spot_img
Home Blog Page 5631

କରୋନାରୁ କେମିତି ସୁସ୍ଥ ହେଲେ କଙ୍ଗନା, ଦେଲେ ଟିପ୍ସ

ମୁମ୍ବାଇ: କଣ୍ଟ୍ରୋଭର୍ସି କୁଇନ୍ ଭାବେ ଖୁବ୍ ପରିଚିତ କଙ୍ଗନା ରଣାୱତ । ନିଜର ବିବାଦୀୟ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି।  ନିକଟରେ କରୋନା ସଂକ୍ରମିତ ହୋଇଥିବା କଙ୍ଗନା ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଏନେଇ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

‘ସମସ୍ତଙ୍କୁ ମୋର ନମସ୍କାର । ଆପଣଙ୍କ ପ୍ରେମ ଓ ଶୁଭେଚ୍ଛା ଯୋଗୁଁ ମୁଁ ବର୍ତ୍ତମାନ ସଂକ୍ରମଣ ମୁକ୍ତ । ମୁଁ କିପରି କୋଭିଡ଼କୁ ପରାସ୍ତ କଲି ସେ ବିଷୟରେ ବହୁତ କିଛି କହିବାକୁ ଚାହୁଁଛି କିନ୍ତୁ ମୋତେ କୋଭିଡ ଫ୍ୟାନ କ୍ଲବକୁ ଆଘାତ ନକରିବାକୁ କୁହାଯାଇଛି। ତଥାପି ଆପଣଙ୍କ ଭଲ ପାଇବା ଏବଂ ଶୁଭେଚ୍ଛା ପାଇଁ ଧନ୍ୟବାଦ। ମେ ୮ରେ ସଂକ୍ରମିତ ଚିହ୍ନଟ ହେବା ପରେ ହୋମ୍ ଆଇସୋଲେସନରେ ରହୁଥିଲେ।

କଙ୍ଗନାଙ୍କ ଏଭଳି ପୋଷ୍ଟରୁ ଜଣାପଡିଥିଲା ଯେ ସେ ଯେମିତି ଏ ସମ୍ପର୍କରେ କହିବା ପାଇଁ ମନା କରିଛନ୍ତି । କିନ୍ତୁ କିଛି ଘଣ୍ଟା ପରେ ସେ ଫେସବୁକରେ ଏକ ଭିଡିଓ ସେୟାର କରିଥିଲେ । ୧୦ ଦିନ ମଧ୍ୟରେ ସେ କିପରି  କରୋନାକୁ ପରାସ୍ତ କରିଛନ୍ତି ତାହା କହିଥିବା ନଜର ଆସିଥିଲା।

ଭିଡ଼ିଓରେ ସେ କହିଛନ୍ତି ଯେ ଆଜି ମୋର କରୋନା ରିପୋର୍ଟ ଆସିଛି, ଯାହା ନେଗେଟିଭ୍ ବାହାରିଛି। ମୁଁ ସାତ-ଆଠ ଦିନରେ ଭାଇରସକୁ ଠିକ୍ କରିଛି ।

ଭଦ୍ରକର ଗଡ଼ଗଡ଼ି ଗାଁ: ବର୍ଷ ତମାମ ହୁଏ ପରିବା ଚାଷ, ପଡ଼ୋଶୀ ଜିଲ୍ଲାରେ ମଧ୍ୟ ହୁଏ ବିକ୍ରି

ଭଦ୍ରକ: ମହାମାରୀ କରୋନାକୁ ନେଇ ସାରା ଦେଶ ଓ ରାଜ୍ୟରେ ଜୀବନ ଜୀବିକା ପ୍ରଭାବିତ ହୋଇଛି । ବହୁ ଲୋକ ହାତ ବାନ୍ଧି ଘରେ ବସି ରହିଛନ୍ତି । ମାନବ ଜାତି ନା ନା ସମସ୍ୟା ଓ ଦୁଶ୍ଚିନ୍ତା ଦେଇ ଗତି କରୁଛନ୍ତି । ଏଭଳି ଏକ ଅନିଶ୍ଚିତତା ଭାରା ସମୟରେ ଭିତରେ ଚାଷୀ କୂଳ କିନ୍ତୁ ଯଥା ପୂର୍ବଂ ତଥା ପରଂ । ଗୋଟିଏ ପଟେ ଏହି ଭୟଙ୍କର ଭୂତାଣୁ ବିରୋଧରେ ଲଢ଼େଇ ଜାରି ରହିଥିବା ବେଳେ ଏପଟେ ଲଙ୍ଗଳ ଧରି ଚାଷ କ୍ଷେତକୁ ବାହାରି ପଡ଼ୁଛି ଚାଷୀ । ବର୍ଷକ ୧୨ ମାସ ଅମଳ କରୁଛି ସୁନାର ଫସଲ । ବାଇଗଣ, ଟମାଟ, ଭେଣ୍ଡି, କୋବି, କାକୁଡି, ଝୁଡଙ୍ଗ ଭଳି ଭଳି ଫସଲ ଅମଳ କରୁଛନ୍ତି ଭଦ୍ରକ ଜିଲ୍ଲା  ଗଡ଼ଗଡ଼ି ଗାଁର ଚାଷୀ ।

