spot_img
Home Blog Page 5841

ରାଷ୍ଟ୍ରପତିଙ୍କ ଗସ୍ତ ପରେ NITରେ କରୋନା ସଂକ୍ରମିତ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୩ରେ ପହଞ୍ଚିଲାଣି

ରାଉରକେଲା: ରାଷ୍ଟ୍ରପତିଙ୍କ ଗସ୍ତ ପରେ ରାଉରକେଲା ଏନ୍‌ଆଇଟି (ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ)ରୁ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ମାସକ ଭିତରେ ପ୍ରାୟ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଚଳିତମାସ ୧୦ ଓ ୧୫ ତାରିଖରେ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବେ ରାଷ୍ଟ୍ରପତିଙ୍କ ଗସ୍ତ ସରିବା ପରେ ୨୨ ତାରିଖରେ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହୋଇଥିବା ତିନି ଜଣ ଆକ୍ରାନ୍ତଙ୍କୁ କ୍ୟାମ୍ପସ ଭିତରେ ହିଁ ସଂଗରୋଧରେ ରଖାଯାଇଛି ।

ତେବେ ରାଉରକେଲା ଏନ୍‌ଆଇଟି ଏଭଳି ଏକ ସ୍ଥାନ ଯେଉଁଠି ଦେଶର ବିଭିନ୍ନ ରାଜ୍ୟରୁ ଛାତ୍ରଛାତ୍ରୀ ଆସି ପାଠ ପଢ଼ନ୍ତି । ଓଡ଼ିଶାରେ କରୋନା ସଂକ୍ରମଣ ସେତେଟା ଅଧିକ ନଥିଲେ ମଧ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଆଦି ରାଜ୍ୟରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ କଲେଜରେ ପାଠ ପଢ଼ା ସହ ସେମିଷ୍ଟାର ପାଖେଇ ଆସୁଥିବାରୁ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଯଥାଶୀଘ୍ର କ୍ଲାସ୍‌ରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏହି ନିର୍ଦ୍ଦେଶକୁ ଅନୁପାଳନ କରି ବିଭିନ୍ନ ରାଜ୍ୟରୁ ଛାତ୍ରଛାତ୍ରୀ କଲେଜକୁ ଫେରୁଛନ୍ତି । ତେବେ ବାହାରୁ ଆସୁଥିବା ଛାତ୍ରଛାତ୍ରୀ ଯୋଗୁଁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା କରାଯାଉଛି ।

ତେବେ ସବୁଠାରୁ ବଡ଼ କଥା ହେଲା, କଲେଜରେ ଏକ ବିରାଟ ସମାବର୍ତ୍ତନ ଉତ୍ସବର ଆୟୋଜନ ହୋଇଥିଲା । ଯେଉଁଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇଥିଲେ । ଖାଲି ସେତିକି ନୁହେଁ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ସମାଗମ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଗକୁ ଏହି ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ସେହିଭଳି ଭୁବନେଶ୍ୱର ଜାଭିୟର ମ୍ୟାନେଜ୍‌ମେଣ୍ଟ କଲେଜରେ ମଧ୍ୟ ଏକ ବିରାଟ ସମାବର୍ତ୍ତନ ଉତ୍ସବର ଆୟୋଜନ ହୋଇଥିଲା । ସମାବର୍ତ୍ତନ ଉତ୍ସବ ପରେ ସେଠାରେ ପ୍ରଥମେ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ପରେ ଏହା ୪୫ରେ ପହଞ୍ଚିଥିଲା । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅନୁଷ୍ଠାନକୁ ସିଲ୍‌ କରିଦିଆଯାଇଛି ।

ମାଛ ଜାଲରେ ଲାଗିଲା ବାଲଟ୍ ବାକ୍ସ, ନିର୍ବାଚନରେ ଅନିୟମିତତା ସନ୍ଦେହ

ନୟାଗଡ଼: ମାଛ ଜାଲରେ ଲାଗିଲା ଭୋଟ ବାଲଟ୍ ବାକ୍ସ । ପୋଖରୀରୁ ମାଛ ଧରିବା ବେଳେ ମିଳିଲା ଭୋଟ ବାକ୍ସ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୋତିସାହି ଗାଁ ନିକଟ ପୋଖରୀରୁ ମିଳିଛି ଏହି ବାକ୍ସ । ରଜତ ସ୍ୱାଇଁଙ୍କ ଚାଷ ଜମିରେ ଥିବା ପୋଖରୀରୁ ଜାଲ ପକାଇ ମାଛ ଧରିବା ବେଳେ ଏହି ବାକ୍ସ ଉଦ୍ଧାର କରାଯାଇଛି ।

