spot_img
Home Blog Page 5714

ବିଦେଶୀ ଖେଳାଳିଙ୍କୁ ଡ଼ରାଇଲାଣି ଭାରତରେ କରୋନା ସଂକ୍ରମଣ, ଅଧାରୁ ଛାଡ଼ୁଛନ୍ତି IPL ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ସମଗ୍ର ଭାରତରେ ଏବେ କରୋନା ମହାମାରୀ ସହ ସଂଘର୍ଶ କରୁଛି। ପ୍ରତିଦିନ ୩ ଲକ୍ଷରୁ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ଦେଶରୁ ଚିହ୍ନଟ ହେଉଛନ୍ତି। କରୋନାକୁ ନେଇ ସମସ୍ୟା ଏତେ ମାତ୍ରାରେ ବଢ଼ିଯାଇଛିଯେ ପ୍ରସାଶନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଡାକ୍ତରଖାନାରେ ଅମ୍ଳଜାନ ଅଭାବ, ଡାକ୍ତରଖାନାରେ ଶଯ୍ୟା, ଡାକ୍ତର ଏବଂ କର୍ମଚାରୀଙ୍କ ଅଭାବ ହେତୁ ପ୍ରତିଦିନ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଛି। ଆଉ ଏଇ ଭୟଙ୍କର ସଂଘର୍ଷ ଭିତରେ ଆରମ୍ଭ ହୋଇଛି ଆଇପିଏଲ ମ୍ୟାଚ୍‌। ୯ ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟରେ ଖେଳୁଥିବା ବିଦେଶୀ ଖେଳାଳିମାନେ ବର୍ତ୍ତମାନ କରୋନା କାରଣରୁ ଚିନ୍ତାରେ ରହିଛନ୍ତି। ଭାରତରେ କରୋନା ବଢ଼ୁଥିବାରୁ ଏମାନଙ୍କ ମନରେ ଭୟ ଦେଖା ଦେଲାଣି। ଏଥିପାଇଁ ଅଧିକାଂଶ ଖେଳାଳି ଭାରତର ବର୍ତ୍ତମାନର ପରିସ୍ଥିତିକୁ ଦେଖି ଆଇପିଏଲ ଟୁର୍ଣ୍ଣାମେଣ୍‌ଟ ମଝିରୁ ଛାଡ଼ି ପଳାଉଛନ୍ତି ।

ବ୍ୟକ୍ତିଗତ କାରଣ ଦର୍ଶାଇ ଆରସିବିର ଅଷ୍ଟ୍ରେଲୀୟ ସ୍ପିନର ଆଡାମ ଜାମ୍ପା, ପେସମ୍ୟାନ୍ କେନ୍ ରିଚାର୍ଡସନ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। କିଛି ଘଣ୍ଟା ପୂର୍ବରୁ ତାଙ୍କ ସହଯୋଗୀ ରାଜସ୍ଥାନ ରୟାଲ୍ସର ପେସ୍‌ ବୋଲର ଆଣ୍ଡ୍ରିୟୁ ଟାଇ ମଧ୍ୟ ଆଇପିଏଲରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏହି ସୂଚନା ଦେଇଛି। ସ୍ପିନର ଆଡାମ ଜାମ୍ପାଙ୍କୁ ଆରସିବି ୧.୦୫ କୋଟି ଟଙ୍କା ଦେଇ କିଣିଥିବା ବେଳେ କେନ୍ ରିଚାର୍ଡସନଙ୍କୁ ୪ କୋଟି ଦେଇ କିଣିଥିଲା ।

ଖାଲି ଫରେନ ଖେଳାଳି ନୁହଁନ୍ତି। କରୋନା  ବୃଦ୍ଧି ହେତୁ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ମଧ୍ୟ ଟୁର୍ନାମେଣ୍ଟ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ତାମିଲନାଡୁର ଏହି ଅଫ୍ ସ୍ପିନର ଦିଲ୍ଲୀ କ୍ୟାପିଟର ତରଫରୁ ଖେଳୁଥିଲେ। ଟ୍ୱିଟରରେ ତାଙ୍କ ନିଷ୍ପତ୍ତି ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ ସେ ତାଙ୍କ ପରିବାର ସହିତ ସମୟ ବିତାଇବାକୁ ଚାହୁଁଛନ୍ତି। ଦିଲ୍ଲୀର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିଜୟ ପରେ ଟ୍ୱିଟ୍ କରି ଅଶ୍ୱିନ୍ ଏହି ନିଷ୍ପତ୍ତିକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି।

