spot_img
Home Blog Page 5715

ଚିକିଟି ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମୃତ

ଚିକିଟି: ଚିକିଟି ନିକଟସ୍ଥ ଚାନ୍ଦପୁର ଅଞ୍ଚଳରେ ବଣୁଆ ହାତୀପଲ ଉତ୍ପାତ କରୁଥିବା ବେଳେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । ଏହା ବ୍ୟତୀତ ଆଉ ଜଣେ ଆହତ ହୋଇଥିବା ।

ମୃତକ ଜଣକ ହେଲେ ସେହି ଗାଁ ର ବୃନ୍ଦାବନ ବିନ୍ଧାଣୀ । ଅପରପକ୍ଷେ ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପନ୍ଦର ଟିକିଆ ହାତୀ ପଲ ଆସି ଫସଲ ନଷ୍ଟ କରିଥିବା ମଧ୍ୟ ସୂଚନା ।

ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଅନର୍ଗତ ଚାନ୍ଦପୁର ନିକଟରେ ଗତକାଲି ରାତିରେ ହାତୀ ଜଣଙ୍କୁ ଦଳି କଚାଡି ମାରିଦେଇଛି । ଘଟଣାସ୍ଥଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀ ଘଉଡାଇବାକୁ ପ୍ରଚେଷ୍ଟା ଚଳାଇଛନ୍ତି ।

ସେହିପରି ଦୀର୍ଘ ଦିନ କୋଡିଏ ଦିନ ପରେ କରଞ୍ଜିଆ ବନଖଣ୍ଡ ଛାଡିଛନ୍ତି ସାତ ଟିକିଆ ଝାରଖଣ୍ଡି ହାତୀ ପଲ । କୋଡିଏ ଦିନ ହେଲା କରଞ୍ଜିଆ ବନଖଣ୍ଡର ରରୁଆଁ, ସୁକୃଳି, କରଞ୍ଜିଆ ଏବଂ ଜଶିପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳାଉଥିଲେ। ହାତୀ ଭୟରେ ସ୍ଥାନୀ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହୁଥିଲେ  ବୋଲି ଜଣାପଡିଛି। ହାତୀ ପଲ ଗତ ରାତିରେ କୁଜିଆମ ଦେଇ ସୀମାନ୍ତ ଝାରଖଣ୍ଡକୁ ଫେରି ଯାଇଥିବା ଜଣାପଡ଼ିଛି । ହାତୀ ପଲ ଚାଲିରୁ କରଞ୍ଜିଆ ଅଞ୍ଚଳବାସୀଙ୍କୁ ହାତୀ ଭୟରୁ ଆଶ୍ବସ୍ଥି ମିଳିଛି।

ବିଏମସି ପକ୍ଷରୁ ସ୍ବତନ୍ତ୍ର ଅଭିଯାନ, ୬୭ଟି ଓ୍ବାର୍ଡରେ ଆରମ୍ଭ

ଭୁବନେଶ୍ୱର: ଦ୍ରୁତ ସଂକ୍ରମଣ ଦୃଷ୍ଟିରୁ ବିଏମସି ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଘର ଘର ବୁଲି ଲୋକଙ୍କ ତଥ୍ୟ ସଂଗ୍ରହ ସହିତ ସ୍ବାସ୍ଥ୍ୟଗତ ସମସ୍ୟା ବୁଝିବା ସହ ଆଶୁ ସମାଧାନ ଉପରେ ଗୁରୁତ୍ୱ ଦିଆଯିବ। ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରିଙ୍କ ନିର୍ଦ୍ଦେଶ ପରେ ବିଏମସିର ସମସ୍ତ ୬୭ଟି ଓ୍ବାର୍ଡରେ ଆରମ୍ଭ ହୋଇଛି ଏହି ଅଭିଯାନ।

ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରକୁ ଗୋଟିଏ ଗୋଟିଏ ୟୁନିଟ ଭାବେ ଗ୍ରହଣ କରି ଏହି କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଏହି ଅଭିଯାନରେ ବସ୍ତି ଅଞ୍ଚଳକୁ ଫୋକସରେ ରଖାଯାଇଛି। ଭୁବନେଶ୍ବରରେ ମୋଟ ୩୭୭ ଅଙ୍ଗନବାଡି କେନ୍ଦ୍ର ଥିବା ବେଳେ ୪୩୬ ବସ୍ତି ଚିହ୍ନଟ ହୋଇଛି । ଏହି କାର୍ଯ୍ୟରେ ୪୫୦ କର୍ମଚାରୀ ନିୟୋଜିତ ରହି ତଥ୍ୟ ସଂଗ୍ରହ କରୁଛନ୍ତି । ପ୍ରତ୍ୟେକ ଟିମରେ ଜଣେ ଅଙ୍ଗନବାଡି କର୍ମୀ, ଜଣେ ଆଶାକର୍ମୀ ଓ ଜଣେ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ସାମିଲ ଅଛନ୍ତି ।

ତେବେ ପ୍ରଥମ ପର୍ଯ୍ୟାୟରେ ୪୩୬ ବସ୍ତିରେ ୨ ଲକ୍ଷ  ୮୧ ହଜାର ୭୮୫ଟି ପରିବାରର ତଥ୍ୟ ସଂଗ୍ରହ ହୋଇସାରିଛି। ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ତଥ୍ୟ ସଂଗ୍ରହ ଜାରି ରହିଛି । ତଥ୍ୟ ସଂଗ୍ରହ ସମୟରେ ପରିବାରର ସଦସ୍ୟ ସଂଖ୍ୟା, ବୃତ୍ତି, ଟେଲିଫୋନ ନମ୍ବର, ୫୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା, ସଦସ୍ୟଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କିଛି ଲକ୍ଷଣ ବା ସ୍ବାସ୍ଥ୍ୟଗତ ସମସ୍ୟା ଆଦିର ତଥ୍ୟ ସଂଗ୍ରହ କରାଯାଉଛି। ତଥ୍ୟ ସଂଗ୍ରହ ପରେ ଟେଲିଫୋନ ଯୋଗେ ନିୟମିତ ବ୍ୟବଧାନରେ ଯୋଗାଯୋଗ କରାଯାଇ ସମ୍ପର୍କ ସ୍ଥାପନ କରି ଅପଡେଟ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି ।

ରେଳ ଲାଇନକୁ ଉଡ଼ାଇ ଦେଲେ ମାଓବାଦୀ

ଚକ୍ରଧରପୁର: ଝାଡ଼ଖଣ୍ଡ ରାଜ୍ୟ ଚକ୍ରଧରପୁର ଡିଭିଜନର ଲୋଟା ପାହାଡ ନିକଟରେ ରେଳ ଲାଇନକୁ ମାଓବାଦୀ ବିସ୍ଫୋରଣ କରି ଉଡ଼ାଇ ଦେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଗତ ରାତିରେ ମାଓବାଦୀ ବିସ୍ପୋରଣ କରି ଉଡାଇ ଦେଇଥିବା ଅଭିଯୋଗ ହୋଇଛି। ମାଓବାଦୀଙ୍କ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ଲୋଟା ପାହାଡ଼ ଟିକଟରେ ରେଲୱେ ଟ୍ରାକରେ ବିସ୍ଫୋରଣ କରି ରେଳ ଲାଇନ ଉଡାଇ ଦେଇଥିବା ଅଭିଯୋଗ ହୋଇଛି।

ତେବେ ରେଳ ଲାଇନ ଉଡାଇ ଦେଇଥିବାରୁ ରେଳ ଚଳାଚଳ ବିଳମ୍ବ ହୋଇଛି। ସୂଚନା ପାଇ ଚକ୍ରଧରପୁର ରେଲୱେ ଡିଭିଜନର ବରିଷ୍ଠ ଅଧିକାରୀ ଓ ରେଲୱେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଵା ସହ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି ଥିବା ନେଇ ସୂଚନା ମିଳିଛି।

ପିପିଲି ଉପନିର୍ବାଚନ; ଆଜି ପ୍ରାର୍ଥିପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ

ପିପିଲି: ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ । କଂଗ୍ରେସର ପିପିଲି ପ୍ରାର୍ଥୀ ବିଶ୍ବକେଶନ ହରିଚନନ୍ଦନ ମହାପାତ୍ର ନାମାଙ୍କନ ପତ୍ର ଦାଖଲ କରିବେ । କରୋନା କଟକଣା ଗାଇଡଲାଇନକୁ ମାନି ପୁରୀରେ ବିଶ୍ବକେଶନ ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ।

ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ପରବର୍ତ୍ତୀ ଅବସ୍ଥାରେ ମେ ୧୬ରେ ନିର୍ବାଚନ ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଛି । ମେ ୧୯ରେ ହେବ ଭୋଟ ଗଣତି । ପୂର୍ବରୁ ବିଜେଡିର ରୁଦ୍ର ପ୍ରତାପ ମହାରଥୀ ଓ ବିଜେପିର ଆଶ୍ରିତ ପଟ୍ଟନାୟକ ମଇଦାନରେ ଅଛନ୍ତି।

ଅଧିକ ପଢନ୍ତୁ- ପିପିଲି ଉପ-ନିର୍ବାଚନ ନେଇ କଂଗ୍ରେସ ପ୍ରାର୍ଥୀ ହେଲେ ବିଶ୍ୱକେଶନ ହରିଚନ୍ଦନ

ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ଅଜିତ ମଙ୍ଗରାଜ। ଗତ ୧୪ ତାରିଖରେ ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିଲା ବେଳେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ।

ପଶ୍ଚିମବଙ୍ଗରେ ସପ୍ତମ ପର୍ଯ୍ୟାୟ ମତଦାନ ଜାରି, ୨୨୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

କୋଲକାତା: ଆଜି ପଶ୍ଚିମବଙ୍ଗରେ ୭ମ ପର୍ଯ୍ୟାୟ ମତଦାନ ଜାରି ରହିଛି। ପ୍ରାୟ ୫ଟି ଜିଲ୍ଲାର ୩୪ଟି ଆସନ ପାଇଁ ଚାଲିଛି ଏହି ଭୋଟିଂ। ପଶ୍ଚିମବଙ୍ଗର ମାଳଦା, କୋଲକାତା ଦକ୍ଷିଣ, ମୁଶିଦାବାଦ, ପଶ୍ଚିମ ବର୍ଦ୍ଦମାନ, ଦକ୍ଷିଣ ଦିନାଜପୁରର ଜିଲ୍ଲାରେ ସପ୍ତମ ପର୍ଯ୍ୟାୟ ଭୋଟିଂ ହେଉଛି ।

କଡା ସୁରକ୍ଷା ମଧ୍ୟରେ ଭୋଟିଂ କରାଯାଉଛି  ଏହି ପର୍ଯ୍ୟାୟରେ ୨୨୯ ଜଣ ପ୍ରାର୍ଥୀ ମୈଦାନରେ ରହିଥିବା ବେଳେ, ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର। ସେହିପରି ଏହି ସପ୍ତମ ପର୍ଯ୍ୟାୟରେ ଅନେକ ହେଭିଓ୍ବେଟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଚାଲିଛି । ସମସ୍ତ ୫ଟି ଜିଲ୍ଲାର ୮୬ ଲକ୍ଷ ୮୭ ହଜାର ୨୨୧ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବେ ।

Odisha Municipal Election Amendment Bill To Come In Winter Session Of Assembly

ଅପରପକ୍ଷେ ବଙ୍ଗ ଦଖଲ ପାଇଁ ବିଜେପି ଓ ଟିଏମସି ମଧ୍ୟରେ କଡା ଟକ୍କର ହେଉଥିବା ଦେଖିବାକୁ ମିଳିଛି। ତେବେ ଆଜି ପଶ୍ଚିମବଙ୍ଗରେ ସପ୍ତମ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ଆସନ୍ତା ୨୯ ତାରିଖରେ ହେବ ୮ମ ପର୍ଯ୍ୟାୟ ତଥା ଶେଷ ଭୋଟିଂ। ମେ ୨ ତାରିଖରେ ଆସିବ ପଶ୍ଚିମବଙ୍ଗ ନିର୍ବାଚନୀ ଫଳାଫଳ ବାହାରିବ।

