spot_img
Home Blog Page 5505

ଦେଶରେ ୨୦ ଜଣଙ୍କ ଠାରେ ଚିହ୍ନଟ ହେଲାଣି ଡେଲ୍ଟା ପ୍ଳସ୍ ଭ୍ୟାରିଆଣ୍ଟ

ଭୁବନେଶ୍ୱର: ବିଶ୍ୱର ଅନେକ ଦେଶରେ ଦେଖାଦେଲାଣି ତୃତୀୟ ଲହର । ଭାରତରେ ମଧ୍ୟ ଥାର୍ଡ ଓ୍ୱେଭ୍ ଆସିବା ଆଶଙ୍କା ରହିଛି । ତୃତୀୟ ଲହର ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଡିଏମଇଟି ନିର୍ଦ୍ଦେଶକ କହିଛନ୍ତି । ଦେଶରେ ୨୦ ଜଣଙ୍କ ଠାରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଛି । ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି । ସଂକ୍ରମିତଙ୍କୁ ଆଇସୋଲେଟ୍ କରାଗଲେ ପ୍ରଭାବହୀନ ହେବ ଡେଲ୍‌ଟାପ୍ଲସ୍ । ହେଲେ ଆଶ୍ୱସ୍ତିକର କଥା, ଦ୍ୱିତୀୟ ଅପେକ୍ଷା ତୃତୀୟ ଲହରରେ ପ୍ରଭାବ କମ୍ ରହିବ । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ଷ୍ଟେରଏଡ ବ୍ୟବହାର କରାଯିବ । ଅତି ଜରୁରୀ ହେଲେ ହିଁ ରୋଗୀଙ୍କୁ ଷ୍ଟେରଏଡ ଦିଆଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ତେବେ ଅଧିକ ଟିକାକରଣ ହେଲେ ରାଜ୍ୟରେ ତୃତୀୟ ଲହର ସେତେଟା ଘାତକ ହେବନି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ମେ ଓ ଜୁନ୍ ମାସରେ ଆବଶ୍ୟକ ସାର ଦେଇନି କେନ୍ଦ୍ର, ଚିଠି ଲେଖିଲେ ଅରୁଣ ସାହୁ

 

ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ପାଇଁ ଜାରି ହେଲା ୧୪୪ ଧାରା, ଉପ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ

ପୁରୀ: ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ପାଇଁ ଜାରି ହେଲା ୧୪୪ ଧାରା । କରୋନାରେ ଜନ ସମାଗମକୁ ବାରଣ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଆସନ୍ତା ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ଅନ୍ୟ କାହାରିକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଲ୍ଲେଖ କରାଯାଇଛି ।

ସେପଟେ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ସ୍ନାନବେଦୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ବୁଲି ଦେଖିଛନ୍ତି । ଏ ଅବସରରେ ପୁରୀ ଏସପି କେ. ବିଶାଲ ସିଂ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ବଡଦାଣ୍ତର ମାର୍କେଟଛକ ଠାରୁ କାକୁଡିଖାଇ ଛକ, ମର୍ଚ୍ଚିକୋଟ ଲେନର ମର୍ଚ୍ଚିକୋଟଠାରୁ ଲବଣିଖିଆ ଛକ, ଜେନାରୀ ଗଛ ଛକ ଦେଇ ଲବଣିଖିଆ ଛକ ଠାରୁ ଦୋଳମଣ୍ତପ ସାହି, ଭୋଗଯାଗା ଏବଂ ଖୁଣ୍ଟିଆ ସାହି ଛକ ଦେଇ ଦୋଳ ମଣ୍ତପ ସାହି ଜହ୍ନିମୁଣ୍ତିଆ ଛକ ଠାରୁ ବାଲିସାହି, ବାଲିସାହିର କଦମ୍ବ ଗଡ ଛକ ଦେଇ ଖୁଣ୍ଟିଆ ସାହି ଛକଠାରୁ ସୁଦର୍ଶନ ଗେଷ୍ଟ ହାଉସ ଛକ ପର୍ଯ୍ୟନ୍ତ ବନ୍ଦ ରହିବ  ।

ସେହିପରି ବରାହୀ ଓ ପଞ୍ଚୁଆତି ଛକ ଦେଇ ସୁଦର୍ଶନ ଗେଷ୍ଟ ହାଉସ ଛକଠାରୁ ହରଚଣ୍ତି ସାହିର ମାଛ ହାଟ ଛକ, ଶୀତଳ ପିଣ୍ତା ଓ ବାରବାଟୀ ଯାଗା ବୈଠକୀ ପିଣ୍ତା ଦେଇ ମାଛହାଟ ଛକ ଠାରୁ ଲୋକନାଥ ରୋଡର ବୃଷଭ ଛକ, ବୃଷଭ ଛକ ଠାରୁ ଛପନ ଛକ, ମଙ୍ଗଲା ଘାଟ ମାଳିକା ଛକ, ବାଲି ସ୍କୁଲ ମିଶ୍ର ସାହି ଏବଂ ସାତ ବଖରା ଯାଗା ଦେଇ ପାଣ୍ତେ ଯାଗା, ପାଣ୍ତେ ଯାଗା ଠାରୁ ଚୁଡଙ୍ଗ ସାହି ୟୁପି ସ୍କୁଲ, ଚୁଡଙ୍ଗ ସାହି ଛକ, ବାନାମ୍ବର ଛକ, ଶନିମନ୍ଦିର ଏବଂ ଇଣ୍ତିଆନ ବ୍ୟାଙ୍କ ଛକ ଦେଇ ମର୍ଚ୍ଚିକୋଟ ଛକ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ।

