spot_img
Home Blog Page 5713

ଆକାଶରେ ମେଘ ଦିଶିପାରେ, ଗର୍ଜିବ କିନ୍ତୁ ବର୍ଷା ହେବନାହିଁ, ଓଡ଼ିଶା ପାଣିପାଗକୁ ନେଇ ଏମିତି କହିଲେ ସ୍କାଇମେଟ୍

ଭୁବନେଶ୍ବର: ରାଜ୍ୟରେ ଗରମରୁ ତ୍ରାହି ମିଳିବା ସମ୍ଭବାନା କମ୍। ଏମିତିକି ଆଗକୁ ଗରମ ଆହୁରି ବଢ଼ିବା ଆଶଙ୍କା ରହିଛି। ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ ସୃଷ୍ଟି ହୋଇପାରେ ଆଉ ଏହାର ପ୍ରଭାବରେ ଓଡ଼ିଶା ଆକାଶରେ ମେଘ ଦିଶିଲେ ବି ତାହା ବର୍ଷା ଦେବ ନାର୍ହି। ଏମିତି କିଛି ଅନୁମାନ କରିଛନ୍ତି ଭାରତର ଅନ୍ୟତମ ପାଣିପାଗ ଗବେଷଣା ସଂସ୍ଥା ସ୍କାଇମେଟ୍।

ପୂର୍ବଭାରତର ପାଣିପାଗ ବିଷୟରେ ପୂର୍ବାନୁମାନ କରି ସ୍କାଇମେଟ୍ କହିଛି ଯେ, ଏହି ଅଞ୍ଚଳରେ ପାଣିପାଗ ସମ୍ବନ୍ଧୀୟ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଯାଉ ନାହିଁ। କିନ୍ତୁ ପଶ୍ଚିମବଙ୍ଗରେ ଏକ ଲଘୁଚାପ ସୃଷ୍ଟି ହେବ। ହେଲେ ଏହି ଲଘୁଚାପ ଦୁର୍ବଳ ରହିବା ହେତୁ ବର୍ଷା ଆଶଙ୍କା କମ୍ ରହିଛି। ପୁଣି ଏହାରି ପ୍ରଭାବରେ ଓଡ଼ିଶାର ଉତ୍ତାରାଞ୍ଚଳ ଆକାଶରେ ମେଘ ଦେଖାଯାଇପାରେ। ମଧ୍ୟ ଭାରତର ପାଣିପାଗ ସମ୍ପର୍କରେ ପୂର୍ବାନୁମାନ କରି ସ୍କାଇମେଟ୍ କହିଛନ୍ତି ଯେ, ମଧ୍ୟପ୍ରଦେଶ, ଛତିଗଡ଼ ଆଡ଼ୁ ଭୀଷଣ ଗରମ ପବନ ସଡ଼ିଶାଆଡ଼କୁ ପ୍ରବାହିତ ହେବ। ଏହାଦ୍ବାରା ଓଡ଼ିଶାର ତାପମାତ୍ରା ଦିନକୁ ବଢ଼ିବାରେ ଲାଗିବ ।

ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ରି ରିଲିଫ୍ କମିଶନର ମଧ୍ୟ ତାପମାତ୍ରାରେ ବୃଦ୍ଧିକୁ ଦେଖି କଟକ, ଖୋର୍ଦ୍ଧା, ଢେଙ୍କାନାଳ, ମୟୂରଭଞ୍ଜ ଓ ବାଲେଶ୍ବରରେ ହିଟ୍ ୱେଖ ସତର୍କତା ଜାରି କରିଛନ୍ତି। ୨୮ ତାରିଖ ସକାଳ ୮ଟା ୩୦ ମିନିଟ୍ ଯାଏ ଏହିପରି ପୂର୍ବାନୁମାନ କରାଯାଇଛି। ଅପରପକ୍ଷେ ଉତ୍ତାପ ବଢ଼ିବା କାରଣରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆକସ୍ମିକ ଭାବେ ଘଡ଼ଘଡ଼ି ଓ ବିଜୁଳି ଆଶଙ୍କା ରହିଛି। ମଙ୍ଗଳବାରଦିନ ମାଲକାନଗିରି, କୋରାପୁଟ, ଗଜପତି, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଘଡ଼ଘଡ଼ି ଓ ବିଜୁଳି ଆଶଙ୍କା ରହିଛି।

