spot_img
Home Blog Page 580

ଡ୍ରାଇଭର ସଂଘ ଆନ୍ଦୋଳନର ଚତୁର୍ଥ ଦିନ, ଲିଖିତ ପ୍ରତିଶ୍ରୁତି ନଦେଲେ ଆନ୍ଦୋଳନରୁ ନହଟିବାକୁ ସଂଘର ଚେତାବନୀ

ନନ୍ଦିଘୋଷ ବ୍ୟୁରୋ : ଚାରି ଦିନ ହେଲା ରାଜ୍ୟରେ ପରିବହନ ସେବା ଠପ। ସମସ୍ୟାର ସମାଧାନ ପରିବର୍ତ୍ତେ ପରିବହନ ମନ୍ତ୍ରୀ ନିଆଁ ଢାଳିଛନ୍ତି ଘିଅ। ପରିବହନ ମନ୍ତ୍ରୀଙ୍କ ଆକ୍ଷେପ କଂଗ୍ରେସ ଡ୍ରାଇଭରଙ୍କୁ ନେଇ କରୁଛି ରାଜନୀତି। କ୍ରମାଗତ ଭାବେ ଚାରି ଦିନ ହେଲା ରାଜ୍ୟରେ ଡ୍ରାଇଭର ମହାସଂଘ ଷ୍ଟିୟରିଂ ଛାଡିଛି। ପରିବହନ ସେବା ପୂରା ଠପ। ଲୋକେ ହନ୍ତସନ୍ତ ହେଉଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦର ବି ବଢିଲାଣି। ସେପଟେ ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ପାଇଁ କଂଗ୍ରେସ ସଭାପତିଙ୍କ ଅନୁରୋଧରେ ଡ୍ରାଇଭର ମହାସଂଘ ଦିନକ ପାଇଁ ଆନ୍ଦୋଳନ କୋହଳ କରିବା ପରେ ମହାସଂଘ ନେତାଙ୍କୁ ଟାର୍ଗେଟ କରିଛନ୍ତି ପରିବହନ ମନ୍ତ୍ରୀ। ସେ ସିଧାସଳଖ କହୁଛନ୍ତି ମହାସଂଘର କିଛି ନେତାଙ୍କ ପାଇଁ ଡ୍ରାଇଭରମାନେ ହଇରାଣ ହେଉଛନ୍ତି। ଏଥିସହିତ କଂଗ୍ରେସ ଡ୍ରାଇଭରଙ୍କୁ ନେଇ ରାଜନୀତି କରୁଛି।ତେବେ ମନ୍ତୀ ସଂଘ ମଧ୍ୟରେ ଫାଟ ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି ବୋଲି ପାଲଟା ଅଭିଯୋଗ କରିଛି ଡ୍ରାଇଭର ମହାସଂଘ। ସରକାର ଯଦି ପୂରଣ କରିବାକୁ ଚାହୁଁଛନ୍ତି ତେବେ କାହିଁକି ଲିଖିତ ଆକାରରେ ଦେଉନାହାଁନ୍ତି ବୋଲି ମହାସଂଘ ପ୍ରଶ୍ନ କରିଛି। ଏଥିସହିତ ସରକାର ନ ଶୁଣିଲେ ଆଗକୁ ଆନ୍ଦୋଳନ ଭିନ୍ନ ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି।

ସାରା ରାଜ୍ୟରେ ଷ୍ଟିୟରିଂ ଛାଡି ଆନ୍ଦୋଳନକୁ ଡ୍ରାଇଭରମାନେ ଓହ୍ଲାଇବା ଫଳରେ ଗମନାଗମନ ବ୍ୟବସ୍ଥା ଠପ ହୋଇଯାଇଛି। ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ମୁଣ୍ଡ ଫଟା ଖରାରେ ବସି ନାରାବାଜି କରୁଛନ୍ତି। ସରକାର ମହାସଂଘ ସହ ଆଲୋଚନା ସଫଳ ହୋଇଥିବା କହୁଥିବା ବେଳେ ଲିଖିତ ପ୍ରତିଶ୍ରୁତି ଦେବାକୁ ପଛଘୁଞ୍ଚା ଦେଉଛନ୍ତି। ଗୋଟିଏ ଦିନ ପାଇଁ ଆନ୍ଦୋଳନ କୋହଳ ହୋଇଥିଲେ ବି କାଲିଠୁ ପୁଣି ବିଗିଡିବ ସ୍ଥିତି। ଯାତ୍ରୀମାନେ ନାହିଁ ନଥିବା ହଇରାଣ ହରକତର ଶିକାର ହେଉଛନ୍ତି। ସରକାର କିନ୍ତୁ ନିଦାବିଷ୍ଣୁ ସାଜିଛନ୍ତି।