ତେବେ ବାକ୍ସଟି ଖାଲି ଥିବା ଦେଖାଯାଇଛି । ହେଲେ ସବୁଠାରୁ ବଡ଼ ପ୍ରଶ୍ନ ହେଲା ଏଠାରୁ ଭୋଟ ବାକ୍ସ ଆସିଲା କେଉଁଠୁ ? ନିକଟ ଅତୀତରେ କୌଣସି ଭୋଟ ହୋଇନାହିଁ । ଗତ ସାଧାରଣ ନିର୍ବାଚନ ୨୦୧୯ ମସିହାରେ ହୋଇଥିଲା । ଏହା ପୂର୍ବରୁ ୨୦୧୭ରେ ସରପଞ୍ଚ ନିର୍ବାଚନ ହୋଇଥିଲା । ହେଲେ ଗତ ସାଧାରଣ ନିର୍ବାଚନ ବେଳେ ଗୋତିସାହି ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବୁଥ୍‌ରେ କୌଣସି ବିଘଟନ ହୋଇଥିବା ଅଭିଯୋଗ ନାହିଁ । ହେଲେ ସରପଞ୍ଚ ନିର୍ବାଚନ ବେଳେ ସେ ଅଞ୍ଚଳରେ ସାମାନ୍ୟ ବିଶୃଙ୍ଖଳା ଦେଖା ଦେଇଥିଲା । ତେବେ କ’ଣ ୨୦୧୭ରୁ ଏହି ଭୋଟ୍‌ ବାକ୍ସ ପୋଖରୀରେ ପଡ଼ିଛି । ଆଉ ଭୋଟ ବାକ୍ସ ପଡ଼ିବା ଖବର କ’ଣ କେହି ଜାଣିପାରି ନାହନ୍ତି ? କିମ୍ବା ଏହି ଭୋଟ ବାକ୍ସ ଅନ୍ୟ କେଉଁ ସ୍ଥାନରୁ ଏଠାକୁ ଆଣି ଏହି ପୋଖରୀରେ ଫିଙ୍ଗାଯାଇଛି ?

ଏଭଳି ନାନା ପ୍ରଶ୍ନ ଏବେ ସ୍ଥାନୀୟ ଲୋକଙ୍କ ମନରେ ରହିଛି । ଏହି ଘଟଣା ନେଇ କୌଣସି ଉଚ୍ଚପଦସ୍ଥ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।  ଉପଜିଲ୍ଲାପାଳଙ୍କୁ ଏନେଇ ପ୍ରଶ୍ନ କରାଯାଇଛି ହେଲେ ଏବେ ସୁଦ୍ଧା ସେ ଏନେଇ କୌଣସି ପ୍ରତିକ୍ରିୟ ଦେଇ ନାହାନ୍ତି ।

ତ୍ରିକୋଣୀୟ ପ୍ରେମ କାହାଣୀ, ହାତାହାତି ହେଲେ ପୋଲିସ ଦମ୍ପତି

0

ଭୁବନେଶ୍ୱର: ପୋଲିସର ଦ୍ୱାରସ୍ଥ ହେଲା ପୋଲିସ । ପୋଲିସ ଘରେ କ୍ରାଇମ୍‌ । ଏଭଳି ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ୱରରୁ । ଜଣେ ପୋଲିସ କର୍ମଚାରୀଙ୍କ ଘରେ ପରିବାରିକ ଅଶାନ୍ତି ଦେଖାଯାଇଛି । ଉଭୟ ପତି-ପତ୍ନୀ ପୋଲିସ ବିଭାଗରେ ଚାକିରି କରିଥିବା ବେଳେ ଏବେ ଉଭୟଙ୍କୁ ପୋଲିସ ଥାନାର ଦ୍ୱାରସ୍ଥ ହେବାକୁ ପଡ଼ିଛି ।

ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ପୋଲିସ ଦମ୍ପତି ରାସ୍ତା ଉପରେ ହାତାହାତି ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ, ପୋଲିସ ଦମ୍ପତି ଦୀର୍ଘ ୧୧ ବର୍ଷ ଧରି ଅଲଗା ରହି ଆସୁଛନ୍ତି । ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା । ଏମିତିକି ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ଦିଆନିଆ ହୋଇସାରିଥିବା କୁହାଯାଉଛି । କିନ୍ତୁ ହଠାତ୍‌ ବୁଧବାର ପୁରଷ ଜଣକ ନିଜ ଘରେ ଥିବା ବେଳେ ମହିଳା ଜଣକ ତାଙ୍କ ଘରେ ପହଞ୍ଚିଥିଲେ । ଆଉ ତାଙ୍କୁ ଛୁରୀ ଧରି ଆକ୍ରମଣ କରିଥିଲେ । ଏମିତିକି ମହିଳା ଜଣକ ପୁରୁଷଙ୍କ ହାତକୁ କାମୁଡ଼ି ଦେଇଥିବା ଜଣାପଡ଼ିଛି ।

ତେବେ ଏହି ସବୁ ଘଟଣାକୁ ମହିଳା ଜଣଙ୍କ ସମ୍ପୂର୍ଣ୍ଣ ଖଣ୍ଡନ କରିଥିବା ବେଳେ ସେ ସଫେଇ ଦେଇଛନ୍ତି ଯେ, ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଛନ୍ତି । ଏକଥା ଜାଣିବା ପରେ ସେ ସ୍ୱାମୀଙ୍କ ଘରେ ପହଞ୍ଚିଥିଲେ । ଏହି ସବୁ ଘଟଣା ପରେ ଏବେ ଏୟାରଫିଲ୍ଡ ଥାନାରେ ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ କରି ସମାଧାନ କରିବ ବୋଲି କହିଛି ।

ମଧ୍ୟାହ୍ନ ଭୋଜନରେ ଝିଟିପିଟି, ୪ ଶିଶୁ ଗୁରୁତର

ନୀଳଗିରି: ନୀଳଗିରି ବ୍ଲକ୍‌ ଜଡିବାଲି ଅଙ୍ଗନୱାଡ଼ି ସେଣ୍ଟରରେ ଅଭାବନୀୟ ଘଟଣା । ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ୪ ଶିଶୁ ଅସୁସ୍ଥ । ଖାଦ୍ୟ ଖାଇବା ପରେ ଶିଶୁମାନଙ୍କ ତଣ୍ଟି କୁଣ୍ଡେଇ ହୋଇଥିଲା । ସେମାନେ ଅସୁସ୍ଥତା ଅନୁଭବ କରିଥିଲେ । ତେଣୁ ସମସ୍ତଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି ।

ବୁଧବାର ଆଙ୍ଗନଓ୍ୱାଡ଼ି କେନ୍ଦ୍ରକୁ ୪ଜଣ ପିଲା ଆସିଥିଲେ । ସେମାନଙ୍କ ପାଇଁ ହୋଇଥିବା ରନ୍ଧା ଖାଦ୍ୟରେ ଝିଟିପିଟି ପଡ଼ିଥିଲା । ଏଭଳି ଘଟଣା ଅଙ୍ଗନଓ୍ୱାଡ଼ି କର୍ମୀ ଓ ସହାୟିକାଙ୍କ ଅବହେଳା ଯୋଗୁଁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଇ ପ୍ରକୃତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

ରାଜ୍ୟରେ ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । ମଧ୍ୟାହ୍ନ ଭୋଜନ ଖାଇ ବୌଦ୍ଧରେ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ । ଗତବର୍ଷ ବୌଦ୍ଧ ଜିଲ୍ଲା ଲୁକାପଡା ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଥିଲା । ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ କିଛି ଛାତ୍ରଛାତ୍ରୀଙ୍କ ପ୍ରଥମେ ପେଟ କାଟିବା ସହ ବାନ୍ତି ହୋଇଥିଲା । ପରେ ପିଲାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ସ୍କୁଲର ଶିକ୍ଷକ, ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ମନମୁଣ୍ଡା ଡାକ୍ତରଖାନାକୁ ନେଇଥିଲେ । ପରେ ଅବସ୍ଥା ଅସମ୍ଭାଳ ହେବାରୁ ୨୨ଜଣ ଛାତ୍ରଛାତ୍ରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେହିଦିନ ମଧ୍ୟାହ୍ନ ଭୋଜନରେ ଭାତ ଓ ସୋୟାବିନ ତରକାରି ହୋଇଥିଲା । ପୋକଡ଼ା ସୋୟାବିନ ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ ହୋଇଥିଲା ।

