spot_img
Home Blog Page 5674

ଦେଶରେ ତାଣ୍ଡବ ରଚୁଛି କରୋନାର ଦ୍ୱିତୀୟ ପ୍ରବାହ, ଡରାଇଲାଣି ତୃତୀୟ ଲହର…

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଆତଙ୍କ ଖେଳାଇଛି । ପ୍ରଶ୍ନ ଉଠୁଛି କେନ୍ଦ୍ର ସରକାର କଣ ଦେଶରେ ଲକଡାଉନ୍ ଲଗାଇବାକୁ ବିଚାର କରୁଛନ୍ତି ? କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏଭଳି ସମ୍ଭାବନାକୁ ଏଡ଼ାଇ ଯାଇ ନାହିଁ । ନୀତି ଆୟୋଗ ସଦସ୍ୟ ଡକ୍ଟର ବିକେ ପାଲ୍ କହିଛନ୍ତି, ଜାତୀୟ ଲକଡାଉନ୍ ବିକଳ୍ପ ନେଇ ଆଲୋଚନା ଚାଲିଛି ।

ଦେଶରେ ଦୈନିକ ୪ ଲକ୍ଷ ସଂକ୍ରମଣ ସହ ପାଖାପାଖି ୪ ହଜାର ମୃତ୍ୟୁ ହେଉଥିବା ବେଳେ କୋଭିଡ୍-୧୯ ଟାସ୍କ ଫୋର୍ସ ମୁଖ୍ୟଙ୍କ ଏଭଳି ବୟାନ ବେଶ୍ ଗୁରୁତ୍ୱବହନ କରୁଛି । ସେ କହିଛନ୍ତି, ସରକାର ଏବେର ସ୍ଥିତି ଦେଖି ନିର୍ଦ୍ଦେଶନାମା ଜାରି କରିଛନ୍ତି । କଡ଼ା ପ୍ରତିବନ୍ଧକ ଆବଶ୍ୟକତା ହେଉଛି । ଆହୁରି କଡ଼ା ପ୍ରତିବନ୍ଧକର ଆବଶ୍ୟକତାର ବିକଳ୍ପ ନେଇ ଆଲୋଚନା କରାଯାଉଛି । ଯେଉଁ ନିଷ୍ପତ୍ତି ନିଆଯିବା ଆବଶ୍ୟକ ହେବ ନିଆଯିବ ।

ନୀତି ଆୟୋଗ ସଦସ୍ୟ କହିଛନ୍ତି, ସ୍ଥାନୀୟ ସ୍ଥିତି ଆଧାରରେ ରାଜ୍ୟ ସରକାର ୧୦ ପ୍ରତିଶତ ଅଧିକ ସଂକ୍ରମଣ ହାର ଦେଖି ଜିଲ୍ଲାରେ ପ୍ରତିବନ୍ଧକ ଜାରି କରିପାରିବେ । ଅନ୍ୟପଟେ ମହାରାଷ୍ଟ୍ର, କେରଳ, ରାଜସ୍ଥାନ, କର୍ଣ୍ଣାଟକ, ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଭଳି ରାଜ୍ୟରେ ଲକଡାଉନ୍, କର୍ଫ୍ୟୁ, ନାଇଟ୍ କର୍ଫ୍ୟୁ, ୱିକେଣ୍ଡ ସଟଡାଉନ୍ ସତ୍ତ୍ୱେ କରୋନା ମାମଲା ଥମୁନି । ଏସବୁ ଭିତରେ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ ନେଇ ଚର୍ଚ୍ଚା ହେଉଛି ।

ଦେଶରେ କରୋନାର ଦ୍ୱିତୀୟ ପ୍ରବାହର ପ୍ରଭାବକୁ ଦେଖି ବିଗତ କିଛିଦିନ ହେଲା ଲକଡାଉନ୍ ଦାବି ହେଉଛି । ରାଜନେତାଙ୍କ ସହ ବିଶେଷଜ୍ଞ ମଧ୍ୟ ଦେଶବ୍ୟାପୀ ଲକଡାଉନ୍ ଲଗାଇବା ପାଇଁ ସ୍ୱର ଉଠାଇଲେଣି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ସମ୍ପୂର୍ଣ୍ଣ ଲକଡାଉନ୍ ପାଇଁ ଦାବି ଉଠାଇଛନ୍ତି ।

Corona Second Wave Full National Lockdown Centre

ଆମେରିକାର ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ଏଣ୍ଟନି ଫାଉଚି ମଧ୍ୟ ଭାରତରେ ଲକଡାଉନ୍ ସପକ୍ଷରେ ଅଛନ୍ତି । ଲକଡାଉନ୍ ହିଁ ସଂକ୍ରମଣ ଗତିକୁ ରୋକିବ ବୋଲି ସେ କହିଛନ୍ତି । ଗୁରୁବାର ଦେଶରେ କରୋନାର ରେକର୍ଡ ସଂଖ୍ୟକ ମାମଲା ଚିହ୍ନଟ ହୋଇଛି । ଦିନକରେ ୪.୧୨ ଲକ୍ଷ ସଂକ୍ରମଣ ମାମଲା ଆସିଥିବା ବେଳେ ୪ ହଜାର ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ସକ୍ରିୟ ସଂକ୍ରମଣ ମାମଲା ୩ ଲକ୍ଷ ପାର୍ କରିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଦିଲ୍ଲୀ, ଉତ୍ତରପ୍ରଦେଶ, ତାମିଲନାଡ଼ୁ ଆଦି ରାଜ୍ୟରେ ସବୁଠୁ ଅଧିକ ମାମଲା ଆସୁଛି । ଦୁନିଆରେ ସବୁଠୁ ଅଧିକ କରୋନା ସଂକ୍ରମିତ ମାମଲା ଭାରତରେ ଚିହ୍ନଟ ହେଉଛି ।

ଗୋଟିଏ ପଟେ ଦେଶ କରୋନାର ଦ୍ୱିତୀୟ ପ୍ରବାହ ସହ ଯୁଝୁଥିବା ବେଳେ ବିଶେଷଜ୍ଞ ତୃତୀୟ ଲହରର ଚେତାବନୀ ଦେଇଛନ୍ତି । ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କହିଛନ୍ତି, କରୋନାର ତୃତୀୟ ପ୍ରବାହ ନିଶ୍ଚିତ ଆସିବ । ତେବେ ଏହା କେବେ ଆସିବ ଅନୁମାନ କରି ହେବନାହିଁ । ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ବେଳେ ସ୍ୱାସ୍ଥ୍ୟାସେବାର ବିପର୍ଯ୍ୟସ୍ଥ ଚିତ୍ର ପଦାରେ ପଡ଼ିଛି । ତ ପ୍ରଶ୍ନ ଉଠୁଛି ଦେଶ କରୋନାର ତୃତୀୟ ପ୍ରବାହର ସାମ୍ନା କେମିତି କରିବ ?

ଏଥିସହ ପଢ଼ନ୍ତୁ- ‘ଭାରତରେ ନିଶ୍ଚୟ ଆସିବ କରୋନାର ତୃତୀୟ ପ୍ରବାହ, ଟାଳି ହେବନି’

ଗୁରୁବାର ଶୁଣାଣି ବେଳେ ସୁପ୍ରିମକୋର୍ଟ ମଧ୍ୟ ତୃତୀୟ ପ୍ରବାହକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ସରକାରଙ୍କୁ ଏବେଠୁ ପ୍ରସ୍ତୁତ ହେବାକୁ ପଡ଼ିବ । କାରଣ ତୃତୀୟ ପ୍ରବାହ ଶିଶୁଙ୍କୁ ପ୍ରଭାବିତ କଲେ ଚିକିତ୍ସା ସହ ବାପାମାଆଙ୍କ ଅବସ୍ଥା ଭାବିବାକୁ ପଡ଼ିବ । ଏଥିସହ ଡକ୍ଟର୍ସ, ନର୍ସଙ୍କ ସହ ବିକଳ୍ପ ଯୋଜନା ପ୍ରସ୍ତୁତ ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି ।