ମେ ଓ ଜୁନ୍ ମାସରେ ଆବଶ୍ୟକ ସାର ଦେଇନି କେନ୍ଦ୍ର, ଚିଠି ଲେଖିଲେ ଅରୁଣ ସାହୁ

ଭୁବନେଶ୍ୱର: ମେ ଓ ଜୁନ୍ ମାସରେ ଆବଶ୍ୟକ ଅନୁଯାୟୀ ସାର ରାଜ୍ୟକୁ ଦେଇନାହିଁ କେନ୍ଦ୍ର । ଏଥିପାଇଁ ଆଜି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡ଼ାଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ କୋଟା ବାବଦରେ ଗତ ମେ ମାସରେ ୪୮ ହଜାର ୯୫୦ ମେଟ୍ରିକ୍ ଟନ୍‌ ୟୁରିଆ ମିଳିବାକୁ ଥିବାବେଳେ, ମିଳିଛି ୩୪ ହଜାର ୩୪୦ ମେଟ୍ରିକ୍ ଟନ୍ । ସେହିପରି ଜୁନ କୋଟା ବାବଦକୁ ୭୦ ହଜାର ୮୩୦ ମେଟ୍ରିକ୍ ଟନ୍‌ ମିଳିବାର ଥିଲା, କିନ୍ତୁ ମାତ୍ର ୧୮ ହଜାର ୬୯୦ ମେଟ୍ରିକ୍ ଟନ୍ ସାର ମିଳିଥିବା ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

ସେହିପରି ଡିଏପି, ଏମ୍‌ଓପି ଓ ଏନ୍‌ପିକେ ବାବଦରେ ଦୁଇ ମାସର କୋଟା ମିଶାଇ ୧ ଲକ୍ଷ ୯୨ ହଜାର ୫୦୦ ମେଟ୍ରିକ୍ ଟନ୍‌ ମିଳିବା କଥା । କିନ୍ତୁ ଏବେ ସୁଦ୍ଧା ମିଳିଛି ୯୩ ହଜାର ୨୨୪ ମେଟ୍ରିକ୍‌ ଟନ୍ । ଗତବର୍ଷ ଆବଣ୍ଟନ ଅନୁଯାୟୀ ସାର ନ ମିଳିବାରୁ ରାଜ୍ୟ ସରକାର ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏ ବର୍ଷ ମାସିକ ବକେୟା କୋଟା ରିଲିଜ କରିବା ସହିତ ଜୁନ୍‌ ଓ ଆସନ୍ତା ଦିନମାନଙ୍କରେ ସାର ଯୋଗାଣ ସୁନିଶ୍ଚିତ କରିବାକୁ କୃଷିମନ୍ତ୍ରୀ ଅରୁଣ ସାହୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ମହାରାଷ୍ଟ୍ରରେ ୨୧ ଜଣଙ୍କ ମଧ୍ୟରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ, ସ୍ପଷ୍ଟ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ କ୍ରମାଗତ ଭାବେ ଖସିବାରେ ଲାଗିଛି। ଏଭଳି ସମୟରେ କୋଭିଡ ୧୯ର ଡେଲଟା ପ୍ଲସ୍ ଭ୍ୟାରିଏଣ୍ଟ ଚିନ୍ତା ବଢାଇଛି । ପ୍ରାୟ ୨୧ ଜଣଙ୍କ ଶରୀରରେ କରୋନାର ନୂଆ ରୂପ ତଥା ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସ୍ପଷ୍ଟ କରିଛନ୍ତି ।

ଚିହ୍ନଟ ହୋଇଥିବା ୨୧ ଜଣଙ୍କ ମଧ୍ୟରେ ରତ୍ନଗିରିରୁ ୯ ଜଣ, ଜଳଗାଁରୁ ୭ ଜଣ, ମୁମ୍ବାଇରୁ ୨ ଜଣ ଓ ପାଲଘର, ଥାନେ ଏବଂ ସିନ୍ଧୁଦୁର୍ଗରୁ ଜଣେ ଲେଖାଏଁ ରହିଛନ୍ତି । କରୋନା ଭାଇରସର ଡେଲଟା ପ୍ଲସ୍ ଭାରିଆଣ୍ଟଟି B 1.617.2ର ପରିବର୍ତ୍ତନକୁ ନେଇ ଗଠିତ । ଭାରତରେ ଡେଲଟା ଫର୍ମ ପ୍ରଥମେ ଚିହ୍ନଟ ହୋଇଥିଲା ଆଉ ଯାହା ଦେଶର ଦ୍ୱିତୀୟ ପ୍ରବାହର କାରଣ ବୋଲି ବିବେଚନା କରାଯାଇଥାଏ ।