ତେବେ ରାଜ୍ୟରେ ବାରମ୍ବାର ମଧ୍ୟାହ୍ନ ଭୋଜନରେ ଏଭଳି ଅନିୟମିତତା ହେଉଥିବା ଖବର ସାମ୍ନାକୁ ଆସିଛି । କେବଳ ବୌଦ୍ଧ କିମ୍ବା ନୀଳଗିରି ନୁହେଁ ରାଜ୍ୟର ପ୍ରାୟ ଜିଲ୍ଲାରେ ସ୍କୁଲ କିମ୍ବା ଅଙ୍ଗନଓ୍ୱାଡ଼ି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହେଉଥିବା ଦେଖାଯାଇଛି । ସରକାର ପିଲାଙ୍କ ପାଠ ପଢ଼ା ଓ ସ୍କୁଲ ପ୍ରତି ଯେତେ ଗୁରୁତ୍ୱ ଦେଲେ ମଧ୍ୟ କିଛି ଅଧିକାରୀଙ୍କ ଖାମ୍‌ଖିଆଲ ମନୋଭାବ ଯୋଗୁଁ ଏଭଳି ଘଟୁଥିବା କୁହାଯାଉଛି ।

ରାଜଧାନୀରେ କରୋନା ସ୍ଥିତିକୁ ନେଇ ଆକ୍ସନ ମୋଡରେ ବିଏମସି, ଆଜିଠୁ ଜୋରଦାର ହେବ ଚଢ଼ାଉ

ଭୁବନେଶ୍ୱର: ରାଜଧାନୀରେ କରୋନା ସ୍ଥିତିକୁ ନେଇ ଆକ୍ସନ ମୋଡରେ ବିଏମସି । ରାଜଧାନୀର ବିଭିନ୍ନ ସ୍ଥାନରେ ଆଜିଠୁ ଜୋରଦାର ହେବ ଚଢ଼ାଉ । ଏଥିପାଇଁ ସଚେତନତା କାର୍ଯ୍ୟକ୍ରମକୁ ମଧ୍ୟ ତ୍ୱରାନ୍ତିତ କରାଯାଇଛି । ଉଭୟ ସଚେତନତା ଓ କାର୍ଯ୍ୟାନୁଷ୍ଠାନକୁ ଦିଆଯିବ ଗୁରୁତ୍ୱ । ଅପରାହ୍ନରେ ବିମାନ ବନ୍ଦର ଓ ରେଳ ଷ୍ଟେସନରେ ସ୍ଥିତି ଅନୁଧ୍ୟାନ କରିବେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ । କରୋନା ନିୟମକୁ କଡାକଡି ନଜର ଦେବାକୁ ଏନଫୋର୍ସମେଣ୍ଟ ଟିମକୁ ଅଧିକ ଫୋର୍ସ ମିଳିଛି । ବିଏମସିର ୩ଟି ଯୋନରେ ୬ରୁ ଅଧିକ ସ୍କ୍ୱାର୍ଡ ଚଢ଼ାଉରେ ସାମିଲ ହୋଇଛନ୍ତି ।

