spot_img
Home Blog Page 5675

ଚୌଧରୀ ଅଜିତ ସିଂଙ୍କ ଦେହାନ୍ତ, କରୋନାରେ ହୋଇଥିଲା ସଂକ୍ରମିତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଲୋକଦଳ ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚୌଧରୀ ଅଜିତ ସିଂଙ୍କ ଦେହାନ୍ତ ହୋଇଛି । ଅଜିତ କରୋନାରେ ସଂକ୍ରମିତ ଥିଲେ । ୮୬ ବର୍ଷୀୟ ଅଜିତ ମଙ୍ଗଳବାର ରାତିରେ ଦେହ ଅସୁସ୍ଥ ହେବାରୁ ଗୁରୁଗ୍ରାମର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲାଯ ସଂକ୍ରମଣ ଶରୀରରେ ବଢିଥିବାରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡିୟାଇଥିଲା ।

ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ପୁଅ ହେଉଛନ୍ତି ଅଜିତ । ୭ଥର ସାଂସଦ ଓ କେନ୍ଦ୍ରୀୟ ନାଗରିକ ଉନ୍ନୟନ ମନ୍ତ୍ରୀ ଥିଲେ ଅଜିତ । ୮୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅଜିତଙ୍କ ନିଧନରେ ପଶ୍ଚିୀମ ଉତ୍ତରପ୍ରଦେଶରେ ଶୋକର ଛାୟା ଖେଲିଯାଇଛି । ୨୨ ଏପ୍ରିଲରେ କରୋନା ସଂକ୍ରମିତ ହୋଇଥିଲେ ।

ସୋପିଆନରେ ଗର୍ଜିଲା ବନ୍ଧୁକ, ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଜମ୍ମୁକାଶ୍ମୀର: କିଛି ଦିନର ବ୍ୟବଧାନରେ ପୁଣି ଗର୍ଜିଲା ବନ୍ଧୁକ। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଦକ୍ଷିଣ କଶ୍ମୀର ସୋପିଆନ ଜିଲ୍ଲାର କାନିଗ୍ରାମରେ ୪ ଆତଙ୍କୀ ଲୁଚିଥିବା ସୂଚନା ପାଇଁ ପୁରା ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ ସୁରକ୍ଷାକର୍ମୀ । ତାପରେ ଆରମ୍ଭ ହୋଇଥିଲା ଗୁଳିବିନିମୟ ।

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ମୃତ ୩ ଆତଙ୍କୀ ଅଲ୍‌-ବଦର ସଂଗଠନର ହୋଇଥିବା ସୂଚନା ମିଳିଛି । ଅଞ୍ଚଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରିହଛି । କିଛିଦିନ ପୂର୍ବରୁ ସୋପିଆନରେ ସୁରକ୍ଷାବଳଙ୍କ ଏନକାଉଣ୍ଟରରେ ୩ଆତଙ୍କୀ ନିହତ ହୋଇଥିଲେ ।

ମୃତକଙ୍କ ମଧ୍ୟରେ ଜଣେ ନାବାଳକ ବି ଥିଲା । ଏହାଛଡା ଅବନ୍ତିପୁରାର ତ୍ରାଲ୍ ଅଞ୍ଚଳରେ ମୁହାଁମୁହିଁ ହୋଇଥିଲେ ଆତଙ୍କୀ ଓ ସୁରକ୍ଷାକର୍ମୀ । ଏହି ଏନକାଉଣ୍ଟରରେ ଅଂସାର ଗଜବତ-ଉଲ୍-ହିନ୍ଦ ସଂଗଠନର ଇମ୍‌ତିଆଜ ଶାହକୁ ମାରିଥିଲେ ସୁରକ୍ଷାକର୍ମୀ ।

ପଶ୍ଚିମବଙ୍ଗ ଗଲେ ବାଧ୍ୟତାମୂଳକ ନେଗେଟିଭ ରିପୋର୍ଟ

ଭୁବନେଶ୍ୱର: Covid19 ର ବ୍ୟାପକ ସଂକ୍ରମଣ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟରୁ ଯାଉଥିବା ଯାତ୍ରୀମାନଙ୍କ RTPCR ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି | ଅନ୍ୟ ରାଜ୍ୟରୁ ପଶ୍ଚିମବଙ୍ଗର ଯେକୌଣସି ସ୍ଥାନକୁ ଯାଉଥିବା ଟ୍ରେନ୍ ଯାତ୍ରୀମାନଙ୍କୁ RTPCR ନେଗେଟିଭ୍ ରିପୋର୍ଟ ଥିବା ଆବଶ୍ୟକ | ଏହି ରିପୋର୍ଟ ମୂଳ ଷ୍ଟେସନରୁ ଟ୍ରେନ୍ ଛାଡିବାର 72 ଘଣ୍ଟା ମଧ୍ୟରେ ପରୀକ୍ଷା କରାଯାଇଥିବା ଦରକାର |

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ପଶ୍ଚିମବଙ୍ଗର ଯେକୌଣସି ସ୍ଥାନକୁ ଯାଉଥିବା ଟ୍ରେନ ଯାତ୍ରୀମାନଙ୍କୁ ଟ୍ରେନ ଚଢ଼ିବାର 72 ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା RTPCR ନେଗେଟିଭ୍ ରିପୋର୍ଟ ନେବାକୁ ଅନୁରୋଧ କରାଯାଇଛି | ଏହି RTPCR ନେଗେଟିଭ୍ ରିପୋର୍ଟ ଟ୍ରେନ ଯାତ୍ରା ପୂର୍ବରୁ ଦର୍ଶାଇବାକୁ ପୂର୍ବ ତଟ ରେଳପଥ ଯାତ୍ରୀମାନଙ୍କୁ ଅନୁରୋଧ କରିଛି |

ପୁରୀ, ଭୁବନେଶ୍ୱର ଏବଂ ସମ୍ବଲପୁରରୁ ପଶ୍ଚିମବଙ୍ଗ ପାଇଁ ଛାଡ଼ଡୁଥିବା ଟ୍ରେନ ଯଥା 02088 ପୁରୀ-ହାଓଡ଼ା ସ୍ପେଶାଲ, 02202 ପୁରୀ-ହାଓଡ଼ା ଦୁରନ୍ତ ସ୍ପେସିଆଲ, 02838 ପୁରୀ-ହାଓଡ଼ା ସ୍ପେଶାଲ, 02074 ଭୁବନେଶ୍ୱର-ହାଓଡ଼ା ସ୍ପେଶାଲ୍, 08306 ସମ୍ବଲପୁର-ହାଓଡ଼ା ସ୍ପେଶାଲ୍ ଯାତ୍ରୀମାନେ ଏହି ମହାମାରୀ ପରିସ୍ଥିତିରେ ଅସୁବିଧା ମୁକ୍ତ ଯାତ୍ରା ପାଇଁ ସେମାନଙ୍କ ସହିତ RTPCR ନେଗେଟିଭ ରିପୋର୍ଟ ଆଣିବାକୁ କୁହାଯାଇଅଛି |

ଏଗୁଡିକ ବ୍ୟତୀତ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଏବଂ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଯାତ୍ରା କରୁଥିବା ଟ୍ରେନ ଯାହାକି ପଶ୍ଚିମବଙ୍ଗ ମଧ୍ୟରେ ଯେକୌଣସି ଷ୍ଟେସନ ଠାରେ ରହଣି କରୁଛି ସେହିଠାରେ ଓହ୍ଲାଇବାକୁ ଥିବା ଯାତ୍ରୀମାନେ RTPCR ନେଗେଟିଭ ରିପୋର୍ଟ ଦର୍ଶାଇବାକୁ ପଡିବ  ।

ପ୍ରଦୀପ୍ତ ନାୟକଙ୍କୁ କରୋନା, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ କରୋନା । କୋଭିଡ ୧୯ ସଂକ୍ରମିତ ହୋଇ ଭୁବନେଶ୍ବର ଏମ୍ସ ସ୍ଥିତ କୋଭିଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସୂଚନା ମୁତାବକ ବର୍ତ୍ତମାନ ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ସ୍ବାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି ।

ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଅବଗତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଦୀପ୍ତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ନବୀନ । କୋଭିଡ ସଂକ୍ରମିତ ହୋଇ ସେ ଏପ୍ରିଲ ୨୦ ତାରିଖରେ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ୨୬ରେ କୋଭିଡ ଆଇସିୟୁକୁ ସ୍ଥାନାନ୍ତର ହୋଇଥିଲେ ।

ଏପଟେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଏଥିସହ ରାଜ୍ୟର ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଟିମ୍‌ ଓ ଏମ୍‌ସ କର୍ତ୍ତୁପକ୍ଷଙ୍କ ମଧ୍ୟରେ ଆଲୋଚନା କରି କିପରି ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇପାରିବ ସେନେଇ ପରାମର୍ଶ ଦେଇଛନ୍ତି ।

୧୦ ହଜାର ପାର କଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୧୦, ୫୨୧ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୦ ହଜାର ପାର କଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୫୨୧ନୂଆ କରୋନା ପଜିଟିଭ୍ । କ୍ବାରେଣ୍ଟାଇନରୁ ୫ହଜାର ୯୪୫ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସ୍ ରହିଛି ୪ହଜାର ୫୭୬ । ସେହିପରି ଆଉ ୧୭ ଜଣଙ୍କ ଜୀବନ ନେଇଛି ମହାମାରୀ । ହଟସ୍ପଟ ତାଲିକାରେ ଥିବା ଖୋର୍ଦ୍ଧାରୁ ପୁଣି ହାଜର ପାର୍ କରିଛି ଆକ୍ରାନ୍ତ ସଂଖ୍ୟା । ଖୋର୍ଦ୍ଧାରୁ ୧୪୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ବାକି ଜିଲ୍ଲା ଉପରେ ଯଦି ନଜର ପକାଇବା, ତାହେଲେ ସୁନ୍ଦରଗଡ଼ରୁ ୧୧୮୬, କଟକରୁ ୯୬୩, କଳାହାଣ୍ଡିରୁ ୫୭୧, ବରଗଡ଼ରୁ ୫୪୩, ସମ୍ବଲପୁରରୁ ୪୬୦, ନବରଙ୍ଗପୁରରୁ ୪୦୪, ଅନୁଗୁଳରୁ ୩୮୮, ଯାଜପୁରରୁ ୩୭୩, ପୁରୀରୁ ୩୧୯, ବଲାଙ୍ଗୀରରୁ ୩୧୪, ଝାରସୁଗୁଡ଼ାରୁ ୩୧୪, ନୂଆପଡ଼ାରୁ ୩୦୪, ମୟୂରଭଞ୍ଜରୁ ୨୮୮, ଷ୍ଟେଟ୍ ପୁଲରୁ ୨୮୨, ବୌଦ୍ଧରୁ ୨୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ନୟାଗଡ଼ରୁ ୨୨୪, ଜଗତସିଂହପୁରରୁ ୨୧୭, ଗଞ୍ଜାମରୁ ୧୯୬, କେନ୍ଦୁଝରରୁ ୧୯୪, କୋରାପୁଟରୁ ୧୮୨, ଭଦ୍ରକରୁ ୧୫୮, ରାୟଗଡ଼ାରୁ ୧୪୦, କେନ୍ଦ୍ରାପଡ଼ାରୁ ୧୨୧, ଗଜପତିରୁ ୧୧୩, ସୋନପୁରରୁ ୧୧୨, ବାଲେଶ୍ବରରୁ ୯୭, ଦେବଗଡ଼ରୁ ୮୮, ଢେଙ୍କାନାଳରୁ ୮୮, ମାଲକାନଗିରିରୁ ୮୩ ଓ କନ୍ଧମାଳରୁ ୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କାଳବୈଶାଖୀ ତାଣ୍ଡବ, ବିଭିନ୍ନ ସ୍ଥାନରେ ୫ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ମଙ୍ଗିଆଗୁଡା ଗାଁ ନିକଟରେ ବଜ୍ରପାତରେ ଦୁଇଜଣ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ୨ ଜଣ ହେଲେ ଟେମରା ଗାଁର ଉର୍ମିଳା ଭତ୍ରା ଏବଂ ହୀରାଦେଇ ଭତ୍ରା । ମଙ୍ଗିଆଗୁଡ଼ା ଗାଁକୁ ଶାଗ ତୋଳିବାକୁ ଯାଇଥିବା ବେଳେ ଘଟିଛି ଅଘଟଣ ।

ସେପଟେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ଗାଁରେ କାଳେବୈଶାଖୀ ବର୍ଷା ପବନ ପାଇଁ ଅଘଟଣ ଘଟିଛି । ଗଛ ପଡ଼ି ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତକ ଦୁଇଜଣ ହେଲେ କାହ୍ନା ପ୍ରଧାନ ଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ସେପଟେ ଆଜି ଅପରାହ୍ଣରେ କଟକରେ କାଳବୈଶାଖୀ ଘଡ଼ଘଡ଼ି ସହ ବର୍ଷା ହୋଇଛି । ନୂଆବଜାର ସ୍ଥିତ ତିନିଘରିଆ ଠାରେ ବଜ୍ରପାତରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।

କରୋନା ଚିକିତ୍ସାରେ ବ୍ୟବହାର ପାଇଁ ରସ୍ ରେଜେନରନ ଆଣ୍ଟବଡି କକଟେଲକୁ ଅନୁମତି

ନୂଆଦିଲ୍ଲୀ: ରସ୍ ରେଜେନରନ ଦ୍ୱାରା ପ୍ରସ୍ତୁତି ଆଣ୍ଟିବଡି ଡ୍ରଗ୍ କକଟେଲକୁ ଭାରତରେ କରୋନା ଚିକିତ୍ସାରେ ଜରୁରୀକାଳୀନ ପ୍ରୟୋଗ ପାଇଁ ଅନୁମତି ମିଳିଛି । ଦେଶ କରୋନାର ଦ୍ୱିତୀୟ ପ୍ରବାହରେ ଯୁଝି ହେଉଥିବା ବେଳେ ବୁଧବାର ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ୍ସ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ଅନୁମତି ଦେଇଛି ।

ୟୁଏସ୍ ରେଗୁଲେଟର୍ସ ଏବଂ ୟୁରୋପିଆନ୍ ରେଗୁଲେଟରୀ ପ୍ୟାନେଲର ବିଶେଷଜ୍ଞଙ୍କ ମତାମତ ଆଧାରରେ ଅନୁମତି ଦିଆଯାଇଛି । ଭାରତରେ କିପ୍ଲା ଏହି ଡ୍ରଗ ବିତରଣ କରିବ । ଆଣ୍ଟିବଡି କକଟେଲ୍ କାସିରିଭିମବ୍ ଏବଂ ଇମଦେଭିମାବ କରୋନା ଚିକିତ୍ସାରେ ବ୍ୟବହାର ହେବ । ୧୨ ବର୍ଷ ବୟସରୁ ଅଧିକ ଏବଂ ୪୦ କେଜିରୁ ଅଧିକ ଓଜନ ଥିବା ବ୍ୟକ୍ତି ଯେଉଁମାନେ ହାଇ ରିସ୍କ ଗ୍ରୁପରେ ଥିବା ସେମାନଙ୍କୁ ଏହା ଦିଆଯିବ ।

ଏହି ଡ୍ରଗ୍ ଦିଆଗଲେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବ ନାହିଁ । ସାରା ଦେଶରେ କିପ୍ଲା ଏହି ଡ୍ରଗର ବିତରଣ କରିବ । ଏହି ଡ୍ରଗ୍ କୋଭିଡ୍ ଚିକିତ୍ସା କେନ୍ଦ୍ରରେ ଉପଲବ୍ଧ ହେବ ।

ନିଲମ୍ବିତ ହେଲେ ୨ ତହସିଲଦାର, ଲାଞ୍ଚ ନେଇ ଗିରଫ ହୋଇଥିଲେ

ଭୁବନେଶ୍ୱର: ଲାଞ୍ଚୁଆ ଓଏଏସଙ୍କୁ ନିଲମ୍ବନ ଛାଟ । ଲାଞ୍ଚ ନେଇ ଗିରଫ ହୋଇଥିବା ୨ ଜଣ ତହସିଲଦାରଙ୍କୁ ଚାକିରିରୁ ନିଲମ୍ବନ କରିଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । କଟକ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ ଏବଂ କନ୍ଧମାଳ ଜିଲ୍ଲା ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।

ବିଚିତ୍ରାନନ୍ଦ ବାରଙ୍ଗ ତହସିଲଦାର ଥିବା ବେଳେ ଗତ ଏପ୍ରିଲ୍ ୬ ତାରିଖରେ ଭିଜିଲାନ୍ସ ହାତରେ ଧରା ପଡ଼ି ଜେଲ୍ ଯାଇଥିଲେ । ଭିଜିଲାନ୍ସ ବିଚିତ୍ରାନନ୍ଦଙ୍କ ଗାଡ଼ିରୁ ୧ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା । ଏହି ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ତାଙ୍କୁ ନିଲମ୍ବିତ କରାଯାଇଛି । ଏଥିସହ ନିଲମ୍ବନ କାଳରେ ଜିଲ୍ଲାପାଳଙ୍କ ଅଫିସରେ ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ କାର୍ଯ୍ୟ କରିବେ ।

ସେହିଭଳି ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ ନିଲମ୍ବିତ କରାଯାଇଛି । ଗତ ଏପ୍ରିଲ୍ ୨୮ ତାରିଖରେ ୪୦ ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଚକ୍ରଧର । ତାଙ୍କୁ ନିଲମ୍ବିତ କରାଯିବା ସହ ଜିଲ୍ଲାପାଳଙ୍କ ଅଫିସରେ ସେ ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ କାର୍ଯ୍ୟ କରିବେ ।

ଫୋନ୍ କଲରେ ବାହାଘର ଅନୁମତି

ଭୁବନେଶ୍ୱର: ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ଘରେ ବସି ମିଳିବ ଅନୁମତି । ଲକ୍‌ଡାଉନରେ ଅନୁମତି ପାଇଁ ଥାନାକୁ ଯିବାକୁ ପଡ଼ିବନି । ଅନୁମତି ପାଇଁ ୧୦୦ କିମ୍ବା ୮୧୪୪୨୦୭୧୦୦ ନମ୍ବରରେ ଫୋନ୍ କରି ପାରିବେ ରାଜଧାନୀବାସୀ । ଏହି ନମ୍ବରରେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ପରେ ଭୁବନେଶ୍ୱର ଡିସିପି ଲାଇସେନ୍ସ ସେଲ୍ ପକ୍ଷରୁ ଉକ୍ତ ନମ୍ବରରେ ଏକ ଫର୍ମାଟ ପଠାଯିବ । ସେହି ଫର୍ମ ପୂରଣ କରି ହ୍ୱାଟ୍ସଆପରେ ପଠାଇଲେ ଲାଇସେନ୍ସ ମିଳିପାରିବ ।

ଏହାର ସଫ୍ଟ କପି ବ୍ୟବହାର କରି କୋଭିଡ୍ ନିୟମ ମୁତାବକ କାର୍ଯ୍ୟକ୍ରମ କରାଯାଇ ପାରିବ । କମିଶନରେଟ ପୋଲିସର ଭୁବନେଶ୍ୱର ୟୁପିଡି ପାଇଁ ଡିସିପି ଅଫିସରେ ଅନୁମତି ମିଳୁଛି । ତେବେ ଡିସିପି ଅଫିସକୁ ଆସି ଅନୁମତି ନେବାକୁ ବାରଣ କରାଯାଇଛି । ଏଣିକି ୧୦୦କୁ କଲ୍‌ କରି ଅନୁମତି ସମ୍ପର୍କରେ ସୂଚନା ପାଇପାରିବେ ।

ଟଳୁନି ଟିକା ନିଅଣ୍ଟ, ଗୁରୁବାର ୯ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଟିକା ନିଅଣ୍ଟ ଜାରି ରହିଛି । ଫଳରେ ଅଧିକାଂଶ ଜିଲ୍ଲାରେ କୋଭିଡ୍ ଟିକାକରଣ ଠିକ୍ ଭାବେ ଚାଲି ପାରୁନି । ଅଧିକାଂଶ ଜିଲ୍ଲାରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ଦିଆଯାଇ ପାରୁନି । ସେପଟେ ଆସନ୍ତାକାଲି ଗୁରୁବାର ୯ଟି ଜିଲ୍ଲାର କୌଣସି କେନ୍ଦ୍ରରେ ବି ଟିକା ଦିଆଯିବ ନାହିଁ ।

ଗୁରୁବାର ୯ ଗୋଟି ଜିଲ୍ଲା ବଲାଙ୍ଗିର, ବରଗଡ଼, ବୌଦ୍ଧ, ଗଜପତି, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର ଓ ସୋନପୁର କୋଭିଡ୍ ଟିକାକରଣ ବନ୍ଦ ରହିବ । ଏବେ ରାଜ୍ୟ ପାଖରେ କେନ୍ଦ୍ର ସରକାର ଦେଇଥିବା ୧ ଲକ୍ଷ ୪ ହଜାର ୭୦ ଡୋଜ୍ କୋଭିସିଲ୍ଡ ଥିବାବେଳେ ୩ ଲକ୍ଷ ୧୮୦ ଡୋଜ୍ କୋଭାକ୍ସିନ୍ ରହିଛି । ସେହିଭଳି ରାଜ୍ୟ କିଣିଥିବା କୋଭାକ୍ସିନ୍ ମଧ୍ୟରୁ ୧ ଲକ୍ଷ ୨୮ ହଜାର ୩୨୦ ଡୋଜ୍ ରହିଛି ।

ଆଜି ରାଜ୍ୟର ୯୨ଟି କେନ୍ଦ୍ରରେ ୨୧ ହଜାର ୮୦୪ ଡୋଜ୍ କୋଭିଡ୍ ଟିକା ଦିଆଯାଇଛି । ଏଥିସହ ରାଜ୍ୟରେ ଏଯାବତ୍ ମୋଟ ୫୯ ଲକ୍ଷ ୫୧ ହଜାର ୩୨୯ ଡୋଜ୍ ଟିକା ଦିଆଗଲାଣି ।