spot_img
Home Blog Page 5669

କରୋନା ଆକ୍ରାନ୍ତ ସ୍ୱାମୀଙ୍କ ମୃତ୍ୟୁ ଶୁଣି ସ୍ତ୍ରୀଙ୍କ ଦେହାନ୍ତ

ବରଗଡ଼: କରୋନା ଆକ୍ରାନ୍ତ ସ୍ୱାମୀଙ୍କ ଆତ୍ମହତ୍ୟା ଖବର ଶୁଣି ଉଡ଼ିଗଲା ସ୍ତ୍ରୀଙ୍କ ପ୍ରାଣ ବାୟୁ । ଏଭଳି ଘଟଣା ଘଟିଛି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଲାଉମୁଣ୍ଡା ପଞ୍ଚାୟତ ସାତବନ୍ଧ ଗାଁରେ । ସୂଚନା ଅନୁସାରେ ସାତବନ୍ଧ ଗାଁର ଜଣେ ୬୫ ବର୍ଷୀଅ ବୃଦ୍ଧ ଗତକିଛି ଦିନ ହେଲା ଜରରେ ପୀଡ଼ିତ ଥିଲେ । କରୋନା ଟେଷ୍ଟ ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ।

କରୋନା ପଜିଟିଭ୍ ଚିହ୍ନଟ ପରେ ଭାଙ୍ଗି ପଡ଼ି ସେ ଆତ୍ମହତ୍ୟା କରିଥିଲେ । ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀଙ୍କ ମୃତ୍ୟୁ ହୋଇ ଯାଇଛି । ବିଜେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ଆକଟ କରିବାରୁ ଆକ୍ରମଣ, ବିବାହରେ ଜନସମାଗମ ରୋକିବାକୁ ଯାଇ ମାଡ଼ ଖାଇଲେ ତହସିଲଦାର

ମୋହନା: ସଂକ୍ରମଣ ବଢ଼ୁଛି, କଡ଼ା କଟକଣା ଲାଗୁ ହୋଇଛି । ତଥାପି କିଛି ଅମାନିଆ ନିୟମ ମାନୁନାହାଁନ୍ତି । ପ୍ରଶାସନ ଠାରୁ ଅନୁମତି ନେଇ ସର୍ବାଧିକ ୫୦ ଜଣରେ ବିବାହ ଉତ୍ସବ ପାଇଁ ରହିଛି ସରକାରୀ ନିର୍ଦ୍ଦେଶନାମା । ହେଲେ ଲୋକ ଏହାକୁ ମାନୁନାହାଁନ୍ତି । ସରକାରୀ କଟକଣାକୁ ଉଲ୍ଲଂଘନ କରି ଶତାଧିକ ଲୋକଙ୍କୁ ନେଇ ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଛେଳିଗଡ଼ ଖ୍ରୀଷ୍ଟିଆନ୍ ସାହିରେ ବାହାଘର ଚାଲିଥିଲା ।

People Attacked Tahasildar For Opposing Gathering During Covid-19

କୋଭିଡ୍ କଟକଣା ଉଲ୍ଲଂଘନ କରି ଏକାଧିକ ଲୋକ ବାହାଘର ପ୍ରୋସେସନରେ ସାମିଲ୍ ହୋଇଥିଲେ । ବାଣ ସହ ଜମିଥିଲା ଭୋଜିଭାତର ଆସର । ଘଟଣା ସ୍ଥଳରେ ପହଞ୍ଚି ଆର୍.ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥି କାର୍ଯ୍ୟକ୍ରମକୁ ବାରଣ କରିଥିଲେ । ଲୋକେ ତହସିଲଦାରଙ୍କ କଥାକୁ ନ ଶୁଣିବା ସହ ଓଲଟା ଆକ୍ରମଣ କରିଥିଲେ ।

