spot_img
Home Blog Page 561

ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ରାଉରକେଲା : ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଧମକ ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ‌। ସ୍ଵାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ସୁପରଭାଇଜର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଛାତ୍ରୀଙ୍କ ମା’ଙ୍କୁ ମଧ୍ୟ ଅଭିଯୁକ୍ତ ସୁପରଭାଇଜର ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ସମୟର ଭିଡିଓ ଭାଇରାଲ କରି ଦେବାର ଭୟ ଦେଖାଇ ଅଭିଯୁକ୍ତ ପୀଡିତାଙ୍କ ଠାରୁ ୫ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ନେଇଥିବା ମଧ୍ୟ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ସୁପରଭାଇଜରକୁ ଗିରଫ କରି ପଚରାଉଚରା କରୁଛି। ଆଜି ଅଭିଯୁକ୍ତ ସୁପରଭାଇଜରକୁ କୋର୍ଟ ଚାଲାଣ କରାଯିବ।

ବଳଙ୍ଗା ଛାତ୍ରୀଙ୍କୁ ପୋଡି ହତ୍ୟା ଉଦ୍ୟମ ଘଟଣା, ଆଜି ନିମାପଡ଼ା ବଳଙ୍ଗା ଥାନା ଘେରାଉ କରିବ ବିଜେଡି

ଭୁବନେଶ୍ବର : ବଳଙ୍ଗା ଛାତ୍ରୀଙ୍କୁ ପୋଡି ହତ୍ୟା ଉଦ୍ୟମ ଘଟଣାକୁ ନେଇ ତେଜୁଲା ଅସନ୍ତୋଷ। ଆଜି ନିମାପଡ଼ା ବଳଙ୍ଗା ଥାନା ଘେରାଉ କରିବ ବିଜେଡି। ଗତକାଲି ଏହି ଘଟଣାକୁ ନେଇ ଏମସରେ ସୃଷ୍ଟି ହୋଇଥିଲା ଉତ୍ତେଜନା। ରାଜ୍ୟରେ ନାରୀ ନିର୍ଯାତନା ବଢି ଚାଲିଥିବା ବେଳେ, ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆଜି ବଳଙ୍ଗା ଥାନା ଘେରାଉ କରିବ ବିଜୁ ଜନତା ଦଳ। ବଳଙ୍ଗା ଛାତ୍ରୀଙ୍କୁ ପୋଡି ହତ୍ୟା କରିବା ଲାଗି ଉଦ୍ୟମ ଘଟଣା। ରାତିରେ ଭୁବନେଶ୍ବର ଏମସରେ ଜୋରଦାର ହଙ୍ଗାମା। ବର୍ଷା ରାତିରେ ପିଶାଚ ପାଲଟିଗଲା ପୋଲିସ। ପୀଡ଼ିତାଙ୍କୁ ତୁରନ୍ତ ଏୟାର ଲିଫ୍ଟ କରିବା ସହ ଅନ୍ୟାନ୍ୟ ଦାବି ନେଇ ଏମସ ପରିସରରେ ନାରାବାଜି କରିଛନ୍ତି ବିଜେଡି, କଂଗ୍ରେସ, ଡିଏସଓ, ନବ ନିର୍ମାଣ ଛାତ୍ର ସଂଗଠନର ନେତା ଓ କର୍ମୀ। ରାତିରେ ମହିଳା ନେତ୍ରୀଙ୍କ ଉପରେ ପୁଣି ବଳ ପ୍ରୟୋଗ କରିଛି ପୋଲିସ। କିଛି କର୍ମୀଙ୍କୁ ବି ପୋଲିସ ଉଠାଇ ନେଇଛି। ପୋଲିସର ବଳ ପ୍ରୟୋଗ ବିରୋଧରେ ଆନ୍ଦୋଳନକାରୀ ଦେଇଥିଲେ ଧାରଣା।  ଏମ୍ସ ପରିସରରେ ୧୬୩ ଧାରା ଜାରି କରାଯିବା ସହ  ପୁରା ଅଞ୍ଚଳକୁ ଖାଲି କରାଯାଇଛି। ସେଠାରେ  କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବା ସହ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।  ପୋଲିସ ସରକାରଙ୍କ ଗୁଣ୍ଡା ସାଜିଛି ବୋଲି ବିଜେଡି ଅଭିଯୋଗ କରିଛି। ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ିଯିବା, ନାରୀ ନିର୍ଯାତନା ବୃଦ୍ଧି ପାଇବା, ଛାତ୍ରୀ ଅସୁରକ୍ଷିତ ହେବା ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଆନ୍ଦୋଳନକାରୀ। ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣା ପରେ ପରେ ବଳଙ୍ଗା ଘଟଣାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ତୀବ୍ର ହୋଇଛି।

ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ସ୍ବତନ୍ତ୍ର ଓଟିଇଟି ସ୍ଥଗିତ। ଓଟିଇଟି ପରୀକ୍ଷାର ପ୍ରଥମ ଓ ଦ୍ବିତୀୟ ପତ୍ରକୁ ଘୁଞ୍ଚାଇ ଦିଆଯାଇଛି। ଆଜି ପରିକ୍ଷା ହେବାର ଥିଲା। ହେଲେ ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ହେବାର ଅଭିଯୋଗ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ରାତି ଅଧିଆ ଏଭଳି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା ସ୍ଥଗିତ ରହିଥିବାରୁ ପରୀକ୍ଷା ଦେବାକୁ ଥିବା ପ୍ରାୟ ୭୫ ହଜାର ଶିକ୍ଷକ ନିରାଶ ହୋଇଛନ୍ତି।

ଆନ୍ଦୋଳନରତ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ବଳଙ୍ଗା ଘଟଣା ପ୍ରତିବାଦରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବାସଭବନ ଘେରାଉ କରିଥିଲା କଂଗ୍ରେସ। ଏହି ଅଞ୍ଚଳ ହେଉଛି ପ୍ରଭାତୀ ପରିଡ଼ାଙ୍କ ଅଞ୍ଚଳ। ଅର୍ଥାତ ଉପମୁଖ୍ୟମନ୍ତ୍ରୀଙ୍କ ନିଜ ଅଞ୍ଚଳରେ ମଧ୍ୟ ମହିଳା ସୁରକ୍ଷିତ ନୁହନ୍ତି। କଂଗ୍ରେସର ୟାସିର ନୱାଜ ପ୍ରଶ୍ନ କରିଛନ୍ତି, ମହିଳାମାନେ କାହିଁକି ଅସୁରକ୍ଷିତ। ଅପରାଧୀମାନେ କାହାଠୁ ସାହସ ପାଉଛନ୍ତି। ଓଡ଼ିଶା ଛାରଖାର ହୋଇ ଗଲାଣି। ମହିଳାଙ୍କୁ ସୁରକ୍ଷା ଦେଇପାରୁନ, ଇସ୍ତଫା ଦିଅ। ପଦ ଛାଡ଼। ଆଇନ ମନ୍ତ୍ରୀ ମଧ୍ୟ ଇସ୍ତଫା ଦିଅନ୍ତୁ। ଆମେ ସରକାରଙ୍କୁ ସଚେତନ କରିବାକୁ ଆସିଥିଲୁ। ଆମକୁ ଦମନ କରିବାକୁ ଯେତେ ଚେଷ୍ଟା କରୁଛି ପୋଲିସ, ଆଇନ ଶୃଙ୍ଖଳାକୁ ନେଇ ସେତିକି ତତ୍ପର ହୋଇଥିଲେ, ଏଭଳି ଘଟଣା ଘଟୁନଥାନ୍ତା। ପରେ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଥିଲା।

ଏମ୍ସରେ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ବିପକ୍ଷ ଦଳ ନେତାଙ୍କୁ ଛାଡ଼ିଲାନି ପୋଲିସ