କୁସ୍ତି ଯୋଦ୍ଧାଙ୍କ ମୃତ୍ୟୁ ଘଟଣା ; ଅଲିମ୍ପିକ ବିଜେତା ସୁଶୀଲ କୁମାରଙ୍କୁ ଖୋଜୁଛି ପୋଲିସ

ନୂଆଦିଲ୍ଲୀ: ଯୁବ ଜୁନିୟର ରାଷ୍ଟ୍ରୀୟ ଚମ୍ପିଆନଙ୍କ ହତ୍ୟା ଅଭିଯୋଗରେ ଏବେ ଖୋଲିବାରେ ଲାଗିଛି ନୂଆ ଗୁମର । ଏହି ଘଟଣାରେ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ନାମ ଏବେ ପଦାକୁ ଆସିଛି । ହତ୍ୟା ଘଟଣାରେ ବଡି ହିଲ୍ଡର ସୁଶୀଲ କୁମାରଙ୍କ ସଂଶ୍ଲିଷ୍ଟ ଥିବା ନେଇ ଜାଣିବାକୁ ପାଇଥିଲା ପୋଲିସ । ଏହାପରେ ଦିଲ୍ଲୀ ପୋଲିସ ସୁଶୀଲଙ୍କ ଘରେ ତଲାସୀ କରିଥିବା ଜାଣିବାକୁ ମିଳିଛି ।

ସୂଚନା ମୁତାବକ ଦିଲ୍ଲୀ ଛତ୍ରସାଲ ଷ୍ଟାଡିୟମ ଭିତରେ ମଙ୍ଗଳବାର ଦୁଇ ଜଣ ଯୁବତକଙ୍କୁ ମଧ୍ୟରେ ମାରପିଟ ହୋଇଥିଲେ । ଯେଉଁଥିରେ ୨୩ ବର୍ଷୀୟ ଜଣେ ବଡି ବିଲ୍ଡରଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଅନ୍ୟ ଦୁଇ ଜଣ ଯୁବକଙ୍କର ହାତ ରହିଥିବା ପୋଲିସକୁ ସୂଚନା ମିଳିଛି । ଯାହାକୁ ନେଇ ସୁଶୀଲ କୁମାରଙ୍କ ସମେତ ଅନ୍ୟ ଦୁଇ ଜଣଙ୍କ ଘରେ ଦିଲ୍ଲୀ ପୋଲିସ ପହଁଚି ପଚରା ଉଚରା ଜାରି ରଖିଛି ।

ପୋଲିସକୁ ମିଳିଥିବା ଅଭିଯୋଗ ଅନୁସାରେ ବୁଧବାର ସକାଳେ ଏକ ଏଫଆଇଆର ମିଳିଥିଲା । ଯେଉଁଥିରେ ଦୁଇ ଜଣ ଯୁବକଙ୍କ ମଧ୍ୟରେ ଝଗଡା ହୋଇଥିବା ନେଇ ଉଲ୍ଲେଖ ରହିଥିଲା । ଜଣେ ଏଥିରେ ଗୁରୁତ୍ତର ଆହତ ହୋଇଥିବା ମଧ୍ୟ ପୋଲିସକୁ ଏତଲା କୁହାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଚିକିତ୍ସାଧିନ ଅବସ୍ଥାରେ ଗୁରୁତ୍ତର ଯୁବକଙ୍କର ମୃତ୍ୟୁ ଘଟିଥିଲା । ଏବଂ ଏହି ଘଟଣାରେ ଯୁବ ବଡି ବିଲ୍ଡର ସୁଶୀଲ କୁମାରଙ୍କ ସମେତ ଅନ୍ୟ ଦୁଇ ଜଣ ଯୁବକ ସାମିଲ ଥିବା ନେଇ ସୂଚନା ମିଳିଛି । ଯାହାକୁ ନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି ।

ଜୁନ ପ୍ରଥମ ସପ୍ତାହରେ କେରଳ ଛୁଇଁବ ମୌସୁମୀ ବାୟୁ

ନୂଆଦିଲ୍ଲୀ: ଜୁନ ମାସରେ ଆସୁଛି ମୌସୁମୀ ବାୟୁ । ଜୁନ ମାସର ପ୍ରଥମ ସପ୍ତାହର ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ପହିଲାରେ କେରଳ ଛୁଇଁବ ।

ଚଳିତ ବର୍ଷ ଜୁନରେ ମୌସୁମୀ କରେଳ ଛୁଇଁବାକୁ ଥିବାବେଳେ କୋଭିଡ ସମୟରେ ସତର୍କ ରହିବାକୁ ମଧ୍ୟ କୁହାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଧ୍ୟ ଏନେଇ ସୂଚନା ଦେଇଛି । ମେ ୧୫ରେ ପାଣିପାଗ ବିଭାଗ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯିବ ବୋଲି କୁହାଯାଇଛି ।