People Attacked Tahasildar For Opposing Gathering During Covid-19

ରକ୍ତ ଜୁଡୁବୁଡୁ ଅବସ୍ଥାରେ ତହସିଲଦାର ପ୍ରାଣ ବିକଳରେ ଦୌଡ଼ି ପଳାଇଥିଲେ । ଆହତ ତହସିଲଦାରଙ୍କୁ ଆର୍. ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି । ତହସିଲଦାରଙ୍କ ସହ ଗାଁକୁ ଯାଇଥିବା ପୋଲିସ ଏସ୍ଆଇ ମୁକେଶ ଲାକ୍ରା ମଧ୍ୟ ଆହତ ହୋଇଛନ୍ତି ।

INS ଚିଲିକାରେ ଉଦଘାଟିତ୍ ହେଲା ୧୫୦ ଶଯ୍ୟାର କୋଭିଡ୍ କେୟାର ସେଣ୍ଟର

 ଟାଙ୍ଗୀ: କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ରାଜ୍ୟ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଦୈନିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅଧିକ ବେଡର ଆବଶ୍ୟକତା ପଡ଼ୁଛି । ଏସବୁକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନାର ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଇଏନ୍‌ଏସ୍ ଚିଲିକା ଓ ଖୋରଧା ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ଲୋକାର୍ପଣ କରିଛନ୍ତି ।

 150-bed Covid Care Centre established by Indian Navy INS Chilika

ଆଇଏନ୍‌ଏସ୍ ଚିଲିକା ବେସ ମଧ୍ୟ କରୋନା ଆକ୍ରାନ୍ତଙ୍କ ପାଇଁ ୧୫୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କୋଭିଡ୍ କେୟାର ସେଣ୍ଟର କରାଯାଇଛି । ଏଥିସହ ଆଇଏନ୍‌ଏସ୍ ଚିଲିକା ବେସ୍ ମଧ୍ୟରେ ଥିବା ନିଭାରିଣୀ ହସ୍ପିଟାଲ ଠାରେ ଅତିରିକ୍ତ ୧୫ ଶଯ୍ୟାର ଅକ୍ସିଜେନ୍ ବେଡ୍ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ମେଡିକାଲ ତରଫରୁ ୩ ଜଣ ଡାକ୍ତର ୫ଜଣ ପାରାମେଡିକାଲ୍ ଷ୍ଟାଫଙ୍କ ମିଳିତ ସ୍ୱତନ୍ତ୍ର ଟିମ ତତ୍ତ୍ୱାବଧାନରେ ଚିକିତ୍ସା ଯୋଗାଇ ଦିଆଯିବ ।

ଏହି କୋଭିଡ୍ କେୟାର ସେଣ୍ଟର ୨୪ ଘଣ୍ଟିଆ କାମ କରିବ । ଏଠାରେ ଟାଙ୍ଗୀ ବ୍ଲକ୍, ଚିଲିକା ବ୍ଲକ୍, ବାଣପୁର ବ୍ଲକ୍ ଏବଂ ବାଲୁଗାଁ ଓ ବାଣପୁର ଏନଏସି ଅଞ୍ଚଳର ସମସ୍ତ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ ।

କଡ଼ା କଟକଣାରେ ଅନୁଷ୍ଠିତ ହେବ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ପିକରେ ରହିଛି । ଧାର୍ମିକ ସମ୍ମେଳନ ଉପରେ ବିଏମସି କଟକଣା ଜାରି କରିଛି । ଧାର୍ମିକ ଦୃଷ୍ଟିରୁ ଲିଙ୍ଗରାଜ ମନ୍ଦିର କର୍ତ୍ତୃପକ୍ଷଙ୍କ ଆବେଦନକୁ ବିଚାର କରି ବିଏମସି ଚନ୍ଦନ ଯାତ୍ରା ଲାଗି ଅନୁମତି ପ୍ରଦାନ କରିଛି । କୋଭିଡ୍ କଟକଣା ଭିତରେ ୨୨ ଦିନିଆ ଚନ୍ଦନ ଯାତ୍ରା ମେ’ ୧୫ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ । ଏନେଇ ବିଏମସି ପକ୍ଷରୁ ଗାଇଡଲାଇନ୍ ଜାରି କରିଛି ।

୧) ଚନ୍ଦନ ଯାତ୍ରାରେ କୌଣସି ଶ୍ରଦ୍ଧାଳୁ ସାମିଲ୍ ହେବେ ନାହିଁ ।

୨) ମାତ୍ର ୧୫ ଜଣ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା ।

୩) ବିଏମସିକୁ ୧୫ ଜଣ ସେବାୟତଙ୍କ ତାଲିକା ଦେବେ ମନ୍ଦିର କର୍ତ୍ତୃପକ୍ଷ । ଚନ୍ଦନ ଯାତ୍ରାରେ ସାମିଲ୍ ସେବାୟତ ୪୮ ଘଣ୍ଟା ମଧ୍ୟର କୋଭିଡ୍ ଆରଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ଦେବେ ।

୪) ଚନ୍ଦନ ଯାତ୍ରାରେ ବ୍ୟବହାର ହେବାକୁ ଥିବା ବୋଟକୁ ବିଏମସି ସହଯୋଗରେ ସାନିଟାଇଜ୍ କରିବେ ।

୫) ସମସ୍ତ ସେବାୟତ ଚନ୍ଦନ ଯାତ୍ରା ସମୟରେ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବେ ।

୬) ସେବାୟଙ୍କ ମଧ୍ୟରେ ୬ ଫୁଟର ସାମାଜିକ ଦୂରତା ବଜାୟ ରହିବ ।

୭) ପାନ, ଗୁଟଖା ଛେପ ଥୁଙ୍କିବା/ ପକାଇବା ସମ୍ପୂର୍ଣ୍ଣ ବାରଣ ।

୮) ସମସ୍ତ ସେବାୟତ ନିୟମିତ ବ୍ୟବଧାନରେ ହାତକୁ ସାନିଟାଇଜ୍ କରିବେ ।

୯) ପ୍ରତିଦିନ ଯାତ୍ରାରେ ଭାଗ ନେବା ପୂର୍ବରୁ ସେବାୟତଙ୍କ ଥର୍ମାଲ ସ୍କ୍ରିନି ବ୍ୟବସ୍ଥା କରିବେ ମନ୍ଦିର କର୍ତ୍ତୃପକ୍ଷ ।

୧୦) ଅସୁସ୍ଥ ସେବାୟତ ଚନ୍ଦନ ଯାତ୍ରାରେ ସାମିଲ୍ ହୋଇ ପାରିବେନି ।

୧୧) ଯାତ୍ରା ସମୟରେ ସମସ୍ତ ପ୍ରକାର ଜରି ପାଣି ପାଉଚ ନିଷିଦ୍ଧ ।

୧୨) ନୀତିକାନ୍ତି ବ୍ୟତୀତ ଅନ୍ୟ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା ହୋଇପାରିବ ନାହିଁ ।

୧୩) ଚନ୍ଦନ ଯାତ୍ରା ସମୟରେ କୌଣସି ପ୍ରକାର ବାଣ ବା ଆତସବାଜୀ ବ୍ୟବହାର ହେବ ନାହିଁ ।

୧୪) ସମସ୍ତେ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବେ, ନଚେତ୍ ଅନୁମତି ପ୍ରତ୍ୟାହାର କରାଯିବ ।

ମ୍ୟୁକୋରମାଇକୋସିସ ବା ବ୍ଲାକ୍‌ ଫଙ୍ଗସ୍‌ କ’ଣ? କରୋନା ସଂକ୍ରମିତଙ୍କୁ କାହିଁକି…

  ନୂଆଦିଲ୍ଲୀ:  କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଚିନ୍ତା ଅଧିକ ବଢାଇ ଦେଇଛି । କରୋନା କାରଣରୁ ଲୋକ ମ୍ୟୁକୋରମାଇକୋସିସ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଗୁଜରାଟ ଏବଂ ଦିଲ୍ଲୀରୁ ଏକାଧିକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ କରୋନାରେ ସଂକ୍ରମିତ ହେବାପରେ ଲୋକ ମ୍ୟୁକୋରମାଇକୋସିସ ରୋଗରେ ସଂକ୍ରମିତ ହେଉଛନ୍ତି ।