    ଏହି ଗାଁରେ ବସବାସ କରୁଥିବା ୮୦ରୁ ଊର୍ଦ୍ଧ୍ୱ ପରିବାର ବର୍ଷ ତମାମ ଭଳିକି ଭଳି ପରିବା ଚାଷ କରିଥାନ୍ତି। ପ୍ରତିଦିନ ଅମଳ ହେଉଥିବା କ୍ୱିଣ୍ଟାଲ କ୍ୱିଣ୍ଟାଲ ପରିବା ନିକଟସ୍ଥ ଆରଡି, ବେତାଳିଗାଁ, ଧୁଷୁରୀ, ଭଦ୍ରକ ସମେତ ପଡ଼ୋଶୀ ଜିଲ୍ଲା ଯାଜପୁର ବଜାରରେ ବିକ୍ରି କରିଥାନ୍ତି । ତେବେ ସରକାରୀ  ସୁବିଧା ନଥିବାରୁ ବେଳେ ବେଳେ ଅଭାବି ବିକ୍ରି ମଧ୍ୟ ହୋଇଥାଏ। ଫଳରେ ଚାଷୀ ତା’ର ଠିକ ଅର୍ଥ ପାଇବାରୁ ବଞ୍ଚିତ ହୋଇଥାଏ ।

କାଳବୈଶାଖୀ ଝଡ଼ବର୍ଷା ହେଉ କିମ୍ବା ବନ୍ୟାରେ କ୍ଷତି ହେଉଥିବା ପରିବା ଚାଷ ବାବଦକୁ କୌଣସି ପ୍ରକାର ସହାୟତା ପାଇପାରନ୍ତି ନାହିଁ । ହେଲେ ଏହାକୁ ଖାତିରି ନକରି ଲୋକଙ୍କ ଚାହିଦା ମୁତାବକ ବର୍ଷ ସାରା ବିଭିନ୍ନ ପନିନରିବା ଚାଷ କରିଥାନ୍ତି।

ଗଡଗଡି ଗାଁର ପରିବା ବିଭିନ୍ନ ବଜାରକୁ ଆସୁଥିବାରୁ ଖାଉଟିମାନେ ସୁବିଧାରେ ପାଇପାରୁଥିବା କହିଛନ୍ତି ଖାଉଟିମାନେ। ଏପଟେ ଚାଷୀଙ୍କ କହିବା ଅନୁଯାୟୀ ଯଦି ସରକାରଙ୍କ ତରଫରୁ ଶୀତଳ ଭଣ୍ଡାର ସହ ଅନ୍ଯାନ ସହଯୋଗ ମିଳି ପାରନ୍ତା ତାହାଲେ ଅମଳ ହେଉଥିବା ପନିପରିବା ଉଚିତ ମୂଲ୍ୟ ଚାଷୀ ପାଇପାରନ୍ତେ ।

ପାଟପୁରିଆ ଗାଁରୁ ମାଆ-ଝିଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଖୋର୍ଦ୍ଧା: ମାଆ- ଝିଅଙ୍କ ଝୁଲନ୍ତା  ମୃତଦେହ ଉଦ୍ଧାର । ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ । ଖୋର୍ଦ୍ଧା ଥାନା ଅନ୍ତର୍ଗତ ପାଟପୁରିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ଶିବ ପ୍ରସାଦ ପତିଙ୍କ ପତ୍ନୀ ରାଜଶ୍ରୀ ଏବଂ ସାତ ବର୍ଷର କନ୍ୟା ସୁଶ୍ରୀ ଶ୍ୱେତାଙ୍କୁ ଝୁଲନ୍ତା ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ମୃତ ଘୋଷଣା କଲାପରେ ପୋଲିସ ଉଭୟ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି । ରାଜଶ୍ରୀଙ୍କ ବାପ ଘର ଲୋକ ଆସିଲା ପରେ ମୃତଦେହ ବ୍ୟବଚ୍ଛେଦ ହେବ ଏବଂ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ଖୋର୍ଦ୍ଧା ଆଦର୍ଶ ଥାନା ଇନଚାର୍ଜ ସୂଚନା ଦେଇଛନ୍ତି । ତେବେ ପାରିବାରିକ କଳହ ଯୋଗୁ ଝିଅକୁ ମାରି ରାଜଶ୍ରୀ ନିଜେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି ।