ବୁଧବାର ଦିନ ଗଜପତି, ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ ପ୍ରଭୃତି ଜିଲ୍ଲାରେ କାଳ ବୈଶାଖୀ ଆଶଙ୍କା ରହିଛି। ସେହିପରି ଗୁରୁବାରଦିନ ବେଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲ୍ଲାରେ ବଜ୍ରପାତ ଆଶଙ୍କା ରହିଛି। ଏଥିପ୍ରତି ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିଶନର ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

କୋଭିଡ କଟକଣାରେ କରାଯିବ ପ୍ରାଥମିକ ଓ ମାଧ୍ୟମିକ ପିଲାଙ୍କ ନାମଲେଖା

ଭୁବନେଶ୍ୱର: ପ୍ରାଥମିକ ଓ ମାଧ୍ୟମିକ ପିଲାଙ୍କ ନାମଲେଖା ଆରମ୍ଭ ହେବ । ୨୦୨୧- ୨୨ବର୍ଷ ପାଇଁ ମେ’ ୩୧ସୁଦ୍ଧା ନାମଲେଖା କରାଯିବ । ଏଥିପାଇଁ SOP ଜାରି କରିଛି ଗଣଶିକ୍ଷା ବିଭାଗ । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ, ପ୍ରକଳ୍ପ ସଂଯୋଜକ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି । କୋଭିଡ ଭୟବହତା ଭିତରେ ନାମଲେଖା ପକ୍ରିୟା ଜାରି ରହିବ । କିନ୍ତୁ ଏସବୁ ପ୍ରକ୍ରିୟା କୋଭିଡ କଟକଣା ଭିତରେ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଗଣଶିକ୍ଷା ବିଭାଗର ସୂଚନା ମୁତାବକ ସକାଳ ୭ଟାରୁ ୯ଟା ୩୦ପର୍ଯ୍ୟନ୍ତ ଚାଲିବ ନାମଲେଖା । ଏହି ସମୟରେ ଥରକେ ୫ରୁ ଅଧିକ ଅଭିଭାବକଙ୍କୁ ପ୍ରବେଶ ମନା ।
ନାମଲେଖାବେଳେ କରୋନା ଗାଇଡଲାଇନ ମାନିବାକୁ ହେବ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଏହି ସମୟରେ ବାଧ୍ୟତା ମୂଳକ ବୋଲି କୁହାଯାଇଛି ।

ସରକାରୀ/ ସରକାରୀ ସ୍ୱୀକୃତିପ୍ରାପ୍ତ ସ୍କୁଲ ପାଇଁ ନିର୍ଦ୍ଦେଶ ଲାଗୁ କରାଯାଇଛି । ଆଦର୍ଶ ବିଦ୍ୟାଳୟ, ମଦ୍ରାସାଗୁଡ଼ିକ ମଧ୍ୟ ନିର୍ଦ୍ଦେଶ ପାଳନ କରିବେ । ସେହିପରି BSE/CHSE ସହ ଅନୁବନ୍ଧିତ ଥିବା ସ୍କୁଲ ଏହି ନିର୍ଦ୍ଦେଶ ପାଳନ କରିବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

କରୋନା ସହ ଅହରହ ହେଉଛି ସଂଘର୍ଷ, ଦେଶରେ ଏପର୍ଯ୍ୟନ୍ତ ଦିଆଗଲାଣି ୧୪.୧୯ ଡୋଜ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଆତଙ୍କ ଖେଳାଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ବଢ଼ିବାରେ ଲାଗିଛି। ପ୍ରତିଦିନ ୩ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାରି ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏପର୍ଯ୍ୟନ୍ତ ଦେଶରେ ୧୪.୧୯ ଡୋଜ ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ଦେଶରେ ଏକ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଗୁଜୁରାଟ ଏବଂ ତାମିଲନାଡୁ।

ଏଥି ସହିତ, AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି – ଆମକୁ କରୋନା ରୋଗୀଙ୍କ ସଂଖ୍ୟା ହ୍ରାସ କରିବାକୁ ହେବ ଏବଂ ଡାକ୍ତରଖାନାର ଗାଇଡଲାଇନକୁ ସଠିକ୍ ଭାବରେ ବ୍ୟବହାର କରିବାକୁ ପଡିବ।

ଏଥି ସହିତ ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ କହିଛନ୍ତି ଯେ ଅମ୍ଳଜାନ ଅଭାବକୁ ପୂରଣ କରିବା ପାଇଁ ଭାରତ ବିଦେଶରୁ ଟ୍ୟାଙ୍କର୍ ଯୋଗାଉଛି। ଏହି ଟ୍ୟାଙ୍କର୍ ପରିବହନ ହେଉଛି ସବୁଠାରୁ ବଡ ଆହ୍ୱାନ।

ଦେଶରେ କରୋନା ଭ୍ୟାକ୍ସିନ୍ର ତୃତୀୟ ପର୍ଯ୍ୟାୟ, ମେ ୧ ରୁ ୧୮ ବର୍ଷରୁ ଅଧିକ ଲୋକଙ୍କ ପାଇଁ ଟୀକାକରଣର ମାତ୍ରା ଆରମ୍ଭ ହେବ। ଟୀକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ପୂର୍ବରୁ କରୋନା ଟିକା ମୂଲ୍ୟକୁ ନେଇ ଉତ୍ତେଜନା ଦେଖାଦେଇଛି। କରୋନା ଟିକାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଘରୋଇ ଡାକ୍ତରଖାନା ପାଇଁ ଅନେକ ନିର୍ଦ୍ଦେଶ ଦେଇଛନ୍ତି। ଅନଲାଇନ୍ ରାଜ୍ୟ ବୁକିଂ କରୁଥିବା ସେହି ଘରୋଇ ଡାକ୍ତରଖାନାଗୁଡ଼ିକୁ କରୋନା ଟିକା ଦିଆଯିବ ବୋଲି କେନ୍ଦ୍ର ରାଜ୍ୟ ସରକାରଙ୍କୁ କହିଛି।

ଚିକିତ୍ସା ସେବା ଯୋଗାଇବା ଲାଗି ଆସିବେ ସେନାବାହିନୀର ଡାକ୍ତର

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିରକ୍ଷା ବିଭାଗର ସହାୟତା ଲୋଡ଼ିଛନ୍ତି। ମବସାମିରିକ ପ୍ରତିଷ୍ଠାନଗୁଡ଼ିକୁ ଯଥା ସମ୍ଭବ ସହାୟତା ଯୋଗାଇବା ଲାଗି ମୋଦି ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ଙ୍କୁ ନିର୍ଦେଶ ଦେଇଛନ୍ତି। ଏହିକ୍ରମର ସେନାବାହିନୀରେ ନିୟୋଜିତ ଡାକ୍ତର, ନର୍ସିଂ ଷ୍ଟାଫ୍ ଏବଂ ଡାକ୍ତରଖାନା କର୍ମଚାରୀମାନେ ଏଣିକି ବିଭିନ୍ନ ସ୍ଥାନରେ କୋଭିଡ୍ ପୀଡ଼ିତଙ୍କ ଚିକିତ୍ସା ଲାଗି ନିୟୋଜିତ ହେବେ।

ସୋମବାରଦିନ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହି ବୈଠକରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତ୍ ଉପସ୍ଥିତ ରହି ସୋନାବାହିନୀରେ ଡାକ୍ତର ଏବଂ ଉପଲବ୍ଧ ସୁବିଧା ବାବଦରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଏବେ କାର୍ଯ୍ୟରତ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସମେତ ଯେଉଁମାନେ ନିକଟରେ ଅବସର ନେଇଛନ୍ତି ସେମାନଙ୍କୁ ମଧ୍ୟ ଦେଶରେ ସୃଷ୍ଟି ହୋଇଥିବା ଏହି ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ନିାୟାଜିତ କରାଯିବ।

ଏପରିକି ଯେଉଁ ଡାକ୍ତର ଯେଉଁ ସ୍ଥାନରେ ଅଛନ୍ତି ସେମାନଙ୍କୁ ସେହି ସ୍ଥାନରେ ସିଭିଲ୍ ପ୍ରତିଷ୍ଠାନ ତଥା ଡାକ୍ତରଖାନାରେ ସେବା ପ୍ରଦାନ ପାଇଁ ନିୟୋଜିତ କରାଯିବାକୁ ସ୍ଥିର ହୋଇଛି। ଭାରତରେ ଏବେ ଦୈନିକ ସାଢ଼େ ତିନି ଲକ୍ଷରୁ ଅଧିକ ଲୋକ କୋଭିଡ୍ ଆକ୍ରାନ୍ତ ହେଉଛନ୍ତି। ଏଯାଏ ପ୍ରାୟ ୧୯୨୩୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

‘CMSSର ଅବହେଳା ଯୋଗୁଁ ରାଜ୍ୟରେ ବିଳମ୍ବ ହୋଇଛି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ’

ଭୁବନେଶ୍ୱର: ସେଣ୍ଟ୍ରାଲ ମେଡିକାଲ ସର୍ଭିସେସ୍ ସେସାଇଟି ବା CMSSର ଅବହେଳା ଯୋଗୁଁ ରାଜ୍ୟରେ ବିଳମ୍ବ ହୋଇଛି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ । CMSS କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧିନରେ ଏକ ସ୍ବୟଂ ଶାସିତ ସଂସ୍ଥା । ଆଜି ଡିଏମଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି ।

ପିଏମ୍‌ କେୟାର ଅଧୀନରେ ରାଜ୍ୟକୁ ମିଳିଥିବା ୭ଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନରେ ଅହେତୁକ ବିଳମ୍ବ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନରେ ରାଜ୍ୟ ସରକାରଙ୍କ କୌଣସି ଭୂମିକା ନାହିଁ । ବରଂ ରାଜ୍ୟ ସରକାର ତ୍ବରିତ ଭାବେ ଏହି ପ୍ରସ୍ତାବକୁ ଗ୍ରହଣ କରି ୭ଟି ସ୍ଥାନ ଚିହ୍ନଟ କରି କେନ୍ଦ୍ରକୁ ଜଣାଇଛନ୍ତି ।

ଗତବର୍ଷ ଅକ୍ଟୋବରରେ ପିଏମ୍ କେୟାର ଫଣ୍ଡରୁ ସାରା ଦେଶର ବିଭିନ୍ନ ସଦର ମହାକୁମ୍ମା ହସ୍ପିଟାଲରେ ୧୬୨ଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ପାଇଁ ଟେଣ୍ଡର ହୋଇଥିଲା । ଏହି କ୍ରମରେ ଓଡ଼ିଶା ଭାଗରେ ୭ଟି ପଡିଥିଲା । ତେବେ ସ୍ଥାନ ଚିହ୍ନଟ କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ । କିନ୍ତୁ ଜାଗା ଚିହ୍ନଟ ହେଲା ପରେ ବି କାମ ଆଜି ପର୍ଯ୍ୟନ୍ତ ଆଗେଇଲା ନାହିଁ ବୋଲି କହିଛନ୍ତି ସିବିକେ ମହାନ୍ତି ।

ମଙ୍ଗଳବାର ଠାରୁ ୧୪ ଦିନ ପର୍ଯ୍ୟନ୍ତ ଏହି ରାଜ୍ୟରେ ଲାଗୁହେବ ସମ୍ପୂର୍ଣ୍ଣ ଲକ୍‌ଡାଉନ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଘୋଷଣା ହେଲା ଲକ୍‌ଡାଉନ।୧୪ ଦିନ ସଂପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କରାଯାଇଛି। କ୍ୟାବିନେଟ ବୈଠକ ପରେ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପା ଏଭଳି ବଡ଼ ଘୋଷଣା କରିଛନ୍ତି। ଆସନ୍ତା ୧୪ ଦିନ ପାଇଁ ସୋମବାର ରାତି ୯ ଟାରୁ ରାଜ୍ୟରେ କର୍ଫ୍ୟୁ ଲାଗୁ କରାଯିବ ବୋଲି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ଜରୁରୀ ସେବା ପାଇଁ ସକାଳ ୬ ଟାରୁ ୧୦ ଟା ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି। ସକାଳ ୧୦ ଟା ପରେ ଦୋକାନ ବନ୍ଦ ରହିବ। ସାଧାରଣ ପରିବହନ ବନ୍ଦ ରହିବ ବୋଲି ସିଏମ୍ କହିଛନ୍ତି।

ତେବେ କର୍ଣ୍ଣାଟକ ମଦର ହୋମ ଡେଲିଭରି ପାଇଁ ଅନୁମତି ଦେଇଛନ୍ତି। ଏହା ସହିତ ରାଜ୍ୟ ବାହାରେ କିମ୍ବା ରାଜ୍ୟ ଭିତରେ ଯାତ୍ରା ଅନୁମତି ଦିଆଯିବ ନାହିଁ। କେବଳ ଜରୁରୀକାଳୀନ ପରିସ୍ଥିତିରେ ଛାଡ଼ ଦିଆଯିବ। କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ଏଭଳି କଠୋ ପଦକ୍ଷେପ ନିଆଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଚିକିତ୍ସା ଏବଂ ଅତ୍ୟାବଶ୍ୟକ ସେବା, ଉତ୍ପାଦନ, ନିର୍ମାଣ, କୃଷି ଉଦ୍ୟାନ କୃଷି କ୍ଷେତ୍ରକୁ ଅନୁମତି ଦିଆଯିବ। ମୁଖ୍ୟ ସଚିବ ପି ରବି କୁମାର ଆଜି ସନ୍ଧ୍ୟାରେ ଲକଡାଉନ ନେଇ ଗାଇଡଲାଇନ ଜାରିକରାଯିବ।

ସାଂଘାତିକ ହେଲାଣି କରୋନା ସଂକ୍ରମଣ, ହସ୍ପିଟାଲରେ ମିଳୁନି ଅକ୍ସିଜେନ୍‌ କି ବେଡ୍‌

ନୂଆଦିଲ୍ଲୀ: କରୋନା ମହାମାରୀରେ ଅଣନିଶ୍ୱାସୀ ରାଜଧାନୀ। ଦିନକୁ ଦିନ ସଙ୍କଟ ବଢ଼ୁଛି ପଛେ କମିବା ନାଁ ଧରୁନି କରୋନା। ଦୈନିକ ସଂକ୍ରମଣ ବଢିବା ସାଙ୍ଗକୁ ହସ୍ପିଟାଲରେ ବେଡ୍‌ ନ ମିଳିବା ଅକ୍ସିଜେନ୍ ସିଲିଣ୍ଡରର ଅଭାବ ସ୍ଥିତିକୁ ଅତିରୁ ଅତି ସାଂଘାତିକ କଲାଣି। ହସ୍ପିଟାଲରେ ପଡ଼ିଥିବା ନିଜ ଆତ୍ମୀୟଙ୍କ ପାଇଁ ଅକ୍ସିଜେନ୍ ସିଲିଣ୍ଡରଟେ ପାଇଁ ସଂଘର୍ଷ କରୁଛନ୍ତି ଲୋକେ। ଆଜି ସକାଳୁ ରାଜଧାନୀରୁ ଏକ ବିକଳ ଚିତ୍ର ସାମନାକୁ ଆସିଛି। ଅକ୍ସିଜେନ୍ ସିଲିଣ୍ଡର ଫିଲଅପ୍ କରିବାକୁ ଲୋକମାନେ ଲମ୍ବା ଧାଡ଼ିରେ ଦୀର୍ଘ ଘଣ୍ଟା ଧରି ଅପେକ୍ଷାରେ ରହିଛନ୍ତି।

ଦିଲ୍ଲୀର ନାରାୟଣ ଅକ୍ସିଜେନ୍ ଫିଲିଂ ଫ୍ଲାଣ୍ଟ ଆଗରେ ଶତାଧିକ ଲୋକ ଅକ୍ସିଜେନ ସିଲିଣ୍ଡର ଧରି ଲାଇନରେ ଠିଆ ହୋଇ ରହିଛନ୍ତି। ଏହାଛଡ଼ା ଲମ୍ବାଲାଇନରେ ଆମ୍ବୁଲାନ୍ସଗୁଡ଼ିକ ମଧ୍ୟ ଅକ୍ସିଜେନ୍‌ ସିଲିଣ୍ଡର ନେବାକୁ ଅପେକ୍ଷା କରିଛନ୍ତି। ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କ ମଧ୍ୟରୁ ଅନେକ ଏଭଳି ଅଛନ୍ତି ଯେଉଁମାନେ ୨ରୁ ୩ ଦିନ ହେବ ଲାଇନରେ ରହିଛନ୍ତି। ସେପଟେ ବହୁ ହସ୍ପିଟାଲରେ ଅକ୍ସିଜେନ ନଥିବାରୁ ସଙ୍କଟାପନ୍ନ ସ୍ଥିତିରେ ରହିଛନ୍ତି ରୋଗୀ। ଦିଲ୍ଲୀକୁ ସହାୟତା କରିବା ପାଇଁ ବଡ଼ ବଡ଼ ଉଦ୍ୟୋଗପତିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ।

ଅନ୍ୟପଟେ ଦିଲ୍ଲୀର RML ହସ୍ପଟାଲରେ ରୋଗୀ ସଂଖ୍ୟା ଏତେ ବଢୁଛନ୍ତି ଯେ ଏବେ ଗୋଟିଏ ବି ବେଡ୍‌ ଫାଙ୍କା ନଥିବା ମେଡିକାଲ କର୍ତ୍ତୃପକ୍ଷ କହିଚନ୍ତି। କେବଳ RML ନୁହେଁ ଅନ୍ୟ ବହୁ ସରକାରୀ ଓ ପ୍ରାଇଭେଟ୍ ହସ୍ପିଟାଲରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ସେପଟେ ଦିଲ୍ଲୀରେ ୧୮ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ମାଗଣାରେ କରୋନା ଟିକା ଦେବାକୁ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର। ଆଜି ଦିଲ୍ଲୀର ସର୍ଦ୍ଦାର ପଟେଲ୍‌ କୋଭିଡ୍ ହସ୍ପିଟାଲ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ସେଠାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ କରୋନା ରୋଗୀଙ୍କ ପାଇଁ କରାଯାଇଥିବା ସୁବିଧା ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି।

କରୋନାରେ ପୂର୍ବତନ ସାଂସଦଙ୍କ ମୃତ୍ୟୁ

ଫୁଲବାଣୀ: କନ୍ଧମାଳର ପୂର୍ବତନ ସାଂସଦଙ୍କ କରୋନାରେ ମୃତ୍ୟୁ ହୋଇଛି। ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ କରୋନାରେ ବିୟୋଗ ହୋଇଥିବା ସୂଚନା ଦେଇଛନ୍ତି ତାଙ୍କ ଶାଳକ ଫିଲିମନ ନାୟକ।

ସୂଚନା ଅନୁଯାୟୀ, ଗତକାଲି କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ଏହି ପୂର୍ବତନ ସାଂସଦ। ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କର ମୃତ୍ୟୁ ଖବର ପ୍ରଚାର ହେବା ପରେ ଫୁଲବାଣୀ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

ସ୍ବର୍ଗତ ସୁଗ୍ରୀବ କନ୍ଧମାଳ ଜିଲ୍ଳାର ଜଣେ ଲୋକ ପ୍ରିୟ ନେତା ଥିଲେ । ଏଥିସହିତ ସେ ଜଣେ ସାମ୍ବାଦିକ ଭାବେ ନିଜ ଜୀବନ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ସେ ଫୁଲବାଣୀ NAC ଚେୟାରମ୍ୟାନ୍ ଓ ୨୦୦୪ରେ ଫୁଲବାଣୀ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଅଗଷ୍ଟ ୧, ୧୯୬୩ରେ ସୁଗ୍ରୀବ ଜନ୍ମ ଗ୍ରହଣ କରିଥିଲା ବେଳେ ତାଙ୍କ ନିଜ ଘର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ। ପରବର୍ତ୍ତୀ ସମୟରେ ଫୁଲବାଣୀ ସହରରେ ଆସି ରହିବା ସହିତ କିଛି ବର୍ଷ ହେଲାଣି ନିଜ ପରିବାର ସହିତ ଭୁବେନେଶ୍ୱର ସ୍ଥିତ ଆର୍ଯ୍ୟପଲ୍ଲୀରେ ରହୁଥିବା ଜଣାପଡିଛି।

ଜାତୀୟ ଗଣମାଧ୍ୟମରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା

ଭୁବନେଶ୍ୱର: କଥାରେ ନୁହେଁ କାମରେ ବିଶ୍ୱାସ କରୁଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାତୀୟ ଗଣମାଧ୍ୟମରେ ପୁଣି ଥରେ ପ୍ରଶଂସା କରାଯାଇଛି। ଏବିପି ନ୍ୟୁଜର ପ୍ରମୁଖ ସମ୍ବାଦ ଦାତା ଟୁଇଟରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ଏକ ଟ୍ୱିଟ୍ କରି ସେ କହିଛନ୍ତି, ‘‘ବୈଦ୍ୟୁତିକ ଗଣମାଧ୍ୟମରେ ଅଯଥା ବୟାନବାଜି କିମ୍ବା କେନ୍ଦ୍ର ସହ ତାଳମେଳର ଡ୍ରାମା କରୁଥିବା କେବେବି ନଜର ଆସନ୍ତି ନାହିଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ। ମୁଖ୍ୟମନ୍ତ୍ରୀଙ୍କର ଏହି ଆଭିମୁଖ୍ୟ ଓ ନୀତିକୁ ସେ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି, ସେ କଥାରେ ନୁହେଁ କାମରେ ବିଶ୍ବାସ କରନ୍ତି । ଆଉ ବିଭିନ୍ନ କ୍ଷେତ୍ରରେ ତାଙ୍କର ଏହି ଉକ୍ତିକୁ ସେ ନିଜେ ଚରିତାର୍ଥ କରିଛନ୍ତି’’।

ଦେଶରେ ଅକ୍ସିଜେନ ଅଭାବକୁ ନେଇ ବିଭିନ୍ନ ରାଜନୈତିକ ଦଳ ଗଣମାଧ୍ୟମରେ ବୟାନବାଜିରେ ବ୍ୟସ୍ତ ଥିବାବେଳେ ନବୀନ ମାନବିକତା ଦେଖାଇଛନ୍ତି। ଯେଉଁ ରାଜ୍ୟ ଗୁଡ଼ିକ ଅକ୍ସିଜେନ ସଂକଟ ଦେଇ ଗତି କରୁଥିଲେ ସେମାନଙ୍କୁ ନିୟମିତ ଟ୍ୟାଙ୍କର ଯୋଗେ ଅକ୍ସିଜେନ ପଠାଇ ଚାଲିଛନ୍ତି ନବୀନ । ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ହରିୟାନା ଓ ଅନ୍ୟ ରାଜ୍ୟ ଗୁଡିକୁ ୫୧୦ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଇଥିବା ନେଇ ଏବିପି ସମ୍ବାଦଦାତା ନିଜ ଟୁଇଟରରେ ପୋଷ୍ଟ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି।

ନିର୍ବାଚନ ଆୟୋଗର ଅଧିକାରୀଙ୍କ ଉପରେ ହତ୍ୟା ମାମଲା ରୁଜୁ ହେବା ଉଚିତ୍: ମାଡ୍ରାସ ହାଇକୋର୍ଟ

ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟର ନିର୍ବାଚନ ଆୟୋଗକୁ କଡ଼ା ତାଗିଦ୍। କରୋନା ସଂକ୍ରମଣର ଦ୍ୱିତୀୟ ଲହର ସମୟରେ ରାଜନୈତିକ ଦଳମାନଙ୍କୁ ନିର୍ବାଚନ ସମାବେଶ କରିବାକୁ ଅନୁମତି ଦେଇଥିବାରୁ ନିର୍ବାଚନ ଆୟୋଗକୁ ଟିପ୍ପଣି କଲେ ହାଇକୋର୍ଟ। ପ୍ରଧାନ ବିଚାରପତି ସଞ୍ଜୀବ ବାନାର୍ଜୀ ଏକ ଶୁଣାଣି ସମୟରେ କହିଛନ୍ତି ଯେ ହତ୍ୟା ଅଭିଯୋଗରେ ନିର୍ବାଚନ ଆୟୋଗର ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହେବା ଉଚିତ।

କୋର୍ଟ ମାମଲାର ୱେବସାଇଟ୍ ଲାଇଭ୍ ଲ ଅନୁଯାୟୀ ପ୍ରଧାନ ବିଚାରପତି ସଞ୍ଜୀବ ବାନାର୍ଜୀ ଭାରତର ନିର୍ବାଚନ ଆୟୋଗଙ୍କୁ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହର ପାଇଁ ଆପଣଙ୍କ ଅନୁଷ୍ଠାନ ଦାୟୀ। ମାଡ୍ରାସ ହାଇକୋର୍ଟ ଚେତାବନୀ ଦେଇଛି ଯେ ଯଦି ଆସନ୍ତା ୨ ତାରିଖ ଦିନ କରୋନା ପ୍ରୋଟୋକଲକୁ ପାଳନ କରିବା ପାଇଁ ଆୟୋଗ ସଠିକ୍ ଯୋଜନା ନକରନ୍ତି ତେବେ ଭୋଟ୍ ଗଣନା ଉପରେ ପ୍ରତିବନ୍ଧକ ଲଗାଯିବ।

ହାଇକୋର୍ଟର ପ୍ରଧାନ ବିଚାରପତି ଇଲେକସନ କମିଶନରଙ୍କୁ କହିଛନ୍ତି, ‘ଲୋକଙ୍କ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଚିନ୍ତାଜନକ ଯେ ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କୁ ଏଭଳି କଥା ମନେରଖିବାକୁ ପଡ଼ିବ। ଜଣେ ବ୍ୟକ୍ତି ବଞ୍ଚିବା ପରେ ହିଁ ସେ ତାଙ୍କର ଗଣତାନ୍ତ୍ରିକ ଅଧିକାରର ଲାଭ ଉଠାଇବାକୁ ସମର୍ଥ ହେବେ।

ପ୍ରଧାନ ବିଚାରପତି କହିଛନ୍ତି ଯେ ‘ପରିସ୍ଥିତି ବର୍ତ୍ତମାନ ବଞ୍ଚିବା ଏବଂ ସୁରକ୍ଷିତ ରହିବା। ଏହା ପରେ ସବୁକିଛି ଆସେ। ଶୁଣାଣି ସମୟରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସହ ପରାମର୍ଶ କରିବା ପରେ, ଏପ୍ରିଲ୍ ୩୦ ରେ ଗଣନା ଦିନ COVID ପ୍ରୋଟୋକଲ୍ କାର୍ଯ୍ୟକାରୀ କରିବାକୁ ଯୋଜନା ଉପସ୍ଥାପନ କରିବାକୁ ହାଇକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନ ବିଚାରପତି ଆୟୋଗଙ୍କୁ ପଚାରିଥିଲେ, ଯେତେବେଳେ ନିର୍ବାଚନ ରାଲି ଅନୁଷ୍ଠିତ ହୋଇଥିଲା ସେତେବେଳେ ଆପଣ ଅନ୍ୟ କୌଣସି ଗ୍ରହରେ ଥିଲେ କି ? ଏଭଳି ପ୍ରଶ୍ନ କରି ତାଗିଦ କରିଛନ୍ତି ମାଡ୍ରାସ ହାଇକୋର୍ଟ।