ଗଙ୍ଗାରାମ ହସ୍ପିଟାଲର ବରିଷ୍ଠ ଇଏନଟି ସର୍ଜନ ଡାକ୍ତର ମନୀଷ ମୁଞ୍ଜାଲଙ୍କ କହିବା ହେଉଛି, କୋଭିଡ ୧୯ କାରଣରୁ କେତେକ ଖତରନାକ ଫଙ୍ଗଲ ଇନଫେକ୍ସନ ମାମଲା ସାମ୍ନାକୁ ଆସିଛି । ଗତ ଦୁଇଦିନ ମଧ୍ୟରେ ମ୍ୟୁକୋରମାଇକୋସିସର ୬ଟି ମାମଲା ସାମ୍ନାକୁ ଆସିଛି । ଗତବର୍ଷ ମଧ୍ୟ ଏହି ରୋଗରେ ଏକାଧିକ ଲୋକଙ୍କ ଜୀବନ ଯାଇଥିଲା । କେତେକ ଲୋକଙ୍କ ଆଖିର ରଶ୍ମୀ ଚାଲି ଯାଇଥିଲା ।

ଏହି ରୋଗ ଏତେ ଗମ୍ଭୀରଯେ, ବ୍ୟକ୍ତି ତତକ୍ଷଣାତ ଆଇସିୟୁର ଆବଶ୍ୟକତା ପଡ଼େ । କରୋନାରେ ସଂକ୍ରମିତ ରୋଗୀ ଯଦି ଏହି ରୋଗ କବଳରେ ଆସିଯାନ୍ତି, ତେବେ ଠିକ ସମୟରେ ଚିକିତ୍ସା ନ ହେଲେ ଜୀବନ ମଧ୍ୟ ଯାଇପାରେ । ଗତବର୍ଷ ପ୍ରଥମ ପର୍ଯ୍ୟାୟରେ ଏହି ରୋଗରେ ଅନେକ ଲୋକ ପ୍ରାଣ ହରାଇଥିଲେ । ତେବେ କ’ଣ ଏହି ରୋଗ ଏବଂ କିଭଳି ଏହା ପ୍ରଭାବ ପକାଏ ନଜର ପକାନ୍ତୁ ।

ଏହା ଏକ ଫଙ୍ଗଲ ଇନଫେକ୍ସନ ଯାହା ତୀବ୍ର ଗତିରେ ସଂକ୍ରମିତ ହୁଏ । ଏହା ବ୍ଲାକ ଫଙ୍ଗସ ନାମରେ ମଧ୍ୟ ଜଣାଶୁଣା । ଏହା ମସ୍କିଷ୍କ, ଫୁସଫୁସ ଏବଂ ଚର୍ମ ଉପରେ ପ୍ରଭାବ ପକାଏ । କେବେ କେବେ ଆଖିର ରଶ୍ମୀ ମଧ୍ୟ ଚାଲିଯାଏ । କାହାର ନାକର ହାଡ଼ ମଧ୍ୟ ପ୍ରଭାବିତ ହୁଏ ।

ଏହାଦ୍ୱାରା ମୁହଁରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ସାଇନସ ସମସ୍ୟା, ନାକରେ ଯନ୍ତ୍ରଣା ଏବଂ ଜ୍ୱର ଭଳି ସମସ୍ୟା ହୁଏ । ଫୁସଫୁସରେ ଏହି ରୋଗ ହେବାଦ୍ୱାରା କାଶ, ଛାତି ଯନ୍ତ୍ରଣା ଏବଂ ନିଃଶ୍ୱାସ ନେବାରେ ସମସ୍ୟା ଦେଖାଦିଏ । କେବଳ ସେତିକି ନୁହେଁ ଚର୍ମ କଳା ପଡ଼ିଯିବା ଭଳି ସମସ୍ୟା ଦେଖାଦିଏ । ଏହା ସହିତ ପେଟ ଯନ୍ତ୍ରଣା ମଧ୍ୟ ହୁଏ ।

ତେବେ ରୋଗ ପ୍ରତିରୋଧକ ଶକ୍ତି କମ୍‌ଥିବା ଲୋକଙ୍କ ନିକଟରେ ଏହି ରୋଗ ଅଧିକ ମାତ୍ରାରେ ଦେଖାଯାଏ । ତେବେ ଅଧିକ ଷ୍ଟେରଏଡ ବ୍ୟକହାର ଦ୍ୱାରା ଏଭଳି ସମସ୍ୟା ଦେଖାଦେଇପାରେ ବୋଲି କୁହନ୍ତି ଡାକ୍ତର ।

ଘରୋଇ ସଂସ୍ଥାଠାରୁ ଖାଲି ଅକ୍ସିଜେନ୍ ସିଲିଣ୍ଡର ଭଡ଼ାରେ ନେବେ ସରକାର

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧୨ ହଜାର ଟପିଛି । ରାଜ୍ୟରେ ଅକ୍ସିଜେନର ଅଭାବ ନାହିଁ । ତଥାପି ଅଧିକ ପରିମାଣର ଅକ୍ସିଜେନ୍ ଗଚ୍ଛିତ କରି ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ଏଥିପାଇଁ ସରକାର ଘରୋଇ ସଂସ୍ଥାଠାରୁ ଅକ୍ସିଜେନ୍ ଭଡ଼ାରେ ନେବେ । ଅକ୍ସିଜେନ୍ ସିଲିଣ୍ଡର ଭଡ଼ା ସରକାର ଧାର୍ଯ୍ୟ କରିଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଜ୍ଞପ୍ତି ଅନୁସାରେ, ବି ଟାଇପ୍ ୧.୫ କ୍ୟୁବିକ୍ ମିଟର ସିଲିଣ୍ଡର ପିଛା ସରକାର ମାସିକ ୭ ଟଙ୍କା ଦେବେ । ସେହିଭଳି ଡି ଟାଇପ୍ ୭ କ୍ୟୁବିକ୍ ମିଟର ସିଲିଣ୍ଡର ପିଛା ସରକାର ମାସିକ ୧ ହଜାର ଟଙ୍କା ଭଡ଼ା ଦେବେ ।

ଏଥିସହ ଘରୋଇ ସଂସ୍ଥାଠାରୁ ସରକାର ଭଡ଼ାରେ ନେଇଥିବା ସିଲିଣ୍ଡର କ୍ଷତିଗ୍ରସ୍ତ ହେଲେ କ୍ଷତିପୂରଣ ମିଳିବ । ବର୍ତ୍ତମାନର ବଜାର ଦର ଅନୁସାରେ ସରକାର ସିଲିଣ୍ଡରର ମୂଲ୍ୟ ଦେବେ ।