ତେବେ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ ହଜାର ୨୭୦ ଲୋକଙ୍କ ମଧ୍ୟରେ କରୋନା ଚିହ୍ନଟ ହୋଇଛି। ପ୍ରାୟ ଚାରିମାସ ପରେ ଏତେ କମ୍ ମାମଲା ଚିହ୍ନଟ ହୋଇଛି।  ଦେଶରେ ଏଯାବତ୍ ମୋଟ୍ ଆକ୍ଟିଭ କେସ୍ ରହିଛି ୭ ଲକ୍ଷ ୨ ହଜାର ୮୮୭।  ୨ କୋଟି ୯୯ ଲକ୍ଷ ୩୫ ହଜାର ୨୨୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ମୋଟ ସୁସ୍ଥ ହୋଇଛନ୍ତି ୨ କୋଟି ୮୮ ଲକ୍ଷ ୪୪ ହଜାର ୧୯୯ ଜଣ ଓ ୩ ଲକ୍ଷ ୮୮ ହଜାର ୧୩୫ ଜଣକ ଜୀବନ ନେଇଛି ଭାଇରସ। ସେହିଭଳି ଟିକାକରଣରେ ସାମିଲ ହୋଇଛନ୍ତି ୨୮ କୋଟି ୩୬ ହଜାର ୮୯୮ ଜଣ।

କଂଗ୍ରେସକୁ ବାଦ ଦେଇ ମୋଦିଙ୍କ ବିରୋଧରେ ମେଣ୍ଟ ଚିନ୍ତା, ଶରଦଙ୍କ ଘରେ ମିଟିଂ

ନୂଆଦିଲ୍ଲୀ: ରାଜନୈତିକ ପଶାପାଲିରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ସୁପ୍ରିମୋ ଶରଦ ପାୱାର ନୂଆ ଗୋଟି ଚଲାଇଛନ୍ତି । ଏଥର ତାଙ୍କ ରଣନୀତିରେ କଂଗ୍ରେସର ସ୍ଥାନ ନାହିଁ । ମୋଦିଙ୍କୁ ଘେରିବା ପାଇଁ ପାୱାର ଯେଉଁ ରଣନୀତି ତିଆରି କରୁଛନ୍ତି ସେଥିରେ ସବୁ ବିରୋଧୀ ଦଳ ଅଛନ୍ତି କିନ୍ତୁ ନାହାନ୍ତି ରାହୁଲ କି ତାଙ୍କ କଂଗ୍ରେସ । ମଙ୍ଗଳବାର ଦିନ ମରାଠା ନେତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ମୋଦିଙ୍କୁ ଘେରିବା ପାଇଁ ମିଟିଂ ହେବ । ମଙ୍ଗଳବାର ସଂଧ୍ୟା ୪ରେ ହେବାକୁ ଥିବା ବୈଠକରେ ଶରଦ ପାୱାର ଓ ୟଶବନ୍ତ ସିହ୍ନାଙ୍କ ବ୍ୟତିତ ଆଉ କିଛି ବିରୋଧୀ ଦଳ ନେତା ସାମିଲ ହେବେ । ବିଜେପି ଓ ମୋଦିଙ୍କଠାରୁ ମୋହଭଙ୍ଗ ହେବା ପରେ ସିହ୍ନା ୨୦୧୮ରେ ରାଷ୍ଟ୍ରମଂଚ ଗଠନ କରିଥିଲେ । ଏବେ ସିହ୍ନା ଟିଏମସି ଜାତୀୟ ଉପସଭାପତି ଅଛନ୍ତି । ଆସନ୍ତାକାଲି ହେବାକୁ ଥିବା ବୈଠକରେ ପାୱାର ରାଷ୍ଟ୍ରମଂଚ ନେତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ପରାମର୍ଶ ଦେବେ ବୋଲି ଶୁଣିବାକୁ ମିଳୁଛି ।

