spot_img
Home Blog Page 5546

ନିର୍ବାଚନ ସରିଛି କିନ୍ତୁ ପଶ୍ଚିମବଙ୍ଗରେ ‘ଖେଲା ହୋବେ’, ମମତା ସରକାର ଆଣିଲା ଯୋଜନା

କୋଲକତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଶେଷ ହୋଯାଇଛି କିନ୍ତୁ ପଶ୍ଚିମବଙ୍ଗର ଚର୍ଚ୍ଚିତ ନାରା ଭୁଲି ନାହାଁନ୍ତି ଦିଦି । ତୃଣମୂଳ ​​କଂଗ୍ରେସ ଯେଉଁ ନାରା ପାଇଁ ଆଜି ତା ସରକାରକୁ ଫେରିଛି ସେହି ନାରା ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି ମମତା ବାନାର୍ଜୀ । ଏବେ ଏହି ନାରା ‘ଖେଲା ହୋବେ’କୁ ଟିଏମସି ଦ୍ୱାରା ଏକ ଯୋଜନାର ରୂପ ଦିଆଯାଇଛି। ଏବଂ ପଶ୍ଚିମବଙ୍ଗରେ ‘ଖେଲା ହୋବେ’ ଯୋଜନା ଆରମ୍ଭ କରାଯାଇଛି।

ଏହି ଯୋଜନା ଅଧୀନରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଦ୍ୱାରା କ୍ଲବଗୁଡ଼ିକୁ ଫୁଟବଲ ବଣ୍ଟନ କରାଯିବ । ଖେଳ ପ୍ରତି ଆଗ୍ରହ ବଢାଇବା ଏବଂ ଯୁବକମାନଙ୍କ ମଧ୍ୟରେ ଫୁଟବଲ ପ୍ରତି ଆଗ୍ରହ ବଢାଇବା ପାଇଁ ଏପରି ଯୋଜନା ପ୍ରସ୍ତୁତ କରାଯାଇଛି । ସରକାର ‘ଖେଲା ହୋବେ’ ଯୋଜନା ଅଧୀନରେ କ୍ଲବକୁ ଫୁଟବଲ ବଣ୍ଟନ କରିବେ, ଯାହା ଦ୍ୱାର ବହୁ ସଂଖ୍ୟକ ଯୁବକ ଏଥିରେ ଯୋଗ ଦେବେ । ପଶ୍ଚିମବଙ୍ଗ ସରକାରଙ୍କ କ୍ରୀଡ଼ା ବିଭାଗ ଅନୁଯାୟୀ, ଜୁଲାଇ ପ୍ରଥମ ସପ୍ତାହରୁ ଫୁଟବଲ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ। କେଉଁ କ୍ଲବକୁ କେମିତି ଓ କେତେ ଫୁଟବଲ୍ ଦିଆଯିବ ସେ ସମ୍ବନ୍ଧରେ ସୂଚନା ଦିଆଯିବ ।

ପଶ୍ଚିମବଙ୍ଗ ସରକାର କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ଜାରି କରିଥିବା ନିର୍ଦ୍ଦେଶ ଅନୁଯାୟୀ ଏନେଇ ପ୍ରତ୍ୟେକ ଜିଲ୍ଲାର ଯୁବ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ଅନୁସାରେ ଅଧିକାରୀମାନେ ପ୍ରତ୍ୟେକ ଜିଲ୍ଲାରେ ଉପସ୍ଥିତ ଥିବା କ୍ଲବଗୁଡ଼ିକର ତାଲିକା ପ୍ରସ୍ତୁତ କରିବେ ଯେଉଁ କ୍ଲବରେ ଫୁଟବଲ ଖେଳାଯାଉଥିବ । ଏହି ତାଲିକା କ୍ରୀଡା ମନ୍ତ୍ରଣାଳୟକୁ ପଠାଯିବ | ଏଥିପାଇଁ ଜୁନ୍ ୨୮ ତାରିଖ ସ୍ଥିର କରାଯାଇଛି ।

ଏହା ପରେ କ୍ଲବଗୁଡ଼ିକୁ ଫୁଟବଲ ଦିଆଯିବ । ଖେଲା ହୋବେ ଯୋଜନା ମାଧ୍ୟମରେ ରାଜ୍ୟରେ ଫୁଟବଲର ଲୋକପ୍ରିୟତାକୁ ପ୍ରୋତ୍ସାହିତ କରିବା ହେଉଛି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ। ଆପଣଙ୍କୁ କହି ରଖୁଛୁ ଯେ ଫୁଟବଲ ଖେଳ ପଶ୍ଚିମବଙ୍ଗରେ ଲୋକପ୍ରିୟ ହୋଇସାରିଛି।

ବିଜେଡି ପକ୍ଷରୁ ‘ଜୀବନ ବିନ୍ଦୁ’ ଆୟୋଜିତ, ୮୬ ୟୁନିଟ ରକ୍ତ ସଂଗୃହୀତ

ଭୁବନେଶ୍ୱର: ଓଡ଼ିଶାରେ କରୋନା ମହାମାରୀ ସମୟରେ “ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ” ଯେଉଁ ବାର୍ତ୍ତା  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ପ୍ରଦାନ କରିଥିଲେ ତାହାକୁ ଅନୁସରଣ କରିବା ସହିତ ସାମାଜିକ ଦାୟିତ୍ଵବୋଧକୁ ଦୃଷ୍ଟିରେ ରଖି ରକ୍ତ ଅଭାବ ଦୂରୀକରଣ ନିମନ୍ତେ  ଓଡ଼ିଶା ରାଜ୍ୟ ବିଜୁ ଯୁବ ଜନତା ଦଳ ଓ ଭୁବନେଶ୍ୱର ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଜେଡି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଠାରେ ଓଡିଶା-ମୋ ପରିବାର ଆନୁକୁଲ୍ୟରେ ‘ଜୀବନ ବିନ୍ଦୁ’ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଏହି ଶିବିରକୁ ଭୁବନେଶ୍ୱର ଜିଲ୍ଲା ବିଜେଡ଼ି ଯୁବ ସଭାପତି ସମରେଶ ବେଉରା , ରାଜ୍ୟ ବରିଷ୍ଠ ଉପସଭାପତି  ଧୃତି ମାର୍ଥା, ଯୁବ ବିଜେଡ଼ି ଯୁଗ୍ମ ସମ୍ପାଦକ ଦୀପକ ମହାପାତ୍ର ଓ  ରାଜେଶ ଭୁଇଁଆ ଆୟୋଜନ କରିଥିଲେ।

ଏହି ରକ୍ତ ଦାନ ଶିବିରକୁ ମନ୍ତ୍ରୀ ତଥା ଭୁବନେଶ୍ୱର ଏକାମ୍ର ବିଧାୟକ  ଅଶୋକ ଚନ୍ଦ୍ର ପଣ୍ଡା ଓ ରାଜ୍ୟ ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ଡ଼ ବ୍ୟୋମକେଶ ରାୟ ଉଦଘାଟନ କରିଥିଲେ । ଅନ୍ୟ ମୁଖ୍ୟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ନେତା  ଦେବୀ ମିଶ୍ର,  ଅତନୁ ସବ୍ୟସାଚୀ ନାୟକ,  ପୁଷ୍ପେନ୍ଦ୍ର ସିଂଦେଓ , ପ୍ରତାପ ଦେବ,ରାଜ୍ୟ ସାଧାରଣ ସଂପାଦକ (ଯୁବ ବ୍ୟାପାର) ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଭୁବନେଶ୍ୱର ମଧ୍ୟମ ବିଧାୟକ  ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମର ରାଉତ ଓ ମୋ ପରିବାର ଅଧ୍ୟକ୍ଷ  ଅରୂପ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ।

ଏଥିରେ ଯୁବ ବିଜେଡ଼ିର ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ  । ଯୁବ ବିଜେଡ଼ି ମହାସଚିବ  ଏଲିନା ଦାସ,  ଉପସଭାପତି ସୋଫିଆ ଆଲାମ, ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ମିଶ୍ର,  ତାରିଣୀ ପ୍ରାସାଦ ନାୟକ, ଶୁଭ୍ରଜିତ ପାଢ଼ୀ,  ଅଭିନଶ ପ୍ରଧାନ, ରାଜ୍ୟ ସମ୍ପାଦକ ଲଗ୍ନଦୀପା ମିଶ୍ର, ଯୁଗ୍ମ ସମ୍ପାଦକ ସୌମ୍ୟ ରଞ୍ଜନ ତ୍ରିପାଠୀ, ଅମର୍ଜିତ ଗଉଡ଼  , ଶିବନୀ ସାହୁ , ଜିଲ୍ଳା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ କଳି ସିଂହ, ସମ୍ପାଦକ ବିଜୟ ଗୋଛୟତ, ରାଜେଶ ରାୟ ଓ ଭୁବନେଶ୍ୱର ଜିଲ୍ଲା ସୋସିଆଲ ମେଡ଼ିଆ ସଂଯୋଜକ ତଥା ଡିଜିଟାଲ ସମ୍ପାଦକ ରୋହିତ କୁମାର ପାତ୍ର ଯୋଗଦେଇଥିଲେ ।  ଏହି ଶିବିରରେ ଗୋଟିଏ ଦିନ ରେ ମୋଟ ୮୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା|

କରୋନାରେ ୨ ମାସ ପୂର୍ବରୁ ଯାଇଛି ପ୍ରାଣ, ଏବେ ସରକାର ପଚାରୁଛନ୍ତି ଔଷଧ ଦରକାର କି !

ଇନ୍ଦୋର: ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ବିଭାଗର ଏକ ବଡ଼ ଅବହେଳା । ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗର କଲ୍ ସେଣ୍ଟରରୁ ରୋଗୀକୁ ଔଷଧ ଏବଂ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରିବାକୁ ପରିବାର ସଦସ୍ୟଙ୍କ ପାଖକୁ ଆସିଲା ଫୋନ । ଘଟଣାଟି ହେଉଛି ମଧ୍ୟପ୍ରଦେଶର ଇନ୍ଦୋରର । ସୂଚନା ଅନୁସାରେ ଇନ୍ଦୋର ହାଇକୋର୍ଟରେ କାର୍ଯ୍ୟରତ ଜଣେ ଓକିଲଙ୍କ ବାପାମାଆ ଏବଂ ଭଉଣୀ ପ୍ରାୟ ଦୁଇମାସ ପୂର୍ବେ କୋଭିଡରେ ମୃତ୍ୟୁ ବରଣ କରିଥିଲେ । ଏହାର ସୂଚନା ନା ସ୍ୱାସ୍ଥ୍ୟ ବିଭାଗ ପାଖରେ ଥିଲା ନା ପ୍ରଶାସନ ପାଖରେ ।

ଯେଉଁ ୩ଜଣଙ୍କ ମୃତ୍ୟୁ ପ୍ରାୟ ଦୁଇ ମାସ ପୂର୍ବରୁ ହୋଇଯାଇଛି ସେମାନଙ୍କ ପ୍ରତି ସ୍ୱାସ୍ଥ୍ୟ ବିଭାଗ ଏବେ ତତତ୍ପର ହୋଇଛି । ସେମାନଙ୍କୁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଇବା ସହିତ ଘରେ ଔଷଧ ପଠାଇବାକୁ ବିଭାଗ ଫୋନ ଯୋଗେ ତାଙ୍କୁ  ପଚାରୁଛି। ହାଇକୋର୍ଟର ଓକିଲ ମନୀଷ ଯାଦବ କହିଛନ୍ତି ଯେ, ତାଙ୍କ ପିତା ରମେଶ ଯାଦବ, ମାତା ପ୍ରମିଲା ଯାଦବ ଏବଂ ଭଉଣୀ ମାର୍ଚ୍ଚ ମାସରେ କରୋନା ସଂକ୍ରମିତ ହୋଇଥିଲେ ଏବଂ ଦୁଇମାସ ପୂର୍ବରୁ ହିଁ ସେମାନଙ୍କ ମୃତ୍ୟୁ ହୋଇଯାଇଛି ।

ଯେଉଁ ୩ଜଣ କରୋନାରେ ପିଡ଼ିତଙ୍କ ମୃତ୍ୟୁ ହୋଇଯାଇଛି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗର କଣ୍ଟ୍ରୋଲ ରୁମରୁ ଫୋନ ଆସୁଛି । ଏବଂ ସେମାନଙ୍କୁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରିବାକୁ ଏବଂ ଔଷଧ ପଠାଇବା କଥା ମଧ୍ୟ ପଚରା ଯାଉଛି । ମନୀଷ କହିଛନ୍ତି ଯେ, ଏହା ଦର୍ଶାଏ ଯେ ସ୍ୱାସ୍ଥ୍ୟ ବିଭାଗରେ କିପରି ଠକେଇ ଚାଲିଛି ଏବଂ କରୋନା ବିଷୟରେ ଭୁଲ ତଥ୍ୟ ଦିଆଯାଉଛି । ଏବଂ ଏବେ ସେ ଏହି ଘଟଣାକୁ କୋର୍ଟ ପର୍ଯ୍ୟନ୍ତ ନେବା କଥା ମଧ୍ୟ କହିଛନ୍ତି ।

ରାଜଧାନୀରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ

ଭୁବନେଶ୍ୱର: ଭୁବନେଶ୍ୱରରେ କିନ୍ନର ମାନଙ୍କ ପକ୍ଷରୁ ସାବିତ୍ରୀ ବ୍ରତ ପାଳନ କରାଯାଇଛି। ରାଜଧାନୀର ପଳାଶପଲ୍ଲି ନିକଟରେ ଥିବା ବରଗଛକୁ ପୂଜାର୍ଚ୍ଚନା କରିବା ସହ ବ୍ରତ ପାଳନ କରିଛନ୍ତି କିନ୍ନର ମାନେ।

ହିନ୍ଦୁ ପରମ୍ପରା ଅନୁଯାୟୀ, ଧୂପ ଦୀପ ନୈବେଦ୍ୟ ଲାଗି କରି ସାବିତ୍ରୀ ବ୍ରତ ଅବସରରେ ନିଜର ଗୁରୁଙ୍କ ଦୀର୍ଘାୟୁ କାମନା କରିଛନ୍ତି କିନ୍ନରମାନେ। ଏଥିସହିତ ସାମାଜିକ ଦୂରତା ବଜାୟ ରଖିବା ସହ କରୋନା କଟକଣା ମଧ୍ୟରେ ସମସ୍ତ କିନ୍ନର ମାନେ ଏହି ପୂଜାର୍ଚ୍ଚନା କରିଛନ୍ତି। କେବଳ ଗୁରୁ ନୁହନ୍ତି ସମସ୍ତ ପୁରୁଷ ସମାଜଙ୍କ ପାଇଁ କିନ୍ନର ମାନେ ଦୀର୍ଘାୟୁ କାମନା କରିଥିବା କହିଛନ୍ତି କିନ୍ନର ମାନେ ।

ଉଲ୍ଲେଖଯୋଗ୍ୟ, ସାବିତ୍ରୀ ବ୍ରତ ଓଡ଼ିଶାର ସଧବା ନାରୀମାନଙ୍କ ଦ୍ୱାରା ପାଳିତ ହେଉଥିବା ଏକ ଓଷା । ସାବିତ୍ରୀ ଅମାବାସ୍ୟା ଦିନ ସଧବା ନାରୀ ମାନେ ନିଜ ନିଜ ସ୍ୱାମୀଙ୍କର ଦୀର୍ଘ ଆୟୁଷ ନିମନ୍ତେ ସେମାନଙ୍କର ମଙ୍ଗଳ ମନାସି ଥାନ୍ତି । ଏଥିସହିତ କିମ୍ବଦନ୍ତୀ ଅନୁଯାୟୀ ସଧବା ନାରୀ ମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ଏ ଓଷା ପାଳନ କରିଥାନ୍ତି।

ପଶ୍ଚିମବଙ୍ଗ ହୁଗୁଳିରେ ଗୋଷ୍ଠୀ ସଂଘର୍ଷ, ୮ ଆହତ

ହୁଗୁଳି: ପଶ୍ଚିମବଙ୍ଗ ହୁଗୁଳିରେ ମଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଏହି ସଂଘର୍ଷରେ ପାଖାପାଖି ୮ ଜଣ ଆହତ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ହୁଗୁଳି ଜିଲ୍ଲା ଲକ୍ଷ୍ମୀ ବଜାରରେ ବେଆଇନ ଭାବେ ମଦ ବିକ୍ରି କରୁଥିଲେ ରାଜେଶ କୁମାର। ଏହି ସମୟରେ କିଛି ମଦ୍ୟପ ଯୁବକ ରାଜେଶଙ୍କୁ ମଦ ମାଗିଥିଲେ। କିନ୍ତୁ ଅଧିକ ଟଙ୍କାରେ ମଦ ବିକ୍ରି କରିବାରୁ ରାଜେଶଙ୍କ ସହିତ କିଛି ମଦ୍ୟପଙ୍କ ଯୁକ୍ତି ତର୍କ ହୋଇଥିଲା। ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେବା ସହ ଗୁଳି ଚାଳନା ହୋଇଥିଲା।

ଏହାସହ ବଜାରରେ ୨୯ଟି ଦୋକାନକୁ ପୋଡି ଦେଇଥିଲେ ମଦ୍ୟପ ଗୋଷ୍ଠୀ । ତେବେ ଏଥିରେ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଅପରପକ୍ଷେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁରା ଅଞ୍ଚଳରେ ୧୪୪ ଧାରା ଜାରି କରିଛି।

 

ଦେଶେ ସଂକ୍ରମଣ କମୁଥିବା ବେଳେ ଚିନ୍ତା ବଢାଇଲା ବିହାର

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ୍  । ଲଗାତାର ତୃତୀୟ ଦିନରେ ୧ ଲକ୍ଷ ମଧ୍ୟରେ ରହିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୯୪ହଜାର ୫୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ହଜାର ୧୪୮ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍  । ୨୪ ଘଣ୍ଟାରେ ସୁସ୍ଥ ହେଲେଣି ଲକ୍ଷେ ୫୧ହଜାର ୩୬୭ କରୋନା ସଂକ୍ରମିତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୧ଲକ୍ଷ ୮୩ ହଜାର ୧୨୧ । ମୋଟ୍ ସୁସ୍ଥ ହୋଇଛନ୍ତି ୨କୋଟି ୭୬ଲକ୍ଷ ୫୫ହଜାର ୪୯୩ ସଂକ୍ରମିତ । ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୩ଲକ୍ଷ ୫୯ହଜାର ୬୭୬ଥିବା ବେଳେ ଆକ୍ଟିଭ କେସ୍ ୧୧ଲକ୍ଷ ୬୭ହଜାର ୯୫୨ ।

ସେହିପରି ଦେଶରେ କରୋନାରୁ ମୃତ୍ୟୁ ହାର ୧.୨୨ ପ୍ରତିଶତ ହୋଇଥିବାବେଳେ ସୁସ୍ଥତା ହାର ୯୪ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶରେ ଆକ୍ଟିଭ୍ କେସ ୫ ପ୍ରତିଶତରୁ କମ୍ ହୋଇଛି। କରୋନା ଆକ୍ଟିଭ କେସରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ସଂକ୍ରମିତ ମୋଟ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ।

ବିହାରରେ କରୋନା ମୃତ୍ୟୁ ସଂଖ୍ୟା ହଠାତ୍ ବୃଦ୍ଧି

ବୁଧବାର ଦିନ ବିହାରରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟାରେ ସ୍ୱାସ୍ଥ୍ୟ ବିଭାଗ ଏକ ବଡ଼ ସୂଚନା ଦେଇଠି । ରାଜ୍ୟରେମୋଟ ମୃତ୍ୟୁ ସଂଖ୍ୟା ୯,୪୨୯କୁ ବୃଦ୍ଧି ପାଇଛି। ଯଦିଓ ମଙ୍ଗଳବାର ଦିନ ମୃତ୍ୟୁ ସଂଖ୍ୟା ୫,୪୫୮ ଥିଲା । ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଦିନ ସୁଦ୍ଧା ୫,୪୭୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଠାତ ଗୁରୁବାର ମଧ୍ୟରେ ୩,୯୫୧ ଜଣଙ୍କ ମୃତ୍ୟୁ ହୋଇଥଇବା ସୂଚନା ମିଳିଛି । ଯାହା ପରେ ରାଜ୍ୟେରେ ମୋଟ ସଂଖ୍ୟା ୯,୪୨୯କୁ ବୃଦ୍ଧି ପାଇଛି। ମୃତକ ସଂଖ୍ୟାକୁ ନେଇ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ଯେ ଏହି ମୃତ୍ୟୁ କେବେ ହୋଇଛି ।

ଆଜିଠୁ ରାଜ୍ୟରେ ଲଘୁଚାପ ବର୍ଷା

ଭୁବନେଶ୍ୱର: ଆଜିଠୁ ୩ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଲଘୁଚାପ ସହ ଓଡିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସକ୍ରିୟ ମୌସୁମୀ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ବର୍ଷା ସହିତ ଘଡଘଡି ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଏହା ସହିତ ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ ଏବଂ ସମ୍ବଲପୁରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଅପରପକ୍ଷେ ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁଯିବା ପାଇଁ ମନା କରାଯାଇଛି । ବର୍ଷା ସହିତ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ଏବଂ ସ୍ଥାନେସ୍ଥାନେ ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅଧିକାଂଶ ସ୍ଥାନରେ ୨୦ ସେଣ୍ଟିମିଟର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରେମ ନିବେଦନ ନରଖିବାରୁ ଯୁବତିଙ୍କୁ ଭୁଜାଲିଲେ ଆକ୍ରମଣ କଲା ଯୁବକ

ବାଲେଶ୍ୱର: ଏକ ତରଫା ପ୍ରେମ ଆଉ ତାପରେ ଭୁଜାଲିରେ ଆକ୍ରମଣ। ପ୍ରେମକୁ ଗ୍ରହଣ ନକରିବାରୁ ସବୁଦିନ ପାଇ ମାରି ଦେବାକୁ ଉଦ୍ୟମ। ଟ୍ୟୁସନ ଯାଉଥିବା ସମୟରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ କଲା ଏକ ତରଫା ପ୍ରେମ କରୁଥିବା ଯୁବକ। ଗୁରୁତର ଅବସ୍ଥାରେ ଯୁବତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।  ବାଲେଶ୍ୱର ଖଇରା ବ୍ଲକ ଜଳଦା ପଞ୍ଚାୟତ ତୁଟ ଗ୍ରାମରେ ଘଟିଛି ଏଭଳି ଘଟଣା।

ସୂଚନା ଅନୁସାରେ, ଛାତ୍ରୀଙ୍କୁ ପ୍ରେମ ନିବେଦନ କରିଥିଲେ ସେହି ଗ୍ରାମର ଜଣେ ଯୁବକ। କିନ୍ତୁ ଛାତ୍ରୀ ଜଣକ ପ୍ରତିବାଦ କରିଥିଲେ। ସେ ତାକୁ ପ୍ରେମ କରୁନାହାନ୍ତି ବୋଲି କହିଥିଲେ। ଏହା ପରେ ଆଜି ସକାଳେ ଛାତ୍ରୀ ଜଣକ ଟ୍ୟୁସନ ଯାଉଥିବା ବେଳେ, ଯୁବକ ଜଣକ ତାଙ୍କୁ ଭୂଜାଲିରେ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଯୁବକ ଜଣଙ୍କ ଫେରାର ହୋଇଯାଇଛି।

ଆଜି ବର୍ଷର ପ୍ରଥମ ବଳୟ ସୂର୍ଯ୍ୟପରାଗ, ଓଡ଼ିଶାରେ ହେବନି ଦୃଶ୍ୟମାନ

ଭୁବନେଶ୍ୱର: ଆଜି ହେଉଛି ବର୍ଷର ପ୍ରଥମ ତଥା ଶେଷ ବଳୟ ସୂର୍ଯ୍ୟପରାଗ। ଉତ୍ତର କାନ୍ନାଡା, ଗ୍ରୀନଲ୍ୟାଣ୍ଡ ଓ ରୁଷିଆର କିଛି ଅଞ୍ଚଳରେ ଏହା ଦୃଶ୍ୟମାନ ହେବାକୁ ଥିବା ବେଳେ ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ ବୋଲି ଜଣାପଡିଛି।

ତେବେ ଆମେରିକା, ୟୁରୋପ ଓ ଏସିଆ ମହାଦେଶରେ ଆଂଶିକ ସୂର୍ଯ୍ୟପରାଗ ହେବ । ଭାରତର ଜାମ୍ମୁ କଶ୍ମୀରର କମ ଅଞ୍ଚଳରେ ୧୦ ପ୍ରତିଶତରୁ କମ ଦୃଶ୍ୟମାନ ହେବ । ତେବେ ଓଡିଶାରେ ଏହା ଦେଖାଯିବ ନାହିଁ । ଭାରତୀୟ ସମୟ ଦିନ ଗୋଟାଏ ୪୨ ମିନିଟରୁ ୬ଟା ୪୧ଯାଏ ସୂର୍ଯ୍ୟପରାଗ ରହିବ । ଭାରତରେ ପରବର୍ତ୍ତୀ ସୂର୍ଯ୍ୟପରାଗ ଆସନ୍ତା ୨୫ରେ ହେବ । ଚଳିତଥର ସୂର୍ଯ୍ୟପରାଗ ଦୃଶ୍ୟମାନ ହେଉନଥିବା ସ୍ଥାନରେ କୌଣସି ପାଳନ କରାଯିବ ନାହିଁ ।

ଉଲ୍ଲେଖଯୋଗ୍ୟ, ସୂର୍ଯ୍ୟ ଚାରିପଟେ ପୃଥିବୀ କିମ୍ବା ପୃଥିବୀ ଚାରିପଟେ ଚନ୍ଦ୍ର ଏକ ନିର୍ଦ୍ଧିଷ୍ଟ କକ୍ଷ ପଥରେ ବୁଲୁଛନ୍ତି । ବେଳେବେଳେ ତିନୋଟି ପିଣ୍ଡ ଏକ ସରଳ ରେଖାରେ ରହିଥାନ୍ତି । ଯାହା ଫଳରେ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ପରାଗ ଘଟିଥାଏ । ସୂର୍ଯ୍ୟ ପରାଗ ସମୟରେ ପୃଥିବୀ ଓ ସୂର୍ଯ୍ୟ ମଝିରେ ଚନ୍ଦ୍ର ରହିଥାଏ । ଚନ୍ଦ୍ରର ଛାଇ ପଡୁଥିବା ଅଞ୍ଚଳରେ ଲୋକମାନେ କିଛି ସମୟ ପାଇଁ ସୂର୍ଯ୍ୟଙ୍କୁ ଦେଖିପାରନ୍ତି ନାହିଁ । ଫଳରେ ପରାଗ ସୃଷ୍ଟି ହୋଇଥାଏ । ଏବଂ ଏହା କେବଳ ଆମାବାସ୍ୟା ଦିନ ହିଁ ସୃଷ୍ଟି ହୋଇଥାଏ ।

ପରାଗ ସମୟୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥିତିକୁ ଦୃଷ୍ଟିରେ ରଖି ତିନି ପର୍କାର ପରାଗ ସୃଷ୍ଟି ହୋଇଥାଏ । ଯାହାକୁ ଆଂଶିକ ଓ ପୂର୍ଣ୍ଣ ବଳୟ ବୋଲି କୁହାଯାଏ ।

ଅଧିକ ପଢନ୍ତୁ- ଜୁନ ୧୦ରେ ସୂର୍ଯ୍ୟ ପରାଗ, ଏହି ରାଶିଗୁଡ଼ିକ ଉପରେ ପଡ଼ିବ କୁପ୍ରଭାବ

ଲଗାଣ ବର୍ଷାରେ ଭୁଶୁଡ଼ିଲା କୋଠା, ୧୧ ମୃତ

ମୁମ୍ବାଇ: ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ମୁମ୍ବାଇ। ଦିନ ତମାମ ମୂଷଳଧାର ବର୍ଷା ପରେ ବୁଧବାର ରାତିରେ ମଲାଡ ୱେଷ୍ଟର ମାଲମଣୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଅତି ଗୁରୁତର ହୋଇଛନ୍ତି।

ଗୁରୁତରମାନଙ୍କୁ ବିଡିବିଏ ନଗରର ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣା ଖବରପାଇ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିଥିଲେ। ଏବେ ବି କୋଠା ତଳେ ବହୁ ଲୋକ ଚାପି ହୋଇରହିଥିବା ଅନୁମାନ କରାଯାଉଛି।

ପ୍ରାରମ୍ଭିକ ସୂଚନା ମୁତାବକ, ଦୁର୍ଘଟଣା ବେଳେ ସେହି କୋଠାରେ ପ୍ରାୟ ୨୦ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରେ କେତେ ଜଣ ଶିଶୁ ମଧ୍ୟ ରହିଥିବା ଜଣାପଡିଛି। ଭୁଶୁଡ଼ିଥିବା କୋଠା ନିକଟରେ ଅନ୍ୟ ୩ଟି କୋଠା ଅତିଦୁର୍ବଳ ଅବସ୍ଥାରେ ରହିଛି। ସୁରକ୍ଷା ଦୃଷ୍ଟିରୁ ସେହି କୋଠାଗୁଡ଼ିକରୁ ଲୋକମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଦିଆଯାଇଛି ବୋଲି ବ୍ରିହାନମୁମ୍ବାଇ ମହାନଗର ନିଗମ ପକ୍ଷରୁ କୁହାଯାଇଛି ।

ସେପଟେ ଆଜି ବି ମୁମ୍ବାଇରେ ପ୍ରବଳ ବର୍ଷିବ ବୋଲି କହିଛି ପାଣିପାଗ ବିଭାଗ। ଏ ନେଇ ହାଇଆଲର୍ଟ ଜାରି କରାଯାଇଛି। ବର୍ଷା ଯୋଗୁ ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହେବା ଆଶଙ୍କା ରହିଥିବାରୁ ଉଦ୍ଧାରକାରୀ ଟିମ୍‌କୁ ଆଲର୍ଟରେ ରଖାଯାଇଛି। ଗତକାଲିଠାରୁ ଲଗାଣ ବର୍ଷା ଫଳରେ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।