ଭୁବନେଶ୍ବରରେ ଗର୍ଜିଲେ ରାହୁଲ, ସରକାରଙ୍କୁ ଶାଣିତ ଆକ୍ରମଣ

ଭୁବନେଶ୍ଵର : ଡବଲ ଇଞ୍ଜିନ ସରକାରକୁ ରାହୁଲଙ୍କ ନିଶାଣ । ଓଡ଼ିଶାରୁ ଚୋରି ବନ୍ଦ କର, ନହେଲେ ଜଗିବ କଂଗ୍ରେସ । କଂଗ୍ରେସ ଫୋକସରେ ଜାତିଭିତ୍ତିକ ଜନଗଣନା । ଆଦିବାସୀ, ଦଳିତ, ପଛୁଆ ବର୍ଗର ସୁରକ୍ଷା ପାଇଁ ଲଢ଼େଇ କରିବାକୁ ଆହ୍ବାନ । ଖଡଗେ କହିଲେ,ବିଜେପି ସମୟରେ ବଢ଼ିଛି ନାରୀ ନିର୍ଯାତନା ଓ ଅଫିସରଙ୍କୁ ମାଡ଼ । ଭୁବନେଶ୍ୱର ବରମୁଣ୍ଡା ପଡିଆରେ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଜେପି ସରକାରଙ୍କୁ ସିଧା ଟାର୍ଗେଟ କରିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ରାହୁଲ । ଡବଲ ଇଞ୍ଜିନ ସରକାର କିପରି ଓଡିଶାବାସୀଙ୍କ ସହ ବିଶ୍ୱାସଘାତ ଓ  ପ୍ରତାରଣା କରିଛି ତାର ତଥ୍ୟ ଦେଇ କଂଗ୍ରେସ କର୍ମୀ ଓ ନେତାଙ୍କ ମନରେ ଉତ୍ସାହ ଭରିଛନ୍ତି ରାହୁଲ । ତୃଣମୂଳ ସ୍ତରରେ କଂଗ୍ରେସ କର୍ମୀଙ୍କୁ ସଶକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ରାହୁଲ । ଓଡିଶା ଲୋକଙ୍କ ଠାରୁ ଚୋରି କରୁଛନ୍ତି ରାଜ୍ୟ ସରକାର । ସରକାର ବିରୋଧରେ ଏହି ଲଢେଇକୁ କଂଗ୍ରେସ ଜନତାଙ୍କ ସହିତ ମିଶି ଜିତିପାରିବ । ସବୁ ସ୍ଥାନରେ ସମ୍ବିଧାନ ଉପରେ ବିଜେପି ଆକ୍ରମଣ କରୁଛି । ମହାରାଷ୍ଟ୍ର ଭଳି ବିହାରରେ ନିର୍ବାଚନ ଚୋରି କରିବାକୁ ପ୍ଲାନ କରୁଛି । ନିର୍ବାଚନ କମିଶନ ନିଜ କାମ ନକରି ବିଜେପି ମନର କାମ କରୁଛନ୍ତି । ଭୋଟର ତାଲିକା ଓ ଭିଡିଓ ମାଗିଲେ ମିଳୁନି । ମହାରାଷ୍ଟ୍ରରେ ଲୋକସଭା ଓ ବିଧାନସଭା ଭୋଟର ମଧ୍ୟରେ ୧ କୋଟି ବ୍ୟବଧାନ ବୋଲି ରାହୁଲ ଅଭିଯୋଗ ଆଣିଛନ୍ତି । ବୀମା ଯୋଜନା ଜରିଆରେ ଚାଷୀଙ୍କୁ ସରକାର ଲୁଟ କରୁଛନ୍ତି ବୋଲି ସେ କହିଛନ୍ତି । ଓଡିଶା ସରକାର ଲୋକଙ୍କର ନୁହଁ, ଆରବପତିଙ୍କର ସରକାର ବୋଲି ରାହୁଲ ଅଭିଯୋଗ କରିଛନ୍ତି  । ଓଡ଼ିଶା ଯୁବକଙ୍କୁ କେତେ ରୋଜଗାର ଦେଲେ ଏହି ସରକାର ପ୍ରଶ୍ନ କରିବା ସହ ୪୦ ହଜାର ମହିଳା ନିଖୋଜ ବୋଲି ଅଭିଯୋଗ ଆଣିଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଥିଲେ ଜଣେ ଅଫିସରକୁ ବିଜେପି ନେତା ବାଡ଼େଇଲେ। ଓଡ଼ିଶାରେ ୧୧ ମାସରେ ୨୮ ହଜାର ମହିଳା ଓ ଶିଶୁଙ୍କ ଉପରେ ଅତ୍ୟାଚାର ହୋଇଛି । ଓଡିଶାରେ ବାଲି, ଜଙ୍ଗଲ ବିକି କମିଶନ ଖାଉଛନ୍ତି ସରକାର । ରଥ ଯାତ୍ରାରେ ୩ ଜଣଙ୍କ ଜୀବନ ଗଲା । ଅନେକ ଆହତ ହେଲେ । ଓଡ଼ିଶା କଂଗ୍ରେସ ମଜଭୁତ ହେଉଛି ବୋଲି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ପିସିସି ସଭାପତିଙ୍କ ସହ କଂଗ୍ରେସର ମଙ୍ଗୁଆଳମାନେ ଡବଲ ଇଞ୍ଜିନ ସରକାର ଉପରେ ମଞ୍ଚରେ ବର୍ଷିଥିଲେ। ସଂବିଧାନ ସମାବେଶର ପୂର୍ବରୁ ରାହୁଲ ଚାଷୀ, ବିସ୍ଥାପିତଙ୍କ ସହ ଆଲୋଚନା କରିଥିଲେ । ସଭା ମଞ୍ଚରେ ଓଡ଼ିଶାର କଂଗ୍ରେସର ନେତାଙ୍କ ସହ ୱାନ ଟୁ ୱାନ୍ ଆଲୋଚନା କରିଥିଲେ । ତେବେ ରାହୁଲଙ୍କ ଗସ୍ତ ପରେ ଓଡିଶାରେ କଂଗେସ ସଙ୍ଗଠନ କେତେ ମଜଭୁତ୍ ହେଉଛି ତାହା ଉପରେ ନିଶ୍ଚୟ ନଜର ରହିବ ।

ରଥଯାତ୍ରା ଦଳାଚକଟା ଘଟଣା, AI କ୍ଯାମେରା ଘୋଟାଲାକୁ ଦାୟୀ କଲେ ଲେକେ

ପୁରୀ : ଅବହେଳା ଓ ଅଘଟଣ ଭିତରେ ସରିଛି ଚଳିତବର୍ଷର ରଥଯାତ୍ରା । ଜୁନ ୨୯ ଥିଲା ରଥଯାତ୍ରାରେ ଏକ କଳଙ୍କିତ ଦିବସ l ଗୁଣ୍ଡିଚାମନ୍ଦିର ଆଗରେ ଦଳଚକଟାରେ ୩ ଜଣଙ୍କ ଯାଇଛି ଜୀବନ । ଅଘଟଣର ତଦନ୍ତ ଆରମ୍ଭ ହୋଇଥିବାବେଳେ ଏଥିପାଇଁ ପ୍ରଶସନିକ ଅବହେଳାକୁ ଦାୟୀ କରିଛନ୍ତି ଲୋକେ । ବିଶେଷକରି AI କ୍ୟାମେରା ଘୋଟାଲା ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଇଛି l ୨୮୨ ଟି ଉଚ୍ଚକ୍ଷମତା ସମ୍ପର୍ଣ୍ଣ କ୍ୟାମେରା ଲଗାଇବା ପାଇଁ ପୂର୍ବରୁ ଘୋଷଣା ହୋଇଥିବାବେଳେ ଲଗାଯାଇଥିଲା ମାତ୍ର ୧୭୦ କ୍ୟାମେରା l କ୍ୟାମେରା ଗୁଡିକ ଉଚ୍ଚ କ୍ଷମତାସମ୍ପର୍ଣ୍ଣ ହୋଇନଥିବାରୁ କଣ୍ଟ୍ରୋଲ ରୁମରୁ ଭିଡ଼ ନିୟନ୍ତ୍ରଣରେ ହୋଇଥିଲା ସମସ୍ଯା । ଏପରିକି ଘଟଣା ଦିନ ଗୁଣ୍ଡିଚା ମନ୍ଦିର ନିକଟରେ କ୍ୟାମେରା ଲଗାଯାଇ ନଥିଲା । ତେଣୁ ସର୍ବସାଧାରଣଙ୍କ ଠାରୁ ଭିଡିଓ ଫୁଟେଜ୍ ମାଗିଥିଲା ପ୍ରଶାସନ । ଏପରି ଜଘନ୍ଯ ଅବହେଳା ପାଇଁ ଦୃଢ କାର୍ଯ୍ଯାନୁଷ୍ଠାନ ସହ ମନ୍ତ୍ରୀସ୍ତରୀୟ କମିଟିକୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି ହୋଇଛି ।