ଆଜି ରାଜ୍ୟରେ ୬ ହଜାର ୫୯୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ପୁଣି ୬ ହଜାର ଉପରକୁ ଡେଇଁଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ ମୋଟ ୬ ହଜାର ୫୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୯୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । କ୍ବାରେଣ୍ଟାଇନରୁ ୩ ହଜାର ୮୨୭ ଥିବା ବେଳେ ଲୋକାଲ କେସ୍ ୨ ହଜାର ୭୭୨ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୯୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ନୂଆପଡ଼ାରେ ୫୫୧, କଳାହଣ୍ଡିରୁ ୫୧୮, କଟକରୁ ୪୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ଝାରସୁଗୁଡ଼ାରୁ ୪୩୬, ସୁନ୍ଦରଗଡ଼ରୁ ୪୩୪, ଗଞ୍ଜାମରୁ ୩୨୩, ଯାଜପୁରରୁ ୨୩୭, ସମ୍ବଲପୁରରୁ ୨୨୬, ନବରଙ୍ଗପୁରରୁ ୨୨୧, ବରଗଡ଼ରୁ ୨୦୩ ସହ ଷ୍ଟେଟପୁଲରୁ ୨୦୧ ସଂକ୍ରମିତ ଅଛନ୍ତି । ସେହିପରି ଅନୁଗୁଳରୁ ୧୮୭, ମୟୂରଭଞ୍ଜରୁ ୧୮୦, କେନ୍ଦୁଝରରୁ ୧୬୬, ପୁରୀରୁ ୧୪୫, ବାଲେଶ୍ବରରୁ ୧୩୭, ସୋନପୁରରୁ ୧୨୯, ରାୟଗଡ଼ାରୁ ୧୧୭, ବଲାଙ୍ଗୀରରୁ ୯୮, ଜଗତସିଂହପୁରରୁ ୯୩, ନୟାଗଡ଼ରୁ ୯୧, ଭଦ୍ରକରୁ ୮୭, ଗଜପତିରୁ ୮୧, ବୌଦ୍ଧରୁ ୭୦, କୋରାପୁଟରୁ ୬୯, କେନ୍ଦ୍ରାପଡ଼ା ଓ ଦେବଗଡ଼ରୁ ୩୮ ଜଣ ଲେଖାଏଁ, କନ୍ଧମାଳରୁ ୩୫, ମାଲକାନଗିରିରୁ ୨୨ ଓ ଢେଙ୍କାନାଳରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Triple Mutant Coronavirus B1618 Reported In India

ସେହିପରି ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ବରଗଡ଼, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, ମୟୂରଭଞ୍ଜ, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମରେ ସଂକ୍ରମଣ ବଢୁଥିବାରୁ ଏସବୁ ଜିଲ୍ଲା ରେଡଜୋନରେ ରହିଛି ।

ନବୀନଙ୍କ ନିଷ୍ପତ୍ତିକୁ ସବୁଠୁ ପ୍ରଶଂସା, ଶ୍ରୀମୟୀ ଦେଲେ ୧ଲକ୍ଷ ଟଙ୍କା

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ମାଗଣା ଟିକା ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛୁଟୁଛି ଶୁଭେଛାର ସୁଅ । ଏଭଳି ସ୍ଥିତିରେ ରାଜ୍ୟବାସୀଙ୍କ ସାଥିରେ ଛିଡା ହୋଇ ନବୀନ ପୁନର୍ବାର ନିଜକୁ ପ୍ରମାଣିତ କରିଛନ୍ତି । ରାଜ୍ୟର ୧୮ବର୍ଷ ବୟସରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ କୋଭିଡ୍ ଟିକା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଐତିହାସିକ ଘୋଷଣା କରିଛନ୍ତି। କରୋନା ମହାମାରୀରୁ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ବାସ୍ତବରେ ସ୍ବାଗତଯୋଗ୍ୟ ଓ ବର୍ତ୍ତମାନ ସମୟର ସବୁଠୁ ବଡ଼ ଆବଶ୍ୟକତା ବୋଲି ବିଜେଡି ମୁଖପାତ୍ର ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି। ସେହିପରି ଓଟିଡିସି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ସହାୟତା ଦେଲେ ଓଟିଡିସି ଅଧ୍ୟକ୍ଷା ।

ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଗୃହ ଓ ନଗର ଉନ୍ନୟନ ଓ ଆଇନ୍‍ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । କୋଭିଡ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ନେଇଥିବା ଏହି ବଡ ନିଷ୍ପତ୍ତି ଯୋଗୁଁ ପ୍ରାୟ ୨କୋଟି ଓଡିଶାବାସୀ ଉପକୃତ ହେବେ ବୋଲି କହିଛନ୍ତି ପ୍ରତାପ ଜେନା ।

ଗଣମାଧ୍ୟମ ଉପଦେଷ୍ଟା ତଥା ବିଜେଡ଼ି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ମଧ୍ୟ ଟ୍ୱିଟ କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଓଡିଶାବାସୀଙ୍କ ସହ ସବୁ ସମୟରେ ମୁଖ୍ୟମନ୍ତ୍ରୀ ଠିଆ ହୋଇଛନ୍ତି । ୧୮ ରୁ ୪୫ ବର୍ଷ ବୟସର ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ ଟିକା ବଣ୍ଟନ ମୁଖ୍ୟମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ମାନସ ମଙ୍ଗରାଜ । ସେହିପରି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜେ ମଧ୍ୟ ୨୫୦ ଲୋକଙ୍କ ଟିକାକରଣ ଦାୟିତ୍ୱ ନେବେ ବୋଲି ନିଷ୍ପତି ନେଇଛନ୍ତି ଅମପ ପଟ୍ଟନାୟକ ।

ବିଜୁ ଛାତ୍ରଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ସ୍ଵାଗତ ଜଣାଇବା ସହ ବିଶେଷ କରି ଛାତ୍ର ଛାତ୍ରୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଇ ଏଭଳି ସମାୟୋଚିତ ପଦକ୍ଷେପ ଗ୍ରହଣ କରିଥିବାରୁ ବିଜୁ ଛାତ୍ର ଜନତା ଦଳ ତରଫରୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେହିପରି ପ୍ରଫେସର ଜୟନ୍ତ କୁମାର ମହାପାତ୍ରଙ୍କ ସମେତ ଦେଶର ଅନେକ ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତିକୁ ଶତ ପ୍ରଶଂସା କରିଛନ୍ତି ।

୨୫୦ ଲୋକଙ୍କ ଟିକାକରଣ ଖର୍ଚ୍ଚ ବହନ କରିବେ ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବଢାଇଲେ ସହାୟତାର ହାତ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଅମରଙ୍କ ନିଷ୍ପତି । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ମାଗଣାରେ ଟିକା ଦେବା ନେଇ ଘୋଷଣା କରିଥିଲା ବେଳେ ଅମର ପଟ୍ଟନାୟକ ୨୫୦ ଲୋକଙ୍କ ଟିକାକରଣ ଦାୟିତ୍ୱ ନେବେ ବୋଲି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତିକୁ ସ୍ୱାଗତ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି ଅମର ପଟ୍ଟନାୟକ ।