କଟକଣାକୁ ଉଲ୍ଲଂଘନ କଲେ, ପ୍ରତିବାଦ କରିବାରୁ ତହସିଲଦାରଙ୍କୁ ଦୁର୍ବ୍ୟବହାର କଲେ

ବାଲେଶ୍ୱର: କରୋନା କଟକଣାକୁ ଉଲ୍ଲଂଘନ କଲେ । ବାରଣ କରିବାରୁ ତହସିଲଦାରଙ୍କୁ ଦୁର୍ବ୍ୟବହାର କଲେ । ଏଭଳି ଘଟଣା ଘଟିଛି ବାଲେଶ୍ବରରେ । ଭୋଜି କରୁଥିବା ଲୋକଙ୍କୁ ବାରଣ କରିବାରୁ ବାଲେଶ୍ବର ସଦର ତହସିଲଦାରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ସହିତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଭୋଜି ପାଇଁ ପ୍ରସ୍ତୁତ କରାଯାଇଥିବା ଖାଦ୍ୟକୁ ଜବତ କରିଛନ୍ତି । ଏଥିସହିତ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ 3ଜଣଙ୍କୁ ଅଟକ ରଖାଯାଇଛି ।

ବାଲେଶ୍ବର ସଦର ଥାନା ଓଡ଼ଙ୍ଗି ପଞ୍ଚାୟତ ଇଚ୍ଛାପୁର ଗାଁର ରମେଶ ରାଉତଙ୍କ ସ୍ତ୍ରୀ ହୀରାମଣି ରାଉତଙ୍କର କୋଭିଡ୍‌ରେ ମୃତ୍ୟୁ ହେବାପରେ ଗତକାଲି ତାଙ୍କର ଏକାଦଶାହ କ୍ରିୟା ଥିଲା । ପରିବାର ଲୋକ ଭୋଜିର ଆୟୋଜନ କରିଥିଲେ । ହେଲେ କରୋନା କଟକଣାରେ ଶୁଦ୍ଧିକ୍ରିୟାରେ ମାତ୍ର 20 ଜଣଙ୍କୁ ଅନୁମତି ଥିବାବେଳେ, ଏହି ଭୋଜିରେ ଶହେରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

ଭିଡ଼ ଅଧିକ ହୋଇଥିବା ସୂଚନା ପାଇ ସଦର ତହସିଲଦାର ଅନାମିକା ସିଂ ଘଟଣାସ୍ଥଳରେ ପହଞ୍ଚି ଭୋଜିକୁ ବାରଣ କରିଥିଲେ । ଖାଦ୍ୟ ସାମଗ୍ରି ଜବତ କରିବାରୁ ପରିବାର ଲୋକ ତାଙ୍କୁ ଠେଲାପେଲା କରିବା ସହିତ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ତହସିଲଦାରଙ୍କ ଅଭିଯୋଗ ଅନୁସାରେ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

ଟ୍ୱିଟରରେ ନବୀନଙ୍କୁ ପ୍ରଶଂସା, ନୋ ସାଉଣ୍ଡ-ଓନ୍‌ଲି ଆକ୍ସନ

ଭୁବନେଶ୍ୱର: ଜାତୀୟ ବିପତ୍ତିବେଳେ ଦେଶ ପାଇଁ ଚିନ୍ତା କରୁଥିବା ନବୀନଙ୍କ କରୋନା ମୁକାବିଲା ପୁଣି ପ୍ରଶଂସିତ ହୋଇଛନ୍ତି । ଟ୍ବିଟରରେ ଭୂୟସୀ ପ୍ରଶଂସା କରିଛନ୍ତି ବିଶିଷ୍ଟ ବ୍ୟବସାୟୀ, ସ୍ତମ୍ଭକାର ସୁହେଲ ସେଠ୍ । ରାଜ୍ୟରେ କରୋନା ନିୟନ୍ତ୍ରଣ ହେଉ କି ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ସହାୟତା । ସବୁଠି ନିରବ ନବୀନଙ୍କ ଏକ୍ସିଲେନ୍ସି ଚମତ୍କାର ଦେଖାଇଛି ବୋଲି ସୁହେଲ ଟୁଇଟ୍ କରିଛନ୍ତି ।

କରୋନା ଭଳି କଠୋର ମୁହୂର୍ତ୍ତରେ ସାରାଦେଶକୁ ନିଶ୍ବାସ ଯୋଗାଇ ନିଜ ମହାନ ଆଭିମୁଖ୍ୟର ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶିଷ୍ଟ ସ୍ତମ୍ଭକାର ସୁହେଲ ସେଠଙ୍କ ଏହି ଟୁଇଟ୍ ପରେ ଅନେକ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଅଯଥା ରାଜନୈତିକ ବୟାନବାଜିରେ ମୁଣ୍ଡ ନଖେଳାଇବା ନବୀନଙ୍କ କ୍ଲାସ୍ ଫ୍ୟାକ୍ଟର । ନବୀନଙ୍କ ଶାସନ କାଳରେ ଓଡ଼ିଶାବାସୀ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି ଜଣେ ୟୁଜର କମେଣ୍ଟ କରିଛନ୍ତି ।

ନୋ ସାଉଣ୍ଡ, ଓନ୍‌ଲି ଆକ୍ସନରେ କାର୍ଯ୍ୟ କରନ୍ତି ନବୀନ ବୋଲି ଆଉ ଜଣେ ୟୁଜର ଟୁଇଟ୍ କରିଛନ୍ତି । ଆଉ ଜଣେ ୟୁଜର ଲେଖିଛନ୍ତି, ନବୀନଙ୍କ ପୂର୍ବରୁ ଓଡ଼ିଶାବାସୀ ବହୁ କଷ୍ଟ ଭୋଗିଥିଲେ । ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ଦୁର୍ନୀତି, ଭ୍ରଷ୍ଟାଚାରରେ ସ୍ଥିତି ସାଂଘାତିକ ହୋଇଥିଲା । ହେଲେ ନବୀନଙ୍କ ଶାସନରେ ଓଡ଼ିଶାରେ ଅନେକ ପ୍ରଗତି ହୋଇଛି । ଯାହା ଏବେ ନବୀନଙ୍କୁ ଜଣେ ଷ୍ଟେଟସମ୍ୟାନ ଭାବେ ପରିଚିତ କରିଛି ।

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ପ୍ୟାକେଜ ଘୋଷଣା, ପୁରୀ-ସୁବର୍ଣ୍ଣପୁର-ସମ୍ବଲପୁରକୁ ସହାୟତା ପ୍ରଦାନ

ଭୁବନେଶ୍ୱର: କୋଭିଡ ପରିଚାଳନା ପାଇଁ ଅତିରିକ୍ତ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ । ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାର ଏହାର ସୁପରିଚାଳନା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ସହାୟତା ରାଶି ପ୍ରଦାନ କରିଛନ୍ତି। ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ଜିଲ୍ଲା ପାଇଁ ୧ କୋଟି ଏବଂ ସମ୍ବଲପୁର ପାଇଁ ୪ କୋଟି ୬୨ ଲକ୍ଷ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ ।

ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ମାମଲା ୧୦ ହଜାର ଅତିକ୍ରମ କରିବାରେ ଲାଗିଛି । ସେପଟେ ତଦୁନଯାୟୀ ଆବଶ୍ୟକୀୟ ବେଡ ଏବଂ ମୈଳିକ ସୁବିଧା ମଧ୍ୟ ଆବଶ୍ୟକ ରହିଛି । ଏପରିସ୍ଥିତିରେ କୋଭିଡ ପରିଚାଳନାରେ ଯେମିତି କୈଣସି ତ୍ରୁଟି ପରିଲିଖିତ ନହୁଏ ସେଥିପ୍ରତି ଧ୍ୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହୟତା ଅର୍ଥ ପ୍ରଦାନ କରାଯାଇଛି ।

ପୁରୀ ପାଇଁ ପୂର୍ବରୁ ୧୪କୋଟି ୫୯ଲକ୍ଷ ୭୪ହଜାର ୪୦୮ଟଙ୍କା ଘୋଷଣା କରିଥିଲେ । ଏବେ ଆଉ ୨କୋଟିକୁ ମିଶାଇ ଏହା ୧୬ କୋଟି ୫୯ ଲକ୍ଷ ୭୪ ହଜାର ୪୦୮କୁ ବୃଦ୍ଧି ପାଇଛି । କୋଭିଡ ପରିଚାଳନା ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ । ସେହିଭଳି ପୂର୍ବରୁ ସୋନପୁରକୁ ଅଢେଇ କୋଟି ଘୋଷଣା କରିଥିବାବେଳେ ଏବେ ଏହି ପରିମାଣ ସାଢେ ତିନିକୋଟିକୁ ବୃଦ୍ଧି ପାଇଛି ।