ଯୁବଗୋଷ୍ଠୀଙ୍କ ଜୀବନ ନେଉଛି ‘ଫ୍ରି ଫାୟାର’ ଗେମ୍

ଭୁବନେଶ୍ୱର: ‘ବ୍ଲୁ ହ୍ୱେଲ୍’ ପରେ ଏବେ  କାଳ ସାଜିଲା ‘ଫ୍ରି ଫାୟାର’ ଗେମ୍ । ହାରିବା ଦୁଃଖରେ ଜୀବନ ହାରୁଛନ୍ତି ଯୁବଗୋଷ୍ଠୀ। ୱାର୍କ ଫ୍ରମ ହୋମ ସାଙ୍ଗକୁ ଦରକାର ମନିଟରିଂ। କୋରନା ପାଇଁ ଅଧିକାଂଶ ରାଜ୍ୟରେ ଏବେ ଲକଡାଉନ ଚାଲିଛି। ସ୍କୁଲ କଲେଜ ଟ୍ୟୁସନ ଲକଡାଉନ୍ ସମୟରେ ସବୁ ବନ୍ଦ ରହିଛି। ପିଲାମାନଙ୍କର ସମୟ ବିତାଇବାର ମାଧ୍ୟମ ସାଜିଛି ସ୍ମାର୍ଟଫୋନ। ଆଉ ସ୍ମାର୍ଟଫୋନ୍ ଗେମ୍ ଏବେ ନେଉଛି ପିଲାଙ୍କ ଜୀବନ ।

ସ୍ମାର୍ଟ ଫୋନରେ ଥିବା ଗେମ୍ ଆପ ‘ଫ୍ରି ଫାୟାର’ ସାଜିଛି ଘାତକ। ନିକଟରେ ଖାରବେଳନଗର ଅଞ୍ଚଳରେ ଏହି ଅନଲାଇନ ଗେମ ଖେଳି ବାରମ୍ବାର ହାରିବାରୁ ୧୨ ବର୍ଷୀୟ ଯଶୋବନ୍ତ ଆତ୍ମହତ୍ୟା କରିଛନ୍ତି। ୨୦୧୮ ମସିହାରେ ‘ବ୍ଲୁ ହ୍ୱେଲ୍’ ଗେମ ଖେଳି ଶତାଧିକ ପିଲାଙ୍କ ଜୀବନ ଯିବା ପରେ ଏହାକୁ ନିଷିଦ୍ଧ ଘୋଷଣା କରାଯାଇଥିଲା। ଏବେ ଓଡ଼ିଶା ପୋଲିସ ଏ ନେଇ ଏକ ସର୍କୁଲାର ଜାରି କରିବାକୁ ଥିବା ବେଳେ ଏ ସବୁ ଆପ ଆଣ୍ଡ୍ରଏଡ଼ ଓ ୟୁଟ୍ୟୁବରୁ ହଟାଇବାକୁ ଦାବି ହୋଇଛି।

ମାନସ୍ତତ୍ତ୍ୱବିତ୍‌ଙ୍କ କହିବା ଅନୁଯାୟୀ, କରୋନା ସମୟରେ ଉଭୟ ବାପା ମା’ ୱାର୍କ ଫ୍ରମ ହୋମରେ ବ୍ୟସ୍ତ ରହୁଛନ୍ତି। ପିଲାମାନଙ୍କ ପାଠ ପଢ଼ା ପାଇଁ ଫୋନର ଆବଶ୍ୟକତା ରହିଛି। ତେବେ ସ୍ମାର୍ଟଫୋନ ବ୍ୟବହାର ସମୟରେ ଅବିଭାବକମାନେ ପିଲାଙ୍କୁ ମନିଟରିଂ କରିବା ଦରକାର । ଯଦି ପିଲାମାନେ ଏହି ଖେଳ ଦେଖୁଛନ୍ତି ତେବେ ତାକୁ ବାରଣ କରିବା ପରିବର୍ତ୍ତେ ବୁଝାଇବାର ଆବଶ୍ୟକତା ରହିଛି ।