ଏଥିସହିତ ପଢ଼ନ୍ତୁ: ନିର୍ଯାତନାର ଶିକାର ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କଲେ ସବ୍ୟସାଚୀ: ମାଡ଼ ମାରୁଥିବା ବ୍ୟକ୍ତି ହେଲେ ଗିରଫ

ଜନ୍ମ ହୋଇଥିଲେ ତିନି ମିନିଟ ବ୍ୟବଧାନରେ, ଚାଲିଗଲେ ୨୪ ଘଣ୍ଟା ଅନ୍ତରାଳରେ

ଲକ୍ଷ୍ନୌ: ସେମାନେ ଏକାଠି ଆସିଥିଲେ । ଏକାଠି ଚାଲିଗଲେ । ଦୁଇ ଭାଇ ତିନି ମିନିଟ୍ ବ୍ୟବଧାନରେ ଜନ୍ମ ହୋଇଥିଲେ । ଆଉ ୨୪ ଘଣ୍ଟାର ଅନ୍ତରାଳରେ ଆରପାରିର ଯାତ୍ରୀ ହୋଇଛନ୍ତି । ଏହା ହେଉଛି କରୋନା କାଳର କରୁଣ କାହାଣୀ । ଦେଶରେ କେବେ ଲିଭୁନଥିବା ଜୁଇ ଓ କବରସ୍ଥାନରେ ଅଭାବ ପଡୁଥିବା ଭୁଇଁ ଭିତରେ ଇଏ ହେଉଛି ଏମିତି ଗୋଟିଏ ପରିବାରର କାହାଣୀ ,ଯିଏ ମାତ୍ର ୨୪ ଘଣ୍ଟା ଭିତରେ ହରାଇଛି ଦୁଇ ପୁଅଙ୍କୁ । କରୋନା ମହାମାରୀ ଅନେକ ପରିବାରକୁ ଉଜାଡି ଦେଇଛି । କିନ୍ତୁ ଉତ୍ତରପ୍ରଦେଶର ମିରଟ ବାସିନ୍ଦା ରାଫେଲ ପରିବାରର କାହାଣୀ ବେଶ ବେଦନାଦାୟକ । ଏହି ପରିବାର ଦୁଇ ଜାଆଁଳା ଭାଇ ଜୋଫ୍ରେଡ୍ ଭର୍ଗୀସ ଗ୍ରେଗୋରୀ ଓ ରାଲଫ୍ରେଡ୍ ଜର୍ଜ୍ ଗ୍ରୋଗରି କରୋନା ସହ ଯୁଦ୍ଧ ହାରି ଯାଇଛନ୍ତି । ପେଶାରେ ଇଂଜିନିୟର ଏହି ଦୁଇ ଭାଇଙ୍କ ବୟସ ଥିଲା ମାତ୍ର ୨୪ ।

ରାଫେଲ ଭାଇଙ୍କ ଜନ୍ମ ୨୩ ଏପ୍ରିଲ ୧୯୯୭ରେ ହୋଇଥିଲା । ଦୁହିଁଙ୍କ ମଧ୍ୟରେ ଜନ୍ମର ବ୍ୟବଧାନ ମାତ୍ର ତିନି ମିନିଟର ଥିଲା । ରାଲଫ୍ରେଡ୍ ଥିଲେ ସାନ । ୨୩ ଏପ୍ରିଲରେ ସେମାନେ ଜନ୍ମଦିନ ପାଳନ କରିଥିଲେ । କିନ୍ତୁ ଜନ୍ମଦିନର ଗୋଟିଏ ଦିନ ପରେ ଉଭୟ ଘାତକ ଭାଇରସର ଶିକାର ହୋଇଥିଲେ । ଉଭୟ ବିଟେକ୍ ପରେ ହାଇଦ୍ରାବାଦରେ କାମ କରୁଥିଲେ । ଏପ୍ରିଲ ୨୪ରେ କରୋନା ଶିକାର ହେବା ପରେ ଉଭୟଙ୍କ ଅବସ୍ଥା ବିଗିଡିବାରେ ଲାଗିଥିଲା । ଶେଷରେ ୧୩ ଓ ୧୪ ମେ ଭିତରେ ମାତ୍ର ୨୪ ଘଣ୍ଟା ବ୍ୟବଧାନରେ ଉଭୟ ଦୁନିଆକୁ କହିଥିଲେ ଅଲବିଦା ।