ଅଶ୍ୱିନଙ୍କ ପରିବାର ଏବଂ ତାଙ୍କର ଘନିଷ୍ଠ ବନ୍ଧୁମାନେ ମାରାତ୍ମକ କରୋନା ସହ ଲଢ଼ୁଛନ୍ତି। ତେଣୁ ଏତେ କଷ୍ଟଦାୟକ ପରିସ୍ଥିତିରେ ରବି ତାଙ୍କ ପରିବାର ସହ ରହିବାକୁ ଚାହାଁନ୍ତି। ଯଦି ସବୁକିଛି ଠିକ୍‌ ଠିକ ହୋଇଯାଏ ତେବେ ସେ ଏହି ୧୪ ତମ ସିଜନରେ ପୁଣି ଫେରିବେ ବୋଲି କହିଛନ୍ତି ।

ଆଦାମ ଜାମ୍ପା, କେନ୍ ରିଚାର୍ଡସନ, ଆଣ୍ଡ୍ରିୟୁ ଟାଇ ଏବଂ ଅଶ୍ୱିନଙ୍କ ପୂର୍ବରୁ ମଧ୍ୟ ଅନେକ ଖେଳାଳି ବିଭିନ୍ନ କାରଣରୁ ଟୁର୍ନାମେଣ୍ଟ ଛାଡିଛନ୍ତି। ରାଜସ୍ଥାନ ରୟାଲ୍ସର ବ୍ୟାଟ୍ସମ୍ୟାନ୍ ଲିଆମ୍ ଲିଭିଙ୍ଗଷ୍ଟନ୍ ଗତ ସପ୍ତାହରେ ଟୁର୍ନାମେଣ୍ଟରୁ ଓହରି ଯାଇଥିଲେ। ଗତ ସିଜନରେ ଦେଶରେ କରୋନା ମହାମାରୀ ହେତୁ ୟୁଏଇରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା। ତେବେ ସେହି ସମୟରେ ମଧ୍ୟ ଚେନ୍ନାଇ ସୁପରକିଙ୍ଗର ସୁରେଶ ରାଇନା, ହରଭଜନ ସିଂ ମଧ୍ୟ ଏଭଳି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଥିଲେ।

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସୋମବାର ଦିନ ଉତ୍ତେଜନା ଦେଖାଦେଇଛି। ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ଧାରଣା ପ୍ରଦର୍ଶନ କରୁଛନ୍ତି କର୍ମଚାରୀ। କର୍ମଚାରୀଙ୍କ ପକ୍ଷରୁ ସିଣ୍ଡିକେଟ୍ ବୈଠକ ନିଷ୍ପତ୍ତିକୁ ବିରୋଧ କରାଯାଇଛି।

ସୂଚନା ଅନୁଯାୟୀ, କିଛି ଦିନ ତଳେ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବି କରି କାର୍ୟ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ତଦନ୍ତ କମିଟିରେ କୁଳପତି ନିଜେ ଅଧ୍ୟକ୍ଷତା କରିବାକୁ ବିରୋଧ କରୁଛନ୍ତି କର୍ମଚାରୀ । ନିରପେକ୍ଷ ତଦନ୍ତ କମିଟି ଦ୍ୱାରା ତଦନ୍ତ କରିବାକୁ ଦାବି ହୋଇଛି । ଦାବି ପୂରଣ ନ ହେଲେ ୭ ଦିନ ପରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ କରିବ ସଂଘ। ବିଶ୍ବବିଦ୍ୟାଳୟ ପରିସରରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଅଧିକ ପଢନ୍ତୁ- ସମ୍ବଲପୁର ବିଶ୍ବବିଦ୍ୟାଳୟର ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ?

