ଭୁବନେଶ୍ବର: ଦେଶରେ ଟିକା ସଂକଟକୁ ଲାଘବ କରିବାରେ ବିଫଳ ହୋଇଛନ୍ତି କେନ୍ଦ୍ର ସରକାର। ପରିସ୍ଥିତି ଏମିତି ହୋଇଛି ଯେ, ଆସନ୍ତା କାଲି ଅର୍ଥାତ୍ ମେ’ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ଟିକାକରଣ ଅଭିଯାନ ଆରମ୍ଭ ହୋଇ ନପାରିବା ସ୍ପଷ୍ଟ ହୋଇଛି। ଅନେକ ରାଜ୍ୟ ଗଣମାଧ୍ୟମ ଆଗରେ ନିଜ ନିଜର ଅସହାୟତା ପ୍ରକାଶ କରିଛନ୍ତି। ପର୍ଯ୍ୟାପ୍ତ ପରିମାଣରେ ଟିକା ନ ମିଳିବା ଏବଂ ଟିକା ପ୍ରସ୍ତୁତକାରୀମାନେ ଟିକା ପ୍ରଦାନ ସମ୍ପର୍କରେ କୌଣସି ସୂଚନା ନଦେବାକୁ ଏଥିଲାଗି ଦାୟୀ କରିଛନ୍ତି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ବିଜେପି ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ରହିଛନ୍ତି।
ଆମ ରାଜ୍ୟରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଜାରି ରହିଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣକୁ ଚାଲୁ ରଖଯିବା ପାଇଁ ଟିକା ଅଭାବର ସମ୍ମୁଖୀନ ହେଉଥିବାରୁ ରାଜ୍ୟରେ ଅନେକ ଟିକାକରଣ କେନ୍ଦ୍ରକୁ ବନ୍ଦ ରଖାଯାଇଛି। ବାରମ୍ବାର କେନ୍ଦ୍ର ସରକାରଙ୍କୁ ଆବଶ୍ୟକ ଟିକା ଯୋଗାଣ ପାଇଁ ଅନୁରୋଧ କରାଯାଉଥିଲେ ମଧ୍ୟ ବିଶେଷ ସଫଳତା ମିଳିପାରୁ ନାହିଁ। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପାଣିର ଗାର ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଟିକା ଆସିଲେ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ସୂଚନା ମିଳିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହୁଥିବା ବେଳେ ଆଉ କିଛି ରାଜ୍ୟ ତୃତୀୟ ପର୍ଯ୍ୟାୟ ଟିକାକରଣ ତାରିଖକୁ ଘୁଞ୍ଚାଇଛନ୍ତି।
ଏବେ ଦେଶରେ ୪୫ ବର୍ଷରୁ ଅଧିକ ଲୋକଙ୍କ ପାଇଁ ଟିକାକରଣ କାର୍ଯ୍ୟକ୍ରମ ଚାଲୁ ରହିଛି। ॥ଶନିବାରଠାରୁ ୧୮ ବର୍ଷରୁ ଅଧିକ ବର୍ଷୀୟ ସମସ୍ତଙ୍କ ଲାଗି ଟିକା କେନ୍ଦ୍ର ଖୋଲିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଆସନ୍ତୁ ନଜର ପକାଇବା କେଉଁ ରାଜ୍ୟରେ ସ୍ଥିତି କେମିତି ରହିଛି।