ଗତକାଲି ସାଂସଦ ଅମର ପଟ୍ଟନାୟକ ଦେଶର ୨୦ ଜଣ ଧନୀ ବ୍ୟକ୍ତିଙ୍କୁ ଅକ୍ସିଜେନ ମାଗଣାରେ ଦେବା ନେଇ ଅନୁରୋଧ କରିଥିଲେ । ଅମର କହିଥିଲେ ଆପଣ ଯଦି ନିଜ ମାଟି ମାଆର କିଛି ସେବା କରିବାକୁ ଚାହୁଁଛନ୍ତି, ତେବେ ଏହା ହିଁ ପ୍ରକୃଷ୍ଟ ସମୟ । ଅନେକ ଜୀବନ ଅକାରଣରେ ଚାଲିଯାଉଛି । ଅକ୍ସିଜେନ ବିନା ଶହ ଶହ ଲୋକଙ୍କ ମୃତ୍ୟୁ ଘଟିବା ଭଳି ଖବର ଆସୁଛି । ତେଣୁ ଏହି ସମୟରେ ସହାୟତାର ହାତ ବଢାଇବା ଆପଣ ମାନଙ୍କ ପାଇଁ ଜରୁରୀ ବୋଲି କହିଥିଲେ ସାଂସଦ ଅମର ପଟ୍ଟନାୟକ ।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ, କହିଲେ ଫେଲ୍ ମାରିଛି ସରକାରଙ୍କ କୋଭିଡ ପରିଚାଳନା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ଡକ୍ଟର ପରାକାଲା ପ୍ରଭାକର । ଦେଶରେ କରୋନା ବିପର୍ଯ୍ୟୟ ସମୟରେ କେନ୍ଦ୍ର ସରକାର ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି । ମୋଦି ସରକାରଙ୍କ ବିଫଳତା ଯୋଗୁଁ ପ୍ରବାସୀ ଶ୍ରମିକଙ୍କ ମନରେ ରାଗଭାବ ସୃଷ୍ଟି ହେବା ସହ ରୋଜଗାର ଛାଡି ସେମାନେ ନିଜ ଘର ମୁହାଁ ହେଉଛନ୍ତି । ଏଥିସହ ମୋଦି ସରକାରଙ୍କୁ ହୃଦୟହୀନ ସରକାର କହିଛନ୍ତି ପରାକାଲା ।

ଦେଶର ରାଜନେତାଙ୍କ ପାଇଁ ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଲୋକଙ୍କ ଜୀବନକୁ ଗୁରୁତ୍ୱ ଦିଆଯାଉ ନାହିଁ । ଏଥିସହ କୁମ୍ଭ ମେଳା ଆୟୋଜନକୁ ମଧ୍ୟ ଟାର୍ଗେଟ କରିଛନ୍ତି । କୁମ୍ଭ ମେଳା ଆୟୋଜନା ହେବା ସରକାରଙ୍କ ଭୁଲ ନିଷ୍ପତ୍ତି ବୋଲି କହିଛନ୍ତି । ଏଥିପାଇଁ ଦେଶରେ ସଂକ୍ରମଣ ଅଧିକ ହେଲା । ଟିକା ପରିଚାଳନା ଓ ଟିକାକରଣରେ ମଧ୍ୟ ସରକାରଙ୍କ ଯୋଜନା ଫେଲ ମାରିଛି । ଏଥିସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଚିଠିକୁ ଅଣଦେଖା କରିବା ମୋଦି ସରକାରଙ୍କ ଅହକାଂରକୁ ଦର୍ଶାଉଛି ବୋଲି ପରାକାଲା କହିଛନ୍ତି ।

‘ମୁଁ ଚାହୁଁ ନାହିଁ ଲକଡାଉନ-ସଟଡାଉନ, ମାଗଣାରେ ରାଜ୍ୟବାସୀଙ୍କୁ ଦିଆଯିବ ଟିକା’

ଭୁବନେଶ୍ୱର: ରାଜ୍ୟରେ ଲକଡାଉନ, ସଟଡାଉନ ଲାଗୁ ହେଉ , ଏହା କଦାପି ମୁଁ ଚାହେଁ ନାହିଁ । ରାଜ୍ୟବାସୀଙ୍କ ଜୀବନ ମୋର ପ୍ରାଧାନ୍ୟ । ଆମେ ଯଦି ସମସ୍ତେ କଟକଣାକୁ ମାନିବା, ତେବେ କୋଣସି ଲକଡାଉନ କିମ୍ବା ସଟଡାଉନ ଆବଶ୍ୟକତା ନାହିଁ । ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ ଟିକା ମାଗଣାରେ ଦିଆଯିବ । ରାଜ୍ୟବାସୀଙ୍କୁ ସମ୍ବୋଧନ କରି ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଟିକା ପାଇଁ ରାଜ୍ୟବାସୀଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ । ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏଥିପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ସାରା ଦେଶରେ କୋଭିଡ ସ୍ଥିତି ଭୟଙ୍କର ହୋଇଛି । ମୃତ୍ୟୁ ସଂଖ୍ୟା ବି ଚିନ୍ତାଜନକ ସ୍ଥିତିରେ ରହିଛି । ଅନେକ ରାଜ୍ୟରେ ଶବଦାହ ପାଇଁ ଜାଗା ମିଳୁନାହିଁ । ଏଭଳି ସ୍ଥିତିରେ ଆମକୁ ଆହୁରି ସଚେତନ ରହିବାକୁ ପଡିବ ବୋଲି ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ବିପଦ ସମୟରେ ଓଡିଶା ବର୍ତ୍ତମାନ ଅନେକ ରାଜ୍ୟକୁ ସାହାଯ୍ୟ ଜାରି ରଖିଛି । ୬ଟି ରାଜ୍ୟରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅକ୍ସିଜେନ ସିଲିଣ୍ଡରର ଅଭାବ ରହୁଥିବା ବେଳେ ଓଡ଼ିଶା ସେମାନଙ୍କୁ ସହଯୋଗର ହାତ ବଢାଇଛି । ଅନବରତ ସେମାନଙ୍କୁ ଅକ୍ସିଜେନ ସିଲିଣ୍ଡର ପଠାଉଛି । କିନ୍ତୁ ଆମ ସ୍ଥିତି ସେମାନଙ୍କ ଠାରୁ ଯଥେଷ୍ଟ ଭଲ ରହିଛି । ତଥାପି ଆମକୁ ଆହୁରି ସଚେତନତାର ଆବଶ୍ୟକତା ରହିଛି ।

କୋଭିଡରେ ହଜାର ହଜାର ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି । ଦିଲ୍ଲୀ, ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ, ଗୁଜୁରାଟ ଭଳି ରାଜ୍ୟରେ ଭୟଙ୍କର ସ୍ଥିତି ଉପୁଜିଛି । ଯାହା ଭାରତ ଇତିହାସରେ କେବେ ମଧ୍ୟ ଘଟିନାହିଁ । ଏ ବିଷୟରେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲି । ଓଡ଼ିଶା ଅନ୍ୟ ରାଜ୍ୟକୁ ଅକ୍ସିଜେନ ପଠାଇ ଶହ ଶହ ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇଛି । ଆମ ରାଜ୍ୟରେ ଏଭଳି ସ୍ଥିତି ନଘଟୁ ।

ଆପଣମାନଙ୍କୁ ଅନୁରୋଧ ସଚେତନ ଏବଂ ସତର୍କ ରୁହନ୍ତୁ । କାହାର ରୋଜଗାରିଆ ପୁଅର ମୃତ୍ୟୁ ଘଟୁଛି ତ, ଆଉ କିଏ ବାପା ଛେଉଣ୍ଡ ହୋଇଯାଇଛି । ପୁଣି କେଉଁ ମାଆର କୋଳ ଖାଲି ହୋଇଯାଇଛି । ଏଭଳି ସ୍ଥିତି ମୋତେ ଅନେକ କଷ୍ଟ ଦେଇଛି । ତେଣୁ ଏହି ସ୍ଥିତି ଆଉ ନଘଟୁ । ମୋ ପରିବାର ସୁରକ୍ଷିତ ରହୁ । ମୋ ପରିବାରର କିଛି ଅମଙ୍ଗଳ ନଘଟୁ  । ରାଜ୍ୟ ସରକାର ଏପରି ସ୍ଥିତିରେ ମାଗଣାରେ ରାଜ୍ୟବାସୀଙ୍କୁ ଟିକା ଦେବେ  । କାହାରି ହାତରୁ ଟଙ୍କାଟିଏ ଖର୍ଚ୍ଚ ହେବନାହିଁ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।