ତ୍ରୁଟିଶୂନ୍ଯ ରଥଯାତ୍ରା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଏକ କମିଟି ଗଠିତ ହୋଇଥିଲା । ତେବେ କମିଟି ନିଜ ଦାୟିତ୍ବ ସମ୍ପାଦନ କରିବାରେ ଫେଲ ମାରିଛି । କର୍ଣ୍ଣାଟକରେ ଦଳା ଚକଟା ଘଟଣାରେ ମନ୍ତ୍ରୀମାନଙ୍କୁ ଦାୟୀ କରାଯାଇ ତଦନ୍ତ ପରିସର ଭୁକ୍ତ କରାଯାଇଥିବାଲା । ତେଣୁ ଏହି ଘଟଣା ମଧ୍ଯ ଉପମୁଖ୍ଯମନ୍ତ୍ରୀଙ୍କୁ ତଦନ୍ତ ପରିସରଭୂକ୍ତ କରିବା ସହ ସ୍ବେତପତ୍ର ପ୍ରକାଶ କରିବାକୁ ଦାବି ହୋଇଛି । ଏହାସହ ମୃତକଙ୍କ ପରିବାରଙ୍କୁ ଏକ କୋଟି କ୍ଷତିପୂରଣ ସହ ଗୁରୁତର ଆହତଙ୍କୁ ୨୫ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ମାନବାଧିକାର କର୍ମୀ । ଚଳିତବର୍ଷ ରଥଯାତ୍ରା ଅଘଟଣମୟ ହୋଇଥିବାବେଳେ ଏହା ମନୁଷ୍ୟ କୃତ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି ।

ବିପଦସଂକୁଳ ସମ୍ବଲପୁର ଲିମସରିଏନ ପୋଲ, ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକଙ୍କ ଦାବି

ସମ୍ବଲପୁର : ସମ୍ବଲପୁର ଲିମସରିଏନ ପୋଲ । ୩ ଜିଲ୍ଲାର ଯାତାୟାତର ପ୍ରମୁଖ ମାଧ୍ଯମ । ଏବେ ବିପଦରେ ୫୦ ବର୍ଷ ତଙଲ ଏହି ପୁରୁଣା ବ୍ରିଜ୍ । କୌଣସି ସମୟରେ ଭୁସୁଡିବା ଆଶଂକା । ରାଜ୍ୟ ରାଜପଥ ସମ୍ବଲପୁର ସୋନପୁର ଓ ବୌଦ୍ଧ ଜିଲ୍ଲାର ମୁଖ୍ୟ ରାସ୍ତାରେ ରହିଛି ଏହି ବ୍ରିଜ। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଯାତାୟତ କରୁଛନ୍ତି  । ବ୍ରିଜ ଟି ଅତି ପୁରୁଣା ହୋଇଥିବାରୁ ଅନେକ ସ୍ଥାନରେ ଭାଙ୍ଗି ଯାଇଛି । ବର୍ଷା ପାଇଁ ହୀରାକୁଦର ଗେଟ ଖୋଲା ଅଛି । ବନ୍ଯାପାଣି ବ୍ରିଜକୁ ଲାଗି ପ୍ରବାହିତ ହେଉଛି । ତେଣୁ କୌଣସି ସମୟରେ ଏହା ଭୁସୁଡ଼ି ଯାଇପାରେ ବୋଲି ଲୋକେ ଆଶଂକା କରିଛନ୍ତି ।

ସବୁଠାରୁ ବଡ଼କଥା ହେଲା ନିକଟ ଅତୀତରେ ଯେମିତି ଗୁଜୁରାଟରେ ପୋଲ ଭାଙ୍ଗି ଅନେକ ଲୋକଙ୍କ ଜୀବନ ଯାଇଛି । ତେଣୁ ଏହି ବ୍ରିଜ ଭାଙ୍ଗିଲେ ପୁଣି ସେହି ଘଟଣାର ପୂନରାବୃତ୍ତି ହେବ ବୋଲି ଲୋକେ ଆଶଂକା କରିଛନ୍ତି । ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ପଦକ୍ଷେପ ନିଆଯାଉ ନାହିଁ । ୫ ବର୍ଷ ହେଲେ ନୂତନ ବ୍ରିଜ ତିଆରି କାମ ଚାଲିଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ହୋଇପାରୁନାହିଁ । ତେଣୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ ।

ଶ୍ରାବଣ ଆରମ୍ଭରୁ ଚଳଚଞ୍ଚଳ କଟକ ଗଡ଼ଗଡ଼ିଆ

କଟକ : ଆସିଛି ଶ୍ରାବଣ । ଚଳଚଞ୍ଚଳ ନଈ ପଠା । ବୋଲ ବମ, ହରହର ବମ ଡାକରେ କମ୍ପିଲାଣି କଟକ ଗଡ଼ଗଡ଼ିଆ । ୧୪ରେ ମାସର ପ୍ରଥମ ସୋମବାର । ତେଣୁ ଘାଟରୁ ପାଣି ଉଠାଇ ଶୈବପୀଠ ମୁହାଁ ହେଲେଣି କାଉଡ଼ିଆ । ଦୂରଦୂରାନ୍ତରୁ କାଉଡ଼ିଆ ଭକ୍ତ ଆସି ନଈରେ ବୁଡ଼ ପକାଇବା ସହ କଳସରେ ପାଣି ଭରି ଶିବ ମନ୍ଦିର ଯାଉଛନ୍ତି । ବାଲିରେ ଶିବଲିଙ୍ଗ କରି ପୂଜା କରିବା ପରେ ବାହୁଙ୍ଗି ଧରି ଦଳଦଳ ହୋଇ ବାହାରିଲେଣି କାଉଡ଼ିଆ । ବିଶେଷ କରି ପୁରୀ ଲୋକନାଥ, ପିପିଲି ନୀଳକଣ୍ଠେଶ୍ଵର, ଜଗତସିଂହପୁର ଗୋରଖନାଥ ଓ ଢେଙ୍କାନାଳର କପିଳାସ ଯାଉଥିବା ଭକ୍ତ ଏବେଠୁ ଜଳ ଉଠାଇଛନ୍ତି ।

ଗଡଗଡିଆରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନଜର ରଖାଯାଇଛି । ଅଗ୍ନିଶମ ଗାଡି ସହ ବୋଟ, ଲାଇଫ ଜ୍ୟାକେଟ ଧାରୀ ଯବାନଙ୍କୁ ମୁତୟନ କରାଯାଇଛି । ଷ୍ଟିଲ ବ୍ଯାରିକେଡ ଭିତରେ ରହି ଶୃଙ୍ଖଳିତ ଓ ନିରାପଦ ଭାବେ ଜଳ ଉଠାଇବାକୁ ପରାମର୍ଶ ଦେଉଛନ୍ତି । ନଈରେ ଅଧିକ ସୂଅ ଥିବାରୁ ନଦୀ ଭିତରକୁ ନଯିବାକୁ ତାଗିଦ କରାଯାଇଛି । ଆଗାମୀ ଦିନରେ ଅଧିକ ଭିଡ ହେଲେ ଆହୁରୀ ଅଧିକ ଟିମ ମୁତୟନ କରିବାକୁ ଯୋଜନା ରଖିଛି ଅଗ୍ନିଶମ ବିଭାଗ । ଗଜଗଡିଆ ଘାଟକୁ ସଫାସୁତୁରା ରଖିବା ପାଇଁ ସିଏମସି ପକ୍ଷରୁ ନିୟମିତ ସଫେଇ କର୍ମଚାରୀଙ୍କୁ ଦାୟିତ୍ବ ଦିଆଯାଇଛି ।

ଯାଜପୁର ପଣସା ପଞ୍ଚାୟତ ନିକଟରେ ଦବିଲା ବୈତରଣୀ ବ୍ରିଜ

ଯାଜପୁର : ବୈତରଣୀରେ ବନ୍ୟାଜଳ ପ୍ରଭାବରେ ଦବିଲା ବ୍ରିଜ । ଗୋଟିଏ କି ଦୁଇଟା ନୁହେଁ ଏକାବେଳକେ ଦବିଲା ବ୍ରିଜର ୩ଟି ସ୍ପାନ । ଯାଜପୁର ବ୍ଲକ ଚଇନିପୁର ଏବଂ ପଣସା ପଞ୍ଚାୟତକୁ ସଂଯୋଗ କରୁଥିବା ପୁରୁଣା ବୈତରଣୀ ନଦୀର ବେଲେଶ୍ଵର ନିକଟରେ ଦବିଲା ବ୍ରିଜ । ୨୦୧୪ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିଲା ଏହି ବ୍ରିଜ । ପରିସ୍ଥିତି ପାଇଁ ପ୍ରଶାସନକୁ ହିଁ ଦାୟି କରିଛନ୍ତି ସ୍ଥାନୀୟ ଅଧିବାସୀ । ବେଆଇନ ବାଲି ଉତ୍ତୋଳନ ପାଇଁ ବ୍ରିଜ ଦବିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପୂର୍ବରୁ ଏନେଇ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ କୌଣସି କାର୍ଯ୍ଯାନୁଷ୍ଠାନ ନିଆଯାଇ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

୧୧ ବର୍ଷ ତଳେ ବିଜୁ ସେତୁ ଯୋଜନାରେ ନିର୍ମାଣ ହୋଇଥିଲା ବ୍ରିଜ୍ । ଯାହା ଉପରେ ଆଖପାଖ ୫ ଟି ପଞ୍ଚାୟତର ଲୋକେ ନିର୍ଭର କରିଆସୁଛନ୍ତି । ଯାଜପୁରରୁ ଭଦ୍ରକକୁ ଯାତାୟାତ ପାଇଁ ଏହା ପ୍ରମୁଖ ରାସ୍ତା । ଦୀର୍ଘଦିନ ଧରି ବାଲି ମାଫିଆ ବ୍ରିଜର ଗୋଟିଏ ମୁଣ୍ଡରେ ବାଲି ଉତ୍ତୋଳନ କରୁଥିବା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ଲୋକେ । ଏବେ ବ୍ରିଜ ଦବିବା ଫଳରେ ପ୍ରଶାସନର ଚେତା ପଶିଛି । ଯନ୍ତ୍ରୀ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବ୍ରିଜର ଉଭୟ ପାର୍ଶ୍ବକୁ ବାଉଁଶ ଦ୍ବାରା ସିଲ କରାଯାଇ ଯାତାୟାତକୁ ନିଷିଦ୍ଧ କରାଯାଇଛି । ବାଲି ଉତ୍ତୋଳନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ତୁରନ୍ତ ବ୍ରିଜର ମରାମତି ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

କେବେ ପୂରଣ ହେବ ବାଲେଶ୍ବର ମହାନଗର ସ୍ବପ୍ନ ?