ନବମ ଓ ଦଶମ ଶ୍ରେଣୀ ପ୍ରଦର୍ଶନ ଆଧାରରେ ମିଳିବ ମାଟ୍ରିକ୍ ମାର୍କ

ଭୁବନେଶ୍ୱର: ମାଟ୍ରିକ ମୂଲ୍ୟାୟନ ପଦ୍ଧତିକୁ ମିଳିଲା ବୋର୍ଡର ଅନୁମୋଦନ। ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାକୁ ମୂଲ୍ୟାୟନ ବେଳେ ପ୍ରାଧାନ୍ୟ ଦିଆଯିବ। ନବମ ଓ ଦଶମ ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ମିଳିବ। ଦଶମ ଶ୍ରେଣୀର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷାକୁ ମୂଲ୍ୟାୟନରେ ପ୍ରାଧାନ୍ୟ ଦିଆଯିବ। ଏଥିସହ ମୂଲ୍ୟାୟନ ବେଳେ ନବମର ୪୦ ପ୍ରତିଶତ ଓ ଦଶମର ୬୦ ପ୍ରତିଶତ ନମ୍ବରକୁ ବିଚାରକୁ ନିଆଯିବ। ପ୍ରତି ବିଷୟରେ ଦୁଇଟି ସର୍ବାଧିକ ନମ୍ବରକୁ ହିଁ ମୂଲ୍ୟାୟନ କରିବାକୁ ସ୍ଥିର ହୋଇଛି।

ଅନ୍ୟପଟେ ଯଦି ଜଣେ ଛାତ୍ର ଦଶମରେ ଆଦୌ ଅଭ୍ୟାସ ପରୀକ୍ଷା ଦେଇନଥିବେ, ତେବେ ନବମର ମାର୍କକୁ ଶତପ୍ରତିଶତ ପ୍ରାଧ୍ୟାନ୍ୟ ଦିଆଯିବ। ଆଉ ଯଦି ଗୋଟିଏ ଅଭ୍ୟାସ ପରୀକ୍ଷା  ଦେଇଥିବେ ନବମ ଶ୍ରେଣୀର ୭୦ ପ୍ରତିଶତକୁ ଗୁରୁତ୍ୱ ଦିଆଯିବ। ପ୍ରତି ସ୍କୁଲରେ ଛାତ୍ରଛାତ୍ରୀଙ୍କ ମାର୍କକୁ ଶିକ୍ଷକ ଅପଲୋଡ କରିବେ। ଏନେଇ ପ୍ରଧାନଶିକ୍ଷକଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯିବ । ଏଥିପାଇଁ ୨ ହଜାର ୭୬୬ଟି ସ୍କୁଲକୁ ମେଣ୍ଟର ସ୍କୁଲ ଭାବେ ଚୟନ କରାଯାଇଛି । ମେଣ୍ଟର ସ୍କୁଲ ମାଧ୍ୟମରେ ଅନ୍ୟ ସ୍କୁଲର ମୂଲ୍ୟାୟନ ହେବ । ମାର୍କ ଅପ୍‌ଲୋଡ୍‌ ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଉପସ୍ଥିତ ରହିବେ । ଆସନ୍ତା ୩୧ ତାରିଖ ସୁଦ୍ଧା ଅପ୍‌ଲୋଡିଂ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ତା’ପରେ ଟାବୁଲେସନ ଓ ରେଜଲ୍ଟ ପ୍ରସେସିଂ କାମ ଆରମ୍ଭ ହେବ । ସମସ୍ତ ଦିଗକୁ ଅନୁଧ୍ୟାନ କରି ଜୁନ ୩୦ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଫଳ ପ୍ରକାଶ ପରେ ଯଦି କୌଣସି ଛାତ୍ରଛାତ୍ରୀ ସନ୍ତୁଷ୍ଟ ହେବେ ନାହିଁ, ସେମାନଙ୍କ ପାଇଁ କରୋନା ସ୍ଥିତି ସୁଧୁରିବା ପରେ ଲିଖିତ ଭାବେ ପରୀକ୍ଷା ହେବ । ଏହି କ୍ଷେତ୍ରରେ ଲିଖିତ ପରୀକ୍ଷାର ଫଳ ହିଁ ଚୂଡ଼ାନ୍ତ ହେବ ।.