ଦୁଇ ଭାଇ ଏମିତି ହଠାତ ଚାଲିଯିବାକୁ ପରିବାର ଏବେ ମଧ୍ୟ ବିଶ୍ୱାସ କରି ପାରୁନାହିଁ । ରାଫେଲ ଦୁଇ ଭାଇ କେବଳ ଏକାଠି ଜନ୍ମ ହୋଇନଥିଲେ । ସେମାନେ ଏକାଠି ଗୋଟିଏ ଆଖିରେ ଦୁନିଆକୁ ଦେଖୁଥିଲେ ବୋଲି କୁହନ୍ତି ମା’ । ଯାହା କରୁଥିଲେ ଏକାଠି କରୁଥିଲେ । ପିତା ଗ୍ରେଗୋରି ରେମଣ୍ଡ ରାଫେଲଙ୍କ ଅନୁସାରେ ସେ ଜାଣିଥିଲେ ଯେ,ତାଙ୍କ ଦୁଇ ପୁଅ ଯଦି ହସ୍ପିଟାଲରୁ ଫେରିବେ ତେବେ ଏକାଠି ଫେରିବେ ନହେଲେ ଫେରିବେ ନାହିଁ । ସେ କୁହନ୍ତି ଯେ, ଜଣଙ୍କ ସହିତ ଯାହା ଘଟେ ତାହା ଅନ୍ୟ ଜଣକ ସହିତ ଘଟୁଥିଲା । ସେମାନଙ୍କ ଜନ୍ମରୁ ଏମିତି ହେଉଥିଲା ।ଜୋଫ୍ରେଡର ମୃତ୍ୟୁ ଖବର ଶୁଣିବା ପରେ ମୁଁ ମୋ ପତ୍ନୀକୁ କହିଥିଲି ଯେ, ରାଲଫ୍ରେଡ୍ କେବେ ମଧ୍ୟ ଏକାକି ଫେରିବ ନାହିଁ । ୧୩ ଓ ୧୪ ମେ ମଧ୍ୟରେ କେଇ ଘଣ୍ଟା ଭିତରେ ଉଭୟ ଦୁନିଆ ଛାଡିକି ଚାଲିଗଲେ । ଗ୍ରେଗୋରିଙ୍କର ତିନି ପୁଅଙ୍କ ମଧ୍ୟରୁ ସଭା ସାନପୁଅ ଏବେ ତାଙ୍କ ପାଖରେ ରହୁଛନ୍ତି ।

କରୋନା ସଂକ୍ରମଣ ପରେ ଦୁଇ ଭାଇଙ୍କ ଚିକିତ୍ସା ଘରେ ଚାଲୁଥିଲା । ଗ୍ରେଗୋରିଙ୍କ ଅନୁସାରେ ଅକ୍ସିଜେନ୍ ସ୍ତର ୯୦ ହେବା ପରେ ସେମାନଙ୍କୁ ଡାକ୍ତରଖାନା ନେବାକୁ ଚିକିତ୍ସକ ପରାମର୍ଶ ଦେଇଥିଲେ । ଦୁହିଁଙ୍କର ପ୍ରଥମ ଆରଟିପିସିଆର ରିପୋର୍ଟ ପଜିଟିଭ୍ ଆସିଥିଲା କିନ୍ତୁ ପରବର୍ତ୍ତି ରିପୋର୍ଟ ନେଗେଟିଭ୍ ଆସିଥିଲା । ଗ୍ରଗୋରୀଙ୍କ ଅନୁସାରେ ରାଲଫ୍ରେଡ୍ ଶେଷଥର ପାଇଁ ନିଜ ମା’ ସହିତ ଫୋନରେ କଥା ହୋଇଥିଲା । ସେ ଭାଇ ଜୋଫ୍ରେଡ୍ ବାବଦରେ ପଚାରିଥିଲା । ମୁଁ ଭଲ ଅଛି ଭାଇ କେମିତି ଅଛି ବୋଲି ରାଲଫ୍ରେଡ୍ ପଚାରିଥିଲା । ତେବେ ସେତେବେଳକୁ ଜୋଫ୍ରେଡର ମୃତ୍ୟୁ ହୋଇ ସାରିଥିଲା । କିନ୍ତୁ ମା’ ଏକଥା ଲୁଚାଇ ଥିଲେ । ତାକୁ କହିଥିଲେ ଯେ, ଜୋଫ୍ରେଡକୁ ଦିଲ୍ଲୀ ପଠାଯାଇଛି । ଯାହାକୁ ଶୁଣି ରାଲଫ୍ରେଡ୍ କହିଥିଲା,ତୁମେ ମିଛ କହୁଛ । ଆଉ ଏହାପରେ ରାଲଫ୍ରେଡ୍ ବି ଭାଇ ପାଖକୁ ଚାଲିଯାଇଥିଲା ।

କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି ୩୦୦ରୁ ଅଧିକ ସାମ୍ବାଦିକ

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ପୂର୍ବ ବର୍ଷ ଅଧିକ ସଂଖ୍ୟାରେ ଆଗ ଧାଡିର ଯୋଦ୍ଧା ତଥା ଡାକ୍ଟର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ କର୍ମୀଙ୍କର ଜୀବନ ଯାଇଥିଲା । ଯାହାକୁ ଦୃଷ୍ଟିରେ କରୋନାର ଦ୍ୱିତୀୟ ପ୍ରବାହରେ ସେମାନଙ୍କ ପ୍ରଥମେ ଟିକାକରଣ କରାଯାଇଥିଲା । ଫଳରେ ଚଳିତ ବର୍ଷ ଫ୍ରଣ୍ଟ ଲାଇନ୍ ୱାକର୍ସଙ୍କର ମୃତ୍ୟୁ ପୂର୍ବ ବର୍ଷ ତୁଳନାରେ କମ୍ ରହିଥିଲା ।

କିନ୍ତୁ ଏଥିରୁ ବାଦ୍ ପଡିଯାଇଥିଲେ ସାମ୍ବାଦିକ ମାନେ । ସଂକ୍ରମଣକୁ ଖାତିର ନକରି ସାମ୍ବାଦିକ ମାନେ ଗ୍ରାଉଣ୍ଡ ରିପୋର୍ଟିଂ କରିବାକୁ ପଛାଇ ନଥିଲେ । ପରିଣାମ ସ୍ୱରୁପ ବିଭିନ୍ନ ରାଜ୍ୟରୁ ପାଖାପାଖି ୩୦୦ରୁ ଅଧିକ ସାମ୍ବାଦିକ ମାନଙ୍କ ମୃତ୍ୟୁ ହେବା ଭଳି ଖବର ମିଳିଥିଲା । ପରିସ୍ଥିତି ଏଭଳି ହେଲା ଯେ ଏପ୍ରିଲ୍ ମାସରେ ପ୍ରତିଦିନ ୩ ଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା । ମେ ମାସ ବେଳକୁ ତାହା ବଢିକି ଦୈନିକ ୪ରେ ପହଞ୍ଚିଥିଲା ।

ଖାଲି ଏତିକି ନୁହେଁ କରୋନାର ଦ୍ୱତୀୟ ପ୍ରବାହରେ ଦେଶରେ ଅନେକ ବରିଷ୍ଠ ସାମ୍ବାଦିକ ମାନଙ୍କର ଜୀବନ ଯାଇଛି । ଦିଲ୍ଲୀରେ ଅବସ୍ଥାପିତ ଇନଷ୍ଟିଚ୍ୟୁଟ୍ ଅଫ୍ ପରସେପସନ୍ ଷ୍ଟଡିଜର ରିପୋର୍ଟ ମୁତାବକ କରୋନା ସଂକ୍ରମଣରେ ୨୦୨୦ ମସିହା ଏପ୍ରିଲ୍ ରୁ ୨୦୨୧ ମସିହା ମେ ୧୬ ତାରିଖ ସୁଦ୍ଧା ୨୩୮ ସାମ୍ବାଦିକଙ୍କର ମୃତ୍ୟୁ ଘଟିଥିଲା ।

ରିପୋର୍ଟ ଅନୁଯାୟୀ କରୋନାର ପ୍ରଥମ ପ୍ରବାହରେ ୨୦୨୦ ମସିହା ଏପ୍ରିଲରୁ ଡିସେମ୍ବର ୩୧ ମଧ୍ୟରେ ୫୬ ଜଣଙ୍କର ଜୀବନ ଯାଇଥିଲା । ହେଲେ ଏହା ଦ୍ୱିତୀୟ ପ୍ରବାହରେ ଭୟାନକ ସାବ୍ୟସ୍ତ ହୋଇଛି । ୨୦୨୧ ମସିହା ଏପ୍ରିଲ୍ ୧ରୁ  ମେ ୧୬ ତାରିଖ ଭିତରେ ୧୭୧ ସାମ୍ବାଦିକଙ୍କର ଦେହାନ୍ତ ହୋଇଛି । ବାକି ୧୧ ଜଣଙ୍କର ଜାନୁଆରୀରୁ ଏପ୍ରିଲ୍ ମଧ୍ୟରେ ହୋଇଛି ।

ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡା. କୋଟା ନିଲିମା କହିଛନ୍ତି ଯେ କରୋନା ସଂକ୍ରମଣରେ ୩୦୦ରୁ ଅଧିକ ସାମ୍ବାଦିକଙ୍କର ଜୀବନ ଯାଇଛି ।  ତନ୍ମଧ୍ୟରେ ୨୩୮ ଜଣଙ୍କୁ  ଭେରିଫାଏ କରାଯାଇଥିବା ବେଳେ ଅନ୍ୟମାନଙ୍କ ସମ୍ପର୍କରେ ଯାଞ୍ଚ ଚାଲିଛି ।