ମହାରାଷ୍ଟ୍ର
ମହାରାଷ୍ଟ୍ରର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ଅନୁସାରେ ରାଜ୍ୟ ଏବେ ଯଦି ଅତି କମରେ ୨୫-୩୦ ଲକ୍ଷ ଟିକା ବୋତଲ୍ ନପାଏ ତେବେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ଅଭିଯାନ ଆରମ୍ଭ କରିବା ସମ୍ଭବପର ନୁହେଁ। ଏମେ ମହାରାଷ୍ଟ୍ରରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ସଂଗ୍ରମଣ ଆରମ୍ଭ ହେବାକୁ ଯାଉଛି। ଏଭଳି ମୁହୂର୍ତ୍ତରେ ଆମେ ଆହୁରି ୧୨ କୋଟି ଟିକା ଡୋଜ୍ ଆବଶ୍ୟକ କରୁଛୁ ବୋଲି ସେ କହିଛନ୍ତି। ଏବେ ଯେହେତୁ ରାଜ୍ୟଗୁଡ଼ିକୁ ଟିକା ଯୋଗାଣ ହୋଇପାରୁ ନାହିଁ ଏଣୁ ତୃତୀୟ ପର୍ଯ୍ୟାୟ ଟିକାକରଣ ମେ ପହିଲାରୁ ଆରମ୍ଭ ହେରାଇ ନପାରେ। ଏମିତି କି ଏବେ ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ ପକ୍ଷରୁ ଟିକା ଅଭାବ ଦର୍ଶାଇ ଟିକାକରଣ ଅଭିଯାନ ବନ୍ଦ କରାଯାଇଛି।
କର୍ଣ୍ଣାଟକ
କର୍ଣ୍ଣାଟକରେ ମଧ୍ୟ ତୃତୀୟ ପର୍ଯ୍ୟାୟ ଟିକାକରଣ ବିଳମ୍ବ ହୋଇପାରେ। ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଡ. କେ ସୁଧାକରଙ୍କ କହିବା ଅନୁସାରେ ଶନିବାର ଦିନ ସାବାଳକ ଟିକାକରଣ ଅଭିଯାନ ଆରମ୍ଭ କରିବା ସମ୍ଭବ ନୁହେଁ। ରାଜ୍ୟ ସରକାର ଏ ଭିତରେ ୧ କୋଟି ଡୋଜ୍ ପ୍ରି ଅର୍ଡର ପଠାଉଛନ୍ତି। କିନ୍ତୁ ସେମାନେ ଏଯାଏ ତାହା ପ୍ରଦାନ କରିପାରେି ନାହାନ୍ତି।
ଦିଲ୍ଲୀ
ଦିଲ୍ଲୀରେ ମଧ୍ୟ ପରିସ୍ଥିତି ସମାନ ରହିଛି। ଏଠାରେ କୌଣସି ଟିକା ଷ୍ଟକ୍ ନଥିବାରୁ ୧ ତାରିଖରୁ ଧାର୍ଯ୍ୟ ଟିକାକରଣ ନ ହେବା ଆଶଙ୍କା ରହିଛି। ଏଣୁ ଆସନ୍ତା କାଲିଠାରୁ ଡାକ୍ତରଖାନା ଆଗରେ ୧୮ରୁ ୪୪ ବର୍ଷୀୟମାନେ ଗହଳି ନକରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଅନୁରୋଧ କରିଛନ୍ତି। ଏ ନେଇ ପୁଣିଥରେ ଘୋଷଣା ହେବ। ତା’ ପରେ ଯାଇ ଟିକା ଲାଗି ଆସିବାକୁ ସେ କହିଛନ୍ତି। କେଭିସିଲ୍ଡ ଟିକା ପାଇଁ ବରାଦ କରାଯାଇଛି। କିନ୍ତୁ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ତାହା ପ୍ରଦାନ କରାଯାଇ ନାହିଁ।