ରାଜଧାନୀରେ ଆରମ୍ଭ ହେବ ଭ୍ରାମ୍ୟମାଣ ଟିକାକରଣ

ନୂଆଦିଲ୍ଲୀ: ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଦ୍ୱିତୀୟ ଡୋଜ ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଆସନ୍ତାକାଲିଠୁ ପାଇଲଟ ପ୍ରକଳ୍ପ ଭାବେ ଟିକାକରଣ କରାଯିବ। ଭୁବନେଶ୍ୱର ରସୁଲଗଡ଼ ଛକରେ ଥିବା ଏସପ୍ଲାନେଡ୍ ମଲର ପାର୍କିଂ ସ୍ଥଳରେ ଆରମ୍ଭ ହେବ ଭ୍ରାମ୍ୟମାଣ ଟିକାକରଣ।

ପ୍ରଥମ ଦିନରେ ୪ଶହ ଜଣଙ୍କୁ ଦିଆଯିବ ଟିକା। ପରେ ଦୈନିକ ୫ଶହ ଲେଖାଏଁ ଟିକା ଦିଆଯିବ। ଏଥିପାଇଁ ଅନଲାଇନରେ ସ୍ଲଟ ବୁକିଂ କରିବାକୁ ପଡ଼ିବ। ଲକଡାଉନ ସମୟରେ ଯେଉଁମାନେ ଟିକା ନେବାକୁ ଯିବେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ମୋଟର ସାଇକେଲରେ କେବଳ ଜଣେ ଏବଂ ଚାରି ଚକିଆ ଯାନରେ ହିତାଧିକାରୀ ଓ ତାଙ୍କ ଡ୍ରାଇଭର ଟିକାକରଣ ପାଇଁ ଆସିପାରିବେ।

ତେବେ ଏହା କେବଳ ଟ୍ରାଏଲରେ ଆରମ୍ଭ କରାୟାଇଛି । ଆଗାମୀ ଦିନରେ ଲୋକଙ୍କ ସୁବିଧା ଦୃଷ୍ଟିରୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଏଭଳି ବ୍ୟବସ୍ଥା କରାଯିବ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି।

ଟିକା କେନ୍ଦ୍ରରୁ ପୃଥକ ହେବ ଟେଷ୍ଟିଂ କେନ୍ଦ୍ର

ଭୁବନେଶ୍ୱର: ଭୁବନେଶ୍ୱରରେ ସମସ୍ତ ଟିକାକେନ୍ଦ୍ରକୁ ବ୍ୟବସ୍ଥିତ କରିବାକୁ ବିଏମସି ନେଇଛି ପଦକ୍ଷେପ। ପୂର୍ବରୁ ଗୋଟିଏ କେନ୍ଦ୍ରରେ ଉଭୟ ଟିକାକରଣ ଓ କୋଭିଡ ଟେଷ୍ଟିଂ ହେଉଥିବା ଯୋଗୁଁ ଲୋକଙ୍କ ମନରେ ସଂକ୍ରମଣ ଭୟ ଥିଲା । ଟିକା ଗ୍ରହଣ ପାଇଁ ସ୍ଲଟ୍ ବ୍ୟବସ୍ଥା ସତ୍ତ୍ୱେ ଲୋକେ ଭିଡ଼ ଜମାଉଥିଲେ। ଏସବୁକୁ ଦୃଷ୍ଟିରେ ରଖି ଆଜି ସବୁ ଟିକା କେନ୍ଦ୍ରରେ ଟେଷ୍ଟିଂକୁ ପୃଥକ କରାଯାଇଛି। ବିନା ସ୍ଲଟ୍ ବୁକିଂରେ ଯେମିତି କେହି କେନ୍ଦ୍ର ନିକଟକୁ ଆସିବେ ନାହିଁ ସେଥିପାଇଁ ପୋଲିସ ମୁତୟନ କରାଯାଇଛି।

ଅନ୍ୟପଟେ ଖରା ଦାଉରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଟେଣ୍ଟ୍ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏସବୁକୁ ତଦାରଖ କରିବା ପାଇଁ ସବୁ କେନ୍ଦ୍ରକୁ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀଙ୍କ ନିର୍ଦ୍ଦଶ କ୍ରମେ ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ପଠାଯାଇଥିଲା।