ବାଲେଶ୍ୱର : ମହାନଗର ହେବ ତ ବାଲେଶ୍ୱର ? କେବେ ବାସ୍ତବତାରେ ପରିଣତ ହେବ ସ୍ବପ୍ନ ? ଖାଲି ପ୍ରତିଶୃତି ରେ ସିମିତ ରହିଯିବ କି ଲୋକଙ୍କ ଆଶା ? ଓଡ଼ିଶାର ଏକ ସର୍ବ ପୁରାତନ ପୌରପାଳିକା ବାଲେଶ୍ଵର । ସହରକୁ ପୌରପାଳିକା ମାନ୍ୟତା ମିଳିବା ପରେ ୧୪୮ ବର୍ଷ ବିତିଲାଣି । ହେଲେ ଏହାର ବିକାଶ ଉପରେ ସତେଯେମିତି କାହାରି ନଜର ନାହିଁ । ନା ଅଛି ପ୍ରଶସ୍ତ ରାସ୍ତା ନା ସୁନ୍ଦର ଅଲୋକିକରଣ । ଡ୍ରେନେଜ୍ ଓ ପରିମଳ ବ୍ୟବସ୍ଥା ନକହିବା ଭଲ । ସେହିଭଳି ସହର ମଧ୍ୟରେ ଖେଳ ପଡିଆ କି ପାର୍କ ଗୋଟିଏ ଦେଖିବା ବି ସ୍ବପ୍ନ । ଦୁର୍ବଳ ମନୋଭାବ ଓ ଉଚିତ୍ ଭିତ୍ତିଭୂମି ଅଭାବରୁ ନୂଆ ଶିଳ୍ପ ତ ଦୂରର କଥା ପୁରୁଣା ଶିଳ୍ପ ମଧ୍ୟ ଅଧିକାଂଶ ବନ୍ଦ ପଡ଼ିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ।

ଆସନ୍ତୁ ନଜର ପକାଇବା ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବାକୁ ହେଲେ କଣ ରହିଛି ନିୟମ । ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ସର୍ବନିମ୍ନ ୩ ଲକ୍ଷ ରୁ ୬ ଲକ୍ଷ୍ୟ ଜନସାଧାରଣଙ୍କ ଭିତରେ ୩୯ ଟି ୱାର୍ଡ ରହିବ । ସେହିପରି ୬ ଲକ୍ଷରୁ ୧୨ ଲକ୍ଷ ମଧ୍ୟରେ ୫୯ ଟି ୱାର୍ଡ ୧୨ ଲକ୍ଷରୁ ୨୪ ଲକ୍ଷ ଜନସଂଖ୍ୟା ମଧ୍ୟରେ ୭୯ ଟି ୱାର୍ଡ ଏବଂ ୨୪ ଲକ୍ଷରୁ ଅଧିକ ଜନ ସଂଖ୍ୟାରେ ୧୦୯ ଟି ୱାର୍ଡ ରହିବା ଆବଶ୍ୟକ । ତେବେ ୨୦୧୧ ଜନଗଣନା ଅନୁସାରେ ବାଲେଶ୍ଵର ପୌରପାଳିକାରେ ଜନସଂଖ୍ୟା ଥିଲା ୧ ଲକ୍ଷ ୪୪ ହଜାର ୩୭୩ । ତେବେ ୨୦୨୪ରେ ଏହି ସଂଖ୍ୟା ପାଖାପାଖି ୨ ଲକ୍ଷ ୨ ହଜାରରେ ପହଞ୍ଚିଛି । ମ୍ୟୁନିସପାଲିଟି ସଂଲଗ୍ନ କିଛି ପଞ୍ଚାୟତକୁ ସାମିଲ କରି ପୌରପାଳିକାକୁ ବିସ୍ତାର କରାଯିବ ବୋଲି ବିଭିନ୍ନ ସମୟରେ ଯୋଜନା କରାଯାଇଛି । କିନ୍ତୁ ଘୋଷଣା ସତ୍ତ୍ବେ ଏହାର କାର୍ଯ୍ଯକାରିତା ନେଇ ଉଠିଛି ପ୍ରଶ୍ନ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ଓ ବିଭିନ୍ନ ସାମାଜିକ ସଂଗଠନ ।