ସମ୍ବଲପୁରକୁ ଆଜି ୪ କୋଟି ୬୨ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିବାବେଳେ ପୂର୍ବ ରାଶିକୁ ମିଶାଇ ଏବେ ଏହା ୧୬ କୋଟି ୧୨ ଲକ୍ଷ ୮୦ ହଜାର ୬୯୨କୁ ବୃଦ୍ଧି ପାଇଛି । ପୂର୍ବରୁ ସମ୍ବଲପୁରକୁ ସାଢେ ୧୧କୋଟି ଗ୍ରାଣ୍ଟ କରିଥିଲେ । ସେହିଭଳି କିଛି ଦିନ ତଳେ ସିଏମସି ୧୦ କୋଟି ଏବଂ ବିଏମସିକୁ ୧୦ କୋଟି ଅନୁଦାନ ଘୋଷଣା କରିଥିଲେ ।

ଟିକା କେନ୍ଦ୍ର ପରିଦର୍ଶନ କଲେ ବିଏମସିର କୋଭିଡ ପର୍ଯ୍ୟବେକ୍ଷକ ଅନୁ ଗର୍ଗ

ଭୁବନେଶ୍ୱର: ରାଜଧାନୀରେ 3ଟି ଟିକା କେନ୍ଦ୍ର ପରିଦର୍ଶନ କଲେ ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ ତଥା ବିଏମସିର କୋଭିଡ ପର୍ଯ୍ୟବେକ୍ଷକ ଅନୁ ଗର୍ଗ । ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରି ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କଲେ ଅନୁ ଗର୍ଗ । ଲିଙ୍ଗରାଜ ମନ୍ଦିର ନିକଟ ବିଏମସି ହସ୍ପିଟାଲ, ବରଗଡ଼ ଓ ୟୁନିଟ-୩ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଟିକାକରଣ କେନ୍ଦ୍ର ବୁଲି ଦେଖିଛନ୍ତି ।

ବାରମ୍ବାର ପରାମର୍ଶ ସତ୍ତ୍ୱେ କେତେକ କେନ୍ଦ୍ରରେ ଲୋକେ ବିନା ସ୍ଲଟ ବୁକିଂରେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଥିଲା । ସେଠି ଲୋକଙ୍କୁ ବୁଝାଇଥିଲେ । ଅଯଥା ଭିଡ଼ ନଜମାଇବାକୁ ପରାମର୍ଶ ଦେଇଥିଲେ । ଖରାରେ ଲମ୍ବା ଧାଡି ରହୁଥିବାରୁ ଛାଇ ଓ ପାଣିର ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଥିଲେ ଅନୁ ଗର୍ଗ ।

ସେପଟେ ଟିକାକରଣ କେନ୍ଦ୍ରରେ ଭିଡକୁ ପରିଲିଖିତ କରି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଲାଇନ କରିବାକୁ କହିଥିଲେ ଅନୁଗର୍ଗ। ଏହା ସହ ଟେଷ୍ଟିଂ ଓ ଟୀକାକରଣକୁ ପୃଥକ କରିବାକୁ ନିର୍ଦେଶ ଦେଇଥିଲେ । ସେହିଭଳି ବହୁ କେନ୍ଦ୍ରରେ ଟେଷ୍ଟିଂ ଓ ଟୀକାକରଣ ପୃଥକ କରାଯାଇଥିବା ବେଳେ ଅନ୍ୟ ସବୁ କେନ୍ଦ୍ରରେ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ।

ରାଜଭବନ କର୍ମଚାରୀଙ୍କୁ କରୋନା, ୮ ସଂକ୍ରମିତ

ଭୁବନେଶ୍ୱର: ରାଜଭବନରେ କାର୍ଯ୍ୟରତ କର୍ମଚାରୀ କୋଭିଡ ସଂକ୍ରମିତ । ସୂଚନା ମୁତାବକ ରାଜଭବନର ୮ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସିନିୟର କଣ୍ଟ୍ରୋଲର ଚିଫ ସିକ୍ୟୁରିଟି ଅଫିସର ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟପାଳଙ୍କ OSD ଓ ଜଣେ ଡ୍ରାଇଭର ସଂକ୍ରମିତ ହୋଇଛନ୍ତି ।

୮ଜଣଙ୍କ ମଧ୍ୟରୁ ୩ଜଣ କର୍ମଚାରୀଙ୍କ ମଧ୍ୟରୁ ସୁସ୍ଥ ହୋଇସାରିଛନ୍ତି । ୫ସଂକ୍ରମିତ ହୋମ ଆଇସୋଲେସନରେ ଅଛନ୍ତି । ପ୍ରତିଦିନ ରାଜଭବନକୁ ସାନିଟାଇଜ କରାଯାଉଛି । ପ୍ରତି ସପ୍ତାହରେ ରାଜଭବନରେ କରୋନା ପରୀକ୍ଷା ହେଉଥିବା ଜଣାପଡିଛି ।

କରୋନା ସଂକ୍ରମଣକୁ ନଜରରେ ରକି ୫୦ ପ୍ରତିଶତ କର୍ମଚାରୀରେ ଚାଲିଛି ରାଜଭବନ କାମ । ରାଜ୍ୟପାଳଙ୍କ ସମ୍ପର୍କରେ ଆସୁଥିଲେ କରୋନା ଟେଷ୍ଟ ବାଧ୍ୟତାମୂଳକ ହୋଇଛି । ରାଜଭବନ ପକ୍ଷରୁ ଦିଆଯାଇଛି ଏହି ସୂଚନା ।

କୋଭିଡରେ ସିଆରପିଏଫ୍ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ ପରଲୋକ

ଭୁବନେଶ୍ୱର: କୋଭିଡରେ ଆଖି ବୁଜିଲେ ଆଉ ଜଣେ କରୋନା ଯୋଦ୍ଧା । ଭୁବନେଶ୍ବର ସିଆରପିଏଫ୍ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ କୋଭିଡରେ ଦେହାନ୍ତ ହୋଇଥିବା ଜଣାପଡିଛି । କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ ସିଆରପିଏଫ୍ ଗ୍ରୁପ୍ ସେଣ୍ଟର ଡିଆଇଜି।

ସୂଚନା ମୁତାବକ ଡିଆଇଜି ସୁନୀଲ କୁମାର ପାର୍ଥ ୨୬ ଏପ୍ରିଲରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଦେହ ଅସୁସ୍ଥ ହେବାରୁ ରାଜଧାନୀର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି ।

କରୋନା କାଳରେ ତାଙ୍କ କାର୍ଯ୍ୟଶୈଳୀକୁ ବେଶ ପ୍ରସଂସା କରାଯାଇଛି । ପ୍ରଥମ ୱେଭ୍ କରୋନା ସଂକ୍ରମଣ ବେଳେ ସିଆରପିଏଫ୍ କ୍ୟାମ୍ପସରେ ଜଣଙ୍କର ବି ମୃତ୍ୟୁ ହୋଇନଥିଲା । ସୁନୀଲଙ୍କ ନିଧନ ଅପୂରଣୟୀ କ୍ଷତି ସୃଷ୍ଟି କରିଛି ।

କମୁନି କରୋନା ଗ୍ରାଫ୍, ଆଜି ଦେଶରେ ୪ଲକ୍ଷ ୧୨ହଜାର ୨୬୨ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କମିବାର ନା ଧରୁନାହିଁ କରୋନା ଗ୍ରାଫ୍ । ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟାରେ ଦେଶରେ ୪ଲକ୍ଷ ୧୨ହଜାର ୨୬୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ହଜାର ୯୮୦ଜଣଙ୍କ ଜୀବନ ନେଇଛି କରୋନା। ସେପଟେ ଦିନକରେ ୩ଲକ୍ଷ ୨୯ହଜାର ୧୧୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି ।

ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୧୦ଲକ୍ଷ ୭୭ହଜାର ୪୧୦ରେ ପହଞ୍ଚିଛି । ମୋଟ୍ ସୁସ୍ଥ ହେଲେଣି କୋଟିଏ ୭୨ଲକ୍ଷ ୮୦ହଜାର ୮୪୪ । ମୋଟ୍ ମୃତ୍ୟୁସଂକ୍ୟା ୨୩ଲକ୍ଷ ୧୬୮ଥିବା ବେଳେ ଆକ୍ଟିଭ କେସ୍ ରହିଛି ୩୫ଲକ୍ଷ ୬୬ହଜାର ୩୯୮ । କରୋନା ଚେନ୍ ବ୍ରେକ୍ କରିବାକୁ ବିଭିନ୍ନ ରାଜ୍ୟରେ ଲକଡାଉନ ସଟଡାଉନ ହୋଇଛି ।