XIMB ରେ ପ୍ରଥମ ଦିନ ୨୦୧ ଓ ଗତକାଲି ୮୬ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା। ସବୁର RTPCR ଟେଷ୍ଟ କରାଯାଇଛି। ସବୁଗୁଡିକ ନେଗେଟିଭ ଆସିଛି । ଆସନ୍ତାକାଲିଠାରୁ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ମଧ୍ୟ ଯାଞ୍ଚ ଓ ଟେଷ୍ଟିଂକୁ କଡାକଡି କରାଯିବ । ଟ୍ରାଇଡେଣ୍ଟ କଲେଜ ହଷ୍ଟେଲରେ ହେବ ପ୍ରଥମ ଟେଷ୍ଟିଂ କରାଯିବ । CRPF ପକ୍ଷରୁ ଟେଷ୍ଟିଂ ପାଇଁ ଆବେଦନ କରାଯାଇଛି । ପର୍ଯ୍ୟାୟ କ୍ରମେ ସବୁ ହଷ୍ଟେଲରେ ହେବ ଟେଷ୍ଟିଂ । ଏଥିପାଇଁ କୋଭିଡ ସଚେତକଙ୍କୁ ପୁନଃ ନିୟୋଜିତ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି କରିଛନ୍ତି । ପୋଲିସ ପ୍ରସାଶନ ମଧ୍ୟ କୋଭିଡ ୧୯ ଆଇନର ପାଳନ ନେଇ ବ୍ୟାପକ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ଗତକାଲିଠାରୁ ଏହି ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି । ଓଡ଼ିଶା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୩ ତାରିଖ ସକାଳୁ, ୨୪ ତାରିଖ ସକାଳ ମଧ୍ୟରେ କୋଭିଡ ଆଇନ ଉଲଙ୍ଘନ ନେଇ ହୋଇଥିବା ଗୋଟିଏ ମାମଲା ରୁଜୁ ହୋଇଥିବାବେଳେ ୧୬ ଜଣଙ୍କୁ ଗିରଫ କରାଯାଇଛି ଓ ୭୬୩ଟି ଗାଡ଼ି ଜବତ କରାଯାଇଛି । ସେହିଭଳି ୨୨,୫୮,୧୦୦( ୨୨ ଲକ୍ଷ ୫୮ ହଜାର ୧୦୦ ଟଙ୍କା) ଜରିମାନା ଆଦାୟ କରାଯାଇଛି ।

ସେହିପରି ଲଗାତାର ଭାବରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନାର ଦ୍ୱିତୀୟ ଲହରୀର ଆତଙ୍କ  । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୪୭ ହଜାର ୨୬୨ ନୂଆ ପଜିଟିଭ  । ଏଥିସହ କରୋନା ନେଇଛି ଆଉ ୨୭୫ ଜୀବନ  । ସେହିପରି ଦିନକରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୨୩ ହଜାର ୯୦୭ ଜଣ ଆକ୍ରାନ୍ତ  । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୭ ଲକ୍ଷ ୩୪ ହଜାର ୫୮ରେ ପହଞ୍ଚିଛି  ।  ଏବେ ସୁଦ୍ଧା ମୋଟ ୧ କୋଟି ୧୨ ଲକ୍ଷ ୫ ହଜାର ୧୬୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳଏ,  ୩ ଲକ୍ଷ ୬୮ ହଜାର ୪୫୭ ସକ୍ରିୟ ମାମଲା ରହିଛି  । ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୪୪୧ରେ ପହଞ୍ଚିଛି  । ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଜାରି ଥିବା ବେଳେ ଏବେ ସୁଦ୍ଧା ୫ କୋଟି ୮ ଲକ୍ଷ ୪୧ ହଜାର ୨୮୬ଜଣଙ୍କୁ ଟିକା ଦିଆଯାଇଛି  ।

୧୯୬ଟି ସୁନାଦୋକାନରେ ଚଢ଼ାଉ, ଓଜନ ମାପରେ ଠକାମିକୁ ନେଇ ୪ଲକ୍ଷ ୪୫ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ

ଭୁବନେଶ୍ୱର: ରାଜ୍ୟରେ ୪୮୫୩ଟି ସୁନା ଦୋକାନ ଅଛି । ୨୦୧୮-୧୯ରେ ୩୭୬ଟି ସୁନାଦୋକାନରେ ଚଢ଼ାଉ ହୋଇଥିଲା । ସେହିପରି ୧୯-୨୦ରେ ୪ଶହ ସୁନା ଦୋକାନରେ ଚଢ଼ାଉ ହୋଇଥିଲା । ସେମାନଙ୍କଠାରୁ ୧୨ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା  । ସେହିପରି ୨୦୨୦-୨୧ ବର୍ଷରେ ୧୯୬ଟି ସୁନାଦୋକାନରେ ଚଢ଼ାଉ କରିବା ଯାଇଥିବା ବେଳେ, ୪ଲକ୍ଷ ୪୫ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଓଜନମାପରେ ଯେଉଁମାନେ ଠକୁଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି  ଗୃହରେ ପ୍ରଶ୍ନୋତ୍ତରରେ କହିଛନ୍ତି ଖାଦ୍ୟଯୋଗଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ।

ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡ଼ିଛି । ସ୍କୁଲ ମାନଙ୍କରେ ବିଜ୍ଞାନଗାର ଖୋଲିବା, ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଜରିଆରେ ୨୦୧୫-୧୬ ରୁ ୨୦୧୮-୧୯ ମଧ୍ୟରେ ବିଜ୍ଞାନ ଘର ନିର୍ମାଣ ପାଇଁ ୫୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ବିଜ୍ଞାନ ଉପକରଣ ପାଇଁ ମଧ୍ୟ ୩୫୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ୨୫୬୨ ହାଇସ୍କୁଲରେ ବିଜ୍ଞାନ ଗାର ନିର୍ମାଣ କରାଯାଇଛି । ମୋ ସ୍କୁଲ ଯୋଜନାରେ ୪୨୯ଟି ବିଜ୍ଞାନ ଗାର ନିର୍ମାଣ କରିବାକୁ ଯୋଜନା ରହିଛି। ୧୦୦ଟି ଆଦର୍ଶ ବିଦ୍ୟାଳୟ ରେ ବିଜ୍ଞାନଗାର ଅଛି। ସି ଏସ ଆର ଫଣ୍ଡରେ ୮୧୯ ସ୍କୁଲରେ ବିଜ୍ଞାନଗାର ନିର୍ମାଣ କରାଯାଉଛି। ପୋଷ୍ୟ ସ୍କୁଲ ଜରିଆରେ ୧୦୦ଟି ହାଇସ୍କୁଲରେ ବିଜ୍ଞାନଗାର ନିର୍ମାଣ କରାଯାଉଛି। ୧୦୦ ଟି ଉତ୍କର୍ଷ ବିଦ୍ୟାଳୟରେ ବିଜ୍ଞାନଗାର ପ୍ରତିଷ୍ଠା କରିବା କରାଯାଉଛି ବୋଲି ଗୃହରେ କହିଛନ୍ତି ମନ୍ତ୍ରୀ ।  ଏଥିସହ ଉଚ୍ଚଶିକ୍ଷା ଓ କୃଷିମନ୍ତ୍ରୀ ମଧ୍ୟ ଗୃହରେ ଉତ୍ତର ରଖିଛନ୍ତି ।

ଚିନ୍ତା ବଢ଼ାଇଲା କରୋନା, ୧୮ ରାଜ୍ୟରେ ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ିଥିବା ବେଳେ କେନ୍ଦ୍ର ସରକାର ଦେଇଛନ୍ତି ସାଂଘାତିକ ତଥ୍ୟ । ଭାରତରେ କେବଳ କରୋନା କେସ୍ ବଢ଼ୁନାହିଁ ବରଂ ବ୍ରିଟେନ୍ ଷ୍ଟ୍ରେନ୍ ଭଳି ଦେଶରେ ନୂଆ ଭାରିଆଣ୍ଟ ସୃଷ୍ଟି ହୋଇ ସାରିଛି । ଆଉ ସବୁଠୁ ବଡ଼ କଥା ହେଲା ନୂଆ ଭାରିଆଣ୍ଟ ଦେଶର ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ ବରଂ ୧୮ଟି ରାଜ୍ୟରେ ଠାବ ହୋଇଛି ।

କରୋନାର ‘ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟ’ ଦେଶର ୧୮ଟି ରାଜ୍ୟରେ ମିଳିଛି । ଏହାଛଡ଼ା ଦେଶର ବିଭିନ୍ନ ସ୍ଥାନରେ ଅଲଗା ଷ୍ଟ୍ରେନ୍ ମଧ୍ୟ ଚିହ୍ନଟ ହୋଇଛି । ଏହାକୁ ନେଇ ଦେଶରେ କରୋନାର ଦ୍ୱିତୀୟ ଲହର ଆଶଙ୍କା କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