ଗୋଆ
ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ୧୮ରୁ ୪୪ ବର୍ଷୀୟ ଲୋକଙ୍କ ପାଇଁ ଟିକାକରଣ ଅଭିଯାନକୁ କିଛିଦିନ ବିଳମ୍ବ ପାଇଁ ଘୋଷଣା କରିଚନ୍ତି। ସେ କହିଛନ୍ତି ଶନିବାର ନୁହେ, ବରଂ ଗୁରୁବାରଠାରୁ ଆମେ ଏହି ଟିକାକରଣ ଆରମ୍ଭ କରିବୁ। ଟିକା ଅଭାବ ଦର୍ଶାଇ ସେ ଏହି ଘୋଷଣା କରିଛନ୍ତି। ସାୱନ୍ତ ସରକାର ୫ ଲକ୍ଷ ଡୋଜ୍ ଟିକା ପ୍ରଦାନ ଲାଗି ସିରମ୍ ଇନସଚ୍ୟୁଟ୍କୁ ବରାଦ କରିଛନ୍ତି।
ମଧ୍ୟପ୍ରଦେଶ
ମଧ୍ୟପ୍ରଦେଶ ସରକାର ମଧ୍ୟ ସମାନ ଧାରାରେ ମେ ୧ରୁ ଆରମ୍ଭ ହେବାକୁ ଥିବା ଟିକା କାର୍ଯ୍ୟକ୍ରମକୁ ବିଳମ୍ବ ହେବା ଘୋଷଣା କରିଛନ୍ତି। ସମାନ ଭାବେ ଟିକାର ଅଭାବ ରହିଥିବା ସରକାରୀ ବିବୃତିରେ କୁହାଯାଇଛି। କିନ୍ତୁ ଚାଲୁଥିବା ଟିକାକରଣ କାର୍ଯ୍ୟକ୍ରମ ବାଧା ପାଇବ ନାହିଁ ବୋଲିମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି। ଏବେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଲାଗି ଟିକାକରଣ ଜାରି ରହିଛି।
ପଶ୍ଚିମବଙ୍ଗ
ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ୧୮ ବର୍ଷରୁ ଅଧିକଙ୍କ ପାଇଁ ଟିକାକରଣ ଏବଂ ଜାରି ରହିଥିବା ଟିକାକରଣକୁ ଚାଲଏୁ ରଖିବା ଲାଗି କେନ୍ଦ୍ର ସରକାରଙ୍କୁ ୩ କୋଟି ଡୋଜ୍ ପ୍ରଦାନ ଲାଗି ଅନୁରୋଧ କରାଯାଇଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ୧୮ରୁ ୪୫ ବର୍ଷୀଙ୍କୁ ଟିକାକରଣ କରିବାକୁ ହେଲେ ୨ କୋଟି ଡୋଜ୍ ଆବଶ୍ୟକ ରହିଛି।
ପଞ୍ଜାବ
ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ ବଲବୀର ସିଂହ ସିଦ୍ଧୁ କହିଛନ୍ତି ଯେ, ରାଜ୍ୟରେ ୧୮ ବର୍ଷରୁ ଅଧକଙ୍କୁ ଟିକାକରଣ କରିବା କାର୍ଯ୍ୟକ୍ରମ ବିଳମ୍ବ ହେବ। ଆମ ପାଖରେ ଷ୍ଟାଫ୍ ଓ ଭିତ୍ତିଭୂମି ରହିଛି କିନ୍ତୁ ପର୍ଯ୍ୟାପ୍ତ ପରିମାଣରେ ଟିକା ବୋତଲ ମିଳୁ ନାହିଁ। ଏଣୁ ଟିକାକରଣ କାର୍ଯ୍ୟକ୍ରମ ବିଳମ୍ବିତ ହୋଇପାରେ। ଏଣୁ ଆମେ ଭାବୁଛୁ ୧ ତାରିଖରେ ଏହି ଯୋଜନା ରୂପାୟନ ନହୋଇପାରେ।