ଉଲ୍ଲେଖଯୋଗ୍ୟ, ୨୭ ବର୍ଷ ଧରି ଚାକିରି ପରେ ଜଣେ କର୍ମଚାରୀ ତାଙ୍କ ଚାକିରିକୁ ସ୍ଥାୟୀ କରିବା ପାଇଁ ବାରମ୍ବାର ଗୁହାରି କରୁଥିଲେ। ଏନେଇ ପରବର୍ତ୍ତୀ ସମୟରେ କୁଳପତିଙ୍କ ସହ ବଚସା ପରେ କ୍ୟାମ୍ପସ ଭିତରେ ହିଁ ଆତ୍ମାହୁତି କରିଥିଲେ ଉକ୍ତ କର୍ମଚାରୀ ଦୀନବନ୍ଧୁ। ଏସସିବି ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତଦେହ ବିଶ୍ବବିଦ୍ୟାଳୟରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା।

ଅଧିକ ପଢନ୍ତୁ- ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ

 

ପ୍ରାର୍ଥିପତ୍ର ଦାଖଲ କଲେ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର

ପିପିଲି: ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନନ୍ଦନ ମହାପାତ୍ର। କରୋନା କଟକଣା ଗାଇଡଲାଇନକୁ ମାନି ପୁରୀରେ ବିଶ୍ବକେଶନ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ପରବର୍ତ୍ତୀ ଅବସ୍ଥାରେ ମେ ୧୬ରେ ନିର୍ବାଚନ ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଛି। ମେ ୧୯ରେ ହେବ ଭୋଟ ଗଣତି । ପୂର୍ବରୁ ବିଜେଡିର ରୁଦ୍ର ପ୍ରତାପ ମହାରଥୀ ଓ ବିଜେପିର ଆଶ୍ରିତ ପଟ୍ଟନାୟକ ମଇଦାନରେ ଅଛନ୍ତି ।

ଅଧିକ ପଢନ୍ତୁ- ମେ ୧୩ ରେ ହେବ ନାହିଁ ପିପିଲି ଉପ-ନିର୍ବାଚନ, ୧୬ରେ ପଡିବ ଭୋଟ

ଉଲ୍ଲେଖଯୋଗ୍ୟ, ମେ ୧୬ରେ ହେବାକୁ ଯାଉଛି ପିପିଲି ଉପ-ନିର୍ବାଚନ। ଏନେଇ ନିକଟ ଅତୀତରେ ଘୋଷଣା କରିଥିଲେ ରାଜ୍ୟ ନିର୍ବାଚନ ଅଧିକାରୀ । ମେ ୧୩ ତାରିଖରେ ଇଦ୍-ଉଲ୍-ଫିତର ପଡୁଥିବାରୁ ତାରିଖ ପରିବର୍ତ୍ତନ କରାଯାଇଛି । ସେପଟେ କୋଭିଡ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ବ୍ୟାପକ କଟକଣା ଲାଗୁ କରିଛନ୍ତି । ପିପିଲିରେ କୋଭିଡ ଗାଇଡଲାଇନକୁ ଅନୁପାଳନ କରାଯିବା ସହ ସମସ୍ତ କଟକଣାକୁ ଦୃଷ୍ଟିରେ ରଖି ନିର୍ବାଚନ କରାଯିବ।

ଯୁକ୍ତ ୨ ପରୀକ୍ଷା ବାତିଲ ଦାବି ନେଇ ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଅନେକ ପରୀକ୍ଷା ସହ ମାଟ୍ରିକ୍ ବୋର୍ଡ ପରୀକ୍ଷା ବାତିଲ ହୋଇଥିବା ବେଳେ ଯୁକ୍ତ ୨ ପରୀକ୍ଷାକୁ  ବାତିଲ ପାଇଁ ଦାବି କରିଛନ୍ତି ଯୁକ୍ତ ୨ ଛାତ୍ରଛାତ୍ରୀ। ଯେଉଁଥିପାଇଁ ଧାରଣାକୁ ଓହ୍ଲାଇଛନ୍ତି ଯୁକ୍ତ ୨ ଛତ୍ରଛାତ୍ରୀ। ୪ ଦିନ ତଳେ ପରୀକ୍ଷା ବନ୍ଦ ଦାବିରେ ଧାରଣା ଦେଇଥିଲେ ଛାତ୍ରଛାତ୍ରୀ ।

ସୂଚନା ଅନୁଯାୟୀ, ଯୁକ୍ତ ୨ ପରୀକ୍ଷାକୁ ନେଇ ଏଯାବତ୍ ତାରିଖ ସ୍ଥିର ହୋଇପାରୁନି। ସେଥିପାଇଁ ଆଗକୁ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀ ଅସୁବିଧା ସମ୍ମୁଖୀନ ହେବେ । ଏହାସହ ୧୦୦ ଦିନରେ ସମସ୍ତ କୋର୍ସ ପଢିହେବ ନାହିଁ ବୋଲି ଅଭିଯୋଗ କରିଛନ୍ତି ସେମାନେ। ତେଣୁ ପରୀକ୍ଷା ବାତିଲ କରାଯିବା ନେଇ  ଦାବି ଜୋର ଧରିଛି।

ସେପଟେ ପିଲାଙ୍କ ଦାବିକୁ ସମର୍ଥନ ଜଣାଇଛି ନବନିର୍ମାଣ ଯୁବ ଛାତ୍ର ସଂଗଠନ। ସଂଗଠନର କର୍ମକର୍ତ୍ତା ମଧ୍ୟ ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ଦାବି ଯଥାଶୀଘ୍ର ପୂରଣ କରିବାକୁ ସେମାନେ ଦାବି କରିଥିବା ନେଇ ସୂଚନା ମିଳିଛି।

ଓଡିଶାରୁ ୭ ରାଜ୍ୟକୁ ପଠାଯାଇଛି ଅକ୍ସିଜେନ୍: ଏଡିଜି

ଭୁବନେଶ୍ୱର: ଅକ୍ସିଜେନ କ୍ଷେତ୍ରରେ ଓଡିଶା ବଳକା ରାଜ୍ୟ । ଆଜି ଓଡିଶାରୁ ୭ ରାଜ୍ୟକୁ ପଠାଯାଇଛି ଅକ୍ସିଜେନ୍ । ମୋଟ୍ ୬୭ଟି ଟ୍ୟାଙ୍କରରେ ୧୨୬୭ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ଏଡିଜି ଯଶୱନ୍ତ ଜେଠୱା ।

ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏଡିଜି କହିଛନ୍ତି ଯେ,  ଆନ୍ଧ୍ରପ୍ରଦେଶକୁ ୨୨ଟି ଟାଙ୍କରରେ ୪୫୮.୩ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଯାଇଥିବା ବେଳେ ତେଲେଙ୍ଗାନାକୁ ୧୭ ଟ୍ୟାଙ୍କରରେ ୨୯୧ ମେଟ୍ରିକ ଟନ୍, ମହାରାଷ୍ଟ୍ରକୁ ୬ ଟ୍ୟାଙ୍କରରେ ୧୦୨.୦୬ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଯାଇଛି।

ସେହିପରି ମଧ୍ୟପ୍ରଦେଶକୁ ୮ଟି ଟ୍ୟାଙ୍କରରେ ୧୩୧.୨୩, ହରିୟାଣାକୁ ୮ଟି ଟ୍ୟାଙ୍କରରେ ୧୮୭.୫୧୨, ଉତ୍ତରପ୍ରଦେଶକୁ ୪ଟି ଟ୍ୟାଙ୍କରରେ ୬୬.୩୯, ଛତିଶଗଡ଼କୁ ୨ଟି ଟ୍ୟାଙ୍କରରେ ୩୦.୬୭ ମେଟ୍ରିକ ଟନ୍ ଅକ୍ସିଜେନ ପଠାଯାଇଛି। ପୋଲିସ ସୁରକ୍ଷା ବଳୟରେ ଗ୍ରୀନ୍ କରିଡରରେ ଅକ୍ସିଜେନ୍ ଟ୍ୟାଙ୍କର ପଠାଯାଇଥିବା ନେଇ ସୂଚନା ଦେଇଛନ୍ତି ଏଡିଜି ଯଶୱନ୍ତ ଜେଠୱା।

ପ୍ଲାଟୋ ଷ୍ଟେଜରେ ରହିଛି କରୋନା ଭାଇରସ୍: DMET ନିର୍ଦ୍ଦେଶକ

ଭୁବନେଶ୍ୱର: ଏବେ ପ୍ଲାଟୋ ଷ୍ଟେଜରେ ରହିଛି କରୋନା ଭାଇରସ୍। ଯେହେତୁ ଗତ ୫ ଦିନ ହେଲା ଗୋଟିଏ ଲେବଲରେ ରହୁଛି, ତେଣୁ ଏହାକୁ ସମାନ୍ତରାଳ ସ୍ଥିତି ବୋଲି କୁହାଯାଉଛି । ଆଗକୁ ଏହି ସ୍ଥିତି ବା ପରିସଂଖ୍ୟାନ କମିପାରେ ବୋଲି ଆଶା ରହିଛି ବୋଲି କହିଛନ୍ତି DMET ନିର୍ଦ୍ଦେଶକ।

ପ୍ଲାଟୋ ଷ୍ଟେଜରେ ଥିବା ଏହି ଭାଇରସ୍ ଆଗକୁ କ’ଣ ହେବ ନିର୍ଦ୍ଦିଷ୍ଟ ଭାବେ କହି ହେବନି ବୋଲି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି। ପଜିଟିଭ ସଂଖ୍ୟା ଏହିପରି ଜାରି ରହିବ ବୋଲି ଆଶା କରାଯାଉଛି। ସେପଟେ ଟିକା ନେବା ପରେ ଯଦି ଅଧିକ ଦିନ ଯାଏ ଜ୍ୱର ଛାଡ଼ୁନି, ତାହେଲେ ଏହାର ବିଭିନ୍ନ କାରଣ ହୋଇପାରେ। ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ଡିଏମଇଟି ସିବିକେ ମହାନ୍ତି ପରାମର୍ଶ ଦେଇଛନ୍ତି।

ଲୋକଙ୍କ ଭିତରେ ସନ୍ଦେହ ହେଉଛି ଯେ ରାଜ୍ୟରେ ଆଇସିୟୁ ବେଡ୍ କମି କମି ଯାଉଛି। ମାତ୍ର ଆମର ଅନେକ ବେଡ୍‌ ଅଛି। ବେଡ୍‌ର ମାତ୍ର ୨୫ରୁ ୩୦ ପ୍ରତିଶତ ବ୍ୟବହାର ହେଉଛି । ଆଗକୁ ଯଦି ପରିସଂଖ୍ୟାନ ବଢେ, ସେହି ଅନୁପାତରେ ଭେଣ୍ଟିଲେଟର ବି ବଢ଼ାଯିବ ବୋଲି ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି।

ସେପଟେ ଦୁଇ ୩ ଜିଲ୍ଲାକୁ ମିଶାଇ ଗୋଟିଏ ଗୋଟିଏ କ୍ଲଷ୍ଟର କରାଯାଇଛି । ଯେଉଁ ହସ୍ପିଟାଲରେ ବେଡ୍‌ ଫିଲଅପ ହୋଇଯାଉଛି, ଅନ୍ୟ ଜିଲ୍ଲାକୁ ରୋଗୀମାନଙ୍କୁ ପଠାଯାଉଛି । ରାଜ୍ୟରେ ଏବେ ବି ପ୍ରାୟ ୭୦ ପ୍ରତିଶ୍ରତ ବେଡ୍‌ ଖାଲି ରହିଛି। ଓଡିଶା ହେଉଛି ଅକ୍ସିଜେନ ବଳକା ରାଜ୍ୟ । ରାଜ୍ୟରେ ଅକ୍ସିଜେନ ଅଭାବ ନରହିବା ପାଇଁ ସବୁ ସିଲିଣ୍ଡର ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତିର ମୁକାବିଲା ପାଇଁ ବେଡ୍‌, ଅକ୍ସିଜେନ ଓ ମେଡିସିନ ସମ୍ପୂର୍ଣ୍ଣ ମହଜୁଦ ଅଛି । ରାଜ୍ୟରେ ଯାହା ଟିକା ପହଞ୍ଚିବ ତାକୁ ଲୋକମାନଙ୍କୁ ଦେବା ପାଇଁ ଆମର ମାଇକ୍ରୋ ମ୍ୟାନେଜମେଣ୍ଟ ପ୍ଲାନ କରାଯାଇଛି।

କରୋନା ସଙ୍କଟ ବେଳେ ଭାରତକୁ ସହଯାେଗର ହାତ ବଢ଼ାଇଲା ଆମେରିକା

ନୂଆଦିଲ୍ଲୀ: ଭାରତକୁ ସହଯାେଗର ହାତ ବଢ଼ାଇଛି ଆମେରିକା । ବିପତ୍ତି ସମୟରେ ଆମେରିକାକୁ ଭାରତ ସହଯୋଗର ହାତ ବଢ଼ାଇଥିଲା ବେଳେ ଆମେ ବି ସାହାଯ୍ୟ କରିବୁ ବୋଲି କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍। ଅନ୍ୟପଟେ ଟିକା ପାଇଁ ଭାରତକୁ କଞ୍ଚାମାଲ ଆମେରିକା ଯୋଗାଇବ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ହସ୍ତକ୍ଷେପ ପରେ ଆମେରିକା କଞ୍ଚାମାଲ ଯୋଗାଇବାକୁ ରାଜି ହୋଇଛି। ଯାହା ପରେ ଭାରତର ସଙ୍କଟ ସମୟରେ ଆମେରିକା ମଧ୍ୟ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବ ବୋଲି ରାଷ୍ଟ୍ରପତି ବାଇଡେନ୍ କହିଥିଲେ। ଆମେରିକାରେ ଡିଫେନ୍ସ ପ୍ରଡକ୍ସନ ଆକ୍ଟ ଲାଗୁ ହୋଇଥିବା ବେଳେ ଭାରତକୁ ସାହାଯ୍ୟ କରିବ ଆମେରିକା।

ଭାରତରେ ସଂକ୍ରମଣ ବଢୁଥିବା ବେଳେ ଟିକା ସଂକଟ ଦେଖା ଦେଇଛି। ତେବେ ଟିକା ତିଆରି ପାଇଁ ବ୍ୟବହାର ହେଉଥିବା କଞ୍ଚାମାଲ ନଥିବାରୁ ଟିକା ଉତ୍ପାଦନ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା। ତେବେ ଆମେରିକା ପ୍ରତିଶ୍ରୁତି ଦେବା ପରେ ଟିକା ଉତ୍ପାଦନ ପାଇଁ ବାଟ ଫିଟିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକେ ସୁଲିଭାନଙ୍କ ସହ କଥା ହେଇଥଲେ।

ଆମେରିକା କୋଭିସିଲ୍ଡ ଉତ୍ପାଦନ ବୃଦ୍ଧି ପାଇଁ କଞ୍ଚାମାଲ ସହ ସ୍ପିଡ୍ ଡାଇଗ୍ନୋଷ୍ଟିକ୍, ଟେଷ୍ଟ କିଟ୍, ଭେଣ୍ଟିଲେଟର ଏବଂ ପିପିଇ କିଟ୍ ଭାରତକୁ ପଠାଇବ। ତେବେ କରୋନା ମୁକାବିଲା କରିବା ପାଇଁ ଉଭୟ ଦେଶ ମିଳିମିଶି ଲଢ଼େଇ ଜାରି ରଖିବେ।

ଦେଶରେ ବଢୁଛି କରୋନା ସଂକ୍ରମଣ; ଦିନକରେ ୩ ଲକ୍ଷ ୫୨ ହଜାର ୯୯୧ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ଗତିରେ ମାଡ଼ି ଚାଲିଛି ସଂକ୍ରମଣର ଦ୍ବିତୀୟ ଲହରି। ଗତ ୨୪ ଘଣ୍ଟାରେ ଭାରତରେ ଚିହ୍ନଟ ହୋଇଛନ୍ତି ଆଉ ୩ ଲକ୍ଷ ୫୨ ହଜାର ୯୯୧ ପଜିଟିଭ । କରୋନାରେ ଆଉ ୨ ହଜାର ୮୧୨ ଜଣଙ୍କ ମୃତ୍ୟୁ ହୋଇଛି ।

Coronavirus on scientific background

ସେହିପରି ଦିନକରେ ସୁସ୍ଥ ହୋଇଛନ୍ତି ଆଉ ୨ ଲକ୍ଷ ୧୯ ହଜାର ୨୭୨ ସଂକ୍ରମିତ । ଏନେଇ ଟ୍ବିଟ କରି ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭୩ ଲକ୍ଷ ୧୩ ହଜାର ୧୬୩ରେ ପହଞ୍ଚିଛି ।

ଏବେ ସୁଦ୍ଧା ମୋଟ ୧ କୋଟି ୪୩ ଲକ୍ଷ ୪ ହଜାର ୩୮୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୫ ହଜାର ୧୨୩ରେ ପହଞ୍ଚିଛି । ଏବେବି ସାରା ଦେଶରେ୨୮ ଲକ୍ଷ ୧୩ ହଜାର ୬୫୮ ସକ୍ରିୟ ମାମଲା ରହିଛି।

ଅଧିକ ପଢନ୍ତୁ- ଆଜି ରାଜ୍ୟରେ ୬ ହଜାର ୫୯୯ କରୋନା ଆକ୍ରାନ୍ତ ଚିହ୍ନଟ

ସେହିପରି ଆଜି ରାଜ୍ୟରେ ମୋଟ ୬ ହଜାର ୫୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। କ୍ବାରେଣ୍ଟାଇନରୁ ୩ ହଜାର ୮୨୭ ଥିବା ବେଳେ ଲୋକାଲ କେସ୍ ୨ ହଜାର ୭୭୨ ରହିଛି। ତେବେ ତନ୍ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୯୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ପୁରୀରେ ପହଞ୍ଚିଲା ରଥକାଠ

ପୁରୀ: ଚଳିତ ବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଯେଉଁଥିପାଇଁ ଆଜି ନୟାଗଡ ବନଖଣ୍ଡରୁ ତୃତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ ଆସି ପହଞ୍ଚିଛି। ଏଥିରେ ସମୁଦାୟ ୧୭ ଖଣ୍ଡ ଅସନ ଓ ଧଉରା କାଠ ରହିଛି।

ରଥଯାତ୍ରା ପାଇଁ ଚଳିତ ବର୍ଷ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି ।

ତେବେ ୭୯୬ ଖଣ୍ଡରୁ ମୋଟ ୭୯ ଖଣ୍ଡ କାଠ ବର୍ତମାନ ସୁଦ୍ଧା ପୁରୀରେ ପହଂଚିଥିବା ବେଳେ ବଳକା ୭୧୭ ଖଣ୍ଡ କାଠ ପର୍ଯ୍ୟାୟ କ୍ରମେ ଆସି ପହଞ୍ଚିବ ବୋଲି ପ୍ରଶାସନ ପକ୍ଷରୁ  ସୂଚନା ଦିଆଯାଇଛି ।

ଅଧିକ ପଢନ୍ତୁ- ସଂରକ୍ଷିତ ହୋଇ ରହିବ ଏଥରର ନିଆରା ରଥଯାତ୍ରାର ତିନି ରଥ, ଶାସ୍ତ୍ରୀୟ ବିଚାର ବିମର୍ଷ ପାଇଁ କହିଲେ ଶଙ୍କରାଚାର୍ଯ୍ୟ…..