ପାୱାରଙ୍କ ଘରେ ବୈଠକର ଅର୍ଥ କ’ଣ ?
ରାଷ୍ଟ୍ରମଂଚ ରାଜନୈତିକ ମଂଚ ନୁହେଁ । ଏହାର ପ୍ରତିଷ୍ଠା କାଳରେ ସିହ୍ନା ସ୍ପଷ୍ଟ କରିଦେଇଥିଲେ । କିନ୍ତୁ ରାଜନୀତିକୁ ପାଖରୁ ଦେଖୁଥିବା ସମସ୍ତେ ଜାଣନ୍ତି ଯେ, ସବୁ ଅଣରାଜନୈତିକ ମଂଚ ପଛରେ ଗୋଟିଏ ବିଚାର ଥାଏ । ସେହି ବିଚାର ରାଜନୈତିକ ହୋଇ ପାରେ କିମ୍ବା ସାମାଜିକ । କିନ୍ତ ଅନ୍ତରେ ସେହି ବିଚାର ରାଜନୈତିକ ହିଁ ପାଲଟିଯାଏ । ଆନ୍ନା ଆନ୍ଦୋଳନକୁ ଉଦାହରଣ ଭାବେ ନିଆଯାଇପାରେ । ଏହି ଆନ୍ଦୋଳନ ଆରମ୍ଭରୁ କୁହାଯାଇଥିଲା ରାଜନୀତି ସହିତ ଏହାର କୌଣସି ସମ୍ପର୍କ ନାହିଁ । କିନ୍ତୁ ଆନା ଆନ୍ଦୋଳନ ପରେ ଆପ୍ ଆନ୍ଦୋଳନରେ ବଦଳି ଯାଇଥିଲା ।

ସେହି ହିସାବରେ ରାଷ୍ଟ୍ରମଂଚ ଏବେ ଅଣରାଜନୈତିକ ହୋଇ ପାରେ. । କିନ୍ତୁ ଭବିଷ୍ୟତରେ ଏହାରି ମାଧ୍ୟମରେ ତୃତୀୟ ମେଣ୍ଟର ସମ୍ଭାବନା ଜନ୍ମ ନେଇପାରେ । କାରଣ ରାଷ୍ଟ୍ରମଂଚରେ ସରକାରଙ୍କ ବିରୋଧରେ ରାଜନୈତିକ ସମେତ ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହେବ । ଶରଦ ପାୱାର ପ୍ରଥମ ଥର ପାଇଁ ରାଷ୍ଟ୍ରମଂଚରେ ସାମିଲ ହେବେ । ଏମିତିରେ ରାଷ୍ଟ୍ରମଂଚର ଗତିବିଧି ଆଗକୁ ଅଧିକ ମହତ୍ୱପୂର୍ଣ୍ଣ ହେବ । ରାଜନୈତିକ ଦୃଷ୍ଟିକୋଣରୁ କିଛି ଅଲଗା ପ୍ରସଙ୍ଗକୁ ମଧ୍ୟ ଏହା ସହ ଯୋଡିକରି ଦେଖା ଯାଉଛି । ନିକଟରେ ଶରଦ ପାୱାର ଓ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଅନେକ ଥର ବୈଠକ ହୋଇଛି । ପଶ୍ଚିମ ବଙ୍ଗରେ ମମତାଙ୍କ ବିଜୟ ପଛରେ ପ୍ରଶାନ୍ତଙ୍କ ରଣନୀତି ଥିଲା । ଆଉ ଏବେ ମମତାଙ୍କ ଜାତୀୟ ମହତ୍ୱାକାଂକ୍ଷାକୁ ପ୍ରଶାନ୍ତ ବାସ୍ତବିକ ରୂପ ଦେବାକୁ ଚାହୁଁଛନ୍ତି । ପ୍ରଶାନ୍ତ ଯେଉଁଭଳି ଭାବେ ଅଣ କଂଗ୍ରେସ ଓ ମୋଦି ବିରୋଧୀ ନେତାଙ୍କୁ ଭେଟୁଛନ୍ତି ସେଥିରୁ ଏହା ସ୍ପଷ୍ଟ ଯେ, ସେ ଜାତୀୟ ସ୍ତରରେ ମୋଦି ବିରୋଧୀଙ୍କୁ ଏକାଠି କରିବାକୁ ଚାହୁଁଛନ୍ତି । ଏମିତିରେ ପାୱାରଙ୍କ ଘରେ ରାଷ୍ଟ୍ରମଂଚ ବୈଠକ ହେବାର ରାଜନୈତିକ ଅର୍ଥ ବେସ ମହତ୍ୱପୂର୍ଣ୍ଣ ।