ଜାଣନ୍ତୁ, କେଉଁ ରାଜ୍ୟରୁ କେତେ…

ତେବେ ଡାଟା ମୁତାବକ ଉତ୍ତର ଭାରତରେ ୩୭ ସାମ୍ବାଦିଙ୍କର ଜୀବନ ଯାଇଛି । ତେଲେଙ୍ଗାନାରେ ୩୯, ଦିଲ୍ଲୀରେ ୩୦ ମହାରାଷ୍ଟ୍ର ୨୪, ଓଡ଼ିଶାରେ ୨୬, ମଧ୍ୟ ପ୍ରଦେଶରେ ୧୯ ଜଣ ସାମ୍ବାଦିକଙ୍କର ଦେହାନ୍ତ ଘଟିଛି । ଅପରପକ୍ଷେ ୮୨ ଜଣଙ୍କୁ ଭେରିଫାଏ କରାଯାଇ ପାରିନାହିଁ ।

ନିର୍ଯାତନାର ଶିକାର ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କଲେ ସବ୍ୟସାଚୀ: ମାଡ଼ ମାରୁଥିବା ବ୍ୟକ୍ତି ହେଲେ ଗିରଫ

ଭୁବନେଶ୍ୱର: ପୁଣି ପ୍ରବାସୀ ଶ୍ରମିକଙ୍କୁ ସାହା ହେଲେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର । ତାମିଲନାଡ଼ୁରେ ନିର୍ଯାତନା ସହୁଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି ସବ୍ୟସାଚୀ । କରୋନା କଟକଣା ଯୋଗୁଁ ତାମିଲନାଡ଼ୁରେ ଫସିରହିଥିଲେ ଉଦ୍ଧାର ହୋଇଥିବା ଶ୍ରମିକ । ସେଠାରେ ସେମାନେ ନା ନା ନିର୍ଯାତନା ସହୁଥିବା ସହ ସେଠାକାର ଜଣେ ବ୍ୟକ୍ତି ମାଡ଼ ମାରୁଥିବା ଦୃଶ୍ୟ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିଲା ।

https://twitter.com/n_sibananda/status/1394335133365248003

ଗତକାଲି ଜନୈକ ବ୍ୟକ୍ତି ଜଣଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ତାମିଲନାଡ଼ୁରେ ରହୁଥିବା କିଛି ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଛି । ମାଡ଼ ମାରୁଥିବା ବ୍ୟକ୍ତି ଜଣଙ୍କ ତାମିଲ ଭାଷାରେ କଥା ହେଉଥିବାରୁ ବ୍ୟକ୍ତି ଜଣଙ୍କ ସେଠାକାର ବୋଲି ଅନୁମାନ କରାଯାଉଛି । ତେବେ ଭିଡିଓ ସେୟାର କରିଥିବା ବ୍ୟକ୍ତି ଜଣଙ୍କ ସୋସିଆଲ ମିଡିଆରେ ଭିଡିଓ ସେୟାର କରିବା ସହ ଏହାକୁ ସବ୍ୟସାଚୀଙ୍କୁ ଟ୍ୟାଗ୍ କରିଥିଲେ ।

ଏହା ପରେ ସବ୍ୟସାଚୀ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏବଂ ସେଠାରେ ଫସିରହିଥିବା ଯୁବକଙ୍କ ଫୋନ୍ ନମ୍ୱର ସଂଗ୍ରହ କରି ସେମାନଙ୍କୁ ଯୋଗାଯୋଗ କରିଥିଲେ । ପରେ ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ । ଏବଂ ଓଡ଼ିଶା ପୋଲିସ ଓ ତାମିଲନାଡ଼ୁ ପୋଲିସ ସହାୟତାରେ ମାଡ଼ ମାରୁଥିବା ବ୍ୟକ୍ତି ଜଣଙ୍କୁ ଗିରଫ କରାଯାଇଛି । ଘଟଣା ସମ୍ପର୍କରେ ତାମିଲନାଡ଼ୁ ପୋଲିସ ଡିଜିଙ୍କୁ ମଧ୍ୟ ଅବଗତ କରାଇଥିବା ସବ୍ୟସାଚୀ ଟ୍ୱିଟ୍‌ରେ ସୂଚନା ଦେଇଛନ୍ତି । ଏବଂ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଖୁବଶୀଘ୍ର ଫେରାଇ ଅଣାଯିବ ବୋଲି ସେ ଆଶା କରିଛନ୍ତି ।

କରୋନା ଭ୍ୟାକ୍ସିନ ଯୋଗାଣ ବଢାଇବା ପାଇଁ ପ୍ରଚେଷ୍ଟା ଚାଲିଛି: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ରାଜ୍ୟ ତଥା ଜିଲ୍ଲା ଅଧିକାରୀଙ୍କ ସହ କରୋନା ମହାମାରୀ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ  କଣ୍ଟେନମେଣ୍ଟ ଜୋନ୍, ତୁରନ୍ତ କଣ୍ଟାକ୍ଟ ଟ୍ରେସିଂ ଓ କଳାବଜାରୀ ଉପରେ ରୋକ ଲଗାଇବା ହେଉଛି କରୋନା ବିରୋଧରେ ଲଢେଇ କରିବାର ଆମର ମୁଖ୍ୟ ଅସ୍ତ୍ର ହେଉଛି ।