ଦେଶରେ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ଏହା ଅତ୍ୟଧିକ ମାତ୍ରାରେ ନାହିଁ । ତଥାପି ସ୍ଥିତି ଉପରେ ନଜର ରଖାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ଦେଶରେ ୧୦ ହଜାର ୭୮୭ଟି ଜିନୋମ ସିକ୍ୱେନସିଂ କରାଯାଇଥିବା ବେଳେ ୭୩୬ଟି ମାମଲା ବ୍ରିଟେନ୍ ଷ୍ଟ୍ରେନର ହୋଇଥିବା ବେଳେ ୩୪ଟି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନର । ସେହିଭଳି ଗୋଟିଏ ମାମଲା ବ୍ରାଜିଲ ଷ୍ଟ୍ରେନର ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ଜିନୋମ ସିକ୍ୱେନସିଂ ପରେ ହିଁ ସମ୍ପୂର୍ଣ୍ଣ ଜେନେଟିକ୍ ଅର୍ଗାନିଜମ ନେଇ ଜଣାପଡ଼ିବ । ଦେଶର ୧୦ଟ ଜାତୀୟ ଲାବରେ ଏନେଇ ଗବେଷଣା ଚାଲିଛି । ବିଦେଶରୁ ଆସିଥିବା କରୋନା ପଜିଟିଭ ଓ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ଠାରୁ ନମୁନା ସଂଗ୍ରହ କରାଯାଇ ଜିନୋମ ଟେଷ୍ଟ କରାଯାଇଥାଏ ।

ଆମୀର ଖାନ୍ କରୋନା ସଂକ୍ରମିତ, ଘରେ ହେଲେ କ୍ୱାରେଣ୍ଟାଇନ୍

ମୁମ୍ବାଇ: ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ । ପୂର୍ବରୁ ବଲିଉଡ ଇଣ୍ଡଷ୍ଟ୍ରିର ବହୁତ ଲୋକ ବି କରୋନା ସଂକ୍ରମିତ ହୋଇଥିଲେ । ଆଉ ଏବେ କୋଭିଡର ଦ୍ୱତୀୟ ଲହରିରେ ବଲିଉଡର ମିଷ୍ଟ ପରଫେକଶନିଷ୍ଟ ଆମିର ଖାନ୍ ବି ସଂକ୍ରମିତ ହୋଇଛନ୍ତି । ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ କ୍ୱରେଣ୍ଟାଇନରେ ଅଛନ୍ତି।

ଆମୀର‌ଙ୍କ ମୁଖପାତ୍ର  କହିଛନ୍ତି, ‘ଏବେ ଆମୀରଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଆମୀର ଏବେ ହୋମ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ସେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କରୋନାର ସବୁ ନିୟମ ପାଳନ କରୁଛନ୍ତି।’ ଏଥିସହିତ ସେ ଗତ କିଛି ଦିନ ଭିତରେ ଆମିରଙ୍କ ସହିତ ଯେଉଁମାନେ ସମ୍ପର୍କରେ ଆସିଥିଲେ ସେମାନଙ୍କୁ ସେ କରୋନା ଟେଷ୍ଟ କରାଇବା ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ବଲିଉଡରେ କରୋନା ତା’ର କାୟା ବିସ୍ତାର କରି ଚାଲିଛି। ଜଣଙ୍କ ପରେ ଜଣେ ସେଲେବ୍ରିଟି ଏହାର ଶିକାର ହେଉଛନ୍ତି। ଆମୀରଙ୍କ ପୂର୍ବରୁ ରଣବୀର କପୁର, ବରୁଣ ଧୱନ, ନୀତୁ ସିଂହ, ମନୋଜ ବାଜପାୟୀ, ଅନୁପମ ଖେର୍, ଅମିତାଭ ବଚ୍ଚନ, ଐଶ୍ୱରିୟା ରାଇବଚ୍ଚନ, ଅଭିଷେକ ବଚ୍ଚନ ଓ ସଂଜୟ ଲୀଲା ଭଂସାଲିଙ୍କ ଭଳି ଅନେକ ସେଲେବ୍ରିଟି କରୋନାରେ ଆକ୍ରାନ୍ତ ହୋଇସାରିଲେଣି। ନିକଟରେ କାର୍ତ୍ତୀକ ଆର୍ଯ୍ୟନ ବି କରୋନା ଆକ୍ରାନ୍ତ ହୋଇଛନ୍ତି ।

ରବିବାର ଶ୍ରୀମନ୍ଦିରରେ ବନ୍ଦ ହୋଇପାରେ ସର୍ବସାଧାରଣ ଦର୍ଶନ

ପୁରୀ: ବଢ଼ୁଛି କରୋନା, ଫେରୁଛି କଟକଣା । ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ମଙ୍ଗଳବାର ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିଥିଲା । ଶ୍ରୀମନ୍ଦିରକୁ ବିଶୋଧନ ଲାଗି ଗୋଟିଏ ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରଖିବାକୁ ବୈଠକରେ ପ୍ରସ୍ତାବ ଆସିଛି । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ଚୂଡ଼ାନ୍ତ ନିଷ୍ପତ୍ତି ନେବ ।