ରାଷ୍ଟ୍ରମଂଚକୁ ମମତାଙ୍କ ମୋହର ନଥିଲେ ଜଶୱନ୍ତ ସାମିଲ ହେଉ ନଥାନ୍ତେ । କାରଣ ଜଶୱନ୍ତ ଏବେ ଟିଏମସିର ରାଷ୍ଟ୍ରୀୟ ଉପସଭାପତି । ତେଣୁ ପରଦା ପଛରେ ମମତାଙ୍କ ଭାଷାରେ ଖେଲା ହେଉଛି କହିଲେ ଭୁଲ ହେବ ନାହିଁ । ଏହି ବୈଠକର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦୀଗ ହେଉଛି ଯେ, ଏଥିରେ କଂଗ୍ରେସକୁ ନିମନ୍ତ୍ରଣ କରାଯାଇ ନାହିଁ । ବିନା କଂଗ୍ରେସର ପ୍ରତିନିଧିଙ୍କ ଉପସ୍ଥିତିରେ ବିଜେପି ବିରୋଧୀ ନେତା ନିଜର ଆଗାମୀ ରଣନୀତି ତିଆରି କରିବେ । ମମତା ଓ ଶରଦ,ଏ ଦୁହେଁ ନିଜ ରାଜ୍ୟରେ ବଡ ରାଜନୈତିକ ଶକ୍ତି । ମମତାଙ୍କ ରାଜ୍ୟରେ କଂଗ୍ରେସ ଏକରକମ ମୁଳପୋଛ । ଅନ୍ୟପକ୍ଷରେ ମହାରାଷ୍ଟ୍ରରେ କଂଗ୍ରେସ ସରକାର ଗଠନ କରିବାକୁ ଏନସିପିର ଆଶାବାଡି ଧରିବାକୁ ବାଧ୍ୟ । ଦୁଇ ନେତା ଏକଦା କଂଗ୍ରେସର ଫାୟାର ବ୍ରାଣ୍ଡ୍ ନେତା ଥିଲେ । ମମତା ଯଦି ଷ୍ଟ୍ରିଟ୍ ଫାଇଟର ଥିଲେ ତେବେ ଶରଦ ପରଦା ପଛରେ ଗୋଟି ଚଳାଇବାରେ ମାହିର ।

ରାଷ୍ଟ୍ରୀୟ ରାଜନୀତିରେ ବିଜେପି ଯୁଗର ଅଭିଦ୍ୟୁୟ ପରେ କଂଗ୍ରେସ ସବୁ ମେଣ୍ଟର ନେତୃତ୍ୱ ପାଇଁ ନିଜକୁ ହକଦାର ଭାବେ । କିନ୍ତୁ ମମତା ଓ ଶରଦଙକ୍ ପରି ନେତା ଏହାକୁ ସାମୟିକ ଭାବେ ସ୍ୱୀକାର କରିଥିଲେ ମଧ୍ୟ ଅନ୍ତରର ସହିତ କେବେ ମଧ୍ୟ ସ୍ୱୀକାର କରି ନାହାନ୍ତି । ଦୁଇ ନେତା କଂଗ୍ରେସର ନୀତିକୁ ବିରୋଧର କରି ନିଜର ଆଂଚଳିକ ଦଳ ପ୍ରତିଷ୍ଠଆ କରିଥିଲେ । ଶରଦ,ସୋନିଆଙ୍କ ନାଗରିକତାକୁ ପ୍ରଶ୍ନ କରି ଦଳ ଛାଡିଥିଲେ ଓ ମମତା କଂଗ୍ରେସର ବାମପନ୍ଥୀଙ୍କ ବିରୋଧରେ ରାଜନୈତିକ ଲଢେଇର ତରିକାକୁ ବିରୋଧ କରି ଦଳ ଛାଡି ଥିଲେ । ଏବେ ଏ ଦୁହେଁ ମୁଳ ଦଳଠାରୁ ନିଜ ରାଜ୍ୟରେ ଅଧିକ ଶକ୍ତିଶାଳୀ ।

ଏମିତିରେ ସେମାନେ କୌଣସି ମଧ୍ୟ ରାଷ୍ଟ୍ରୀୟ ମେଣ୍ଟରେ କଂଗ୍ରେସର ନେତୃତ୍ୱକୁ ସ୍ୱୀକାର କରିବ ମୁଡରେ ନାହାନ୍ତି । ମମତାଙ୍କ ରାଷ୍ଟ୍ରୀୟ ମହତ୍ୱାକାଂକ୍ଷା କାହାକୁ ଅଛପା ନାହିଁ । ଶରଦ ମଧ୍ୟ ମନ ଭିତରେ ପ୍ରଧାନମନ୍ତ୍ରୀ ନହୋଇ ପାରିବାର କ୍ଷୋଭକୁ ଧରି ବୁଲୁଛନ୍ତି । ଏକଦା ତାଙ୍କ ଘୋର ବିରୋଧୀ ବାଲା ସାହେବ ଥାକ୍ରେ ବି ତାଙ୍କୁ ପ୍ରଧାନମନ୍ତ୍ରୀ ମେଟେରିଆଲ ବୋଲି କହିଥିଲେ । ଏବେ ଦୁଇ ଆଂଚଳିକ ନେତା ନେତା ନିଜ ରାଜନୈତିକ ମହାତ୍ୱାକାଂକ୍ଷା ପୁରା କରିବାକୁ କଂଗ୍ରେସକୁ ଛାଡି ଏକାଠି ଯଦି ହୁଅନ୍ତି ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ, ଡିକି ଭାଙ୍ଗି ନେଇଗଲେ ୨୨ହଜାର