ସେ ଆହୁରି କହିଛନ୍ତି, ଏହି ଯୁଦ୍ଧରେ ସମସ୍ତଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆପଣ ମାନେ ଜଣେ ଜଣେ ଏହି ଯୁଦ୍ଧର ଫିଲ୍ଡ କମାଣ୍ଡର । କରୋନା ଠାରୁ ଲଢିବା ସମ୍ପର୍କିତ ନିଜ ଅନୁଭୂତି ମୋତେ ପଠାନ୍ତୁ । ଆମେ ସେ ଗୁଡିକୁ ଅନ୍ୟ ଜିଲ୍ଲାରେ କିପରି ଉପଯୋଗ କରିବୁ ସେନେଇ ଆମେ ନିଶ୍ଚିତ ଭାବେ ଚିନ୍ତା କରିବୁ । ଆପଣଙ୍କ ଇନୋଭେସନ ଦେଶର କାମରେ ଆସିବ ।

ପିଏମ କେୟାର ମାଧ୍ୟମରେ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଦ୍ରୁତ ଗତିରେ କାର୍ଯ୍ୟ ଚାଲିଛି। ଅନେକ ହସ୍ପିଟାଲରେ ଅକ୍ସିଜେନ୍ ପ୍ଲାଣ୍ଟ ମଧ୍ୟ ଚାଲିବା ଆରମ୍ଭ କରିଛି | ଏପରିକି ଅମ୍ଳଜାନ ମନିଟରିଂ କମିଟି ଯେତେ ଭଲ କାମ କରିବ, ତଦନୁସାରେ ଅକ୍ସିଜେନର ସଫଳ ବ୍ୟବହାର ହୋଇପାରିବ ବୋଲି ମୋଦି ପ୍ରକାଶ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନାଭାଇରସକୁ ରୋକିବା ଲାଗି ଟୀକାକରଣ ହେଉଛି ଏକ ଶକ୍ତିଶାଳୀ ମାଧ୍ୟମ । ଯେଉଁଥିପାଇଁ ବିପୁଳ ପରିମାଣରେ ଟିକା ଯୋଗାଣ ବୃଦ୍ଧି ପାଇଁ ପ୍ରୟାସ କରାଯାଉଛି ।

ଯାଜପୁରରେ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଯାଜପୁରରେ ଘରୋଇ ସହାୟତାରେ ଏକ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବ । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଏନେଇ ଅନୁମତି ପ୍ରଦାନ କରିଛନ୍ତି । ଏହା ଫଳରେ ଯାଜପୁର ତଥା ଆଖ ପାଖ ଜିଲ୍ଲାର ଗୁରୁତର କୋଭିଡ୍ ରୋଗୀ ମାନଙ୍କୁ ଚିକିତ୍ସା ପାଇଁ ଆଉ କଟକ ଭୁବନେଶ୍ବର ଯିବାକୁ ପଡ଼ିବ ନାହିଁ ।

ଯାଜପୁରର ଭୂମିକା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ସରକାରୀ କୋଭିଡ୍ ହସ୍ପିଟାଲ ଭାବରେ କାମ କରିବ । ରୋଗୀ ମାନେ ସେଠାରେ ସମ୍ପୂର୍ଣ୍ଣ ମାଗଣାରେ କୋଭିଡ୍ ଚିକିତ୍ସା ସୁବିଧା ପାଇ ପାରିବେ । ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହି ହସ୍ପିଟାଲରେ ୧୫୦ଟି ଅକ୍ସିଜେନ ବେଡ୍ ସହ ୫୦ଟି ICU ବେଡ୍ ରହିବ ।

ରାଜ୍ୟରେ ବଢ଼ିଲା ଲକଡାଉନ୍ ଅବଧି, ଜୁନ୍ ୧ ଯାଏଁ କଟକଣା

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ସରକାର ଲକଡାଉନ୍ ଅବଧିକୁ ବଢ଼ାଇଛନ୍ତି । ଜୁନ୍ ୧ ଯାଏଁ ରାଜ୍ୟରେ ଲକଡାଉନ୍ କଟକଣା ବଳବତ୍ତର ରହିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହୁଥିବା ବେଳେ ଲକଡାଉନ୍ ସମ୍ପ୍ରସାରଣ ନେଇ ବିଶେଷଜ୍ଞମାନେ ମତ ଦେଉଥିଲେ ।