ନନ୍ଦିଘୋଷ ବ୍ୟୁରୋ: ଏମ୍‌ସରେ ଚିକିତ୍ସିତ ହେଉଛନ୍ତି ବଳଙ୍ଗା ପୀଡ଼ିତା। ତାଙ୍କ ପରିବାରକୁ ସାନ୍ତ୍ଵନା ଦେବାକୁ ଯାଇଥିବା ବେଳେ ବିଜେଡି ନେତାଙ୍କୁ ଅଟକାଇଥିଲା ପୋଲିସ  । କିନ୍ତୁ ବିଜେପି ବିଧାୟକ ବାବୁ ସିଂ ଓ ବିଜେପି ନେତାମାନଙ୍କୁ ସୁରକ୍ଷା ଭିତରେ ବର୍ନ ବିଭାଗ ଭିତରକୁ ଖୋଦ୍ ଡିସିପି ନେଇଥିଲେ। ଏହାକୁ ନେଇ ଉଠିଛି ବିବାଦ। ବିଜେଡି, କଂଗ୍ରେସ ଓ ନବନିର୍ମାଣ କୃଷକ ସଂଗଠନ ପ୍ରତିବାଦ କରିଛନ୍ତି। ବିଜେଡିର ପ୍ରଶ୍ନ, ବିଜେପି ନେତାଙ୍କୁ ଭିତରକୁ ନିଆଯାଉଛି । ହେଲେ ବିରୋଧୀ ଦଳର ନେତଙ୍କୁ କାହିଁକି ଅଟକାଉଛି ପୋଲିସ । ପ୍ରତିବାଦରେ ବର୍ଣ୍ଣ ବିଭାଗ ସମ୍ମୁଖରେ ଧାରଣା ଦେଇ ନାରାବାଜି କରିଛି ବିଜେଡି । ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତି ସିଂହାର ଓ ପୂର୍ବତନ ବିଧାୟକ ରୁଦ୍ର ମହାରଥୀ କଟାକ୍ଷ କରିଛନ୍ତି, ବିଜେପି ନେତାଙ୍କ ଦେହରେ ଏମିତି କଣ ମଲମ ଲାଗିଛି ଯେ, ସେମାନେ ଭିତରକୁ ଗଲେ ଇନଫେକ୍ସନ ହେବନି। କିନ୍ତୁ ବିଜେଡି ଗଲେ ଇନଫେକ୍ସନ ହେବ । ଏହା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେଡି। ସେପଟେ ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ବିରୋଧ କରିବା ଛଡ଼ା ବିରୋଧୀଙ୍କ ଆଉ କିଛି କାମ ନାହିଁ ।

କେମିତି ଅଛି ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ? ଜାଣନ୍ତୁ ଏହାକୁ ନେଇ କଣ କହିଲେ ଏମ୍ସ ନିର୍ଦ୍ଦେଶକ

ନନ୍ଦିଘୋଷ ବ୍ୟୁରୋ: ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କ ଶରୀରର ୭୨ରୁ ୭୫ ପ୍ରତିଶତ ପୋଡ଼ି ଯାଇଛି। ଆସନ୍ତା ୪୮ ଘଣ୍ଟା ବହୁତ ଗୁରୁତ୍ଵପୂର୍ଣ୍ଣ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ଵାସ। ପୀଡ଼ିତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ଅପଡେଟ୍ ଦେଇ ସେ କହିଛନ୍ତି, ଏହା ହେଉଛି ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ କେସ୍ । ପୀଡ଼ିତା ଯଦିଓ ଭେଣ୍ଟିଲେଟରେ ନାହାନ୍ତି, ସେ ଆଇସିୟୁରେ ଅକ୍ସିଜେନରେ ଅଛନ୍ତି। କମ୍ ରହିଛି ରକ୍ତଚାପ। ଆଗାମୀ ୪୮ ଘଣ୍ଟା ତାଙ୍କୁ ନିରୀକ୍ଷଣରେ ରଖାଯିବ। ତା ପରେ ହିଁ ଯାହା କିଛି କହି ହେବ। କଥାବାର୍ତ୍ତା କରୁଥିଲେ ମଧ୍ୟ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି। କାଡିଓ ଭାସ୍କୁଲାର ଓ ରେସପିରୋଟୋରି ଟ୍ରିଟମେଣ୍ଟ ଚାଲିଥିବା କହିଛନ୍ତି ଏମ୍ସ ନିର୍ଦ୍ଦେଶକ। ତାଙ୍କ ଚିକିତ୍ସା ପାଇଁ ଗଠନ କରାଯାଇଛି ଏକ ସ୍ଵତନ୍ତ୍ର ଟିମ୍। ଏଥିରେ ରହିଛନ୍ତି ୧୪ ଜଣ ଡାକ୍ତର। ପ୍ରତିଦିନ ସକାଳେ ଓ ସଂଧ୍ୟାରେ ପୀଡ଼ିତାଙ୍କ ହେଲଥ ଅପଡେଟ୍ ଦିଆଯିବ ବୋଲି ଏମ୍ସ ତରଫରୁ କୁହାଯାଇଛି।

“ଜଗବନ୍ଧୁ ଜରାଶ୍ରମ” ର ୧୮ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନ : ଭୁବନର ଅନନ୍ୟ ତଥା ନିଆରା ସେବା ପ୍ରତିଷ୍ଠାନ ” ଜଗବନ୍ଧୁ ଜରlଶ୍ରମ” ର ୧୮ ତମ ପ୍ରତିଷ୍ଠା ଦିବସ ପି ଏମ ଶ୍ରୀ ଭୁବନ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଶନିବାର ପାଳିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ଆଶୁତୋଷ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ମିନତୀ ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିନା କୌଣସି ସରକାରୀ, ବେସରକାରୀ ସହାୟତାରେ ଦୀର୍ଘ ୧୮ ବର୍ଷ ହେଲା ଅବହେଳିତ ,ନିଷ୍ପେସିତ,ଗରିବ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଜଗବନ୍ଧୁ ଜରାଶ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ। ନିଜର ଲକ୍ଷ୍ୟ ସ୍ଥିର କରି କଠିନ ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ ବୋଲି ମତବ୍ୟକ୍ତ କରିଥିଲେ ।

ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ତଥା ସମାଜସେବୀ ଶ୍ରୀଯୁକ୍ତ ଭୁବନାନନ୍ଦ ତ୍ରିପାଠୀ ଯୋଗଦେଇ ପୁରସ୍କାର ଛୋଟ ହେଉ ଅବା ବଡ, ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରାଇ ଆଗକୁ ବଢିବାକୁ ପ୍ରେରଣା ଦେଇଥାଏ ବୋଲି ମତବ୍ୟକ୍ତ କରିବା ସହ “ଜରାଶ୍ରମ”ର ଏତାଦୃଶ କାର୍ଯ କୁ ଉଚ୍ଚ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଭୁବନ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଗଣେଶ୍ୱର ସାହୁ , ମୋ ସ୍କୁଲ ଅଭିଯାନ ର ସଭାପତି ଈଂ ଦେବେନ୍ଦ୍ର ପୃଷ୍ଟି,ଶାସନ ସରକାରୀ ଉ.ପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଣତୀ ମହାପାତ୍ର,ବାଜି ରାଉତ କଲେଜ ଇଂରାଜୀ ଅଧ୍ୟାପକ ସୁବାସ ଚନ୍ଦ୍ର ପତି ଯୋଗଦେଇ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟର ଉନ୍ନତି ପାଇଁ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ ।

ପିଏମ୍ ଶ୍ରୀ ଭୁବନ ଉଚ୍ଚ ବିଦ୍ୟାଳୟ ଓ ଶାସନ ଉପ୍ରା ବିଦ୍ୟାଳୟର ଶ୍ରେଷ୍ଠ ତିନି ଜଣ ଲେଖାଏଁ ବିଦ୍ୟାର୍ଥୀ ଙ୍କୁ ✓ଶରତ ଚନ୍ଦ୍ର ମିଶ୍ର ଶିକ୍ଷା ସମ୍ମାନ ରେ ସମ୍ମାନିତ କରାଯିବା ସହିତ ଶତାଧିକ ଔଷଧୀୟ ଚାରା ବଣ୍ଟନ କରାଯାଇଥିଲା । ” ଜଗବନ୍ଧୁ ଜରଶ୍ରମ ” ତରଫରୁ ଅତିଥି ମାନଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ତୈଳ ଚିତ୍ର , ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ରୀଡା ଶିକ୍ଷକ ସାଗର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜଗବନ୍ଧୁ ବିହାରୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଘ୍ନରାଜ ଦାସ ଙ୍କ ସମେତ ଜରଶ୍ରମ ର କର୍ମକର୍ତ୍ତା ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।

କଳାହାଣ୍ଡିରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର

ଲାଞ୍ଜିଗଡ଼ :ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପ୍ରୋଜେକ୍ଟ ଆରୋଗ୍ୟ ଅନ୍ତର୍ଗତ ଏକ ବୃହତବହୁ – ବିଶେଷଜ୍ଞ ସ୍ୱାସ୍ଥ୍ୟଶିବିର ଆୟୋଜନ କରି ଅବହେଳିତ ଅଞ୍ଚଳ ଗୁଡ଼ିକୁ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ନିଜର ପ୍ରତିବଦ୍ଧତାକୁ ପୁନଃ ସ୍ଥାପିତ କରିଛି।ଏହି ଶିବିରଟି ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୫ଟି ଗ୍ରାମରବାସିନ୍ଦାଙ୍କୁ ସେବା ପ୍ରଦାନ କରିଥିଲା ଯାହା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅନୁଷ୍ଟିତ ହୋଇଥିଲା।

ବେଦାନ୍ତର ଏହି ତ୍ୱରିତ ପଦକ୍ଷେପ ସାଧାରଣତଃ ମୌସୁମୀ ଋତୁରେ ଆୟୋଜିତ ହୋଇଥାଏ, ଯେତେବେଳେ ଗ୍ରାମବାସୀମାନେ ବିଭିନ୍ନ ପ୍ରକାର ଋତୁକାଳୀନ ରୋଗରେ ଶିକାର ହୋଇଥାନ୍ତି।ଏହି ଶିବିରଟି ୩୫୦ରୁ ଅଧିକ ରୋଗୀଙ୍କୁ ଉପକୃତ କରିଥିଲା, ଦୂରଦୂରାନ୍ତ ଅଞ୍ଚଳରେ ସମୟୋପଯୋଗୀ ଏବଂ ସୁଲଭ ସ୍ୱାସ୍ଥ୍ୟସେବାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ପୂରଣ କରିଥିଲା। ଶିଶୁରୋଗ, ସାଧାରଣଔଷଧ, ସ୍ତ୍ରୀରୋଗ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଚିକିତ୍ସା କ୍ଷେତ୍ରର ବିଶେଷଜ୍ଞଙ୍କ ସହାୟତାରେ, ଶିବିରଟି ତୁରନ୍ତ ସେବା ପ୍ରଦାନ କରିଥିଲା ଏବଂ ପ୍ରତିରୋଧକ ସ୍ୱାସ୍ଥ୍ୟସେବା ଅଭ୍ୟାସ ଉପରେ ସଚେତନତା ବୃଦ୍ଧି କରିଥିଲା, ଯାହା ଗ୍ରାମାଞ୍ଚଳ ସମ୍ପ୍ରଦାୟରେ ସ୍ୱାସ୍ଥ୍ୟ ଅବହେଳାକୁ ପୂରଣ କରିବାରେ ସାହାଯ୍ୟ କରିଥିଲା।

ବେଦାନ୍ତ ଆଲୁମିନାବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି: “ବେଦାନ୍ତ ଲାଞ୍ଜିଗଡ଼ରେ, ଆମେସ୍ଥାୟୀ ସ୍ୱାସ୍ଥ୍ୟସେବା ପଦକ୍ଷେପ ମାଧ୍ୟମରେ ସମ୍ପ୍ରଦାୟର ଉନ୍ନତି ପାଇଁ ଦୃଢଭାବରେ ପ୍ରତିବଦ୍ଧ।ଏହି ମେଗା ସ୍ୱାସ୍ଥ୍ୟ ଶିବିର ହେଉଛି ଆମର ପ୍ରତିରୋଧକ ପଦ୍ଧତିର ଏକ ଅଂଶ ଯାହା ଦୂରଦୂରାନ୍ତ ଗ୍ରାମଗୁଡ଼ିକରେ ସମୟୋଚିତ ଚିକିତ୍ସା ସହାୟତା ସୁନିଶ୍ଚିତ କରିଥାଏ।ପ୍ରୋଜେକ୍ଟ ଆରୋଗ୍ୟ ମାଧ୍ୟମରେ,ଆମେ ଅବହେଳିତ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇ ଅର୍ଥପୂର୍ଣ୍ଣ ପ୍ରଭାବ ପକାଇବା ଜାରି ରଖିଛୁ।”

ପ୍ରୋଜେକ୍ଟଆରୋଗ୍ୟ, ବେଦାନ୍ତ ଲାଞ୍ଜିଗଡ଼ର ପ୍ରମୁଖ ସ୍ୱାସ୍ଥ୍ୟସେବା ଯାହା ଉକ୍ତ ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି।କେବଳ ଆର୍ଥିକ ବର୍ଷ୨୦୨୪-୨୫ରେ, ୬୬୦ରୁ ଅଧିକ ମୋବାଇଲ୍ହେଲଥୟୁନିଟ୍ (MHU) ପରିଦର୍ଶନ କରାଯାଇଥିଲା, ଯାହା ଦୂରଦୂରାନ୍ତ ଗ୍ରାମଗୁଡ଼ିକରେ ୨୦,୫୦୦ରୁ ଅଧିକ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିଥିଲା।ଏହା ସହିତ ୬୮୦ରୁ ଅଧିକ ସମ୍ପ୍ରଦାୟଙ୍କ ଉଦ୍ଦେଶ୍ୟରେ ସଚେତନତା ଅଧିବେଶନ ଆୟୋଜନ କରାଯାଇଥିଲା, ଯାହା ୧୫,୦୦୦ରୁ ଅଧିକ ଲୋକଙ୍କୁ ସ୍ୱଚ୍ଛତା, ସୁସ୍ଥତା ଏବଂ ରୋଗନିବାରଣ ଉପରେ ଜରୁରୀ ସୂଚନା ପ୍ରଦାନ କରିଥିଲା। ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏକ ଦାୟିତ୍ୱପୂର୍ଣ୍ଣ ବିକାଶ ସହଯୋଗୀ ଭାବରେ ଏହାର ଭୂମିକାକୁ ଆହୁରି ସୁଦୃଢ଼ କରି, ଶେଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ବେଦାନ୍ତ ଲାଞ୍ଜିଗଡ଼ ତାର ମିଶନରେ ଅଟଳ ରହିଛି।

ବାଲେଶ୍ଵର ଘଟଣାର ପୁନରାବୃତ୍ତି: ଯୁକ୍ତ ୨ ଛାତ୍ରୀଙ୍କୁ ନିଆଁ ଲଗାଇ ଦୁର୍ବୃତ୍ତ ଫେରାର

ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ନିର୍ଯାତନା ଘଟଣାର ପୁନରାବୃତ୍ତି। ପୁଣି ଛାତ୍ରୀଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ। ପୁରୀ ଜ୍ଲିଲା ବଳଙ୍ଗା ବାୟାବର ଅଞ୍ଚଳରର ଯୁକ୍ତ ୨ ଛାତ୍ରୀଙ୍କୁ ନିଆଁ ଲଗାଇ ପୋଡିଦେଲେ କିଛି ଦୁର୍ବୃତ୍ତ। ଚାଲି ଚାଲି ସାଙ୍ଗ ଘରକୁ ଯାଉଥିବା ସମୟରେ ବାଟରେ ୩ ଜଣ ଯୁବକ ଛାତ୍ରୀଙ୍କୁ ନିଆଁ ଲଗାଇ ପୋଡ଼ିବାକୁ ଉଦ୍ୟମ କରିଛନ୍ତି।ନିଆଁ ଲଗାଇଥିବା ଯୁବକମାନେ କାଣ୍ଡ ଭିଆଇ ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ଲୋକେ ଯୁବତୀଙ୍କ ଦେହରେ ଲାଗିଥିବା ନିଆଁକୁ ଲିଭାଇଥିଲେ। ଗୁରୁତର ଛାତ୍ରୀଙ୍କୁ ଆମ୍ବୁଲାନ୍ସରେ ଭୁବନେଶ୍ଵର ଏମସକୁ ସ୍ଥାନାନ୍ତର କରାଯାଉଛି। ଘଟଣାସ୍ଥଳରେ ବଳଙ୍ଗା ପୋଲିସ ଛାନବିନ ଆରମ୍ଭ କରିଛି।

‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’ ଫିଲ୍ମ ଦେଖିଲେ ରାଷ୍ଟ୍ରପତି: ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଗୌରବମୟ ମୁହୂର୍ତ୍ତ

ନୂଆଦିଲ୍ଲୀ: ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଗୌରବମୟ ମୁହୂର୍ତ୍ତ । ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ‘ଶ୍ରୀ ଜଗନ୍ନାଥଙ୍କ ନବକେଳବର’ ଓଡ଼ିଆ ଫିଲ୍ମକୁ ଦେଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ନବକଳେବର ରୀତିକୁ ନେଇ ପ୍ରସ୍ତୁତ ହୋଇଛି ଏହି ଭକ୍ତିପୂର୍ଣ୍ଣ ତଥା ଐତିହାସିକ ଚଳଚ୍ଚିତ୍ର । ସ୍କ୍ରିନିଂ ସମୟରେ ଫିଲ୍ମର ନିର୍ଦ୍ଦେଶକ ସୌଭାଗ୍ୟଲକ୍ଷ୍ମୀ ଜେନା ଓ ଅନ୍ୟ କଳାକାରମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଫିଲ୍ମ ଇତିହାସରେ ଏହା ପ୍ରଥମ ଘଟଣା । ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହୋଇଛି ଶ୍ରୀଜଗରନ୍ନାଥଙ୍କ ‘ନବକଳେବର’ ଫିଲ୍ମ । ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରାରେ, ଓଡ଼ିଶାର ପ୍ରମୁଖ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ର ଅପୂର୍ବ ସଫଳତା ଏବେ ଚର୍ଚ୍ଚାର ବିଷୟ । କେବଳ ଓଡ଼ିଶା ନୁହେଁ ସାରା ବିଶ୍ବର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବରର କଥାବସ୍ତୁକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ଦେଖିବାକୁ ପ୍ରେକ୍ଷାଳୟକୁ ଓଡିଆ ଦର୍ଶକ ନିଜେ ଟାଣି ହୋଇ ଆସୁଛନ୍ତି ।

ତେବେ ଓଡିଆ ମାଟିର ଝିଅ ତଥା ଭାରତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଧ୍ୟ ବଡ଼ ଠାକୁରଙ୍କ ଏହି ଫିଲ୍ମର ଅନୁଭୂତି ନେବା ପାଇଁ ନୂଆ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରୁ ଫିଲ୍ମର ସମ୍ପୂର୍ଣ୍ଣ ଟିମକୁ ନିମନ୍ତ୍ରଣ କରିଥିଲେ । ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନରେ ଚଳଚ୍ଚିତ୍ର ଶ୍ରୀଜଗନ୍ନାଥଙ୍କ ‘ନବକଳେବର’ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ ହୋଇଥିଲା ।

ସ୍ୱୟଂ ବଡ଼ଠାକୁରଙ୍କ ଏହି ଫିଲ୍ମ ଦେଖି ସମସ୍ତେ ବହୁତ ଭାବ ବିହ୍ଵଳ ହୋଇଥିଲେ ଓ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ପ୍ରଚାର ଓ ପ୍ରସାର କରୁଥିବାରୁ ଫିଲ୍ମର ଟିମକୁ ଅନେକ ପ୍ରଶଂସା କରିଥିଲେ । ଏହି ଅବସରରେ ନବକଳେବର ଟିମ୍ ଗଣମାଧ୍ୟମକୁ କହିଥିଲେ ଯେ, ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆମ ଟିମର ଅକ୍ଳାନ୍ତ ପରିଶ୍ରମ ପାଇଁ ଆଜି ଆମେ ଦର୍ଶକଙ୍କ ଏହି ଭଲପାଇବା ପାଇଥିଲୁ । ଆମ ଓଡିଆ ଝିଅ ତଥା ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ତାଙ୍କ କାର୍ଯ୍ୟାଳୟର ଏହି ଫିଲ୍ମ ପ୍ରତି ଭଲପାଇବା ଆମର ମନୋବଳକୁ ଆହୁରି ବଢାଇଛି ।