Puri Jagannath Temple Likely To Close In Sunday In View  Of Covid19

କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଶ୍ରଦ୍ଧାଳୁ ସାମାଜିକ ଦୂରତା ରକ୍ଷା ପାଇଁ ପ୍ରଶାସନ ନିବେଦନ କରିଛି । ସମସ୍ତ ସେବାୟତଙ୍କୁ ଟିକା ଦିଆଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ଆଗକୁ ରଥଯାତ୍ରା ଥିବାରୁ ରଥ ନିର୍ମାଣରେ ନିୟୋଜିତ ଭୋଇ ଓ ମହାରଣା ସେବକଙ୍କୁ ମଧ୍ୟ ସମୟ ପୂର୍ବରୁ ଟିକାକରଣ କରାଯିବ । ଆସନ୍ତା ୨୮ରେ ଦୋଳପୂର୍ଣ୍ଣିମା, ସୁନାବେଶକୁ ଶୃଙ୍ଖଳିତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି ।

ବେଶ ଲାଗି ହୋଇଥିବା ବିବାଦ ନେଇ ଦୁଇ ସେବାୟତ ନିଯୋଗ ସହିତ ଜିଲ୍ଲାପାଳ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଛି । ମେଣ୍ତା ପୋଡ଼ି, ଦୋଳପୂର୍ଣ୍ଣମୀ, ସୁନାବେଶ ନୀତିକାନ୍ତିକୁ ଅନୁମୋଦନ କରିଛି ଛତିଶା ନିଯୋଗ । ନିଳାଦ୍ରୀ ଭକ୍ତ ନିବାସରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ, ଏସପି, ଛତିଶା ନିଯୋଗ ନାୟକଙ୍କ ସହ ସମସ୍ତ ସେବାୟତ ନିଯୋଗର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

ଓଡ଼ିଆଙ୍କ ମନ ଜିଣୁଛି ମିଲେଟ ମିଶନ, ରାଜ୍ୟରେ ୨୪ ହଜାର ୩୨୪ ଚାଷୀ କରିଛନ୍ତି ମାଣ୍ଡିଆ ଚାଷ

ଭୁବନେଶ୍ୱର: ଓଡ଼ିଆଙ୍କ ମନ ଜିଣୁଛି ମିଲେଟ ମିଶନ । ଦିନକୁ ଦିନ ବଢୁଛି ମାଣ୍ଡିଆ ଚାହିଦା । ୨୦୧୮-୧୯ରେ ୫ ହଜାର ୭୪୦ ଜଣ ଚାଷୀ ମାଣ୍ଡିଆ ଚାଷ କରୁଥିବା ବେଳେ ୨୦୨୦-୨୧ରେ ୨୪ହଜାର ୩୨୪ ଚାଷୀ ମାଣ୍ଡିଆ ଚାଷ କରିଛନ୍ତି। ସେହିପରି ମାଣ୍ଡିଆ ଉତ୍ପାଦନ ବଢିଛି । ୨୦୧୮-୧୯ରେ ୧୮ ହଜାର କୁଇଣ୍ଟାଲ, ୨୦୧୯-୨୦ରେ ୯୪ ହଜାର କୁଇଣ୍ଟାଲ ଓ ୨୦୨୦-୨୧ ରେ ୧ଲକ୍ଷ ୯୪ ହଜାର ୪୮୦ କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇଛି । ବିଧାନସଭା ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି ।

ଅନ୍ୟପଟେ ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା । ଗୃହରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଖାଇବା ତେଲ, ଡିଜେଲ ପେଟ୍ରୋଲ, ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରସଙ୍ଗରେ ସଂକଳ୍ପ ନେଇ ବିଧାନସଭାରେ ଆଲୋଚନା କରିବା ପାଇଁ ଦାବି କରିଥିଲେ । ଏହାକୁ ନେଇ ଗୃହର ମଧ୍ୟ ଭାଗରେ ଧାରଣାରେ ବସିଥିଲେ କଂଗ୍ରେସ ବିଧାୟକ। ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ଟ୍ୟାକ୍ସ କମାଇବାକୁ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଗୃହରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ପାଇଁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ।