନ କରିଛନ୍ତି ଗ୍ରାମବାସୀ । ନିଜେ କଲେ ନିଜ ସମସ୍ୟାର ସମାଧାନ । ଶୁଣିଲାନି ପ୍ରଶାସନ, ଅଣ୍ଟା ଭିଡିଲେ ଗ୍ରାମବାସୀ । ଦୁଆରେ ପହଞ୍ଚିଲା ଝରଣା ପାଣି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଝରଣ ଗାଁରେ ପିଇବା ପାଣିର ସମସ୍ୟା ବର୍ଷବର୍ଷ ଧରି ଲାଗି ରହିଥିଲା । ପ୍ରଶାସନ ପାଖରେ ବାରମ୍ବାର ଗୁହାରି ପରେ ବି ହେଉନଥିଲା ସମାଧାନ । ଶେଷରେ ନିଜେ ପ୍ରୟାସ କଲେ ଗ୍ରାମବାସୀ । ପାହାଡ ଉପରୁ ପାଇପ ପକାଇ ଗାଁକୁ ଝରଣା ପାଣି ଆଣିଛନ୍ତି । ବିନା ପମ୍ପ ଓ ବିଦ୍ୟୁତରେ ଗାଁକୁ ପାଣି ଆସୁଛି । ଏଥିପାଇଁ ପାହାଡ ଉପରେ ନିର୍ମାଣ ହୋଇଛି ତିନିଟି କୁଣ୍ଡ । ପାହାଡ ଉପରୁ ପାଣି ଆସି ଟାଙ୍କିରେ ରହି ଲୋକଙ୍କୁ ପାଖରେ ସବୁ ସମୟରେ ଉପଲବ୍ଧ ହେଉଛି । ଉଦ୍ୟମ ବଳରେ ଏଭଳି ସଫଳତା ପାଇଛନ୍ତି ଗାଁ ଲୋକ । ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।

ଘରୋଇ ହସ୍ପିଟାଲରେ ଟିକାକରଣ ବନ୍ଦ: ଉତ୍ପାଦନକାରୀ କମ୍ପାନୀଠାରୁ କିଣିପାରିବେ ଟିକା

ଭୁବନେଶ୍ୱର: ତୃତୀୟ ଲହର ଆସିବା ପୂର୍ବରୁ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବା ପାଇଁ ଲକ୍ଷ୍ୟ ରଖିଛୁ । ଗତକାଲି ୧୬୧୩ଟି ଟିକାକରଣ କେନ୍ଦ୍ରରେ ୩ ଲକ୍ଷ ୩୨ହଜାର ୭୧୭ ଜଣଙ୍କୁ ଟିକାକରଣ କରାଯାଇଛି । ରାଜ୍ୟରେ ଆଜି ସୁଦ୍ଧା ୧ କୋଟିରୁ ଅଧିକ ଟିକାକରଣ ହୋଇଛି । ରାଜ୍ୟର ବର୍ତ୍ତମାନ କୋଭିସିଲ୍ଡ ଟିକା ୬ ଲକ୍ଷ ୯୮ହଜାର ଓ କୋଭାକ୍ସିନ ଟିକା ୪ ଲକ୍ଷ ୩୦ ହଜାର ମହଜୁଦ ରହିଛି । ଆଜି ମଧ୍ୟ ୧ ଲକ୍ଷ ୭୪ ହଜାର ୪୬୦ କୋଭିସିଲ୍ଡ ଟିକା ପହଞ୍ଚିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଏଥିସହିତ କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ଟିକାକରଣ ନୀତି ଲାଗୁ ହେବା ପରେ ଘରୋଇ ହସ୍ପିଟାଲ ଗୁଡିକ ସର୍ଭିସ ଚାର୍ଜ ନେଇ ଦେଉଥିବା ଟିକାକୁ ବନ୍ଦ କରି ଦିଆଯାଇଛି । ଘରୋଇ ହସ୍ପିଟାଲ ଗୁଡିକ ଚାହିଁଲେ ଆଜି ଠୁ ସିଧାସଳଖ ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନୀ ଠୁ ଟିକା କିଣି ଦେଇପାରିବେ । ସରକାର ଯେଉଁ ଦର ଧାର୍ଯ୍ୟ କରିଛନ୍ତି ସେହି ଦର ଅନୁଯାୟୀ ଟିକାକରଣ କରିବେ । କୋଭିସିଲ୍ଡ ଟିକା ୭୮୦ ଟଙ୍କା ଓ କୋଭାକ୍ସିନ ଟିକା ୧୪୧୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହି ଦର ଅନୁଯାୟୀ ସେମାନେ ଟିକାକରଣ କରି ପାରିବେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ମିଜୋରାମ ମନ୍ତ୍ରୀଙ୍କ ଅଜବ ଘୋଷଣା: ସର୍ବାଧିକ ସନ୍ତାନ ଥିବା ଅଭିଭାବକଙ୍କୁ ମିଳିବ ୧ ଲକ୍ଷ ଟଙ୍କା

ବୈତରଣୀ ନଦୀ ପଠାରୁ ହଳଦିଆ ରଙ୍ଗର କଇଁଛ ଉଦ୍ଧାର

ଭଦ୍ରକ: ବୈତରଣୀ ନଦୀପଠାରୁ ହଳଦିଆ ରଙ୍ଗର କଇଁଛ ଉଦ୍ଧାର । ଭଦ୍ରକ ଜିଲ୍ଲା ଓରାସାହି ପଞ୍ଚାୟତ କସ୍ତୁରୀକଣ ଗାଁର ବୈତରଣୀ ନଦୀ ପାଖ ରାସ୍ତାରେ କଇଁଛଟିକୁ ଉଦ୍ଧାର କରାଯାଇଛି । ସେହି ଅଞ୍ଚଳର ଜଣେ ଯୁବକ ରାତିରେ ଘରକୁ ଫେରୁଥିବା ସମୟରେ କଇଁଛଟିକୁ ଧରିଥିଲେ । କଇଁଛଟିର ଓଜନ 2 କିଲୋରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏହି ବିରଳ କଇଁଛ ବାତ୍ୟା ୟାସ ଯୋଗୁ ସମୁଦ୍ରରୁ ନଦୀକୁ ଚାଲିଆସିଥିବା ଅନୁମାନ କରାଯାଉଛି । ତେବେ କଇଁଛଟିକୁ ପୁଣି ନଦୀରେ ଛାଡ଼ି ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ୨୪ ଘଣ୍ଟାରେ ଆଉ ୨ହଜାର ୯୫୭ ସଂକ୍ରମିତ ଚିହ୍ନଟ

ସର୍ଚ୍ଚ ଅପରେସନ୍ ବେଳେ ୨ ଟିଫିନ୍ ବୋମା ଜବତ କଲେ ଯବାନ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଓ ଏସଓଜିର ସର୍ଚ୍ଚ ଅପରେସନ । ସର୍ଚ୍ଚ ଅପରେସନ ବେଳେ ୨ଟି ଟିଫିନ ବୋମା ଉଦ୍ଧାର କରିଛନ୍ତି ଯବାନ । ସ୍ୱାଭିମାନ ଅଞ୍ଚଳର କେନ୍ଦୁଗୁଡା ଗାଁରୁ ଏହି ଟଫିନ୍‌ ବୋମା ଉଦ୍ଧାର କରାଯାଇଥିବା ବେଳେ, ଏହାର ଓଜନ ୨.୫ କେଜି ଥିବା ଜଣାପଡ଼ିଛି । ଯବାନ ମାନେ କମ୍ବିଂ କରୁଥିବା ସମୟରେ ଯାଜପଲମ କେନ୍ଦୁଗୁଡା ରାସ୍ତାରେ ଏହି ଟିଫିନ ବୋମା ପୋତା ଯାଇଥିଲା । ଯାହାକୁ ଯବାନ ମାନେ ଉଦ୍ଧାର କରିଥିଲେ । ବୋମା ଦୁଇଟିକୁ ଉଦ୍ଧାର ପରେ ଜଙ୍ଗଲରେ ନିଷ୍କ୍ରିୟ କରିଛନ୍ତି ଯବାନ । ଏହି ବୋମା ମାଓବାଦୀଙ୍କ ଦ୍ଵାରା ଲଗାଯାଇଥିବା ଅନୁମାନ କରାଯାଉଛି । ଏବଂ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ଏଥିସହିତ ପଢ଼ନ୍ତୁ:୨୪ ଘଣ୍ଟାରେ ଆଉ ୨ହଜାର ୯୫୭ ସଂକ୍ରମିତ ଚିହ୍ନଟ

ଦେଶରେ ୪୨ ହଜାର ୬୪୦ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨ହଜାର ୬୪୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ  ହଜାରେ ୧୬୭ଜଣଙ୍କ ଜୀବନ ନେଇଛି ମହାମାରୀ । ଗତ ୯୧ ଦିନରେ ୫୦ହଜାରରୁ କମ୍ ମାମଲା ଆସିଥିବା ଦେଖିବାକୁ ମିଳିଛି  । ସେହିପରି ଆକ୍ଟିଭ୍‌ କେସ୍‌ ରହିଛି ୬ ଲକ୍ଷ ୬୨ ହଜାର ୫୨୧ ।

ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ୨ କୋଟି ୮୯ ଲକ୍ଷ ୨୬ ହଜାର ୩୮ଜଣ ଆକ୍ରନ୍ତ ସୁସ୍ଥ ହୋଇସାରିଥିବା ବେଳେ ଗତ ୨୪ ଘଣ୍ଟାରେ ୮୧ହଜାର ୮୪୯ ଜଣ ସୁସ୍ଥ ହୋଇଛନ୍ତି  । ଦେଶରେ ଆରୋଗ୍ୟ ହାର ୯୬.୪୯% କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଟିକାକରଣ ୨୮କୋଟି  ୮୭ଲକ୍ଷ ୬୬ହଜାର ୨୦୧ ହୋଇଛି  ।

ଦେଶରେ ଲଗାତାର ୪୦ ଦିନ ହେବ କରୋନା ସଂକ୍ରମଣର ନୂଆ ମାମଲା ଅପେକ୍ଷା ଅଧିକ ସୁସ୍ଥତା ହାର ବୃଦ୍ଧି ପାଇଛି । ଜୁନ୍ ୨୧ ପର୍ଯ୍ୟନ୍ତ ସାରା ଦେଶରେ ୨୮ କୋଟି ୮୭ ଲକ୍ଷ କରୋନା ଟିକା ଦିଆଯାଇଛି । ଗତ ଦିନରେ ରେକର୍ଡ ୮୬ ଲକ୍ଷ ୧୬ ହଜାର ଟିକା ଦିଆଯାଇଥିଲା । ଏଥି ସହିତ ଏପର୍ଯ୍ୟନ୍ତ ୩୯ କୋଟିରୁ ୪୦ ଲକ୍ଷ କରୋନା ପରୀକ୍ଷା କରାଯାଇଛି । ଗତ ଦିନରେ ପ୍ରାୟ ୧୬ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ସଂକ୍ରମଣ ହାର ୩ ପ୍ରତିଶତରୁ ଅଧିକ |

ମିଜୋରାମ ମନ୍ତ୍ରୀଙ୍କ ଅଜବ ଘୋଷଣା: ସର୍ବାଧିକ ସନ୍ତାନ ଥିବା ଅଭିଭାବକଙ୍କୁ ମିଳିବ ୧ ଲକ୍ଷ ଟଙ୍କା

ଦୁଇଟି ସନ୍ତାନ ଥିବା ପରିବାର ଲାଗି ପ୍ରୋତ୍ସାହନ ଯୋଜନା ଘୋଷଣା କରିଛନ୍ତି ଆସାମ ସରକାର । କିନ୍ତୁ ମିଜୋରାମରେ ଭିନ୍ନ ଘୋଷଣା କରିଛନ୍ତି ଜଣେ ମନ୍ତ୍ରୀ । କହିଛନ୍ତି ତାଙ୍କ ନିର୍ବାଚନମଣ୍ଡଳୀରେ ସର୍ବାଧିକ ସନ୍ତାନ ଥିବା ପିତାମାତାକୁ ମିଳିବ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି । ମିଜୋ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି ଏହି ଘୋଷଣା କରିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ରବର୍ଟ ରୋମଓ୍ୱିଆ ରୋୟତେ । ତେବେ ନିଜ ଘୋଷଣାରେ ସେ ସର୍ବନିମ୍ନ ସନ୍ତାନଙ୍କ ସଂଖ୍ୟା ଉଲ୍ଲେଖ କରିନାହାନ୍ତି । ବିଭିନ୍ନ ରାଜ୍ୟ ସରକାର କମ୍ ସନ୍ତାନ ନେଇ ବିଭିନ୍ନ ଘୋଷଣା କରୁଥିବା ବେଳେ ମିଜୋରାମ ମନ୍ତ୍ରୀଙ୍କ ଏହି ଘୋଷଣା ଏବେ ଚର୍ଚ୍ଚାର କାରଣ ହୋଇଛି । ମନ୍ତ୍ରୀ କହିଛନ୍ତି, ଆଇଜଲ ଇଷ୍ଟ ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ସନ୍ତାନ ଥିବା ମହିଳା କିମ୍ବା ପୁରୁଷଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ । ଏହାସହ ସଂପୃକ୍ତ ବ୍ୟକ୍ତିଙ୍କୁ ଏକ ପ୍ରମାଣପତ୍ର ଓ ଏକ ଟ୍ରଫି ପ୍ରଦାନ କରାଯିବ । ହେଲେ ଏହି ପୁରସ୍କାର ରାଶି ରାଜ୍ୟ ପାଣ୍ଠିରୁ ପ୍ରଦାନ କରାଯିବ ନାହିଁ । ବରଂ ତାଙ୍କ ପୁତ୍ରଙ୍କ ଦ୍ବାରା ପ୍ରତିଷ୍ଠିତ ଏକ କନଷ୍ଟ୍ରକସନ କନସଲଟାନ୍ସି ଫାର୍ମରୁ ଏହି ଅର୍ଥ ପ୍ରଦାନ କରାଯିବ । ମିଜୋରାମରେ ମିଜୋ ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଏହା ଚିନ୍ତାର କାରଣ ହୋଇଛି । ଆଉ ମିଜୋ ଜନସଂଖ୍ୟା ବୃଦ୍ଧି କରିବା ଲାଗି ଏପରି ଚିନ୍ତା କରାଯାଇଛି । ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ମୋଟ ଜନସଂଖ୍ୟା ଥିଲା ୧୦ ଲକ୍ଷ ୯୧ ହଜାର ୧୪ ।

ଏଥିସହିତ ପଢ଼ନ୍ତୁ: କଂଗ୍ରେସକୁ ବାଦ ଦେଇ ମୋଦିଙ୍କ ବିରୋଧରେ ମେଣ୍ଟ ଚିନ୍ତା, ଶରଦଙ୍କ ଘରେ ମିଟିଂ

ରାଜ୍ୟରେ ରେକର୍ଡ ସଂଖ୍ୟକ ଟିକାକରଣ: ସମସ୍ତ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ସଂଖ୍ୟକ ଟିକାକରଣ । ଗୋଟିଏ ଦିନରେ ୩ ଲକ୍ଷ ୩୨ ହଜାରରୁ ଊର୍ଦ୍ଧ୍ୱ ଡୋଜ୍‌ର କରୋନା ଟିକା ଦିଆଯାଇଛି । ଏ ନେଇ ଟିକାକରଣରେ ନିୟୋଜିତ ସମସ୍ତ ଡାକ୍ତର, ନର୍ସ ଏବଂ କର୍ମଚାରୀଙ୍କ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିୟୋଜିତ କର୍ମଚାରୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ଗୋଟିଏ ଦିନରେ ୩ ଲକ୍ଷ ୩୨ ହଜାରରୁ ଊର୍ଦ୍ଧ୍ଵ ଟିକାକରଣ ସମ୍ଭବ ହୋଇଛି । ଆସନ୍ତୁ ଟିକାକରଣ ଓ ମାସ୍କ ପରିଧାନ ନେଇ ସଚେତନତାକୁ ଆହୁରି ବ୍ୟାପକ କରିବା ଏବଂ ନିଜ ତଥା ନିଜ ପରିବାର ସହ ସାରା ଦେଶକୁ କୋଭିଡ ସଂକ୍ରମଣରୁ ସୁରକ୍ଷିତ ରଖିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ୨୪ ଘଣ୍ଟାରେ ଆଉ ୨ହଜାର ୯୫୭ ସଂକ୍ରମିତ ଚିହ୍ନଟ

୨୪ ଘଣ୍ଟାରେ ଆଉ ୨ହଜାର ୯୫୭ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା । ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୨ହଜାର ୯୫୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୮ଜଣଙ୍କ ଜୀବନ ନେଇଛି ଭାଇରସ୍ । ଦିନକରେ ସୁସ୍ଥ ହୋଇଛନ୍ତି ୪ହଜାର ୫୮୭ । ୧୯ ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଶହେ ତଳେ ଥିବା ବେଳେ ଗ୍ରୀନଜୋନରେ ରହିଛି ୨୦ ଜିଲ୍ଲା । କ୍ବାରେଣ୍ଟାଇନରୁ ୧୬ଶହ୯୮, ଲୋକାଲ କେସ୍ ୧୨୫୯ । ଖୋର୍ଦ୍ଧାରୁ ସର୍ବାଧିକ ୪୦୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୭୨, ଯାଜପୁରରୁ ୨୬୦, ବାଲେଶ୍ବରରୁ ୨୪୭, ପୁରୀରୁ ୨୧୯, ଭଦ୍ରକରୁ ୧୯୨, ମୟୂରଭଞ୍ଜରୁ ୧୩୫, କେନ୍ଦ୍ରାପଡାରୁ ୧୧୬, ନୟାଗଡ଼ରୁ ୧୧୨, ଅନୁଗୁଳରୁ ୧୧୦, ଜଗତସିଂହପୁରରୁ ୧୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୭୦, ରାୟଗଡ଼ାରୁ ୬୩, କୋରାପୁଟରୁ ୬୦, ସୁନ୍ଦରଗଡ଼ରୁ ୫୮, କେନ୍ଦୁଝରରୁ ୫୭, ମାଲକାନଗିରିରୁ ୫୬, କନ୍ଧମାଳରୁ ୫୧, ବୌଦ୍ଧରୁ ୪୭, ନବରଙ୍ଗପୁରରୁ ୪୫, ଢେଙ୍କାନାଳରୁ ୪୨, ବରଗଡ଼ରୁ ୪୧, କଳାହାଣ୍ଡିରୁ ୩୮, ବଲାଙ୍ଗୀରରୁ ୩୭, ସମ୍ବଲପୁରରୁ ୨୮, ସୋନପୁରରୁ ୨୫, ଗଜପତିରୁ ୨୪, ଗଞ୍ଜାମରୁ ୧୮, ଦେଓଗଡ଼ ଓ ନୂଆପଡାରୁ ୧୦ଜଣ ଲେଖାଏଁ, ଝାରସୁଗୁଡାରୁ ୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତହ୍କ ସଂଖ୍ୟା ୮ଲକ୍ଷ ୮୩ହଜାର ୪୯୦ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୮ଲକ୍ଷ ୪୪ହଜାର ୮୦୧ । ଆକ୍ଟିଭ କେସ୍ ୩୪ହଜାର ୯୬୫ରହିଛି ।

କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ନେଇ ଚର୍ଚ୍ଚା ମଧ୍ୟରେ ଦିଲ୍ଲୀ ଗସ୍ତରେ ଯିବେ ନୀତୀଶ କୁମାର

ପାଟଣା: ମଙ୍ଗଳବାର ଦିଲ୍ଲୀ ଗସ୍ତରେ ଯିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆଲୋଚନା ମଧ୍ୟରେ ନୀତୀଶଙ୍କ ଏଭଳି ଗସ୍ତକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ଯୋଡ଼ାଯାଉଛି । ଅପରପକ୍ଷରେ ତାଙ୍କର ଏଭଳି ଗସ୍ତକୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି ଦଳ ପକ୍ଷରୁ କୁହାଯାଇଛି । କିନ୍ତୁ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ସାକ୍ଷାତକାର କାର୍ଯକ୍ରମ ଥିବା ସୂଚନା ରହିଛି । ମୁଖ୍ୟତଃ ଆଗକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ସମ୍ପ୍ରସାରଣ ଆଶା ରାଖାଯାଉଥିବା ବେଳେ ସେଥରେ ନୀତୀଶଙ୍କ ଜେଡିୟୁ ସାମିଲ ହେବା ଘଟଣା ପ୍ରମୁଖ ଆଲୋଚ୍ୟ ବିଷୟ ହୋଇଛି । ମଙ୍ଗଳବାର ନୀତୀଶ ତାଙ୍କର ଚକ୍ଷୁ ଚିକିତ୍ସା ପାଇଁ ଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ମନ୍ତ୍ରିମଣ୍ଡଳରେ କିଏ ରହିବ ବା ଯିବ, ତାହା ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ଭର କରେ । ସୁତରାଂ ଏଥିରେ ନୀତୀଶଙ୍କର କୌଣସି ଭୂମିକା ନାହିଁ ବୋଲି ଜେଡିୟୁ ସାଂସଦ ଲାଲନ୍ ସିଂହ ସଫେଇ ଦେଇଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀ ମୋଦି ୨୦୧୯ରେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ପରଠାରୁ ଏନ୍‌ଡିଏ ସହଯୋଗୀ ଜେଡିୟୁର ୧୬ ଜଣ ଲୋକସଭା ସାଂସଦ ଥାଇ ସୁଦ୍ଧା ନୀତୀଶଙ୍କ ଦଳ ଗତ ଦୁଇ ବର୍ଷ ହେଲା କେନ୍ଦ୍ରମନ୍ତ୍ରିମଣ୍ଡଳରୁ ଦୂରେଇ ରହିଛି । ଅପରପକ୍ଷ ନିକଟରେ ଚିରାଗ ପାଶ୍ୱାନଙ୍କ  ୬ ସାଂସଦ ବିଶିଷ୍ଟ ଲୋକଜନଶକ୍ତି ପାର୍ଟି ଏଲ୍‌ଜେପିରେ ୫ ଜଣ ବିଦ୍ରୋହ କରି ଦଳର ମୁଖ୍ୟ ପାଲଟିଥିବା ସଂସଦ ପଶୁପତି ପାରସ ଖୁବଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ସୁତରାଂ ନୀତୀଶଙ୍କ ଏହି ଗସ୍ତ ପଛରେ ତାଙ୍କ ଦଳକୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ଉଦ୍ଦେଶ୍ୟ ରହିଛି ବୋଲି ରାଜନୀତି ସମୀକ୍ଷକଙ୍କ ମତ ।

ସିବିଏସ୍‌ଇ ଓ ଆସିଏସ୍‌ଇ ମୂଲ୍ୟାୟନ ପଦ୍ଧତିକୁ ନେଇ ଆଜି ପୁଣି ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର: ସିବିଏସଇ ଓ ଆଇସିଏସଇର ଦ୍ୱାଦଶ ମୂଲ୍ୟାୟନ ପଦ୍ଧତିକୁ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ । ଏନେଇ ସୁପ୍ରିମକୋର୍ଟରେ ପହଞ୍ଚିଛି ମାମଲା । ଗତକାଲି କୋର୍ଟ ଏହାର ଶୁଣାଣି କରିଥିବା ବେଳେ ଆଜି ପୁଣି ଏହାର ଶୁଣାଣି ହେବ । ଛାତ୍ରଛାତ୍ରୀଙ୍କ କହିବା କଥା ଏହି ମୁଲ୍ୟାୟନ ପଦ୍ଧତିକୁ ବୁଝିବା ଭାରି କଷ୍ଟକର । ଏହା ଲାଗୁହେଲେ ଆଶା ଅନୁଯାୟୀ ନମ୍ବର ମିଳିବ ନାହିଁ । ତେଣୁ ସିବିଏସଇ ଓ ଆଇସିଏସଇର ଦ୍ୱାଦଶ ମୂଲ୍ୟାୟାନ ପଦ୍ଧତିକୁ ଖାରଜ କରି ଅଫଲାଇନରେ ପରୀକ୍ଷା କରାଯାଉ । କୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ସିବିଏସଇ ଓ ଆଇସିଏସଇକୁ ଛାତ୍ରଛାତ୍ରୀଙ୍କ ଆଶଙ୍କା ଦୁର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କରୋନା ସଂକ୍ରମଣକୁ ନଜରରେ ରଖି ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯାଇଥିଲା । ଏଥିସହ କେମିତି ମୁଲ୍ୟାୟନ ହେବ, ସେନେଇ ମଧ୍ୟ ଘୋଷଣା କରାଯାଇଛି । ତେବେ କରୋନା ସ୍ଥିତି ସୁଧୁରିଲେ ମାର୍କକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ପୁଣି ଥରେ ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଛି । କିନ୍ତୁ ଅନେକ ଛାତ୍ରଛାତ୍ରୀ ଏହି ପ୍ରକ୍ରିୟାରେ ଅସନ୍ତୁଷ୍ଟ ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: ଠକି ନେଲେ ପୋଷ୍ଟମାଷ୍ଟର, ଚଳୁକରି ଗଲେ ଜମାକାରୀଙ୍କ କୋଟିକୋଟି ଟଙ୍କା