ତେଲଙ୍ଗାନା:
ତେଲେଙ୍ଗାନା ସ୍ୱାସ୍ଥ୍ୟମନ୍ତ୍ରୀ ଏତେଲା ରାଜେନ୍ଦର କହିଛନ୍ତି ଆମେ ଦିନକୁ ୧୦ ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ପ୍ରସ୍ତଚୁତ ରହିଛୁ। ଏହିକ୍ରମରେ ଆବଶ୍ୟକ ହେଉଥିବା ଟିକା ପ୍ରଦାନ ଲାଗି ଭାରତ ବାୟୋଟେକ୍ ଏବଂ ସିରମ୍ ଇନସିଚ୍ୟୁଟକୁ ଅନୁରୋଧ କରିଛୁ। କିନ୍ତୁ କୌଣସି କଂପାନୀ କେବେ ଟିକା ପ୍ରଦାନ କରିବେ ତାହା ନେଇ ସୂଚନା ଦେଇ ନାହିଁ। ଆମେ ଏବେ ୪ କୋଟି ଡୋଜ୍ ଆବଶ୍ୟକ କରୁଛୁ। କେନ୍ଦ୍ର ସରକାର ଏହାକୁ ମାଗଣାରେ ଉପଲବ୍ଧ କରାଇବା ଆବଶ୍ୟକ। ଯେତେଯାଏ ଆମେ ଟିକା ପାଇ ନାହୁଁ ସୋତେବେଳ ଯାଏ ତାରିଖ ନିର୍ଦ୍ଧାରଣ କରିବା ସମ୍ଭବ ନୁହେଁ।
ଝାଡ଼ଖଣ୍ଡ
ଏଠାରେ ମଧ୍ୟ ପରିସ୍ଥିତି ଅନୁରୂପ ରହିଛି। ଟିକା ମିଳୁ ନଥିବାରୁ ଟିକାକରଣ ଆରମ୍ଭ ନ ହେବା ଆଶଙ୍କା ବଢ଼ିଛି। ୨୫ ଲକ୍ଷ ଡୋଜ୍ ପାଇଁ ସରକାରଙ୍କ ପାଖରେ ଦୁଇ ଟିକା ନିର୍ମାତାଙ୍କୁ ଅନୁରୋଧ କରାଯାଇଛି ହେଲେ କେବେ ଟିକା ମିଳିବ ତାହା ଜଣାପଡ଼ି ନଥିବାରୁ ଟିକାକରଣ କାର୍ଯ୍ୟକ୍ରମ ଅନିଶ୍ଚିତତା ମଧ୍ୟକୁ ଟାଣି ହୋଇଛି।
ଗୁଜରାଟ
ଗୁଜରାଟରେ ପରିସ୍ଥିତିକୁ ଦେଖି ଟିକାକରଣ କାର୍ଯ୍ୟକ୍ରମକୁ ବିଳମ୍ବ କରାଯାଇଛି। ॥ମେ ୧ ନୁର୍ହେ ବରଂ ମେ ୧୫ ତାରିଖରୁ ଆମେ ୧୮ ବର୍ଷରୁ ଅଧିକଙ୍କ ପାଇଁ ଟିକାକରଣ ଆରମ୍ଭ କରିବୁ ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଛନ୍ତି।
ଉତ୍ତରପ୍ରଦେଶ
ଉତ୍ତରପ୍ରଦେଶ ସରକାର କହିଛନ୍ତି ଯେ , ଟିକା ଷ୍ଯକ୍ ନଥିବାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇପାରିବ ନାହିଁ। ଏବେ ଯେଉଁ ଷ୍ଟକ୍ ରହିଛି ତାହା କେବଳ ୪୫ ବର୍ଷରୁ ଅଧିକ ତଥା ଦ୍ୱିତୀୟ ଡୋଜ୍ ପାଇଁ ସୀମିତ ରହିବ।
ସାରା ଦେଶରେ ଟିକା ଅଭାବ: ୧ରୁ ହୋଇ ନପାରେ ଟିକାକରଣ
ଟିକା ପାଇଁ ଗରିବ ଲୋକ ଟଙ୍କା କେଉଁଠୁ ଆଣିବେ ?
ନୂଆଦିଲ୍ଲୀ: କରୋନାର କରାଳ ରୂପ ଭିତରେ ସୁପ୍ରିମକୋର୍ଟଙ୍କ କେନ୍ଦ୍ରକୁ ଯକ୍ଷ ପ୍ରଶ୍ନ । ଟିକାର ଭିନ୍ନ ଦାମ୍ ନେଇ କେନ୍ଦ୍ର ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମାନ୍ୟବର କୋର୍ଟ । ଭିନ୍ନ ଭିନ୍ନ ଦାମ୍ ନେଇ ସ୍ପଷ୍ଟୀକରଣ ମାଗିବା ସହ ଟିକା ବିତରଣର ମେକାନିଜମ୍ ନେଇ ପ୍ରଶ୍ନ କରିଛନ୍ତି । ଟିକା ନେଇ ଗରିବ ଲୋକ ଟଙ୍କା କେଉଁଠୁ ଆଣିବେ ବୋଲି ପ୍ରଶ୍ନ କରିଛନ୍ତି ।
ଆତଙ୍କର ନାଁ କରୋନା । ପ୍ରତିଦିନ କରୋନାକୁ ନେଇ ଏଭଳି ଚିତ ସାମ୍ନାକୁ ଆସୁଛି ଯାହା ଦେଶର ଅନ୍ତରଆତ୍ମାକୁ ଦୋହଲାଇ ଦେଉଛି । ଅମ୍ଲଜାନ ପାଇଁ ଡହଳ ବିକଳ ହେଉଛନ୍ତି ସଂକ୍ରମିତ । ହସ୍ପିଟାଲରେ ଅମ୍ଲଜାନ ନାହିଁ । ରୋଗୀଙ୍କ ପାଇଁ ଔଷଧ ନାହିଁ । କିନ୍ତୁ ଜୋରଦାର ଚାଲିଛି ରାଜନୈତିକ ଟଣା ଓଟରା । ରାଜ୍ୟ କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି । କେନ୍ଦ୍ର ରାଜ୍ୟଙ୍କୁ ସଂକଟ ପାଇଁ ଦାୟୀ କରୁଛି ।
କେନ୍ଦ୍ର କହୁଛି ଅମ୍ଲଜାନ ଅଛି । ଯେଉଁଠି ନାହିଁ ସେଠିକି ଯୋଗାଇ ଦେଉଛୁ । ଟିକାକରଣ ପାଇଁ ଜୋରଦାର କାମ ଚାଲିଛି । କିନ୍ତୁ ଲାଗୁଛି କେନ୍ଦ୍ର ସରକାରଙ୍କ କଥାକୁ ବିଶ୍ୱାସ କରୁ ନାହାନ୍ତି ସୁପ୍ରିମକୋର୍ଟ । ମାନ୍ୟବର କୋର୍ଟ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କୁ କାଠଗଡ଼ାରେ ଛିଡା କରିଛନ୍ତି । ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ କେନ୍ଦ୍ରକୁ ଏମିତି କିଛି ପ୍ରଶ୍ନ ପଚାରିଛନ୍ତି ଯାହା ନିଶ୍ଚୟ କେନ୍ଦ୍ରକୁ ଅସୁବିଧାରେ ପକାଇବ ।
କେନ୍ଦ୍ରକୁ ସୁପ୍ରିମକୋର୍ଟ ପଚାରିଥିବା ପ୍ରଶ୍ନ
ପ୍ରଶ୍ନ୧: ଜରୁରୀ ଔଷଧର ବିତରଣ ଓ ଉତ୍ପାଦନ କାହିଁକି ସୁନିଶ୍ଚିତ ହୋଇ ପାରୁନାହିଁ ? କେନ୍ଦ୍ର ସରକାରଙ୍କ ଉତ୍ତର ଥିଲା ମାସକୁ ୧ କୋଟି ୩ ଲକ୍ଷ ରେମେଡିସିଭର ଉତ୍ପାଦନ କ୍ଷମତା ରହିଛି । କିନ୍ତୁ କେନ୍ଦ୍ର ଡିମାଣ୍ଡ୍ ଓ ସପ୍ଲାଏ ବାବଦରେ ନିରବ ରହିଛି ।
ପ୍ରଶ୍ନ୨: ୧୮ରୁ ୪୫ ବର୍ଷ ବୟସ୍କଙ୍କୁ ଟିକା ଦେବାକୁ କେନ୍ଦ୍ର ପାଖରେ କିଛି ଯୋଜନା ରହିଛି କି ? କେନ୍ଦ୍ର ପାଖରେ ଏମିତି କିଛି ଫଣ୍ଡ୍ ଅଛି କି ଯାହା ଦ୍ୱାରା ଟିକାର ଦାମ ସମାନ ରହିବ ?
କେବଳ ଏତିକି ନୁହେଁ, ସୁପ୍ରିମକୋର୍ଟ ଏହା ମଧ୍ୟ ଜାଣିବାକୁ ଚାହିଁଥିଲେ ଯେ, ସିରମ ଓ ଭାରତ ବାୟୋଟେକକୁ କେନ୍ଦ୍ର ସରକାର କେତେ ଫଣ୍ଡ୍ ଦେଇଛନ୍ତି ।
ପ୍ରଶ୍ନ୩ : ଟିକାର ମୂଲ୍ୟକୁ ନେଇ ସୁପ୍ରିମକୋର୍ଟ ବିଶେଷ ଚିନ୍ତାବ୍ୟକ୍ତ କରିଛନ୍ତି । ଟିକାର ଆକାଶଛୁଆଁ ମୂଲ୍ୟ ପାଇଁ ଏହା ଗରିବଙ୍କ ପାଇଁ ଦୁର୍ଲଭ ହୋଇଯିବ ବୋଲି ଅଦାଲତ ଆଶଙ୍କା କରିଛନ୍ତି । ଅଦାଲତ କହିଥିଲେ ଯେ, ଟିକାର ମୂଲ୍ୟନିର୍ଧାରଣ ଅସାଧରଣ ରୂପେ ଗମ୍ଭୀର ପ୍ରସଙ୍ଗ । କେନ୍ଦ୍ର ଦ୍ୱାରା ପ୍ରଦତ୍ତ ଟିକାର ୫୦ ପ୍ରତିଶତ ୪୫ ବର୍ଷରୁ ଅଧିକ ବୟସ୍କ ଓ ଫ୍ରଣ୍ଟଲାଇନ୍ ଯୋଦ୍ଧାଙ୍କ ପାଇଁ ବ୍ୟବହାର ହେବ ବୋଲି କୁହାଯାଉଛି । ବାକି ୫୦ ପ୍ରତିଶତ ଟିକା ରାଜ୍ୟ ନେବେ । ୫୯ କୋଟି ୬୦ ଲକ୍ଷ ଭାରତୀୟଙ୍କ ବୟସ ୪୫ରୁ କମ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ । ଏମାନେ ଟିକା ପାଇଁ ଟଙ୍କା କେଉଁଠାରୁ ଆଣିବେ ?
ସୁପ୍ରିମକୋର୍ଟ କେବଳ ଏତିକିରେ ଅଟକିନଥିଲେ । ଦେଶର ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆମେ ଚିନ୍ତିତ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଆମେ ଜାଣିଛୁ ଏହା ଆପଣଙ୍କୁ ଉତ୍ତରାଧିକାର ସୂତ୍ରରେ ମିଳିଛି କିନ୍ତୁ ଆମେ ଦେଶର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ।
ବାଙ୍ଗାଲୋରର ବିଜୟ ରଥକୁ ରୋକିବାକୁ ପଡ଼ିଆକୁ ଓହ୍ଲାଇବ ପଞ୍ଜାବ
ନୂଆଦିଲ୍ଲୀ: ଆଜି ଆଇପିଏଲର ଆଉ ଏକ ବଡ଼ ମୁକାବିଲା । ପ୍ରଥମ ଟ୍ରଫି ଲକ୍ଷ୍ୟରେ ଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ସାମ୍ନା କରିବ ପଞ୍ଜାବ କିଙ୍ଗ୍ସ । ୬ ମ୍ୟାଚରୁ ୧୦ ପଏଣ୍ଟ ଅର୍ଜନ କରି ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ଆରସିବି ଥିବାବେଳେ କେବଳ ଦୁଇଟି ବିଜୟ ସହ ୪ ପଏଣ୍ଟ ହାସଲ କରିଥିବା ପଞ୍ଜାବ କିଙ୍ଗ୍ସ ପାଇଁ ଏହି ମ୍ୟାଚ୍ ଅଧିକ ଗୁରୁତ୍ବ ବହନ କରିବ । ବିରାଟ କୋହଲିଙ୍କ ନେତୃତ୍ବାଧିନ ଆରସିବି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଗତ ମ୍ୟାଚକୁ ରୋମାଞ୍ଚକର ଭାବେ ୧ ରନରେ ଜିତିବା ପରେ ଆରସିବିର ଆତ୍ମବିଶ୍ବାସ ଆହୁରି ଉଚ୍ଚରେ ପହଞ୍ଚିଛି ।
ଅନ୍ୟପକ୍ଷରେ ସଠିକ୍ ସନ୍ତୁଳନ ପାଇଁ ସଂଘର୍ଷ କରୁଥିବା କେଏଲ୍ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ ତା’ର ପୂର୍ବ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସଠାରୁ ୫ ୱିକେଟରେ ପରାଜିତ ହୋଇଥିଲା । ସବୁଠାରୁ ବଡ଼ କଥା ହେଲା ଦଳରେ ଆପାତତଃ ସମସ୍ତ ବ୍ୟାଟ୍ସମ୍ୟାନ୍ ଅସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି । ବୋଲିଂ ବାହିନୀ ମଧ୍ୟ ଭଲ ପ୍ରଦର୍ଶନ ଦେବାରେ ଏକପ୍ରକାର ବିଫଳ ହୋଇଛି । ଏସବୁ କଥାକୁ ବିଚାରକୁ ନେଲେ ପଞ୍ଜାବ କିଙ୍ଗ୍ସ ଆଜିର ମ୍ୟାଚରେ କଠିନ ପରୀକ୍ଷାର ସମ୍ମୁଖୀନ ହେବା ପୂରା ନିଶ୍ଚିତ ।
ଆରସିବିକୁ ହରାଇବାକୁ ହେଲେ ଏହି ଦଳକୁ ଅତ୍ୟନ୍ତ ଉଚ୍ଚକୋଟୀର କ୍ରିକେଟ୍ ଖେଳିବାକୁ ହେବ । ଅନ୍ୟପଟେ ଆରସିବି ପାଇଁ ମିଷ୍ଟର ଥ୍ରୀ ସିକ୍ସଷ୍ଟି ଏବି ଡି’ଭିଲିୟର୍ସ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେଉଛନ୍ତି । ମହମ୍ମଦ ସିରାଜ, ହର୍ଷଲ ପଟେଲଙ୍କ ବୋଲିଂକୁ ସାମ୍ନା କରିବା ଅଧିକାଂଶ ପ୍ରତିପକ୍ଷଙ୍କ ପାଇଁ ସହଜ ହେଉନି । ଏମାନଙ୍କ ଛଡ଼ା ଦେବଦତ୍ତ ପଡ଼ିକଲ ଓ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ବହୁତ ଭଲ କ୍ରିକେଟ୍ ଖେଳୁଛନ୍ତି । ଅଧିନାୟକ ବିରାଟ କୋହଲି ଗତକିଛି ମ୍ୟାଚରେ ଆଶାଜନକ ପ୍ରଦର୍ଶନ କରି ନଥିବାରୁ ଶୁକ୍ରବାର ଏକ ବଡ଼ ପାଳି ଖେଳିବା ଆଶା କରାଯାଇପାରେ ।
୧୯୮ଟି ମେଡିକାଲ ବୁଲିବା ପରେ ବି ମିଳିଲାନି ବେଡ୍, ୬୫ ହଜାର ଟଙ୍କା ଦେଇ ଆମ୍ବୁଲାନ୍ସରେ ପଳାଇଲେ ସୁରଟ
ନାଗପୁର: ମହାରାଷ୍ଟ୍ର ପାଇଁ ମହାମାରୀ ଆଣିଛି ବଡ଼ ସଂକଟ । ସ୍ୱାସ୍ଥ୍ୟସେବାର ପ୍ରତିଟି ବିକଳ ଚିତ୍ର ଓଗାଳି ଦେଉଛି କରୋନା । ସବୁକିଛି ଠିକ୍ ଚାଲିଥିବା ସରକାର କହୁଥିଲେ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ଦୃଶ୍ୟ ସବୁ ସତକୁ ପଦାକୁ ଆଣୁଛି । ନାଗପୁରରେ ଦମ୍ପତି କରୋନା ପଜିଟିଭ୍ ଚିହ୍ନଟ ପରେ ୧୯୮ଟି ହସ୍ପିଟାଲେ ବେଡ୍ ପାଇଁ ଘୁରି ବୁଲିଥିଲେ । କେଉଁଠି ବି ବେଡ୍ ମିଳିନଥିଲା । ଶେଷରେ ଦମ୍ପତି ୬୫ ହଜାର ଟଙ୍କା ଖର୍ଚ୍ଚ କରି ଆମ୍ବୁଲାନ୍ସରେ ସୁରଟ ପଳାଇଥିଲେ । ସେଠାରେ ଦିନର ଚିକିତ୍ସା ପରେ କରୋନାକୁ ମାତ୍ ଦେଇଛନ୍ତି ।
ଉତ୍ତରପ୍ରଦେଶର ମୂଳ ବାସିନ୍ଦା ବ୍ରୁଜେଶ କୁମାର ତ୍ରିପାଠୀ ଓ ଅନୁପମା ନାଗପୁରରେ ରୁହନ୍ତି । ଦୁଇ ସପ୍ତାହ ତଳେ ଉଭୟଙ୍କ ଦେହ ଖରାପ ହୋଇଥିଲା । ଏପ୍ରିଲ ୧୭ରେ ଉଭୟଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଅନୁପମାଙ୍କ ଅକ୍ସିଜେନ୍ ସ୍ତର ଲଗାତାର ଖସିବାରେ ଲାଗିଥିଲା । ଫୁସପୁସର ୬୦ ପ୍ରତିଶତ କରୋନାରେ ସଂକ୍ରମିତ ହୋଇ ସାରିଥିଲା । ନାଗପୁରର କୌଣସି ହସ୍ପିଟାଲ ଦମ୍ପତିଙ୍କୁ ବେଡ୍ ଦେଇନଥିଲେ ।
ଦୁହେଁ ୧୯୮ଟି ହସ୍ପିଟାଲ ବୁଲିବା ପରେ କେଉଁଠି ବି ମିଳିନଥିଲା ଚିକିତ୍ସା । କିଛି ହସ୍ପିଟାଲ ଫାଇଲ୍ ଦେଖି ହିଁ ମନା କରି ଦେଇଥିଲେ । ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା । ଶେଷରେ ବ୍ରୁଜେଶ ସୁରଟରେ ରହୁଥିବା ତାଙ୍କ ଭିଣୋଇଙ୍କ ସହ କଥା ହୋଇ ଅକ୍ସିଜେନ୍ ଆମ୍ବୁଲାନ୍ସରେ ସୁରଟ ଯାଇଥିଲେ । ସେଠାରେ ଚିକିତ୍ସା ପରେ ଉଭୟ ଏବେ ସୁସ୍ଥ ଅଛନ୍ତି । ୧୩ ଘଣ୍ଟାରେ ୭୫୦ କିଲୋମିଟର ଯାତ୍ରା କରି ୧୮ ତାରିଖରେ ସେଠାରେ ପହଞ୍ଚିଥିଲେ ।
କରୋନା ରୋଗୀଙ୍କ ପାଇଁ ଭଲ ଖବର, ଘଣ୍ଟାଏରେ ମିଳିବ ବୀମା ଟଙ୍କା
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମ ଭୟାବହ ହେଉଥିବା ବେଳେ ମେଡିକାଲରେ ବେଡ୍ ଓ ଅକ୍ସିଜେନ୍ ଅଭାବ ଲୋକଙ୍କ ନିଦ ହଜାଇ ଦେଇଛି । ଏହାରି ଭିତରେ IRDAI ବୀମା କମ୍ପାନୀଙ୍କୁ ଗୋଟିଏ ଘଣ୍ଟା ମଧ୍ୟରେ କୋଭିଡ୍ ସହ ଜଡ଼ିତ କୌଣସି ସ୍ୱାସ୍ଥ୍ୟ ବୀମା କ୍ଲେମକୁ କ୍ଲିଅର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଗୁରୁବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଆଦେଶ ଦେବା ପରେ IRDAI ସବୁ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କ୍ୟାସଲେସ୍ କ୍ଲେମକୁ ତ୍ୱରିତ କରିବାକୁ କୁହାଯାଇଛି । ଏଥିପାଇଁ କୋଭିଡ୍ ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି ହେବା ପରେ ସମସ୍ତ ଦସ୍ତାବିଜ୍ ଦେବାର ଘଣ୍ଟାଏ ମଧ୍ୟରେ କ୍ୟାସଲେସ୍ କ୍ଲେମ ଆପ୍ରୁଭ କରାଯିବ ।
ଏହାଦ୍ୱାରା କରୋନା ଆକ୍ରାନ୍ତ ଆଶ୍ୱସ୍ତି ପାଇବେ । ହସ୍ପିଟାଲରେ ବେଡ୍ ସମସ୍ୟାରୁ ମୁକ୍ତି ମିଳିବ । ଏହାଦ୍ୱାରା ଜଣେ ରୋଗୀ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହେବା ସହଜ ହେବ । ଏହା ପୂର୍ବରୁ କ୍ଲେମକୁ ୨ ଘଣ୍ଟା ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।