ସୂଚନା ଯୋଗ୍ୟ ଯେ, ଗତ ବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହୋଇଥିଲେ ବି ସେଠାରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳି ନଥିଲା । କରୋନା କଟକଣା କାରଣରୁ କେବଳ ସେବାୟତ, ପୂଜକ ଓ ପୋଲିସ ମାନେ ହିଁ ମହାପ୍ରଭୁଙ୍କ ରଥକୁ ଦର୍ଶନର ସୁଯୋଗ ପାଇଥିଲେ । ଏମିତି କି ପୁରୀ ବାସୀଙ୍କୁ ମଧ୍ୟ ରଥ ନିକଟକୁ ଯିବାର ସୁଯୋଗ ଦିଆଯାଇ ନଥିଲା ।

ଅଧିକ ପଢନ୍ତୁ- ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲାଣି ଶ୍ରୀମନ୍ଦିର ପ୍ରଶାସନ

ବାହାର ଜିଲ୍ଲାର ଲୋକଙ୍କ ପାଇଁ ବନ୍ଦ ହେଲା ପୁରୀ ସ୍ବର୍ଗଦ୍ବାର

ପୁରୀ: ଆଜିଠୁ ଅନ୍ୟ ଜିଲ୍ଲାର ଲୋକଙ୍କ ପାଇଁ ବନ୍ଦ ହୋଇଛି ପୁରୀ ସ୍ବର୍ଗଦ୍ବାର। ଏନେଇ ରବିବାର ଦିନ ଘୋଷଣା କରିଥିଲେ ଜିଲ୍ଲା ପ୍ରଶାସନ ।  ଦିନକୁ ଦିନ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାକୁ ଏଭି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ପୁରୀକୁ ବିଭିନ୍ନ ଜିଲ୍ଲାରୁ ଲୋକ ଶବସତ୍କାର ପାଇଁ ଆସୁଥିବା ବେଳେ ପ୍ରଶାସନର ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ ।

ବିଶେଷକରି ମହୋଦଧିରେ ଅସ୍ଥି ବିସର୍ଜନ ଏବଂ ଶ୍ରାଦ୍ଧ କରିବା ପାଇଁ ବିଭିନ୍ନ ଜିଲ୍ଲାରୁ ଲୋକମାନେ ଆସୁଥିବା ଦେଖିବାକୁ ମିଳିଛି। ହେଲେ ଏବେ ପୁରୀରେ ଶ୍ରାଦ୍ଧ ଓ ଅସ୍ଥି ବିସର୍ଜନ କାର୍ଯ୍ୟକୁ ମଧ୍ୟ ବାରଣ କରାଯାଇଛି । କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ତେବେ ଏନେଇ ଗତକାଲି ଉପଜିଲ୍ଲାପାଳ ଭବ ତାରଣ ସାହୁ ନିଜେ ସ୍ୱର୍ଗଦ୍ୱାର ଯାଇ ସ୍ଥିତିର ସମୀକ୍ଷା କରିଥିଲେ। ସ୍ବର୍ଗଦ୍ବାରକୁ ଯେଉଁମାନେ ଶବ ସଂସ୍କାର ପାଇଁ ଆସୁଛନ୍ତି ତାଙ୍କ କାଗଜପତ୍ର ଯାଞ୍ଚ ହେବ। ଯଦି କୌଣସି ସନ୍ଦେହ ହୁଏ ତେବେ ସେନେଇ ତୁରନ୍ତ ପ୍ରଶାସନକୁ ଅବଗତ କରିବାକୁ ନିର୍ଦେଶ ଦିଆଯାଇଛି । ଏଥିସହ ଯଦି କେହି ସ୍ବର୍ଗଦ୍ୱାରରେ କଟକଣା ମାନିବାକୁ ଅମଙ୍ଗ ହୁଅନ୍ତି, ତେବେ ତୁରନ୍ତ ପୋଲିସକୁ ଜଣାଇବାକୁ କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି।

ଅଧିକ ପଢନ୍ତୁ- ବାହାର ଜିଲ୍ଲାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା, ସଂସ୍କାର ହେବନାହିଁ ମୃତଦେହ