ମାଫିଆଙ୍କ ନୂଆ ଫଣ୍ଡା : ମିକ୍ସଚର ପ୍ଯାକେଟରେ ଧଳା ଜହର ରଖି ବେପାର

ଖୋର୍ଦ୍ଧା : ନିଶା ବେପାର ପାଇଁ ମାଫିଆଙ୍କ ନୂଆ ଫଣ୍ଡା । ମିକ୍ସଚର ପ୍ଯାକେଟରେ  ଧଳା ଜହର ରଖି ବେପାର । ଜବତ ହେଲା ୧୫୦ ଗ୍ରାମର ବ୍ରାଉନସୁଗାର । ଖୋର୍ଦ୍ଧା ଜିଲ୍ଲା ସଦର ଥାନା କୁଞ୍ଜୁରି ପଞ୍ଚାୟତ ପୋଡ଼ାପାଟଣା ଗାଁରୁ ଜବତ ହୋଇଛି ଏହି ଧଳା ଜହର । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ସ୍ଵତନ୍ତ୍ର ସ୍କାର୍ଡ ପୋଡ଼ାପାଟଣା ଗାଁର ଏକ ମିକ୍ସଚର ଗୋଦାମରେ ଗତ ରାତିରେ ରେଡ କରିଥିଲେ । ଚଢାଉରେ ମିକ୍ସଚର ପ୍ଯାକେଟରୁ ୬ ପ୍ଯାକେଟ ଧଳା ଜହର ସହ ନଦଗ ୧ ଲକ୍ଷ ଟଙ୍କା ଜବତ କରିଛି ଅବକାରୀ ବିଭାଗ । ଏଥିସହ ଘଟଣାରେ ଜଣଙ୍କୁ ଅଟକ ରଖିଛି ।

ତେବେ ଚଢାଉ ପରେ ଏହି ଘଟଣା ରୋଚକ ମୋଡ ନେଇଛି । ମିଛରେ ବ୍ୟବସାୟୀଙ୍କୁ ଫସାଇ ଦିଆଯାଇଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରି ଆଜି ସକାଳୁ ଜିଲ୍ଲା ଅବକାରୀ କାର୍ଯ୍ଯାଳୟ ଘେରାଉ କରିଥିଲେ । ବିକ୍ଷୋଭରେ ଗ୍ରାମବାସୀ, ଲୋକ ପ୍ରତିନିଧିଙ୍କ ସମେତ ବେଗୁନିଆ ବିଧାୟକ ସାମିଲ ହୋଇଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ମିଛ ଚକ୍ରାନ୍ତ କରି ସଂପୃକ୍ତ ବ୍ଯବସାୟୀଙ୍କୁ ଫସାଇ ଦିଆଯାଇଛି । ତେଣୁ ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଏଠି ପ୍ରଶ୍ନ ଉଠୁଛି- ମିକ୍ସଚର ପ୍ଯାକେଟରେ କିଏ ରଖିଲା ବ୍ରାଉନସୁଗାର ? ଏତେ ପରିମାଣରେ ଧଳା ଜହର ଆସିଲା କୁଆଡୁ ? ପ୍ରକୃତରେ ବ୍ୟବସାୟୀ ଜଣକ ମିକ୍ସଚର ପ୍ୟାକେଟ ଭିତରେ ବ୍ରାଉନସୁଗାର ରଖିଥିଲେ ? ନା ତାଙ୍କୁ ଚକ୍ରାନ୍ତ କରି ଫସାଇ ଦିଆଯାଇଛି ? ଏ ସବୁ ପ୍ରଶ୍ନର ଉତ୍ତର ତଦନ୍ତ ପରେ ମିଳିବ ।

ଆଦିବାସୀ ଓ ଭୂମିହୀନ ଦଳିତ ପରିବାରଙ୍କୁ ସରକାରଙ୍କ ଅଣଦେଖା

ଜଗତସିଂହପୁର : ଅନୁସୂଚିତ ଜନଜାତି ଓ ଭୂମିହୀନଙ୍କ ମୁହଁରେ ନବୀନ ଫୁଟାଉଥିଲେ ହସ । ଏବେ ହଇରାଣ କରୁଛନ୍ତି ବିଜେପି ସରକାର । ଏପରି ଅଭିଯୋଗ ଆଣିଛନ୍ତି ଜଗତସିଂହପୁର ପୌରପରିଷଦ ଅଧୀନ ଦୁଇ ନମ୍ବର ୱାର୍ଡ ମାର୍କଣ୍ଡପୁର ଆଦିବାସୀ ପଡାର ବାସିନ୍ଦା । ଏଠାରେ ପାଖାପାଖି ଦୁଇ ଶହରୁ ଉର୍ଦ୍ଧ୍ଵ ଅନୁସୂଚିତ ଜନଜାତି ଓ ଆଦିବାସୀ ପରିବାର ବସବାସ କରୁଛନ୍ତି । ସେମାନଙ୍କ ପାଇଁ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ରାସ୍ତାଘାଟ ଠାରୁ ଶୌଚାଳୟ, ପିଲାମାନଙ୍କ ନିମନ୍ତେ ପାର୍କ ବ୍ଯବସ୍ଥା କରିଥିଲେ । ଯାହାକୁ ବିଜୁ ଆଦର୍ଶ କଲୋନୀ ଭାବରେ ନାମିତ କରାଯାଇଥିଲା । ହେଲେ ବିଜେପି ସରକାର କଲୋନୀ ଉପରେ ଦୃଷ୍ଟି ଦେଉନଥିବାରୁ ଶୌଚାଳୟ ଭିତରେ ଅନାବନା ଗଛ ଭର୍ତ୍ତି ହୋଇଥିବା ବେଳେ ଫାଟକ ମେଲା ହୋଇ ପଡିଛି ।  ଟାଙ୍କିରୁ ପାଣି ଆସୁନଥିବା ବେଳେ ପାର୍କରେ ଖେଳ ସାମଗ୍ରୀ, ବେଞ୍ଚ ଭାଙ୍ଗି ଯାଇଛି । ପାଚେରୀ ଭୁଶୁଡି ପଡିଛି । ଯାହାକୁ ନେଇ ଲୋକଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଲାଣି ।

ସେପଟେ ଜଗତସିଂହପୁର ପୌରାଧ୍ଯକ୍ଷଙ୍କୁ ଆଦିବାସୀ ପଡା ସଂପର୍କରେ ନନ୍ଦିଘୋଷ ଟିଭି ପ୍ରତିନିଧି ପଚାରିବାରୁ ସେ କହିଛନ୍ତି, ଆମର ଦୀର୍ଘ ଦିନ ହେଲା ଅଫିସରେ କନିଷ୍ଠ ଯନ୍ତ୍ରୀ ନାହାନ୍ତି । ଫଳରେ ପ୍ରାୟ ବର୍ଷେ ହେଲାଣି କୌଣସି ଉନ୍ନୟନମୂଳକ କାମ ହେଇ ପାରୁନାହିଁ । ଏହି ସମସ୍ଯା ପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।

ସମସ୍ଯା ଘେରରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ରାବଣ ଗାଡିଆ ଗାଁ ଲୋକେ

ଘଟଗାଁ : ଗାଁକୁ ନାହିଁ ପକ୍କା ରାସ୍ତା । କାଦୁଅ ପଚପଚ ରାସ୍ତା ପାଲଟିଛି ଲୋକଙ୍କ ଯୋଗାଯୋଗର ମାଧ୍ଯମ । ଖୋଦ ମୁଖ୍ଯମନ୍ତ୍ରୀଙ୍କ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅବସ୍ଥା । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଗୈଣିଘସା ପଞ୍ଚାୟତ ରାବଣ ଗାଡିଆ ଗାଁକୁ ପକ୍କା ରାସ୍ତାଟିଏ ନାହିଁ । ରାବଣ ଗାଡିଆ ଗାଁଟି ବ୍ଲକ କାର୍ଯ୍ଯାଳୟ ଠାରୁ ମାତ୍ର ୧୫ କିମି ଦୂରରେ ଥିଲେ ମଧ୍ଯ ଦୀପ ତଳ ଅନ୍ଧାର ଭଳି ଗାଁକୁ ଆଜିବି ପହଞ୍ଚି ପାରିନି ପକ୍କା ରାସ୍ତା । ଫଳରେ କାଦୁଅ ପଚପଚ ସାଙ୍ଗକୁ ଖାଲଖମା ରାସ୍ତାରେ ନିତି ଯାଆସ କରୁଛନ୍ତି ଶତାଧିକ ଲୋକଙ୍କ ସମେତ ଛାତ୍ରଛାତ୍ରୀ । ଅନେକ ସମୟରେ ଲୋକ ଛୋଟ ବଡ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ରାସ୍ତାର ଦୂରବସ୍ଥା ପାଇଁ ବର୍ଷା ଦିନେ ଲୋକଙ୍କ ସମସ୍ଯା ଦ୍ଵିଗୁଣିତ ହୋଇଯାଏ । ଏପରିକି ଜୁରିରୀକାଳୀନ ସେବା ମଧ୍ଯ ଗାଁ କୁ ପହଞ୍ଚି ପାରେନି । ଖଟିଆରେ ରୋଗୀଙ୍କୁ ବୋହି ନେଇ ଆମ୍ବୁଲାନ୍ସ ନିକଟକୁ ନେବାକୁ ପଡେ । ସମସ୍ୟାର ସମାଧାନ ପାଇଁ ଲୋକେ ଅନେକ ଥର ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ବି କୌଣସି ସୁଫଳ ମିଳିପାରିନାହିଁ । ଅନ୍ଯପଟେ କ୍ଯାମେରା ସମ୍ମୁଖରେ ପ୍ରତିକ୍ରିୟା ରଖିବାକୁ ରୋକଠୋକ ମନା କରିଦେଇଛନ୍ତି ସ୍ଥାନୀୟ ବିଡିଓ ।