ଭୁବନେଶ୍ୱର: ଉପକଣ୍ଠ ବାଲିପାଟଣାରେ ଫାଇନାନ୍ସ କର୍ମଚାରୀଙ୍କଠାରୁ ବନ୍ଧୁକ ମୁନରେ ଲୁଟ୍ ଅଭିଯୋଗ। ଭାକରସାହି କେନାଲ ରୋଡ୍‌ ପାଖରେ ଲୁଟିନେଲେ ୨୨ହଜାର ଟଙ୍କା । ସୂର୍ଯ୍ୟୋଦୟ ଫାଇନାନ୍ସ କର୍ମଚାରୀ ପ୍ରକାଶ ଚମ୍ପତ୍ତି କିସ୍ତି ଟଙ୍କା ଆଦାୟ କରି ଫେରିବାବେଳେ ତିନିଜଣ ଦୁର୍ବୃତ୍ତ ତାଙ୍କୁ ରାସ୍ତାରେ ଅଟକାଇଥିଲେ । ବନ୍ଧୁକ ଓ କଟୁରି ଦେଖାଇ ଡିକି ଭାଙ୍ଗି ୨୨ହଜାର ଟଙ୍କା ସହିତ ମୋବାଇଲ ଛଡାଇ ନେଇଥିବା ଅଭିଯୋଗ ହୋଇଛି ।

ସେପଟେ ପୋଲିସ ଏ ବିଷୟରେ ଖବର ପାଇ ଘଟଣାସ୍ଥଳରେ ପହଁଚିଥିଲା  । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଚଳାଇଥିବା ଜଣାପଡିଛି  । ଏହି ଲୁଟ ପଛରେ କିଏ ନିର୍ଦ୍ଧିଷ୍ଟ କିଛି ବ୍ୟକ୍ତି ରହିଛନ୍ତି ନା ଏହା ପଛରେ ଏକ ବଡ଼ ଧରଣର ଗ୍ୟାଙ୍ଗ ରହିଛି ତାହାର ଅନୁସନ୍ଧାନ ଚଳାଇଛି ପୋଲିସ  ।

ଠକି ନେଲେ ପୋଷ୍ଟମାଷ୍ଟର, ଚଳୁକରି ଗଲେ ଜମାକାରୀଙ୍କ କୋଟିକୋଟି ଟଙ୍କା

ବଲାଙ୍ଗୀର: ପୋଷ୍ଟମାଷ୍ଟର ସାଜିଲେ ଠକ ମାଷ୍ଟର । ଚଳୁକରି ଗଲେ ଜମାକାରୀଙ୍କ କୋଟିକୋଟି ଟଙ୍କା । କେବଳ ସଂଜୟ ଖାତାରୁ ନୁହେଁ ବିଭିନ୍ନ ସ୍କିମର ପଇସା ବି କରିଛନ୍ତି ଆତ୍ମସାତ । ବଲାଙ୍ଗୀର ଜିଲ୍ଲା ଲୋଇଁସିହା ଉପ ଡାକଘର ଅଧିନସ୍ଥ ବାଦୀବାହାଲ ପୋଷ୍ଟମାଷ୍ଟର ମାଧିବାନନ୍ଦ ବାରିକଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ । ମାମାଲାରେ ପୋଷ୍ଟ ମାଷ୍ଟରଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି ପୋଲିସ ।

ମାଧବାନନ୍ଦଙ୍କ ଘରୁ ଓ ତାଙ୍କ କାର୍ଯ୍ୟଳୟରୁ ଶତାଧିକ ପାସବୁକ ପୋଲିସ ଜବତ କରିଛି । ହଜାର ହଜାର ଜମାକାରିଙ୍କ ଟଙ୍କା ମାଧବାନନ୍ଦ ଆତ୍ମସାତ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେପଟେ ଜମାଟଙ୍କା ଫେରସ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଘେରାଉ କରିବା ସହ ଦାବିପତ୍ର ଦେଇଛନ୍ତି ଶତାଧିକ ଜମାକାରୀ । ମାଧାବାନନ୍ଦ ଅଶିକ୍ଷିତ ଓ ଗରିବ ଶ୍ରେଣୀର ଲୋକଙ୍କୁ କରୁଥିଲେ ଟାର୍ଗେଟ । ବର୍ଷ ବର୍ଷ ହେଲା ଟଙ୍କା ଜମାନକରି ଆତ୍ମସାତ କରୁଥିଲେ । ତେବେ ଜଣେ ବୃଦ୍ଧା ସ୍ବାମୀଙ୍କ ଚିକିତ୍ସା ପାଇଁ ଟଙ୍କା ଉଠାଣ ପାଇଁ ଯାଇଥିବା ବେଳେ, ପୋଷ୍ଟମାଷ୍ଟର ଆକଉଣ୍ଟରେ ଟଙ୍କା ନଥିବା କହିଥିଲେ ।

ଏନେଇ ସନ୍ଦେହ ହେବାରୁ ଜଣେ ସଂପର୍କୀୟଙ୍କ ସହ ଲୋଇସିଂହାଁ ଉପଡାକଘର ଯାଇଥିଲେ ବୃଦ୍ଧା ଜଣକ । ପାସବୁକରେ ୩୨ ହଜାର ଟଙ୍କା ଜମାଥିବା ଉଲ୍ଲେଖ ଥିବା ବେଳ, ଟଙ୍କା ଜମା ହୋଇନଥିବା ଜଣାପଡିଥିଲା । ଏନେଇ ଖବର ପ୍ରଘଟ ହେବା ପରେ ଶତାଧିକ ଜମାକାରୀ ନିଜ ଜମାଖାତା ଚେକ କରିବା ପରେ ଠକ ପୋଷ୍ଟ ମାଷ୍ଟରଙ୍କ ଗୁମର ଖୋଲିଥିଲା ।

ଅଲପାନଙ୍କ ବିରୋଧରେ ହୋଇପାରେ ଦୃଢ କାର୍ଯ୍ୟାନୁଷ୍ଠାନ

କୋଲକାତା: ପୁଣି ଅଡୁଆରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଲପାନ ବନ୍ଦୋପାଧ୍ୟାୟ। ଚାକିରିରୁ ଇସ୍ତଫା ଦେଇଥିବା ଅଲପାନ୍‌ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସ୍ବତନ୍ତ୍ର ପରାମର୍ଶଦାତା ଅଛନ୍ତି । କେନ୍ଦ୍ର ପକ୍ଷରୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, କେନ୍ଦ୍ର ଦେଇଥିବା ନୋଟିସର ଉତ୍ତର ମାସକ ମଧ୍ୟରେ ଦାଖଲ କରିବା ଲାଗି ତାଙ୍କୁ ଏକ ପତ୍ରରେ କୁହାଯାଇଛି। ଗତ ମେ ୩୧ରେ ତାଙ୍କୁ ପ୍ରଥମ ନୋଟିସର ଉତ୍ତର ଦେବାକୁ କୁହାଯାଇଥିବା ସତ୍ବେ ସେ ତାହାକୁ ଦାଖଲ କରି ନଥିଲେ। ଫଳରେ ପର୍ସୋନେଲ ଓ ଟ୍ରେନିଂ ବିଭାଗ ପକ୍ଷରୁ ତାଙ୍କୁ ପୁଣି ଏହି ପତ୍ର ଦିଆଯାଇଛି ।

ଯଦି ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ସେ ପତ୍ରର ଉତ୍ତର ନ ରଖିବେ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଅଲପନ୍ ବନ୍ଦୋପାଧ୍ୟାୟ ମମତା ବାନାର୍ଜୀଙ୍କ ଅତି ନିକଟତର ବୋଲି କୁହାଯାଏ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ପଶ୍ଚିମବଙ୍ଗରେ ତୃତୀୟ ଥର ପାଇଁ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୨୪ମେ ରେ ଅଲପନଙ୍କ କାର୍ଯ୍ୟକାଳକୁ ଆଉ ୩ମାସ ବଢାଇବାକୁ ନିର୍ଦ୍ଦେଶ ଦେଇଥିଲେ ମମତା । ଯଦିଓ ଅଲପାନଙ୍କ ମୁଖ୍ୟସଚିବ ଭାବେ କାର୍ଯ୍ୟକାଳ ମେ ମାସ ଶେଷ ସୁଧା ହିଁ ସରୁଥିଲା ।  ଅଲପନ ବନ୍ଦୋପାଧ୍ୟାୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜଣେ ଘନିଷ୍ଠ ଅଧିକାରୀ ଭାବରେ ବିବେଚନା କରାଯାଏ। ବନ୍ଦୋପାଧ୍ୟାୟ ୧୯୮୭ ବ୍ୟାଚର ଆଇଏଏସ୍ ଅଧିକାରୀ । ସେ ହାୱାଡ଼ା ସମେତ ଅନେକ ଜିଲ୍ଲାର ଡିଏମ୍ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଗତ ବର୍ଷ ସେପ୍ଟେମ୍ବରରେ ରାଜୀବ ସିହ୍ନା ଅବସର ନେବା ପରେ ତାଙ୍କୁ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା।

୨୪ରେ ବସିବ କଂଗ୍ରେସର ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ବସିବ କଂଗ୍ରେସର ଉଚ୍ଚସ୍ତରୀୟ ବୈଠକ । ଏଆଇସିସି ସାଧାରଣ ସମ୍ପାଦକ ଓ ବିଭିନ୍ନ ରାଜ୍ୟର ଦାୟିତ୍ବରେ ଥିବା ପଦାଧିକାରୀଙ୍କ ସହ ବୈଠକରେ ସାମିଲ ହେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ବିଶେଷ କରି ପଞ୍ଜାବ ସ୍ଥିତି ସମୀକ୍ଷା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ବୈଠକରେ ହେବ ଆଲୋଚନା ।

ସେପଟେ ବଢିଛି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଅଡୁଆ । ହାଇକମାଣ୍ଡଙ୍କ ସହ ଆଲୋଚନା ଲାଗି ଦିଲ୍ଲୀରେ ପହଞ୍ଚିଛନ୍ତି କ୍ୟାପଟେନ । ଆସନ୍ତା କାଲି ସୋନିଆଙ୍କ ସହ ତାଙ୍କର ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ତାଙ୍କ ବିରୋଧରେ ଦେଖାଦେଇଥିବା ବିଦ୍ରୋହ ପରିପ୍ରେକ୍ଷୀରେ ତାଙ୍କୁ ଦିଲ୍ଲୀ ଡକରା ହୋଇଛି । କିଛି ଦିନ ତଳେ ରାଜ୍ୟରେ ଦେଖାଦେଇଥିବା ବିଦ୍ରୋହକୁ ସମାଧାନ କରିବା ଲାଗି ଦଳର ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ୩-ଜଣିଆ କମିଟି ଗଠିତ ହୋଇଥିଲା ।

ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ କଂଗ୍ରେସର ଗୋଷ୍ଠୀ ବିବାଦ ଦଳ ଲାଗି ଚିନ୍ତାର କାରଣ ହୋଇଛି। ରାଜ୍ୟରେ ଦଳିତଙ୍କୁ ଉପଯୁକ୍ତ ସ୍ଥାନ ନ ମିଳିବା, ମୁଖ୍ୟମନ୍ତ୍ରୀଙ୍କ କୋଟେରି ନୀତି ଯୋଗୁ ତାଙ୍କ ନିକଟରେ ସାଧାରଣ ଜନତା ପହଞ୍ଚି ନ ପାରିବା ଆଦି କାରଣକୁ ନେଇ ଦଳରେ ଅମରିନ୍ଦରଙ୍କୁ ବିରୋଧ କରାଯାଇ ଆସୁଛି । ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ରାଜ୍ୟରେ ଚାଲିଥିବା ଡ୍ରାମା ଦଳକୁ ଅଧିକ ସଂକଟଗ୍ରସ୍ତ କରିଛି ।

ଏହା ପୂର୍ବରୁ କେତେକ କଂଗ୍ରେସ ବିଧାୟକଙ୍କ ପୁଅଙ୍କୁ ସରକାରୀ ଚାକିରି ଦେବା ଲାଗି ପଞ୍ଜାବ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା । ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ଲାଗି ରାଜ୍ୟ କଂଗ୍ରେସ ମୁଖ୍ୟ ଓ ଦୁଇ ଜଣ ଦଳୀୟ ବିଧାୟକ ଦାବି କରିବା ପରେ ଅମିରନ୍ଦରଙ୍କ ଲାଗି ଅଡୁଆ ବଢିଥିଲା ।

ନିଜ ରେକର୍ଡ ନିଜେ ଭାଙ୍ଗିଲେ ଦୂତୀ ଚାନ୍ଦ, 11.17 ସେକେଣ୍ଡରେ ଅତିକ୍ରମ କଲେ 100 ମିଟର

ନୂଆଦିଲ୍ଲୀ: ପୁଣି ନିଜର ରେକର୍ଡ ନିଜେ ଭାଙ୍ଗିଲେ ଧାବିକା ଦୂତୀ ଚାନ୍ଦ  ।  ପଟିଆଲାରେ ଚାଲିଥିବା ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ ପ୍ରତିଯୋଗିତାରେ 100 ମିଟର ଦୌଡକୁଦକୁ 11.17 ସେକେଣ୍ଡରେ ପହଞ୍ଚି ପୁଣି ଏକ ଜାତୀୟ ରେକର୍ଡର ଅଧିକାରୀ ହୋଇଛନ୍ତି ଦୂତୀ । ଏଥିସହ ନିଜର ପୂର୍ବ ରେକର୍ଡକୁ ମଧ୍ୟ ଅତିକ୍ରାନ୍ତ କରିଛନ୍ତି  ।

ଦୂତୀଙ୍କ ଏହି ସଫଳତା ତାଙ୍କୁ ପୁଣି ଏକ ପରିଚୟ ଦେଇଛି  । ଭାରତୀୟ ଆଥଲେଟିକ୍ସ ଫେଡେରେସନ(AFI)  ଅନୁଯାୟୀ, ଦୂତୀ, ଧନଲକ୍ଷ୍ମୀ ଓ ହିମାଶ୍ରୀ ରୟଙ୍କ ସମେତ କେବଳ 7ଜଣ   ପ୍ରତିଯୋଗୀ ରହିଛନ୍ତି ।

ମାର୍ଚ୍ଚରେ ଆୟୋଜିତ ଫେଡେରେସନ କପ୍‌ ଆଥଲେଟିକ୍ସ ପ୍ରତିଯୋଗିତାରେ ଧନଲକ୍ଷ୍ମୀ 100 ମିଟର ବର୍ଗରେ ଦୂତୀଙ୍କୁ ମାତ ଦେବା ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ଓ ଦୂତୀ ରୌପ୍ୟରେ ସନ୍ତୁଷ୍ଟ କରାଇଥିଲେ । ଧନଲକ୍ଷ୍ମୀ ମଧ୍ୟ IGP IV ରେ 200 ମିଟର ଇଭେଣ୍ଟରେ ଅଂଶଗ୍ରହ କରିବେ ।