Odisha Extends Lockdown Till 31st May

ଏଥିସହ ପଢ଼ନ୍ତୁ: ୧୪ ଦିନିଆ ଲକଡାଉନରେ କଣ ବନ୍ଦ, କଣ ଖୋଲା ଜାଣନ୍ତୁ…

ଲକଡାଉନକୁ ସରକାର ୨ ସପ୍ତାହ ବୃଦ୍ଧି କରିଛନ୍ତି । ଲକଡାଉନ୍ କଟକଣା ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ବୃଦ୍ଧି କରାଯାଇଛି । ପୂର୍ବଭଳି ସପ୍ତାହନ୍ତ ସଟଡାଉନ୍ ଜାରି ରହିବ । ପୂର୍ବାପେକ୍ଷା କଟକଣାକୁ ବଢ଼ାଯାଇଛି । ଏଣିକି ସୋମବାର ଠାରୁ ଶୁକ୍ରବାର ଯାଏ ୪ ଘଣ୍ଟା ମଧ୍ୟରେ ପନିପରିବା କିଣିହେବ । ସକାଳ ୭ଟାରୁ ଦିନ ୧୧ଟା ଯାଏଁ ଚାଲି ଚାଲି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣି ପାରିବେ । ଲକଡାଉନ୍ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ମାଲ୍ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ । ବିବାହରେ ସର୍ବାଧିକ ୨୫ ଜଣ ସାମିଲ୍ ହୋଇପାରିବେ । ବର, କନ୍ୟା, ଅତିଥି ସମସ୍ତଙ୍କୁ ମିଶାଇ ସର୍ବାଧିକ ୨୫ ଜଣ ଭାଗନେବେ । ଭୋଜିଭାତ ହୋଇପାରିବ ନାହିଁ । କେବଳ ପ୍ୟାକେଟ୍ ମାଧ୍ୟମରେ ଖାଇବା ଦେଇପାରିବେ । ବିବାହ, ଅନ୍ତ୍ୟେଷ୍ଟି ଆଦି ସମସ୍ତ କାର୍ଯ୍ୟରେ କେହି ଖାଇ ପାରିବେ ନାହିଁ । କେବଳ ପ୍ୟାକେଟ୍ ଖାଦ୍ୟ ଦିଆଯାଇ ପାରିବ ।

ଲକଡାଉନ୍ ସମୟରେ ଟେଷ୍ଟିଂ ଓ ଟିକାକରଣ ଚାଲିବ । ସମସ୍ତ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଜାରି ରହିବ । ଗ୍ରାମାଞ୍ଚଳରେ କରୋନା ବ୍ୟାପୁଥିବାରୁ ପଞ୍ଚାୟତିରାଜ ସଂସ୍ଥା ନିଜ ଅଞ୍ଚଳରେ ଅନ୍ୟ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ । ବାହାରୁ ଆସୁଥିବା ଲୋକଙ୍କୁ ହୋମ୍ ଆଇସୋଲେସନରେ ରହିବା ନେଇ ଗୁରୁତ୍ୱ ଦେବେ । ଘରକୁ ଘର ବୁଲି ୩ ମାସ ଯାଏ କ୍ୟାମ୍ପେନ୍ କରାଯିବ । କରୋନା ଲକ୍ଷଣ ଥିଲେ ଟେଷ୍ଟି କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟ ଲକଡାଉନ୍  ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ ସରକାରୀ ଓ ବେସରକାରୀ ଅଫିସରେ କର୍ମଚାରୀଙ୍କ ସଂଖ୍ୟା ଆହୁରି କମ୍ ରହିବ । ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

କୋଭିଡ୍ ଟିକା ସହ ଅନ୍ୟ ଉପକରଣ ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର: କୋଭିଡ ମୁକାବିଲା ପାଇଁ କେନ୍ଦ୍ରକୁ ଦାବି ଜଣାଇଲା କେନ୍ଦ୍ର । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଓଡ଼ିଶାକୁ ଅଧିକ ସଂଖ୍ୟାରେ ଆଣ୍ଟିଜେନ୍ କିଟ୍ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି । ଟିକା ଅଭାବରୁ ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ୧୯ ଲକ୍ଷ ବ୍ୟକ୍ତି ଅଛନ୍ତି । ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଇ ଦେବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାବି କରିଛନ୍ତି ।

ଅକ୍ସିଜେନ ସିଲିଣ୍ଡର, ଭେଣ୍ଟିଲେଟର, ମାସ୍କ, କିଟ୍ ଯୋଗାଇ ଦେବାକୁ ଦାବି କରାଯାଇଛି । ଡି-ଟାଇପ୍ ଅକ୍ସିଜେନ ସିଲିଣ୍ଡର-୧୦ହଜାର, ବି-ଟାଇପ ଅକ୍ସିଜେନ ସିଲିଣ୍ଡର-୨୦ହଜାର ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ୧୦୦ ଭେଣ୍ଟିଲେଟର, ୫ଲକ୍ଷ N-95 ମାସ୍କ ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ।